ଅନେକ ସମର ବିଶେଷଜ୍ଞ କହିଥାଆନ୍ତି ଯେ ‘ପୀରପଂଜାଲ’ ପାର୍ବତ୍ୟାଞ୍ଚଳର ପରିବେଶ ଏବଂ ଆହ୍ବାନ ଦୃଷ୍ଟିରୁ ସୁପ୍ରଶିକ୍ଷିତ ଆତଙ୍କବାଦୀଙ୍କ କ୍ଷୁଦ୍ର ଦଳମାନକୁ ନିପାତ କରିବା ଲାଗି ‘ଅପରେସନ ସର୍ପ ବିନାଶ’ ଭଳି ଅତ୍ୟନ୍ତ ଅତିକାୟ ‘ଅପରେସନ’ମାନ କରାଯିବା କେବଳ ବ୍ୟୟବହୁଳ ନୁହେଁ, ଅନେକ ସମୟରେ ଅର୍ଥହୀନ ଭଳି ପ୍ରତୀତ ହୋଇଥାଏ। ସୁତରାଂ, କ୍ଷୁଦ୍ର ଦଳରେ ବିଭକ୍ତ ହୋଇ ସୁପରିକଳ୍ପିତ ଉପାୟରେ ସାମରିକ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ବିଶେଷଜ୍ଞମାନେ କହିଥାଆନ୍ତି।
ଗଲା ୧୩ ତାରିଖ ଦିନ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସ୍ଥିତ କୋକେରନାଗ ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣ ଘଟି ଭାରତୀୟ ସାମରିକ ବାହିନୀର ଦୁଇ ପଦସ୍ଥ ଅଧିକାରୀଙ୍କ ସହିତ କାଶ୍ମୀର ପୁଲିସ ବିଭାଗର ଜଣେ ଯୁବ ଡି.ଏସ୍.ପି. ସହିଦ ହୋଇଯିବା ଭଳି ଘଟଣା ସମଗ୍ର ଦେଶରେ ଉଭୟ ବିଷାଦ ଏବଂ ଆଲୋଡ଼ନ ସୃଷ୍ଟି କରିଛି। ଅବଶ୍ୟ, ଏହି ଆତଙ୍କବାଦୀଙ୍କୁ ଠାବ କରିବା ସକାଶେ ସଘନ ଉଦ୍ୟମ ଆରମ୍ଭ ହୋଇସାରିଛି; ସଫଳତା ମିଳି ପାରିନାହିଁ ଏବଂ କେତେକ ସୂତ୍ର ଏହା ମଧ୍ୟ କହିଲେଣି ଯେ ଏହା ଘଟାଇ ସାରି ଦୁଇ ସୀମା ଆର ପଟର ଆତଙ୍କବାଦୀ ପୁନର୍ବାର ପାକିସ୍ତାନ ଅନ୍ତର୍ଗତ ସେମାନଙ୍କ ନିରାପଦ ଆଡ୍ଡାକୁ ପ୍ରତ୍ୟାବର୍ତ୍ତନ କରି ସାରିଥିବା ଖୁବ୍ ସମ୍ଭବ! ସଂପ୍ରତି ଏକ ଧାରଣା ସୃଷ୍ଟି ହୋଇଥିଲା ଯେ କାଶ୍ମୀର ଉପରୁ ଆତଙ୍କବାଦର ରାହୁଛାୟା କ୍ରମେ ଅପସରି ଯିବାକୁ ଲାଗିଲାଣି। ଏହି ପରିପ୍ରେକ୍ଷୀରେ ଶଂସିତ ଘଟଣାଟି ଉଦ୍ବେଗର କାରଣ ହୋଇ ପଡ଼ିବା ସ୍ବାଭାବିକ। ତେବେ, ଏହି ଘଟଣାରୁ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ମୁକାବିଲା ସଂଦର୍ଭରେ ଯେଉଁ କେତେକ ନୂତନ ଶିକ୍ଷା ମିଳିଛି; ତାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରେ।
ପ୍ରଥମେ ଅତି ସଂକ୍ଷେପରେ ଘଟଣାର ଅବତାରଣା କରାଯାଉ। କୋକେରନାଗ ଅରଣ୍ୟରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆରମ୍ଭ ହୋଇଥିବା ଏକ ମିଳିତ (ସେନା ଓ ରାଜ୍ୟ ପୁଲିସ ବିଭାଗ) କାର୍ଯ୍ୟାନୁଷ୍ଠାନରେ ତିନି ପଦସ୍ଥ ଅଧିକାରୀ ଶଂସିତ ସ୍ଥାନରେ ଆତଙ୍କବାଦୀଙ୍କ କୌଣସି ସନ୍ଧାନ ନ ପାଇବାରୁ ଆହୁରି ଆଗକୁ ଯାଇ କୋକେରନାଗ ଅଞ୍ଚଳରେ ଏକ ଚଲା ରାସ୍ତାରେ ପଦବ୍ରଜରେ ଯାଉଥିବା ବେଳେ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ। ଏହି ପରିପ୍ରେକ୍ଷୀରେ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତିି ଯେ ଏହା ଖୁବ୍ ସମ୍ଭବ ଯେ ସଂପ୍ରତି କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ସଂଖ୍ୟାରେ ହ୍ରାସ ଏକ ବିଭ୍ରାନ୍ତକର ଆତ୍ମସନ୍ତୋଷର କାରଣ ହୋଇଥିବ, ଯାହା ଫଳରେ ଏହି ଅଧିକାରୀମାନେ ଅଗତ୍ୟା ଆତଙ୍କବାଦୀମାନଙ୍କ ନିଶାଣରେ ନିଜକୁ ଅତି ସହଜରେ ଉପସ୍ଥିତ କରାଇ ଦେଲେ!
ବିଶେଷଜ୍ଞଙ୍କ ମତାନୁସାରେ ଏଭଳି କୌଣସି ସାମରିକ ‘ଅପରେସନ’ ସମୟରେ ପଦସ୍ଥ ଅଧିକାରୀମାନେ ଏକତ୍ର ଉପସ୍ଥିତ ରହିବା ଉନ୍ନତ ରଣକୌଶଳର ପରିଚାୟକ ହୋଇ ନ ଥାଏ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ପଦସ୍ଥ ଅଧିକାରୀମାନଙ୍କୁ ହତ୍ୟା କରିବାର ସାମର୍ଥ୍ୟ ସେହି ଆତଙ୍କବାଦୀମାନଙ୍କ ସକାଶେ ଏକ ବିଶେଷ ସଫଳତାର ଦୃଷ୍ଟାନ୍ତ ହୋଇଥିବ। ପ୍ରକାଶ ଥାଉ କି ୧୯୮୭ ମସିହାରେ ଶ୍ରୀଲଙ୍କାରେ ଶାନ୍ତି ପ୍ରତିଷ୍ଠା ଲାଗି ମୁତୟନ ହୋଇଥିବା ‘ଭାରତୀୟ ଶାନ୍ତି ରକ୍ଷା ବାହିନୀ’ ବା ‘ଆଇ.ପି.କେ.ଏଫ୍’ର ବହୁ ସଂଖ୍ୟକ ପଦସ୍ଥ ଅଧିକାରୀ କେବଳ ଏହି କାରଣରୁ ତାମିଲ ଉଗ୍ରବାଦୀଙ୍କ ଦ୍ବାରା ହତାହତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସେମାନଙ୍କ ପୋଷାକ ଓ ସେମାନେ ଧାରଣ କରିଥିବା ବ୍ୟାଜ୍ ସେମାନଙ୍କୁ ସହଜରେ ଚିହ୍ନା ପକାଇ ଦେଉଥିଲା। ସେହି ଦୃଷ୍ଟିରୁ ଏକ ମତ ପ୍ରକାଶ ପାଇଥାଏ ଯେ ଏହି ଘଟଣାରେ ପଦାଧିକାରୀମାନେ ସାଧାରଣ ସ୍ଥାନୀୟ ଲୋକଙ୍କ ଭଳି ସାଦା ପୋଷାକରେ ଯାଇ ପ୍ରାଥମିକ ଅନୁସନ୍ଧାନ କରିବା ଅଧିକ ଯୁକ୍ତିଯୁକ୍ତ ହୋଇଥାଆନ୍ତା। କେବଳ ସେତିକି ନୁହେଁ, ଏଭଳି କାର୍ଯ୍ୟାନୁଷ୍ଠାନରେ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ଡ୍ରୋନ୍ ଆଦିର ବ୍ୟବହାର କରା ନ ଯିବା ଏକ ବିସ୍ମୟକର ଅପରିଣାମଦର୍ଶିତା ବୋଲି ସେମାନେ ମତ ପ୍ରଦାନ କରନ୍ତି।
କାଶ୍ମୀରର ଭୂେଗାଳ ଏବଂ ଜନ ସମାଜ ସହିତ ନିବିଡ଼ ଭାବେ ପରିଚିତ ଥିବା ବ୍ୟକ୍ତିବିଶେଷ କହନ୍ତି ଯେ ସୁବିସ୍ତୃତ ‘ପୀରପଂଜାଲ’ ପାର୍ବତ୍ୟାଞ୍ଚଳ (ଯେଉଁଠି କୋକେରନାଗ ଅବସ୍ଥିତ)ର ନିଘଞ୍ଚ ଅରଣ୍ୟ ଏବଂ ବନ୍ଧୁର ଭୂ-ସଂରଚନା ଆତଙ୍କବାଦୀମାନଙ୍କ କାର୍ଯ୍ୟକଳାପ ତଥା ସେମାନଙ୍କ ଗୁପ୍ତ ଆଶ୍ରୟ ସକାଶେ ଏକ ଆଦର୍ଶ ସ୍ଥାନରେ ପରିଣତ ହୋଇଛି। ଦ୍ବିତୀୟତଃ, ପଶୁ-ଚାରଣକୁ ଉପଜୀବ୍ୟ କରି ଏହି ଅଞ୍ଚଳରେ ବସବାସ କରୁଥିବା ଦରିଦ୍ର ‘ଗୁଜ୍ଜର ବକ୍କରୱାଲ’ ଗୋଷ୍ଠୀ ସେମାନଙ୍କ ଇଚ୍ଛା ଥାଉ ବା ନ ଥାଉ ଅନେକ ସମୟରେ ଅାତଙ୍କବାଦୀମାନଙ୍କ ସକାଶେ ସହାୟତାର ସୂତ୍ର ପାଲଟନ୍ତି; ଯେମିତି କି ଅନେକ ସମୟରେ ଆତଙ୍କବାଦୀମାନେ ଚଳିବା ଲାଗି ସେମାନଙ୍କ ଠାରୁ ଖାଦ୍ୟଶସ୍ୟ ଏବଂ ଦୁଗ୍ଧ ଆଦି ନିଅନ୍ତି ବା ଦରକାର ସମୟରେ ସେମାନଙ୍କ ଭଳି ପୋଷାକ ପରିଧାନ କରି ସେମାନଙ୍କ ଭିତରୁ ଜଣେ ହୋଇ ଖସି ଯିବାର ସୁଯୋଗ ମଧ୍ୟ ପାଆନ୍ତି। କେବଳ ସେତିକି ନୁହେଁ, ଦରିଦ୍ର ‘ଗୁଜ୍ଜର ବକ୍କରୱାଲ’ମାନେ ଅନେକ ସମୟରେ ସାମାନ୍ୟ କିଛି ଉପାର୍ଜନ କରିବା ଲାଗି ଗୁପ୍ତରେ ପାକିସ୍ତାନରୁ ଚାଲାଣ ହେଉଥିବା ଦ୍ରବ୍ୟର ବାହକ ହୁଅନ୍ତି, ଯାହା ପ୍ରକାରାନ୍ତରେ ଅନେକ ସମୟରେ ଆତଙ୍କବାଦୀଙ୍କୁ ମଧ୍ୟ ସହାୟତା ପ୍ରଦାନ କରିଥାଏ। ଅନେକ ସମର ବିଶେଷଜ୍ଞ କହିଥାଆନ୍ତି ଯେ ‘ପୀରପଂଜାଲ’ ପାର୍ବତ୍ୟାଞ୍ଚଳର ପରିବେଶ ଏବଂ ଆହ୍ବାନ ଦୃଷ୍ଟିରୁ ସୁପ୍ରଶିକ୍ଷିତ ଆତଙ୍କବାଦୀଙ୍କ କ୍ଷୁଦ୍ର ଦଳମାନକୁ ନିପାତ କରିବା ଲାଗି ‘ଅପରେସନ ସର୍ପ ବିନାଶ’ ଭଳି ଅତ୍ୟନ୍ତ ଅତିକାୟ ‘ଅପରେସନ’ମାନ କରାଯିବା କେବଳ ବ୍ୟୟବହୁଳ ନୁହେଁ, ଅନେକ ସମୟରେ ଅର୍ଥହୀନ ଭଳି ପ୍ରତୀତ ହୋଇଥାଏ। ସୁତରାଂ, କ୍ଷୁଦ୍ର ଦଳରେ ବିଭକ୍ତ ହୋଇ ସୁପରିକଳ୍ପିତ ଉପାୟରେ ସାମରିକ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ବିଶେଷଜ୍ଞମାନେ କହିଥାଆନ୍ତି। କିନ୍ତୁ, ଏହି ପ୍ରକରଣରେ ଯାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ସ୍ଥାନୀୟ ‘ଗୁଜ୍ଜର ବକ୍କରୱାଲ’ମାନଙ୍କ ସହିତ ସୁସଂପର୍କ ସ୍ଥାପନ, ଯାହା ଗୁଇନ୍ଦା ସୂଚନାର ନେଟ୍ୱାର୍କକୁ ଅଧିକ ପରିପୁଷ୍ଟ କରିବ। ପାସୋରି ଗଲେ ହେବ ନାହିଁ ଯେ ଏହି ଗୋଷ୍ଠୀର ସଦସ୍ୟମାନଙ୍କ ସହଯୋଗ ଫଳରେ ‘ପୀରପଂଜାଲ’ ପାର୍ବତ୍ୟ ରେଂଜର ରଜୌରୀ ଏବଂ ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଅବସାନ ଘଟାଯାଇ ପାରିଥିଲା, ଯେଉଁ ସଂପର୍କ ସ୍ବାଭାବିକ ପରିସ୍ଥିତି ଫେରି ଆସିବା ସହିତ କ୍ରମେ କ୍ଷୀଣ ପଡ଼ିଯାଇଛି। କହିବା ବାହୁଲ୍ୟ ଯେ ସ୍ଥାନୀୟ ଅଧିବାସୀଙ୍କ ସମର୍ଥନ ଲାଭ ନ କଲେ ଆତଙ୍କବାଦୀ ଗତିବିଧି କ୍ରମେ ଦୁର୍ବଳ ହୋଇଯିବ।
ନିକଟରେ ପ୍ରକାଶିତ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଗବେଷଣା ଏବଂ ସର୍ବେକ୍ଷଣ ସଂସ୍ଥା ‘ପିଉ’ର ରିସର୍ଚ୍ଚ ରିପୋର୍ଟ କହିଥାଏ ଯେ ୮୩% ପାକିସ୍ତାନୀ ନାଗରିକ କାଶ୍ମୀରକୁ ଏକ ଜ୍ବଳନ୍ତ ସମସ୍ୟା ରୂପେ ବିଚାର କରନ୍ତି; ଅର୍ଥାତ୍ କାଶ୍ମୀର-ସର୍ବସ୍ବ ପାକିସ୍ତାନରେ ଯେଉଁ ସରକାର (ଗଣତାନ୍ତ୍ରିକ ଅଥବା ସାମରିକ) କ୍ଷମତାସୀନ ହେଉ ନା କାହିଁକି, ତାହା ସୀମା ପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଉଜ୍ଜୀବିତ କରି ରଖିବ। ସେହି ଦୃଷ୍ଟିରୁ ପ୍ରଥମ ଶିକ୍ଷା ହେଲା କାଶ୍ମୀରରେ ଆତଙ୍କବାଦ ସମାପ୍ତ ହେବାକୁ ବସିଲାଣି ବୋଲି ତୃପ୍ତିବୋଧ ଜାତ ହେବା ସକାଶେ କୌଣସି ଅବକାଶ ନାହିଁ। ଦ୍ବିତୀୟ ଶିକ୍ଷା ହେଲା ଆତଙ୍କବାଦ ମୁକାବିଲାରେ ନୂତନ ରଣକୌଶଳର ଉପଯୋଗ ଜରୁରୀ, ଯହିଁରେ ସ୍ଥାନୀୟ ବାସିନ୍ଦାଙ୍କ ଆସ୍ଥା ଏବଂ ବିଶ୍ବାସର ପାତ୍ର ହେବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ; ଏବଂ ଏହି ଦାୟିତ୍ବ ସରକାର ଏବଂ ପ୍ରଶାସନର। ତୃତୀୟ ଶିକ୍ଷା ଭୂତପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଏକ ପରାମର୍ଶରୁ ମିଳିଥାଏ, ଯାହା ହେଲା କୌଣସି ‘ଅପରେସନ’କୁ ଶୀଘ୍ର ସମାପ୍ତ କରିବାର ଆଗ୍ରହାତିଶଯ୍ୟ ସର୍ବଦା ବର୍ଜନୀୟ; ବରଂ ଏକ ଦୀର୍ଘ ଅବଧିର ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀଙ୍କ ଧୈର୍ଯ୍ୟକୁ ଚୂର୍ଣ୍ଣ କରିବ, ଯାହା ଅବଲୀଳା କ୍ରମେ ସାମରିକ ବାହିନୀର କାର୍ଯ୍ୟକୁ ଅଧିକ ସହଜସାଧ୍ୟ କରିବ। ସେହି କ୍ରମରେ ମନୋହର ପାରିକର କହିଥିଲେ ଯେ ଭାରତୀୟ ସୈନିକଙ୍କ ବିନ୍ଦୁଏ ରକ୍ତ ଏତେ ମୂଲ୍ୟବାନ ଯେ ତାହାକୁ ରାଷ୍ଟ୍ର କୌଣସିମତେ ହରାଇ ପାରିବ ନାହିଁ।