କହିବା ଅନାବଶ୍ୟକ ଯେ ନିପୀଡ଼କମାନେ ମୁକ୍ତିର ଆନନ୍ଦ ଆସ୍ବାଦନ କରୁଥିବା ବେଳେ ନ୍ୟାୟ ପାଇବାରୁ ବଂଚିତ ପୀଡ଼ିତାମାନେ ସେମାନେ କରି ନ ଥିବା ଦୋଷ ଲାଗି ମର୍ମଦାହରେ ଜଳି ଜଳି ବସ୍ତୁତଃ ନିଃଶେଷ ହୋଇଯାଉଛନ୍ତି। ଏହା ଏକ ଅଘୋଷିତ ମୃତ୍ୟୁଦଣ୍ଡ ଠାରୁ କୌଣସି ଗୁଣରେ ଊଣା ନୁହେଁ, ଯହିଁରୁ ସୌଭାଗ୍ୟ କ୍ରମେ ବିଲକିସ ରକ୍ଷା ପାଇଯାଇଛନ୍ତି। କିନ୍ତୁ ବାସ୍ତବତା ହେଲା ଅନେକ ଦୁଷ୍କର୍ମ ପ୍ରପୀଡ଼ିତା ଏଭଳି ମୃତ୍ୟୁଦଣ୍ଡ ନିରନ୍ତର ଭୋଗି ଚାଲିଛନ୍ତି, ଯାହା ଏକ ଦାରୁଣ ବିଡ଼ମ୍ବନା!
ଗଲା ୮ ତାରିଖରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ଦୁଇ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅଗତ୍ୟା ସେହି ଏଗାର ଜଣ ଅପରାଧୀଙ୍କୁ ପୁନର୍ବାର କାରାଗାର ମଧ୍ୟକୁ ଫେରି ଆସିବାର ଅନିବାର୍ଯ୍ୟତା ସୃଷ୍ଟି କରିଛି, ଯେଉଁମାନେ ମାତ୍ର ଦେଢ଼ ବର୍ଷ ତଳେ, ସେମାନେ ଭୋଗୁଥିବା ଦଣ୍ଡର ମାତ୍ରାରେ ହ୍ରାସ ଘଟାଇ ଏକ ତୀବ୍ର ବିବାଦୀୟ ବାତାବରଣ ମଧ୍ୟରେ ମୁକ୍ତ ହୋଇଥିଲେ; ଏବଂ ଏଭଳି ଘଟିବାରେ ମଧ୍ୟ ଏକ ମୁଖ୍ୟ ସୂତ୍ରଧର ଥିଲା ସେହି ସର୍ବୋଚ୍ଚ ଅଦାଲତଙ୍କ ଅନ୍ୟ ଏକ ଖଣ୍ଡପୀଠ ଦ୍ବାରା ନିଆଯାଇଥିବା ନିର୍ଣ୍ଣୟ। ଅବଶ୍ୟ, ପାଠିକପାଠିକାମାନେ ବୁଝି ସାରିବେଣି େଯ ଘଟଣାଟି ବହୁ ଚର୍ଚ୍ଚିତ ବିଲକିସ ବାନୋଙ୍କ ଗଣଧର୍ଷଣ ମାମଲାକୁ କେନ୍ଦ୍ର କରି; କିନ୍ତୁ ଏହି ସୁଦୀର୍ଘ ପ୍ରକରଣରେ ଅପରାଧ, ସାଂପ୍ରଦାୟିକ ବିଦ୍ବେଷ, ରାଜନୈତିକ ପ୍ରଭାବ, ସରକାରୀ ପକ୍ଷପାତିତା ଏବଂ ଅଦାଲତୀ ହସ୍ତକ୍ଷେପର ଯେଉଁ ଛନ୍ଦାଛନ୍ଦି ଦୃଶ୍ୟ ଦେଖିବାକୁ ମିଳିଥାଏ, ତାକୁ ହୃଦୟଙ୍ଗମ କରିବା ସକାଶେ ଏକ କ୍ଷୁଦ୍ର ଆଲୋଚନାର ପ୍ରାସଙ୍ଗିକତା ମଧ୍ୟ ଅନୁଭବ କରି ହୋଇଥାଏ।
ପ୍ରକାଶ ଥାଉ କି ୨୦୦୨ ମସିହା ଗୁଜରାଟ ସାଂପ୍ରଦାୟିକ ଦଙ୍ଗା କାଳରେ ଊଣେଇଶ ବର୍ଷ ବୟସ୍କା ଓ ଗର୍ଭବତୀ ବିଲକିସ ବାନୋଙ୍କ ଗଣଧର୍ଷଣ ଏବଂ ତାଙ୍କ ଚକ୍ଷୁ ସମ୍ମୁଖରେ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ତାଙ୍କର ମାତ୍ର ତିନି ବର୍ଷ ବୟସ୍କା ଶିଶୁ କନ୍ୟାର ଅତ୍ୟନ୍ତ ନିର୍ମମ ହତ୍ୟା ଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ପରିପ୍ରେକ୍ଷୀରେ ଗୁଜରାଟ ପୁଲିସର ଶୂନ୍ୟଗର୍ଭା ତଦନ୍ତ ତାଙ୍କୁ ଏଭଳି ମର୍ମାହତ କରିଥିଲା ଯେ ସେ ଏହା ବିରୋଧରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଶ୍ରୟ ନେଇଥିଲେ। ଅଭିଯୋଗ ହୋଇଥାଏ ଯେ ସାଂପ୍ରଦାୟିକ ବିଦ୍ବେଷ ଜର୍ଜର ଗୁଜରାଟ ପୁଲିସ ମାମଲାଟିକୁ ରଫାଦଫା କରିଦେବା ସକାଶେ ପ୍ରମାଣ ନଷ୍ଟରୁ ଆରମ୍ଭ କରି ଅପରାଧୀମାନଙ୍କୁ ସୁରକ୍ଷା ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କୌଶଳ ଅବଲମ୍ବନ କରିଥିଲେ ଏବଂ ଶେଷରେ ସଫଳ ମଧ୍ୟ ହୋଇଥିଲେ। ସୁତରାଂ, ବିଲକିସଙ୍କ ପ୍ରାର୍ଥନା ପରେ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ କ୍ରମେ ଅଗତ୍ୟା ମାମଲାଟି ସି.ବି.ଆଇ. ଅନୁସନ୍ଧାନ ଅଧୀନକୁ ଆସିଥିଲା; ଯହିଁରେ ମାଟି ତଳୁ ମୃତ ଶରୀର ଏବଂ କବର ଦିଆ ସରିଥିବା ‘ତଥ୍ୟ ଓ ସତ୍ୟ’କୁ ପଦାକୁ ଅଣାଯାଇ ଅକାଟ୍ୟ ପ୍ରମାଣ ସହିତ ଏକ ବଳିଷ୍ଠ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇପାରିଥିଲା। ତେବେ ଗୁଜରାଟର ଅଦାଲତରେ ଏହି ମାମଲାର ବିଚାର ପ୍ରଭାବିତ ହେବାର ଆଶଙ୍କା କରି ବିଲକିସଙ୍କ ପ୍ରାର୍ଥନା ଅବଲୀଳା କ୍ରମେ ମାମଲାଟିକୁ ମହାରାଷ୍ଟ୍ରର ସ୍ବତନ୍ତ୍ର ସିବିଆଇ ଅଦାଲତକୁ ସ୍ଥାନାନ୍ତର କରିଥିଲା, ଯହିଁରେ ବିଚାର ଶେଷରେ ଏଗାର ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ଲାଭ କରିଥିଲେ। କିନ୍ତୁ, ବିଡ଼ମ୍ବନା ହେଲା, ଯାବଜ୍ଜୀବନ କାରାଦଣ୍ଡକୁ ନେଇ ଆମ ଦେଶରେ ପ୍ରଚଳିତ ଏକ ଧାରଣା ଯେ ଚଉଦ ବର୍ଷର କାରାବାସ ଅତିକ୍ରାନ୍ତ ହେବା ସହିତ ଏଭଳି ଦଣ୍ଡ ଭୋଗୁଥିବା ଅପରାଧୀମାନଙ୍କ ଲାଗି ମୁକ୍ତିର ଦ୍ବାର ସାମାନ୍ୟ ଖୋଲିଯାଏ, ଏହି ସଂଦର୍ଭେର ଏକ ଅତ୍ୟନ୍ତ ବିବଦମାନ ଘଟଣାକ୍ରମକୁ ଜନ୍ମ ଦେଇଥିଲା, ଯାହାର ଅବସାନ ଗଲା ୮ ତାରିଖ ଦିନ ଆପାତତଃ ଘଟିଛି।
ସୁତରାଂ, ଏଭଳି ସୁଯୋଗର ସଦ୍ବ୍ୟବହାର କରିବା ସକାଶେ ଏହି ଅପରାଧୀମାନଙ୍କ ମଧ୍ୟରୁ ଜଣେ ତାଙ୍କ ଦଣ୍ଡ ହ୍ରାସ ବା ପ୍ରକାରାନ୍ତରେ ମୁକ୍ତି ସକାଶେ ଗୁଜରାଟ ସରକାରଙ୍କୁ ଆବେଦନ କରିଥିଲେ, ଯାହାକୁ ଗୁଜରାଟ ସରକାର ତାଙ୍କ କ୍ଷମତା ପରିସର ବହିର୍ଭୂତ ବୋଲି ଦର୍ଶାଇ ଅଗ୍ରାହ୍ୟ କରିଦେଇଥିଲେ; କାରଣ ନିୟମାନୁସାରେ ଅପରାଧ ଯେଉଁଠାରେ ସଂଘଟିତ ହୋଇ ଥାଉ ନା କାହିଁକି ତାହାର ବିଚାର ଯେଉଁ ରାଜ୍ୟରେ ହୋଇଥାଏ, ଦଣ୍ଡ ହ୍ରାସ କରିବାର କ୍ଷମତା କେବଳ ସେହି ରାଜ୍ୟର ହିଁ ରହିଥାଏ; ଯାହା ଏହି କ୍ଷେତ୍ରରେ ମହାରାଷ୍ଟ୍ର। ସୁତରାଂ, ସ୍ବାଭାବିକ ଭାବେ ଏକ ନୂତନ ଆବେଦନ ମହାରାଷ୍ଟ୍ର ସରକାର ଏବଂ ପରେ ମହାରାଷ୍ଟ୍ରର ସ୍ବତନ୍ତ୍ର ଅଦାଲତ ନିକଟକୁ ଆସିଥିଲା; ଯେଉଁଠାରେ ଅପରାଧର ଭୀଷଣତା ଦୃଷ୍ଟିରୁ ତାହା ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାତ ହୋଇ ଯାଇଥିଲା। ସୁତରାଂ, ଏଥିରେ ମୁହ୍ୟମାନ ଆବେଦନକାରୀ ସଂବିଧାନର ଧାରା ୩୨ ଅନୁସାରେ ତାଙ୍କ ମୌଳିକ ଅଧିକାରର ହନନ ହେଉଥିବା ଦର୍ଶାଇ ମାନ୍ୟବର ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଦାୟର କଲେ, ଯାହାର ଶୁଣାଣି କରି ଏକ ଜଣିକିଆ ଖଣ୍ଡପୀଠ ରାୟ ପ୍ରଦାନ କଲେ ଯେ ଆବେଦନକାରୀଙ୍କ ଦଣ୍ଡ ହ୍ରାସ କରିବାର କ୍ଷମତା ଗୁଜରାଟ ସରକାରଙ୍କର ରହିଛି; ଏବଂ ଏହା ପରେ ଗୁଜରାଟ ସରକାର ଅହେତୁକ ଭାବେ ମାତ୍ରାଧିକ ତତ୍ପରତା ପ୍ରଦର୍ଶନ କରି ମାତ୍ର ୧୩ ଦିନ ମଧ୍ୟରେ ସମସ୍ତ ଏଗାର ଜଣ ଅପରାଧୀଙ୍କୁ ମୁକ୍ତ କରି ଦେଇଥିଲେ, ଯାହାପରେ ସେମାନେ ରଣବିଜୟୀ ନାୟକଙ୍କ ତୁଲ୍ୟ ସଂବର୍ଧନା ଲାଭ କରି ସ୍ବଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ। କହିବା ବାହୁଲ୍ୟ, ଏହା ବିଲକିସଙ୍କୁ ବିଧ୍ବସ୍ତ କରି ପକାଇଥିଲା ଏବଂ ସେ ପୁନର୍ବାର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଶ୍ରୟ ନେଇଥିଲେ, ଯାହାର ଶୁଣାଣି କରି ବିଚାରପତି ଦ୍ବୟ ଅତ୍ୟନ୍ତ ସୂକ୍ଷ୍ମ ବିବେଚନାବୋଧ ସମ୍ବଳିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ଯାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ।
ଜଷ୍ଟିସ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଳ ଭୂଇୟାଁଙ୍କ ବିଚାର ଅନୁସାରେ ଯାବଜ୍ଜୀବନ କାରାଦଣ୍ଡ ସଂଦର୍ଭରେ ଦଣ୍ଡ ହ୍ରାସ କରିବାର କ୍ଷମତା ଶଂସିତ ଘଟଣାରେ ମହାରାଷ୍ଟ୍ର ସରକାରଙ୍କ ଠାରେ ନିହିତ, କାରଣ ଯେଉଁ ନିୟମଟି ଦ୍ବାରା ଏଭଳି କ୍ଷମତା ପ୍ରବାହିତ ହୋଇଥାଏ, ତାହା ଅନ୍ୟାନ୍ୟ ଅନେକ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ବିଭିନ୍ନ ରାୟ ଦ୍ବାରା ସୁଦୃଢ଼ ଓ ଅନତିକ୍ରମ୍ୟ ହୋଇସାରିଛି। ତେଣୁ ଗୁଜରାଟ ସରକାରଙ୍କ ରାୟ ଅବୈଧ। ଦ୍ବିତୀୟ ବିଷୟଟି ହେଲା ମହାରାଷ୍ଟ୍ରର ସ୍ବତନ୍ତ୍ର ଅଦାଲତଙ୍କ ରାୟକୁ ଚ୍ୟାଲେଂଜ କରି ଆବେଦନକାରୀ ସର୍ବୋଚ୍ଚ ଅଦାଲତଙ୍କ ଆଶ୍ରୟ ନେବା ଉଚିତ ହୋଇଥାଆନ୍ତା; କିନ୍ତୁ ତାହାକୁ କୌଶଳ କ୍ରମେ ଏଡ଼ାଇ ଯାଇ ଆପଣା ଅଭୀଷ୍ଟ (ମୁକ୍ତି ପାଇବା) ସାଧନ କରିବା ସକାଶେ ସେ ସୁପ୍ରିମ୍ କୋର୍ଟରେ ଏକ ନୂତନ ଯାଚିକା ଦାୟର କଲେ, ଯାହା ଶଠାଚାର ବା ‘ଫ୍ରଡ୍’ ସହିତ ସମତୁଲ। ପ୍ରକାଶ ଥାଉ କି ସେହି ମାମଲା ବଳରେ ହିଁ ଆବେଦନକାରୀଙ୍କ ସମେତ ଏଗାର ଜଣ ଯାକ ଅପରାଧୀଙ୍କ ମୁକ୍ତିର ମାର୍ଗ ପ୍ରଶସ୍ତ ହୋଇ ଯାଇଥିଲା। ତୃତୀୟରେ ଅପରାଧୀମାନଙ୍କୁ ଖଲାସ କରାଯିବା ବେଳେ ଜରିମାନା ଅନାଦାୟ କାରଣରୁ ସେମାନଙ୍କ ମୁଣ୍ଡ ଉପରେ ରହିଥିବା ଅତିରିକ୍ତ କାରାବାସ ବିଷୟକୁ ଗୁଜରାଟ ସରକାର ବିଚାରକୁ ନେଇ ନାହାନ୍ତି। କହିବା ବାହୁଲ୍ୟ, ଏବେ ସେମାନଙ୍କୁ ପୁନର୍ବାର ଜେଲ ଫେରିବାକୁ ହେବ ଏବଂ ଖଣ୍ଡପୀଠଙ୍କ ଆଦେଶ ଅନୁସାରେ ମହାରାଷ୍ଟ୍ର ସରକାରଙ୍କୁ ପୁନର୍ବାର ଦଣ୍ଡ ହ୍ରାସ ଲାଗି ଆବେଦନ କରିବାକୁ ହେବ।
ପ୍ରକାଶ ଥାଉ କି ମହାରାଷ୍ଟ୍ର ସରକାର ପ୍ରଣୟନ କରିଥିବା ନିୟମ ଅନୁସାରେ ଧର୍ଷଣ ଏବଂ ହତ୍ୟା ଭଳି ଜଘନ୍ୟ ଅପରାଧରେ ଯାବଜ୍ଜୀବନ କାରାବାସ ଭୋଗୁଥିବା ଅପରାଧୀ କୋଡ଼ିଏ ବର୍ଷ ପରେ ଯାଇ ଦଣ୍ଡ ହ୍ରାସ ଲାଗି ଆବେଦନ କରିପାରେ ଏବଂ ଅଧିକ ବର୍ବରୋଚିତ ଅପରାଧ କ୍ଷେତ୍ରରେ ସର୍ବନିମ୍ନ ସଜା ୨୮ ବର୍ଷ ପର୍ଯ୍ୟନ୍ତ ପ୍ରଲମ୍ବିତ ହୋଇପାରେ। ସେହି ଦୃଷ୍ଟିରୁ ଏହି ଏଗାର ଜଣ ଯାକ ଅପରାଧୀଙ୍କ କାରାବାସ ନିକଟ ଭବିଷ୍ୟତରେ ସମାପ୍ତ ହେବାର ସମ୍ଭାବନା କ୍ଷୀଣ। କହିବା ବାହୁଲ୍ୟ, ଏଭଳି ଘଟଣାକ୍ରମ ପରିଶେଷରେ ବିଲକିସଙ୍କ ସକାଶେ ସ୍ବସ୍ତିରେ ନିଃଶ୍ବାସ ନେବାର କ୍ଷଣଟିଏ ସୃଷ୍ଟି କରିଥିବ। କାରଣ ଗୋଟିଏ ବସତିରେ ପୀଡ଼ିତାଙ୍କ ସମକ୍ଷରେ ତାଙ୍କ ଧର୍ଷଣକାରୀମାନେ ବିଜୟୀ ମୁଦ୍ରାରେ ଚଳପ୍ରଚଳ କରିବା ତାଙ୍କ ଠାରେ କିଭଳି ଅସହନୀୟ ମର୍ମଦାହ ସୃଷ୍ଟି କରନ୍ତା, ତାହା କେବଳ ତାଙ୍କ ଭଳି ପୀଡ଼ିତାମାନେ ହିଁ ଅନୁଭବ କରିପାରନ୍ତି। ସୁତରାଂ, ଅର୍ଥ ବଳ, ବାହୁ ବଳ ଏବଂ ରାଜନୈତିକ ପ୍ରଭାବ ଦ୍ବାରା ଜେଲରୁ ଖଲାସ ହୋଇ ପାରୁଥିବା ଧର୍ଷଣକାରୀମାନଙ୍କ ଉପସ୍ଥିତି ବରଦାସ୍ତ କରି ନ ପାରି ଅନେକ ପୀଡ଼ିତା ଆତ୍ମହତ୍ୟା କରି ଦେଉଥିବାର ଦୃଷ୍ଟାନ୍ତ ଆମ ଦେଶରେ ଦେଖିବାକୁ ମିଳିଥାଏ, ଯେମିତି ଗତ ବର୍ଷ ଘଟିଥିଲା ବରେଲୀରେ ବା ତା’ ପୂର୍ବ ବର୍ଷ ନାଗପୁରରେ। କହିବା ଅନାବଶ୍ୟକ ଯେ ନିପୀଡ଼କମାନେ ମୁକ୍ତିର ଆନନ୍ଦ ଆସ୍ବାଦନ କରୁଥିବା ବେଳେ ନ୍ୟାୟ ପାଇବାରୁ ବଂଚିତ ପୀଡ଼ିତାମାନେ ସେମାନେ କରି ନ ଥିବା ଦୋଷ ଲାଗି ମର୍ମଦାହରେ ଜଳି ଜଳି ବସ୍ତୁତଃ ନିଃଶେଷ ହୋଇଯାଉଛନ୍ତି। ଏହା ଏକ ଅଘୋଷିତ ମୃତ୍ୟୁଦଣ୍ଡ ଠାରୁ କୌଣସି ଗୁଣରେ ଊଣା ନୁହେଁ, ଯହିଁରୁ ସୌଭାଗ୍ୟ କ୍ରମେ ବିଲକିସ ରକ୍ଷା ପାଇଯାଇଛନ୍ତି। କିନ୍ତୁ ବାସ୍ତବତା ହେଲା ଅନେକ ଦୁଷ୍କର୍ମ ପ୍ରପୀଡ଼ିତା ଏଭଳି ମୃତ୍ୟୁଦଣ୍ଡ ନିରନ୍ତର ଭୋଗି ଚାଲିଛନ୍ତି, ଯାହା ଏକ ଦାରୁଣ ବିଡ଼ମ୍ବନା!