ଆମେରିକା ଦ୍ବାରା ଚିହ୍ନଟ ଆତଙ୍କବାଦୀମାନଙ୍କୁ ପୃଥିବୀର ଯେ କୌଣସି ସ୍ଥାନରେ ନିପାତ କରିବାର କ୍ଷମତା ଓ ଅଧିକାର କ’ଣ କେବଳ ଆମେରିକାର ଏକଚାଟିଆ? ଯେମିତି ସଦ୍ଦାମ ହୁସେନ ବା ଜେନେରାଲ କାଶିମ ସୁଲେମାନୀଙ୍କ ହତ୍ୟା! ଅନେକଙ୍କ ଦୃଷ୍ଟିରେ ଏ ଦୁଇ ଜଣ ଆତଙ୍କବାଦୀ ପର୍ଯ୍ୟାୟଭୁକ୍ତ ନୁହନ୍ତି, ଅଥଚ ସେମାନଙ୍କୁ ସେହି ଆରୋପରେ ନିଧନ କରାଗଲା! ଏବେ ନିଜ୍ଜର ବା ପନ୍ନୁ ମାମଲାରେ ଏତେ ସ୍ପର୍ଶକାତରତା କାହିଁକି?
ସଂପ୍ରତି ଯେତେବେଳେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସଂପର୍କ ଛିନ୍ନ ହେବାର ଦ୍ବାର ଦେଶରେ, ସେତିକିବେଳେ ଶ୍ବେତାଙ୍ଗ ରାଷ୍ଟ୍ରଗୁଡ଼ିକର ସଂକୀର୍ଣ୍ଣ ‘ବିଶ୍ବଦୃଷ୍ଟି’ ପ୍ରକଟିତ ହୋଇଥାଏ, ଯାହା ଅନୁସାରେ ଶ୍ବେତାଙ୍ଗ ଅଧ୍ୟୁଷିତ ୟୁରୋପୀୟ ଦେଶସମୂହ, ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ର ବ୍ୟତୀତ ସତେ ଯେମିତି ପୃଥିବୀ ରାଷ୍ଟ୍ର-ଶୂନ୍ୟ, କୃଷ୍ଣାଙ୍ଗ ବା ଶ୍ୟାମାଙ୍ଗ ବା ମଙ୍ଗୋଲୀୟମାନେ ସତ୍ତାହୀନ ଏବଂ କେବଳ ଶ୍ବେତାଙ୍ଗଙ୍କ ସମସ୍ୟା ପୃଥିବୀର ଶିର ପୀଡ଼ାର କାରଣ ହେବା ଅନିବାର୍ଯ୍ୟ ଅଥଚ ଅନ୍ୟମାନଙ୍କ ସମସ୍ୟା ନିତାନ୍ତ ମୂଲ୍ୟହୀନ! ଏଥିରେ ଦ୍ବିରୁକ୍ତି ନାହିଁ ଯେ ଗଲା ଅଷ୍ଟମ ଦଶକରୁ ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ ଖଲିସ୍ତାନ ସମର୍ଥକମାନେ କାନାଡାରେ ପୃଷ୍ଠପୋଷକତା ଲାଭ କରି ଆସୁଛନ୍ତି; ତତ୍କାଳୀନ କାନାଡୀୟ ପ୍ରଧାନମନ୍ତ୍ରୀ ପିଏରେ ଟ୍ରୁଡୋଙ୍କ ଏହି ସମର୍ଥନ ତାଙ୍କ ପୁତ୍ର ଜଷ୍ଟିନ୍ ଟ୍ରୁଡୋଙ୍କ ମାଧ୍ୟମରେ ଏ ଯାବିତ୍ ସଂପ୍ରସାରିତ ହୋଇ ଚାଲିଛି, ଯାହା ଭାରତ ସକାଶେ ଅତ୍ୟନ୍ତ ଅସହନୀୟ ହୋଇ ଉପରୋକ୍ତ ସଂପର୍କ-ସଂକଟ ସୃଷ୍ଟି କରିଛି।
୨୦୨୩ ମସିହା ଡିସେମ୍ବର ମାସରେ କାନାଡା ସଂସଦରେ ଜଷ୍ଟିନ୍ ଟ୍ରୁଡୋଙ୍କ ଦ୍ବାରା ପ୍ରଦତ୍ତ ଏକ ପ୍ରମାଣ-ଅସମର୍ଥିତ ମନ୍ତବ୍ୟ ବିବାଦର ଚକ୍ରବାତ ସୃଷ୍ଟି କରିଥିଲା, ଯହିଁରେ ସେ ହରଦୀପ ସିଂହ ନିଜ୍ଜରର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ପ୍ରତ୍ୟକ୍ଷ ସଂପୃକ୍ତିକୁ ଦାୟୀ କରିଥିଲେ। କହିବା ବାହୁଲ୍ୟ, ଭାରତ ସରକାର ଏ ନେଇ ବାରମ୍ବାର ପ୍ରମାଣ ମାଗୁଥିବା ସତ୍ତ୍ବେ ଟ୍ରୁଡୋ ତାହା ଯୋଗାଇବାରେ ବିଫଳ ହୋଇଛନ୍ତି। ଜଷ୍ଟିନ୍ ଟ୍ରୁଡୋଙ୍କ ବିଚାରରେ କାନାଡା ଭୂମି ଉପରେ ଏକ ବିଦେଶୀ ରାଷ୍ଟ୍ର ଦ୍ବାରା ଜଣେ କାନାଡୀୟ ନାଗରିକଙ୍କ ହତ୍ୟା ବରଦାସ୍ତଯୋଗ୍ୟ ନୁହେଁ; ଯଦିଓ ନିଜ୍ଜରକୁ ଭାରତ ସରକାର ଜଣେ ଖଲିସ୍ତାନୀ ଆତଙ୍କବାଦୀ ରୂପେ ଘୋଷଣା କରି ସାରିଥିଲେ। ଏଭଳି ସ୍ଥଳେ ୧୯୮୫ ମସିହାର ଘଟିଥିବା ଏୟାର ଇଣ୍ଡିଆ ୧୮୫ ବା ‘କନିଷ୍କ’ ବିମାନ ଦୁର୍ଘଟଣା ବିଷୟ ମନେ ପଡ଼େ, ଯେଉଁ ଭୟାବହ ଅନ୍ତର୍ଘାତୀ କାର୍ଯ୍ୟରେ ପ୍ରାଣ ହରାଇଥିବା ୩୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୬୦ ଜଣ ଥିଲେ କାନାଡୀୟ ନାଗରିକ; କିନ୍ତୁ ବିଡ଼ମ୍ବନା ହେଲା ଦୁଇ ଦୁଇଟି ଗଭୀର ଅନୁସନ୍ଧାନ ଦ୍ବାରା ଯଦିଓ ଏହା ପ୍ରତିପାଦିତ ଯେ କାନାଡାରେ ବାସ କରୁଥିବା ଖଲିସ୍ତାନୀ ଆତଙ୍କବାଦୀମାନଙ୍କ ଦ୍ବାରା ରଚିତ ଷଡ୍ଯନ୍ତ୍ରର ଏହା ଥିଲା ଏକ ଭୟାବହ ପରିଣାମ; ଜଣେ ମାତ୍ର ବ୍ୟକ୍ତି ଏଥି ଲାଗି କିଛି କାଳ ଜେଲ୍ ଭୋଗିବା ଛଡ଼ା ଆଉ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କହିବା ଅନାବଶ୍ୟକ ଯେ ସେହି ଖଲିସ୍ତାନୀ ପୃଷ୍ଠପୋଷକତା ଏବେ ମଧ୍ୟ ବଳବତ୍ତର ରହିଛି। ସଂପ୍ରତି ଜଷ୍ଟିନ୍ ଟ୍ରୁଡୋଙ୍କ ଦଳ ‘ଲିବରାଲ୍ ପାର୍ଟି ଅଫ୍ କାନାଡା’ ସଂସଦରେ ଅତ୍ୟନ୍ତ ଦୁର୍ବଳ ଥିବାରୁ ସେଠାକାର ଶିଖ ସମର୍ଥିତ ଦଳ ‘ନିଉ ଡେମୋକ୍ରାଟିକ୍ ପାର୍ଟି’ର ଅବଲମ୍ବନ ଲୋଡ଼ିଥାଏ, ଯେଉଁ କାରଣରୁ ଶିଖ ତୁଷ୍ଟୀକରଣ ହେଉଛି ଟ୍ରୁଡୋଙ୍କ ଏକମାତ୍ର ଧ୍ୟେୟ। ପ୍ରକାଶ ଥାଉ କି ‘ନିଉ ଡେମୋକ୍ରାଟିକ୍ ପାର୍ଟି’ ହେଉଛି ସ୍ବତନ୍ତ୍ର ଖଲିସ୍ତାନ ରାଷ୍ଟ୍ରର ପ୍ରକାଶ୍ୟ ପ୍ରବକ୍ତା ଏବଂ ନିଜ୍ଜରର ଅକୁଣ୍ଠ ସମର୍ଥକ! ତେଣୁ, କୌଣସିମତେ କ୍ଷମତାରୂଢ଼ ହୋଇ ରହିବା ଲାଗି ଏହା ଟ୍ରୁଡୋଙ୍କ ଏକ ଅସହାୟ ବାଧ୍ୟବାଧକତା ବା ଅପରିପକ୍ବ ରାଜନୀତି ଭଳି ଦିଶିଥାଏ।
କହିବା ବାହୁଲ୍ୟ ଯେ ଏକ ବିଶାଳ ସଂଖ୍ୟକ ଦେଶାନ୍ତରୀ ଭାରତୀୟ ଦରିଆ ପାରି କାନାଡା ବା ଆମେରିକା ବା ଗ୍ରେଟ୍ ବ୍ରିଟେନ୍ର ରାଜନୀତିରେ ଜନାଧାର ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇ ଉଠିଛନ୍ତି। ସୁତରାଂ, ସେମାନଙ୍କୁ ତୁଷ୍ଟ କରି ରଖିବା ରାଜନୈତିକ ଦଳଗୁଡ଼ିକ ଲାଗି ଏକ ପ୍ରକାରର ବାଧ୍ୟବାଧକତାରେ ପରିଣତ ହୋଇଛି। ନିଜ୍ଜର ହେଉ ଅଥବା ଗୁରପତୱନ୍ତ ପନ୍ନୁ, ଯଥାକ୍ରମେ କାନାଡା ଓ ଆମେରିକା ଲାଗି ମହତ୍ତ୍ବପୂର୍ଣ୍ଣ, ଯେଉଁ କାରଣରୁ ନିଜ୍ଜରର ହତ୍ୟା ବା ପନ୍ନୁକୁ ହତ୍ୟା କରିବାର ଉଦ୍ୟମ ସଂଦର୍ଭରେ କାନାଡା ଓ ଆମେରିକା ସହିତ ଭାରତ ଅସ୍ବସ୍ତିକର ଭାବେ ଛନ୍ଦି ହୋଇ ପଡ଼ିଛି। କିନ୍ତୁ ପ୍ରଭେଦଟି ହେଲା ପାରସ୍ପରିକ ରଣନୈତିକ ସଂପର୍କକୁ ଅକ୍ଷୁଣ୍ଣ ରଖିବା ସହିତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନେବାରେ ଆମେରିକା ଯେଉଁ ପରିପକ୍ବତା ପ୍ରଦର୍ଶନ କରିଛି, ତାହା କାନାଡା କରିନାହିଁ। କାନାଡା ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଦେଶାନ୍ତରୀ ଶିଖ ଭୋଟ୍ର ଏକ ଅଂଶ ଲାଭ କରିବା ଲାଗି ସେ ଦେଶ ଭାରତ ଭଳି ଏକ ଦ୍ରୁତ ବିକାଶଶୀଳ ରାଷ୍ଟ୍ର ତଥା ମହତ୍ତ୍ବପୂର୍ଣ୍ଣ ଗଣତନ୍ତ୍ର ସହିତ ସଂପର୍କ ଛିନ୍ନ କରିବାକୁ ଉଦ୍ୟତ! ଏହା ଟ୍ରୁଡୋଙ୍କ ଅର୍ବାଚୀନ ସୁଲଭ ଅପରିପକ୍ବତାର ନିଦର୍ଶନ! କେତେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଭାରତରେ କ୍ଷମତାସୀନ ଦକ୍ଷିଣପନ୍ଥୀ ବିଜେପି ସରକାର ଅତି ଉଦାରବାଦୀ ଟ୍ରୁଡୋଙ୍କ ନାପସନ୍ଦର ପାତ୍ର ହେବାରେ ବିସ୍ମୟର କାରଣ ନାହିଁ। କିନ୍ତୁ ସ୍ବତନ୍ତ୍ର ଶିଖ ରାଷ୍ଟ୍ରର ସମର୍ଥକମାନଙ୍କ ପ୍ରତି ଅନୁରକ୍ତି ଦକ୍ଷିଣ ପନ୍ଥା ସହିତ ସନ୍ଧି ନୁହେଁ କି? କେବଳ ଜଣେ ଅପରିପକ୍ବ ଟ୍ରୁଡୋଙ୍କ ପକ୍ଷରେ ଏଭଳି ଆଭିମୁଖ୍ୟ ସମ୍ଭବ!
ଏବେ ଅସଲ ପ୍ରଶ୍ନ ପଚରା ଯାଉ। ଆତଙ୍କବାଦୀ ବୋଇଲେ କିଏ? ୨୦୦୧ ମସିହାରେ ନ୍ୟୁୟର୍କସ୍ଥିତ ବିଶ୍ବ ବାଣିଜ୍ୟ କେନ୍ଦ୍ର ଚୂର୍ଣ୍ଣୀଭୂତ ନ ହେବା ପର୍ଯ୍ୟନ୍ତ ଆମେରିକା ସମେତ ପାଶ୍ଚାତ୍ୟ ଶ୍ବେତାଙ୍ଗ ରାଷ୍ଟ୍ରଗଣଙ୍କ ବିଚାରରେ ଆତଙ୍କବାଦୀମାନେ ବସ୍ତୁତଃ ଥିଲେ ମୁକ୍ତି ସଂଗ୍ରାମୀ! କତିପୟ ପାକିସ୍ତାନୀ ନାଗରିକଙ୍କ ଦ୍ବାରା ପାକିସ୍ତାନ ଭୂମିରେ ରଚିତ ଷଡ୍ଯନ୍ତ୍ର ଓ ସେମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତିରେ ସଂଘଟିତ ଆକ୍ରମଣ ସହିତ ଆମେରିକା ପ୍ରଥମ ଥର ଲାଗି ଆତଙ୍କବାଦର ତିକ୍ତ ସ୍ବାଦ ଚାଖିଲା ବେଳକୁ ଭାରତ ପ୍ରାୟ ଦୁଇ ଦଶନ୍ଧିର ତୀବ୍ର ଆତଙ୍କବାଦ ଉତ୍ପୀଡ଼ନରେ କ୍ଷତବିକ୍ଷତ ହୋଇସାରିଥିଲା ଏବଂ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ପ୍ରମାଣ ଦେଇ ଦେଇ ଅବସନ୍ନ ହୋଇ ସାରିଥିବା ସତ୍ତ୍ବେ ପାଶ୍ଚାତ୍ୟ ରାଷ୍ଟ୍ର ମଣ୍ଡଳ ଦ୍ବାରା ତାହା ଅନସ୍ବୀକାର୍ଯ୍ୟ ହୋଇ ରହିଥିଲା। ସୁତରାଂ, ଭାରତର ପ୍ରବଳ ଉଚ୍ଚାଟ ସତ୍ତ୍ବେ ହଫିଜ ସୈଦ ବା ମୌଲାନା ମାସୁଦ ଅଜହର ସେ ପର୍ଯ୍ୟନ୍ତ ଆତଙ୍କବାଦୀ ରୂପେ ସ୍ବୀକୃତ ହୋଇ ନ ଥିଲେ, ଯେ ପର୍ଯ୍ୟନ୍ତ ଆମେରିକା ସେ ଦିଗରେ ଦୃଷ୍ଟି ପକାଇ ନ ଥିଲା! ୨୦୦୧ ମସିହା ପରେ ଯାଇ ତାହା ସମ୍ଭବ ହେଲା! ତାହା ହେଲେ କ’ଣ ଏୟା ବୁଝିବାକୁ ହେବ ଯେ ଆମେରିକାର ହୃଦ୍ବୋଧ ନ ହେବା ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସେଭଳି ରୂପେ ବିବେଚିତ ହେବେ ନାହିଁ? ଯେମିତି ନିଜ୍ଜର ବା ପନ୍ନୁ ଏ ପର୍ଯ୍ୟନ୍ତ ଆତଙ୍କବାଦୀ ରୂପେ ପରିଗଣିତ ହେଉ ନାହାନ୍ତି! ଦ୍ବିତୀୟ କଥା ହେଲା, ଆମେରିକା ଦ୍ବାରା ଚିହ୍ନଟ ଆତଙ୍କବାଦୀମାନଙ୍କୁ ପୃଥିବୀର ଯେ କୌଣସି ସ୍ଥାନରେ ନିପାତ କରିବାର କ୍ଷମତା ଓ ଅଧିକାର କ’ଣ କେବଳ ଆମେରିକାର ଏକଚାଟିଆ? ଯେମିତି ସଦ୍ଦାମ ହୁସେନ ବା ଜେନେରାଲ କାଶିମ ସୁଲେମାନୀଙ୍କ ହତ୍ୟା! ଅନେକଙ୍କ ଦୃଷ୍ଟିରେ ଏ ଦୁଇ ଜଣ ଆତଙ୍କବାଦୀ ପର୍ଯ୍ୟାୟଭୁକ୍ତ ନୁହନ୍ତି, ଅଥଚ ସେମାନଙ୍କୁ ସେହି ଆରୋପରେ ନିଧନ କରାଗଲା! ଏବେ ନିଜ୍ଜର ବା ପନ୍ନୁ ମାମଲାରେ ଏତେ ସ୍ପର୍ଶକାତରତା କାହିଁକି? ଏହି ପରିପ୍ରେକ୍ଷୀରେ ଏଠାରେ ଶାଶୂ-ବୋହୂ ସଂପର୍କିତ ସେହି ଚଟୁଳ ଉପାଖ୍ୟାନଟି ମନକୁ ଆସୁଛି। ଦୁଆର ମୁହଁରେ ଭିକାରିକୁ ଦେଖି ଘରର ବୋହୂ ‘ଘରେ ଚାଉଳ ନାହିଁ’ ବୋଲି କହନ୍ତେ, ତାହା ଶୁଣି ପାରି ଶାଶୂ ତତ୍କ୍ଷଣାତ୍ ବାରଣ୍ଡାକୁ ଯାଇ ଖଣ୍ଡେ ଦୂରକୁ ଫେରି ଚାଲିଯାଇଥିବା ଭିକ୍ଷୁକକୁ ଡାକି କହନ୍ତି: ‘ଏଠାକୁ ଆସ। ଘରେ ଚାଉଳ ନାହିଁ ବୋଲି କହିବାକୁ ସେ କିଏ? ଏବେ ମୁଁ କହୁଛି ଘରେ ଚାଉଳ ନାହିଁ। ଯାଅ!’
କହିବା ଅନାବଶ୍ୟକ ଯେ ଆତଙ୍କବାଦ ବ୍ୟାପାରଟି ଘରେ ଚାଉଳ ଥିବା ବା ନ ଥିବା ଭଳି ଏକ ସାଧାରଣ ବ୍ୟାପାର ନୁହେଁ। ଏଥିରେ ଶ୍ବେତାଙ୍ଗ ରାଷ୍ଟ୍ରଗୁଡ଼ିକର ଶାଶୂପଣିଆରେ ଯେଉଁ ଅହମିକା ବିଦ୍ୟମାନ, ତାହା ସେମାନଙ୍କ ଲାଗି ପ୍ରକାରାନ୍ତରେ ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ! ଏହାହିଁ ଉପକ୍ରମରେ ବର୍ଣ୍ଣିତ ସଂକୀର୍ଣ୍ଣ ବିଶ୍ବଦୃଷ୍ଟି।