ଭାରତ ନିଜକୁ ପୃଥିବୀର ଏକ ଅଗ୍ରଣୀ ‘ଇନ୍ଫର୍ମେସନ୍ ଟେକ୍ନୋଲୋଜି’ ଶକ୍ତି ରୂପେ ପ୍ରଦର୍ଶିତ କରି ଗର୍ବ କରୁଥିବା ବେଳେ ଆମର ଅନୁସନ୍ଧାନକାରୀ ସଂସ୍ଥାମାନେ ଏଭଳି ‘ଆଇଟି’ ଅପବ୍ୟବହାରକାରୀମାନଙ୍କୁ ଚିହ୍ନଟ କରିବାରେ ବିଫଳ ହେବା ଆମ ପାଇଁ ଲଜ୍ଜାଜନକ ମନେ ହୋଇଥାଏ। ଏହା ବ୍ୟତୀତ ଭାରତୀୟ ବିମାନ ଯାତ୍ରା ଶିଳ୍ପ ବର୍ତ୍ତମାନ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ନାଗରିକ ଉଡ୍ଡୟନ ଶିଳ୍ପ ରୂପେ ଆବିର୍ଭୂତ ହେବାକୁ ଆରମ୍ଭ କରିଥିବା ବେଳେ ଏଭଳି ଏକ ଅଭାବିତ ପ୍ରତିବନ୍ଧକ ଦେଶର ଅର୍ଥନୈତିକ ସ୍ବାର୍ଥକୁ ଗୁରୁତର ବ୍ୟାହତ କରିଥାଏ।
୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ କାଳଖଣ୍ଡକୁ ପୃଥିବୀରେ ବିମାନ ଅପହରଣର ସୁବର୍ଣ୍ଣଯୁଗ ରୂପେ ଅଭିହିତ କରାଯାଇଥାଏ। ଏହି ସମୟରେ ମୋଟ ପ୍ରାୟ ୧୩୦ଟିରୁ ଅଧିକ ଅପହରଣ ଘଟଣା ଘଟିଥିବା ବେଳେ ପ୍ରାୟ ପ୍ରତି ସପ୍ତାହରେ ଗୋଟିଏ ବିମାନ ଅପହରଣ କାଣ୍ଡ ଘଟିବା ଦେଖାଯାଇଥିଲା। ଇସ୍ଲାମୀୟ ଆତଙ୍କବାଦୀମାନେ ଏହି କ୍ଷେତ୍ରରେ ପ୍ରବେଶ କରିବା ପରେ ଏହି ଆକାଶୀ ବିପଦ ଯେଉଁ ଏକ ନୂତନ ଭୟାନକ ଅବତାର ପରିଗ୍ରହଣ କଲା, ତାହାର ଅକଳ୍ପନୀୟ ଚରମ ପରିପ୍ରକାଶ ଘଟିଥିଲା ‘୯/୧୧’ ଆକ୍ରମଣରେ, ଯେଉଁଥିରେ ଅପହରଣକାରୀମାନେ ଅପହୃତ ବିମାନମାନଙ୍କୁ କ୍ଷେପଣାସ୍ତ୍ର ରୂେପ ବ୍ୟବହାର କରି ନ୍ୟୁୟର୍କସ୍ଥିତ ୱାର୍ଲଡ୍ ଟ୍ରେଡ୍ ସେଣ୍ଟର୍ର ଦ୍ବୈତ ଟାୱାରକୁ ସଂପୂର୍ଣ୍ଣ ରୂପେ ଧୂଳିସାତ କରିଦେଇଥିଲେ। ଏହି ଆଲ୍ କାଏଦା ଦ୍ବାରା ରଚିତ ଆକ୍ରମଣରେ ପ୍ରାୟ ୩,୦୦୦ ନିରୀହ ଲୋକଙ୍କର ପ୍ରାଣହାନି ଘଟିଥିଲା, ଯାହା ଏହି ଅପହରଣ ଓ ଆକ୍ରମଣର ମୁଖ୍ୟ ରଚୟିତା ଇସ୍ଲାମୀୟ ଆତଙ୍କବାଦୀ ଓସାମା ବିନ୍ ଲାଦେନ୍କୁ ମାନବ ଇତିହାସର ଜଘନ୍ୟତମ ନରପିଶାଚମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ଉଦାହରଣରେ ପରିଣତ କରିଥିଲା।
ଏଥି ପୂର୍ବରୁ ବିମାନ ଯାତ୍ରାକୁ ସମ୍ଭାବ୍ୟ ଅପହରଣକାରୀମାନଙ୍କ ଠାରୁ ଯଥାସମ୍ଭବ ନିରାପଦ ରଖିବା ନିମିତ୍ତ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିଲେ ହେଁ, ୨୦୦୧ର ଏହି ‘୯/୧୧’ ଘଟଣା ପରଠାରୁ ଏହି ନିରାପତ୍ତା ବ୍ୟବସ୍ଥାକୁ ଏକ ଯୁଦ୍ଧକାଳୀନ ସ୍ତରକୁ ନିଆଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ପ୍ରତ୍ୟେକ ବିମାନ ଯାତ୍ରୀ ସେଥିପାଇଁ ବିମାନ ଯାତ୍ରାର ଯେଉଁ ଦିଗକୁ ତାହାର ସର୍ବାଧିକ ଅସୁବିଧାଜନକ ଦିଗ ରୂେପ ବିଚାର କରିଥାନ୍ତି, ତାହା ହେଉଛି ବିମାନ ଆରୋହଣ ପୂର୍ବରୁ ତଥା ବିମାନ ବନ୍ଦରରେ ପ୍ରବେଶ ସମୟ ଠାରୁ ସେମାନେ ସମ୍ମୁଖୀନ ହେଉଥିବା ଅତ୍ୟନ୍ତ କଠୋର ନିରାପତ୍ତା ଯାଞ୍ଚ।
ଏହି ପରିପ୍ରେକ୍ଷୀରେ ତେଣୁ ସମ୍ଭାବ୍ୟ ଅପହରଣକାରୀମାନଙ୍କ ପକ୍ଷରେ ଏକ ବିମାନ ଅପହରଣ କରିବା କିମ୍ବା ବିମାନରେ ବିସ୍ଫୋରଣ ଘଟାଇବା ଆଉ ସେଦିନ ଭଳି ସହଜସାଧ୍ୟ ହେଉ ନାହିଁ, ଯେମିତି ଦେଖାଯାଇଥିଲା ଉପରୋକ୍ତ ସୁବର୍ଣ୍ଣଯୁଗରେ କିମ୍ବା ବିନ୍ ଲାଦେନ୍ ସମୟରେ। ଏହି ସମ୍ଭାବ୍ୟ ଅପହରଣକାରୀମାନଙ୍କ ମଧ୍ୟରୁ ଅନେକ ତେଣୁ ସେମାନଙ୍କର ଏହି ଆସୁରିକ ପ୍ରବୃତ୍ତି ଚରିତାର୍ଥ କରିବା ନିମିତ୍ତ ଆଜିକାଲିର ଯୋଗାଯୋଗ ପ୍ରବିଧିର ଦୁରୁପଯୋଗ କରି ନିର୍ଦ୍ଦିଷ୍ଟ ବିମାନମାନଙ୍କରେ ବୋମା ଖଞ୍ଜା ଯାଇଥିବାର ମିଥ୍ୟା ଆତଙ୍କ ସୃଷ୍ଟି କରିବା ଦେଖାଯାଉଛି। ଯେମିତି ବର୍ତ୍ତମାନ ଦେଖାଯାଇଛି ଭାରତରେ। ନିକଟରେ ବିଭିନ୍ନ ଭାରତୀୟ ଏଆର୍ଲାଇନ୍ମାନ ଏଭଳି ଶତାଧିକ ମିଥ୍ୟା ବୋମା ଆତଙ୍କ କଲ୍ ପାଇଥିବା ବେଳେ କେବଳ ମଙ୍ଗଳବାର ଦିନ ଏହି କଲ୍ ସଂଖ୍ୟା ୫୦ ଟପିଯିବା ଦେଖାଯାଇଥିଲା।
ଏଭଳି କଲ୍ମାନ ବିମାନ ଯାତ୍ରାରେ କିଭଳି ବିଭ୍ରାଟ ସୃଷ୍ଟି କରିପାରେ ତାହା ସହଜରେ ଅନୁମେୟ। ସଂପୃକ୍ତ ବିମାନର ଯାତ୍ରାକୁ ଏଥିଯୋଗୁଁ ସାମୟିକ ଭାବରେ ବାତିଲ କିମ୍ବା ସ୍ଥଗିତ କରାଯାଉଥିବାରୁ ଏବଂ ଯାତ୍ରା ପଥର ଦିଗ ପରିବର୍ତ୍ତନ କରାଯାଉଥିବାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି। ବାସ୍ତବରେ ଏଭଳି ମିଥ୍ୟା ବୋମା ଆତଙ୍କ ସୃଷ୍ଟିକାରୀ କଲ୍ମାନଙ୍କରେ ବର୍ତ୍ତମାନ ଯେଉଁଭଳି ବିସ୍ଫୋରକ ବୃଦ୍ଧି ଘଟିବା ଦେଖାଯାଉଛି, ତାହା ଦେଖି ୨୦୨୪କୁ ଏଭଳି ମିଥ୍ୟା ଆତଙ୍କର ସୁବର୍ଣ୍ଣଯୁଗ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।
ଅପରାଧୀମାନେ ‘ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍ୱର୍କ’ (‘ଭିପିଏନ୍’) ବ୍ୟବହାର କରି ଏଭଳି ମିଥ୍ୟା ଧମକ ବହନକାରୀ କଲ୍ କରୁଥିବାରୁ କିମ୍ବା ମେସେଜ୍ ପ୍ରେରଣ କରୁଥିବାରୁ ସେମାନଙ୍କୁ ଠାବ କରିବା ସହଜ ବା ସମ୍ଭବ ହେଉ ନାହିଁ। ଏଭଳି କାଣ୍ଡକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ଆଇନଗତ ବ୍ୟବସ୍ଥାର ଅଭାବ ମଧ୍ୟ ଏହି ଅପରାଧୀମାନଙ୍କୁ ବେଶ୍ ସୁହାଉଛି। ଉଦାହରଣ ସ୍ବରୂପ ଗଣଆତଙ୍କ ସୃଷ୍ଟି କରୁଥିବା କୌଣସି ମିଥ୍ୟା ସୂଚନା ପ୍ରସାରଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତରେ କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ। କେତେକଙ୍କୁ ଏଭଳି ଅପରାଧ ପାଇଁ ‘ଆଇପିସି’ (ବର୍ତ୍ତମାନ ‘ବିଏନ୍ଏସ୍’) ଅନୁସାରେ ଯେଉଁ ଦଣ୍ଡ ମିଳିଥାଏ ତାହା ହେଉଛି ଛ’ ମାସରୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଏକ ଅର୍ଥଦଣ୍ଡରେ ସୀମିତ। ଏହା ଅନେକ ଅପରାଧୀମାନଙ୍କୁ ନିବୃତ୍ତ କରିବା ପାଇଁ ଯଥେଷ୍ଟ କଠୋର ହୋଇ ନ ଥାଏ।
ଭାରତ ନିଜକୁ ପୃଥିବୀର ଏକ ଅଗ୍ରଣୀ ‘ଇନ୍ଫର୍ମେସନ୍ ଟେକ୍ନୋଲୋଜି’ ଶକ୍ତି ରୂପେ ପ୍ରଦର୍ଶିତ କରି ଗର୍ବ କରୁଥିବା ବେଳେ ଆମର ଅନୁସନ୍ଧାନକାରୀ ସଂସ୍ଥାମାନେ ଏଭଳି ‘ଆଇଟି’ ଅପବ୍ୟବହାରକାରୀମାନଙ୍କୁ ଚିହ୍ନଟ କରିବାରେ ବିଫଳ ହେବା ଆମ ପାଇଁ ଲଜ୍ଜାଜନକ ମନେ ହୋଇଥାଏ। ଏହା ବ୍ୟତୀତ ଭାରତୀୟ ବିମାନ ଯାତ୍ରା ଶିଳ୍ପ ବର୍ତ୍ତମାନ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ନାଗରିକ ଉଡ୍ଡୟନ ଶିଳ୍ପ ରୂପେ ଆବିର୍ଭୂତ ହେବାକୁ ଆରମ୍ଭ କରିଥିବା ବେଳେ ଏଭଳି ଏକ ଅଭାବିତ ପ୍ରତିବନ୍ଧକ ଦେଶର ଅର୍ଥନୈତିକ ସ୍ବାର୍ଥକୁ ଗୁରୁତର ବ୍ୟାହତ କରିଥାଏ।
ସମସ୍ୟାଟି ଏଭଳି ବ୍ୟାପକ ରୂପ ଗ୍ରହଣ କରିଥିବା ବେଳେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମ ମୋହନ ନାଇଡୁ ସୋମବାର ଦିନ ଏ ସଂପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ହାସ୍ୟାସ୍ପଦ ମନେ ହୋଇଥାଏ। ମନ୍ତ୍ରୀ ମହାଶୟ ଏଭଳି ମିଥ୍ୟା କଲ୍ମାନଙ୍କୁ ‘‘କଁାଭଁା’’ ଶ୍ରେଣୀର ବୋଲି ବର୍ଣ୍ଣନା କରି କେନ୍ଦ୍ର ସରକାର ବିମାନ ନିରାପତ୍ତା ନିୟମାବଳୀରେ ସଂଶୋଧନ କରି ଅପରାଧୀମାନଙ୍କୁ ଅନେକ ବର୍ଷ ପାଇଁ ବିମାନ ଯାତ୍ରା ବାସନ୍ଦ ତାଲିକା (‘ନୋ ଫ୍ଲାଏ ଲିଷ୍ଟ’)ରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ମିଥ୍ୟା କଲ୍ କରୁଥିବା ଅପରାଧୀମାନଙ୍କ ପାଇଁ ସରକାରଙ୍କର ଏହି ଧମକ ଏକ ଫମ୍ପା ଧମକ ରୂପେ ବିବେଚିତ ହେଉଥିବ, ଯାହା ସେମାନଙ୍କୁ ସେମାନଙ୍କର କୁକାର୍ଯ୍ୟରୁ ନିବୃତ୍ତ କରିବାର କୌଣସି ସମ୍ଭାବନା ନାହିଁ।