ନ୍ୟାୟଦେବୀଙ୍କ ଚକ୍ଷୁରୁ ଏହି ପୁଟୁଳିକୁ ହଟାଇବା ହେଉଛି ନିଶ୍ଚିତ ରୂପେ ଏକ ବିଚାର ବିଭ୍ରାଟ। ସେଇଭଳି ଅସି ସ୍ଥାନରେ ସଂବିଧାନ ସ୍ଥାପନ ଏକ ରାଜନୈତିକ ଗନ୍ଧ ବହନ କରିଥିବା ବେଳେ, ନ୍ୟାୟଦେବୀଙ୍କ ମୂର୍ତ୍ତି ଏକ ପାଶ୍ଚାତ୍ୟ ପରିକଳ୍ପନା ହୋଇଥିବାରୁ ତାଙ୍କର ପରିଧାନରେ ପରିବର୍ତ୍ତନ ନିରର୍ଥକ ମନେ ହୋଇଥାଏ।
ମୁଖ୍ୟ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ଼ ତାଙ୍କର ଆସନ୍ନ ଅବସରଗ୍ରହଣର ଅବ୍ୟବହିତ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟପାଳିକାରେ ନିଜର ଏକ ସ୍ଥାୟୀ ସ୍ବାକ୍ଷର ଛାଡ଼ି ଯିବା ପାଇଁ ଯେଉଁ ଏକ ଅଭିନବ ଉଦ୍ୟମ କରିଛନ୍ତି, ସୁପ୍ରିମ୍ କୋର୍ଟର ଓକିଲ ସଂଘ ‘ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନ୍’ ଏବେ ସେଥିପ୍ରତି ତୀବ୍ର ବିରୋଧ ପ୍ରକାଶ କରିବା ଦେଖାଯାଇଛି। ଦେଶବ୍ୟାପୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ଚନ୍ଦ୍ରଚୂଡ଼ଙ୍କର ଏହି ପ୍ରତୀକାତ୍ମକ ପଦକ୍ଷେପଟି ହେଉଛି ସୁପ୍ରିମ୍ କୋର୍ଟର ପରିସରରେ ବିଚାରପତିମାନଙ୍କର ପାଠାଗାରରେ ଅବସ୍ଥାପିତ ନ୍ୟାୟଦେବୀଙ୍କର ମୂର୍ତ୍ତିର ଚକ୍ଷୁରୁ ଚିରାଚରିତ ଅନ୍ଧ ପୁଟୁଳିର ଅପସାରଣ। ଏହି ନୂତନ ଛ’ଫୁଟ ଉଚ୍ଚ ମୂର୍ତ୍ତି ଏଥର ପୂର୍ବର ପାଶ୍ଚାତ୍ୟ ପୋଷାକ ପରିହାର କରି ପରିଧାନ କରିଛନ୍ତି ଏକ ପାରମ୍ପରିକ ଧଳା ଶାଢ଼ୀ ଓ ହାତରେ ତାଙ୍କର ଶୋଭା ପାଉଛି ପୂର୍ବେ ସେ ଧରିଥିବା ତରବାରୀ ସ୍ଥାନରେ ବର୍ତ୍ତମାନ ରାଜନୀତିକୁ ସରଗରମ କରିଥିବା ଭାରତୀୟ ସଂବିଧାନ। ନ୍ୟାୟଦେବୀ ତାଙ୍କର ଅନ୍ୟ ହାତରେ ଅବଶ୍ୟ ତଥାପି ଧରିଛନ୍ତି ନ୍ୟାୟ-ଅନ୍ୟାୟ ତଉଲିବାର ପ୍ରତୀକ ନିକିତିକୁ।
ପ୍ରକାଶିତ ସମ୍ବାଦ ଅନୁସାରେ ସୁପ୍ରିମ୍ କୋର୍ଟର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼ଙ୍କର ନିର୍ଦ୍ଦେଶରେ ପାଠାଗାରରେ ନ୍ୟାୟଦେବୀଙ୍କର ଏହି ନୂତନ ମୂର୍ତ୍ତି ସ୍ଥାପନ କରାଯାଇଛି ଏବଂ ଏହା ପଛରେ ମୁଖ୍ୟ ବିଚାରପତିଙ୍କର ଯେଉଁ ଉଦ୍ଦେଶ୍ୟ ନିହିତ ଅଛି, ତାହା ହେଲା ଆମେ ବ୍ରିଟିଶ୍ ଲିଗାସିକୁ ପରିତ୍ୟାଗ କରି ଅଗ୍ରସର ହେବା ଏବଂ ଏହା ପ୍ରଦର୍ଶିତ କରିବା ଯେ ଆଇନ ଅନ୍ଧ ନୁହେଁ ଓ ଆଇନ ଦୃଷ୍ଟିରେ ସମସ୍ତେ ହେଉଛନ୍ତି ସମାନ। ‘ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନ୍’ ତାହାର ସଂକଳ୍ପରେ ଉଲ୍ଲେଖ କରିଛି ଯେ ନ୍ୟାୟଦେବୀଙ୍କର ପ୍ରତିମୂର୍ତ୍ତିରେ ଘଟାଯାଇଥିବା ଏଭଳି ପରିବର୍ତ୍ତନର ଯଥାର୍ଥତା ବୁଝିବା ପାଇଁ ସେମାନେ ଅକ୍ଷମ। ବାର୍ ଆସୋସିଏସନ୍ର ସଦସ୍ୟମାନେ ସୁପ୍ରିମ୍ କୋର୍ଟରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ସତ୍ତ୍ବେ ସେମାନଙ୍କ ସହିତ ପରାମର୍ଶ ନ କରି ନ୍ୟାୟର ପ୍ରତୀକ ନ୍ୟାୟଦେବୀଙ୍କ ମୂର୍ତ୍ତିରେ ଏଭଳି ବ୍ୟାପକ ପରିବର୍ତ୍ତନ ଘଟାଯାଇଥିବାକୁ ସେମାନେ ତୀବ୍ର ବିରୋଧ କରିଛନ୍ତି।
ଯଦି ନିରପେକ୍ଷ ଭାବରେ ବିଚାର କରାଯାଏ, ନ୍ୟାୟଦେବୀଙ୍କ ପ୍ରତିମୂର୍ତ୍ତିର ରୂପାନ୍ତର ନ୍ୟାୟ ପ୍ରଦାନ ଉଦ୍ୟମ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଦେଶର ବରିଷ୍ଠ ଆଇନଜୀବୀମାନଙ୍କର ସଂଘର ସଦସ୍ୟମାନଙ୍କ ଠାରେ ସୃଷ୍ଟି କରିଥିବା ଏହି ଗଭୀର କ୍ଷୋଭ ସଂପୂର୍ଣ୍ଣ ଯଥାର୍ଥ ମନେ ହୋଇଥାଏ। ଯାହା ପ୍ରାୟ ସମସ୍ତେ ଜାଣନ୍ତି, ନ୍ୟାୟଦେବୀଙ୍କ ମୂର୍ତ୍ତି ପିନ୍ଧିଥିବା ଅନ୍ଧ ପୁଟୁଳି ଆକ୍ଷରିକ ଭାବରେ ଏକ ଦୃଷ୍ଟିପଥରୋଧକାରୀ ଅନ୍ଧ ପୁଟୁଳି ନୁହେଁ; ଖୋଦ୍ ନ୍ୟାୟଦେବୀଙ୍କ ମୂର୍ତ୍ତି ଭଳି ଏହି ଅନ୍ଧ ପୁଟୁଳି ମଧ୍ୟ ହେଉଛି ଏକ ପ୍ରତୀକ ମାତ୍ର- ଦେବୀଙ୍କର ଏକ ପ୍ରତୀକାତ୍ମକ ଆଭରଣ। ଠିକ୍ ଯେମିତି ଦେବୀ ଧରିଥିବା ନିକିତି ହେଉଛି ନିରପେକ୍ଷ ନ୍ୟାୟ ପ୍ରଦାନର ପ୍ରତୀକ ଓ ତରବାରୀ ହେଉଛି ଆଇନର ଶକ୍ତିର ପ୍ରତୀକ।
ନ୍ୟାୟଦେବୀଙ୍କ ଆବିର୍ଭାବ ଉଭୟ ଐତିହାସିକ ଓ ପୌରାଣିକ ହୋଇଥିବା ବେଳେ ସାଧାରଣତଃ ତାଙ୍କୁ ଗ୍ରୀକ୍ ପୌରାଣିକ ଦେବୀ ‘ଜଷ୍ଟିସିଆ’ଙ୍କ ସହିତ ସଂଯୁକ୍ତ କରାଯାଇଥାଏ। ଦେବୀ ପରିଧାନ କରିଥିବା ଅନ୍ଧ ପୁଟୁଳିକୁ ସର୍ବତ୍ର ନ୍ୟାୟ ପ୍ରଦାନରେ ସେ ଅବଲମ୍ବନ କରୁଥିବା କଠୋର ନିରପେକ୍ଷତାର ପ୍ରତୀକ ରୂପେ ଗ୍ରହଣ କରାଯାଇଥାଏ- ପକ୍ଷମାନଙ୍କର ପରିଚୟ ଦ୍ବାରା ପ୍ରଭାବିତ ନ ହୋଇ ସେ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିଥାନ୍ତି। ଆଧୁନିକ ସମୟର ନ୍ୟାୟତତ୍ତ୍ବ ପରିପ୍ରେକ୍ଷୀରେ ନ୍ୟାୟଦେବୀଙ୍କର ଏହି ଅନ୍ଧ ପୁଟୁଳିକୁ ବିଂଶ ଶତାବ୍ଦୀର ପ୍ରସିଦ୍ଧ ନ୍ୟାୟଶାସ୍ତ୍ରୀ ଦାର୍ଶନିକ ଜନ୍ ରଲ୍ସଙ୍କର ବହୁଚର୍ଚ୍ଚିତ ‘ଅଜ୍ଞାନର ଅନ୍ଧ ପୁଟୁଳି’ ବା ‘ଭେଲ୍ ଅଫ୍ ଇଗ୍ନୋରାନ୍ସ’ ସହିତ ତୁଳନା କରାଯାଇପାରେ।
ଏହି ପ୍ରସଙ୍ଗରେ ଯେଉଁ ଏକ ମୌଳିକ ପ୍ରଶ୍ନ ରଲ୍ସଙ୍କୁ ଆନ୍ଦୋଳିତ କରିଥିଲା, ତାହା ହେଲା କେଉଁଭଳି ଏକ ନ୍ୟାୟ ବ୍ୟବସ୍ଥାର ପରିକଳ୍ପନା କରାଯାଇପାରିବ, ଯାହା ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଦ୍ବାରା ଯଥାର୍ଥ ରୂପେ ବିବେଚିତ ହେବ? ଲକ୍, ରୁଷୋ, କାଣ୍ଟ୍ ଆଦି ଦାର୍ଶନିକମାନେ ପ୍ରଦାନ କରିଥିବା ‘ସାମାଜିକ ଚୁକ୍ତି’ (‘ସୋସିଆଲ୍ କଣ୍ଟ୍ରାକ୍ଟ’) ତତ୍ତ୍ବମାନଙ୍କୁ ଆଧାର କରି ରଲ୍ସ ସମାଜର ପ୍ରତ୍ୟେକ ନାଗରିକ ପାଇଁ ଗ୍ରହଣୀୟ ଯେଉଁ ନିରପେକ୍ଷ ନ୍ୟାୟ ବ୍ୟବସ୍ଥାର ପରିକଳ୍ପନା କରିଥିଲେ, ତାହା ହେଲା ନିମ୍ନରେ ବର୍ଣ୍ଣନା କରାଯାଇଥିବା ଭଳି।
ତାଙ୍କର ଏହି ପରିକଳ୍ପନା ଅନୁସାରେ ମନେକର ପ୍ରତ୍ୟେକ ନାଗରିକ ତା’ର ଜନ୍ମ ପୂର୍ବରୁ ନିଜର ଭବିଷ୍ୟତ ସମ୍ବନ୍ଧରେ ଏକ ଅନ୍ଧ ପୁଟୁଳି (‘ଭେଲ୍ ଅଫ୍ ଇଗ୍ନୋରାନ୍ସ’) ପିନ୍ଧିଛି; ଅର୍ଥାତ୍ ତାକୁ ଜଣାନାହିଁ ସେ କେଉଁ ସମାଜରେ, କେଉଁ କୁଳରେ, କେଉଁ ଲିଙ୍ଗରେ, କିଭଳି ମେଧା ଧାରଣ କରି, କିଭଳି ସ୍ବାସ୍ଥ୍ୟ ଧାରଣ କରି, କିଭଳି ମୂଲ୍ୟବୋଧ ଧାରଣ କରି... ଜନ୍ମ ହେବ। ସେ କେବଳ ଜାଣିଥିବ ଯେ ଜନ୍ମ ପରେ ସେ ତାହାର ଜନ୍ମ ପୂର୍ବରୁ ଚୟନ କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ନ୍ୟାୟ ବ୍ୟବସ୍ଥାର ସମ୍ମୁଖୀନ ହେବ। ସେ ମଧ୍ୟ ଜାଣିଥିବ ଯେ ସେ ଯେଉଁଠି ବି ଜନ୍ମଲାଭ କରୁ ନା କାହିଁକି, ସେଠାରେ ଉପଲବ୍ଧ ସମ୍ବଳ ସର୍ବଦା ସୀମିତ ଥିବ, ଯାହାର ବଣ୍ଟନ ସେଇ ନ୍ୟାୟ ବ୍ୟବସ୍ଥା ଦ୍ବାରା ନିୟନ୍ତ୍ରିତ ହେବ। ଏହି ଅଜ୍ଞାନ ଅନ୍ଧ ପୁଟୁଳି ପିନ୍ଧି ଜନ୍ମ ପୂର୍ବାବସ୍ଥାରେ ସମାଜର ସଦସ୍ୟମାନେ ଯେଉଁ ନ୍ୟାୟ ବ୍ୟବସ୍ଥାକୁ ପସନ୍ଦ କରିବେ, ତାହା ଯେ ସଂପୂର୍ଣ୍ଣ ରୂପେ ଯଥାର୍ଥ ଓ ନିରପେକ୍ଷ ହେବାକୁ ବାଧ୍ୟ, ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ।
ଚନ୍ଦ୍ରଚୂଡ଼ ନ୍ୟାୟଦେବୀଙ୍କ ଚକ୍ଷୁରୁ ଯେଉଁ ଅନ୍ଧ ପୁଟୁଳି ହଟାଇ ଦେଇଛନ୍ତି, ତାହା ହେଉଛି ରଲ୍ସଙ୍କର ଏଇ ‘ଅଜ୍ଞାନ ଅନ୍ଧ ପୁଟୁଳି’ ଭଳି। ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା ପାଇଁ ଅନୁମାନ କରାଯାଉ ଜନ୍ମ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଏହି ଅନ୍ଧ ପୁଟୁଳିମୁକ୍ତ ହୋଇ ନିଜର ଭବିଷ୍ୟତକୁ ସ୍ପଷ୍ଟ ରୂପେ ଦେଖିପାରୁଥାନ୍ତା- ସେ କେଉଁଠି ଜନ୍ମ ହେବ, କେଉଁ ଲିଙ୍ଗରେ, କେଉଁ ଶ୍ରେଣୀରେ... ଜନ୍ମ ହେବାକୁ ଯାଉଛି, ତାହା ତାକୁ ଜଣା ଥାନ୍ତା। ଏଭଳି ଅନ୍ଧ ପୁଟୁଳିମୁକ୍ତ ଭବିଷ୍ୟଦ୍ରଷ୍ଟା ବ୍ୟକ୍ତିମାନଙ୍କୁ ଯଦି ଜନ୍ମ ପୂର୍ବରୁ ଏକ ଆଦର୍ଶ ନ୍ୟାୟ ବ୍ୟବସ୍ଥା ପସନ୍ଦ କରିବାକୁ କୁହାଯାଆନ୍ତା, ତେବେ ସେମାନେ ଏକ ନିରପେକ୍ଷ ନ୍ୟାୟ ବ୍ୟବସ୍ଥା ଚୟନ କରିବା ପରିବର୍ତ୍ତେ ଏଭଳି ନ୍ୟାୟ ବ୍ୟବସ୍ଥାମାନ ଚୟନ କରନ୍ତେ, ଯାହା ସଂପୂର୍ଣ୍ଣ ରୂପେ ପକ୍ଷପାତିତାମୂଳକ ହୁଅନ୍ତା, ଭବିଷ୍ୟତରେ ନିଜ ନିଜକୁ ସୁହାଇବା ଭଳି। ଭବିଷ୍ୟତର ହତ୍ୟାକାରୀ ଚୟନ କରିଥିବା ନ୍ୟାୟ ବ୍ୟବସ୍ଥାରେ ନରହତ୍ୟା ଏକ ଅପରାଧ ରୂପେ ବିବେଚିତ ହୁଅନ୍ତା ନାହିଁ; ଲାଞ୍ଚୁଆ ଲାଞ୍ଚ ଗ୍ରହଣକୁ ଆଇନସମ୍ମତ କରିଦିଅନ୍ତା...।
ନ୍ୟାୟ ବ୍ୟବସ୍ଥାରେ ଏଇଭଳି ବିକୃତିକୁ ପ୍ରତିରୋଧ କରିବା ପାଇଁ ହିଁ ନ୍ୟାୟଦେବୀ ‘ଅଜ୍ଞାନ ଅନ୍ଧ ପୁଟୁଳି’ ପିନ୍ଧିଥାନ୍ତି। ବାସ୍ତବରେ ତେଣୁ ଏହାକୁ ‘ଜ୍ଞାନର ପୁଟୁଳି’ (‘ଜ୍ଞାନ’ ଏଠାରେ ‘ନ୍ୟାୟଜ୍ଞାନ’କୁ ବୁଝାଇଥାଏ) କହିବା ଅଧିକ ଯଥାର୍ଥ ହେବ। ନ୍ୟାୟଦେବୀଙ୍କ ଚକ୍ଷୁରୁ ଏହି ପୁଟୁଳିକୁ ହଟାଇବା ହେଉଛି ନିଶ୍ଚିତ ରୂପେ ଏକ ବିଚାର ବିଭ୍ରାଟ। ସେଇଭଳି ଅସି ସ୍ଥାନରେ ସଂବିଧାନ ସ୍ଥାପନ ଏକ ରାଜନୈତିକ ଗନ୍ଧ ବହନ କରିଥିବା ବେଳେ, ନ୍ୟାୟଦେବୀଙ୍କ ମୂର୍ତ୍ତି ଏକ ପାଶ୍ଚାତ୍ୟ ପରିକଳ୍ପନା ହୋଇଥିବାରୁ ତାଙ୍କର ପରିଧାନରେ ପରିବର୍ତ୍ତନ ନିରର୍ଥକ ମନେ ହୋଇଥାଏ।