ଜୈନମାନେ ତେଣୁ ସେଇ ପ୍ରାଚୀନ ସମୟରୁ ବାଣିଜ୍ୟ ବ୍ୟବସାୟକୁ ନିଜର ସ୍ବାଭାବିକ ବୃତ୍ତି ରୂପେ ଗ୍ରହଣ କରି ସମୟ ଅତିବାହିତ ହେବା ସହିତ ସେ କ୍ଷେତ୍ରରେ ଅବିଶ୍ବସନୀୟ ଦକ୍ଷତା ହାସଲ କରି ଆଜିର ଚମକପ୍ରଦ ପାର୍ଥିବ ସମୃଦ୍ଧି ହାସଲ କରିଛନ୍ତି (‘‘ବାଣିଜ୍ୟେ ବସତି ଲକ୍ଷ୍ମୀ!’’), ଯାହା ବୃହତ୍ତର ସମାଜ ପାଇଁ ଈର୍ଷାର ବସ୍ତୁରେ ପରିଣତ ହୋଇଛି। ‌େତଣୁ ବର୍ତ୍ତମାନ ଯେତେବେଳେ ଏହି ସଫଳ ମନୁଷ୍ୟମାନେ ସେମାନଙ୍କର ଏହି ଈର୍ଷଣୀୟ ସଫଳତାଠାରୁ ପଳାୟନ କରି ଏହି ଅସହନୀୟ ଭାବରେ ରିକ୍ତ ଜୀବନଶୈଳୀକୁ ଆଲିଙ୍ଗନ କରିବା ଦେଖାଯାଉଛି, ତାହା ସ୍ବାଭାବିକ ଭାବରେ ଉପରୋକ୍ତ ସଫଳତା-ମୂଷା ଦୌଡ଼ରେ ପଛରେ ପଡ଼ିଥିବା ଅଗଣିତ ଅନ୍ୟମାନଙ୍କୁ ବିସ୍ମୟବିମୂଢ଼ କରିଦେଉଛି।

Advertisment

ଭୋଗ ଜଗତର ସ୍ନାୟୁକେନ୍ଦ୍ର ରୂପେ ବିବେଚିତ ସାଧାରଣ ନିର୍ବାଚନ ଯେତେବେଳେ ଦେଶବାସୀଙ୍କୁ ଆବିଷ୍ଟ କରି ରଖିଛି, ସେତିକିବେଳେ ତ୍ୟାଗ ଜଗତରେ ଏପରି ଏକ ଘଟଣା ଗଣମାଧ୍ୟମରେ ପ୍ରସାର ଲାଭ କରିଛି, ଯାହା ସମ୍ପୂର୍ଣ୍ଣ ବସ୍ତୁବାଦୀ ରାଜନୀତି-ନିଶାଗ୍ରସ୍ତଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରି ସେମାନଙ୍କଠାରେ କ୍ଷଣକପାଇଁ ହେଲେ ମଧ୍ୟ ଗଭୀର ଆତ୍ମସଂଶୟ ସୃଷ୍ଟି କରିଥିବ। ଘଟଣାଟି ହେଲା, ଗୁଜରାଟର ସାବରକାଣ୍ଠା ଜିଲ୍ଲାର ହିମ୍ମତନଗର ସହରରେ ଭବେଶ ଓ ଜିନାଲ୍‌ ଭଣ୍ଡାରି ନାମକ ଉଭୟ ୪୬ ବର୍ଷ ବୟସର ଏକ ଜୈନ ଦମ୍ପତି ଏକ ସୁସଜ୍ଜିତ ଯାନରେ ପ୍ରାୟ ଚାରି କି.ମି. ପଥ ଅତିକ୍ରମ କରିବା ସହିତ ନିଜର ସମସ୍ତ ପାର୍ଥିବ ସମ୍ପଦ - ମୂଲ୍ୟବାନ ଗହଣା, ପୋଷାକ, ମୋବାଇଲ୍‌ ଫୋନ୍‌... - ଉପସ୍ଥିତ ଜନତାକୁ ଦାନ କରି ଦେଇଥିଲେ। ଏହା ଥିଲା ସେମାନଙ୍କର ସନ୍ନ୍ୟାସୀ ହେବା ପାଇଁ ଦୀକ୍ଷା ଗ୍ରହଣ ପୂର୍ବର ଏକ ପାରମ୍ପରିକ ବିଧି ପାଳନ। ଏଥିପୂର୍ବରୁ ସେମାନେ ଫେବ୍ରୁଆରିରେ ସେମାନଙ୍କର ୨୦୦ ‌େକାଟି ଟଙ୍କା ମୂଲ୍ୟର ବ୍ୟବସାୟ ଓ ସମ୍ପତ୍ତି ଦାନ କରି ଦେଇ ସାରିଥିଲେ।
ଏଥିସହିତ ପ୍ରାଚୁର୍ଯ୍ୟର ଶିଖରରେ ପହଞ୍ଚି ସାରିଥିବା ଭଣ୍ଡାରି ପରିବାର ପାର୍ଥିବ ଦୁନିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଦେଇ ସନ୍ନ୍ୟାସୀର ଆଧ୍ୟାତ୍ମିକ ଦୁନିଆର ଅଂଶରେ ପରିଣତ ହୋଇଗଲେ, ଯେଉଁଠି କେବଳ ଦୁଇଖଣ୍ଡି ଧଳା ଲୁଗା, ଖଣ୍ଡିଏ କମ୍ବଳ, ଏକ ଭିକ୍ଷା ଥାଳ, ଏକ ବାଡ଼ି ଓ ଗୋଟିଏ ଝାଡ଼ୁ ହେବେ ତା‌ଙ୍କର ଏକମାତ୍ର ସମ୍ବଳ; ସେମାନେ ଜୋତା ପିନ୍ଧି ପାରିବେ ନାହିଁ, କୌଣସି ଯାନ ଆରୋହଣ କରିପାରିବେ ନାହିଁ, ଚଟାଣରେ ଶୟନ କରିବେ, ବିଜୁଳି ପଙ୍ଖା ବ୍ୟବହାର କରିପାରିବେ ନାହିଁ, ରୋଷେଇ କରିପାରିବେ ନାହିଁ। ସେମାନେ ହେବେ ଲଣ୍ଡିତ ମସ୍ତକ ଓ ନିଜ ହାତରେ ଭିଡ଼ି ଭିଡ଼ି ନିଜର କେଶ ସବୁକୁ ଉପାଡ଼ିବେ। ଏଠାରେ ଭଣ୍ଡାରି ‘ପରିବାର’ ବୋଲି କହିବାର ତାତ୍ପର୍ଯ୍ୟ ହେଲା, ୨୦୨୧ରେ ଏହି ଦମ୍ପତିଙ୍କର ୧୬ ବର୍ଷର ପୁତ୍ର ଭବ୍ୟ ଓ ୧୯ ବର୍ଷର କନ୍ୟା ବିଶ୍ବା ସନ୍ନ୍ୟାସୀ ହେବା ପାଇଁ ଦୀକ୍ଷା ଗ୍ରହଣ କରି ସଂସାର ତ୍ୟାଗ କରି ସାରିଛନ୍ତି।
ଦୀକ୍ଷା ଗ୍ରହଣ କରି ସନ୍ନ୍ୟାସୀ ଜୀବନଯାପନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତ୍ମା ପାଇଁ ମୋକ୍ଷର ସନ୍ଧାନ କରିବା। ପାର୍ଥିବ ଦୁନିଆର କାମନା ବାସନା ଆଦି ଏହି ସନ୍ଧାନ ପଥରେ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରୁଥିବାରୁ, ସନ୍ନ୍ୟାସ ଏହି ସନ୍ଧାନକୁ ସୁଗମ କରିଥାଏ ବୋଲି ଜୈନମାନେ ବିଶ୍ବାସ କରିଥାନ୍ତି। କେବଳ ଉପରୋକ୍ତ ଭଣ୍ଡାରି ପରିବାର ନୁହନ୍ତି; ଭାରତରେ ସମ୍ପ୍ରତି ଅଧିକରୁ ଅଧିକ ସଂଖ୍ୟାରେ ଜୈନମାନେ ଏହିପରି ଦୀକ୍ଷାଗ୍ରହଣ କରିବା ପରିଲକ୍ଷିତ ହେଉଛି, ଯାହା ଅନ୍ୟମାନଙ୍କୁ ଏକ ଆଶ୍ଚର୍ଯ୍ୟଜନକ ବିଡ଼ମ୍ବନା ଭଳି ମନେ ହୋଇଥାଏ। ଗତବର୍ଷ ଡିସେମ୍ବରରେ ସେଇ ଗୁଜରାଟର ସୁରତରେ ଏକ ଗଣ-ଦୀକ୍ଷା ଗ୍ରହଣ ଉତ୍ସବ ପାଳିତ ହୋଇ ଏକ ସମୟରେ ୨୪ଜଣ ସନ୍ନ୍ୟାସ ଆଶାୟୀ ଦୀକ୍ଷା ଗ୍ରହଣ କରିବା ଦେଖାଯାଇଥିଲା। ଏମାନଙ୍କ ମଧ୍ୟରୁ ସର୍ବଜ୍ୟେଷ୍ଠଙ୍କ ବୟସ ୭୨ ହୋଇଥିବା ବେଳେ ସର୍ବକନିଷ୍ଠଙ୍କ ବୟସ ହୋଇଥିଲା ୨୦ ବର୍ଷ। ୨୦୨୩ ଜାନୁଆରିରେ ସେଇ ସୁରତରେ ଦେବାଂଶୀ ସାଙ୍ଗ୍‌ଭି ନାମକ ଜଣେ ୯ ବର୍ଷୀୟା ବାଳିକା ଦୀକ୍ଷାଗ୍ରହଣ କରିଥିବା ବେଳେ ଡିସେମ୍ବରରେ ମହାରାଷ୍ଟ୍ରର ଦହାନୁଠାରେ କେଳି ପୁନମିୟା ନାମକ ଏକ ୧୩ ବର୍ଷୀୟା ବାଳିକା ଦୀକ୍ଷା ଗ୍ରହଣ କରିଥିଲା। ଏମାନେ ସମସ୍ତେ ହେଉଛନ୍ତି ଅତି ଧନିକ ପରିବାରର ଦୁଲାଳୀମାନେ।
ଶହ ଶହ ସଂଖ୍ୟାରେ ଜୈନମାନେ ଓ ବିଶେଷ କରି ଯୁବକଯୁବତୀ ଓ ପିଲାମାନେ ଏପରି ଦୀକ୍ଷା ଗ୍ରହଣ କରିବା ଏକ ବିଡ଼ମ୍ବନା ପରି ମନେ ହେବାର କାରଣ ସ୍ପଷ୍ଟ- ଭାରତରେ ଜୈନଧର୍ମାବଲମ୍ବୀମାନଙ୍କ ସଂଖ୍ୟା ମାତ୍ର ପ୍ରାୟ ପାଞ୍ଚ ନିୟୁତ ମଧ୍ୟରେ ସୀମିତ ହୋଇଥିଲେ ହେଁ, ସେମାନେ ହେଉଛନ୍ତି ଦେଶର ସର୍ବାଧିକ ତଥା ସର୍ବୋଚ୍ଚ ପାର୍ଥିବ ସଫଳତା ହାସଲ କରିଥିବା ଗୋଷ୍ଠୀ। ଉଭୟ ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ସେମାନେ ସଫଳତାର ଶୀର୍ଷ ଅଞ୍ଚଳ ଅଧିକାର କରିଥାନ୍ତି। ଦେଖିବାକୁ ଗଲେ ଯେଉଁ ଧର୍ମବିଶ୍ବାସର ଆଧ୍ୟାତ୍ମିକ ଆକର୍ଷଣ ବର୍ତ୍ତମାନ ସେମାନଙ୍କୁ ଦୀକ୍ଷା ଗ୍ରହଣ ନିମିତ୍ତ ପ୍ରବୃତ୍ତ କରୁଛି, ସେଇ ଧର୍ମ ହିଁ ସେମାନଙ୍କର ଚମକପ୍ରଦ ପାର୍ଥିବ ସଫଳତାର ମୂଳ ଭିତ୍ତି ସ୍ଥାପନ କରିଥିଲା।
ଜୈନ ଧର୍ମର ମୂଳମନ୍ତ୍ର ହେଉଛି ଅହିଂସା। ଏହାର ଗୁରୁତ୍ବ ହୃଦୟଙ୍ଗମ କରିବା ପାଇଁ ଜୈନମାନଙ୍କର ‘ଉପାଶ୍ରୟ’ ବା ଆଶ୍ରମରେ ଜଣେ ସନ୍ନ୍ୟାସୀଙ୍କର ଦିନଚର୍ଯ୍ୟା‌ ଉପରେ ଏକ କ୍ଷିପ୍ର ଦୃଷ୍ଟି ନି‌େକ୍ଷପ କରାଯାଇପାରେ। ସେ ଦିନରେ ମାତ୍ର ତିନି ଘଣ୍ଟା ଶୟନ କରିଥାନ୍ତି ଏବଂ ବାକୀ ସମୟତକ ଅନୁତାପ କରିବାରେ, ପାପ ପ୍ରକ୍ଷାଳନ କରିବାରେ, ଅଧ୍ୟୟନରେ, ଧ୍ୟାନରେ ଓ ଅପରାହ୍‌ଣରେ ଭିକ୍ଷା ସଂଗ୍ରହରେ ବିତାଇଥାନ୍ତି। ସେମାନେ ସର୍ବଦା ନିଜର ସୀମିତ ଲୁଗାପଟା ତଥା ପାଖଆଖରେ କୀଟପତଙ୍ଗମାନଙ୍କର ସମ୍ଭାବ୍ୟ ଉପସ୍ଥିତି ଉପରେ ସତର୍କ ନଜର ରଖିଥାନ୍ତି, ଯେପରି ଅଜାଣତରେ ସେମାନଙ୍କର କୌଣସି କ୍ଷତି ନ ଘଟେ; ସେମାନେ ଅତ୍ୟନ୍ତ ସାବଧାନତା ସହିତ ଏହି କ୍ଷୁଦ୍ରାତିକ୍ଷୁଦ୍ର ଜୀବମାନଙ୍କୁ ‌େସଠାରୁ ହଟାଇ ନିରାପଦ ସ୍ଥାନରେ ରଖି ଦେଇଥାନ୍ତି। ସାଧାରଣ ଲୋକମାନେ ସେମାନଙ୍କର ଦିନଚର୍ଯ୍ୟାରେ ଏପରି କଠୋର ଶୃଙ୍ଖଳା ପାଳନ କରିନପାରିଲେ ମଧ୍ୟ ସେମାନେ ସନ୍ନ୍ୟାସୀମାନେ ପ୍ରଦର୍ଶନ କରୁଥିବା ଏହି ଆଦର୍ଶ ଅନୁସରଣ କରିବାକୁ ଚେଷ୍ଟା କରିଥାନ୍ତି। ‘ଉପାଶ୍ରୟ’ରେ ସନ୍ନ୍ୟାସୀମାନେ ଭକ୍ତଜନଙ୍କୁ ପ୍ରବଚନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପବିତ୍ର ଶାସ୍ତ୍ରମାନଙ୍କର ତର୍ଜମା କରି ସେମାନଙ୍କୁ ଶୁଣାଇଥାନ୍ତି। ସନ୍ନ୍ୟାସୀମାନେ ‌ସେମାନଙ୍କର ଦୈନନ୍ଦିନ ଜୀବନରେ କୌଣସି ବି ଜୀବନ୍ତ ପ୍ରାଣୀ ପ୍ରତି କିଛି ବି ଆଘାତ ନ ପହଞ୍ଚାଇବା ପାଇଁ ଯେଉଁଭଳି ସଯତ୍ନ ପ୍ରଚେଷ୍ଟା ଚଳାଇଥାନ୍ତି, ତାହା ଊଣାଅଧିକେ ସମସ୍ତ ଜୈନ ଧର୍ମାବଲମ୍ବୀମାନଙ୍କୁ ପ୍ରଭାବିତ କରିଥାଏ। ସେଥିପାଇଁ କୌଣସି ଏକ ଜୀବ ‌ଯେତେ ଅସୁବିଧାଜନକ ବା ବିପଜ୍ଜନକ ହୋଇଥାଉ ନା କାହିଁକି (ମଶାରୁ ସାପ ପର୍ଯ୍ୟନ୍ତ) ଜୈନମାନେ ଜାଣତରେ କେବେହେଲେ ସେମାନଙ୍କୁ ଆଘାତ ଦିଅନ୍ତି ନାହିଁ କି ସେମାନଙ୍କର ବିନାଶ ଘଟାନ୍ତି ନାହିଁ; କେବଳ ସେମାନଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ହଟାଇ ଦେଇଥାନ୍ତି।
ପ୍ରାଚୀନ ସମୟରେ କୃଷିକାର୍ଯ୍ୟ ଯେତେବେ‌ଳେ ଥିଲା ମୁଖ୍ୟ ଉତ୍ପାଦନଶୀଳ ବୃତ୍ତି, ଏହି ଜୀବେଦୟା କାରଣରୁ ଜୈନମାନେ ସେଥିରେ ଅଂଶ ଗ୍ରହଣ ନ କରି ନିଜକୁ ସମସ୍ତ ପ୍ରକାର କୃଷି କାର୍ଯ୍ୟଠାରୁ ଦୂରେଇ ରଖୁଥିଲେ। ଭୂମି କର୍ଷଣରୁ ଫସଲ ଅମଳ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ ସମୟରେ କୀଟପତଙ୍ଗ, ସରୀସୃପ ଆଦିଙ୍କର ପ୍ରାଣନାଶ ଘଟିବାର ସମ୍ଭାବନା ଥିବାରୁ ଜୈନମାନେ ଏଥିରେ ଭାଗୀଦାର ହେଉନଥିଲେ। ସେମାନେ କେବଳ ଯେଉଁ ଏକମାତ୍ର ବୃତ୍ତିକୁ ଏଭଳି ଅନିବାର୍ଯ୍ୟ ହିଂସାଚରଣରୁ ମୁକ୍ତ ବୋଲି ବିଚାର କରୁଥିଲେ, ତାହା ହେଲା-ବାଣିଜ୍ୟ ବ୍ୟବସାୟ। ଜୈନମାନେ ତେଣୁ ସେଇ ପ୍ରାଚୀନ ସମୟରୁ ବାଣିଜ୍ୟ ବ୍ୟବସାୟକୁ ନିଜର ସ୍ବାଭାବିକ ବୃତ୍ତି ରୂପେ ଗ୍ରହଣ କରି ସମୟ ଅତିବାହିତ ହେବା ସହିତ ସେ କ୍ଷେତ୍ରରେ ଅବିଶ୍ବସନୀୟ ଦକ୍ଷତା ହାସଲ କରି ଆଜିର ଚମକପ୍ରଦ ପାର୍ଥିବ ସମୃଦ୍ଧି ହାସଲ କରିଛନ୍ତି (‘‘ବାଣିଜ୍ୟେ ବସତି ଲକ୍ଷ୍ମୀ!’’), ଯାହା ବୃହତ୍ତର ସମାଜ ପାଇଁ ଈର୍ଷାର ବସ୍ତୁରେ ପରିଣତ ହୋଇଛି। ‌େତଣୁ ବର୍ତ୍ତମାନ ଯେତେବେଳେ ଏହି ସଫଳ ମନୁଷ୍ୟମାନେ ସେମାନଙ୍କର ଏହି ଈର୍ଷଣୀୟ ସଫଳତାଠାରୁ ପଳାୟନ କରି ଏହି ଅସହନୀୟ ଭାବରେ ରିକ୍ତ ଜୀବନଶୈଳୀକୁ ଆଲିଙ୍ଗନ କରିବା ଦେଖାଯାଉଛି, ତାହା ସ୍ବାଭାବିକ ଭାବରେ ଉପରୋକ୍ତ ସଫଳତା-ମୂଷା ଦୌଡ଼ରେ ପଛରେ ପଡ଼ିଥିବା ଅଗଣିତ ଅନ୍ୟମାନଙ୍କୁ ବିସ୍ମୟବିମୂଢ଼ କରିଦେଉଛି।
ପର୍ଯ୍ୟବେକ୍ଷକମାନେ ସ୍ଥୂଳ ଭାବ‌େର ଏହି ପଳାୟନ ପଛରେ ତିନିଗୋଟି କାରଣ ନିହିତ ଥିବା ଅନୁମାନ କରୁଛନ୍ତି: ଆଧୁନିକ ଜୀବନଶୈଳୀର ଅସହନୀୟ ଚାପ ଯୋଗୁଁ ସେଥିପ୍ରତି ମୋହଭଙ୍ଗ; ଗୁରୁମାନେ ସେଇ ଆଧୁନିକ ସଭ୍ୟତାର ଅଧିକ ଫଳପ୍ରଦ ପ୍ରବିଧି ବ୍ୟବହାର କରି ବହୁ ସଂଖ୍ୟକ ଅନୁଗାମୀମାନଙ୍କ ନିକଟରେ ତତ୍‌କ୍ଷଣାତ୍‌ ନିଜର ତ୍ୟାଗ-ବାଣୀ ପହଞ୍ଚାଇବାରେ ହାସଲ କରିଥିବା ଅଭୂତପୂର୍ବ ସଫଳତା (ଯେମିତି ସୋସିଆଲ ମିଡିଆ); ଦୀକ୍ଷା ଗ୍ରହଣ ପୂର୍ବରୁ ସନ୍ନ୍ୟାସୀ ଜୀବନକୁ ପରୀକ୍ଷା କରି ଦେଖିବା ପାଇଁ ବହୁସଂଖ୍ୟାରେ ‘ଉପାଶ୍ରୟ’ମାନଙ୍କର ଉପଲବ୍‌ଧତା। କାରଣ ଯାହା ହୋଇଥାଉନା କାହିଁକି, ଭାରତ ଯେତେବେଳେ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପାଇଁ ଉଦ୍ୟତ ଓ ଭାରତୀୟମାନେ ଅର୍ଥନୈତିକ ଅଭିବୃଦ୍ଧି ଦ୍ବାରା ନିଶାଗ୍ରସ୍ତ, ତାହାର ଅନ୍ୟତମ ମୁଖ୍ୟ ସ୍ଥପତି ରୂପେ ସ୍ବୀକୃତ ଏହି ଦୀକ୍ଷିତ ତ୍ୟାଗୀମାନେ ଦେଶବାସୀଙ୍କୁ ଚେତାଇ ଦେଉଛନ୍ତି ଯେ ଏହି ମୂଷା ଦୌଡ଼ରେ ବିଜୟ ଲାଭ କରିବା ପରେ ମଧ୍ୟ ଯାହା ଉପଲବ୍‌ଧ ହେବ ନାହିଁ, ତାହା ହେଉଛି- ଆତ୍ମାର ଶାନ୍ତି! ଅର୍ଥାତ୍‌ ମୂଷା ‌େଦୗଡ଼ରେ ବିଜେତାମାନେ ସେଇ ମୂଷା ହିଁ ହୋଇଥାନ୍ତି।