ରାସ୍ତା ବଦଳାଇବାର ବେଳ

କୁମାର ପ୍ରଶାନ୍ତ

ଯେଉଁମାନେ ତାଲାବନ୍ଦୀ କରିଥିଲେ, ଏବେ ଯେତେ ବେଳେ ସେମାନେ କହୁଛନ୍ତି- ଏ ଥର ଆମେ ଢିଲା ଛାଡ଼ୁଛୁ; ସେତେ ବେଳେ ଆମେ କେତେ ବେଳେ ନିଜକୁ ତ କେତେ ବେଳେ ନିଜ ଘରକୁ ଦେଖୁଛୁ। ଯେତେ ବେଳେ ନିଜକୁ ଓ ଘରକୁ ଦେଖୁଛୁ, ସମସ୍ତଙ୍କୁ ଡର-ଥର ଅବସ୍ଥାରେ ପାଉଛୁ। ସମସ୍ତେ ପରସ୍ପର ଠାରୁ ଦୂରେଇ ରହୁଛନ୍ତି। ଆମ ଦେଶ ପୂର୍ବରୁ କେବେ ଏ ଭଳି ଦେଖି ନ ଥିଲା। ଦୁନିଆ ଏ ଭଳି ଅବସ୍ଥା ଦେଇ ପୂର୍ବେ କେବେ ଗତି କରି ନ ଥିଲା। ଲୋକେ, ନିଜ ଆତ୍ମୀୟଙ୍କ ଦ୍ବାରା ପୂର୍ବରୁ କେବେ ଏ ଭଳି ଭୟଭୀତ ହୋଇ ନ ଥିଲେ। ପରସ୍ପରଠାରୁ ଏ ଭଳି କେବେ ଅଲଗା ହୋଇ ନ ଥିଲେ। ସବୁ ଅଛି; ପୁଣି, କିଛି ନାହିଁ। ଜୀବନ ତ ଅଛି; କିନ୍ତୁ, ଚାରିଆଡ଼େ ମୃତ୍ୟୁର ଭୟ ଓ ହାହାକାର। ମୃତ୍ୟୁ ଏକ ମାତ୍ର ସତ୍ୟ ହେବାରେ ଲାଗିଛି; ସବୁଠାରୁ କଠୋର ସତ୍ୟ। ଘରେ ଘରେ ଲାଗିଥିବା ତାଲା, ସାରା ଦେଶରେ ଲାଗିଛି। ତେବେ, କରୋନା ଦାନବ ପାଖରେ ସବୁ ତାଲାର ଚାବି ଅଛି। ପୂର୍ବରୁ ଏମିତି କେବେ କେବେ ହୋଇଥିଲା; ହେଲେ, ଏତେ ବ୍ୟାପକ ଭାବେ ନୁହେଁ। ଏବର ସମସ୍ୟା ପ୍ରକୃତ ଅର୍ଥରେ ଅନ୍ତର୍ରାଷ୍ଟ୍ରୀୟ। ଆମ ଆଧୁନିକ ସଭ୍ୟତାର ସାରା ସ୍ବର୍ଣ୍ଣିମ ଶିଖର ପ୍ରଥମେ ଧୂଳି-ଧୂସରିତ ହେଲା। ଲୁହ ଭର୍ତ୍ତି ଆଖିରେ ବ୍ରିଟେନ୍‌ର ସେହି ଡାକ୍ତରାଣୀ ଜଣକ ଯାହା କହୁଥିଲେ, ସତେ ଯେପରି ସାରା ଦୁନିଆ ବାବଦରେ କହୁଥିଲେ- ଆମେ ତ କିଛି କରିପାରୁନାହୁଁ, ହେଲେ ଦେଖନ୍ତୁ, ମଇଦାନ ଛାଡ଼ି ବି ପଳାୟନ କରୁନାହୁଁ।

ଏବେ ସବୁ କିଛି ପୂର୍ବ ଭଳି ଆଉ ନାହିଁ। ଜୀବନର ନୁହେଁ ମୃତ୍ୟୁର ପରିସ˚ଖ୍ୟାନ ଆମେ ପରସ୍ପର ସହ ବାଣ୍ଟୁଛୁ। ଜୀବନ ଓ ମୃତ୍ୟୁ ମଧ୍ୟରେ ବ୍ୟବଧାନ କେବେ ଏତେ କମ୍‌ ଥିଲା! ଆମେ ତ କେବେ ଏହା ଅନୁଭବ କରି ନ ଥିଲୁ! କହିବା ଓ ଦେଖିବା ଭଳି ବିଶେଷ କିଛି ନାହିଁ। ଗଳି-କନ୍ଦି, ସାହି-ବସ୍ତି ଏବେ ପୂର୍ବାପେକ୍ଷା ଅଧିକ ଶାନ୍ତ। ସଡ଼କରେ ଲୋକ ଅଛନ୍ତି; କିନ୍ତୁ, ପୂର୍ବ ଭଳି ଭିଡ଼ ନାହିଁ। ଯଦି ବି କେଉଁଠି ଭିଡ଼ ଅଛି, ଭିଡ଼ର ଅନୁଭବ ନାହିଁ। ପରିବେଶ ବେଶ୍‌ କିଛି ଗୁଣ ଅଧିକ ନିର୍ମଳ। ଧୂଳି-ଧୂଅାଁ ନାହିଁ, ସଫା ପାଣି, ମୁକ୍ତ ଜୀବ-ଜନ୍ତୁ, ଆନନ୍ଦରେ କଳରବ କରୁଥିବା ବିହଙ୍ଗ ଏବ˚ ଚମକୁଥିବା ଜଙ୍ଗଲ। ହିମାଳୟର ପବିତ୍ର ଶିଖର ବହୁ ଦୂରରୁ ସ୍ପଷ୍ଟ ଦିଶୁଛି। ଆମେ ଯେଉଁ ପଶୁ-ପକ୍ଷୀଙ୍କଠାରୁ ସେମାନଙ୍କ ଜଙ୍ଗଲ ଛଡ଼ାଇ ନେଇଥିଲୁ, ସେମାନେ ରାସ୍ତାରେ ବେଶ୍‌ ନିର୍ଭୟରେ ବୁଲୁଥିବା ବି ଦେଖିବାକୁ ମିଳିଲେଣି।

ଦେଶ ତ ବନ୍ଦ! ଏସବୁ ଘଟୁଛି କିପରି? ସର୍ବଶକ୍ତିମାନ୍‌ ସରକାର ବନ୍ଦ କୋଠରିରେ। ସେମାନେ ଖାଲି ନିରର୍ଥକ ଆଲୋଚନା କରୁଛନ୍ତି। ତାହା ହେଲେ ଏସବୁ କିଏ କରୁଛି? ଆମେ ଆମର ବିକାଶ, ବିଜ୍ଞାନ, ବିଶେଷଜ୍ଞତା ଓ ଯନ୍ତ୍ରପାତି ଯେମିତି ହଟାଇ ନେଲୁ, ପ୍ରକୃତି ନିଜର ସମସ୍ତ କାରିଗରଙ୍କୁ ନେଇ ମରାମତିରେ ଲାଗିଗଲା। ଆମେ ଯାହା ଯାହା ସବୁ ବିଗାଡ଼ି ଦେଇଥିଲେ, ସେ ସବୁ ସଜଡ଼ା ହୋଇଗଲାଣି। କିଛି ସୀମା ପର୍ଯ୍ୟନ୍ତ ଓଜୋନ୍‌ ସ୍ତରର ମରାମତି ଆପେ ହୋଇଗଲାଣି। ହିମନଦୀ ତରଳିବା କିଛି ପରିମାଣରେ ହ୍ରାସ ପାଇଛି। ଅଳ୍ପ କିଛି ଦିନ ବନ୍ଦ୍‌ର ପ୍ରଭାବ ପ୍ରକୃତି ପାଇଁ ସୁଦୂରପ୍ରସାରୀ ଓ ମଙ୍ଗଳମୟ ହୋଇଛି। ପ୍ରକୃତି ସତେ ଯେପରି କହୁଛି, ତୁମେ ଦୂରେଇ ଯାଅ, ଆମେ ହାତ ବଢ଼ାଇବୁ। ଏହା ପଛକୁ ହଟିବା ନୁହେଁ, ରାସ୍ତା ବଦଳାଇବାର ବେଳ। ଏହା ଗାନ୍ଧୀଙ୍କ ହିନ୍ଦ-ସ୍ବରାଜ୍ୟ। ପ୍ରକୃତିର କାରିଗରୀ କ୍ଷମତା ସୀମିତ। ଏହା ଦିନ-ରାତି ଲାଗି ଯେତିକି ସଜାଡ଼ିପାରିବ, ଯେତିକି ଜଳବାୟୁ ସଫା କରିପାରିବ, ଯେତିକି ପୂରଣ କରିପାରିବ, ତାହା ଠାରୁ ଅଧିକ ବୋଝ ତାହା ଉପରେ ଲଦ ନାହିଁ। କୃଷକ ମଧ୍ୟ ବିଚାର କରି ବଳଦ ଉପରେ ବୋଝ ଲଦେ। ଆଉ କୃଷକ ଉପରେ କେତେ ବୋଝ ଲଦିବା ସେ ସ˚କ୍ରାନ୍ତରେ ଆମେ କେବେ ବିଚାର କରୁନାହେଁ। ପ୍ରକୃତି କ୍ଳାନ୍ତ ହୋଇପଡ଼ିନାହିଁ। ତେବେ, ଠିକ୍‌ରେ ପ୍ରଶ୍ବାସ ନେଇ ପାରୁନାହିଁ। ଆମ ସଭ୍ୟତା ତାହାର ଶ୍ବାସକ୍ରିୟାରେ ବାଧକ ସାଜିଛି। ଏହା ବନ୍ଦ ହେବା ଦରକାର। ବିକାଶ ନାମରେ ଏହି ବିନାଶ ବନ୍ଦ କରିବାକୁ ହେବ।

ଆମର ଲୋଡ଼ା ଠିକ୍‌ ସେତିକି ବିକାଶ, ଯେପରି ପ୍ରକୃତି ଶାନ୍ତିରେ ପ୍ରଶ୍ବାସ ନେଇ ପାରିବ; ଧୂଳି-ଧୂସରିତ-ପ୍ରଦୂଷିତ ହେବନାହିଁ। ତେଣୁ, ମିଥ୍ୟାର ଆଶ୍ରୟ ନିଅନାହିଁ; ଛଳନା କରନାହିଁ। ନ ହେଲେ ଗୋଟିଏ କରୋନାରୁ ମୁକ୍ତ ହୋଇ ଆଉ ଏକ କରୋନା ଦ୍ବାରା ସ˚କ୍ରମିତ ହେବା। ତେଣୁ, ସୁବିଧା ନାମରେ ଅସୁବିଧା ସୃଷ୍ଟି କରୁଥିବା ସବୁ କିଛି ବନ୍ଦ କରିବାକୁ ହେବ। କାର‌୍‌-ବିମାନ-କାରଖାନା ଆଦିର ଶୋଭାଯାତ୍ରା; ସତକୁ ମିଛ ଏବ˚ ମିଛକୁ ସତରେ ପରିଣତ କରୁଥିବା ବିଜ୍ଞାପନ; ଦୁଇ ଟଙ୍କା ଲଗେଇ, ଦଶ ଟଙ୍କା ରୋଜଗାର କରିବାର ଫନ୍ଦି; ଏବ˚ କ୍ରମାଗତ ଆମର ଆବଶ୍ୟକତା ବଢ଼ାଉଥିବା ବଜାର ବନ୍ଦ କରିବାକୁ ହେବ। ପୁଞ୍ଜିକୁ ଭଗବାନ କହୁଥିବା, ଭଗବାନଙ୍କ ଠାରୁ ପୁଞ୍ଜି ଚାହୁଁଥିବା ଏବ˚ ଲୋଭ ଓ ଭୟର ଧାରଣା ଉପରେ ଅନବରତ ଦଉଡ଼ୁଥିବା ଏହି ବିକାଶ ଆମର ଲୋଡ଼ାନାହିଁ। କରୋନା କେଉଁଠୁ ଆସିଲା? ଏହି ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଛି। ଏହା ପଚାରିଲେ, ସେମାନେ ଡରାଇ ମୋତେ ଚୁପ୍‌ କରେଇ ଦେବାକୁ ଚାହୁଁଛନ୍ତି। ଚୁପ୍‌ କରେଇବା- ସଭ୍ୟତାର ହତିଆର। ମୁଁ ଅଜ୍ଞାନ। ଏହି ଅଜ୍ଞାନ କହୁଛି- କରୋନା ଏକ ବିଷାଣୁ, ଯାହାକୁ ପ୍ରକୃତି ସୃଷ୍ଟି କରିଛି। ଆଗକୁ ମଧ୍ୟ ସୃଷ୍ଟି ହେବ, ଅନ୍ୟ କୌଣସି ନାମରେ। ପୂର୍ବରୁ ମଧ୍ୟ ହୋଇଥିଲା- ହଇଜା, ବସନ୍ତ, ପ୍ଲେଗ୍‌, ଇନ୍‌ଫ୍ଲୁଏନ୍‌ଜା ଆଦି ନାମରେ। ଆହୁରି ମଧ୍ୟ ବ୍ଲାକ୍‌ ଡେଥ୍‌, ବାର୍ଡ‌୍‌ ଫ୍ଲୁ, ଇବୋଲା, ଏଡ୍‌ସ। ବିଷାଣୁଙ୍କ ସୃଷ୍ଟି ପ୍ରାକୃତିକ। ଏକ ଅଧ୍ୟୟନ ଅନୁଯାୟୀ ମଣିଷ ଦିନରେ ହାରାହାରି ତିନି ଶହରୁ ଚାରି ଶହ ଗ୍ରାମ୍‌ ମଳ ତ୍ୟାଗ କରେ। ଏକ ଗ୍ରାମ୍‌ ମଳରେ ଥାଏ- ଏକ କୋଟି ଭୂତାଣୁ, ଦଶ ଲକ୍ଷ ଜୀବାଣୁ। କରୋନା ଭୂତାଣୁ ଏବେ ଆମ ପାଇଁ ସବୁଠାରୁ ବିପଜ୍ଜନକ। ଏହାର ପ୍ରକୋପ ଆଗରେ ଆମେ ଅସହାୟ ଓ ଦୁର୍ବଳ ପ୍ରମାଣିତ ହୋଇଚାଲିଛେ। ଆମ ଜୀବନ ଓ ଜୀବିକା ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଆମର କୁକର୍ମ ଯୋଗୁଁ ପ୍ରକୃତି ଆମକୁ ଏହା ଦେଇଛି। ତେଣୁ, ନିଜକୁ ବଦଳାଇବା ଦ୍ବାରା ଏହା କବଳରୁ ମୁକ୍ତି ସ˚ଭବ।

ମହାତ୍ମା ଗାନ୍ଧୀ କହୁଥିଲେ- ଭୟ କରନାହିଁ, ଲୋଭ କରନାହିଁ, ହି˚ସା କରନାହିଁ, ଆବଶ୍ୟକତା ଠାରୁ ଅଧିକ କାମନା କରନାହିଁ। କାହାକୁ ଡର ନାହିଁ ବା କାହାକୁ ଡରାଅ ନାହିଁ। କାହାଠାରୁ କିଛି ଛଡ଼ାଇ ନିଅନାହିଁ। ନିଜ କାମ ନିଜେ କର। ଏହା ହିଁ ଧର୍ମ। ଏହା ହିଁ କର୍ତ୍ତବ୍ୟ। ସ୍ବାଧୀନତାର ସହ ବଞ୍ଚିବା ଶିଖ। ଯେଉଁଠି ଆତ୍ମସମ୍ମାନ ଓ ଆତ୍ମନିର୍ଭରତା ନାହିଁ, ସେଠାରେ ରହନାହିଁ। ପ୍ରକୃତି ମଧ୍ୟ ଆତ୍ମସମ୍ମାନ ଓ ଆତ୍ମନିର୍ଭରତାର ସହ ରହିବାକୁ ଚାହେଁ। ଆମର ଜୀବନ-ଶୈଳୀ ପ୍ରକୃତିର ଇଚ୍ଛା ପଥରେ ପ୍ରତିବନ୍ଧ ସାଜିଛି। କିଏ ବାଧା-ପ୍ରତିବନ୍ଧ ପସନ୍ଦ କରେ! ନା ଆମେ, ନା ପ୍ରକୃତି! ଏହା ଆମେ ଭୁଲିବାନାହିଁ। ନଚେତ୍‌ କରୋନା ଆଗକୁ ନିଜ ଭାଇ ବନ୍ଧୁଙ୍କ ସହ ଦେଖାଦେବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର