ଇତିମଧ୍ୟରେ ଗଭୀର ଭାବେ ମ୍ରିୟମାଣ ଭିନେଶ କୁସ୍ତିରୁ ଅବସର ଘୋଷଣା କରି ଦେଇଛନ୍ତି। ପଦକଶୂନ୍ୟ ଭାବେ ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ନିଶ୍ଚୟ, କିନ୍ତୁ ୟୁଇ ଶୁଶାକିଙ୍କ ସମେତ ଆଉ ଦୁଇ ଜଣ ବିଶ୍ବସ୍ତରୀୟ କୁସ୍ତି ଖେଳାଳିଙ୍କୁ ସେ ପରାସ୍ତ କରିଥିବାର ବାସ୍ତବତାର ବିଲୟ କଦାପି ଘଟିବ ନାହିଁ। କାରଣ ୟୁଇ ଶୁଶାକି ଓ ଅନ୍ୟମାନଙ୍କୁ ପରାସ୍ତ କଲା ବେଳକୁ ତାଙ୍କ ଓଜନ ଥିଲା ୪୯.୯ କିଲୋଗ୍ରାମ!

Advertisment

ଗଲା ବୁଧବାର ଦିନ ଭାରତୀୟ ମହିଳା ମଲ୍ଲଯୋଦ୍ଧା ଭିନେଶ ଫୋଗଟଙ୍କ ଜୀବନରେ ଯେଉଁ ଅତ୍ୟନ୍ତ ନିଦାରୁଣ ହୃଦୟ-ଭଗ୍ନକାରୀ ଘଟଣାଟି ଘଟିଗଲା, ତା’ ଉପରେ ସମ୍ୟକ ଦୃଷ୍ଟିପାତ କଲେ ‘ଆପଲ୍‌’ କଂପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍‌ସଙ୍କ ପ୍ରସିଦ୍ଧ ଉକ୍ତିଟିଏ ସ୍ମରଣକୁ ଆସିଥାଏ ଯେ କୌଣସି ଘଟଣା ଘଟିଗଲା ପରେ ପଶ୍ଚାତ୍‌-ଅବଲୋକନ କରି ତାହା ପଛରେ ରହିଥିବା କାରଣର ବିନ୍ଦୁଗୁଡ଼ିକୁ ଯୋଡ଼ି ଚାଲିଲେ ଅଗତ୍ୟା ସଂପୂର୍ଣ୍ଣ ଚିତ୍ରଟିକୁ ଦେଖି ହୋଇଥାଏ, ଯାହା ହୁଏ’ତ ପ୍ରତୀତ ହୋଇପାରେ ନିୟତିର ବିଧାନ ଭଳି! ତେବେ, ସେ ଯାହା ହେଉ, ସୁଦୂର ପ୍ୟାରିସ୍‌ରେ ଭିନେଶ ଭୋଗିଥିବା ଦୁର୍ଭାଗ୍ୟ ଅବଲୀଳା କ୍ରମେ ସମଗ୍ର ରାଷ୍ଟ୍ରକୁ ଗଭୀର ବିଷଣ୍ଣତା ମଧ୍ୟକୁ ଠେଲି ଦେଇଛି; କୁସ୍ତିରେ ସ୍ବର୍ଣ୍ଣ ପଦକ ଜିଣିବାର ଅତୁଲ୍ୟ ସ୍ବପ୍ନ ସଂଚାର କରିଥିବା ଭିନେଶ ସଂପୂର୍ଣ୍ଣ ରିକ୍ତ ହସ୍ତରେ ସ୍ବଦେଶ ବାହୁଡ଼ିବାକୁ ବାଧ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ, ଏହା ପଛରେ ଷଡ୍‌ଯନ୍ତ୍ର ରହିଛି ବୋଲି ବିରୋଧୀ ଦଳଙ୍କ ଦ୍ବାରା ସୃଷ୍ଟ ଉଚ୍ଚାଟ ଦ୍ବାରା ସନ୍ଦେହର ଯେଉଁ ଘନ କୁହୁଡ଼ି ଘୋଟି ଆସିଛି, ତହିଁରେ ପରିଷ୍କାର ଦୃଷ୍ଟି ସକାଶେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ବର୍ତ୍ତମାନ ସୁବିଦିତ ଯେ ୫୦ କିଲୋଗ୍ରାମ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ପାଇଁ ଚୂଡ଼ାନ୍ତ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ପୂର୍ବରୁ ହୋଇଥିବା ଓଜନ ମାପରେ ଭିନେଶଙ୍କ ଓଜନ ମାତ୍ର ଶହେ ଗ୍ରାମ ଅଧିକ ଥିବା ଦୃଷ୍ଟିରୁ ତାଙ୍କୁ ସଂପୂର୍ଣ୍ଣ ଟୁର୍ନାମେଣ୍ଟ ଲାଗି ଅଯୋଗ୍ୟ ଘୋଷଣା କରି ଦିଆଗଲା। ଏହା ସହିତ ପ୍ରଥମ ଦିନର ପ୍ରାରମ୍ଭିକ ତିନିଟି କୁସ୍ତି ମ୍ୟାଚ୍‌ରେ ଭିନେଶଙ୍କ ଚମକପ୍ରଦ ପ୍ରଦର୍ଶନ ମଧ୍ୟ ନିରର୍ଥକ ହୋଇଯାଇଛି, ଯହିଁରେ ଅନ୍ତର୍ଭୁକ୍ତ କ୍ରମାଗତ ୮୨ଟି ମଲ୍ଲଯୁଦ୍ଧରେ ଅପରାଜେୟ ରହି ଆସିଥିବା ବିଶ୍ବ ଓ ଅଲିଂପିକ୍‌ ଚାଂପିଅନ ତଥା କୈବଦଂନ୍ତିକ ଜାପାନୀ ମଲ୍ଲଯୋଦ୍ଧା ୟୁଇ ଶୁଶାକିଙ୍କ ପରାଜୟ। ଅନେକଙ୍କ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ନିଷ୍ଠୁର ହୋଇଥିଲେ ହେଁ ଏହା ହିଁ ଅଲିଂପିକ ମଲ୍ଲଯୁଦ୍ଧର ନିୟମ, ଯାହା ଅନୁସାରେ ଦୁଇ ଦିନର ଏହି କୁସ୍ତି ମ୍ୟାଚ୍‌ଗୁଡ଼ିକୁ ଗୋଟିଏ ଶୃଙ୍ଖଳା ବୋଲି ବିଚାର କରାଯାଏ, ଯହିଁରେ ପ୍ରତିଦ୍ବନ୍ଦ୍ବୀମାନଙ୍କ ଓଜନ ସର୍ବମୋଟ ଦୁଇ ଥର ମାପ କରାଯାଇଥାଏ ଏବଂ ଯଦି କୌଣସି ଖେଳାଳି ଅଗତ୍ୟା ଦ୍ବିତୀୟ ତଥା ଚୂଡ଼ାନ୍ତ ଓଜନ ମାପରେ ବିଫଳ ହୁଅନ୍ତିି, ତେବେ ତାଙ୍କ ସକାଶେ ପ୍ରଥମ ଦିନର ଶ୍ରେୟଗୁଡ଼ିକ ମଧ୍ୟ ମୂଲ୍ୟହୀନ ହୋଇଯାଆନ୍ତି। ସୁତରାଂ, ପ୍ରଥମ ଦିନ ୪୯.୯ କେ.ଜି. ଓଜନ ଧାରଣ କରି ଅତ୍ୟନ୍ତ ସଫଳତାର ସହିତ ପଦକ ବିଜୟ ଯାତ୍ରା ପ୍ରାରମ୍ଭ କରିଥିବା ବିନେଶ ଦ୍ବିତୀୟ ଓ ଚୂଡ଼ାନ୍ତ ଓଜନ ମାପରେ ୫୦.୧ କେ.ଜି. ହୋଇଯାଇ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତେବେ, ଏଠାରେ ଉଲ୍ଲେଖନୀୟ ଯେ ବିଶ୍ବ କୁସ୍ତି ଚାଂପିଅନ୍‌ସିପ୍‌ ବା ଅନ୍ୟ ଅନ୍ତର୍ଜାତୀୟ କୁସ୍ତି ପ୍ରତିଦ୍ବନ୍ଦ୍ବିତାରେ ୨ କେ.ଜି.ର ଅଧିକ ଓଜନ ସହନୀୟ ହୋଇଥିବା ବେଳେ ଅଲିଂପିକ୍‌ସରେ ଅଣୁ ଅଂଶର ଆଧିକ୍ୟକୁ ମଧ୍ୟ ବରଦାସ୍ତ କରାଯାଇ ନ ଥାଏ। ତେଣୁ ଭିନେଶଙ୍କ ସକାଶେ ସମ୍ଭାବନାର ସମସ୍ତ ଦ୍ବାର ଅବରୁଦ୍ଧ ହୋଇଯାଇଥିଲା।
ଏବେ ପ୍ରଥମ ପ୍ରଶ୍ନ ଉଠିଥାଏ ଯେ ପୁଷ୍ଟି ବିଶେଷଜ୍ଞ, ଡାକ୍ତର ଓ ଫିଜିଓଥେରାପିଷ୍ଟ ଇତ୍ୟାଦିଙ୍କୁ ଘେନି ଏକ ସମର୍ପିତ ସହାୟକ ଦଳ ଥିବା ସତ୍ତ୍ବେ ଏଭଳି ବିଚ୍ୟୁତି ଘଟିଲା କେମିତି? ପ୍ରଥମ କଥା ହେଲା ମଲ୍ଲ ଓ ମୁଷ୍ଟି ଯୋଦ୍ଧାମାନଙ୍କ ଏଭଳି ନିଖୁଣ ଓଜନ ବଜାୟ ରଖିବା ଆହାର, ଅଭ୍ୟାସ ଓ ଶୟନର ଅତ୍ୟନ୍ତ ସୂକ୍ଷ୍ମ ଓ ଜଟିଳ ଶୃଙ୍ଖଳା ଲୋଡ଼ିଥାଏ। ଏଥର ଭିନେଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ଯେ ସେ ତାଙ୍କର ପ୍ରିୟ ୫୩ କେ.ଜି. ଓଜନ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ନ କରି ୫୦ କେ.ଜି. ଓଜନ ବର୍ଗରେ ଅଂଶ ଗ୍ରହଣ କରିବା ଲାଗି ସ୍ଥିର କରିଥିଲେ, ଯାହାର ଅର୍ଥ ତାଙ୍କ ହାରାହାରି ଓଜନ ୫୬ କେ.ଜି.ରେ ପ୍ରାୟ ୭ କେ.ଜି. ହ୍ରାସ ଘଟାଇବା ତାହା ପୁଣି ଛଅ ମାସର ପ୍ରସ୍ତୁତି ଅବଧିରେ। ଏହି ଉଦ୍ୟମରେ ତାଙ୍କ ଶରୀର ଅତ୍ୟନ୍ତ ଶୁଷ୍କ ଓ କ୍ଷୁଧିତ ସ୍ଥିତିରେ ରହିଥିଲା। ଏଭଳି ସ୍ଥଳେ ଅଧିକ କ୍ୟାଲୋରିର ଆହାର ତତ୍‌କ୍ଷଣାତ୍‌ ଶରୀରର ଓଜନରେ ବୃଦ୍ଧି ଘଟାଇଥାଏ। ସୁତରାଂ, ପ୍ରଥମ ଦିନର ମ୍ୟାଚ୍‌ଗୁଡ଼ିକ ପୂର୍ବରୁ ଅଧିକ ଶକ୍ତିି ଆହରଣ ଲାଗି ଭିନେଶ କରିଥିବା ଉଚ୍ଚ କ୍ୟାଲୋରିଯୁକ୍ତ ଭୋଜନ ତାହା ହିଁ ଘଟାଇଥିଲା, ଯହିଁରେ ମାତ୍ର ଗୋଟିଏ ଦିନରେ ତାଙ୍କ ଓଜନରେ ୨.୭ କେ.ଜି. ବୃଦ୍ଧି ହୋଇଯାଇଥିଲା। ‌େତଣୁ ସେଥିରେ ତୁରନ୍ତ ସଂକୋଚନ ଆଣିବା ଲାଗି ସେ ଓ ତାଙ୍କ ସହାୟକ ଦଳ ସାରା ରାତି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ମାତ୍ର ଶହେ ଗ୍ରାମର ଅତିରିକ୍ତ ଓଜନ ବଳି ପଡ଼ିଥିଲା, ହୁଏତ ଗୋଟିଏ ସାବୁନର ଓଜନତୁଲ୍ୟ ମାମୁଲି, ଅଥଚ ପାଦ ତଳୁ ମାଟି ଖସାଇଦେଲା ଭଳି! ଓଜନ ହ୍ରାସର ‘କର ବା ମର’ ଉଦ୍ୟମ କ୍ରମରେ ଭିନେଶଙ୍କ କେଶଗୁଚ୍ଛକୁ କଟା ଯାଇଥିଲା, ଶରୀରକୁ ସଂପୂର୍ଣ୍ଣ ଜଳଶୂନ୍ୟ କରି ଦିଆଯାଇଥିଲା, ଏପରିକି କିଛି ରକ୍ତ ବାହାର କରି ନେବାର ପ୍ର‌େଚଷ୍ଟା ମଧ୍ୟ ହୋଇଥିଲା, ଯାହା ତାଙ୍କ ପ୍ରାଣ ପ୍ରତି ବିପଦ ସୃଷ୍ଟି କରିଥିଲା। କିନ୍ତୁ ଶହେ ଗ୍ରାମର ଓଜନ ତଥାପି ଅଟଳ ରହିଯାଇଥିଲା!
ଏବେ ଦ୍ବିତୀୟ ପ୍ରଶ୍ନ ହେଲା, ଭିନେଶ ନିଜର ପ୍ରିୟ ୫୩ କେ.ଜି. ଓଜନ ବର୍ଗରେ ନ ଖେଳି ୫୦ କେ.ଜି. ଓଜନ ବର୍ଗରେ ଅଂଶ ଗ୍ରହଣ କରିବାର ନିଷ୍ପତ୍ତି ନେଲେ କାହିଁକି? ଏହା ତାଙ୍କର ପସନ୍ଦ ଥିଲା ନା ଥିଲା ଏକ ବାଧ୍ୟବାଧକତା? ଏଠାରେ ଆଲୋଚନାକୁ ଆସିଥାଏ ଗଲା ବର୍ଷ ଦିଲ୍ଲୀ ସଡ଼କରେ ଭିନେଶ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ତଥା ଅଲିଂପିକ୍‌ ପଦକ ବିଜେତା ମଲ୍ଲଯୋଦ୍ଧାମାନଙ୍କର ପ୍ରାୟ ଏକ ବର୍ଷ ବ୍ୟାପୀ ପ୍ରତିବାଦ ଧାରଣା, ଯାହାର କେନ୍ଦ୍ର ବିନ୍ଦୁ ଥିଲା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବାହୁବଳୀ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଦ୍ବାରା ମହିଳା କୁସ୍ତିବିତ୍‌ମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନର ଅଭିଯୋଗ। ଏହି କାରଣରୁ ଭିନେଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ସମେତ ଆଉ କେତେକ ଆନ୍ତର୍ଜାତିକ କ୍ରୀଡ଼ା ଶୃଙ୍ଖଳାରେ ଅଂଶ ଗ୍ରହଣ କରିବାରୁ ବଂଚିତ ହୋଇଥିଲେ। ଏହି କାରଣରୁ ୫୩ କେ.ଜି. ଓଜନ ବର୍ଗରେ ଅଲିଂପିକ୍‌ରେ ଅଂଶଗ୍ରହଣ କରିବାର ଯୋଗ୍ୟତା ଅନ୍ତିମ ପାଙ୍ଗାଲଙ୍କ ନିକଟକୁ ଚାଲିଯାଇଥିଲା। ଗୋଟିଏ ଓଜନ ବର୍ଗରେ ଜଣେ ମାତ୍ର ମଲ୍ଲଯୋଦ୍ଧାଙ୍କୁ ସୁଯୋଗ ମିଳିବାର ପ୍ରାବଧାନ ଥିବାରୁ ଅଗତ୍ୟା ଭିନେଶ ୫୦ କେ.ଜି. ଓଜନ ବର୍ଗରେ ଅଂଶଗ୍ରହଣ କରିବାକୁ ସ୍ଥିର କରିଥିଲେ। ଏହି କାରଣରୁ ତାଙ୍କୁ ଛଅ କେ.ଜି. ଓଜନ ହ୍ରାସ କରିବାର ଆବଶ୍ୟକତା ଥିଲା, ଯଦିଓ ଶକ୍ତିରେ କ୍ଷୟ କୌଣସି ପ୍ରକାରେ ବରଦାସ୍ତଯୋଗ୍ୟ ନ ଥିଲା। ଏଭଳି ଏକ ଅତ୍ୟନ୍ତ ସୂକ୍ଷ୍ମ ଓ ଜଟିଳ ପ୍ରସ୍ତୁତି ଲାଗି ଭିନେଶଙ୍କ ହାତରେ ଥିଲା ମାତ୍ର ଛଅ ମାସର ସମୟ, କାରଣ ପ୍ରତିବାଦ ଧାରଣାରେ ସେ ଦୀର୍ଘ କାଳ ଧରି ସଡ଼କରେ ବସି ରହି କୁସ୍ତି ଆଖଡ଼ାକୁ ଫେରି ନ ଥିଲେ।
ଏହା ନିଃସନ୍ଦେହ ଯେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଇଥିଲେ, ହୁଏତ ଭିନେଶଙ୍କ ଜୀବନରେ ଏଭଳି ଦୁର୍ଦିନ ଆସି ନ ଥାଆନ୍ତା! କାରଣ ଭିନେଶ ଅବିଳମ୍ବେ ସଡ଼କରୁ କୁସ୍ତି ଆଖଡ଼ାକୁ ପ୍ରତ୍ୟାବର୍ତ୍ତନ କରି ଅଭ୍ୟାସ ଓ ପ୍ରସ୍ତୁତି ଜାରି ରଖିଥାଆନ୍ତେ ଏବଂ ତାଙ୍କ ପ୍ରିୟ ୫୩ କେ.ଜି. ଓଜନ ବର୍ଗରେ ହୁଏତ ପଦକଟିଏ ମଧ୍ୟ ଜିଣିଥାଆନ୍ତେ! ପ୍ରତିବାଦ ଆନ୍ଦୋଳନ ହେତୁ ଶାସକ ବିଜେପି ଦଳର ଚକ୍ଷୁଶୂଳ ହୋଇ ପଡ଼ିଥିବା ଭିନେଶ ଏକ ଗଭୀର ରାଜନୈତିକ ଷଡ୍‌ଯନ୍ତ୍ରର ଶିକାର ବୋଲି ବିରୋଧୀ ଦଳଗୁଡ଼ିକ ସନ୍ଦେହ ପ୍ରକଟ କରିଥାଆନ୍ତି। କିନ୍ତୁ ତାହା ହୁଏତ ଅମୂଳକ! କାରଣ ଭାରତୀୟ କୁସ୍ତି ମହାସଂଘ ଉପରେ ଭରସା ଜୁଟାଇ ନ ପାରି ଭିନେଶ ତାଙ୍କ ଶରୀରର ତତ୍ତ୍ବ ନେବା ଲାଗି ନିଜ ପସନ୍ଦର ବ୍ୟକ୍ତିମାନଙ୍କୁ ସହାୟକ ଭାବେ ନିୟୋଜିତ କରିଥିଲେ। କିନ୍ତୁ, ତାଙ୍କର ଏହି ଦୁର୍ଭାଗ୍ୟ ପଛରେ ଯେଉଁ ରାଜନୈତିକ କାରଣଟି ରହିଛି, ତାହା ହେଲା ଦଳୀୟ ସାଂସଦଙ୍କୁ ସମର୍ଥନ କରି ମଲ୍ଲଯୋଦ୍ଧାମାନଙ୍କ ପ୍ରତିବାଦ ପ୍ରତି ସରକାରଙ୍କ ପାଷାଣତୁଲ୍ୟ ସମ୍ବେଦନଶୂନ୍ୟତା, ଯାହା ପ୍ରତିବାଦ ଧାରଣାକୁ ଅକାରଣେ ଦୀର୍ଘକାଳୀନ କରିଥିଲା ଓ ପରବର୍ତ୍ତୀ ଘଟଣାକ୍ରମ ଲାଗି ମଞ୍ଚ ପ୍ରସ୍ତୁତ କରିଥିଲା।
ଏବେ ଷ୍ଟିଭ ଜବ୍‌ସଙ୍କ ବିନ୍ଦୁଗୁଡ଼ିକୁ ଯୋଡ଼ି ଦେଲେ ଭିନେଶ ଫୋଗଟଙ୍କ ଦୁର୍ଭାଗ୍ୟ ସମ୍ଭବ କରିଥିବା ଏକ ସୁସଂହତ ଚିତ୍ର ଦିଶିଯାଏ। ଇତିମଧ୍ୟରେ ଗଭୀର ଭାବେ ମ୍ରିୟମାଣ ଭିନେଶ କୁସ୍ତିରୁ ଅବସର ଘୋଷଣା କରି ଦେଇଛନ୍ତି। ପଦକଶୂନ୍ୟ ଭାବେ ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ନିଶ୍ଚୟ, କିନ୍ତୁ ୟୁଇ ଶୁଶାକିଙ୍କ ସମେତ ଆଉ ଦୁଇ ଜଣ ବିଶ୍ବସ୍ତରୀୟ କୁସ୍ତି ଖେଳାଳିଙ୍କୁ ସେ ପରାସ୍ତ କରିଥିବାର ବାସ୍ତବତାର ବିଲୟ କଦାପି ଘଟିବ ନାହିଁ। କାରଣ ୟୁଇ ଶୁଶାକି ଓ ଅନ୍ୟମାନଙ୍କୁ ପରାସ୍ତ କଲା ବେଳକୁ ତାଙ୍କ ଓଜନ ଥିଲା ୪୯.୯ କିଲୋଗ୍ରାମ!