କହିବାରେ ଦ୍ବିଧା ନାହିଁ ଯେ ପୁନର୍ବାର ଏକ ଶୀତଳ ଯୁଦ୍ଧ ପ୍ରାରମ୍ଭର ସ୍ପଷ୍ଟ ସୂଚନା ମିଳିସାରିଲାଣି, ଯହିଁରେ ଅସ୍ତମିତ ସୋଭିଏତ୍ ରୁଷିଆ ସ୍ଥାନରେ ଦ୍ବିତୀୟ ଧ୍ରୁବ ରୂପେ ଚୀନର ଆବିର୍ଭାବ ଘଟିଛି, ଯେଉଁ ରାଷ୍ଟ୍ର ରୁଷିଆ, ପାକିସ୍ତାନ ଓ ଉତ୍ତର କୋରିଆ ଭଳି ସନ୍ଦିଗ୍ଧ ରାଷ୍ଟ୍ରଙ୍କ ସମେତ ଆର୍ଥିକ ଭାବେ ଦୁର୍ବଳ କେତେକ ବଚସ୍କର ଆଫ୍ରିକୀୟ ରାଷ୍ଟ୍ରଙ୍କୁ ନେଇ ଯୁଦ୍ଧ ଲାଗି ପ୍ରସ୍ତୁତ ହେବା ଭଳି ମନେ ହୋଇଥାଏ।
ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ଦୁଇଦିନିଆ ‘ଜି-୨୦’ ଶିଖର ସମ୍ମିଳନୀ ପ୍ରାରମ୍ଭ ହେବାକୁ ଯାଉଛି, ଯହିଁରେ ଏହି ଗୋଷ୍ଠୀ ଅନ୍ତର୍ଗତ କୋଡ଼ିଏଟି ରାଷ୍ଟ୍ର ଏବଂ ସାତଟି ଅମାନ୍ତ୍ରିତ ରାଷ୍ଟ୍ରର ଶାସନ ମୁଖ୍ୟ ଯୋଗ ଦେଇ ତାହାର ମୁଣ୍ଡି ମାରିଥାଆନ୍ତେ; ଯଦି ଚୀନ ଏବଂ ରୁଷିଆର ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭ୍ଲାଡିମିର ପୁଟିନ ଅନୁପସ୍ଥିତ ରହି ସେମାନଙ୍କ ପ୍ରତିନିଧିମାନଙ୍କୁ ପ୍ରେରଣ କରିବାର ନିଷ୍ପତ୍ତି ନେଇ ନ ଥାଆନ୍ତେ! ଏଥିରେ ଦ୍ବିରୁକ୍ତି ନାହିଁ ଯେ ‘ଜି-୨୦’ ହେଉଛି ଏକ ଅତ୍ୟନ୍ତ ପ୍ରଭାବଶାଳୀ ସଂଗଠନ, ଯାହାର ସଦସ୍ୟ ରାଷ୍ଟ୍ରଗୁଡ଼ିକର ସମ୍ମିଳିତ ଜନସଂଖ୍ୟା ପୃଥିବୀ ଜନସଂଖ୍ୟାର ୬୦ ପ୍ରତିଶତ; ବାଣିଜ୍ୟର ଅଂଶ ୭୫ ପ୍ରତିଶତ ଏବଂ ବିଶ୍ବ ପରିପ୍ରେକ୍ଷୀରେ ଅର୍ଥନୀତିର ଆକାର ୮୦ ପ୍ରତିଶତ। ଏଭଳି ସ୍ଥଳେ ଏହାର ଅଧ୍ୟକ୍ଷ ରାଷ୍ଟ୍ର ରୂପେ ଭାରତର ଦାୟିତ୍ବ ଯେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ତାହା କହିବା ବାହୁଲ୍ୟ ମାତ୍ର। କିନ୍ତୁ, ସଂପ୍ରତି ବିଭିନ୍ନ ରାଷ୍ଟ୍ର ସେମାନଙ୍କ ଅଭୀପ୍ସା, ଲକ୍ଷ୍ୟ, ଆବଶ୍ୟକତା, ଅଭିସନ୍ଧି, ଅସହାୟତା ଏବଂ ରଣନୀତି ଇତ୍ୟାଦି ଦୃଷ୍ଟିରୁ ଏଭଳି ଭିନ୍ନ ଭିନ୍ନ ଆଭିମୁଖ୍ୟ ତଥା ପକ୍ଷ ଗ୍ରହଣ କରିବାରେ ଲାଗିଛନ୍ତି ଯେ ସମସ୍ତଙ୍କୁ ନେଇ ଏକ ସର୍ବସମ୍ମତ ଚୂଡ଼ାନ୍ତ ନିଷ୍କର୍ଷକୁ ଜନ୍ମ ଦେବା ବା କାର୍ଯ୍ୟକାରୀ କରିପାରିବା ଅନେକତ୍ର ସମ୍ଭବପର ହେଉନାହିଁ। ଏଭଳି ସ୍ଥଳେ ପୂର୍ବରୁ ଗଠିତ ଅେନକ ମହତ୍ତ୍ବପୂର୍ଣ୍ଣ ଆନ୍ତର୍ଜାତିକ ସଂଗଠନ କ୍ରମେ ନିଷ୍ପ୍ରଭାବୀ, ଅପ୍ରାସଙ୍ଗିକ ଏପରିକି ଅଚଳ ହେବାକୁ ବସିଲେଣି ଏବଂ ନୂତନ ଗୋଷ୍ଠୀମାନ ମଧ୍ୟ ଉଦୟ ହେବାରେ ଲାଗିଛନ୍ତି। ଏଭଳି ସ୍ଥଳେ ‘ଜି-୨୦’ ଭଳି ଏକ ସଂଗଠନର ଅଧ୍ୟକ୍ଷତା ଅତ୍ୟନ୍ତ ଆହ୍ବାନଭରା ହେବା ସ୍ବାଭାବିକ ମଧ୍ୟ; ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା କରାଯିବା ଆବଶ୍ୟକ।
ଏହି ‘ଜି-୨୦’ ସମ୍ମିଳନୀରେ ଚୀନ ଏବଂ ରୁଷିଆର ରାଷ୍ଟ୍ର ମୁଖ୍ୟଙ୍କ ଅନୁପସ୍ଥିତିକୁ ନେଇ ଅନେକତ୍ର ଏକ ଧାରଣା ସୃଷ୍ଟି ହୋଇଛି ଯେ ଭାରତ ସହିତ ତିକ୍ତ ସଂପର୍କ କାରଣରୁ ଚୀନ ଏବଂ ଯୁଦ୍ଧ ଉତ୍ପ୍ରେରକ ରୂପେ ଏକଘରିଆ ହୋଇ ପଡ଼ିଥିବା ଜନିତ ଅସ୍ବସ୍ତିକୁ ଏଡ଼ାଇବା ଲାଗି ରୁଷିଆ ଏହି ସମ୍ମିଳନୀରେ ଯୋଗ ଦେଉ ନାହାନ୍ତି। କିନ୍ତୁ, ଏକ ବାସ୍ତବତା ହେଲା, ରୁଷିଆ ଭଳି ଚୀନ ସକାଶେ ମଧ୍ୟ ‘ଜି-୨୦’ ଭଳି ସଂଗଠନ ଅସ୍ବସ୍ତିର କାରଣ ହେବା ଭଳି ବାତାବରଣ କ୍ରମେ ସୃଷ୍ଟି ହେଲାଣି; ଯାହା ମଧ୍ୟ ହୋଇପାରେ ଚୀନର ଅନୁପସ୍ଥିତିର ଆଉ ଏକ କାରଣ। ଏଥିରେ ଦ୍ବିରୁକ୍ତିି ନାହିଁ ଯେ କୋଭିଡ୍ ପାଣ୍ଡେମିକ୍ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଯଥାକ୍ରମେ ଚୀନ ଓ ରୁଷିଆ ପୃଥିବୀର ଅନେକ ରାଷ୍ଟ୍ରଙ୍କ ଚକ୍ଷୁରେ ସନ୍ଦେହାସ୍ପଦ ଓ ବିଶ୍ବାସ-ଅଯୋଗ୍ୟ ହୋଇ ଉଠିଛନ୍ତି। କେବଳ ସେତିକି ନୁହେଁ, କୋଭିଡ୍ ପରବର୍ତ୍ତୀ କାଳରେ ଚୀନ ଦ୍ବାରା ତୀବ୍ର ସାମ୍ରାଜ୍ୟ ବିସ୍ତାରୀ ମନୋଭାବର ପ୍ରଦର୍ଶନ ହେତୁ ତା’ ସୀମା ସଂଲଗ୍ନ ପ୍ରାୟ ସବୁ ପଡ଼ୋଶୀ ରାଷ୍ଟ୍ରଙ୍କ ସହିତ ତା’ର ମନୋମାଳିନ୍ୟ ଘଟିଛି ଏବଂ ଦକ୍ଷିଣ ଚୀନ ସାଗର ତଥା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଛି। ଏହି କାରଣରୁ ସୃଷ୍ଟ ପ୍ରତିକ୍ରିୟାକୁ ରାଷ୍ଟ୍ରମୁଖ୍ୟମାନେ ‘ଜି-୨୦’ ଭଳି ସଂଗଠନର ସଂଭ୍ରମତା କାରଣରୁ ଯେତେ ଅନୁଚ୍ଚାରିତ କରି ରଖିଲେ ମଧ୍ୟ କାଳେ ତାହାର ଆଭାସ ସେମାନଙ୍କ ଆଙ୍ଗିକ ଉଚ୍ଚାରଣରେ ପରିସ୍ଫୁଟ ହୋଇଯିବ; ସେ ଆଶଙ୍କା ହୁଏ’ତ ଚୀନର ଥିବ। ପୁଣି, ଏହି ଶିଖର ସମ୍ମିଳନୀରେ ଚୀନ ବିରୋଧୀ ଚତୁେର୍ଦଶୀୟ ସଂଗଠନ ‘କ୍ବାଡ୍’ ଅନ୍ତର୍ଗତ ରାଷ୍ଟ୍ର ମୁଖ୍ୟମାନଙ୍କ ଉପସ୍ଥିତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପସନ୍ଦଯୋଗ୍ୟ ହୋଇ ନ ଥିବ! ସୁତରାଂ, ଚୀନ ରାଷ୍ଟ୍ରପତି ଏହି ସମ୍ମିଳନୀକୁ ଆସିବାକୁ ମଙ୍ଗି ନ ଥିବେ। କିନ୍ତୁ ରୁଷିଆର ପରିସ୍ଥିତି ଭିନ୍ନ; ସେହି ଦେଶ ଏବେ ଏକ ଦୁର୍ବଳ ଅର୍ଥଶକ୍ତିରେ ପରିଣତ ହୋଇ ଚୀନର ବଶମ୍ବଦ ହେବାକୁ ବସିଲାଣି। ଏକ ବର୍ଷାଧିକ କାଳ ଯୁଦ୍ଧ ପରେ ସୁଦ୍ଧା ୟୁକ୍ରେନକୁ ପଦାନତ କରି ପାରି ନ ଥିବାର ଅପମାନ ଯୁଦ୍ଧ ପରାକ୍ରମକୁ ନେଇ ପୁଟିନ ଧାରଣ କରି ଆସିଥିବା ଅହମିକା ଉପରେ ଦାରୁଣ ଚୋଟ ପହଞ୍ଚାଇଛି; ସୁତରାଂ, କେବଳ ‘ଜି-୨୦’ ନୁହେଁ; ପ୍ରାୟ କୌଣସି ଶିଖର ସମ୍ମିଳନୀରେ, ଏପରିକି ଚୀନ ନେତୃତ୍ବରେ ଗଠିତ ପାଞ୍ଚ ରାଷ୍ଟ୍ର ବିଶିଷ୍ଟ ‘ବ୍ରିକ୍ସ’ ବୈଠକରେ, ସେ ଦୃଶ୍ୟମାନ ହେଉ ନାହାନ୍ତି।
ତେବେ, ‘ଜି-୨୦’ ସମ୍ମିଳନୀ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଘୂର୍ଣ୍ଣିବାତ ଗସ୍ତରେ ଯାଇ ଚବିଶ ଘଣ୍ଟା ମଧ୍ୟରେ ଇଣ୍ଡୋନେସିଆ ଏବଂ ପୂର୍ବ-ତିମୋର ଦ୍ବୀପରେ ଅନୁଷ୍ଠିତ ହୋଇଥିବା ଦୁଇଟି ଶିଖର ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି; ଯେଉଁଗୁଡ଼ିକ ହେଲେ ଯଥାକ୍ରମେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପନ୍ଦରଟି ରାଷ୍ଟ୍ର ବିଶିଷ୍ଟ ‘ଇଷ୍ଟ ଏସିଆନ୍’ ଶିଖର ସମ୍ମିଳନୀ ଏବଂ ‘ଇଣ୍ଡିଆ-ଆସିଆନ୍’ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାମମନ୍ତ୍ରୀ ମୋଦୀ ଅତ୍ୟନ୍ତ ସ୍ପଷ୍ଟ ଭାବେ ଯେଉଁ ଦାବି କରିଛନ୍ତି, ତାହା ହେଲା ଦକ୍ଷିଣ ଚୀନ ସାଗର ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜାତିସଂଘ ଦ୍ବାରା ପ୍ରଣୀତ ସମୁଦ୍ର ବ୍ୟବହାର ସଂପର୍କିତ ଆଇନ ‘ଅନ୍କ୍ଲସ୍’ (ୟୁନାଇଟେଡ୍ ନେସନ୍ସ କନ୍ଭେନ୍ସନ୍ ଅନ୍ ଦି ଲ’ ଅଫ ଦି ସି)ର ବିଧିବଦ୍ଧ ଅନୁପାଳନ କରାଯାଉ। ଏହି ସବୁ ସଂଦର୍ଭରେ ପୂର୍ବରୁ ନିରବ ରହି ଆସିଥିବା ଭାରତ ବର୍ତ୍ତମାନ ଏଭଳି ସକ୍ରିୟତା ପ୍ରଦର୍ଶନ କରିବା ତଥା ଏଭଳି ସ୍ପଷ୍ଟ ମତ ରଖିବା ପ୍ରମାଣ କରିଥାଏ ଯେ ଉପରୋକ୍ତ ଅଞ୍ଚଳରେ ଚୀନର ବଳପୂର୍ବକ ପ୍ରଭାବ ବିସ୍ତାରକୁ ପ୍ରତିରୋଧ କରିବା ଭାରତର ଲକ୍ଷ୍ୟ। ଉଲ୍ଲେଖଯୋଗ୍ୟ ଯେ ‘ଜି-୨୦’ ସମ୍ମିଳନୀରେ ଯୋଗ ଦେଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ବୈଠକ ପରେ ଭାରତରୁ ସିଧାସଳଖ ଭିଏତ୍ନାମ ଯାଇ ସେଠାରେ ଏକ ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ’ ଚୁକ୍ତିରେ ସ୍ବାକ୍ଷର କରିବେ; ଯେଉଁ କାରଣରୁ ଅଗତ୍ୟା ସେ ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ଥିବା ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ ପତନର ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ନ ଥିବା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ରୂପେ ପରିଗଣିତ ହେବେ। ଏହାର ଅର୍ଥ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ଅଗ୍ରାଧିକାର ତାଲିକାରେ ମଧ୍ୟ ଶୀର୍ଷ ଦେଶରେ ଉପନୀତ ହୋଇଛି। କେବଳ ସେତିକି ନୁହେଁ, ଏହି ଅଞ୍ଚଳରେ ଥିବା ସିସେଲସ, ମରିସସ, ମାଲଡିଭ୍ସ ଭଳି ଅନେକ କ୍ଷୁଦ୍ର ଦ୍ବୀପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଦୂତାବାସ ଖୋଲାଯିବ; ଯେମିତି ପୂର୍ବ-ତିମୋର ଦ୍ବୀପରେ ମଧ୍ୟ ଭାରତ ପକ୍ଷରୁ ଏକ ଦୂତାବାସ କାର୍ଯ୍ୟ କରିବାକୁ ଯାଉଛି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ନିହିତ, ଯାହା ହେଲା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଦେହବଳିଆ ପ୍ରଭାବ ବିସ୍ତାରକୁ ପ୍ରତିହତ କରିବା। କେବଳ ଭାରତ ବା ଆମେରିକା ନୁହେଁ, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ର ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନେଇ ସେମାନଙ୍କ ନୀତି ଓ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟାଇଛନ୍ତି, ଯାହାର ପ୍ରଭାବ ବିଭିନ୍ନ ଆନ୍ତର୍ଜାତିକ ସମୀକରଣରେ ପରିଦୃଷ୍ଟ ହେବ ଏବଂ ହୁଏ’ତ ‘ଜି-୨୦’ ବୈଠକରେ ତାହାର ଆଭାସ ମିଳିପାରେ ମଧ୍ୟ।
କହିବାରେ ଦ୍ବିଧା ନାହିଁ ଯେ ପୁନର୍ବାର ଏକ ଶୀତଳ ଯୁଦ୍ଧ ପ୍ରାରମ୍ଭର ସ୍ପଷ୍ଟ ସୂଚନା ମିଳିସାରିଲାଣି, ଯହିଁରେ ଅସ୍ତମିତ ସୋଭିଏତ୍ ରୁଷିଆ ସ୍ଥାନରେ ଦ୍ବିତୀୟ ଧ୍ରୁବ ରୂପେ ଚୀନର ଆବିର୍ଭାବ ଘଟିଛି, ଯେଉଁ ରାଷ୍ଟ୍ର ରୁଷିଆ, ପାକିସ୍ତାନ ଓ ଉତ୍ତର କୋରିଆ ଭଳି ସନ୍ଦିଗ୍ଧ ରାଷ୍ଟ୍ରଙ୍କ ସମେତ ଆର୍ଥିକ ଭାବେ ଦୁର୍ବଳ କେତେକ ବଚସ୍କର ଆଫ୍ରିକୀୟ ରାଷ୍ଟ୍ରଙ୍କୁ ନେଇ ଯୁଦ୍ଧ ଲାଗି ପ୍ରସ୍ତୁତ ହେବା ଭଳି ମନେ ହୋଇଥାଏ। କହିବା ବାହୁଲ୍ୟ, ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଏହି ଯୁଦ୍ଧକୁ ‘ଶୀତଳ’ ସ୍ତରରେ ନ ରଖି ‘ଉତ୍ତପ୍ତ’ କରି ପକାଇବାର ସମ୍ଭାବନା ମଧ୍ୟ ରହିଛି। ଯଦିଓ ‘ଜି-୨୦’ ଶିଖର ସମ୍ମିଳନୀ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଏବଂ ପୃଥିବୀ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ଭଳି ବିଷୟକୁ କେନ୍ଦ୍ର କରି ଅଗ୍ରସର ହେବ, ଉପର ବର୍ଣ୍ଣିତ ଧ୍ରୁବୀକରଣ କାରଣରୁ ସୃଷ୍ଟ ବାତାବରଣ ଦ୍ବାରା ମଧ୍ୟ ପ୍ରଭାବିତ ହୋଇପାରେ, ଯାହାର ସୂଚନାବାହୀ ସନ୍ଦେଶ ସମ୍ମିଳନୀର ସମାପ୍ତିି ପରେ ହୁଏ’ତ ମିଳିବ। ସୁତରାଂ, ଅପେକ୍ଷା କରାଯାଉ।