‘କୋର୍ ଇନ୍‌ଫ୍ଲେସନ୍’ ବା ‘ମଞ୍ଜ ମୁଦ୍ରାସ୍ଫୀତି’ ହେଉଛି ଖାଦ୍ୟଦ୍ରବ୍ୟ ଓ ଇନ୍ଧନରେ ଘଟିଥିବା ଦରଦାମ୍ ବୃଦ୍ଧିକୁ ବାଦ୍ ଦେଇ ହିସାବ କରାଯାଉଥିବା ମୁଦ୍ରାସ୍ଫୀତି। କିନ୍ତୁ ଏଗୁଡ଼ିକ ଅନ୍ତର୍ଭୁକ୍ତ ଥାଇ ହିସାବ କରାଯାଉଥିବା ଖାଉଟି ମୁଦ୍ରାସ୍ଫୀତି ବା ‘ହେଡ୍‌ଲାଇନ୍ ଇନ୍‌ଫ୍ଲେସନ୍’ ଉପରେ ଯଦି ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଦେଖାଯାଇଥାଏ ଯେ ଜୁନ୍‌ରେ ଏଥିରେ ବୃଦ୍ଧି ଘଟି ହୋଇଥିଲା ୫.୧ ଶତାଂଶ। ଏହାର ଅର୍ଥ ମୁଦ୍ରାସ୍ଫୀତି ପରିସ୍ଥିତିରେ ଉନ୍ନତି ଘଟୁଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ୪ ଶତାଂଶ ଲକ୍ଷ୍ୟ ଛୁଇଁ ପାରିନାହିଁ। ତା’ଛଡ଼ା ଖାଉଟିମାନଙ୍କୁ ଯାହା ସର୍ବାଧିକ ଅତିଷ୍ଠ କରିଥାଏ, ତାହା ହେଉଛି ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତି, ଯାହା ବର୍ତ୍ତମାନ ଅଣାୟତ୍ତ ଅବସ୍ଥାରେ ଅଛି। ଏଣୁ ମଞ୍ଜ ମୁଦ୍ରାସ୍ଫୀତି ଦ୍ବାରା ପ୍ରଭାବିତ ହୋଇ ମୁଦ୍ରାସ୍ଫୀତି ବିରୁଦ୍ଧରେ ଯୁଦ୍ଧ ବିରତି ଘୋଷଣା କରିବା ଏକ ଅବାସ୍ତବ ଆତ୍ମଘାତୀ ପଦକ୍ଷେପ ହୁଅନ୍ତା।

Advertisment

ଦେଶରେ ମୁଦ୍ରାନୀତି ନିର୍ଦ୍ଧାରଣ ଦାୟିତ୍ବ ନିର୍ବାହ କରୁଥିବା ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ (‘ଆର୍‌ବିଆଇ’)ର ଛ’ଜଣିଆ ‘ମନିଟାରି ପଲିସି କମିଟି’ (‘ଏମ୍‌ପିସି’)ର ସଦ୍ୟତମ ଦ୍ବିମାସିକ ବୈଠକ ଯେଉଁ ସମୟରେ ଅନୁଷ୍ଠିତ ହୋଇଛି, ତାହା ଥିଲା ଆନ୍ତର୍ଜାତିକ ବିତ୍ତୀୟ ବଜାରମାନଙ୍କରେ ଦେଖାଦେଇଥିବା ଏକ ଅସ୍ବାଭାବିକ ଭାବରେ ଅସ୍ଥିର ସମୟ। ଜୁଲାଇରେ ଆମେରିକାରେ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ର ମୁଦ୍ରାନୀତି ନିର୍ଦ୍ଧାରଣକାରୀ କମିଟିର ବୈଠକ ପରେ ପରେ ସେ ଦେଶରେ ନିଯୁକ୍ତି ପରିସ୍ଥିତି ସମ୍ବନ୍ଧରେ ଆଶା କରାଯାଉଥିବା ଠାରୁ ଦୁର୍ବଳ ସୂଚନା ପ୍ରକାଶ ପାଇବା ଯୋଗୁଁ ଆମେରିକାର ଅର୍ଥନୀତି ଏକ ସମ୍ଭାବ୍ୟ ଅବପାତର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ସୂଚନା ଅନୁସାରେ ସେ ଦେଶରେ ବେକାରି ହାର ବିଗତ ତିନି ବର୍ଷ ମଧ୍ୟରେ ସର୍ବୋଚ୍ଚ ‌େହାଇଥିବା ଜଣାପଡ଼ିଛି। ଏହି ସୂଚନା ଶୁକ୍ରବାର ଦିନ ପ୍ରକାଶ ପାଇବା ପରବର୍ତ୍ତୀ ସୋମବାର ଦିନ ଯେତେବେଳେ ସେଆର୍ ବଜାରରେ କାରବାର ଆରମ୍ଭ ହେଲା, ସେତେବେଳେ କେବଳ ଆମେରିକାରେ ନୁହେଁ, ପ୍ରାୟ ପୃଥିବୀ ସାରା ସେଆର୍ ସବୁର ମୂଲ୍ୟରେ ତୀକ୍ଷ୍‌ଣ ସ୍ଖଳନ ଘଟିବା ଦେଖାଗଲା। ଏହାର ମୁଖ୍ୟ କାରଣ ହେଲା ଆମେରିକାର ଅର୍ଥନୀତିର ଆଚରଣ ଓ ତତ୍‌ସଂପର୍କିତ ‘ଫେଡେରାଲ୍ ରିଜର୍ଭ’ର ପଦକ୍ଷେପ ସଂପର୍କରେ ନିବେଶକମାନଙ୍କ ମନରେ ଉଦୟ ହୋଇଥିବା ଆଶଙ୍କା।
ନିବେଶକମାନେ କିଛି କାଳ ହେଲା ଆଶା କରିଆସୁଥିଲେ ଯେ ‘ଫେଡେରାଲ୍ ରିଜର୍ଭ’ ଏଥର ତା’ର କଠୋର ମୁଦ୍ରାସ୍ଫୀତି ନିୟନ୍ତ୍ରଣକାରୀ ଆଭିମୁଖ୍ୟ ପରିତ୍ୟାଗ କରି ଅର୍ଥନୀତିକୁ ସହାୟକ ହେବା ଭଳି ସୁଧ ହାରରେ ହ୍ରାସ ଘଟାଇବ। ‘ଫେଡେରାଲ୍ ରିଜର୍ଭ’ର ଚେଆର୍‌ମ୍ୟାନ୍ ଜେରୋମ୍ ପାୱେଲ୍ ଏଥରର ବୈଠକରେ ମଧ୍ୟ ସୁଧ ହାର ପୂର୍ବବତ୍ ସ୍ଥିର ରହିବା ଘୋଷଣା କରି ସମସ୍ତ ନିବେଶକମାନଙ୍କୁ ହତାଶ କରିଥିଲେ। ତା’ ପରେ ପରେ ଯେତେବେଳେ ନିଯୁକ୍ତି ସମ୍ବନ୍ଧରେ ଏଭଳି ବିଷାଦଜନକ ଚିତ୍ର ପ୍ରକାଶ ପାଇଲା, ନିବେଶକମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହେଲା ଯେ ‘ଫେଡେରାଲ୍ ରିଜର୍ଭ’ର ନଛୋଡ଼ବନ୍ଦା ନୀତି ଯୋଗୁଁ ଆମେରିକାର ଅର୍ଥନୈତିକ ପରିସ୍ଥିତି ବୋଧହୁଏ ଅଣାୟତ୍ତ ହେବାକୁ ଯାଉଛି- ନେଡ଼ିଗୁଡ଼ କହୁଣିକୁ ବୋହିବାକୁ ବସିଲାଣି। ଯେହେତୁ ଆମେରିକାର ଅର୍ଥନୀତି ଛିଙ୍କିଦେଲେ ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କର ଅର୍ଥନୀତି ପ୍ରବଳ ସର୍ଦ୍ଦି ଦ୍ବାରା ଅ‌ାକ୍ରାନ୍ତ ହୁଅନ୍ତି, ଏହା ପରେ ପୃଥିବୀ ସାରା ସେଆର୍ ବଜାରମାନଙ୍କରେ ତୀବ୍ର ସ୍ଖଳନ ଘଟିବା ଦେଖାଗଲା।
ଏହି ପୃଷ୍ଠଭୂମିରେ ବିତ୍ତୀୟ ବଜାର ଆଶା କରୁଛି ଯେ ଏଥର ‘ଫେଡେରାଲ୍ ରିଜର୍ଭ’ ଆଗାମୀ ବୈଠକରେ ସୁଧ ହାରରେ ହ୍ରାସ ଘଟାଇବାକୁ ବାଧ୍ୟ ହେବ। ଅତଏବ ଏହିଭଳି ଏକ ସନ୍ଧିକ୍ଷଣରେ ଯେତେବେଳେ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ର ବୈଠକ ଅନୁଷ୍ଠିତ ହେଲା, ସ୍ବାଭାବିକ ଭାବରେ ବଜାର ଆଶା କରୁଥିଲା ଯେ ଶକ୍ତିକାନ୍ତ ଦାସଙ୍କ ଟିମ୍ ଏଥର ନିଶ୍ଚିତ ରୂପେ ସୁଧ ହାର ବା ‌‘ରେପୋ ରେଟ୍‌’ରେ ହ୍ରାସ ଘଟାଇବାକୁ ଯାଉଛି, କିମ୍ବା ଅନ୍ତତଃ ଏହି ଦିଗରେ ନିଜର ଆଭିମୁଖ୍ୟ ବା ‘ଷ୍ଟାନ୍‌ସ’ରେ ପରିବର୍ତ୍ତନ ଘୋଷଣା କରିବାକୁ ଯାଉଛି। କିନ୍ତୁ ବାସ୍ତବରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ରିଜର୍ଭ ବ୍ୟାଙ୍କ୍ ସ୍ପଷ୍ଟ କରିଦେଇଛି ଯେ ସେ ବଜାରର କଳ୍ପନାଜଳ୍ପନା ଦ୍ବାରା ପ୍ରଭାବିତ ହେବା ଅନୁଷ୍ଠାନ ନୁହେଁ। ଅପରପକ୍ଷେ ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଦେଇଛନ୍ତି ଯେ ଆମେରିକାର ‘ଫେଡେରାଲ୍ ରିଜର୍ଭ’ର ଆଚରଣ ଗୁରୁତ୍ବପୂର୍ଣ୍ଣ ହୋଇପାରେ, କିନ୍ତୁ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍’ ସର୍ବଦା ଆମର ନିଜର ଅର୍ଥନୈତିକ ପରିସ୍ଥିତି ଦ୍ବାରା ପ୍ରଭାବିତ ହେବ। ତାଙ୍କ ମତରେ ଭାରତୀୟ ଅର୍ଥନୀତି ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଅଛି, ସେଥିରେ ମୁଦ୍ରାସ୍ଫୀତି ବିରୁଦ୍ଧରେ ଆମର ଲଢ଼େଇକୁ ହୁଗୁଳା କରିବାର ସ୍ଥାନ ନାହିଁ। ଅର୍ଥାତ୍ ଏହି ଲଢ଼େଇ ଜାରି ରଖିବା ପାଇଁ ସୁଧ ହାରରେ ହ୍ରାସ ଘଟାଇବାକୁ ଆଉ କିଛି କାଳ ସ୍ଥଗିତ ରଖିବା ଉଚିତ ହେବ, ଏବଂ ଏହାକୁ ସମ୍ଭାଳି ନେବା ପାଇଁ ଆମ ଅର୍ଥନୀତିର ଯଥେଷ୍ଟ କ୍ଷମତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର ବିଶ୍ବାସ କରୁଛନ୍ତି।
ବୈଠକ ପରର ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଯେତେବେଳେ ଗତ ସପ୍ତାହରେ ପୃଥିବୀ ସାରା ସେଆର୍ ବଜାରରେ ପରିଦୃଷ୍ଟ ହୋଇଥିବା ଅସ୍ଥିରତା ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ଭାବରେ ପଚରାଗଲା, ଶକ୍ତିକାନ୍ତ ଦାସ କେବଳ କହିଲେ ଯେ ଆମେରିକାର ଅର୍ଥନୀତି ଏକ ଆସନ୍ନ ଅବପାତର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆଶଙ୍କା କରିବାର ସମୟ ଉପସ୍ଥିତ ହୋଇନାହିଁ। ଅନ୍ୟ ଭାଷାରେ କହିଲେ, ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍’ ନଈ ନ ଦେଖୁଣୁ ଲଙ୍ଗଳା ହେବାକୁ ଚାହେଁ ନାହିଁ। ଏହି ଚିନ୍ତାଧାରା ଅନୁସାରେ ବର୍ତ୍ତମାନ ଯଦି ବିଜାରର ଆଶା ପୂରଣ କରିବାକୁ ଯାଇ ସୁଧ ହାରରେ ହ୍ରାସ ଘଟାଇ ଦିଆଯାଏ, ତାହା ମୁଦ୍ରାସ୍ଫୀତିର ଲଗାମକୁ ହୁଗୁଳା କରିବ। ରିଜର୍ଭ ବ୍ୟାଙ୍କ୍ ତା’ର ଏହି ଚିନ୍ତାଧାରା ସଂପର୍କରେ ଏଭଳି ଦୃଢ଼ ନିଶ୍ଚିତ ଯେ ମଇ-ଜୁନ୍‌ରେ ଦେଶରେ ‘କୋର୍ ଇନ୍‌ଫ୍ଲେସନ୍’ ୪ ଶତାଂଶ ତଳକୁ ଖସି ଆସିଥିଲେ ହେଁ (୩.୧ ଶତାଂଶ) ଓ ବିତ୍ତ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ‘‌ଇକୋନୋମିକ୍ ସର୍ଭେ’ ରିପୋର୍ଟରେ ମୁଦ୍ରାସ୍ଫୀତିକୁ ବିଚାରକୁ ନେବା ବେଳେ ଖାଦ୍ୟ ମୁଦ୍ରାସ୍ଫୀତି ଭଳି ଅତ୍ୟନ୍ତ ଅସ୍ଥିର ମୁଦ୍ରାସ୍ଫୀତିକୁ ବାଦ୍‌ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ହେଁ, ରିଜର୍ଭ ବ୍ୟାଙ୍କ୍ ତା’ର ନିଷ୍ପତ୍ତିରେ ଅଟଳ ରହିଛି।
ରିଜର୍ଭ ବ୍ୟାଙ୍କ୍‌ର ଏହି ଆଭିମୁଖ୍ୟ ଯୁକ୍ତିଯୁକ୍ତ ମନେ ହୋଇଥାଏ। ‘କୋର୍ ଇନ୍‌ଫ୍ଲେସନ୍’ ବା ‘ମଞ୍ଜ ମୁଦ୍ରାସ୍ଫୀତି’ ହେଉଛି ଖାଦ୍ୟଦ୍ରବ୍ୟ ଓ ଇନ୍ଧନରେ ଘଟିଥିବା ଦରଦାମ୍ ବୃଦ୍ଧିକୁ ବାଦ୍ ଦେଇ ହିସାବ କରାଯାଉଥିବା ମୁଦ୍ରାସ୍ଫୀତି। କିନ୍ତୁ ଏଗୁଡ଼ିକ ଅନ୍ତର୍ଭୁକ୍ତ ଥାଇ ହିସାବ କରାଯାଉଥିବା ଖାଉଟି ମୁଦ୍ରାସ୍ଫୀତି ବା ‘ହେଡ୍‌ଲାଇନ୍ ଇନ୍‌ଫ୍ଲେସନ୍’ ଉପରେ ଯଦି ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଦେଖାଯାଇଥାଏ ଯେ ଜୁନ୍‌ରେ ଏଥିରେ ବୃଦ୍ଧି ଘଟି ହୋଇଥିଲା ୫.୧ ଶତାଂଶ। ଏହାର ଅର୍ଥ ମୁଦ୍ରାସ୍ଫୀତି ପରିସ୍ଥିତିରେ ଉନ୍ନତି ଘଟୁଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ୪ ଶତାଂଶ ଲକ୍ଷ୍ୟ ଛୁଇଁ ପାରିନାହିଁ। ତା’ଛଡ଼ା ଖାଉଟିମାନଙ୍କୁ ଯାହା ସର୍ବାଧିକ ଅତିଷ୍ଠ କରିଥାଏ, ତାହା ହେଉଛି ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତି, ଯାହା ବର୍ତ୍ତମାନ ଅଣାୟତ୍ତ ଅବସ୍ଥାରେ ଅଛି। ଏଣୁ ମଞ୍ଜ ମୁଦ୍ରାସ୍ଫୀତି ଦ୍ବାରା ପ୍ରଭାବିତ ହୋଇ ମୁଦ୍ରାସ୍ଫୀତି ବିରୁଦ୍ଧରେ ଯୁଦ୍ଧ ବିରତି ଘୋଷଣା କରିବା ଏକ ଅବାସ୍ତବ ଆତ୍ମଘାତୀ ପଦକ୍ଷେପ ହୁଅନ୍ତା।
ଖାଦ୍ୟ ମୁଦ୍ରାସ୍ଫୀତିର ମଧ୍ୟ ଏକ ସମ୍ଭାବ୍ୟ ପରୋକ୍ଷ ପ୍ରଭାବ ସମ୍ବନ୍ଧରେ ଅର୍ଥନୀତିର ଛାତ୍ରଛାତ୍ରୀମାନେ ସୁପରିଚିତ, ଯାହା ‘ସେକେଣ୍ଡ୍ ଅର୍ଡର୍ ଇଫେକ୍ଟ’ ନାମରେ ଜଣାଶୁଣା। ତାହା ହେଲା, ଖାଦ୍ୟ ମୁଦ୍ରାସ୍ଫୀତି ବେଶୀ ଦିନ ଧରି ଲାଗିରହିଲେ, ତାହା କ୍ରମେ ଅର୍ଥନୀତିର ଅନ୍ୟ କ୍ଷେତ୍ରମାନଙ୍କରେ ମୁଦ୍ରାସ୍ଫୀତି ଘଟାଇଥାଏ (ଯେମିତି ଏଥିଯୋଗୁଁ ମଜୁରି ବୃଦ୍ଧି → ଉତ୍ପାଦନ ବ୍ୟୟବୃଦ୍ଧି → ଉତ୍ପାଦିତ ଦ୍ରବ୍ୟର ଦରବୃଦ୍ଧି...)। ଏଣୁ କମିଟିର ଦୁଇ ଜଣ ସଦସ୍ୟଙ୍କର ଅସହମତି ସତ୍ତ୍ବେ ‘ଏମ୍‌ପିସି’ ଯେ ଗୋଠ ମାତିଲେ ଖଣ୍ଡିଆ ମାତିବାରୁ ନିବୃତ୍ତ ରହି ମୁଦ୍ରାନୀତିକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇ ଉଚିତ କାର୍ଯ୍ୟ କରିଛି, ଏଥିରେ ସନ୍ଦେହ ନାହିଁ।