ଭାରତର ଲୋକସଂଖ୍ୟାରୁ ଆରମ୍ଭ କରି ସେମାନଙ୍କର ଜୀବନଧାରଣର ମାନ, ସେମାନଙ୍କର ଉପଭୋଗର ଢାଞ୍ଚା, ସେମାନଙ୍କର ଶ୍ରମ-ଦକ୍ଷତା, ଆଞ୍ଚଳିକ ବୈଷମ୍ୟ ଆଦି ସମ୍ବନ୍ଧରେ ଜନଗଣନାରୁ ଯେଉଁ ସମସ୍ତ ସୂଚନା ସର୍ବଜନ ଗୋଚରାର୍ଥେ ପ୍ରକା‌ଶ ପାଇବ, ତାହା ଉପରୋକ୍ତ ଶିଳ୍ପ ବ୍ୟବସାୟ ଓ ନିବେଶକ ଆଦିଙ୍କୁ ଭାରତ ସମ୍ବନ୍ଧରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରି ସେମାନଙ୍କୁ ଏଠାକୁ ଆଗମନ ସମ୍ବନ୍ଧରେ ନିଷ୍ପତ୍ତି ନେବାରେ ସହାୟକ ହେବ। ସର୍ବୋପରି ଜନଗଣନା ଅନୁଷ୍ଠିତ ହେଲେ ଏହାର ବିଳମ୍ବକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିଭିନ୍ନ ରାଜନୈତିକ ଗୁଜବର ଅବସାନ ଘଟିବ। ସମସ୍ତ ଦୃଷ୍ଟିକୋଣରୁ ଦେଖିଲେ, ଜନଗଣନା ଅନୁଷ୍ଠିତ ହେବାକୁ ଯାଉଥିବା ଗୁଞ୍ଜରଣ ବାସ୍ତବତାରେ ପରିଣତ ହେଉ, ଏହା ଆମେ ସର୍ବାନ୍ତକରଣରେ କାମନା କରୁଛୁ।

Advertisment

ଅସମର୍ଥିତ ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁସାରେ ସରକାର ଆସନ୍ତା ବର୍ଷ ବହୁ ବିଳମ୍ବିତ ତଥା ବହୁ ପ୍ରତୀକ୍ଷିତ ଜନଗଣନା ଅନୁଷ୍ଠିତ କରାଇବା ପାଇଁ ଯୋଜନା କରୁଛନ୍ତି ବୋଲି ସୁରାକ୍ ମିଳୁଛି। ଏହି ସୂଚନା ଅନୁସାରେ ଜନଗଣନା କାର୍ଯ୍ୟ ୨୦୨୫ରେ ଆରମ୍ଭ ହୋଇ ୨୦୨୬ରେ ସମାପ୍ତ ହେବାକୁ ଯୋଜନା କରାଯାଉଛି। ଯଦି ଏହା ସତ ହୋଇଥାଏ, ତେବେ ବି ଦେଶର ଏହି ଜନଗଣନା ଅନୁଷ୍ଠିତ ହେବାରେ ତଥାପି ଦୀର୍ଘ ଚାରି ବର୍ଷ ବିଳମ୍ବ ହୋଇସାରିଥିବ, କାରଣ ନିୟମିତ ଧାରା ଅନୁସାରେ ଏହି ଦଶନ୍ଧୀୟ ଜନଗଣନା ୨୦୨୧ରେ ଅନୁଷ୍ଠିତ ହୋଇସାରିଥାନ୍ତା। ଜନଗଣନାର ଏହି ନିୟମିତ ଧାରା ଭଙ୍ଗ ହେବାର ମୁଖ୍ୟ କାରଣ ଅବଶ୍ୟ ସୁବିଦିତ- ସେଇ ସମୟରେ ଭାରତ ସମେତ ସାରା ପୃଥିବୀକୁ କବଳିତ କରିଥିବା କୋଭିଡ୍-୧୯ ପାଣ୍ଡେମିକ୍। ଦେଶବାସୀ ତାଟିକବାଟ କିଳି ନିଜ ନିଜ ଘର ଭିତରେ ଲୁଚି ରହିଥିବା ବେଳେ ସେମାନଙ୍କର ଗଣତି କରିବା କଥା କଳ୍ପନା ମଧ୍ୟ କରାଯାଇ ନ ପାରେ।
କୋଭିଡ୍‌ର ଆବିର୍ଭାବର ଅବ୍ୟବହିତ ପୂର୍ବରୁ ସରକାର ଜନଗଣନା ନିମିତ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ହେଁ ୧୮୮୧ ପରେ ପ୍ରଥମ ଥର ପାଇଁ ଏହି ଧାରାକୁ ଅବ୍ୟାହତ ରଖିବା ସମ୍ଭବ ହୋଇ ନ ଥିଲା। ଭାରତ ଅବଶ୍ୟ କୋଭିଡ୍ ପାଖରେ ହାର୍ ମାନି ନିଜର ଦେଶବାସୀମାନଙ୍କର ଗଣନା କରି ନ ପାରିବାରେ ପୃଥିବୀର ଏକମାତ୍ର ଦେଶ ନ ଥିଲା; ସେତେବେଳେ ଭାରତ ସମେତ ୪୪ଟି ଦେଶ ସେମାନଙ୍କର ଜନଗଣନା ଏହି କାରଣରୁ ବାତିଲ କରିବା ପାଇଁ ବାଧ୍ୟ ହୋଇଥିଲେ। କୋଭିଡ୍-୧୯ ମହାମାରିର ଏହି ମାରାତ୍ମକ ପ୍ରଭାବ ସମ୍ବନ୍ଧରେ ଧାରଣା ସ୍ପଷ୍ଟ କରିବା ନିମିତ୍ତ ଏତିକି ସୂଚାଇଲେ ଯଥେଷ୍ଟ ହେବ ଯେ ପୃଥିବୀକୁ ଆକ୍ରାନ୍ତ କରିଥିବା ଦ୍ବିତୀୟ ବିଶ୍ବଯୁଦ୍ଧର ଘନଘଟା‌ ମଝି‌େର ମଧ୍ୟ ୧୯୪୧ରେ ନିଧାର୍ଯ୍ୟ ସମୟରେ ଭାରତରେ ଜନଗଣନା ଅନୁଷ୍ଠିତ ହୋଇଥିଲା।
ଏଠାରେ ଉଲ୍ଲେଖ କରିବା ଉଚିତ ଯେ ଯେଉଁ ଦୁଇଟି ଦେଶବ୍ୟାପୀ ପ୍ରକ୍ରିୟାର ସୁଚାରୁ ସଂପାଦନ ନିମିତ୍ତ ଭାରତ ବିଶ୍ବ ଦରବାରରେ ଭୂୟସୀ ପ୍ରଶଂସାର ଅଧିକାରୀ ହୋଇଥାଏ, ସେଥିମଧ୍ୟରୁ ଗୋଟିଏ ସାଧାରଣ ନିର୍ବାଚନ ହୋଇଥିବା ବେଳେ, ଅନ୍ୟଟି ହେଉଛି ଜନଗଣନା। ଦୀର୍ଘ ଚାରି ବର୍ଷ ଧରି ଏହି ଜନଗଣନା ବିଳମ୍ବିତ ହେବା କେବଳ ଏକ ପରିସଂଖ୍ୟାନ ମାତ୍ର ନୁହେଁ, ଏହି ବିଳମ୍ବ ଆମର ଦୀର୍ଘକାଳୀନ ବିକାଶକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ଆମର ଜାତୀୟ ଅନୁଷ୍ଠାନମାନଙ୍କର ପାରଦର୍ଶିତା ସଂପର୍କରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ନିତିଦିନିଆ ଶାସନ କାର୍ଯ୍ୟରୁ ବିକାଶମୁଖୀ ପ୍ରଶାସନ ପର୍ଯ୍ୟନ୍ତ ଯେ ସର୍ବଦା ନିର୍ଭରଯୋଗ୍ୟ ତଥ୍ୟ ଉପରେ ନିର୍ଭରଶୀଳ ହୋଇଥାଏ, ଏହା ସରକାର ଠାରୁ ଅଧିକ କିଏ ପ୍ରତ୍ୟକ୍ଷ ଭାବରେ ହୃଦୟଙ୍ଗମ କରିଥାଏ?
କେବଳ ସରକାର ନୁହେଁ, ଥିଙ୍କ୍ ଟ୍ୟାଙ୍କ୍‌ମାନଙ୍କ ଠାରୁ ବ୍ୟବସାୟ ଅନୁଷ୍ଠାନମାନଙ୍କ ପର୍ଯ୍ୟନ୍ତ, ଅର୍ଥନୀତିର ନିୟନ୍ତ୍ରକ ଅନୁଷ୍ଠାନମାନଙ୍କ ଠାରୁ ଗବେଷଣା ପ୍ରତିଷ୍ଠାନମାନଙ୍କ ପର୍ଯ୍ୟନ୍ତ ଦିଗ୍‌ଦର୍ଶକ ସୂଚନାରାଜି ଉପରେ ନିର୍ଭର କରୁଥିବା ସମସ୍ତେ ଦଶ ବର୍ଷରେ ଥରେ ଜନଗଣନା ମାଧ୍ୟମରେ ସଂଗୃହୀତ ନିର୍ଭରଯୋଗ୍ୟ ତଥ୍ୟ ସବୁକୁ ଚାତକ ପରି ଚାହିଁ ରହିଥାନ୍ତି। ଏହି ନୂତନ ତାତ୍‌କାଳିକ ତଥ୍ୟର ଅନୁପସ୍ଥିତିରେ ସେମାନେ ବାଧ୍ୟ ହୋଇ ଯେଉଁ ପୁରୁଣା ତଥ୍ୟକୁ ଅନୁସରଣ କରି କାର୍ଯ୍ୟ କରିଥାନ୍ତି, ତାହା ଅଚଳ ପଇସା ଭଳି ଅନୁପଯୁକ୍ତ କହିଲେ ଅତିରଂଜନ ହେବନାହିଁ। ଉଦାହରଣ ସ୍ବରୂପ ଏକ ନୂତନ ଜନଗଣନାରୁ ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସ କରୁଥିବା ଜନସଂଖ୍ୟା ସମ୍ବନ୍ଧରେ ପ୍ରକୃତ ସୂଚନା ଉପଲବ୍‌ଧ ହେବା ସହିତ ସେମାନଙ୍କର ଆୟ, ଖର୍ଚ୍ଚ ଆଦି ସମ୍ବନ୍ଧରେ ଯେଉଁ ବାସ୍ତବ ସୂଚନା ପ୍ରକାଶ ପାଇଥାଏ, ତାହା ପ୍ରଶାସନ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ନୀତିନିର୍ଦ୍ଧାରଣରେ ଯେଉଁଭଳି ସହାୟକ ହୋଇଥାଏ, ଶିଳ୍ପ ବ୍ୟବସାୟ ପାଇଁ ସେମାନଙ୍କର ନିବେଶ ଗତିପଥ ନିର୍ଦ୍ଧାରଣରେ ମଧ୍ୟ‌ ସେଇଭଳି ଅତ୍ୟନ୍ତ ଉପଯୋଗୀ ହୋଇଥାଏ।
ଜନଗଣନାରୁ ଉପଲବ୍‌ଧ ସୂଚନା ଆଧାରରେ ରାଷ୍ଟ୍ରର ପରିଚାଳକମାନେ ନାଗରିକମାନଙ୍କ ପାଇଁ ଜନମଙ୍ଗଳ ଯୋଜନାମାନ ରୂପାୟନ କରିଥାନ୍ତି, ଜିଲ୍ଲାମାନଙ୍କର ପରିସୀମା ନିର୍ଦ୍ଧାରଣ କରିଥାନ୍ତି, ବିଭିନ୍ନ ଅଞ୍ଚଳମାନଙ୍କୁ ସମ୍ବଳ ଆବଣ୍ଟନ କରିଥାନ୍ତି, ଏବଂ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇବା ନିମିତ୍ତ ବ୍ୟବସ୍ଥା କରିଥାନ୍ତି। ସଦ୍ୟତମ ସୂଚନା ଉପଲବ୍‌ଧ ନ ହେଲେ ସରକାରଙ୍କୁ ଅନ୍ଧାରରେ ବାଡ଼ ବୁଲାଇବାକୁ ପଡ଼ିଥାଏ, ଏବଂ ସେ ବାଡ଼ିର ପାହାରରେ ଅନେକ ନିରୀହ ନାଗରିକ ଆହତ ହେବାର ଦୃଢ଼ ସମ୍ଭାବନା ରହିଥାଏ। ଏକ ଉଦାହରଣ ସ୍ବରୂପ ୨୦୨୧ରେ ଜନଗଣନା କରାଯାଇ ପାରି ନ ଥିବା ହେତୁ ସରକାର ୨୦୧୧ର ଜନଗଣନାକୁ ଭିତ୍ତି କରି କାର୍ଯ୍ୟ କରୁଥିବା କାରଣରୁ ଦେଶରେ କାର୍ଯ୍ୟକାରୀ ହେଉଥିବା ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ବା ‘ପିଡିଏସ୍’ରୁ ପ୍ରାୟ ୧୦୦ ନିୟୁତ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଛନ୍ତି ବୋଲି ଅର୍ଥନୀତିଜ୍ଞମାନେ ଅଭିଯୋଗ କରିଥାନ୍ତି।
ଏକ ବୃହତ୍ତର ଦୃଷ୍ଟିକୋଣରୁ ଯଦି ଦେଖାଯାଏ, ତେବେ ଭାରତରେ ଜନଗଣନା ଅନୁଷ୍ଠିତ ନ ହେବା ସମଗ୍ର ପୃଥିବୀର ଜନସଂଖ୍ୟା ଚିତ୍ରକୁ ଝାପ୍‌ସା କରିଦେଇଥାଏ; କାରଣ ପୃଥିବୀର ମୋଟ ଜନସଂଖ୍ୟାର ପ୍ରାୟ ଏକ-ପଞ୍ଚମାଂଶ ଭାରତରେ ବାସ କରିଥାନ୍ତି। ଏହି ଝାପ୍‌ସା ଚିତ୍ର ବର୍ତ୍ତମାନ ସମୟରେ ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ବିଗତ ଦଶନ୍ଧିମାନଙ୍କରେ ପୃଥିବୀସାରାର ଶିଳ୍ପ ବ୍ୟବସାୟ ଗୋଷ୍ଠୀ ଓ ନିବେଶକମାନେ ଯେଉଁ ଚୀନ୍‌ମୁହଁା ହେବା ଦେଖାଯାଇଥିଲା, ସେଥି‌ରେ ବିଭିନ୍ନ କାରଣରୁ ବର୍ତ୍ତମାନ ପରିବର୍ତ୍ତନ ଦେଖାଦେବା ଆରମ୍ଭ ହୋଇଛି। ଭାରତ ସେମାନଙ୍କ ପାଇଁ ଏକ ଆଦର୍ଶ ବିକଳ୍ପ ଲକ୍ଷ୍ୟସ୍ଥଳୀ ରୂପେ ଆବିର୍ଭୂତ ହେବା ପାଇଁ ଯେ ଲକ୍ଷ୍ୟ ରଖିଛି, ଏହା କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବ୍ୟାପକ ଆଲୋଚନା ଓ କଳ୍ପନାଜଳ୍ପନାର ବିଷୟବସ୍ତୁରେ ପରିଣତ ହୋଇଛି।
କିନ୍ତୁ ଏଥିସହିତ ମନେ ରଖିବାକୁ ହେବ ଯେ ସେମାନଙ୍କର ଏହି ଦିଗ ପରିବର୍ତ୍ତନ କାହାର ନିର୍ଦ୍ଦେଶର ଚାପରେ ନ ଘଟି ଭାରତୀୟ ଅର୍ଥନୀତିର ଆକର୍ଷଣ ଯୋଗୁଁ ହିଁ ଘଟିବ। ଭାରତର ଲୋକସଂଖ୍ୟାରୁ ଆରମ୍ଭ କରି ସେମାନଙ୍କର ଜୀବନଧାରଣର ମାନ, ସେମାନଙ୍କର ଉପଭୋଗର ଢାଞ୍ଚା, ସେମାନଙ୍କର ଶ୍ରମ-ଦକ୍ଷତା, ଆଞ୍ଚଳିକ ବୈଷମ୍ୟ ଆଦି ସମ୍ବନ୍ଧରେ ଜନଗଣନାରୁ ଯେଉଁ ସମସ୍ତ ସୂଚନା ସର୍ବଜନ ଗୋଚରାର୍ଥେ ପ୍ରକା‌ଶ ପାଇବ, ତାହା ଉପରୋକ୍ତ ଶିଳ୍ପ ବ୍ୟବସାୟ ଓ ନିବେଶକ ଆଦିଙ୍କୁ ଭାରତ ସମ୍ବନ୍ଧରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରି ସେମାନଙ୍କୁ ଏଠାକୁ ଆଗମନ ସମ୍ବନ୍ଧରେ ନିଷ୍ପତ୍ତି ନେବାରେ ସହାୟକ ହେବ। ସର୍ବୋପରି ଜନଗଣନା ଅନୁଷ୍ଠିତ ହେଲେ ଏହାର ବିଳମ୍ବକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିଭିନ୍ନ ରାଜନୈତିକ ଗୁଜବର ଅବସାନ ଘଟିବ। ସମସ୍ତ ଦୃଷ୍ଟିକୋଣରୁ ଦେଖିଲେ, ଜନଗଣନା ଅନୁଷ୍ଠିତ ହେବାକୁ ଯାଉଥିବା ଗୁଞ୍ଜରଣ ବାସ୍ତବତାରେ ପରିଣତ ହେଉ, ଏହା ଆମେ ସର୍ବାନ୍ତକରଣରେ କାମନା କରୁଛୁ।