ଏକ ବିଡ଼ମ୍ବନା ସ୍ବରୂପ ସାଧାରଣ ନିର୍ବାଚନରେ ରାହୁଳ ଗାନ୍ଧୀ ଯେଉଁ କୋକୁଆ ଭୟ ସୃଷ୍ଟି କରି ବିଜେପିକୁ ଅଡୁଆରେ ପକାଇଥିଲେ, ସେଇ କୋକୁଆ ଭୟ ହିଁ ହୁଦା ନିୟନ୍ତ୍ରଣାଧୀନ କଂଗ୍ରେସ ବିରୁଦ୍ଧରେ କାର୍ଯ୍ୟ କରିଥିବା ଭଳି ମନେ ହେଉଛି। ଜଣେ ମୋଦୀଙ୍କ ହାତରେ ଅମିତ କ୍ଷମତା ସେମାନଙ୍କର ସାଂବିଧାନିକ ଅଧିକାର କ୍ଷୁଣ୍ଣ କରିବାରେ ନିୟୋଜିତ ହେବ ବୋଲି ରାହୁଳ କରିଥିବା ମିଥ୍ୟା ପ୍ରଚାର ଦ୍ବାରା ପ୍ରଭାବିତ ହୋଇ ଯେଉଁ ଦଳିତମାନେ ‘ବିଜେପି’ ବିରୋଧରେ ସାଧାରଣ ନିର୍ବାଚନରେ ମତଦାନ କରିଥିଲେ, ସେଇ ଦଳିତମାନେ କେବଳ ଗୋଟିଏ ଜାଠ ଜାତିର ଜଣେ େନତା ହୁଦାଙ୍କ ହାତରେ ଅମିତ କ୍ଷମତା ପ୍ରଦାନ ସେମାନଙ୍କର ଅନୁରୂପ କ୍ଷତି ଘଟାଇବ ଆଶଙ୍କା କରି ଏଥର କଂଗ୍ରେସ ବିରୋଧରେ ମତଦାନ କରିଛନ୍ତି।
ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆଉ ଥରେ ଯେଉଁ ସତ୍ୟକୁ ପଦାରେ ପକାଇଛି, ତାହା ହେଲା ଆମ ନିର୍ବାଚନ ମହୋତ୍ସବର ଏକ ମୁଖ୍ୟ ଆକର୍ଷଣ ରୂପେ ବିବେଚିତ ‘ଏଗ୍ଜିଟ୍ ପଲ୍’ ହେଉଛି ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ମାତ୍ର, ଯାହାର ବାସ୍ତବତା ସହିତ କୌଣସି ସଂପର୍କ ନ ଥାଏ। ଗତ ସାଧାରଣ ନିର୍ବାଚନରେ ସମସ୍ତ ‘ଏଗ୍ଜିଟ୍ ପଲ୍’ ପୂର୍ବାନୁମାନ ଯେଉଁଭଳି ସଂପୂର୍ଣ୍ଣ ରୂପେ ବିଭ୍ରାନ୍ତିକର ସାବ୍ୟସ୍ତ ହୋଇଥିଲା, ହରିୟାଣା ନିର୍ବାଚନରେ ମଧ୍ୟ ଠିକ୍ ତାହା ହିଁ ଘଟିଛି। ସାତଟି ‘ଏଗ୍ଜିଟ୍ ପଲ୍’ ଅନୁସାରେ ସେ ରାଜ୍ୟରେ କଂଗ୍ରେସର ବିପୁଳ ବିଜୟ ଘଟିବ ଓ ‘ବିଜେପି’ର ଶୋଚନୀୟ ପରାଜୟ ଘଟିବ ବୋଲି ଭବିଷ୍ୟବାଣୀ କରାଯାଇଥିଲା। ଏହି ‘ଏଗ୍ଜିଟ୍ ପଲ୍’ଗୁଡ଼ିକ ପ୍ରଦାନ କରିଥିବା ମିଳିତ ହାରାହାରି ଫଳାଫଳ ଅନୁସାରେ ସେ ରାଜ୍ୟର ୯୦ଟି ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ ୫୫ଟି ଦଖଲ କରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରନ୍ତା ଓ ‘ବିଜେପି’ର ଆସନ ସଂଖ୍ୟା ମାତ୍ର ୨୬ଟିରେ ସୀମିତ ରହନ୍ତା। କିନ୍ତୁ ବାସ୍ତବ ଫଳାଫଳ ଅନୁସାରେ ‘ବିଜେପି’ ଶେଷରେ ସେଠାରେ ଅତୀତର ଦୀର୍ଘକାଳୀନ ଧାରାରେ ବ୍ୟତିକ୍ରମ ଘଟାଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଧରି ରଖିବାରେ ସଫଳ ହୋଇଛି।
ସାଧାରଣ ନିର୍ବାଚନରେ ‘ଏଗ୍ଜିଟ୍ ପଲ୍’ ଦ୍ବାରା ବିଜେପି ଯେଉଁଭଳି ଧୋକା ଖାଇଥିଲା, ହରିୟାଣା ନିର୍ବାଚନରେ କଂଗ୍ରେସ ସେଇଭଳି ଧୋକା ଖାଇଛି, ଯାହା ଏବେ ଏହି ସର୍ବପୁରାତନ ଜାତୀୟ ଦଳ ପାଇଁ ଏକ ମାନସିକ ଧକ୍କା କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋକସଭା ନିର୍ବାଚନରେ ତା’ର ଅପେକ୍ଷାକୃତ ଉତ୍ତମ ପ୍ରଦର୍ଶନ ଯୋଗୁଁ କଂଗ୍ରେସ ପ୍ରତି ‘ଇନ୍ଡିଆ’ ମେଣ୍ଟର ଅନ୍ୟ ସଦସ୍ୟ ଦଳମାନେ ବାଧ୍ୟ ହୋଇ ଯେଉଁ ସମ୍ମାନ ପ୍ରଦର୍ଶନ କରୁଥିଲେ, ସେଥିରେ ବର୍ତ୍ତମାନ ସେ ଦଳର ହରିୟାଣାର ଗୁରୁତ୍ବପୂର୍ଣ୍ଣ ନିର୍ବାଚନରେ ଶୋଚନୀୟ ବିଫଳତା ପରେ ଉଲ୍ଲେଖନୀୟ ଶିଥିଳତା ଦେଖାଦେବା ନିଶ୍ଚିତ। ଆଗାମୀ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ସେଇ ମେଣ୍ଟର ସଦସ୍ୟ ଦଳମାନଙ୍କ ମଧ୍ୟରେ ଆସନ ବଣ୍ଟନକୁ ଏହା ପ୍ରଭାବିତ କରିବା ନିଶ୍ଚିତ। ସେତେବେଳେ କଂଗ୍ରେସ ଆଉ ପୂର୍ବ ଭଳି ବଡ଼ଭାଇପଣିଆ ଜାହିର କରି ନିଜ ଇଚ୍ଛା ଅନୁସାରେ ଆସନ ବଣ୍ଟନ କରିବା ସମ୍ଭବ ହେବ ନାହିଁ। ଜାମ୍ମୁକାଶ୍ମୀର ନିର୍ବାଚନରେ କଂଗ୍ରେସ-ନେସ୍ନାଲ୍ କନ୍ଫରେନ୍ସ (ଏନ୍ସି) ମେଣ୍ଟ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ଏହାର ପ୍ରାୟ ସଂପୂର୍ଣ୍ଣ ଶ୍ରେୟ ହେଉଛି ଫାରୁକ୍ ଓ ଓମାର୍ ଅବ୍ଦୁଲ୍ଲାଙ୍କର ‘ନେସ୍ନାଲ୍ କନ୍ଫରେନ୍ସ’ ଦଳର। ସେଠାକାର ବିଧାନସଭାର ମୋଟ ୯୦ଟି ଆସନ ମଧ୍ୟରୁ କଂଗ୍ରେସ ବିଜୟ ଲାଭ କରିଛି ମାତ୍ର ଛ’ଟି ଆସନରେ।
ଉଭୟ ନିର୍ବାଚନରେ ପତିଆରା ହରାଇଥିବା କଂଗ୍ରେସ ‘ଇନ୍ଡିଆ’ ମେଣ୍ଟରେ ମଧ୍ୟ ପତିଆରା ହରାଇବା ଅନିବାର୍ଯ୍ୟ। ସେଇଭଳି ଉତ୍ତରପ୍ରଦେଶରେ ଦଶଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି ସହିତ ଆସନ ବୁଝାମଣା ସମୟରେ ଅଧିକ ସଂଖ୍ୟକ ଆସନ ପାଇଁ ଦାବି କରିବା ବର୍ତ୍ତମାନ କଂଗ୍ରେସ ପକ୍ଷରେ କଷ୍ଟକର ହେବା ନିଶ୍ଚିତ। କଂଗ୍ରେସକୁ ବର୍ତ୍ତମାନ ତା’ର ସାଥୀ ଦଳମାନଙ୍କର ହୃଦ୍ବୋଧ କରାଇବାକୁ ଉଦ୍ୟମ କରିବାକୁ ପଡ଼ିବ ଯେ ଲୋକସଭା ନିର୍ବାଚନରେ ତା’ର ସଫଳ ପ୍ରଦର୍ଶନ ଏକ ଭାଗ୍ୟବାନ ବ୍ୟତିକ୍ରମ ନ ଥିଲା ଏବଂ ବିଜେପି ସହିତ ଏକାକୀ ମୁହଁାମୁହିଁ ଲଢ଼େଇ କରିବା ପାଇଁ ସେ ସକ୍ଷମ। ଲୋକସଭା ନିର୍ବାଚନ ପରେ ଦୁର୍ବଳ ହୋଇପଡ଼ିଥିବା ବିଜେପି ପ୍ରତି ବିରୋଧୀ ମେଣ୍ଟ ଯେଉଁଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଆସୁଥିଲା, ବର୍ତ୍ତମାନ ତାହା ବଜାୟ ରଖିବା ଆଉ ସେତେ ସହଜ ହେବ ନାହିଁ, ଅନ୍ତତଃ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ‘ଇନ୍ଡିଆ’ ମେଣ୍ଟ ବିଜୟ ହାସଲ ନ କଲା ପର୍ଯ୍ୟନ୍ତ।
ବିଗତ ଦଶନ୍ଧିମାନଙ୍କରେ କଂଗ୍ରେସ ଯେଉଁ ଦୁର୍ବଳତା ଦ୍ବାରା ଆକ୍ରାନ୍ତ ହୋଇଥିବା ଦେଖାଯାଇଛି, ଉଭୟ ହରିୟାଣା ଓ ଜାମ୍ମୁକାଶ୍ମୀରରେ ସେ ଦଳ ସେଇ ସମସ୍ତ ଦୁର୍ବଳତା ପ୍ରକାଶ କରିଛି। ଗୋଷ୍ଠୀକନ୍ଦଳ ଓ ଅଦକ୍ଷ ପ୍ରାର୍ଥୀ ଚୟନ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିଥିବା ବେଳେ ପରସ୍ପର ମଧ୍ୟରେ ଲଢ଼େଇ କରୁଥିବା ପ୍ରମୁଖ ନେତାମାନଙ୍କୁ ନିୟନ୍ତ୍ରଣ କରିବାରେ ଦଳର ବିଫଳତା କିମ୍ବା କୁଣ୍ଠା ନିର୍ବାଚନରେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ହରିୟାଣାରେ କଂଗ୍ରେସ ‘ଇନ୍ଡିଆ’ ମେଣ୍ଟ ମଧ୍ୟରେ ବରିଷ୍ଠ ପାର୍ଟନର୍ ହୋଇଥିଲେ େହଁ, ମେଣ୍ଟର ଅନ୍ୟ ସଦସ୍ୟମାନଙ୍କୁ ଯଥେଷ୍ଟ ସୁଯୋଗ ଦେବାକୁ କୁଣ୍ଠିତ ହୋଇଥିଲା। କଂଗ୍ରେସ କେବଳ ସିପିଆଇ(ଏମ୍) ଦଳକୁ ଗୋଟିଏ ଆସନ ଛାଡ଼ିଥିବା ବେଳେ ଅନ୍ୟ ସହଯୋଗୀ ଦଳମାନଙ୍କୁ ସେ ରାଜ୍ୟରେ ସେମାନଙ୍କର ପ୍ରଭାବହୀନତାର ଦ୍ବାହୀ ଦେଇ ଆଦୌ ଆସନ ଛାଡ଼ି ନ ଥିଲା। ଏହି କାରଣରୁ ଉତ୍କ୍ଷିପ୍ତ ହୋଇ ଅରବିନ୍ଦ କେଜରିୱାଲ୍ଙ୍କର ‘ଆପ୍’ ହରିୟାଣାରେ ସମସ୍ତ ଆସନରେ ନିଜର ପ୍ରାର୍ଥୀ ଛିଡ଼ା କରିଥିଲା।
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାଠ ନେତା ଭୂପିନ୍ଦର ସିଂହ ହୁଦା ସେଠାରେ କଂଗ୍ରେସକୁ ନିଜର ବ୍ୟକ୍ତିଗତ କବ୍ଜାରେ ରଖି ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିବାବେଳେ ଦଳରେ ଥିବା ତାଙ୍କର ବିରୋଧୀମାନେ ଚରମ ଅବହେଳାର ଶିକାର ହୋଇଥିଲେ ହେଁ ଦଳର ହାଇକମାଣ୍ଡ ତାଙ୍କୁ ନିୟନ୍ତ୍ରଣ କରିପାରି ନ ଥିଲେ। ଉଦାହରଣ ସ୍ବରୂପ କଂଗ୍ରେସ ସେଠାରେ ଛିଡ଼ା କରାଇଥିବା ୮୯ଟି ଆସନରେ ପ୍ରାର୍ଥୀମାନଙ୍କ ମଧ୍ୟରୁ ୭୦ ଜଣ ଥିଲେ ହୁଦାଙ୍କ ନିଜ ଲୋକ। ସେ ରାଜ୍ୟରେ କଂଗ୍ରେସର ବରିଷ୍ଠ ଦଳିତ ନେତ୍ରୀ କୁମାରୀ ସେଲ୍ଜା ଏଥିଯୋଗୁଁ ଭୀଷଣ କ୍ଷୁବ୍ଧ ହୋଇ ନିର୍ବାଚନ ପ୍ରଚାରରୁ ଆରମ୍ଭରେ ଓହରି ଯାଇଥିଲେ। ରାହୁଳ ଗାନ୍ଧୀ କେବଳ ଜାତିଆଣ ରାଜନୀତିକୁ ଆଶ୍ରୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଳାଇଥିଲେ ହେଁ, ଜାଠ ନେତା ହୁଦାଙ୍କର ଏହି କାର୍ଯ୍ୟ ସେଠାରେ ଜାଠ ଓ ଦଳିତମାନଙ୍କ ମଧ୍ୟରେ ଗଭୀର ଫାଟ ସୃଷ୍ଟି କରିଥିଲା, ଯାହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିବାର ଦୃଢ଼ ସମ୍ଭାବନା ରହିଛି।
ଏକ ବିଡ଼ମ୍ବନା ସ୍ବରୂପ ସାଧାରଣ ନିର୍ବାଚନରେ ରାହୁଳ ଗାନ୍ଧୀ ଯେଉଁ କୋକୁଆ ଭୟ ସୃଷ୍ଟି କରି ବିଜେପିକୁ ଅଡୁଆରେ ପକାଇଥିଲେ, ସେଇ କୋକୁଆ ଭୟ ହିଁ ହୁଦା ନିୟନ୍ତ୍ରଣାଧୀନ କଂଗ୍ରେସ ବିରୁଦ୍ଧରେ କାର୍ଯ୍ୟ କରିଥିବା ଭଳି ମନେ ହେଉଛି। ଜଣେ ମୋଦୀଙ୍କ ହାତରେ ଅମିତ କ୍ଷମତା ସେମାନଙ୍କର ସାଂବିଧାନିକ ଅଧିକାର କ୍ଷୁଣ୍ଣ କରିବାରେ ନିୟୋଜିତ ହେବ ବୋଲି ରାହୁଳ କରିଥିବା ମିଥ୍ୟା ପ୍ରଚାର ଦ୍ବାରା ପ୍ରଭାବିତ ହୋଇ ଯେଉଁ ଦଳିତମାନେ ‘ବିଜେପି’ ବିରୋଧରେ ସାଧାରଣ ନିର୍ବାଚନରେ ମତଦାନ କରିଥିଲେ, ସେଇ ଦଳିତମାନେ କେବଳ ଗୋଟିଏ ଜାଠ ଜାତିର ଜଣେ େନତା ହୁଦାଙ୍କ ହାତରେ ଅମିତ କ୍ଷମତା ପ୍ରଦାନ ସେମାନଙ୍କର ଅନୁରୂପ କ୍ଷତି ଘଟାଇବ ଆଶଙ୍କା କରି ଏଥର କଂଗ୍ରେସ ବିରୋଧରେ ମତଦାନ କରିଛନ୍ତି।
ସେପଟେ ଜାମ୍ମୁକାଶ୍ମୀରରେ ଶାସକ ମେଣ୍ଟର ଅଂଶ ହେବାକୁ ଯାଉଥିଲେ ହେଁ, ଏହା କଂଗ୍ରେସର ମନୋବଳରେ ବିଶେଷ ବୃଦ୍ଧି ଘଟାଇବାର କୌଣସି କାରଣ ନାହିଁ। ଜାମ୍ମୁ ଅଞ୍ଚଳରେ କଂଗ୍ରେସ ‘ବିଜେପି’ର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହୋଇଥିଲେ ହେଁ ସେଠାରେ ଏହି ଦଳ ମାତ୍ର ଗୋଟିଏ ଆସନରେ ବିଜୟ ଲାଭ କରିବାରେ ସକ୍ଷମ ହୋଇଛି। ସହଯୋଗୀ ଦଳ ‘ନେସ୍ନାଲ୍ କନ୍ଫରେନ୍ସ’ ସହିତ କଂଗ୍ରେସର ସଂପର୍କ ମଧ୍ୟ ଆଦର୍ଶ ଶ୍ରେଣୀୟ ନୁହେଁ; କାଶ୍ମୀର ଉପତ୍ୟକାରେ ଛ’ଟି ଆସନରେ ସେମାନେ ପରସ୍ପର ବିରୋଧରେ ପ୍ରାର୍ଥୀ ଛିଡ଼ା କରାଇଥିଲେ। ଧାରା-୩୭୦ର ପ୍ରତ୍ୟାବର୍ତ୍ତନ ପାଇଁ ରାହୁଳ ଗାନ୍ଧୀଙ୍କ ବାଚନିକ ପ୍ରତିଶ୍ରୁତି ସତ୍ତ୍ବେ, ଏହା ପ୍ରତି କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭୟ କରୁଥିବା ବେଳେ ‘ଏନ୍ସି’ ଏହି ଧାରାର ପ୍ରତ୍ୟାବର୍ତ୍ତନ ପାଇଁ ଦାବି କରୁଛି। ଭବିଷ୍ୟତରେ ଏଭଳି ଜାତୀୟ ସ୍ବାର୍ଥ ବିରୋଧୀ ଉଦ୍ୟମ ସହିତ କଂଗ୍ରେସ ଜଡ଼ିତ ହେବା ଦଳ ପାଇଁ ଜାତୀୟସ୍ତରରେ ଆତ୍ମଘାତୀ ସାବ୍ୟସ୍ତ ହେବ। ମୋଟ ଉପରେ ସାଧାରଣ ନିର୍ବାଚନ ପରେ ଉଲ୍ଲସିତ ଅବସ୍ଥାରେ ଥିବା କଂଗ୍ରେସକୁ ଏହି ସଦ୍ୟତମ ନିର୍ବାଚନ ଫଳାଫଳ ପୁଣି ବିଷାଦ ମଧ୍ୟକୁ ଠେଲି ଦେଇଛି। ଏଥିରୁ ମୁକୁଳିବା ପାଇଁ ରାହୁଳଙ୍କ ଉପଦେଷ୍ଟାମାନଙ୍କୁ ଆଉ କିଛି ନୂତନ କୌଶଳ ସନ୍ଧାନ କରିବାକୁ ପଡ଼ିବ।