ବିସ୍ଫୋରଣ ପରେ ‘ପେଜର୍‌’ଗୁଡ଼ିକର ଭଗ୍ନାଂଶରୁ ଯେଉଁ ତାଇୱାନ କଂପାନିର ନାମ ପଦାକୁ ଆସିଛି, ସେହି ‘ଗୋଲ୍‌ଡ ଆପୋଲୋ’ କଂପାନି ଏହି ଘଟଣା ସହିତ ଲେଶ ମାତ୍ର ସଂପୃକ୍ତିକୁ ଅସ୍ବୀକାର କରିଛି। ଏହା ସତ୍ୟ ହୋଇଥିବା ସୁନିଶ୍ଚିତ; କାରଣ କୌଣସି ବ୍ୟାବସାୟିକ ସଂସ୍ଥା ନିଜକୁ ତଳିତଳାନ୍ତ କଲା ଭଳି ଏଭଳି କାର୍ଯ୍ୟ କରିବ ନାହିଁ। ସୁତରାଂ, ଇସ୍ରାଏଲ୍‌ର ଅଦ୍ବିତୀୟ ଗୁଇନ୍ଦା ସଂସ୍ଥା ‘ମୋସାଦ୍‌’ର ଚକ୍ରାନ୍ତରେ ‘ହେଜବୋଲ୍ଲା’କୁ ମିଳିବା ପୂର୍ବରୁ ସେହି ସବୁ ଯନ୍ତ୍ରଗୁଡ଼ିକରେ ଅତି ସନ୍ତର୍ପଣ ଭାବେ ବାରୁଦ ପୂରାଇ ଦିଆଯାଇଛି! କହିବା ବାହୁଲ୍ୟ ‘ମୋସାଦ୍‌’ର ଅନୁପ୍ରବେଶ ଦକ୍ଷତା ମଧ୍ୟ ଅତୁଳନୀୟ। ‘ମୋସାଦ୍‌’ର ଗୁପ୍ତଚର ଏଲି କୋହେନ୍‌ ସିରିଆରେ ରହି ଇସ୍ରାଏଲ୍‌ ଲାଗି ଗୁପ୍ତଚରଗିରି କରୁଥିବା ବେଳେ କିଭଳି ସିରିଆର ରାଜନୀତିରେ ଉଚ୍ଚ ଆସନ ପାଇବା ସହିତ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ହୋଇପାରିଥିଲେ, ତାହା କିଂବଦନ୍ତି ସୁଲଭ।

Advertisment

ଗଲା ମଙ୍ଗଳବାର ଓ ବୁଧବାର ଦିନ ମନୋରମ ଅଥଚ ଯୁଦ୍ଧ କ୍ଷତାକ୍ତ ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ର ଲେବାନନ୍‌ରେ ଯାହା ସଂଘଟିତ ହୋଇଯାଇଛି, ତାହା ଅତ୍ୟନ୍ତ ନିଷ୍ଠୁର ଭାବେ ଜଣାଇ ଦେଇଛି ଯେ ପୃଥିବୀର ଯେଉଁ କୋଣରେ ହୋଇଥାଉ ପଛକେ ତୁମ ଘର ବା ଦପ୍ତର ବା କଲେଜ କିମ୍ବା କାଫେଟାରିଆ ଭଳି ଅତି ପରିଚିତ ସ୍ଥାନ ମଧ୍ୟ ତୁମର ବଧଭୂମିରେ ପରିଣତ ହୋଇଯାଇପାରେ, ଯହିଁରେ ତୁମର ଘାତକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବ ତୁମ ଲାପ୍‌ଟପ୍‌ ବା ଟ୍ୟାବ୍ ବା ତୁମ ସ୍ମାର୍ଟ‌ଫୋନ୍‌ ବା ତୁମେ ବ୍ୟବହାର କରୁଥିବା ଯେ କୌଣସି ଇଲେକ୍‌ଟ୍ରୋନିକ୍‌ ବସ୍ତୁ। ଏହି ସ୍ତମ୍ଭର ପାଠକପାଠିକାମାନେ ନିଶ୍ଚିତ ରୂପେ ଅବଗତ ଥିବେ କିଭଳି ଏହି ଦୁଇ ଦିନ ମଧ୍ୟରେ ସାରା ଲେବାନନ୍‌ରେ ସହସ୍ରାଧିକ ସଂଖ୍ୟକ ‘ପେଜର୍‌’ ଓ ‘ୱାକିଟକି’ଗୁଡ଼ିକରେ ବିସ୍ଫୋରଣ ଘଟି ୩୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ ପ୍ରାୟ ସାଢ଼େ ତିନି ହଜାର ଲୋକ ଗୁରୁତର ରୂପେ ଆଘାତ ପ୍ରାପ୍ତ ହୋଇଛନ୍ତି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆତଙ୍କବାଦୀ ଆକ୍ରମଣ ସହିତ ସମତୁଲ ଏଭଳି ଏକ ଘଟଣା ଘଟିଯିବା ପରେ ଆମ ନିତ୍ୟ ବ୍ୟବହାର୍ଯ୍ୟ ଇଲେକ୍ଟ୍ରୋନିକ୍‌ ଚିଜମାନ ଆମ ଅଗୋଚରରେ ଆମକୁ ହତ୍ୟା କରିବାର ମାରାତ୍ମକ ମାରଣାସ୍ତ୍ରରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହେବା ସହିତ ଏକ ଅସ୍ବସ୍ତିକର ବିଶ୍ବାସହାନିର ବାତାବରଣକୁ ମଧ୍ୟ ଜନ୍ମ ଦେଲାଣି। ସୁତରାଂ, ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଏହା ଅବଶ୍ୟ ସତ ଯେ ଶଂସିତ ଆକ୍ରମଣରେ ଇସ୍ରାଏଲୀ ସଂପୃକ୍ତିର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ; କିନ୍ତୁ ଏଭଳି ସୁପରିକଳ୍ପିତ ତଥା ଅଭିନବ ଆକ୍ରମଣ ପଦ୍ଧତି ହିଁ ଇସ୍ରାଏଲ୍‌ର ସ୍ବାକ୍ଷର ବହନ କରିଥାଏ। ପ୍ରଯୁକ୍ତି ବିଶାରଦମାନେ କହିଥାଆନ୍ତି ଯେ ଯେଉଁ ଉଚ୍ଚସ୍ତରୀୟ ବୈଷୟିକ ଜ୍ଞାନ-କୌଶଳ, ତୀକ୍ଷ୍‌ଣ ବୁଦ୍ଧି ଓ ଛିଦ୍ରହୀନ ଚକ୍ରାନ୍ତ ରଚନା କରିବାର ଅପୂର୍ବ ପାରଦର୍ଶିତା ଦ୍ବାରା ଏହା ସମ୍ଭବ ହୋଇଛି, ତାହାର ‘କପିରାଇଟ୍‌’ ବା ସ୍ବତ୍ବାଧିକାର କେବଳ ଇସ୍ରାଏଲ୍‌ ଦ୍ବାରା ସଂରକ୍ଷିତ! ଏବଂ ଏଭଳି କିଛି ଘଟାଇ ସାରିବା ପରେ ଇସ୍ରାଏଲ୍‌ ଏକ ରହସ୍ୟମୟ ନିରବତା ମଧ୍ୟ ଅବଲମ୍ବନ କରିଥାଏ। କିନ୍ତୁ, ଏହା ସୁବିଦିତ ଯେ ‘ହମାସ୍‌’ ପରେ ଲେବାନନ୍‌ର ‘ହେଜବୋଲ୍ଲା’କୁ ନିଶ୍ଚିହ୍ନ କରିବା ହେଉଛି ଇସ୍ରାଏଲ୍‌ର ଦ୍ବିତୀୟ ଲକ୍ଷ୍ୟ, ଯେଉଁ ଦଳକୁ ଇସ୍ରାଏଲ୍‌ ସମେତ ଅନେକ ରାଷ୍ଟ୍ର ଏକ ସିହା ଆତଙ୍କବାଦୀ ସଂଗଠନ ରୂପେ ବିବେଚନା କରନ୍ତି। କିନ୍ତୁ, ଏହା ମଧ୍ୟ ଏକ ବାସ୍ତବତା ଯେ ‘ହମାସ୍‌’ ଠାରୁ କେଇଗୁଣ ଅଧିକ ଶକ୍ତିଶାଳୀ, ଲକ୍ଷାଧିକ ଯୁଦ୍ଧ ବ୍ୟଗ୍ର ଓ ସମର ପଟୁ ସୈନିକଙ୍କ ଦ୍ବାରା ସୁସଜ୍ଜିତ, ଇରାନର ବିପୁଳ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଦ୍ବାରା ପରିପୁଷ୍ଟ ‘ହେଜବୋଲ୍ଲା’ର ବିଲୋପ ସାଧନ ଇସ୍ରାଏଲ୍‌ ସକାଶେ ସହଜସାଧ୍ୟ ହୁଅନ୍ତା ନାହିଁ। ତେଣୁ, ଇସ୍ରାଏଲ୍‌ ପକ୍ଷରୁ ଏଭଳି ଏକ ଅପ୍ରତ୍ୟାଶିତ ଆକ୍ରମଣର ଉଦ୍ୟମ ଆରମ୍ଭ ହୋଇଛି। ପ୍ରକାଶ ଥାଉ କି ୨୦୨୩ ଅକ୍‌ଟୋବର ମାସରେ ହମାସ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣ ପରିପ୍ରେକ୍ଷୀରେ ‘ହମାସ୍‌’ର ଦୃଢ଼ ସମର୍ଥକ ‘ହେଜବୋଲ୍ଲା’ ସହିତ ମଧ୍ୟ ଇସ୍ରାଏଲ୍‌ର ସାନି ସଂଘର୍ଷର ସୂତ୍ରପାତ ଘଟିଥିଲା। ସେହି କାରଣରୁ ନିରାପତ୍ତା ଦୃଷ୍ଟିରୁ ଇସ୍ରାଏଲ୍‌ ସରକାର ଦେଶର ଉତ୍ତର ଭାଗରୁ ନାଗରିକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। କାରଣ ସମଗ୍ର ଦକ୍ଷିଣ ଲେବାନନ୍‌ ‘ହେଜବୋଲ୍ଲା’ ଦ୍ବାରା ସଂପୂର୍ଣ୍ଣ କବଳିତ ଥିବାରୁ ଦକ୍ଷିଣ ଲେବାନନ୍‌ ସୀମା ସହିତ ସଂଲଗ୍ନ ଇସ୍ରାଏଲ୍‌ର ଉତ୍ତର ଭାଗ ଅନେକ ସମୟରେ ‘ହେଜବୋଲ୍ଲା’ ଦ୍ବାରା କ୍ଷେପଣାସ୍ତ୍ର ଓ ରକେଟ୍‌ ଆକ୍ରମଣର ଶରବ୍ୟ ହୋଇଥାଏ। ତେବେ, ମାତ୍ର କିଛି ଦିନ ତଳେ ବିସ୍ଥାପିତ ଇସ୍ରାଏଲୀମାନଙ୍କ ସ୍ବଗୃହ ପ୍ରତ୍ୟାବର୍ତ୍ତନ ଲାଗି ଇସ୍ରାଏଲ୍ ସରକାର ନିଷ୍ପତ୍ତି ‌େନଇଥିବାରୁ ବିଶେଷଜ୍ଞମାନେ କହିଥାନ୍ତି ଯେ ଏହାର ଅବ୍ୟବହିତ ପୂର୍ବରୁ ‘ହେଜବୋଲ୍ଲା’କୁ ନିବୀର୍ଯ୍ୟ ଓ ନଖ-ଦନ୍ତ ଶୂନ୍ୟ କରିବା ଲାଗି ଏହା ହେଉଛି ଇସ୍ରାଏଲ୍‌ର ଏକ ସୁପରିକଳ୍ପିତ ପଦକ୍ଷେପ। 
ଏହା ସମସ୍ତଙ୍କୁ ଜଣା କିଭଳି ଇସ୍ରାଏଲ୍‌ ଦ୍ବାରା ନିର୍ମିତ ଅତ୍ୟାଧୁନିକ ‘ଗୁପ୍ତଚର’ ଚିପ୍‌ମାନ ଦ୍ବାରା ଆମ ସ୍ମାର୍ଟଫୋନ୍‌ଗୁଡ଼ିକ ଆମ ଅଲକ୍ଷ୍ୟରେ ଆମ ବିରୋଧରେ ଗୁଇନ୍ଦା ରୂପେ ବିଦ୍ୟମାନ ହୋଇଛନ୍ତି। ୨୦୨୧ ମସିହାରେ ଭାରତରେ ବିବାଦର ଝଡ଼ ସୃଷ୍ଟି କରିଥିବା ଇସ୍ରାଏଲୀ ସଫ୍‌ଟୱେର୍‌ ‘ପେଗାସସ୍‌’ ଏଠାରେ ସ୍ମରଣକୁ ଆସିଥାଏ। ସୁତରାଂ, ଅତ୍ୟନ୍ତ ସ୍ବାଭାବିକ ଭାବେ ‘ହେଜବୋଲ୍ଲା’ର ଶୀର୍ଷତମ ନେତା ହାସାନ ନୁସରାଲ୍ଲାଙ୍କ ନିର୍ଦ୍ଦେଶ କ୍ରମେ ‘ହେଜବୋଲ୍ଲା’ ପକ୍ଷରୁ ପାରସ୍ପରିକ ବାର୍ତ୍ତା ବିନିମୟ ସକାଶେ ମୋବାଇଲ ପରିବର୍ତ୍ତେ ‘ପେଜର୍‌’ ଓ ‘ୱାକିଟକି’ର ବ୍ୟବହାର ଆରମ୍ଭ ହୋଇଥିଲା। ସୁତରାଂ, ନବମ ଦଶକର ମଧ୍ୟଭାଗରୁ ଆମ ଜୀବନରୁ ପ୍ରାୟତଃ ଅନ୍ତର୍ହିତ ହୋଇଯାଇଥିବା ‘ପେଜର୍‌’ ପ୍ରଜାତିର ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ଟି ଲେବାନନ୍‌ରେ ସକ୍ରିୟ ହୋଇ ଉଠିଥିଲା। ଇଣ୍ଟର୍‌ନେଟ୍‌ ସହିତ ସଂଯୁକ୍ତ ନ ହୋଇ କେବଳ ରେଡିଓ ତରଙ୍ଗରେ ବାର୍ତ୍ତା ‌େପ୍ରରଣ କରିବାକୁ ସମର୍ଥ ଏହି ଯନ୍ତ୍ରର ବ୍ୟବହାରକାରୀମାନଙ୍କୁ ଅଗତ୍ୟା ଠାବ କରିବା ବା ସେମାନଙ୍କ ଦ୍ବାରା ପ୍ରେରିତ ବାର୍ତ୍ତାକୁ ଛେଦ ଓ ଭେଦ କରିବା ସମ୍ଭବପର ହେଉ ନ ଥିବାରୁ ଇସ୍ରାଏଲ୍‌ର ଦୃଷ୍ଟି ଆଢୁଆଳରେ ରହି ଆପଣା ଯୋଜନାମାନ କାର୍ଯ୍ୟକାରୀ କରିବା ସହଜ ବୋଲି ‘ହେଜବୋଲ୍ଲା’ ପକ୍ଷରୁ ଧରି ନିଆଯାଇଥିଲା। ସେହି ଧାରଣା ଏବେ ଭୂଲୁଣ୍ଠିତ ହୋଇଛି। ପ୍ରକାଶ ଥାଉ କି ଯୁଦ୍ଧ ବେ‌େଳ ପାରସ୍ପରିକ ସମନ୍ବୟ ଓ ସଂଯୋଗ ରଖିବା ଲାଗି ଇଣ୍ଟର୍‌ନେଟ୍‌ ଦ୍ବାରା ସଂଯୁକ୍ତ ମୋବାଇଲ୍‌ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇଥାଏ। ସେହି ଦୃଷ୍ଟିରୁ ସନ୍ଦେଶ ପ୍ରେରଣ ଲାଗି ଉଦ୍ଦିଷ୍ଟ ଏହି ଶେଷ ଅବଲମ୍ବନଟି ‘ହେଜବୋଲ୍ଲା’ ହାତରୁ ଛିନ୍ନ ହୋଇଯିବା ପରେ ଏହି ସଂଗଠନର ସ୍ଥିତି ଶିରଚ୍ଛେଦ ପରେ ଇତସ୍ତତ ଦୌଡ଼ି ବୁଲୁଥିବା ଶିରହୀନ କୁକୁଡ଼ାତୁଲ୍ୟ ହୋଇଯିବ ବୋଲି ମଧ୍ୟ-ପ୍ରାଚ୍ୟ ସ୍ଥିତି ଉପରେ ଦୃଷ୍ଟି ରଖିଥିବା ବିଶେଷଜ୍ଞମାନେ ଅନୁମାନ କରନ୍ତି। ସେମାନେ କହନ୍ତି ଯେ ଲେବାନନ୍‌ ଉପରେ ଏକ ସୁସଂଗଠିତ ଆକ୍ରମଣ ପୂର୍ବରୁ ‘ହେଜବୋଲ୍ଲା’ର ମେରୁଦଣ୍ଡ ଉପରେ ଏହା ହେଉଛି ଇସ୍ରାଏଲ୍‌ର ଏକ ନିର୍ଘାତ ପ୍ରହାର। 
ସନ୍ଦେହ କରାଯାଇଥାଏ ଯେ ‘ପେଜର୍‌’ଗୁଡ଼ିକ ଭିତରେ ‘ପେଣ୍ଟାଏରିଥ୍ରିଟଲ୍‌’ ଓ ‘ଟିଏନ୍‌ଟି’ର ଏକ ସାଂଘାତିକ ମିଶ୍ରଣ ରଖାଯାଇଥିଲା, ଯାହା ଏଭଳି ବିସ୍ଫୋରଣ ସମ୍ଭବ କରାଇବା ସହିତ ଭୟାବହ ରୂପ ଦେଲା। କିନ୍ତୁ, ପ୍ରଶ୍ନ ଉଠେ ତାହା ସମ୍ଭବ ହେଲା କିପରି? ବିସ୍ଫୋରଣ ପରେ ‘ପେଜର୍‌’ଗୁଡ଼ିକର ଭଗ୍ନାଂଶରୁ ଯେଉଁ ତାଇୱାନ କଂପାନିର ନାମ ପଦାକୁ ଆସିଛି, ସେହି ‘ଗୋଲ୍‌ଡ ଆପୋଲୋ’ କଂପାନି ଏହି ଘଟଣା ସହିତ ଲେଶ ମାତ୍ର ସଂପୃକ୍ତିକୁ ଅସ୍ବୀକାର କରିଛି। ଏହା ସତ୍ୟ ହୋଇଥିବା ସୁନିଶ୍ଚିତ; କାରଣ କୌଣସି ବ୍ୟାବସାୟିକ ସଂସ୍ଥା ନିଜକୁ ତଳିତଳାନ୍ତ କଲା ଭଳି ଏଭଳି କାର୍ଯ୍ୟ କରିବ ନାହିଁ। ସୁତରାଂ, ଇସ୍ରାଏଲ୍‌ର ଅଦ୍ବିତୀୟ ଗୁଇନ୍ଦା ସଂସ୍ଥା ‘ମୋସାଦ୍‌’ର ଚକ୍ରାନ୍ତରେ ‘ହେଜବୋଲ୍ଲା’କୁ ମିଳିବା ପୂର୍ବରୁ ସେହି ସବୁ ଯନ୍ତ୍ରଗୁଡ଼ିକରେ ଅତି ସନ୍ତର୍ପଣ ଭାବେ ବାରୁଦ ପୂରାଇ ଦିଆଯାଇଛି! କହିବା ବାହୁଲ୍ୟ ‘ମୋସାଦ୍‌’ର ଅନୁପ୍ରବେଶ ଦକ୍ଷତା ମଧ୍ୟ ଅତୁଳନୀୟ। ‘ମୋସାଦ୍‌’ର ଗୁପ୍ତଚର ଏଲି କୋହେନ୍‌ ସିରିଆରେ ରହି ଇସ୍ରାଏଲ୍‌ ଲାଗି ଗୁପ୍ତଚରଗିରି କରୁଥିବା ବେଳେ କିଭଳି ସିରିଆର ରାଜନୀତିରେ ଉଚ୍ଚ ଆସନ ପାଇବା ସହିତ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ହୋଇପାରିଥିଲେ, ତାହା କିଂବଦନ୍ତି ସୁଲଭ। ସୁତରାଂ, ଏହି ସୁସମନ୍ବିତ ଓ ନିଖୁଣ ଭାବେ ସଂପାଦିତ ବିସ୍ଫୋରଣ ଘଟଣା ନିର୍ଦ୍ଦିଷ୍ଟ ଭାବେ ‘ମୋସାଦ୍‌’ ଚରିତ୍ର ବହନ କରିଥାଏ। ତେବେ ଏହି ଘଟଣା ଦ୍ବାରା ଆଉ ଯେଉଁ ଅତ୍ୟନ୍ତ ଉଦ୍‌ବେଗଜନକ ବାସ୍ତବତା ଭୟର କାରଣ ହୋଇଛି, ତାହା ହେଲା ଆତଙ୍କବାଦୀ ଆକ୍ରମଣ ଲାଗି ଏହା ଏକ ନୂଆ ବାଟ ଫିଟାଇ ଦେଲା। ଏଣିକି ଆମ ନିତ୍ୟବ୍ୟବହାର୍ଯ୍ୟ ଇଲେକ୍ଟ୍ରୋନିକ୍‌ ଦ୍ରବ୍ୟମାନ ମଧ୍ୟ ଆମ ଭରସାଯୋଗ୍ୟ ହୋଇ ରହିବେ ନାହିଁ; ସତେ ଯେମିତି ଘର ଢିଙ୍କି କୁମ୍ଭୀରରେ ପରିଣତ ହୋଇଛି। ଅନେକ ଦୃଷ୍ଟିରୁ ଲେବାନନ୍‌ର ‘ପେଜର୍‌’ ବୋମା ବିସ୍ଫୋରଣ ମଧ୍ୟ ଏକ ଆତଙ୍କବାଦୀ ଆକ୍ରମଣର ସମତୁଲ, ଯହିଁରେ ଅନେକ ନିରୀହ ନାଗରିକ ଏପରିକି ଶିଶୁମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଅନେକ କହିଥାଆନ୍ତି ଯେ ଅସାମାନ୍ୟ ଭାବେ ବୁଦ୍ଧିମାନ, ବିଚକ୍ଷଣ, ଏପରିକି ଧର୍ମଭୀରୁ ଅଥଚ ଅନେକ ସମୟରେ ଅତ୍ୟନ୍ତ ଦରଦହୀନ ହିବ୍ର୍ୟୁ ମସ୍ତିଷ୍କ ଦ୍ବାରା ଏଭଳି କିଛି ସଂଘଟିତ ହେବାରେ ବିସ୍ମୟର କାରଣ ମଧ୍ୟ ନ ଥାଏ!