ରାଜନୀତିରେ ମହିଳାମାନଙ୍କର ପ୍ରବେଶ ହତାଶାଜନକ ହୋଇଥିବାର କାରଣ ହେଲା ପୁରୁଷମାନେ ଏ କ୍ଷେତ୍ରରେ ସୃଷ୍ଟି କରିଥିବା ଅର୍ଥବଳ, ବାହୁବଳ, ପରିବାରବଳ ଭଳି ଅତ୍ୟୁଚ୍ଚ ପ୍ରବେଶ-ପ୍ରତିବନ୍ଧକମାନ। ସାଧାରଣ ବର୍ଗର ମହିଳାମାନେ ତେଣୁ ଏ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହି ନଥିବା ସମ୍ଭାବନା ହେଉଛି ଅଧିକ। ହଠାତ୍ ଯଦି ଆରକ୍ଷଣ କାର୍ଯ୍ୟକାରୀ ହୁଏ, ଯେଉଁ ପୁରୁଷ ସାଂସଦ ଓ ବିଧାୟକମାନେ ବିସ୍ଥାପିତ ହେବେ, ସେମାନଙ୍କ ସ୍ଥାନ ଯେଉଁ ମହିଳାମାନେ ପୂରଣ କରିବେ, ସେମାନେ ଏହି ପୁରୁଷମାନଙ୍କର ସଂପର୍କୀୟ ହୋଇଥିବା ପ୍ରାୟ ନିଶ୍ଚିତ।
ଯଦିବା ଲୋକସଭା ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ପାଇଁ ଏକ-ତୃତୀୟାଂଶ ସ୍ଥାନ ଆରକ୍ଷଣ ନିମିତ୍ତ ଉଦ୍ଦିଷ୍ଟ ୧୨୮ତମ ସଂବିଧାନ ସଂଶୋଧନ ବିଲ୍ ବସ୍ତୁତଃ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କର ସମର୍ଥନ ଲାଭ କରି ସଂସଦରେ ପାରିତ ହୋଇଯାଇଛି, ଏହା ବାସ୍ତବରେ କାର୍ଯ୍ୟକାରୀ ହେବାରେ ଘଟିବାକୁ ଯାଉଥିବା ବିଳମ୍ବକୁ କେନ୍ଦ୍ରକରି ଏକ ବିବାଦ ଦେଖାଦେଇଛି। ବିଲ୍ରେ କରାଯାଇଥିବା ବ୍ୟବସ୍ଥା ଅନୁସାରେ ଜଣାପଡୁଛି ଯେ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ପାଇଁ ଏହି ଆରକ୍ଷଣ କାର୍ଯ୍ୟକାରୀ ହେବାର ସମ୍ଭାବନା ନାହିଁ। କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଏହି ଆରକ୍ଷଣ ତତ୍କ୍ଷଣାତ୍ କାର୍ଯ୍ୟକାରୀ ହେଉ ବୋଲି ଦାବି କରୁଛନ୍ତି।
ବିରୋଧୀ ଦଳମାନଙ୍କର ଏହି ଆଗ୍ରହ ସ୍ବାଗତଯୋଗ୍ୟ ହୋଇଥିଲେ ହେଁ, ସରକାରଙ୍କ ବିଚାରରେ କେବଳ ଏକ ‘ଡିଲିମିଟେସନ୍’ ପ୍ରକ୍ରିୟା ମାଧ୍ୟମରେ ନିର୍ଦ୍ଧାରଣ କରାଯାଇଥିବା ମାନଦଣ୍ଡ ଅନୁସାରେ ହିଁ କେଉଁ କେଉଁ ନିର୍ବାଚନ କ୍ଷେତ୍ର ମହିଳାମାନଙ୍କ ପାଇଁ ଆରକ୍ଷଣ କରାଯିବ, ତାହା ଚିହ୍ନଟ କରାଯାଇ ପାରିବ। ନଚେତ୍ ଏଭଳି ଚିହ୍ନଟ ମନମୁଖୀ ହୋଇଥିବାର ଅଭିଯୋଗ ହୋଇପାରେ। ସେଥିପାଇଁ ଉପରୋକ୍ତ ବିଲ୍ର ‘ଧାରା-୩୩୪ଏ’ରେ ସ୍ପଷ୍ଟ କରି ଦିଆଯାଇଛି ଯେ ବିଲ୍ଟି ଆଇନରେ ପରିଣତ ହେବା ପରେ ଅନୁଷ୍ଠିତ ପ୍ରଥମ ଜନଗଣନାରୁ ଉପଲବ୍ଧ ଆବଶ୍ୟକ ତଥ୍ୟ ଭିତ୍ତିରେ ଅନୁଷ୍ଠିତ ‘ଡିଲିମିଟେସନ୍’ ପ୍ରକ୍ରିୟା ଅନୁସାରେ ଏହି ଆରକ୍ଷଣ ବଳବତ୍ତର ହେବ। ସରଳ ଭାବରେ କହିଲେ ‘ଡିଲିମିଟେସନ୍’ ହେଉଛି ସଦ୍ୟତମ ଜନସଂଖ୍ୟା ଭିତ୍ତିରେ ସଂସଦ ଓ ବିଧାନସଭାମାନଙ୍କ ପାଇଁ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ। ଏକ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପରିପ୍ରେକ୍ଷୀରେ ‘ଡିଲିମିଟେସନ୍’ ପରେ ନିର୍ବାଚନମଣ୍ଡଳୀମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ।
ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ଉପରୋକ୍ତ ସଂବିଧାନ ସଂଶୋଧନ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କରେ ଆରକ୍ଷଣ କାର୍ଯ୍ୟକାରୀ ହେବା ଅନ୍ୟ ଦୁଇଟି ପ୍ରକ୍ରିୟା ଉପରେ ନିର୍ଭର କରୁଛି: ଜନଗଣନା ଓ ଡିଲିମିଟେସନ୍। ଭାରତରେ ଜନଗଣନା ପ୍ରତି ଦଶ ବର୍ଷରେ ଥରେ ଅନୁଷ୍ଠିତ ହେବାର ନିୟମ ରହିଛି। ସେଇ ଅନୁସାରେ ୨୦୨୧ରେ ଯେଉଁ ଜନଗଣନା ଅନୁଷ୍ଠିତ ହେବାକୁ ଥିଲା, ତାହା କୋଭିଡ୍-୧୯ ଯୋଗୁଁ ସମ୍ଭବ ହୋଇ ପାରିନାହିଁ। ଆଶା କରାଯାଉଛି ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ଅନୁଷ୍ଠିତ ହେବ। ଦେଶରେ ଏ ପର୍ଯ୍ୟନ୍ତ ଚାରି ଥର ଡିଲିମିଟେସନ୍ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି: ୧୯୫୨, ୧୯୬୩, ୧୯୭୩ ଓ ୨୦୦୨ରେ। ୨୦୦୨ର ଡିଲିମିଟେସନ୍ ପ୍ରକ୍ରିୟା ଏକ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ, କାରଣ ଏହା ୨୦୨୬ ପର୍ଯ୍ୟନ୍ତ ଲୋକସଭାରେ ଆସନ ସଂଖ୍ୟାକୁ ୫୪୩ରେ ସ୍ଥିର ରଖି ଦେଇଥିଲା। ଏବେ ଆଉ ମାତ୍ର ମାସ କେତେଟାରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ସଂକ୍ଷିପ୍ତ ସମୟ ମଧ୍ୟରେ ଉପରୋକ୍ତ ପ୍ରକ୍ରିୟା ଦ୍ବୟ ସଂପୂର୍ଣ୍ଣ ହୋଇ ଏହି ନିର୍ବାଚନ ପାଇଁ ମହିଳା ଆରକ୍ଷଣ କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ। ତେଣୁ ଏହି ଆରକ୍ଷଣ କାର୍ଯ୍ୟକାରୀ ହେବାର ଯେଉଁ ନିକଟତମ ସମ୍ଭାବନା ଦେଖାଯାଉଛି, ତାହା ହେଉଛି ୨୦୨୯ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ନିର୍ବାଚନ ଅବସରରେ।
ଆରକ୍ଷଣ କାର୍ଯ୍ୟକାରୀ ହେବାରେ ଘଟିବାକୁ ଯାଉଥିବା ଏହି ପ୍ରାୟ ଛ’ବର୍ଷର ବିଳମ୍ବ କେତେକଙ୍କ ପାଇଁ ଅସହନୀୟ ବୋଧ ହେଉଛି। ଏ ବିଳମ୍ବ ଯୋଗୁଁ ପ୍ରକୃତରେ ମହିଳାମାନଙ୍କର ଘୋର ସ୍ବାର୍ଥହାନି ଘଟିବାକୁ ଯାଉଛି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରଥମେ ସଂସଦ ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ପାଇଁ ସ୍ଥାନ ଆରକ୍ଷଣର ଆବଶ୍ୟକତା ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇପାରେ। ଏଠାରେ ସୂଚନାଯୋଗ୍ୟ ଯେ ସଂବିଧାନ ସଭାରେ ହୋଇଥିବା ବିତର୍କର ଅନୁଶୀଳନରୁ ରାଜନୀତିବିଜ୍ଞାନ ଗବେଷକମାନେ ଅାବିଷ୍କାର କରିଥାନ୍ତି ଯେ ସେଇ ଆଦ୍ୟ କାଳର ମହିଳା ସଂସଦୀୟ ନେତ୍ରୀମାନେ ସ୍ଥାନ ସଂରକ୍ଷଣ ମାଧ୍ୟମରେ ମହିଳାମାନଙ୍କର ସଂସଦରେ ପ୍ରବେଶ ସପକ୍ଷରେ ନଥିଲେ। ସେମାନେ ମହିଳାମାନଙ୍କୁ କୌଣସି ଗୁଣରେ ପୁରୁଷମାନଙ୍କ ଠାରୁ ଦୁର୍ବଳ ବୋଲି ବିଚାର କରୁନଥିଲେ ଓ ରାଜନୀତିରେ ପ୍ରବେଶ କରିବା ପାଇଁ ସେମାନେ ପୁରୁଷମାନଙ୍କ ଦୟାର ପାତ୍ରୀ ହେବା ଚାହୁଁ ନଥିଲେ।
ସେମାନେ ଆଶା କରିଥିଲେ ସ୍ବାଭାବିକ ଧାରାରେ ଅଧିକରୁ ଅଧିକ ସଂଖ୍ୟକ ମହିଳା କ୍ରମେ ସଂସଦ ଓ ବିଧାନସଭାମାନଙ୍କରେ ପ୍ରବେଶ କରିବେ। ନାରୀମାନଙ୍କର ଅନ୍ତର୍ନିହିତ ଶକ୍ତି ଉପରେ ସେମାନଙ୍କର ଦୃଢ଼ ବିଶ୍ବାସ ଥିଲା। ଏହି ବିଶ୍ବାସ ମଧ୍ୟ ଭ୍ରମାତ୍ମକ ନଥିଲା। ରାଜନୀତି ବ୍ୟତୀତ ଅନ୍ୟ ପ୍ରାୟ ସମସ୍ତ କ୍ଷେତ୍ରରେ ଏହା ପ୍ରମାଣିତ ହୋଇସାରିଛି। ବୈଷୟିକ ଶିକ୍ଷାରୁ ବ୍ୟବସାୟ ପର୍ଯ୍ୟନ୍ତ, ମହାକାଶ ଗବେଷଣାରୁ ବ୍ୟୋମଯାନ ଚାଳନା ପର୍ଯ୍ୟନ୍ତ କ୍ଷେତ୍ରରେ ମହିଳାମାନେ ଯେଉଁ ଅଧିକରୁ ଅଧିକ ସଂଖ୍ୟାରେ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି ତାହା ଆଉ ଆରକ୍ଷଣ ଉପରେ ନିର୍ଭରଶୀଳ ନୁହେଁ।
କିନ୍ତୁ ସେଇ ଆଦ୍ୟ ନେତ୍ରୀମାନଙ୍କର ବିଶ୍ବାସ ଯଦି କେଉଁଠି ଭୁଲ୍ ପ୍ରମାଣିତ ହୋଇଥାଏ, ତାହା ହେଉଛି ସେମାନଙ୍କ ନିଜ କ୍ଷେତ୍ର ରାଜନୀତିରେ। ତା’ର ଏକ କରୁଣ ପ୍ରମାଣ ସ୍ବରୂପ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ଲୋକସଭାର ୫୪୩ଟି ସ୍ଥାନ ମଧ୍ୟରୁ ମହିଳାମାନଙ୍କ ପ୍ରତିନିଧିତ୍ବରେ ଅଛି ମାତ୍ର ୮୨ଟି ସ୍ଥାନ। ଉପରୋକ୍ତ ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଏହି ଚିତ୍ରରେ ଏକ ଚମକପ୍ରଦ ପରିବର୍ତ୍ତନ ଘଟିବ। ଉଦାହରଣ ସ୍ବରୂପ ଯଦି ତତ୍କ୍ଷଣାତ୍ ଡିଲିମିଟେସନ୍ ପୂର୍ବରୁ ଏହା କାର୍ଯ୍ୟକାରୀ ହୁଏ, ଅନ୍ତତଃ ୧୮୧ଟି ସ୍ଥାନରେ କେବଳ ମହିଳା ସାଂସଦମାନଙ୍କୁ ଦେଖିବାକୁ ମିଳିବ।
କିନ୍ତୁ କେଉଁ ମହିଳାମାନଙ୍କୁ ଏହି ସ୍ଥାନ ମାନଙ୍କରେ ଦେଖିବାର ସମ୍ଭାବନା ଅଧିକ ହେବ? ରାଜନୀତିରେ ମହିଳାମାନଙ୍କର ପ୍ରବେଶ ହତାଶାଜନକ ହୋଇଥିବାର କାରଣ ହେଲା ପୁରୁଷମାନେ ଏ କ୍ଷେତ୍ରରେ ସୃଷ୍ଟି କରିଥିବା ଅର୍ଥବଳ, ବାହୁବଳ, ପରିବାରବଳ ଭଳି ଅତ୍ୟୁଚ୍ଚ ପ୍ରବେଶ-ପ୍ରତିବନ୍ଧକମାନ। ସାଧାରଣ ବର୍ଗର ମହିଳାମାନେ ତେଣୁ ଏ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହି ନଥିବା ସମ୍ଭାବନା ହେଉଛି ଅଧିକ। ହଠାତ୍ ଯଦି ଆରକ୍ଷଣ କାର୍ଯ୍ୟକାରୀ ହୁଏ, ଯେଉଁ ପୁରୁଷ ସାଂସଦ ଓ ବିଧାୟକମାନେ ବିସ୍ଥାପିତ ହେବେ, ସେମାନଙ୍କ ସ୍ଥାନ ଯେଉଁ ମହିଳାମାନେ ପୂରଣ କରିବେ, ସେମାନେ ଏହି ପୁରୁଷମାନଙ୍କର ସଂପର୍କୀୟ ହୋଇଥିବା ପ୍ରାୟ ନିଶ୍ଚିତ।
ଏହି ପରିପ୍ରେକ୍ଷୀରେ ଏବେ ଆରକ୍ଷଣ କାର୍ଯ୍ୟକାରୀ ହେବା ପୂର୍ବରୁ ଯେଉଁ ଛ’ବର୍ଷର ସମୟ ମିଳିବ, ତାହାକୁ ରାଜନୀତିରେ ପ୍ରବେଶ ପାଇଁ ସାଧାରଣ ମହିଳାମାନଙ୍କ ପାଇଁ ପୂର୍ବ-ପ୍ରସ୍ତୁତିର ସମୟ ରୂେପ ବିଚାର କରାଯାଇ ପାରିବ। ଯେତେବେଳେ ଆରକ୍ଷଣ କାର୍ଯ୍ୟକାରୀ ହେବାର ସମୟ ଉପସ୍ଥିତ ହେବ ସେତେବେଳେ ଏହି ପ୍ରସ୍ତୁତ ମହିଳାମାନଙ୍କୁ କୌଣସି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ପରାସ୍ତ କରିପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)