ଏହି ନାଟକ ପରେ ‘ଗ୍ୟାସ ଲାଇଟ୍‌’ ଶବ୍ଦଟି ମନସ୍ତତ୍ତ୍ବରେ ସ୍ଥାନ ପାଇସାରିଛି, ଯାହାର ଅର୍ଥ ଭ୍ରମାତ୍ମକ ଧାରଣା ସୃଷ୍ଟି କରି ଅନ୍ୟର ଆତ୍ମପ୍ରତ୍ୟୟକୁ ଭୂଲୁଣ୍ଠିତ କରିବାର ବିଧିବଦ୍ଧ ଉଦ୍ୟମ। ଚୀନର ଏଭଳି ପ୍ରୟାସକୁ ମଧ୍ୟ ‘ଗ୍ୟାସ ଲାଇଟ୍’ ଉପାୟର ଏକ ଅନୁସରଣ ରୂପେ ଦେଖା ଯାଇପାରେ, ଯାହା ବାସ୍ତବତାକୁ ବିଭିନ୍ନ ଉପାୟରେ ଭ୍ରାନ୍ତ ବୋଲି ଦର୍ଶାଇବାରେ ବ୍ୟାପୃତ।

Advertisment

ଗଲା ଅଗଷ୍ଟ ୨୮ ତାରିଖରେ ଚୀନ ସରକାର ନିଜ ଦେଶର ଏକ ମାନଚିତ୍ର (ଷ୍ଟାଣ୍ଡାର୍ଡ ମ୍ୟାପ୍‌-୨୦୨୩) ପ୍ରକାଶ କରି ପୁରୁଣା ଉପଦ୍ରବର ପୁନରାବୃତ୍ତି ଘଟାଇଛନ୍ତି, ଯହିଁରେ ଭାରତ ଅନ୍ତର୍ଗତ ‘ଅକସାଇ ଚୀନ’ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ଭାବେ ଦର୍ଶାଯାଇଛି। କହିବା ବାହୁଲ୍ୟ ଯେ ଏହା ବିରୋଧରେ ଭାରତ ସରକାର ତୀବ୍ର ପ୍ରତିବାଦ ଜ୍ଞାପନ କରିଛନ୍ତି। ତେବେ, ଚୀନର ଏତାଦୃଶ ‘ମାନଚିତ୍ର ଅତିକ୍ରମଣ’ କେବଳ ଭାରତ ସକାଶେ ନୁହେଁ, ତା’ର ଅନ୍ୟ ଦୁଇ ପଡ଼ୋଶୀ ଫିଲିପାଇନ୍‌ସ, ମାଲେସିଆ ଏବଂ ଦ୍ବୀପ ରାଷ୍ଟ୍ର ତାଇୱାନ ଲାଗି ମଧ୍ୟ ଅସ୍ବସ୍ତି ଏବଂ ତୀବ୍ର ପ୍ରତିବାଦର କାରଣ ହୋଇଛି; କାରଣ ସେହି ମାନଚିତ୍ରରେ ଉପରୋକ୍ତ ରାଷ୍ଟ୍ରଗୁଡ଼ିକର ସାର୍ବଭୌମ ଅଧିକାରକୁ କ୍ଷୁଣ୍ଣ କରି ଚୀନ ସରକାର ଦକ୍ଷିଣ ଚୀନ ସାଗରର ଅନେକ ଅଂଶକୁ ଆପଣା ଅଧିକାରଭୁକ୍ତ ରୂପେ ଦାବି କରିଛନ୍ତି। ତେବେ, ଏହି ଅସ୍ବସ୍ତି ବୋଧ ଭାରତ ପାଇଁ ଅଧିକ ତୀବ୍ର ହୋଇଥାଏ, କାରଣ ଆସନ୍ତା ସପ୍ତାହରେ ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ‘ଜି-୨୦’ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ଯେଉଁ ପେକ୍ଷାପଟରେ ଏଭଳି ଏକ ବିବାଦର ସହସା ଆବିର୍ଭାବ ଆଦୌ ସ୍ପୃହଣୀୟ ହୋଇ ନ ଥାଏ। ସୁତରାଂ, ଏହା ପଛରେ ଭାରତକୁ ଅପଦସ୍ଥ କରିବାର ଏକ ଅଭିସନ୍ଧି ରହିଥିବା ନେଇ ମଧ୍ୟ ସନ୍ଦେହ ପ୍ରକଟ କରାଯାଉଛି। ତେବେ, ଏହି ପରିପ୍ରେକ୍ଷୀରେ ଯେଉଁ ମୂଳ ପ୍ରଶ୍ନଟି ଉଠିଥାଏ, ତାହା ହେଲା ଚୀନର ଏଭଳି ଆଚରଣର କାରଣ କ’ଣ ହୋଇପାରେ? ଏହି ପ୍ରଶ୍ନର ଉତ୍ତର ପାଇବା ଲାଗି ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ଭଳି ମନେ ହୋଇଥାଏ।
ଅଧିକାଂଶ ମତ କହିଥାଏ ଯେ ଚୀନର ଏଭଳି ‘ମାନଚିତ୍ର ଅତିକ୍ରମଣ’ର ମୂଳରେ ରହିଛି ଏକ ସାମ୍ରାଜ୍ୟ ବିସ୍ତାରୀ ମନୋଭାବ, ଯାହା ବର୍ତ୍ତମାନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଠାରେ ସର୍ବାଧିକ ତୀବ୍ରତା ଲାଭ କରିଛି, ଯିଏ ସମ୍ଭବତଃ ପ୍ରାଚୀନ କ୍ବିଂଗ୍‌ ରାଜବଂଶ-କାଳୀନ ବିଶାଳ ଚୀନ ସାମ୍ରାଜ୍ୟକୁ ଏକବିଂଶ ଶତାବ୍ଦୀର ଚୀନ ରୂପେ ଦେଖିବାର ଅଭିଳାଷ ପୋଷଣ କରିଥାଆନ୍ତି; ଯାହାର ପରିଣାମ ଭୂ-ଭାଗ ଏବଂ ଜଳଭାଗରେ ଚୀନର ଆଧିପତ୍ୟ ବିସ୍ତାରର ଉଦ୍ୟମ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଦକ୍ଷିଣ ଚୀନ ସାଗର, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନେକ ଅଂଶ ତଥା ଭୂ-ସଂଲଗ୍ନ ପଡ଼ୋଶୀ ରାଷ୍ଟ୍ର ଭାରତ ଏହା ଦ୍ବାରା ଆକ୍ରାନ୍ତ ହେବାରେ ଲାଗିଛନ୍ତି।
ଦ୍ବିତୀୟ କାରଣ, ସମ୍ଭବତଃ, ପୃଥିବୀର ବୃହତ୍ତମ ଗଣତନ୍ତ୍ର ରୂପେ ଭାରତର ଅଭ୍ୟୁଦୟ କମ୍ୟୁନିଷ୍ଟ ଚୀନ ଠାରେ ଗାତ୍ରଦାହ ସୃଷ୍ଟି କରୁଥିବ। ଏଭଳି ସ୍ଥଳେ ଆର୍ଥିକ ମହାଶକ୍ତି ରୂପେ ଶି‌େରାତ୍ତୋଳନ କରୁଥିବା ଗଣତାନ୍ତ୍ରିକ ଭାରତ ବିଶ୍ବ ପରିପ୍ରେକ୍ଷୀରେ ଆସ୍ଥାଭାଜନ ହେବା ଅଥବା ପ୍ରଭାବ ବିସ୍ତାର କରୁଥିବା ବିଷୟ ଚୀନର ଏହି ଅସହିଷ୍ଣୁତାକୁ ଧୈର୍ଯ୍ୟହୀନ ସ୍ତରକୁ ମଧ୍ୟ ନେଇ ଯାଇଥିବ। ଏହି ମର୍ମରେ ଗଲା ସପ୍ତାହରେ ପ୍ରକାଶିତ ‘ପିଉ’ ରିସର୍ଚ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯାହା ସ୍ପଷ୍ଟ କରିଛି ଯେ କେବଳ କେତେକ ଆଫ୍ରିକୀୟ ରାଷ୍ଟ୍ରଙ୍କୁ ଛାଡ଼ି ଦେଲେ ଅଧିକାଂଶ ରାଷ୍ଟ୍ର ଚୀନକୁ ସନ୍ଦେହାସ୍ପଦ ଦୃଷ୍ଟିରେ ଦେଖିଥାନ୍ତି। କହିବା ବାହୁଲ୍ୟ, ସଂପ୍ରତି ପୃଥିବୀର ଦ୍ବିତୀୟ ବୃହତ୍ତମ ଶକ୍ତିରେ ପରିଣତ ‌େହାଇଥିବା ଚୀନ ସକାଶେ ଏଭଳି ଏକ ସ୍ଥିତି ବରଦାସ୍ତଯୋଗ୍ୟ ନ ହେବା ସ୍ବାଭାବିକ। ସୁତରାଂ, ପ୍ରତିକ୍ରିୟାଶୀଳ ଚୀନ ସଂପ୍ରତି ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ସେହି କ୍ରମରେ ନିଷ୍ଫଳ ଆକ୍ରୋଶ ପ୍ରଦର୍ଶନ ପୂର୍ବକ ଭାରତ ସହିତ ସୀମା ବିବାଦ ପ୍ରସଙ୍ଗକୁ ବାରମ୍ବାର ଉଠାଇ ଅଥଚ ସମସ୍ୟାର ସମାଧାନ ଦିଗରେ ଇଚ୍ଛା ପ୍ରକଟ ନ କରି ଚୀନ ଏହି ସମସ୍ୟାକୁ ଏକ ଚିନ୍ତାସଂକୁଳ ଚିରନ୍ତନତା ପ୍ରଦାନ କରିବାକୁ ଉଦ୍‌ଗ୍ରୀବ।
କିନ୍ତୁ, ଅନେକ ବିଶେଷଜ୍ଞ ଏହା ପଛରେ ସଂପ୍ରତି ଚୀନ ସମ୍ମୁଖୀନ ହେଉଥିବା ଅତ୍ୟନ୍ତ ଗୁରୁତର ମୁଦ୍ରା-ଅବସ୍ଫୀତି (ଡିଫ୍ଲେସନ୍‌)ର ଭୂମିକାକୁ ମଧ୍ୟ ଦେଖନ୍ତି। ଏଭଳି ଆର୍ଥିକ ଦୁଃସ୍ଥିତିର ଶିକାର ହୋଇ ଚୀନର ବୃହତ୍ତମ ରିଏଲ୍‌ ଇଷ୍ଟେଟ୍ କଂପାନି ‘କନ୍‌ଟ୍ରି ଗାର୍ଡେନ୍’ ଧରାଶାୟୀ ହୋଇଯାଇଛି, ଯାହା ଅଧୀନରେ ସମଗ୍ର ଚୀନରେ ୩୦୦୦ଟି ବିଶାଳ ପ୍ରକଳ୍ପ ନିର୍ମାଣାଧୀନ ଥିଲା; ଚୀନର ଆମଦାନିରେ ତୀକ୍ଷ୍‌ଣ ସଂକୋଚନ ପରିଦୃଷ୍ଟ ହୋଇଛି; ଉଚ୍ଚ ଶିକ୍ଷିତଙ୍କ ମଧ୍ୟରେ ବେକାରି ହାର ଅଭୂତପୂର୍ବ ୨୦ ଶତାଂଶରେ ପହଞ୍ଚିଛି; ସାଧାରଣ ଚୀନ ନାଗରିକଙ୍କ ହାରାହାରି ଆୟରେ ସ୍ଖଳନ ଘଟିଛି। ଏଭଳି ସ୍ଥଳେ ଅସନ୍ତୁଷ୍ଟ ଚୀନ ନାଗରିକଙ୍କ ଦୃଷ୍ଟିକୁ ଏହି ଆଭ୍ୟନ୍ତରୀଣ ସମସ୍ୟା ଠାରୁ ହଟାଇ ନେବା ଲାଗି ଏହା ଚୀନର ଏକ ଚାତୁର୍ଯ୍ୟ ହୋଇପାରେ ବୋଲି ସେମାନେ କହନ୍ତି।
ତେବେ ଆଉ କେତେକ ଏହାକୁ ଚୀନ ସରକାରଙ୍କ କୁଟିଳ-ବୁଦ୍ଧି ପ୍ରସୂତ ଅଭ୍ୟାସଗତ ଉଦ୍ୟମ ବୋଲି ବିଚାର କରନ୍ତି, ଯହିଁରେ ଏଭଳି ଉପଦ୍ରବମାନ ଚୀନକୁ କାରଣେ-ଅକାରଣେ ପ୍ରାସଙ୍ଗିକ କରି ରଖିଥାଏ। ଚୀନର ଜ୍ଞାତସାରରେ ‘କୋଭିଡ୍‌’ ଭୂତାଣୁ ଦେଶରୁ ନିଷ୍କ୍ରାନ୍ତ ହୋଇ ସମଗ୍ର ପୃଥିବୀକୁ ବର୍ଷାଧିକ କାଳ ଏକ ଅତ୍ୟନ୍ତ ଭୟାବହ ପାନ୍‌ଡେମିକ୍‌ ଦ୍ବାରା କଲବଲ କରିବା ଏହାର ଏକ ଦୃଷ୍ଟାନ୍ତ ମାତ୍ର! ଏକ ବିଡ଼ମ୍ବିତ ବାସ୍ତବତା ହେଲା ଲୌହ ପରଦାର ଅନ୍ତରାଳରେ ରହି ଆସିଥିବା କମ୍ୟୁନିଷ୍ଟ ଶାସନାଧୀନ ଚୀନ ସର୍ବଦା ନିଜର ଆଭିମୁଖ୍ୟ ବା ଅଭିସନ୍ଧିକୁ ରହସ୍ୟାଚ୍ଛନ୍ନ ଏବଂ ନିଜ ଆଚରଣକୁ ଅନ୍ଦାଜ-ବହିର୍ଭୂତ କରି ରଖିଥାଏ, ଯାହାର ଉଦାହରଣମାନ ଅଚାନକ ଆକ୍ରମଣର ଧମକ, ଆଶା କରା ଯାଉ ନ ଥିବା ଭଳି ଟୁଇଟ୍‌ ଏବଂ ଏଠାରେ ଆଲୋଚ୍ୟ ‘ମାନଚିତ୍ର ଅତିକ୍ରମଣ’ ଭଳି କାର୍ଯ୍ୟକଳାପ ମାନରେ ପ୍ରାୟତଃ ପରିଦୃଷ୍ଟ ହୋଇଥାଏ।
‘ମାନଚିତ୍ର ଅତିକ୍ରମଣ’ ଅଭିଯାନରେ ଅରୁଣାଚଳ ପ୍ରଦେଶର ଏଗାରଟି ସ୍ଥାନକୁ ଚୀନ ନିଜସ୍ବ ନାମମାନ ମଧ୍ୟ ପ୍ରଦାନ କରିଛି, ସତେ ଯେମିତି ସେ ସବୁ ଚୀନର ଅବିଚ୍ଛେଦ୍ୟ ଅଂଶ ଏବଂ ଭାରତ ନିଜ ସୀମାରେଖା ନେଇ ଭ୍ରାନ୍ତିର ଶିକାର! ଏହି ସଂଦର୍ଭରେ ଆଲୋଚନା କଲା ବେଳେ ୧୯୩୭ରେ ମଞ୍ଚସ୍ଥ ହୋଇଥିବା ଏବଂ ପରେ ଏକ ଚଳଚ୍ଚିତ୍ର ରୂପ ପାଇଥିବା ବ୍ରିଟିସ୍‌ ନାଟକ ‘ଗ୍ୟାସ ଲାଇଟ୍‌’ ବିଷୟ ମନକୁ ଆସିଥାଏ। ଏହି ନାଟକର ବିଷୟବସ୍ତୁ ଅନୁସାରେ ନାୟକ ତା’ର ପତ୍ନୀଙ୍କୁ ‘ପାଗଳ’ରେ ପରିଣତ କରିବା ସକାଶେ ଯେଉଁ ସୁଚିନ୍ତିତ ଉଦ୍ୟମ କରେ, ତାହା ହେଲା ପତ୍ନୀଙ୍କ ମନରେ ଏକ ଧାରଣା ସୃଷ୍ଟି କରିବା ଯେ ସେ ଯାହା କହୁଛନ୍ତି ବା ଦେଖୁଛନ୍ତି ବା ଅନୁଭବ କରୁଛନ୍ତି; ତାହା ବାସ୍ତବ ନୁହେଁ, ବରଂ ତାଙ୍କର ଏକ ଭ୍ରାନ୍ତି। ସେଥି ସକାଶେ ସେ ଏକ ‘ଗ୍ୟାସ ଲାଇଟ୍‌’ର ବ୍ୟବହାର କରେ, ଯାହାର ଆଲୋକର ତୀବ୍ରତାକୁ ଜାଣିଶୁଣି କମାଇ ରଖି ପତ୍ନୀଙ୍କ ସମ୍ମୁଖରେ ଏଭଳି ଅଭିନୟ କରେ ସତେ ଯେମିତି ଆଲୋକ ଆଦୌ ମଳିନ ହୋଇନାହିଁ; କହିବା ବାହୁଲ୍ୟ ନିରନ୍ତର ଏଭଳି ଉପାୟ ଅବଲମ୍ବନ କରି ସେ ପତ୍ନୀଙ୍କ ଆତ୍ମପ୍ରତ୍ୟୟକୁ ଧୂଳିସାତ୍‌ କରିଦିଏ। ଏହି ନାଟକ ପରେ ‘ଗ୍ୟାସ ଲାଇଟ୍‌’ ଶବ୍ଦଟି ମନସ୍ତତ୍ତ୍ବରେ ସ୍ଥାନ ପାଇସାରିଛି, ଯାହାର ଅର୍ଥ ଭ୍ରମାତ୍ମକ ଧାରଣା ସୃଷ୍ଟି କରି ଅନ୍ୟର ଆତ୍ମପ୍ରତ୍ୟୟକୁ ଭୂଲୁଣ୍ଠିତ କରିବାର ବିଧିବଦ୍ଧ ଉଦ୍ୟମ। ଚୀନର ଏଭଳି ପ୍ରୟାସକୁ ମଧ୍ୟ ‘ଗ୍ୟାସ ଲାଇଟ୍’ ଉପାୟର ଏକ ଅନୁସରଣ ରୂପେ ଦେଖା ଯାଇପାରେ, ଯାହା ବାସ୍ତବତାକୁ ବିଭିନ୍ନ ଉପାୟରେ ଭ୍ରାନ୍ତ ବୋଲି ଦର୍ଶାଇବାରେ ବ୍ୟାପୃତ। ଏହାର ନିଶ୍ଚିତ ଅଭିସନ୍ଧି ହେଉଛି ଭାରତକୁ ନିରନ୍ତର ଉଦ୍‌ବିଗ୍ନ କରି ରଖିବା ଯାହା ଫଳରେ ବ୍ୟତିବ୍ୟସ୍ତ ଭାରତ ହୁଏ’ତ ଆତ୍ମପ୍ରତ୍ୟୟ ହରାଇବ।
କିନ୍ତୁ ‘ଗ୍ୟାସ ଲାଇଟ୍‌’ ପ୍ରକରଣର ଅନ୍ୟ ଦିଗଟି ହେଲା ଯଦି ଏଭଳି ମାନସିକ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତି ଦୃଢ଼ ପ୍ରତ୍ୟୟବାନ ହୁଅନ୍ତି, ତେବେ ଅଚିରେ ଆକ୍ରମଣକାରୀ ହିଁ ତା’ର ଉଦ୍ଭଟ ପ୍ରୟାସ ସକାଶେ ମାନସିକ ବିକୃତ ରୂପେ ବିବେଚିତ ହୋଇପାରେ! ତେଣୁ, ଚୀନ ଯଦି ପ୍ରକୃତରେ ‘ଗ୍ୟାସ୍‌ ଲାଇଟ୍‌’ ଉପାୟ ଅବଲମ୍ବନ କରୁଥିବ, ତେବେ ଏକ ଦୃଢ଼ ପ୍ରତ୍ୟୟବାନ ଭାରତ କେବଳ ଏହି ଉଦ୍ୟମକୁ ପଣ୍ଡ କରିବ ନାହିଁ, ଚୀନର ଏତାଦୃଶ ଆଚରଣ କ୍ରମେ ପିଳାଳିଆମି ଭଳି ହାସ୍ୟାସ୍ପଦ ହୋଇ ଉଠିବ।