କିନ୍ତୁ ଏଭଳି ସ୍ଥଳେ ପାନ୍ଡେମିକ୍ ଅଭିଜ୍ଞ ବିଶ୍ବ ଚୀନର ଦୁରବସ୍ଥାକୁ ନେଇ କଟାକ୍ଷ କରିବାରୁ ବିରତ ରହିବା ଉଚିତ; ଯେମିତି କେତେକ ପାଶ୍ଚାତ୍ୟ ଏପରିକି ଭାରତୀୟ ଗଣମାଧୢମରେ ଦୃଷ୍ଟିିଗୋଚର ହେବାରେ ଲାଗିଛି। ସନ୍ଥ କବୀରଙ୍କ ଏହି ପ୍ରସିଦ୍ଧ ଦୋହାଟି କହି ନ ଥାଏ କି ‘କବୀରା, ଗର୍ବ ନା କିଜିଏ, କବ ହୁଁ ନା ହସିୟେ କୋଏ; ଅଜହୁଁ ନାଓ ସମୁଦ୍ର ମୈ ନା ଜାନେ କ୍ୟା ହୋଏ?’ ଅର୍ଥାତ୍ ହେ କବୀର, ଗର୍ବ କର ନାହିଁ, କାହାକୁ ପରିହାସ କର ନାହିଁ; କାରଣ ତୁମ ନୌକା ବି ସମୁଦ୍ରରେ, ତେଣୁ କେତେବେଳେ କ’ଣ ଘଟିବ କେହି କହିପାରିବେ ନାହିଁ।
ଆଜିକୁ ଠିକ୍ ଚାରି ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯, ଡିସେମ୍ବର ମାସରେ ଯେଉଁଭଳି ଭାବେ କୋଭିଡ୍ ସ˚କ୍ରମଣର ସ୍ପଷ୍ଟ-ଅସ୍ପଷ୍ଟ ଖବରମାନ ଚୀନ ଭୂଖଣ୍ତରୁ ଆସିବାରେ ଲାଗିଥିଲା, ଲାଗୁଛି ବର୍ତ୍ତମାନ ସତେ ଯେମିତି ତା’ର ପୁନରାବୃତ୍ତି ଘଟୁଛି; ତେବେ ପ୍ରଭେଦଟି ହେଲା ସେହି ସମୟରେ ଏକ ପ୍ରକୃତ ପାନ୍ଡେମିକ୍ର ଭୟାବହତା ସ˚ପର୍କରେ ପୃଥିବୀ ସ˚ପୂର୍ଣ୍ଣ ଅଜ୍ଞ ଥାଇ ଏ ନେଇ କେବଳ କିଛି ନିରୀହ ଧାରଣା ମାତ୍ର ପୋଷଣ କରୁଥିଲା ବେଳେ ବର୍ତ୍ତମାନ ସ˚କ୍ରମଣର ଏକାଧିକ ତରଙ୍ଗରେ ଅବଗାହନ କରି ସାରିଥିବା ପୃଥିବୀ କ୍ଷତବିକ୍ଷତ ହୋଇଥିଲେ ସୁଦ୍ଧା ଏହାର ମୁକାବିଲା ନେଇ ଅନେକ ଅନୁଭୂତି, ଜ୍ଞାନ ତଥା ଉପଲବ୍ଧି ଏବ˚ ସାହସ ହାସଲ କରି ପାରିଛି। ତେବେ ସା˚ପ୍ରତିକ ଘଟଣାକ୍ରମରେ ନିହିତ ବିଡ଼ମ୍ବନାଟି ହେଉଛି ଏହି ପାନ୍ଡେମିକ୍ର ଉତ୍ପତ୍ତି ସ୍ଥଳ ଚୀନ ଦୀର୍ଘ ଚାରି ବର୍ଷ ପରେ ସ˚କ୍ରମଣର ଉତ୍ତାଳ ତରଙ୍ଗ ଦ୍ବାରା ଡୁବି ଯିବାକୁ ବସିଥିବା ସ୍ଥଳେ ଅବଶିଷ୍ଟ ବିଶ୍ବ ଏଭଳି ତରଙ୍ଗଗୁଡ଼ିକର ସମ୍ମୁଖୀନ ହୋଇ ସେ ସବୁକୁ ଭେଦ କରି ଊଣାଅଧିକେ ଏକ କୋଭିଡ୍ ମୁକ୍ତ ପରିବେଶରେ ଧୀର ପଦକ୍ଷେପ ସହିତ ପୁନର୍ବାର ସ୍ବାଭାବିକ ଜୀବନ ଯାତ୍ରା ପ୍ରାରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ସଂପ୍ରତି କି˚କର୍ତ୍ତବ୍ୟବିମୂଢ଼ ହୋଇପଡ଼ିଥିବା ଚୀନ ସଂପର୍କରେ ଏକ ସମ୍ବେଦନଶୀଳ ଆଲୋଚନା କରାଯାଇପାରେ।
ଉଲ୍ଲେଖଯୋଗ୍ୟ ଯେ ଜୀବନକୁ ଦୁର୍ବିଷହ କରି ପକାଇଥିବା ଭଳି ଦୀର୍ଘକାଳୀନ ଓ ଅତ୍ୟନ୍ତ କଠୋର ଲକ୍ଡାଉନ୍ ବିରୋଧରେ ସେଠାରେ ସୃଷ୍ଟ ଜନମତର ପ୍ରାବଲ୍ୟ ହେତୁ ଚୀନ ସରକାର ତାଙ୍କର ପଥ ପ୍ରଦର୍ଶକ ‘ଶୂନ୍ୟ କୋଭିଡ୍ ନୀତି’ରେ କୋହଳତା ଅବଲମ୍ବନ କରିବାକୁ ବାଧୢ ହୋଇଛନ୍ତି। କିନ୍ତୁ, ଏହି ସାମନ୍ୟ କୋହଳତା ସେଠାରେ ମୁକ୍ତି ଏବ˚ ପାରସ୍ପରିକ ମିଳନର ଯେଉଁଭଳି ଆତୁରତା ସୃଷ୍ଟି କରିଛି, ତହିଁରେ ସମଗ୍ର ଦେଶରେ ସ˚କ୍ରମଣର ଏକ ସୁନାମି ସୃଷ୍ଟି ହେବାରେ ବିସ୍ମୟର କୌଣସି କାରଣ ନାହିଁ। ଯଦିଓ ପ୍ରାରମ୍ଭରୁ କୋଭିଡ୍ ସ˚କ୍ରମଣ ସ˚ଦର୍ଭରେ ଚୀନ ସରକାର ବିଶେଷ ସୂଚନା ପ୍ରଦାନ କରି ନ ଥାଆନ୍ତି, ତଥାପି ଚୀନର ଏକ ସରକାରୀ ଅନୁଷ୍ଠାନ ‘ନେସନାଲ ହେଲ୍ଥ କମିସନ୍’ ଦ୍ବାରା ପ୍ରକାଶିତ ତଥ୍ୟ କହିଥାଏ ଯେ ବର୍ତ୍ତମାନ ସେଠାରେ ସ˚କ୍ରମଣର ହାର ବା ‘ଆର୍’ ହେଉଛି ୧୬, ଯାହାର ଅର୍ଥ ଜଣେ ସ˚କ୍ରମିତଙ୍କ ଠାରୁ ଅନ୍ତତଃ ୧୬ ଜଣ ଆକ୍ରାନ୍ତ ହେଉଛନ୍ତି, ଯାହାକୁ ଅତ୍ୟନ୍ତ ତୀବ୍ର ବୋଲି କୁହାଯାଇପାରେ। ଏଭଳି ସ୍ଥିତିରେ ଚୀନର ଭବଷ୍ୟତ୍ ସ୍ଥିତି ସ˚ପର୍କରେ ଅନୁମାନ-ଭିତ୍ତିକ ଅନେକ ମଡେଲ, ସୂତ୍ର ଓ ବ୍ୟାଖ୍ୟାନମାନର ଆବିର୍ଭାବ ଘଟିଲାଣି, ଯହିଁରେ ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମ୍ଭାବ୍ୟ ମୃତ୍ୟୁ ସ˚ଖ୍ୟା ପ୍ରାୟ ୧୦ ଲକ୍ଷ ହୋଇପାରେ ବୋଲି ମଧୢ ଦର୍ଶାଯାଉଛି। ତେବେ ପୂର୍ବରୁ ଏଭଳି ଅନେକ ମଡେଲର ନିର୍ଭୁଲତା ସନ୍ଦିଗ୍ଧ ହୋଇ ପଡ଼ିଥିବାରୁ ସହସା କୌଣସି ଭବିଷ୍ୟବାଣୀ ବିଶ୍ବାସଯୋଗ୍ୟ ହୋଇ ନ ପାରେ, ଯାହା କେବଳ ଉପଯୁକ୍ତ ସମୟ ପରେ ଯାଇ ସ୍ପଷ୍ଟ ହେବ।
ସ˚ପ୍ରତି ଚୀନର ଏଭଳି ଭାଗ୍ୟ ଭୋଗ ନେଇ ପ୍ରାୟ ସମସ୍ତେ ଏକମତ ଯେ ଅତ୍ୟନ୍ତ ସ˚କ୍ରମଣଶୀଳ ଏହି ଭୂତାଣୁ ଉପରେ ବିଜୟ ଲାଭ କରିବାରେ ‘ଶୂନ୍ୟ କୋଭିଡ୍ ନୀତି’ର ଅସଫଳତା ଏକ ପ୍ରମୁଖ କାରଣ। ଯଦିଓ ପାନ୍ଡେମିକ୍ର ପ୍ରାରମ୍ଭିକ କାଳରେ ଚୀନ ଦ୍ବାରା ପ୍ରଦର୍ଶିତ ‘କ୍ବାରାଣ୍ଟାଇନ୍-ଲକ୍ଡାଉନ୍-ସଟ୍ଡାଉନ୍’ର ମାର୍ଗକୁ ସମଗ୍ର ବିଶ୍ବ ଅନୁସରଣ କରିଥିଲା, ଚୀନ ଭଳି ନିଷ୍ଠୁର କଠୋରତା ଅବଲମ୍ବନ କରି ନ ପାରିବା କାରଣରୁ ବାରମ୍ବାର ସ˚କ୍ରମଣର ତରଙ୍ଗରେ ମଗ୍ନ ହୋଇଥିଲା ଏବଂ ଅସ˚ଖ୍ୟ ଜୀବନ ହାନିର ଶିକାର ହୋଇଥିଲା। ତା’ ସତ୍ତ୍ବେ ଏକ ବରଦାନ ସଦୃଶ ଯାହା ମିଳିଥିଲା, ତାହା ହେଉଛି ନାଗରିକମାନଙ୍କ ଶରୀରରେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତିର ବିକାଶ। ତା’ ସହିତ ଅତୁଲ୍ୟ ବିଚକ୍ଷଣତା ଓ ଅକ୍ଳାନ୍ତ ଉଦ୍ୟମର ଫଳଶ୍ରୁତି ସ୍ବରୂପ ଅତ୍ୟନ୍ତ ଫଳପ୍ରଦ ଭାକ୍ସିନ୍ର ଆବିର୍ଭାବ ମଧ୍ୟ ଘଟିଥିଲା, ଯାହା ଶରୀରକୁ କୃତ୍ରିମ ଉପାୟରେ ରୋଗ ପ୍ରତିରୋଧୢ କରି ଗଢ଼ି ତୋଳିଥିଲା। କିନ୍ତୁ ଏଣେ ‘ଶୂନ୍ୟ କୋଭିଡ୍ ନୀତି’କୁ ଅଭ୍ରାନ୍ତ ସାବ୍ୟସ୍ତ କରିବାକୁ ଚୀନ ସରକାର ସେଠାରେ ସ˚କ୍ରମଣର ତରଙ୍ଗ ସୃଷ୍ଟିର ସୁଯୋଗ ଦେଇ ନ ଥିଲେ ଏବ˚ ‘ଟିକା ଜାତୀୟତାବାଦ’ ଜନିତ ଅସ୍ମିତା କାରଣରୁ କେବଳ ନିଜ ଦ୍ବାରା ପ୍ରସ୍ତୁତ ଅଥଚ ନିକୃଷ୍ଟ ମାନର ଭାକ୍ସିନ୍ (ସାଇନୋଭାକ୍, ଯାହାର ଫଳପ୍ରଦତା ମାତ୍ର ପ୍ରାୟ ୫୦ ପ୍ରତିଶତ) ଉପରେ ଜୋର ଦେଇ ଅନ୍ୟ କୌଣସି ଭାକ୍ସିନ୍କୁ ଦେଶରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ପ୍ରକାଶ ଥାଉ କି ଏହି ସ୍ବଦେଶୀ ଭାକ୍ସିନ୍ର ଉପାଦେୟତାକୁ ବିଶ୍ବାସକୁ ନ ନେଇ ୧୮ ବର୍ଷରୁ ୬୦ ବର୍ଷ ବୟସ୍କ ଚୀନା ଅଧିବାସୀଙ୍କ ମଧୢରୁ ପ୍ରାୟ ୮୦ ପ୍ରତିଶତ ତାହା ନେଇ ନାହାନ୍ତି। ସୁତରା˚, ଚୀନା ଅଧିବାସୀଗଣ ଉଭୟ ପ୍ରାକୃତିକ ଏବ˚ କୃତ୍ରିମ ଭାବେ ରୋଗ ପ୍ରତିରୋଧକ ଶକ୍ତି ଆହରଣ କରି ନ ପାରି ବସ୍ତୁତଃ କୋଭିଡ୍ର ସର୍ବାଧିକ ସ˚କ୍ରମଣକ୍ଷମ ରୂପାନ୍ତର ‘ବିଏଫ୍ ୭’ ସକାଶେ ଉର୍ବର ଚାରଣ ଭୂମିରେ ପରିଣତ ହୋଇଛନ୍ତି। ପ୍ରକାଶ ଥାଉ କି କୋଭିଡ୍ ପାନ୍ଡେମିକ୍ର ଭୟାବହତାର ଛାୟା ତଳେ ସମଗ୍ର ମାନବ ସମାଜ ସକାଶେ ଆତ୍ମନିରୀକ୍ଷଣର ଅନେକ ସୁଯୋଗ ସୃଷ୍ଟି ହୋଇଛି; ଯହିଁରେ ମନୁଷ୍ୟର ଅହମିକା, ନିର୍ବୋଧତା, ଦୁର୍ବଳତା ଏବ˚ ପତନଶୀଳତା ଉଜାଗର ହୋଇଥାଏ। ସେହି ଆଲୋକରେ ଚୀନ ସକାଶେ ଏବେ ଏକ ଆତ୍ମନିରୀକ୍ଷଣର ମୁହୂର୍ତ୍ତ ଉପନୀତ। କେବଳ ଏକ ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଛି।
ଏହି ଆଲୋଚନା ବେଳେ ସ୍ବାଭାବିକ ଭାବେ ଚୀନର ଦୁଇ କି˚ବଦନ୍ତୀୟ ସମସାମୟିକ (ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ) ପ୍ରାଜ୍ଞ ଲାଓତ୍ ସୁ ଏବ˚ କନଫୁସିଅସ୍ ସ୍ମରଣକୁ ଆସିଥାନ୍ତି। ଏହି ଦୁଇ ଅଦ୍ବିତୀୟ ଦାର୍ଶନିକଙ୍କ ଅବବୋଧକୁ ଅତ୍ୟନ୍ତ ସରଳ, ସ˚କ୍ଷିପ୍ତ ଏବ˚ ସ୍ଥୂଳ ଭାବେ ପ୍ରକାଶ କରିବାର ଉଦ୍ୟମରେ ଏତିକି କୁହାଯାଇପାରେ ଯେ ଲାଓତ୍ ସୁ ଏକ ପ୍ରକୃତି ଅନୁକୂଳ ଜୀବନ-ଦର୍ଶନର ପ୍ରବର୍ତ୍ତକ ଥିଲେ ଯହିଁରେ ମନୁଷ୍ୟ ଅନ୍ୟ ସମସ୍ତ ସ୍ଥାବର-ଜଙ୍ଗମଙ୍କ ଭଳି ପ୍ରକୃତିର ଏକ ଅ˚ଶ ଭଳି ବିରାଜମାନ କରିଥାଏ, ଅଥଚ କନଫୁସିଅସ୍ ତହିଁରେ ସନ୍ତୁଷ୍ଟ ନ ରହି ମନୁଷ୍ୟର ଅତୁଳନୀୟ ସାମର୍ଥ୍ୟ ପ୍ରତିପାଦନ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଏକ ଉଦାହରଣ ଦ୍ବାରା ଏହି ଧାରଣା ଦ୍ବୟକୁ ସରଳ ଭାବେ ବୁଝି ହେବ: ଯେମିତି କି କୌଣସି ରୋଗର ସମ୍ଭାବନା କ୍ଷେତ୍ରରେ ଲାଓତ୍ ସୁ କହନ୍ତେ ମନୁଷ୍ୟ ଏଭଳି ବଞ୍ଚୁ ଯେମିତି ତା’ର ଶରୀର ସହଜରେ ରୋଗ-ଭେଦ୍ୟ ହେବ ନାହିଁ; ଅର୍ଥାତ୍ ସେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧୢ ହେବ, ଅଥଚ କନଫୁସିଅସ୍ କହନ୍ତେ ରୋଗ ଉପରେ ବିଜୟ ଲାଭ କରିବା ଲାଗି ଫଳପ୍ରଦ ଚିକିତ୍ସା ଓ ଔଷଧ ଉଦ୍ଭାବିତ ହେଉ ଓ ତାହାର ଆଶ୍ରୟ ନିଆଯାଉ। ପାନ୍ଡେମିକ୍ ସମୟରେ ଚୀନ ବ୍ୟତୀତ ଅବଶିଷ୍ଟ ପୃଥିବୀ ଉଭୟ ଲାଓତ୍ ସୁ ଏବ˚ କନଫୁସିଅସ୍ଙ୍କୁ ଆପଣା ଅଗୋଚରରେ ହେଲେ ମଧ୍ୟ ଅନୁସରଣ କରିବା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ସ˚କ୍ରମଣର ଶିକାର ହୋଇ ଅସ˚ଖ୍ୟ ମନୁଷ୍ୟ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଆହରଣ କରୁଥିବା ବେଳେ ଅନ୍ୟ ପଟେ ଔଷଧ ଏବ˚ ଭାକ୍ସିନ୍ ମନୁଷ୍ୟ ଶରୀରକୁ କୋଭିଡ୍ ଲାଗି ସହଜଭେଦ୍ୟ ହେବାରୁ ରକ୍ଷା କରିଥିଲା। କିନ୍ତୁ ବିଡ଼ମ୍ବନା, ଚୀନ ତା’ ନିଜ ଦେଶର ଏହି ଦୁଇ ପ୍ରାଜ୍ଞଙ୍କ ପ୍ରଜ୍ଞାକୁ ନଜରଅନ୍ଦାଜ କରି ଏକ ଅହଙ୍କାରୀ ଶାସନ-ତନ୍ତ୍ର ଦ୍ବାରା ପ୍ରତିପାଳିତ ଧାରଣା ଅନୁସାରେ ଗତି କରିଥିଲା, ଯାହାର ପରିଣାମ ଏଭଳି ଏକ ଅଭାବନୀୟ ସ୍ଥିତି। ଏଥିରୁ ଚୀନ ଯେତେ ଶୀଘ୍ର ମୁକ୍ତି ପାଇବ, ସେତେ ଭଲ। କାରଣ ଏହା କେବଳ ଚୀନ ସକାଶେ ନୁହେଁ, ସମଗ୍ର ବିଶ୍ବ ଲାଗି ଚିନ୍ତାର ବିଷୟ। କାରଣ ପୃଥିବୀର ଯୋଗାଣ କେନ୍ଦ୍ର ରୂପେ ସ୍ବୀକୃତ ଚୀନ ଅଧିକ କାଳ ଅଚଳ ହୋଇ ରହିବା କୋଭିଡ୍ ବିପର୍ଯ୍ୟସ୍ତ ବିଶ୍ବ ଅର୍ଥନୀତିକୁ ଅଧିକ ଦାରୁଣ ଆଘାତ ପ୍ରଦାନ କରିବ।
ଚୀନର ସା˚ପ୍ରତିକ ସ୍ଥିତି ଅନେକ ଦେଶରେ ପାନ୍ଡେମିକ୍ର ପୁନଃ ପ୍ରତ୍ୟାବର୍ତ୍ତନକୁ ନେଇ ଆଶଙ୍କା ସୃଷ୍ଟି କଲାଣି। ଭାରତ ସରକାର ମଧୢ ଏ ସ˚ପର୍କରେ ସତର୍କତାମୂଳକ ସୂଚନାମାନ ଜାରି କରିଛନ୍ତି। କିନ୍ତୁ ଏଭଳି ସ୍ଥଳେ ପାନ୍ଡେମିକ୍ ଅଭିଜ୍ଞ ବିଶ୍ବ ଚୀନର ଦୁରବସ୍ଥାକୁ ନେଇ କଟାକ୍ଷ କରିବାରୁ ବିରତ ରହିବା ଉଚିତ; ଯେମିତି କେତେକ ପାଶ୍ଚାତ୍ୟ ଏପରିକି ଭାରତୀୟ ଗଣମାଧୢମରେ ଦୃଷ୍ଟିିଗୋଚର ହେବାରେ ଲାଗିଛି। ସନ୍ଥ କବୀରଙ୍କ ଏହି ପ୍ରସିଦ୍ଧ ଦୋହାଟି କହି ନ ଥାଏ କି ‘କବୀରା, ଗର୍ବ ନା କିଜିଏ, କବ ହୁଁ ନା ହସିୟେ କୋଏ; ଅଜହୁଁ ନାଓ ସମୁଦ୍ର ମୈ ନା ଜାନେ କ୍ୟା ହୋଏ?’ ଅର୍ଥାତ୍ ହେ କବୀର, ଗର୍ବ କର ନାହିଁ, କାହାକୁ ପରିହାସ କର ନାହିଁ; କାରଣ ତୁମ ନୌକା ବି ସମୁଦ୍ରରେ, ତେଣୁ କେତେବେଳେ କ’ଣ ଘଟିବ କେହି କହିପାରିବେ ନାହିଁ।