ସରକାରଙ୍କ ପାଇଁ ଅସହ୍ୟ ଆର୍ଥିକ ବୋଝଯୁକ୍ତ କିନ୍ତୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ନିଶ୍ଚିତ ପେନ୍ସନ୍ ବହନକାରୀ ‘ଓପିଏସ୍’ ଓ ସରକାରଙ୍କ ପାଇଁ ବୋଝମୁକ୍ତ କିନ୍ତୁ କର୍ମଚାରୀମାନଙ୍କ ପାଇଁ ଅନିଶ୍ଚିତ ‘ଏନ୍ପିଏସ୍’ ମଧ୍ୟରେ ଅର୍ଥାତ୍ ‘ଧ୍ରୁବ’ ଓ ‘ଅଧ୍ରୁବ’ ମଧ୍ୟରେ ସନ୍ତୁଳନ ରକ୍ଷା କରି ‘ୟୁପିଏସ୍’ ଉଭୟ ପକ୍ଷ ପାଇଁ ଏକ ଆଦର୍ଶ ବ୍ୟବସ୍ଥା ରୂପେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।
‘‘ଯୋ ଧ୍ରୁବାଣି ପରିତ୍ୟଜ୍ୟ ଅଧ୍ରୁବଂ ପରିଷେବତେ। ଧ୍ରୁବାଣି ତସ୍ୟ ନଶ୍ୟନ୍ତି ଚାଧ୍ରୁବଂ ନଷ୍ଟମେବହି।।’’ ଯିଏ ନିଶ୍ଚିତକୁ ପରିତ୍ୟାଗ କରି ଅନିଶ୍ଚିତର ଆଶ୍ରୟ ନିଏ, ସିଏ ନିଶ୍ଚିତକୁ ହରାଇବା ସହିତ ଅନିଶ୍ଚିତକୁ ମଧ୍ୟ ହରାଇଥାଏ। ଏହି ସୁପରିଚିତ ଉପଦେଶକୁ ଅନ୍ୟ ଏକ ଢଙ୍ଗରେ ବହନ କରୁଥିବା ଏକ ଇଂରେଜୀ ଆପ୍ତବାକ୍ୟ ଅନୁସାରେ ହାତରେ ଧରାପଡ଼ିଥିବା ଗୋଟିଏ ଚଢ଼େଇ ହେଉଛି ବଣରେ ଥିବା ଦୁଇଟି ଚଢ଼େଇ ସହିତ ସମାନ (‘ଏ ବାର୍ଡ ଇନ୍ ଦି ହାଣ୍ଡ୍ ଇଜ୍ ୱର୍ଥ ଟୁ ଇନ୍ ଦି ବୁସ୍’)। ହାତରେ ଥିବା ଚଢ଼େଇଟି ହେଉଛି ଧ୍ରୁବ ବା ନିଶ୍ଚିତ; ବଣରେ ଥିବା ଚଢ଼େଇ ଦୁଇଟି ହେଉଛନ୍ତି ଅଧ୍ରୁବ ବା ଅନିଶ୍ଚିତ। ଅଳ୍ପଦିନ ତଳେ ଇହଧାମ ତ୍ୟାଗ କରିଥିବା ଅର୍ଥନୀତିରେ ନୋବେଲ୍ ପୁରସ୍କାରପ୍ରାପ୍ତ ମନସ୍ତତ୍ତ୍ବବିତ୍ ଡାନିଏଲ୍ କାନେମ୍ୟାନ୍ ତାଙ୍କର ଗବେଷଣା ମାଧ୍ୟମରେ ସାବ୍ୟସ୍ତ କରିଥିଲେ ଯେ ଅଧିକାଂଶ ମନୁଷ୍ୟ ସେମାନଙ୍କର ବାସ୍ତବ ଜୀବନରେ ଏହି ଉପଦେଶକୁ ଅନୁସରଣ କରି ଅନିଶ୍ଚିତତାକୁ ତ୍ୟାଗ କରି ନିଶ୍ଚିତତାକୁ ଅାପଣାଇବାକୁ ଚେଷ୍ଟା କରିଥାନ୍ତି, ଯାହାର ସେ ନାମକରଣ କରିଥିଲେ- ‘ପ୍ରସ୍ପେକ୍ଟ ଥିଓରି’।
ଏହି ସାଧାରଣ ମନସ୍ତତ୍ତ୍ବ କିପରି ଗୁରୁତ୍ବପୂର୍ଣ୍ଣ ସରକାରୀ ନୀତିକୁ ମଧ୍ୟ ପ୍ରଭାବିତ କରିପାରେ ତା’ର ଏକ ତାଜା ଉଦାହରଣ ଆମ ଦେଶରେ ଏବେ ଦେଖିବାକୁ ମିଳିଛି କେନ୍ଦ୍ର ସରକାରଙ୍କ ଦ୍ବାରା ସଦ୍ୟ ଘୋଷିତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ‘ୟୁନିଫାଏଡ୍ ପେନ୍ସନ୍ ସ୍କିମ୍’ (‘ୟୁପିଏସ୍’) ଉନ୍ମୋଚନ ରୂପରେ। ଏହା କହିଲେ ଭୁଲ୍ ହେବନାହିଁ ଯେ ଏହି ‘ୟୁପିଏସ୍’ ଆମର ପୂର୍ବବର୍ଣ୍ଣିତ ‘ନିଶ୍ଚିତ’ ହୋଇଥିବା ବେଳେ, ଏହା ଦ୍ବାରା ବହିଷ୍କୃତ ହେବାକୁ ଯାଉଥିବା ‘ନେସନାଲ୍ ପେନ୍ସନ୍ ସ୍କିମ୍’ (‘ଏନ୍ପିଏସ୍’) ଥିଲା ‘ଅନିଶ୍ଚିତ’ ଶ୍ରେଣୀର। ଅବଶ୍ୟ ଯେଉଁ ପେନ୍ସନ୍ ବ୍ୟବସ୍ଥା ଥିଲା ସରକାରୀ କର୍ମଚାରୀମାନଙ୍କ ପାଇଁ ସର୍ବାଧିକ ‘ନିଶ୍ଚିତ’, ତାହା ହେଉଛି ୨୦୦୪ ପୂର୍ବରୁ ବଳବତ୍ତର ଥିବା ତଥାକଥିତ ‘ଓଲ୍ଡ ପେନ୍ସନ୍ ସ୍କିମ୍’ (‘ଓପିଏସ୍’), ଯାହା ଅନୁସାରେ ପେନ୍ସନ୍ର ସମଗ୍ର ଅାର୍ଥିକ ବୋଝ ସରକାରଙ୍କୁ ବହନ କରିବାକୁ ପଡୁଥିଲା ଓ ଏଥିପାଇଁ କର୍ମଚାରୀମାନଙ୍କୁ କୌଣସି ଅଂଶଦାନ କରିବାକୁ ପଡୁ ନ ଥିଲା।
ଉକ୍ତ ‘ଓପିଏସ୍’କୁ ବହିଷ୍କାର କରି ୨୦୦୪ ଠାରୁ ବଳବତ୍ତର ହୋଇଥିବା ‘ଏନ୍ପିଏସ୍’ ଅନୁସାରେ ଏହି ବର୍ଷ ଠାରୁ ଚାକିରିରେ ଯୋଗଦେଇଥିବା କର୍ମଚାରୀମାନଙ୍କୁ ଏକ ପେନ୍ସନ୍ ଫଣ୍ଡ୍ରେ ନିୟମିତ ଭାବରେ ଅଂଶଦାନ କରିବାକୁ ହେଉଥିଲା ଏବଂ ସଂପୃକ୍ତ ଫଣ୍ଡ୍ ସେଆର୍ ଓ ଋଣ ବଜାରରେ ସେଇ ଅର୍ଥକୁ ନିବେଶ କରି ଅର୍ଜନ କରୁଥିବା ଲାଭରୁ ପରବର୍ତ୍ତୀ ସମୟରେ ପେନ୍ସନ୍ ପ୍ରଦାନ କରାଯିବା କଥା। ଦୁଇ ଦଶନ୍ଧି କାଳ ବଳବତ୍ତର ଥିବା ଏହି ନୂତନ ପେନ୍ସନ୍ ବ୍ୟବସ୍ଥା ପ୍ରତି ସରକାରୀ କର୍ମଚାରୀମାନେ କିନ୍ତୁ ବିମୁଖ ହୋଇଆସିଛନ୍ତି, ଯାହାର କାରଣ ହେଉଛି ଏହି ବ୍ୟବସ୍ଥାର ଅନ୍ତର୍ନିହିତ ଅନିଶ୍ଚିତତା। ଏହି କର୍ମଚାରୀମାନଙ୍କୁ ମଧ୍ୟ ଏହା ଅଛପା ନୁହେଁ ଯେ ନିକଟ ଅତୀତରେ ଭାରତୀୟ ସେଆର୍ ବଜାରରେ ଦେଖାଦେଇଥିବା ଚମକପ୍ରଦ ବୃଦ୍ଧି ଯୋଗୁଁ ସେମାନଙ୍କ ଫଣ୍ଡ୍ କରିଥିବା ନିବେଶରୁ ପ୍ରଭୂତ ଲାଭ ସୃଷ୍ଟି ହୋଇଛି। କିନ୍ତୁ ସେମାନଙ୍କ ପାଇଁ ବର୍ତ୍ତମାନ ଏହି ଲାଭ କେବଳ କାଗଜପତ୍ରରେ ଲିପିବଦ୍ଧ କେତେକ ସଂଖ୍ୟା ମାତ୍ର। ସେମାନେ ଅବସର ଗ୍ରହଣ କରିବା ବେଳକୁ ସେଆର୍ ବଜାରରେ ସ୍ଖଳନ ଘଟିଲେ, ଏ ଲାଭସବୁ ଯେ ଉଭାନ ହୋଇ ନ ଯିବ, ସେ କଥା କିଏ କହିବ? ତେଣୁ ସେମାନେ ଏକ ଅନିଶ୍ଚିତ ବିଶାଳ ଲାଭ ଅପେକ୍ଷା ଏକ ନିଶ୍ଚିତ ସୀମିତ ପେନ୍ସନ୍କୁ ଅଧିକ ପସନ୍ଦ କରି ‘ଏନ୍ପିଏସ୍’ ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ କରିଆସିଛନ୍ତି।
ବିରୋଧୀ ଦଳମାନେ ସ୍ବାଭାବିକ ଭାବରେ ସରକାରୀ କର୍ମଚାରୀମାନଙ୍କର ଏହି ଅସନ୍ତୋଷରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରି ଶାସକ ଭାରତୀୟ ଜନତା ପାର୍ଟିକୁ ଅକଳରେ ପକାଇ ଦେଇଛନ୍ତି। ଏହି ଅକଳରୁ ମୁକୁଳିବା ପାଇଁ ମୋଦୀ ସରକାର ଏକ ମଧ୍ୟମ ମାର୍ଗ ଅବଲମ୍ବନ କରି ‘ୟୁପିଏସ୍’ ପ୍ରବର୍ତ୍ତନ ଘୋଷଣା କରିଛି, ଯାହା ସରକାରଙ୍କ ପାଇଁ ପୂର୍ବର ‘ଓପିଏସ୍’ ସୃଷ୍ଟି କରୁଥିବା ଆର୍ଥିକ ବୋଝ ଲାଘବ କରିବା ସହିତ ଅବସର ପରେ ସେମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ରାଶିର ପେନ୍ସନ୍ ପ୍ରଦାନ ବ୍ୟବସ୍ଥା କରି ସରକାରୀ କର୍ମଚାରୀମାନଙ୍କର ଚିନ୍ତା ଦୂର କରିବ। କୁହାଯାଇପାରେ ଭାଜପା ନେତୃତ୍ବାଧୀନ ସରକାର ତା’ର କର୍ମଚାରୀମାନଙ୍କୁ ଏହା ଦ୍ବାରା ଏକ ଅନିଶ୍ଚିତ ଅବସର ପରବର୍ତ୍ତୀ ଭବିଷ୍ୟତ ସ୍ଥାନରେ ଏକ ନିଶ୍ଚିତ ଭବିଷ୍ୟତ ଉପହାର ଦେଇଛି, ଯାହା ହେଉଛି ସେମାନଙ୍କ ପାଇଁ ହାତରେ ଧରାପଡ଼ିଥିବା ଚଢ଼େଇଟିଏ ଭଳି, ଛୋଟଟିଏ ହେଉ ପଛକେ। ଏହି ପଦକ୍ଷେପର ରାଜନୈତିକ ତାତ୍ପର୍ଯ୍ୟ ଏଇଥିରୁ ବୁଝାପଡ଼େ ଯେ, ଆସନ୍ନ ନିର୍ବାଚନର ସମ୍ମୁଖୀନ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର କାଳ ବିଳମ୍ବ ନ କରି ସେ ରାଜ୍ୟରେ ଏହି ନୂତନ ‘ୟୁପିଏସ୍’ କାର୍ଯ୍ୟକାରୀ ହେବା ଘୋଷଣା କରିସାରିଲେଣି।
‘ୟୁପିଏସ୍’ ଅନୁସାରେ ଅନ୍ୟୂନ ୨୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ଜଣେ କର୍ମଚାରୀ ତାଙ୍କର ଶେଷ ୧୨ ମାସର ହାରାହାରି ମାସିକ ବେସିକ୍ ଦରମାର ଅଧା ନିଶ୍ଚିତ ରୂପେ ପେନ୍ସନ୍ ଆକାରରେ ପାଇ ଚାଲିବେ। କିନ୍ତୁ ଏଥିପାଇଁ କର୍ମଚାରୀମାନଙ୍କୁ ସେମାନଙ୍କର କାର୍ଯ୍ୟକାଳ ସାରା ବେସିକ୍ ଦରମାର ୧୦ ଶତାଂଶ ପେନ୍ସନ୍ ଫଣ୍ଡ୍ରେ ପୈଠ କରି ଚାଲିବାକୁ ପଡ଼ିବ, ଯେଉଁଥିରେ ସରକାରଙ୍କୁ ବର୍ତ୍ତମାନ ପୂର୍ବର ୧୪ ଶତାଂଶ ସ୍ଥାନରେ ୧୮.୫ ଶତାଂଶ ପ୍ରଦାନ କରିବାକୁ ହେବ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ସରକାରଙ୍କର ଦେୟରେ ଏହି ୪ ଶତାଂଶ ବୃଦ୍ଧି ଯୋଗୁଁ ସରକାରଙ୍କୁ ଆସନ୍ତା ବଜେଟ୍ରେ ଅତିରିକ୍ତ ୬,୨୫୦ କୋଟି ଟଙ୍କାର ସମ୍ବଳ ବ୍ୟୟ କରିବାକୁ ପଡ଼ିବ। ଏହା ବାଦ୍ ‘ଏନ୍ପିଏସ୍’ ବ୍ୟବହାରକାରୀମାନଙ୍କୁ ‘ୟୁପିଏସ୍’ ଅଧୀନକୁ ସ୍ଥାନାନ୍ତରିତ କରିବା ପାଇଁ କେବଳ ଗୋଟିଏ ଥର ସରକାରଙ୍କୁ ଆଉ ୮୦୦ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ହେବ।
ତେବେ ଆଗାମୀ ଦିନମାନଙ୍କରେ ଯଦି ‘ୟୁପିଏସ୍’ ପାଣ୍ଠିରେ ଉପଲବ୍ଧ ସମ୍ବଳ ନିବେଶରୁ ଯଥେଷ୍ଟ ଆୟ ସୃଷ୍ଟି ନ ହୁଏ ତା’ହେଲେ ଏହି ସ୍କିମ୍ ଅନୁସାରେ ନିଶ୍ଚିତ ପେନ୍ସନ୍ ପ୍ରଦାନ ପାଇଁ ସରକାରଙ୍କ ଉପରେ କେତେ ଆର୍ଥିକ ବୋଝ ସୃଷ୍ଟି ହେବ, ତାହା ବର୍ତ୍ତମାନ ପୂର୍ବାନୁମାନ କରିବା କଷ୍ଟକର। ସେଆର୍ ଓ ବଣ୍ଡ୍ ବଜାରରେ ଅସ୍ଥିରତା ତେଣୁ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କିନ୍ତୁ ପାଞ୍ଚଟି ବିରୋଧୀ ଦଳ ଶାସିତ ରାଜ୍ୟରେ ପୁରାତନ ‘ଓପିଏସ୍’ କାର୍ଯ୍ୟକାରୀ କରାଯିବା ପରେ କେନ୍ଦ୍ର ସରକାରଙ୍କୁ ‘ୟୁପିଏସ୍’ ପରି ଏକ ମଧ୍ୟମ ପନ୍ଥା ଆବିଷ୍କାର କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା। ସରକାରଙ୍କ ପାଇଁ ଅସହ୍ୟ ଆର୍ଥିକ ବୋଝଯୁକ୍ତ କିନ୍ତୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ନିଶ୍ଚିତ ପେନ୍ସନ୍ ବହନକାରୀ ‘ଓପିଏସ୍’ ଓ ସରକାରଙ୍କ ପାଇଁ ବୋଝମୁକ୍ତ କିନ୍ତୁ କର୍ମଚାରୀମାନଙ୍କ ପାଇଁ ଅନିଶ୍ଚିତ ‘ଏନ୍ପିଏସ୍’ ମଧ୍ୟରେ ଅର୍ଥାତ୍ ‘ଧ୍ରୁବ’ ଓ ‘ଅଧ୍ରୁବ’ ମଧ୍ୟରେ ସନ୍ତୁଳନ ରକ୍ଷା କରି ‘ୟୁପିଏସ୍’ ଉଭୟ ପକ୍ଷ ପାଇଁ ଏକ ଆଦର୍ଶ ବ୍ୟବସ୍ଥା ରୂପେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।
କିନ୍ତୁ ମନେ ରଖିବା କଥା ଦେଶର ଶ୍ରମ ଶକ୍ତିର ମାତ୍ର ପ୍ରାୟ ୫ ଶତାଂଶ ହୋଇଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଏପରି ଉଦାରତା ପ୍ରଦର୍ଶନ କରାଯାଉଥିବା ବେଳେ ବେସରକାରୀ କ୍ଷେତ୍ରରେ ଜୀବିକା ସନ୍ଧାନ କରୁଥିବା ସଂଖ୍ୟାଗରିଷ୍ଠ ଦେଶବାସୀ ଏହା ଦେଖି ନିଜକୁ ଅବହେଳିତ ମନେ କରିପାରନ୍ତି। ସେମାନଙ୍କ ପାଇଁ ଉପଯୁକ୍ତ ସାମାଜିକ ସୁରକ୍ଷା ବ୍ୟବସ୍ଥା ନ କଲେ, ତାହା ନୈତିକତା ଦୃଷ୍ଟିରୁ ଗ୍ରହଣୀୟ ହେବନାହିଁ ତଥା ରାଜନୈତିକ ଦୃଷ୍ଟିରୁ ମହଙ୍ଗା ସାବ୍ୟସ୍ତ ହୋଇପାରେ।