ବିଗତ କେତେ ମାସ ଧରି ପ୍ରତିଥର ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ଫେଡେରାଲ୍ ରିଜର୍ଭ ବା ସଂକ୍ଷେପରେ ‘ଫେଡ୍’ ତା’ର ମୁଦ୍ରା ନୀତି ନିର୍ଦ୍ଧାରଣ କମିଟିର ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ପୃଥିବୀର ଅନ୍ୟ ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ୍ ଓ ବିତ୍ତୀୟ ବଜାର ଯେଉଁ ଗୋଟିଏ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ନିଃଶ୍ବାସ ବନ୍ଦ କରି ଅପେକ୍ଷା କରିଥାନ୍ତି, ତାହା ହେଲା: ଏଥର ‘ଫେଡ୍’ ତା’ର ଦିଗ୍ଦର୍ଶକ ସୁଧ ହାର (ପଲିସି ରେଟ୍)ରେ ହ୍ରାସ ଘଟାଇବ ନା ନାହିଁ? ‘ଫେଡ୍’ର ଚେଆର୍ମ୍ୟାନ୍ ଜେରେମି ପାୱେଲ୍ କିନ୍ତୁ ଏ ପର୍ଯ୍ୟନ୍ତ ଏ ସମସ୍ତ ଚାପକୁ ପ୍ରତିରୋଧ କରି ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଥମିକତା ପ୍ରଦାନ କରି ସୁଧ ହାରରେ କୌଣସି ହ୍ରାସ ଘଟାଇବାରୁ ନିବୃତ୍ତ ରହିଆସିଥିଲେ।
କିନ୍ତୁ ଆମେରିକାରେ ଏବେ ମୁଦ୍ରାସ୍ଫୀତି ପରିସ୍ଥିତିରେ ଯେହେତୁ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଛି, ପର୍ଯ୍ୟବେକ୍ଷକମାନେ ଆଶା କରୁଥିଲେ ଯେ ସେ ଦେଶର ଅର୍ଥନୀତିକୁ ସହାୟକ ହେବା ପାଇଁ ‘ଫେଡ୍’ ତା’ର ସେପ୍ଟେମ୍ବର ବୈଠକରେ ବୋଧହୁଏ ଶେଷରେ ସୁଧ ହାରରେ କିଞ୍ଚିତ୍ ହ୍ରାସ ଘଟାଇବାକୁ ଯାଉଛି। ଏହି ହ୍ରାସର ଆକାର ସର୍ବାଧିକ ୨୫ ବେସିସ୍ ପଏଣ୍ଟ୍ (୦.୨୫%) ମଧ୍ୟରେ ସୀମିତ ରହିବ ବୋଲି ସେମାନେ ଆଶା କରୁଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେଇ ସେପ୍ଟେମ୍ବର ୧୮ରେ ‘ଫେଡ୍’ ସୁଧ ହାରରେ ଯେଉଁ ହ୍ରାସ ଘଟାଇବା ଘୋଷଣା କଲା ତାହା ହେଉଛି ଏହାର ଠିକ୍ ଦୁଇଗୁଣ: ୫୦ ବେସିସ୍ ପଏଣ୍ଟ୍ (୦.୫%)। ସୁଧ ହାରରେ ‘ଫେଡ୍’ ଘଟାଇଥିବା ଏହି ତୀକ୍ଷ୍ଣ ହ୍ରାସ ଅନେକଙ୍କ ମଧ୍ୟରେ ଏକ ଦୃଢ଼ ଧାରଣା ସୃଷ୍ଟି କରିଛି ଯେ ଆଗାମୀ ଦିନମାନଙ୍କରେ ‘ଫେଡ୍’ ତା’ର ଏହି ସୁଧ କୋହଳ ନୀତି ଜାରି ରଖିବାକୁ ଯାଉଛି।
ବର୍ତ୍ତମାନର ସୁଧ ହାର ହ୍ରାସ ଓ ଭବିଷ୍ୟତରେ ମଧ୍ୟ ଏହି ଧାରା ବଳବତ୍ତର ରହିବାର ପୂର୍ବାନୁମାନ ସମଗ୍ର ବିଶ୍ବ ଅର୍ଥନୀତିକୁ ବିଶେଷ ଭାବରେ ପ୍ରଭାବିତ କରିବାର ଦୃଢ଼ ସମ୍ଭାବନା ରହିଛି। ଏହା ଜଣାଶୁଣା ଯେ ଆମେରିକୀୟ ବଣ୍ଡ୍ ମାର୍କେଟ୍ ହେଉଛି ପୃଥିବୀର ବିଶାଳତମ। ଆମେରିକାରେ ସୁଧ ହାରରେ ହ୍ରାସ ଘଟିବା ପରେ ବଣ୍ଡ୍ ମାର୍କେଟ୍ରେ ନିବେଶକମାନେ ଅଧିକ ଲାଭ ସନ୍ଧାନରେ ପୃଥିବୀର ଅନ୍ୟ ବିତ୍ତୀୟ ବଜାରରେ ପ୍ରବେଶ କରିବାର ସମ୍ଭାବନା ରହିଛି। ସାଧାରଣତଃ ସୁଧ ହାରରେ ହ୍ରାସ ଘଟିଲେ ତାହା ସଂପୃକ୍ତ ଦେଶର ମୁଦ୍ରାର ବିନିମୟ ମୂଲ୍ୟକୁ ଦୁର୍ବଳ କରିଥାଏ। ଏ କ୍ଷେତ୍ରରେ ଯେଉଁ ମୁଦ୍ରା ଏଭଳି ପ୍ରଭାବିତ ହେବ, ତାହା ହେଉଛି ଡଲାର୍ ଯାହା କେବଳ ଆନ୍ତର୍ଜାତିକ ବାଣିଜ୍ୟ ଓ ମୁଦ୍ରା ବଜାରରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛି, ତାହା ନୁହେଁ, ପେଟ୍ରୋଲିଅମ୍ ଓ ଧାତୁମାନଙ୍କ ଭଳି ପ୍ରମୁଖ ଦ୍ରବ୍ୟମାନଙ୍କର ମୂଲ୍ୟ ମଧ୍ୟ ଡଲାର୍ ଆକାରରେ ନିର୍ଣ୍ଣୟ କରାଯାଇଥାଏ।ଆମେରିକାର ବଣ୍ଡ୍ ମାର୍କେଟ୍ ଓ ବିଶେଷ କରି ଏହାର ସରକାରୀ ବଣ୍ଡ୍ ବା ‘ଟ୍ରେଜେରି’ ଅଂଶକୁ ପୃଥିବୀର ସର୍ବାଧିକ ନିରାପଦ ନିବେଶ ପରିସଂପତ୍ତି ରୂପେ ବିଚାର କରାଯାଇଥାଏ। ସୁଧ ହାରରେ ହ୍ରାସ ଘଟିବା ପରେ କେତେକ ନିବେଶକ ଅଧିକ ଆୟର ସନ୍ଧାନରେ ଏହି ନିରାପତ୍ତାକୁ କିଛି ମାତ୍ରାରେ ପରିତ୍ୟାଗ କରି ଅଧିକ ବିପଦସଂକୁଳ ରୂପେ ବିବେଚିତ ସେଆର୍ ବଜାରମାନଙ୍କରେ ପ୍ରବେଶ କରିବା ଅବଶ୍ୟମ୍ଭାବୀ। ସେମାନଙ୍କ ମଧ୍ୟରୁ କେତେକ ଭାରତୀୟ ସେଆର୍ ବଜାର ଭଳି ଦ୍ରୁତବର୍ଦ୍ଧିଷ୍ଣୁ ବିକାଶୋନ୍ମୁଖୀ ବଜାରରେ ପ୍ରବେଶ କରିବାର ଦୃଢ଼ ସମ୍ଭାବନା ରହିଛି। ବାସ୍ତବରେ ‘ଫେଡ୍’ ସୁଧ ହାରରେ ହ୍ରାସ ଘଟାଇବା ପୂର୍ବରୁ ମଧ୍ୟ, ‘ଫେଡ୍’ ଏହା ଘଟାଇବାକୁ ଯାଉଛି ବୋଲି ଅନୁମାନ କରି ବହୁସଂଖ୍ୟାରେ ବିଦେଶୀ ପୁଞ୍ଜି ନିବେଶକମାନେ ଭାରତୀୟ ସେଆର୍ ବଜାର ଦିଗରେ ମୁହଁାଇବା ଦେଖାଯାଇଥିଲା। ଉଦାହରଣ ସ୍ବରୂପ କେବଳ ସେପ୍ଟେମ୍ବର ୧୮ରେ ‘ଫେଡ୍’ ତା’ର ସୁଧ ହାର ହ୍ରାସ ଘୋଷଣା କରିବା ପର୍ଯ୍ୟନ୍ତ ଚଳିତ ମାସରେ ବିଦେଶୀ ନିବେଶକମାନେ ଭାରତୀୟ ସେଆର୍ ବଜାରରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ଦେଖାଯାଇଥିଲା। ‘ସେନ୍ସେକ୍ସ’ ଏବେ ଯେଉଁ ରେକର୍ଡ ୮୫,୦୦୦ ସୀମା ଅତିକ୍ରମ କରିବା ଦେଖାଯାଇଛି ତାହା ପଛରେ ଏହାର ପ୍ରଭାବ ସ୍ପଷ୍ଟ।
ଆମେରିକାରେ ସୁଧ ହାର ହ୍ରାସ ଯୋଗୁଁ ଡଲାର୍ ଅପେକ୍ଷାକୃତ ଦୁର୍ବଳ ହେବାର ସମ୍ଭାବନା ଦେଖାଦେଇଥିବାରୁ ମୁଦ୍ରା ବଜାରରେ ଭାରତୀୟ ଟଙ୍କା ଓ ‘ଇଉରୋ’ ଆଦି ଭଳି ଅନ୍ୟାନ୍ୟ ମୁଦ୍ରାମାନଙ୍କ ପ୍ରତି ଚାହିଦା ବୃଦ୍ଧି ପାଇବା ପରିଲକ୍ଷିତ ହେଲାଣି। ଏହାର ପ୍ରଭାବରେ ଆନ୍ତର୍ଜାତିକ ମୁଦ୍ରା ବଜାରରେ ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟିବା ଆରମ୍ଭ ହୋଇସାରିଲାଣି, ଯାହାର ପ୍ରମାଣ ସ୍ବରୂପ ଆଦ୍ୟ େସପ୍ଟେମ୍ବରରେ ଗୋଟିଏ ଡଲାର୍ ବିନିମୟରେ ୮୩.୯୮ ଟଙ୍କା ମିଳୁଥିବା ବେଳେ, ବୁଧବାର ଦିନ ଟଙ୍କାର ଶକ୍ତିରେ ଉନ୍ନତି ଘଟି ଏହି ବିନିମୟ ହାର ହୋଇଥିଲା ୧ ଡଲାର୍= ୮୩.୫୮ ଟଙ୍କା। ମୁଦ୍ରା ବେପାରୀମାନେ ଅଧିକ ସକ୍ରିୟ ହୋଇ ଏହି ଧାରାକୁ ଯଦି ଆଗେଇ ନିଅନ୍ତି, ତେବେ ନିକଟ ଭବିଷ୍ୟତରେ ଡଲାର୍ ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ଆହୁରି ବୃଦ୍ଧି ଘଟି ଚାଲିବାର ଦୃଢ଼ ସମ୍ଭାବନା ରହିଛି।
ଅବଶ୍ୟ ଏଥିଯୋଗୁଁ ଆମେ ସନ୍ତୋଷ ଅନୁଭବ କରିବାର କୌଣସି କାରଣ ନାହିଁ। ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ବିଦେଶ ବଜାରରେ ଭାରତୀୟ ରପ୍ତାନି ଦ୍ରବ୍ୟ ଓ ସେବାମାନଙ୍କୁ ମହଙ୍ଗା କରି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ। ପୁଣି ସୁନା, କୋଇଲା, ଶିଳ୍ପରେ ବ୍ୟବହୃତ ଧାତବ ପଦାର୍ଥ ଆଦି ଦ୍ରବ୍ୟମାନଙ୍କର ମୂଲ୍ୟ ଡଲାର୍ ଆକାରରେ ନିର୍ଦ୍ଧାରିତ ହେଉଥିବାରୁ ଡଲାର୍ ଦୁର୍ବଳ ହେବା ଫଳରେ ସେ ସମସ୍ତ ଦ୍ରବ୍ୟର ଡଲାର୍ ଆକାରରେ ମୂଲ୍ୟରେ ବୃଦ୍ଧି ଘଟି ସେଗୁଡ଼ିକୁ ମହଙ୍ଗା କରିବ। ଆନ୍ତର୍ଜାତିକ ବଜାରରେ ଏହା ଘଟିବା ପରେ ଭାରତରେ ମଧ୍ୟ ଏସବୁ ଦ୍ରବ୍ୟମାନଙ୍କର ବଜାରରେ ତାହାର ପ୍ରଭାବ ଅନୁଭୂତ ହେବ।
ଆମେରିକୀୟ ଫେଡେରାଲ୍ ରିଜର୍ଭର ଏହି ଅପ୍ରତ୍ୟାଶିତ ପଦେକ୍ଷପ ତେଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମେତ ପୃଥିବୀର ଅନ୍ୟ ସମସ୍ତ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ୍ମାନଙ୍କ ପାଇଁ ଏକ ନୂତନ ଆହ୍ବାନ ସୃଷ୍ଟି କରିଛି। ଆଗାମୀ ଅକ୍ଟୋବର ୭-୯ ତାରିଖ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’)ର ଯେଉଁ ଦ୍ବିମାସିକ ବୈଠକ ବସିବାକୁ ଯାଉଛି, ସେଥିରେ ଯେଉଁ ବିଷୟକୁ ନିଶ୍ଚିତ ରୂପେ ପ୍ରାଥମିକତା ପ୍ରଦାନ କରାଯିବ, ତାହା ହେଲା, ଭାରତୀୟ ଟଙ୍କାର ଆନ୍ତର୍ଜାତିକ ବିନିମୟ ମୂଲ୍ୟକୁ ଏକ ନିର୍ଦ୍ଧାରିତ ଆଦର୍ଶ ରେଞ୍ଜ ମଧ୍ୟରେ ସ୍ଥିର ରଖିବା। ରିଜର୍ଭ ବ୍ୟାଙ୍କ୍ର ଗଭର୍ନର ଶକ୍ତିକାନ୍ତ ଦାସ ଏ ପର୍ଯ୍ୟନ୍ତ ସୁଧ ହାରରେ ହ୍ରାସ ଘଟାଇବା ପାଇଁ ସମସ୍ତ ଚାପକୁ ଏଡ଼ାଇ ଦେଇ ମୁଖ୍ୟତଃ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ତାଙ୍କର ସଂପୂର୍ଣ୍ଣ ଧ୍ୟାନ ନିବଦ୍ଧ କରିଆସିଛନ୍ତି। ତାଙ୍କ ଉଦ୍ୟମର ସୁଫଳ ସ୍ବରୂପ ବିଗତ ଦୁଇ ମାସ ଧରି ଜୁଲାଇ, ଅଗଷ୍ଟରେ ମୁଦ୍ରାସ୍ଫୀତି ହାର ୪ ଶତାଂଶ ଆଦର୍ଶ ସୀମା ତଳେ ବଶ୍ୟତା ସ୍ବୀକାର କରିରହିଛି। ‘ଫେଡ୍’ ସୃଷ୍ଟି କରିଥିବା ଏହି ନୂତନ ଆହ୍ବାନର ମୁକାବିଲା ପାଇଁ ଶକ୍ତିକାନ୍ତଙ୍କ ନେତୃତ୍ବରେ ‘ଏମ୍ପିସି’ ଏଥର ଆଦର୍ଶ ସୁଧ ହାର ରେପୋ ରେଟ୍ରେ ହ୍ରାସ ଘଟାଇବାର ଦୃଢ଼ ସମ୍ଭାବନା ଦେଖାଯାଉଛି।
ନୂତନ ଆହ୍ବାନ
ବିଗତ କେତେ ମାସ ଧରି ପ୍ରତିଥର ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ଫେଡେରାଲ୍ ରିଜର୍ଭ ବା ସଂକ୍ଷେପରେ ‘ଫେଡ୍’ ତା’ର ମୁଦ୍ରା ନୀତି ନିର୍ଦ୍ଧାରଣ କମିଟିର ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ...