ଗତ ସପ୍ତାହରେ ପ୍ରକାଶିତ ସୂଚନା ଅନୁସାରେ ଭାରତୀୟ ଅର୍ଥନୀତି ଏକ ‘ବିଧିବଦ୍ଧ ଅପସରଣ’ (‘ଟେକ୍‌ନିକାଲ୍‌ ରିସେସନ୍‌’)ରେ ପ୍ରବେଶ କରିସାରିଛି। ଚଳିତ ବିତ୍ତ ବର୍ଷର ଗତ ଜୁଲାଇ-ସେପ୍ଟେମ୍ବର ଚଉଠରେ ଭାରତୀୟ ଅର୍ଥନୀତିଠାରେ ଏହି କଳଙ୍କ ଲାଗିଛି ବୋଲି ଏକ ପ୍ରକାଶିତ ପରିସ˚ଖ୍ୟାନରୁ ଜଣା ପଡ଼ିଛି। ଅର୍ଥଶାସ୍ତ୍ରର ଭାଷା ଅନୁସାରେ ଯେତେବେଳେ ଏକ ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଘଟିବା ପରିବର୍ତ୍ତେ ଲାଗ ଲାଗ ଦୁଇ ଚଉଠ ଧରି ସ˚କୋଚନ ଘଟିବା ଦେଖାଯାଏ, ସେ ଅବସ୍ଥାକୁ ଟେକ୍‌ନିକାଲ୍‌ ରିସେସନ୍‌ ରୂପେ ଅଭିହିତ କରାଯାଇଥାଏ। ପୃଥିବୀ ଯେତେବେଳେ ଚୀନା କରୋନା ଜନିତ ପାଣ୍ତେମିକ୍‌ କବଳରେ ପଡ଼ିଲା, ବିଶ୍ବ ବ୍ୟାଙ୍କ୍‌ ସେତେବେଳେ ସମସ୍ତ ବିକାଶଶୀଳ ଦେଶମାନେ ଗଭୀର ଅପସରଣର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ଆଶଙ୍କା ପ୍ରକାଶ କରିଥିଲା, କିନ୍ତୁ କେବଳ ଭାରତ ଓ ଚୀନ୍‌ ଏଥିରୁ ମୁକ୍ତ ରହିବାର ସମ୍ଭାବନା ରହିଛି ବୋଲି ଆଶା ପ୍ରକାଶ କରିଥିଲା। ବିଶ୍ବ ବ୍ୟାଙ୍କ୍‌ର ଏହି ଆଶା ଅନୁସାରେ ଭାରତ ବିଗତ ବିତ୍ତ ବର୍ଷ ଶେଷ ଅର୍ଥାତ୍‌ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅପସରଣ ଠାରୁ ଦୂରରେ ରହି ପାରିଥିଲା, ଅର୍ଥାତ୍‌ ଦେଶର ମୋଟ ବାର୍ଷିକ ଉତ୍ପାଦ ବା ‘ଜିଡିପି’ରେ ବୃଦ୍ଧି ଧିମେଇ ଯାଇଥିଲେ ବି ସ˚କୋଚନ ଘଟି ନଥିଲା। ଚଳିତ ବିତ୍ତ ବର୍ଷର ଜୁନ୍‌ରେ ଶେଷ ହୋଇଥିବା ପ୍ରଥମ ଚଉଠରେ କିନ୍ତୁ ବିଶ୍ବ ବ୍ୟାଙ୍କ୍‌କୁ ନିରାଶ କରି ଭାରତର ‘ଜିଡିପି’ରେ ଏକ ତୀକ୍ଷ୍‌ଣ ୨୩.୯% ସ˚କୋଚନ ଘଟିଥିବା ଦେଖାଗଲା। ଏବେ ‘ନେସନାଲ୍‌ ଷ୍ଟାଟିଷ୍ଟିକାଲ୍‌ ଅଫିସ’ (‘ଏନ୍‌ଏସ୍‌ଓ’) ପ୍ରଦତ୍ତ ସୂଚନା ଅନୁସାରେ ସେପ୍ଟେମ୍ବରରେ ଶେଷ ହୋଇଥିବା ଚଳିତ ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ଆମ ଦେଶର ‘ଜିଡିପି’ରେ ଲଗାତାର ପୁଣି ଏକ ସ˚କୋଚନ ଘଟିଛି, ଯଦିବା ପୂର୍ବ ତୁଳନାରେ ବେଶ୍‌ କମ୍‌ ହାରରେ- ମାତ୍ର ୭.୫%। ତେଣୁ ଭାରତୀୟ ଅର୍ଥନୀତି ବିଧିବଦ୍ଧ ଅପସରଣ କବଳରେ ପଡ଼ିଛି ବୋଲି କୁହାଯାଉଛି ଏବ˚ ଅର୍ଥନୀତିକୁ ସମ୍ଭାଳିବାରେ ସରକାର ବ୍ୟର୍ଥ ହୋଇଛନ୍ତି ବୋଲି ବିରୋଧୀମାନେ ସମାଲୋଚନା କରୁଛନ୍ତି।

Advertisment

ସ୍ବାଧୀନ ଭାରତର ଇତିହାସରେ ଏଭଳି ଅର୍ଥନୈତିକ ଅପଖ୍ୟାତି ପ୍ରଥମ ବୋଲି ସମାଲୋଚକମାନେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଭୁଲିଯାଉ ନାହାନ୍ତି ମଧୢ। ଅବଶ୍ୟ ସ୍ବାଧୀନ ଭାରତର ଇତିହାସରେ କୋଭିଡ୍‌-୧୯ ପାଣ୍ତେମିକ୍‌ ଭଳି ଏକ ବିଶ୍ବବ୍ୟାପୀ ବିପର୍ଯ୍ୟୟ ଦେଖାଦେବା ମଧୢ ପ୍ରଥମ, ତାହା ସେମାନେ ସୁବିଧାଜନକ ଭାବରେ ଉଲ୍ଲେଖ କରୁନାହାନ୍ତି। କିମ୍ବା ବ୍ରିଟେନ୍‌, ଜର୍ମାନୀ, ଅଷ୍ଟ୍ରେଲିଆ ଭଳି ଉନ୍ନତ ଦେଶମାନେ ମଧୢ ଭାରତ ପୂର୍ବରୁ ଟେକ୍‌ନିକାଲ୍‌ ରିସେସନ୍‌ କବଳରେ ପଡ଼ି ସାରିଛନ୍ତି, ତାହା ମଧୢ ସୂଚାଇବା ଉଚିତ ମନେ କରୁନାହାନ୍ତି। ବାସ୍ତବରେ ଚଳିତ ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ଭାରତୀୟ ଅର୍ଥନୀତିର ୭.୫% ହାରରେ ସ˚କୋଚନ କେବଳ ପ୍ରଥମ ଚଉଠ ସ˚କୋଚନ ହାରଠାରୁ ଯେ ବହୁତ କମ୍‌, ତାହା ନୁହେଁ, ଦ୍ବିତୀୟ ଚଉଠରେ ଆଶଙ୍କା କରାଯାଉଥିବା ୯-୧୧% ସ˚କୋଚନ ପୂର୍ବାନୁମାନ ଠାରୁ ମଧୢ କମ୍‌, ଯାହା ଏକ ମଧୁର ବିସ୍ମୟ ଭଳି। ପୃଥିବୀର ସର୍ବତ୍ର ଭଳି ଭାରତ ମଧୢ ଲକ୍‌ଡାଉନ୍‌କୁ ଚୀନା କରୋନା ସ˚କ୍ରମଣକୁ ପ୍ରତିହତ କରିବାର ମୁଖ୍ୟ ଉପାୟ ରୂପେ ଅବଲମ୍ବନ କରିଥିଲା। କରୋନାକୁ ତୁରନ୍ତ ଦମନ କରିବା ଅଭିପ୍ରାୟରେ ଭାରତ ଯେଉଁ ଲକ୍‌-ଡାଉନ୍‌ କାର୍ଯ୍ୟକାରୀ କରିଥିଲା, ତାହା ପୃଥିବୀର ଗଣତାନ୍ତ୍ରିକ ଦେଶମାନଙ୍କ ମଧୢରେ ସର୍ବାଧିକ କଠୋର ଥିଲା ବୋଲି ମଧୢ ଆନ୍ତର୍ଜାତିକ ସ୍ତରରେ ପ୍ରଶ˚ସିତ ହୋଇଥିଲା। ସମସ୍ତ କଳ କାରଖାନା, ଦୋକାନ ବଜାର, ଗମନାଗମନ ଆଦି ଏଭଳି ବନ୍ଦ ହୋଇଯାଇଥିଲା ଯେ ଦେଶର ପ୍ରାୟ ୬୫% ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇ ଯାଇଥିଲା। ଏହା ହିଁ ହେଉଛି ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରେ ଦେଖାଯାଇଥିବା ଅର୍ଥନୀତିରେ ବିଶାଳ ସ˚କୋଚନ ପଛରେ ରହିଥିବା ଅନିବାର୍ଯ୍ୟ କାରଣ।

ଜୁନ୍‌ରେ ବିତ୍ତ ବର୍ଷର ପ୍ରଥମ ଚଉଠ ଶେଷ ହୋଇ ଜୁଲାଇରେ ଦ୍ବିତୀୟ ଚଉଠ ଆରମ୍ଭ ହେବା ବେଳକୁ ଦେଶରେ ଅଧିକା˚ଶ ଲକ୍‌ଡାଉନ୍‌ କୋହଳ ହୋଇ ଗଲାଣି। ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ଆରମ୍ଭ ହୋଇ ତଳେ ପଡ଼ିଥିବା ଅର୍ଥନୀତିକୁ ଉଠାଇ ଠିଆ କରିବାକୁ ଉଦ୍ୟମ ଆରମ୍ଭ ହୋଇ ଯାଇଥିଲେ ମଧୢ ଅର୍ଥନୀତି ପୁଣି ସଳଖ ହୋଇ ଦୌଡ଼ିବା ଆରମ୍ଭ କରିବାକୁ ଯେ ଆଉ କିଛି ସମୟ ଲାଗିବ, ତାହା ଦ୍ବିତୀୟ ଚଉଠରେ ଦେଖା ଯାଇଥିବା ଲଗାତାର ସ˚କୋଚନରୁ ଜଣା ପଡୁଥିଲେ ହେଁ, ଏହାର ଅନୁଶୀଳନ କଲେ ଯେଉଁ ଚିତ୍ର ଦୃଷ୍ଟିଗୋଚର ହୁଏ, ସେଥିରୁ ମନେ ହୁଏ, ସରକାର ଯଦି ଆବଶ୍ୟକ ଯତ୍ନ ନେବେ, ଭାରତୀୟ ଅର୍ଥନୀତି ତା’ର ସ୍ବାସ୍ଥ୍ୟ ଫେରି ପାଇବା ପାଇଁ ବେଶୀ ଡେରି ହେବ ନାହିଁ। ଦେଶର ‘ଜିଡିପି’ରେ ଘରୋଇ ଖର୍ଚ୍ଚ ଓ ପୁଞ୍ଜିନିବେଶ ସହିତ ସରକାରୀ ଖର୍ଚ୍ଚ ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶ ହୋଇଥାଏ। ବିତ୍ତ ବର୍ଷର ପ୍ରଥମ ଚଉଠରେ ସରକାରୀ ଖର୍ଚ୍ଚରେ ୧୬.୪% ବୃଦ୍ଧି ଘଟିବା ଦେଖାଯାଇଥିଲା। ସେ ସମୟରେ ସରକାର ଲୋକମାନଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନ ବାବଦରେ ଏବ˚ ଅନ୍ୟାନ୍ୟ ସହାୟତା ପ୍ରଦାନ ବାବଦରେ କରିଥିବା ଖର୍ଚ୍ଚ ଯୋଗୁଁ ସରକାରୀ ଖର୍ଚ୍ଚରେ ଏହି ବୃଦ୍ଧି ଘଟିଥିଲା। କିନ୍ତୁ ତା’ ସତ୍ତ୍ବେ ଲକ୍‌ଡାଉନ୍‌ ଯୋଗୁଁ ଆୟ ହରାଇ ଘର ଭିତରେ ଲୋକମାନେ ବନ୍ଦ ହୋଇ ରହିଥିବା ଯୋଗୁଁ ଉଭୟ ଖାଉଟି ଓ ନିବେଶ ଖର୍ଚ୍ଚରେ ଯେଉଁ ତୀବ୍ର ସ˚କୋଚନ ଘଟିଲା, ତାହାର ପ୍ରଭାବରେ ‘ଜିଡିପି’ରେ ଉପରୋକ୍ତ ୨୪.୯% ସ˚କୋଚନ ଘଟିଲା।
ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ କିନ୍ତୁ ପୂର୍ବ ବର୍ଷର ସେଇ ସମୟ ତୁଳନାରେ ସରକାରୀ ଖର୍ଚ୍ଚରେ ୨୨.୨% ସ˚କୋଚନ ଘଟିଛି। ଏହା ସତ୍ତ୍ବେ ‘ଜିଡିପି’ରେ ଉନ୍ନତି ଘଟି ସ˚କୋଚନ ହାର ୭.୫% କୁ ହ୍ରାସ ପାଇଛି। ଏହାର ଅର୍ଥ ଭାରତୀୟ ଅର୍ଥନୀତିର ଘରୋଇ କ୍ଷେତ୍ର ଲକ୍‌ଡାଉନ୍‌ ପରେ ଚଳଚଞ୍ଚଳ ହୋଇ ପୂର୍ବର ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛି। ସ୍ଥିତାବସ୍ଥା ଫେରିଆସିବା ପରେ ଅର୍ଥନୀତି ପୁଣି ଅଭିବୃଦ୍ଧି ହାସଲ କରିବା ପାଇଁ ଚେଷ୍ଟା କରିବ। ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ସାମଗ୍ରିକ ଅର୍ଥନୀତିରେ ଏହି ସ˚କୋଚନ ଘଟିଥିଲେ ହେଁ କୃଷି ଓ ଶିଳ୍ପ ଉତ୍ପାଦନ (ମାନୁଫାକ୍‌ଚରିଙ୍ଗ୍‌) କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ସକାରାତ୍ମକ ଅଭିବୃଦ୍ଧି ଦେଖିବାକୁ ମିଳିଛି। କୃଷି କ୍ଷେତ୍ରରେ ଏକ ସନ୍ତୋଷଜନକ ୩.୪% ଅଭିବୃଦ୍ଧି ଘଟିଥିବା ବେଳେ ମାନୁଫାକ୍‌ଚରିଙ୍ଗ୍‌ କ୍ଷେତ୍ରରେ ଏକ କ୍ଷୀଣ ୦.୬% ଅଭିବୃଦ୍ଧି ଦେଖାଯାଇଛି। ମାନୁଫାକ୍‌ଚରିଙ୍ଗ୍‌ କ୍ଷେତ୍ରରେ ଏହି ଅଭିବୃଦ୍ଧି କ୍ଷୀଣ ଦେଖାଯାଉଥିଲେ ହେଁ ଏହା ଭିତରେ ବହୁତ ଶକ୍ତି ଲୁକ୍କାୟିତ ହୋଇ ରହିଛି: କାରଣ ପୂର୍ବ ଚଉଠରେ ଏ କ୍ଷେତ୍ରରେ ଏକ ବିଶାଳ ୩୯% ସ˚କୋଚନ ଦେଖିବାକୁ ମିଳିଥିଲା! ବିତ୍ତ ବର୍ଷର ତୃତୀୟ ଚଉଠରେ ଯଦି ଏହି ଧାରା ବଜାୟ ରହେ, ତେବେ ବିତ୍ତ ବର୍ଷ ଶେଷ ବେଳକୁ କୋଭିଡ୍‌ କ୍ଷତି ଭରଣା ହେବାର ସମ୍ଭାବନା ଉଜ୍ଜ୍ବଳ ହେବ।

ଅର୍ଥନୀତିର ଅନ୍ୟ ମୁଖ୍ୟ ଆଧାର ସେବା କ୍ଷେତ୍ରରେ କିନ୍ତୁ ପୂର୍ବ ଚଉଠରେ ଦେଖାଯାଇଥିବା ସ˚କୋଚନ ଜାରି ରହିଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଅନେକ କିସମର ସେବା ଦାତା ଓ ଗ୍ରହୀତାଙ୍କ ମଧୢରେ ଅନ୍ତରଙ୍ଗ ସାନ୍ନିଧୢ ଉପରେ ଏହି କ୍ଷେତ୍ର ନିର୍ଭର କରିଥାଏ। ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଉତ୍ସବ ପରିଚାଳନା ପର୍ଯ୍ୟନ୍ତ ଏହି କାରଣରୁ କୋଭିଡ୍‌ ସମୟର କଡ଼ାକଡ଼ି ସ˚ଗରୋଧ ଆବଶ୍ୟକତା ଦ୍ବାରା ଘୋର ବାଧାପ୍ରାପ୍ତ ହୋଇଛି। ଲକ୍‌ଡାଉନ୍‌ କୋହଳ ହେବା ପରେ ମଧୢ ଖାଉଟିମାନଙ୍କ ମଧୢରେ ସ˚କ୍ରମଣ ଭୟ ଯୋଗୁଁ ସଙ୍ଗରୋଧ ମାନସିକତା ବେଶ୍‌ କିଛି କାଳ ବସା ବାନ୍ଧି ରହିବ। ଏ କ୍ଷେତ୍ରରେ ତେଣୁ ସ୍ବାଭାବିକ ଅବସ୍ଥା ଫେରିବା ପାଇଁ କିଛି ଅଧିକ ସମୟ ଲାଗିବ। ପର୍ଯ୍ୟଟନ, ଗମନାଗମନ, ହୋଟେଲ୍‌ ଆଦି କ୍ଷେତ୍ରରେ ତେଣୁ ତୃତୀୟ ଓ ଚତୁର୍ଥ ଚଉଠରେ ମଧୢ ମାନ୍ଦା ଅବସ୍ଥା ଲାଗି ରହିବାର ସମସ୍ତ ସମ୍ଭାବନା ରହିଛି। ତେବେ ଅର୍ଥନୀତିକୁ ସହାୟକ ହେବାର ଯାହା ନିଶ୍ଚିତ ସମ୍ଭାବନା ବହନ କରୁଛି, ତାହା ହେଲା ସରକାରୀ ଖର୍ଚ୍ଚ। ଦ୍ବିତୀୟ ଚଉଠରେ ସେଥିରେ ଦେଖା ଦେଇଥିବା ତୀକ୍ଷ୍‌ଣ ସ˚କୋଚନରେ ଅନ୍ତ ଘଟାଇ ସରକାର ଯଦି ନୂତନ ଷ୍ଟିମୁଲସ୍‌ ପ୍ୟାକେଜ୍‌ ମାଧୢମରେ ଖର୍ଚ୍ଚ ବୃଦ୍ଧି କରି ଅର୍ଥନୀତିର ଚାହିଦା ପାର୍ଶ୍ବକୁ ସମ୍ଭାଳି ନିଅନ୍ତି, ତେବେ ନୂତନ ବିତ୍ତ ବର୍ଷ ଆରମ୍ଭ ବେଳକୁ ଆଜିର ଅପସରଣର ଅପସାରଣ ଘଟି ତାହା ଇତିହାସରେ ପରିଣତ ହୋଇ ସାରି ଥିବ।