ଫରାସୀ ମନସ୍ତତ୍ତ୍ବବିତ୍ ଫ୍ରାନ୍‌ଜ ଫାନନ୍ ତାଙ୍କର ମର୍ମସ୍ପର୍ଶୀ ପୁସ୍ତକ, ‘ବ୍ଲାକ୍ ସ୍କିନ୍, ହ୍ବାଇଟ୍ ମାସ୍କସ୍’ରେ ଦର୍ଶାଇଥିବା ଭଳି ଏପରି କୃଷ୍ଣକାୟ ମୋହର ସମାଜରେ ସେମାନଙ୍କୁ ଶ୍ବାସରୁଦ୍ଧ କରିଦେଇଥାଏ। ତେଣୁ କୌଣସି ଗଣତନ୍ତ୍ରରେ ଆଉ ଏଭଳି କାଳିଆ-ଅଳିଆ ମାନସିକତା ପାଇଁ ସ୍ଥାନ ନାହିଁ; କୌଣସି ରାଜନୈତିକ ଦଳ ଆଜି ଏଥିପ୍ରତି କାଣ୍ଟ୍‌ସୁଲଭ ଦ୍ବିବିଧ ଆଭିମୁଖ୍ୟ ପ୍ରଦର୍ଶନ କରି ତିଷ୍ଠିପାରିବ ନାହିଁ। କଂଗ୍ରେସ ତେଣୁ ଜମିର୍ ଖାନ୍‌ଙ୍କ ଭଳି ନେତାମାନଙ୍କୁ ଶୃଙ୍ଖଳିତ କରି ଦଳର କେତେକ କୋଣରେ ଜମି ରହିଥିବା କାଳିଆ ଅଳିଆ ମାନସିକତାକୁ ସଫା କରିବା ହେଉଛି ଦଳର ସ୍ବାର୍ଥ ଦୃଷ୍ଟିରୁ ଜରୁରି।

Advertisment

ଗତ ସପ୍ତାହରେ କର୍ଣ୍ଣାଟକରେ ଏକ ନିର୍ବାଚନ ପ୍ରଚାର ଅଭିଯାନରେ ଅଂଶଗ୍ରହଣ କରି ସେ ରାଜ୍ୟର ୱାକ୍‌ଫ ଓ ଗୃହ ନିର୍ମାଣ ମନ୍ତ୍ରୀ ଜମିର୍ ଅହମଦ୍ ଖାନ୍ ପ୍ରତିପକ୍ଷର ଅନ୍ୟତମ ତୁଙ୍ଗ ନେତା କେନ୍ଦ୍ରମନ୍ତ୍ରୀ ତଥା ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କର ଚର୍ମ ରଙ୍ଗକୁ କଟାକ୍ଷ କରି ପ୍ରଦାନ କରିଥିବା ମନ୍ତବ୍ୟ ବର୍ତ୍ତମାନ ସେ ରାଜ୍ୟର ସୀମା ଅତିକ୍ରମ କରି ସାରା ଦେଶରେ ଉତ୍ତେଜନାପୂର୍ଣ୍ଣ ଚର୍ଚ୍ଚାର ବିଷୟବସ୍ତୁରେ ପରିଣତ ହୋଇଛି। ଜମିର୍ ଅହମଦ୍ ଖାନ୍ କହିଥିଲେ ‘‘କାଳିଆ କୁମାରସ୍ବାମୀ’’ ହେଉଛନ୍ତି ‘ବିଜେପି’ ଠାରୁ ଅଧିକ ବିପଜ୍ଜନକ। କଂଗ୍ରେସ ନେତା ଖାନ୍‌ଙ୍କ ବିଚାରରେ ‘ବିଜେପି’ ହେଉଛି ବିପଜ୍ଜନକ, କିନ୍ତୁ ସତେ ଯେମିତି ତାଙ୍କର ଶରୀରର ବର୍ଣ୍ଣ କଳା ହୋଇଥିବାରୁ କୁମାରସ୍ବାମୀ ହେଉଛନ୍ତି ‘ବିଜେପି’ ଠାରୁ ମଧ୍ୟ ଅଧିକ ବିପଜ୍ଜନକ। ଅର୍ଥାତ୍ କୃଷ୍ଣକାୟମାନେ ହେଉଛନ୍ତି ବିପଜ୍ଜନକ।
ଖାନ୍‌ଙ୍କ ଏହି ମନ୍ତବ୍ୟ ସେଇଭଳି ବର୍ଣ୍ଣବିଦ୍ବେଷମୂଳକ ବିଚାର ବହନ କରିଥାଏ, ଯାହା ଅତୀତରେ ଦକ୍ଷିଣ ଆଫ୍ରିକା ବା ଆମେରିକାରେ ରାଜତ୍ବ କରୁଥିଲା। ବର୍ତ୍ତମାନ କିନ୍ତୁ ପୃଥିବୀର କୌଣସି ସଭ୍ୟ ଦେଶରେ କୌଣସି ରାଜନୈତିକ ଦଳ ବା ନେତା ସେମାନଙ୍କ ଜାଗ୍ରତ ଅବସ୍ଥାରେ କ’ଣ, ସେମାନଙ୍କ ସ୍ବପ୍ନ‌େ‌ର ମଧ୍ୟ ଏଭଳି ବର୍ଣ୍ଣବିଦ୍ବେଷୀ ଚିନ୍ତାଧାରା ପ୍ରକାଶ କରିବାକୁ ସାହସ କରିବେ ନାହିଁ। ଅପରପକ୍ଷେ ଏବେ ରକ୍ଷଣଶୀଳ ଦେଶ ରୂପେ ପରିଚିତ ବ୍ରିଟେନ୍‌ର ରକ୍ଷଣଶୀଳ ସର୍ବପୁରାତନ ରାଜନୈତିକ ଦଳ ଜାଠ ଦଳର ନେତ୍ରୀ ରୂପେ ଜଣେ ନାଇଜେରିଆ ମୂଳର କୃଷ୍ଣକାୟା ମହିଳା ନିର୍ବାଚିତ ହୋଇ ଏକ ନୂତନ ବର୍ଣ୍ଣସାମ୍ୟ ଯୁଗର ସୂତ୍ରପାତ କରିଛନ୍ତି।
ଏଠାରେ ଯାହା ଉଲ୍ଲେଖନୀୟ, ତାହା ହେଲା, କେମି ବାଡେନକ୍‌ ନାମ୍ନୀ ଏହି କୃଷ୍ଣକାୟାଙ୍କୁ ନିର୍ବାଚିତ କରିଥିବା ଜାଠ ଦଳର ସଦସ୍ୟମାନେ ହେଉଛନ୍ତି ପ୍ରାୟ ସମସ୍ତେ ଶ୍ବେତକାୟ। ଏହି ଦୃଷ୍ଟିରୁ ଦେଖିଲେ ଜମିର୍ ଖାନ୍‌ଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ନିର୍ବୋଧତୁଲ୍ୟ ମନେ ହୋଇଥାଏ। କାରଣ, ଭାରତର ତଥା ତାଙ୍କ ରାଜ୍ୟ କର୍ଣ୍ଣାଟକର ଅଧିକାଂଶ ଲୋକମାନଙ୍କର ଚର୍ମର ରଙ୍ଗ ହେଉଛି କଳା କିମ୍ବା କଳାର ନିକଟବର୍ତ୍ତୀ ବିଭିନ୍ନ ରଙ୍ଗମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଥିରେ କେବଳ କଳାର ମାତ୍ରାରେ ଯାହା ତାରତମ୍ୟ ପରିଲକ୍ଷିତ ହୋଇଥାଏ (ବ୍ରିଟିଶ୍ ଔପନ୍ୟାସିକ ଇ. ଏମ୍. ଫଷ୍ଟର୍‌ଙ୍କ ଭାଷାରେ ଭାରତୀୟମାନଙ୍କର ଚର୍ମ ରଙ୍ଗର ବିବିଧତା ‘ବ୍ଲାକ୍’ରୁ ‘ବ୍ଲୁ-ବ୍ଲାକ୍’ ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ)। ଏହି ପୃଷ୍ଠଭୂମିରେ କୌଣସି ବିଚାରବୁଦ୍ଧିସଂପନ୍ନ ରାଜନେତା ପ୍ରତିପକ୍ଷର ନେତାଙ୍କର ଚର୍ମର ରଙ୍ଗରେ କଳା ରଙ୍ଗ ଉପସ୍ଥିତିକୁ ଏପରି ବିଦ୍ରୂପ କରିବାକୁ ସାହସ କରିବା କଳ୍ପନା କରାଯାଇ ପାରେନା। ତାଙ୍କର ମନ୍ତବ୍ୟ ସୃଷ୍ଟି କରିଥିବା ତୀବ୍ର ପ୍ରତିକ୍ରିୟାରୁ ବର୍ତ୍ତିବା ପାଇଁ କୁମାରସ୍ବାମୀଙ୍କୁ ସର୍ବଦା ‘‘କାଳିଆ ନନା’’ ରୂପେ ଶ୍ରଦ୍ଧାରେ ସଂବୋଧନ କରିଆସିଛନ୍ତି ବୋଲି ଜମିର୍ ଖାନ୍ ଦେଇଥିବା ସଫେଇକୁ କୁମାରସ୍ବାମୀ ଅସ୍ବୀକାର କରି ଏହା ମିଛ ବୋଲି କହିଛନ୍ତି।
ଅବଶ୍ୟ ତାଙ୍କ ଦଳ କଂଗ୍ରେସ ପାଇଁ ଜମିର୍ ଖାନ୍ ପ୍ରଦାନ କରିଥିବା ଏଭଳି ମନ୍ତବ୍ୟ କିଛି ଅସ୍ବସ୍ତି ସୃଷ୍ଟି କରିଥିଲେ ହେଁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ଏଭଳି ରାଜନୈତିକ ଅବିମୃଶ୍ୟକାରିତା ପ୍ରଦର୍ଶନ କରିବାରେ ଜମିର୍ ଖାନ୍ ସେ ଦଳର ପ୍ରଥମ ନେତା ନୁହନ୍ତି। ଏଇମାତ୍ର କେତେଦିନ ତଳେ ଦଳର ଜଣେ ଛାମୁଆ ନେତା, ବିଦେଶ ଦାୟିତ୍ବରେ ଥିବା ‘ଓଭର୍‌ସିଜ୍ କଂଗ୍ରେସ’ର ମୁଖ୍ୟ ସାମ୍ ପିତ୍ରୋଡ଼ା ସମସ୍ତ ଦକ୍ଷିଣ ଭାରତୀୟମାନଙ୍କୁ ଆଫ୍ରିକୀୟମାନଙ୍କ ସହିତ ତୁଳନା କରି ଦଳ ପାଇଁ ଏହାର ପ୍ରତିକ୍ରିୟାଜନିତ କ୍ଷତି ସୀମିତ କରିବା ଉଦ୍ଦେଶ୍ୟରେ ସାମୟିକ ଭାବରେ ନିଜର ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ସୁଯୋଗ ହାତଛଡ଼ା ନ କରି ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସର ଏହି କୃଷ୍ଣକାୟ-ବିରୋଧୀ ଆଭିମୁଖ୍ୟ ହେଉଛି ସେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିରୋଧ ପଛରେ ନିହିତ ଥିବା ଅସଲ କାରଣ ବୋଲି ଅଭିଯୋଗ କରିଥିଲେ।
କଂଗ୍ରେସ ନେତାମାନଙ୍କର ଏଭଳି ଅସଙ୍ଗତ ଆଚରଣ ଦେଖିଲେ ମନେ ହୋଇଥାଏ ସତେ ଯେମିତି ସେମାନଙ୍କର ମାନସିକତା ଏ ପର୍ଯ୍ୟନ୍ତ ଅତୀତର ପ୍ରଭାବରୁ ମୁକୁଳି ପାରିନାହିଁ। ଭାରତର ଏହି ସର୍ବପୁରାତନ ଜାତୀୟ ରାଜନୈତିକ ଦଳର ଇତିହାସରେ ଯିଏ ଏ ପର୍ଯ୍ୟନ୍ତ ମହାନତମ ନେତା ରୂ‌େପ ବିବେଚିତ ହୋଇଆସିଛନ୍ତି, ସେ ହେଉଛନ୍ତି ଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ତତ୍‌କାଳୀନ ପୃଥିବୀରେ ନେହରୁ ଜଣେ ପ୍ରବୃଦ୍ଧ ରାଷ୍ଟ୍ରନିର୍ମାତା ରୂ‌େପ ଯେଉଁଭଳି ପ୍ରସିଦ୍ଧି ଲାଭ କରିଥିଲେ, ନିଜର ସୁନ୍ଦର ସୁଠାମ ଚେହେରା ପାଇଁ ମଧ୍ୟ ସେଇଭଳି ସୁପରିଚିତ ଥିଲେ। ଏହାର ଏକ ଉଦା‌ହରଣ ସ୍ବରୂପ ସେତେବେଳେ ଏକଦା ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିବା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଜନ୍‌ କେନେଥ୍ ଗାଲ୍‌ବ୍ରେଥ୍ ତାଙ୍କର ବହୁଳ ଆଦୃତ ପୁସ୍ତକ ‘ଦି ଏଜ୍ ଅଫ୍ ଅନ୍‌ସର୍ଟେନ୍‌ଟି’ରେ ଗୌରବର୍ଣ୍ଣ ନେହରୁଙ୍କ ଚେହେରାକୁ ପ୍ରଶଂସା କରି ଲେଖିଥିଲେ ଯେ ସେ ହେଉଛନ୍ତି ଯେ କୌଣସି ଶ୍ବେତକାୟ ଇଉରୋପୀୟଙ୍କ ଅପେକ୍ଷା ଅଧିକ ସୁନ୍ଦର। ଇତିମଧ୍ୟରେ ନେହରୁ ବିଦାୟ ନେବାର ଦୀର୍ଘ ଛ’ଦଶନ୍ଧି ଅତିବାହିତ ହୋଇସାରିଥିଲେ ହେଁ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପରି ଜଣେ କୃଷ୍ଣଚର୍ମଧାରୀ ବର୍ତ୍ତମାନ ସେ ଦଳର ମୁଖ୍ୟ ପଦ ଅଳଙ୍କୃତ କରୁଥିଲେ ହେଁ, କଂଗ୍ରେସ ନେତାମାନଙ୍କର ଏହି ଫ୍ରଏଡୀୟ ମନ୍ତବ୍ୟମାନ ଦେଖି ଏକ ଧାରଣା ଜାତ ହୋଇଥାଏ ଯେ ସେମାନେ ସେମାନଙ୍କର ସାମୂହିକ ଅତୀତର ସେଇ ଗାଲ‌୍‌ବ୍ରେଥ୍‌ସୂଚିତ ଗର୍ବବୋଧରୁ ଏ ପର୍ଯ୍ୟନ୍ତ ମୁକୁଳି ନାହାନ୍ତି।
ସାମାଜିକ ଓ ଅର୍ଥନୈତିକ ସାମ୍ୟବାଦର ପ୍ରମୁଖ ବାହକ ରୂପେ ନିଜକୁ ପ୍ରଦର୍ଶିତ କରିଆସୁଥିବା କଂଗ୍ରେସ ଦଳର ନେତାମାନେ ଏଭଳି ବର୍ଣ୍ଣବୈଷମ୍ୟବାଦୀ ଭାବନା ପ୍ରକାଶ କରିବା ଏକ ବିଡ଼ମ୍ବନା ଭଳି ବୋଧ ହେଉଥିଲେ ହେଁ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ମହାନ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍ ହେଉଛନ୍ତି ଏକ ଦୃଢ଼ ନୈତିକ ସାମ୍ୟବାଦ ପ୍ରବର୍ତ୍ତନ କରିବାରେ ସର୍ବପ୍ରଧାନ ଇଉରୋପୀୟ ଚିନ୍ତାନାୟକ। ତାଙ୍କର ପ୍ରସିଦ୍ଧ ‘କାଟିଗରିକାଲ୍ ଇମ୍ପରେଟିଭ୍’ ତତ୍ତ୍ବର ଦ୍ବିତୀୟ ନିୟମ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଏକ ବୁଦ୍ଧିମାନ ମନୁଷ୍ୟ (ରେସ୍‌ନାଲ୍ ବିଙ୍ଗ୍) ହୋଇଥିବାରୁ ନିଃସର୍ତ୍ତ ସମ୍ମାନର ଅଧିକାରୀ ହୋଇଥାଏ- ସେ ରଜା ହୋଇଥାଉ କି ରଙ୍କ ହୋଇଥାଉ। କିନ୍ତୁ ସେଇ କାଣ୍ଟ୍ ପୃଥିବୀରେ ମାନବ ଜାତିର ଶ୍ରେଣୀ ବିଭାଜନ କରି ଇଉରୋପୀୟମାନଙ୍କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରିଥିବା ବେଳେ (ତାଙ୍କ ଭାଷାରେ ଜାପାନୀମାନେ ହେଉଛନ୍ତି ପ୍ରାଚ୍ୟର ଇଂରେଜ) କୃଷ୍ଣକାୟ ନିଗ୍ରୋମାନଙ୍କୁ ନିକୃଷ୍ଟତମ ‘ଜାତି’ (ରେସ୍) ରୂପେ ହେୟଜ୍ଞାନ ପ୍ରଦର୍ଶନ କରିଥିଲେ। କାଣ୍ଟ୍‌ଙ୍କ ଭାଷାରେ: ‘‘ସେମାନଙ୍କ ପ୍ରକୃତି ଅନୁସାରେ ଆଫ୍ରିକାର ନିଗ୍ରୋମାନେ ହାସ୍ୟାସ୍ପଦ ଠାରୁ ଊର୍ଦ୍ଧ୍ବ କୌଣସି ଭାବନା ପାଇଁ ସମର୍ଥ ହୋଇ ନଥାନ୍ତି।’’
କାଣ୍ଟ୍ ତା’ହେଲେ ନୈତିକ ସାମ୍ୟବାଦରେ ବିଶ୍ବାସ କରୁଥି‌େଲ ନା ଜାତିବାଦ (ରେସିଜମ୍)ରେ ବିଶ୍ବାସ କରୁଥିଲେ? ବୋଧହୁଏ ଏହାର ଏକମାତ୍ର ସନ୍ତୋଷଜନକ ଉତ୍ତର ହେଉଛି- ଉଭୟରେ ଅର୍ଥାତ୍ କେବଳ ଶ୍ବେତାଙ୍ଗ ଇଉରୋପୀୟମାନଙ୍କ ପାଇଁ ତାଙ୍କର ସାମ୍ୟବାଦୀ ନିଃସର୍ତ୍ତ ସମ୍ମାନ ଅଧିକାର ନିୟମ ପ୍ରଯୁଜ୍ୟ ହୋଇଥିବା ବେଳେ ଆଫ୍ରିକୀୟ କୃଷ୍ଣକାୟମାନଙ୍କ ପାଇଁ ତାହା ପ୍ରଯୁଜ୍ୟ ହୋଇ ନ ଥାଏ। ଫରାସୀ ମନସ୍ତତ୍ତ୍ବବିତ୍ ଫ୍ରାନ୍‌ଜ ଫାନନ୍ ତାଙ୍କର ମର୍ମସ୍ପର୍ଶୀ ପୁସ୍ତକ, ‘ବ୍ଲାକ୍ ସ୍କିନ୍, ହ୍ବାଇଟ୍ ମାସ୍କସ୍’ରେ ଦର୍ଶାଇଥିବା ଭଳି ଏପରି କୃଷ୍ଣକାୟ ମୋହର ସମାଜରେ ସେମାନଙ୍କୁ ଶ୍ବାସରୁଦ୍ଧ କରିଦେଇଥାଏ। ତେଣୁ କୌଣସି ଗଣତନ୍ତ୍ରରେ ଆଉ ଏଭଳି କାଳିଆ-ଅଳିଆ ମାନସିକତା ପାଇଁ ସ୍ଥାନ ନାହିଁ; କୌଣସି ରାଜନୈତିକ ଦଳ ଆଜି ଏଥିପ୍ରତି କାଣ୍ଟ୍‌ସୁଲଭ ଦ୍ବିବିଧ ଆଭିମୁଖ୍ୟ ପ୍ରଦର୍ଶନ କରି ତିଷ୍ଠିପାରିବ ନାହିଁ। କଂଗ୍ରେସ ତେଣୁ ଜମିର୍ ଖାନ୍‌ଙ୍କ ଭଳି ନେତାମାନଙ୍କୁ ଶୃଙ୍ଖଳିତ କରି ଦଳର କେତେକ କୋଣରେ ଜମି ରହିଥିବା କାଳିଆ ଅଳିଆ ମାନସିକତାକୁ ସଫା କରିବା ହେଉଛି ଦଳର ସ୍ବାର୍ଥ ଦୃଷ୍ଟିରୁ ଜରୁରି।