ହୁଏତ ଆସନ୍ତା ସାଧାରଣ ନିର୍ବାଚନ ପରେ ଭାଜପା ତା’ର ଏହି ଅବିଶ୍ବସ୍ତ ସାଥୀଙ୍କୁ ରାଜ୍ୟ ରାଜନୀତିରୁ ଅପସାରିତ କରି ତାଙ୍କର ରାଜନୈତିକ କ୍ୟାରିଅର୍ ଶେଷରେ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥଇଥାନ କରି ଦେଇପାରେ। ହୁଏତ ନୀତୀଶ କୁମାର ଏଥିରୁ କିଛି ବ୍ୟକ୍ତିଗତ ସନ୍ତୋଷଲାଭ କରିପାରନ୍ତି; କିନ୍ତୁ ସେ ଆବିଷ୍କାର କରିପାରନ୍ତି ଯେ ଆରମ୍ଭରେ ସେ ପ୍ରଦର୍ଶନ କରିଥିବା ସମ୍ଭାବନା ସତ୍ତ୍ବେ ତାଙ୍କ କ୍ୟାରିଅର୍ ଶେଷରେ ତାଙ୍କ ରାଜ୍ୟ ସେଇଭଳି ଦେଶର ସର୍ବାଧିକ ପଛୁଆ ରାଜ୍ୟ ହୋଇ ରହିଛି।
‘‘ହୋମ୍ ଇଜ୍ ଦି ସେଲର୍, ହୋମ୍ ଫ୍ରମ୍ ଦି ସି,/ଆଣ୍ଡ୍ ଦି ହଣ୍ଟର୍ ହୋମ୍ ଫ୍ରମ୍ ଦି ହିଲ୍।’’ (‘‘ନାବିକଟି ଜଳଯାତ୍ରାରୁ ବାହୁଡ଼ି ଶେଷରେ ନିଜ ଘରେ ବିଶ୍ରାମ ନେଇଛି/ଶିକାରୀଟି ପାହାଡ଼ରୁ ଫେରି ଘରେ ରହିଛି’’)। ରବିବାର ଦିନ ନୀତୀଶ କୁମାର ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପରେ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ, ତାହା ଥିଲା ରବର୍ଟ ଲୁଇସ୍ ଷ୍ଟିଭେନ୍ସନ୍ଙ୍କର ୧୮୫୦ରେ ରଚିତ ଏହି ପ୍ରସିଦ୍ଧ କବିତା ଦୁଇ ଧାଡ଼ିର ପ୍ରତିଧ୍ବନୀ ଭଳି। ନୀତୀଶ ସେଦିନ ଘୋଷଣା କରିଥିଲେ: ‘‘ବର୍ତ୍ତମାନ ମୁଁ ମୋର ପୂର୍ବ ସ୍ଥାନକୁ ଫେରି ଆସିଛି ଏବଂ ଏଥର ଆଉ ଅନ୍ୟ କେଉଁଠିକୁ ଯିବାର ପ୍ରଶ୍ନ ନାହିଁ।’’ ଅର୍ଥାତ୍ ଷ୍ଟିଭେନ୍ସନ୍ଙ୍କ କବିତାର ଶ୍ରାନ୍ତ କ୍ଳାନ୍ତ ନାବିକ ବା ଶିକାରୀ ଭଳି ସେ ତାଙ୍କର ବାକି ରାଜନୈତିକ ଜୀବନ ଏହି ନିଜ ଘରେ ହିଁ ବିଶ୍ରାମ ନେବେ। ଆଉ ତାଙ୍କ ପାଇଁ ଏହି ଶେଷ ଆଶ୍ରୟସ୍ଥଳୀ ହେଉଛି ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ନେସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ’ (‘ଏନ୍ଡିଏ’)।
ଅବଶ୍ୟ ନୀତୀଶ କୁମାର ଅତୀତରେ ତାଙ୍କର ଆଶ୍ରୟସ୍ଥଳୀରେ ଏପରି ବାରମ୍ବାର ପରିବର୍ତ୍ତନ ଘଟାଇଛନ୍ତି ଯେ, ରାଜନୈତିକ ବ୍ୟଙ୍ଗକାରମାନେ ଏଥିପାଇଁ ତାଙ୍କର ନାମକରଣ କରିଛନ୍ତି- ‘ପଲଟୁରାମ’। ଏଇମାତ୍ର ୨୦୨୨ରେ ତ ନୀତୀଶ ‘ଏନ୍ଡିଏ’କୁ ପଦାଘାତ କରି ଯାଇ ‘ଆର୍ଜେଡି’ ଓ ‘ମହାଗଠବନ୍ଧନ’ ଶିବିରରେ ଆଶ୍ରୟ ନେଇଥିଲେ। ତେବେ ତାଙ୍କର ଏହି ଘନଘନ ସ୍ଥାନ ଓ ସାଥୀ ପରିବର୍ତ୍ତନରେ ଯାହା କିନ୍ତୁ ଅପରିବର୍ତ୍ତିତ ରହି ଆସିଛି, ତାହା ହେଉଛି ତାଙ୍କର ମୁଖ୍ୟମନ୍ତ୍ରୀ ପଦ। କେତେକ ନିଷ୍ଠୁର ପର୍ଯ୍ୟବେକ୍ଷକ ତ ନୀତୀଶଙ୍କ ଆଚରଣ ଦେଖି କହିଥାନ୍ତି େଯ ପ୍ରସିଦ୍ଧ ଜର୍ମାନ୍ କବି ଗେଟେଙ୍କର ନାଟକର ନାୟକ ଫଷ୍ଟ୍ଙ୍କ ଭଳି ନୀତୀଶ କ୍ଷମତା ଲାଭ କରିବା ନିମିତ୍ତ ତା’ ବଦଳରେ ନିଜର ଆତ୍ମାକୁ ସଇତାନ୍ ହାତରେ ଟେକି ଦେଇଛନ୍ତି। ଅଳ୍ପ ଦିନ ତଳେ ବିହାର ବିଧାନସଭାରେ ସେ ପ୍ରଦର୍ଶନ କରିଥିବା ଅବିଶ୍ବସନୀୟ ଭାବରେ ଅସଭ୍ୟ ଆଚରଣରେ ସେମାନେ ଏଇ ସଇତାନ୍ର ଛାପ ହିଁ ସ୍ପଷ୍ଟ ହୋଇଥିଲା ବୋଲି ଦୃଢ଼ ମତ ପୋଷଣ କରିଥାନ୍ତି।
ନୀତୀଶଙ୍କ ନଗ୍ନ ନୀତିହୀନତାର ସଦ୍ୟତମ ପ୍ରମାଣ ସ୍ବରୂପ ବିହାର ବିଧାନସଭାର ଏଇ ପାଳିର ଜୀବନକାଳରେ ହିଁ ନୀତୀଶ ଏବେ ତୃତୀୟ ଥର ପାଇଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ଗଣତନ୍ତ୍ରର ଏକ ବିଡ଼ମ୍ବନା ସ୍ବରୂପ ବିହାରର ମତଦାତାମାନେ ଏପରି ମତଦାନ କରିଛନ୍ତି ଯେ ନୀତୀଶଙ୍କ ସପକ୍ଷରେ ସଂଖ୍ୟାଗରିଷ୍ଠ ବିଧାୟକମାନଙ୍କ ସମର୍ଥନ ନ ଥିଲେ ମଧ୍ୟ ତାଙ୍କ ସାହାଯ୍ୟ ବିନା ଭାଜପା କିମ୍ବା ତା’ର ବିରୋଧୀପକ୍ଷ ଆର୍ଜେଡି ସରକାର ଗଠନ କରିପାରିବେ ନାହିଁ। ନିର୍ବାଚନ ପରେ ନୀତୀଶ ‘ଏନ୍ଡିଏ’ ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ତା’ ପରେ ସେ ଭାଜପା ଓ ‘ଏନ୍ଡିଏ’କୁ ତ୍ୟାଗ କରି ଲାଲୁ ଯାଦବଙ୍କ ‘ଆର୍ଜେଡି’ ଓ କଂଗ୍ରେସ ସହିତ ହାତ ମିଳାଇ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ। ତା’ର ୧୮ ମାସ ପରେ ଏବେ ସେ ସେମାନଙ୍କୁ ତ୍ୟାଗ କରି ପୁଣି ‘ଏନ୍ଡିଏ’କୁ ଫେରି ଯାଇଛନ୍ତି ଓ ଏଥର ସେଠାରେ ସ୍ଥିର ହୋଇ ରହିବେ ବୋଲି ଘୋଷଣା କରିଛନ୍ତି।
ଅବଶ୍ୟ ନୀତୀଶ କୁମାରଙ୍କ ରାଜନୀତି ଉପରେ ନଜର ରଖିଥିବା କେହି ଜଣେ ହେଲେ ଏମିତି ନ ଥିବେ ଯିଏ ତାଙ୍କର ଏହି ସଦ୍ୟତମ ଘୋଷଣାକୁ ବିଶ୍ବାସ କରୁଥିବେ। ନୀତୀଶ ଯେତେବେଳେ ଭାଜପା ଓ ‘ଏନ୍ଡିଏ’ର ସାହଚର୍ଯ୍ୟ ତ୍ୟାଗ କରି ସେମାନଙ୍କର ପ୍ରତିପକ୍ଷ ଶିବିରରେ ପ୍ରବେଶ କରନ୍ତି, ସେତେବେଳେ ସେ ହଠାତ୍ ଧର୍ମନିରପେକ୍ଷତା, ସଂଖ୍ୟାଲଘୁ ତୁଷ୍ଟୀକରଣ, ବ୍ୟକ୍ତି ସ୍ବାଧୀନତା କିମ୍ବା ଗଣତନ୍ତ୍ର ମନ୍ତ୍ର ଜପ କରିବା ଆରମ୍ଭ କରନ୍ତି- ନୂତନ ସାଥୀମାନଙ୍କୁ ସୁହାଇବା ଭଳି। ଯେତେବେଳେ ସେ କଂଗ୍ରେସ, ଆର୍ଜେଡି ଆଦିଙ୍କର ହାତ ଛାଡ଼ି ପୁଣି ଭାଜପାମୁହାଁ ହୁଅନ୍ତି, ସେତେବେଳେ ହଠାତ୍ ସେ ଦଳମାନଙ୍କରେ ଚେର ବିସ୍ତାର କରିଥିବା ଦୁର୍ନୀତି, ପରିବାରବାଦ ଆଦି ଅବିଗୁଣମାନ ତାଙ୍କ ନଜରକୁ ଆସିଯାଏ। ଲକ୍ଷ୍ୟ କରିବା କଥା ନିଜ ନୀତିର ଏଭଳି ନମନୀୟତା ନୀତୀଶଙ୍କ ପାଇଁ ସାମାନ୍ୟତମ ଅସ୍ବସ୍ତି ସୃଷ୍ଟି କରି ନ ଥାଏ; ବରଂ ପର୍ଯ୍ୟବେକ୍ଷକମାନଙ୍କୁ ଏହା ହତଭମ୍ଭ କରି ଦେଇଥାଏ।
ନୀତୀଶଙ୍କ ଏଭଳି ଘନଘନ ରଙ୍ଗ ପରିବର୍ତ୍ତନ ଯୋଗୁଁ ତାଙ୍କ ସହିତ କାରବାର କରୁଥିବା ରାଜନେତାମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଥିବା ନିଶ୍ଚିତ; କାରଣ ଏପରି କେହି ନ ଥିବେ ଯିଏ ତାଙ୍କର ସ୍ଥାୟୀ ପ୍ରଶଂସକ ବା ସ୍ଥାୟୀ ନିନ୍ଦୁକ ହୋଇଥିବେ। ଗତକାଲି ଯିଏ ତାଙ୍କର ମିତ୍ର ଥିଲା, ଆଜି ସେ ହେଉଛି ତାଙ୍କର ଶତ୍ରୁ ଓ ଗତକାଲିର ଶତ୍ରୁ େହଉଛି ଆଜିର ମିତ୍ର। ଏକ ଉଦାହରଣ ସ୍ବରୂପ ରବିବାର ଦିନ ଶପଥ ଗ୍ରହଣ ଉତ୍ସବରେ ତାଙ୍କୁ ସମର୍ଥନ କରୁଥିବା ଯେଉଁ ‘ଏନ୍ଡିଏ’ ନେତାମାନେ ଉପସ୍ଥିତ ଥିଲେ- ଜେପି ନଡ୍ଡା, ଜିତନ୍ରାମ୍ ମାନ୍ଝି, ଚିରାଗ ପାଶ୍ବାନ୍..., ଅତୀତରେ ସେମାନେ ସମସ୍ତେ ନୀତୀଶଙ୍କର ତୀବ୍ର ସମାଲୋଚନା କରି ଆସିଛନ୍ତି। ପୁଣି ବ୍ୟକ୍ତିଗତ ଭାବରେ ଏକ ନୀତିହୀନ ରଣକୌଶଳ ପ୍ରୟୋଗ କରି ନୀତୀଶ କୁମାର ଦୀର୍ଘ କାଳ ଧରି କ୍ଷମତାକୁ ଜାବୁଡ଼ି ଧରିବାରେ ସଫଳ ହୋଇଥିଲେ ବି ତାଙ୍କ ଦଳ ‘ଜେଡି(ୟୁ)’ ପ୍ରତି ମତଦାତା ସମର୍ଥନ ଓ ଜନବିଶ୍ବାସ ଶିଥିଳ ହେବାରେ ଲାଗିଛି। ଏହାର ଏକ ଅକାଟ୍ୟ ପ୍ରମାଣ ସ୍ବରୂପ ୨୦୧୦ରେ ତାଙ୍କ ଦଳ ଜେଡି(ୟୁ) ବିଧାନସଭାରେ ୧୧୫ଟି ଆସନ ଲାଭ କରିଥିବା ବେଳେ ୨୦୨୦ରେ ଏହି ଦଳ ମାତ୍ର ୪୩ଟି ଆସନରେ ବିଜୟ ଲାଭ କରିପାରିଥିଲା।
ଏହାର ଅର୍ଥ ସେ ମୁଖ୍ୟମନ୍ତ୍ରୀ ଆସନରେ ବସି ରହିଥିଲେ ହେଁ ତାଙ୍କ ଦଳଠାରୁ ବହୁ ଅଧିକ ସଂଖ୍ୟକ ଅାସନ ଦଖଲ କରିଥିବା ତାଙ୍କର ସହଯୋଗୀ ଦଳ ନିକଟରେ ନତମସ୍ତକ ହେବା ପାଇଁ ନୀତୀଶଙ୍କୁ ବାଧ୍ୟ ହେବାକୁ ପଡ଼ିଥାଏ। ଏହାର ଏକ ବଳିଷ୍ଠ ପ୍ରମାଣ ହେଉଛି ଲାଲୁଙ୍କ ଦଳ ‘ଆର୍ଜେଡି’ ସହିତ ମେଣ୍ଟ କରି ସରକାର ଗଠନ କଲାପରେ ନୀତୀଶଙ୍କୁ ଅନୁଭବ କରିବାକୁ ପଡ଼ିଥିବା ଅସହାୟତା। ଦୁହିଁଙ୍କ ମଧ୍ୟରେ ଥିବା ମୌଳିକ ଆଦର୍ଶଗତ ପାର୍ଥକ୍ୟ ହେଉଛି ଏହାର କାରଣ। ଲାଲୁ ପରିବାରର ଦୀର୍ଘ ଶାସନ ସମୟରେ ବିହାରରେ କିପରି ଜଙ୍ଗଲୀ ଶାସନ ଚାଲିଥିଲା, ତାହା ଭାରତରେ ଲୋକକଥାରେ ପରିଣତ ହୋଇସାରିଛି। ନୀତୀଶ କୁମାର ୨୦୦୫ରେ କ୍ଷମତାକୁ ଆସିବା ପରେ ସେଇ ଜଙ୍ଗଲୀ ଶାସନରେ ଅନ୍ତ ଘଟାଇବା ପାଇଁ ଆରମ୍ଭ କରିଥିବା ଆନ୍ତରିକ ଉଦ୍ୟମ ଯୋଗୁଁ ଲୋକମାନେ ତାଙ୍କୁ ସସ୍ନେହ ଉପାଧି ପ୍ରଦାନ କରିଥିଲେ- ‘ସୁଶାସନ ବାବୁ’। ପରବର୍ତ୍ତୀ ସମୟରେ ସେ ଯେତେବେଳେ ପୁଣି ସେଇ ଜଙ୍ଗଲୀ ରାଜ୍ର ପ୍ରବର୍ତ୍ତକମାନଙ୍କ ସହିତ ହାତ ମିଳାଇଲେ, ସେତେବେଳେ ତାଙ୍କୁ କେଉଁଭଳି ଅସ୍ବସ୍ତି ହଜମ କରିବାକୁ ପଡ଼ିଥିବ, ତାହା ସହଜେ ଅନୁମେୟ। ବର୍ତ୍ତମାନ ନୀତୀଶ ତାଙ୍କର ନୂତନ ସାଥୀମାନଙ୍କର ଯେ ସଂପୂର୍ଣ୍ଣ ବିଶ୍ବାସଭାଜନ ହୋଇପାରିବେ, ତାହା ଆଶା କରିବା ବୃଥା। ତାଙ୍କର ଅତୀତର ବିଶ୍ବାସଘାତକତା ଯୋଗୁଁ ସେ ବର୍ତ୍ତମାନ କାହା ପାଖରେ ବିଶ୍ବାସଭାଜନ ହେବା ସମ୍ଭବ ନୁହେଁ।
ହୁଏତ ଆସନ୍ତା ସାଧାରଣ ନିର୍ବାଚନ ପରେ ଭାଜପା ତା’ର ଏହି ଅବିଶ୍ବସ୍ତ ସାଥୀଙ୍କୁ ରାଜ୍ୟ ରାଜନୀତିରୁ ଅପସାରିତ କରି ତାଙ୍କର ରାଜନୈତିକ କ୍ୟାରିଅର୍ ଶେଷରେ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥଇଥାନ କରି ଦେଇପାରେ। ହୁଏତ ନୀତୀଶ କୁମାର ଏଥିରୁ କିଛି ବ୍ୟକ୍ତିଗତ ସନ୍ତୋଷଲାଭ କରିପାରନ୍ତି; କିନ୍ତୁ ସେ ଆବିଷ୍କାର କରିପାରନ୍ତି ଯେ ଆରମ୍ଭରେ ସେ ପ୍ରଦର୍ଶନ କରିଥିବା ସମ୍ଭାବନା ସତ୍ତ୍ବେ ତାଙ୍କ କ୍ୟାରିଅର୍ ଶେଷରେ ତାଙ୍କ ରାଜ୍ୟ ସେଇଭଳି ଦେଶର ସର୍ବାଧିକ ପଛୁଆ ରାଜ୍ୟ ହୋଇ ରହିଛି। ସେତେବେଳେ କ୍ଳାନ୍ତ ନାବିକ ଜଣକ ହୁଏତ ସ୍ବୀକାର କରିବେ ଯେ ତାଙ୍କର ସ୍ବାର୍ଥାନ୍ବେଷୀ ରାଜନୀତି ହେଉଛି ଏହାର ଅନ୍ୟତମ କାରଣ।