ପ୍ରସିଦ୍ଧ ଆମେରିକୀୟ ସାମ୍ବାଦିକ ହେନେରି ଲୁସ୍‌ ଏକଦା କହିଥିଲେ, ‘ସାରା ବିଶ୍ବ ହୃଦୟର ନିକଟତର ହେବାର ଇଚ୍ଛା ପାଇଁ ମୁଁ ସାମ୍ବାଦିକ ହେଲି’। ଅର୍ଥାତ୍‌, ଜଣେ ସାମ୍ବାଦିକର ଶ୍ରେଷ୍ଠ ପରିଚୟ ହେଉଛି ତାର ସମ୍ବେଦନଶୀଳତା। ଏମିତି ବି କୁହାଯାଇପାରେ ଯେ ସମ୍ବେଦନାରହିତ ସାମ୍ବାଦିକତା ଏକ ରୁକ୍ଷ ପାଷାଣ ସଦୃଶ, ଯହିଁରେ ଜୀବନର ସ୍ପନ୍ଦନ ନ ଥାଏ। କହିବା ବାହୁଲ୍ୟ ଯେ ବର୍ତ୍ତମାନର ସାମ୍ବାଦିକତା ମୋଟାମୋଟି ଭାବେ ବଜାରମୁଖୀ ହୋଇଯାଇଛି। ମହାତ୍ମା ଗାନ୍ଧୀ, ରାଜା ରାମମୋହନ ଓ ଗୋପବନ୍ଧୁଙ୍କ ସତ୍ୟାନୁସନ୍ଧାନୀ ଆଭିମୁଖ୍ୟ ଓ ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ଯେଉଁ ପ୍ରକାର ସାମ୍ବାଦିକତାର ପରଂପରା ନିର୍ମାଣ କରିଥିଲା, ତାହା ପ୍ରାୟତଃ ବିଲୁପ୍ତ ହୋଇସାରିଛି। ଗଣମାଧ୍ୟମ ଏକ ଉ‌େଦ୍ୟାଗ ହେଲା ପରେ ସାମ୍ବାଦିକତା ମଧ୍ୟ ବଜାରର ଲାଭକ୍ଷତି ହିସାବ ଆଧାରରେ ପରିଚାଳିତ ହେଉଛି। କିନ୍ତୁ, ଏହା ମଧ୍ୟ ସତ୍ୟ ଯେ ଏବେ ମଧ୍ୟ ସାଧାରଣ ଲୋକେ ସାମ୍ବାଦିକଙ୍କୁ ‘ଅସାଧାରଣ ବ୍ୟକ୍ତି’ ରୂପେ ଦେଖନ୍ତି। ସାମ୍ବାଦିକ ଚାହିଲେ ଯେ ସେମାନଙ୍କ ସମସ୍ୟାର ନିବାରଣ ହୋଇପାରିବ, ଏ ବିଶ୍ବାସ ଏବେ ମଧ୍ୟ ସର୍ବତ୍ର ବଳବତ୍ତର ରହିଛି। ଏହା ଅନେକାଂଶରେ ସତ ମଧୢ। କାରଣ, ଅନେକ କ୍ଷମତାଶାଳୀ ଓ ପ୍ରଭାବଶାଳୀଙ୍କ ମାତ୍ରାଧିକତା ଏବେ ସୁଦ୍ଧା ଗଣମାଧ୍ୟମ ସକା‌େଶ କାର୍ଯ୍ୟାନୁ‌ଷ୍ଠାନର ସମ୍ମୁଖୀନ ହେଉଛି; ଅ‌ନେକ ଦୁର୍ନୀତିଗ୍ରସ୍ତ ଦଣ୍ଡିତ ହେଉଛନ୍ତି; ଅନେକ ଅଞ୍ଚଳର ସମସ୍ୟା ଦୂରୀଭୂତ ହୋଇପାରୁଛି। ପୁଣି ବେଳେବେଳେ ସାମ୍ବାଦିକମାନଙ୍କ ସମ୍ବେଦନଶୀଳତା ସେମାନଙ୍କ ପେସାକୁ ଅତିକ୍ରମ କରି ଅତ୍ୟନ୍ତ ବିରଳ ଉଦାହରଣ ମଧ୍ୟ ସୃଷ୍ଟି କରୁଛି। କିଛିଦିନ ତଳେ ବ୍ରହ୍ମପୁର ନିକଟସ୍ଥ ଏକ ଗ୍ରାମରେ ଜଣେ ଶିକ୍ଷକଙ୍କର ଦେହାନ୍ତ ହେଲା। କିନ୍ତୁ କରୋନା ଭୟରେ ତାଙ୍କ ଶବକୁ ଶ୍ମଶାନକୁ ନେବା ଲାଗି କେହି ଆସିଲେ ନାହିଁ। ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ପର ଦିନ ଖବରକାଗଜ ଲାଗି ସମ୍ବାଦ ସଂଗ୍ରହ ସକାଶେ ଯେଉଁ ସ୍ଥାନୀୟ ସାମ୍ବାଦିକ ସେଠାକୁ ଆସିଥିଲେ, ସେମାନେ ହିଁ ମିଳିମିଶି ଶବ ଉଠାଇଥିଲେ। କରୋନା ପାନ୍‌ଡେମିକ କାଳରେ ସମ୍ବେଦନଶୀଳ ସାମ୍ବାଦିକତାର ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି।

Advertisment

ତା’ ସତ୍ତ୍ବେ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ‌େଯ ସାମ୍ବାଦିକମାନଙ୍କ ଦ୍ବାରା ସମ୍ବେଦନଶୀଳତାର ପ୍ରଦର୍ଶନ ବିରଳ ହେବାରେ ଲାଗିଛି। ସଂପ୍ରତି ‘ବ୍ରେକିଂ ନ୍ୟୁଜ୍‌’ର ଘୋର ପ୍ରତିଦ୍ବନ୍ଦ୍ବିତାମୂଳକ ଯୁଗରେ କିଏ ସର୍ବ ପ୍ରଥମେ ଖବର ପହଞ୍ଚାଇବ ତହିଁରେ ସାମ୍ବାଦିକମାନେ ବ୍ୟସ୍ତ ରହୁଥିବାରୁ ସେମାନଙ୍କ ସାମାଜିକ ଦାୟିତ୍ବବୋଧ ଭୁଲି ଯାଉଛନ୍ତି। ନିକଟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେତେଜଣ ସାମ୍ବାଦିକଙ୍କ ସମ୍ବେଦନାଶୂନ୍ୟତା ସାମାଜିକ ଗଣମାଧୢମରେ ନିନ୍ଦିତ ହୋଇଥିଲା। ଏମାନଙ୍କ ଭିତରୁ କେହି ଜଣେ କୌଣସି ବ୍ୟକ୍ତିଙ୍କ ବେଡ୍‍ରୁମ୍‌ ଭିତରୁ ଲାଇଭ୍‌ ଦୃଶ୍ୟ ପ୍ରେରଣ କରିବା ଭଳି କାର୍ଯ୍ୟ ଲାଗି ସମାଲୋଚନାର ଶିକାର ହୋଇଥିଲେ ତ ଆଉ କିଛି ସାମ୍ବାଦିକ ଅତି ନିର୍ମମ ଭାବେ ଜଣେ ବୃଦ୍ଧା ମା’ଙ୍କୁ ଘେରି ଯାଇ ତାଙ୍କ ପୁଅର ମୃତ୍ୟୁ ଖବର ଦେଇ ତାଙ୍କ ଠାରୁ ମନ୍ତବ୍ୟ ବା ‘ବାଇଟ୍‌’ ନେବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସମ୍ବେଦନାଶୂନ୍ୟତାର ଅତ୍ୟନ୍ତ କ୍ରୂର ଦୃଷ୍ଟାନ୍ତ ସ୍ଥାପନ କରିଥିଲେ। ବିଭିନ୍ନ ସମୟରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ କୌଣସି କୌଣସି ଘଟଣାରେ ସାମ୍ବାଦିକମାନେ ପୁଲିସ ଓ ବିଚାରପତି ସାଜି କୌଣସି ବ୍ୟକ୍ତିଙ୍କୁ ଅଭିଯୁକ୍ତ ଏବଂ ଦୋଷୀ ରୂପେ ସାବ୍ୟସ୍ତ କରି ଦଣ୍ଡ ମଧ୍ୟ ଶୁଣାଇ ଦେଉଛନ୍ତି। ଏହାକୁ ‘ମିଡିଆ ଟ୍ରାଏଲ୍’ ବୋଲି କୁହାଯାଉଛି। ଏଭଳି ଆଚରଣ ସାମ୍ବାଦିକତା‌ ପାଇଁ ଏକ ଲଜ୍ଜାଜନକ ଅଧ୍ୟାୟ ସୃଷ୍ଟି କରିଛି।

ପ୍ରଖ୍ୟାତ ଆମେରିକୀୟ ସାମ୍ବାଦିକ ଯୋସେଫ୍‌ ପୁଲିତ୍‌ଜର‌୍‌, ଯାହାଙ୍କ ନାମରେ ପ୍ରସିଦ୍ଧ ପୁଲିତ୍‌ଜର‌୍‌ ସମ୍ମାନ ଦିଆଯାଏ, ଏକଦା କହିଥିଲେ ଯେ ଲୋକଙ୍କର ଭରସା ହେଉଛି ଜଣେ ସାମ୍ବାଦିକର ସବୁଠୁ ବଡ଼ ପୁଞ୍ଜି ଓ ଉପଲବ୍‌ଧି, ଯାହା ସମ୍ବେଦନାଶୂନ୍ୟ ସାମ୍ବାଦିକମାନେ ହରାଇ ବସୁଛନ୍ତି। ଏହି ପରିପ୍ରେକ୍ଷୀରେ ପୁଲିତ୍‌ଜର ପୁରସ୍କାର ବିଜେତା ଦକ୍ଷିଣ ଆଫ୍ରିକୀୟ ଫଟୋ ସାମ୍ବାଦିକ କେଭିନ କାର୍ଟରଙ୍କ ବିଷୟ ପ୍ରଣିିଧାନଯୋଗ୍ୟ। କେଭିନ ତୋଳିଥିବା ଏକ ଅତ୍ୟନ୍ତ ବିମର୍ଷକର ଫଟୋ ୧୯୯୩ ମସିହାରେ ‘ନ୍ୟୁୟର୍କ ଟାଇମ୍‌ସ’ ପତ୍ରିକାରେ ପ୍ରକାଶିତ ହୋଇ ସାରା ବିଶ୍ବର ବିବେକ ଦଂଶନ କରିଥିଲା। ଦୁର୍ଭିକ୍ଷ ଓ ଅକଥନୀୟ କ୍ଷୁଧା ପ୍ରପୀଡ଼ିତ ସୁଦାନରେ ବୁଭୁକ୍ଷାର ସ୍ଥିର-ଚିତ୍ର ସନ୍ଧାନରେ କେଭିନ ସେହି ଦୃଶ୍ୟଟିକୁ ପାଇ କ୍ୟାମେରାରେ ତୋଳି ଧରିଥିଲେ। ତହିଁରେ ଥିଲା କ୍ଷୁଧାରେ ଜର୍ଜରିତ ମୁମୂର୍ଷୁ ଗୋଟିଏ ଛୋଟ ଝିଅ ତଳେ ପଡ଼ି ରହି ମୃତ୍ୟୁର ଶୀତଳ ଆଲିଙ୍ଗନକୁ ଅପେକ୍ଷା କରିଥିବା ବେଳେ ଅଦୂରରେ ଏକ ଶାଗୁଣା ତାର ମୃତ ଦେହକୁ ଖାଦ୍ୟରେ ପରିଣତ କରିବାକୁ ଅପେକ୍ଷା କରି ବସିଥିବାର ଦୃଶ୍ୟ। କେଭିନ ସୁଦାନରେ ତାଙ୍କ କାମ ସାରି ଘରକୁ ଫେରିବା ଲାଗି ବିମାନବନ୍ଦରକୁ ଯାଉଥିବା ବାଟରେ ଏହି ଦୃଶ୍ୟ ଦେଖି ଫଟୋ ଉଠା‌ଇ ଥିଲେ। ସେହି ଫଟୋଟି ଲାଗି ହିଁ ସେ ପୁଲିତ୍‌ଜର ପୁରସ୍କାର ପାଇଥିଲେ। କିନ୍ତୁ ଝିଅଟିକୁ ସେଠାରେ ସେମିତି ଛାଡ଼ି ଆସି ଥିବାରୁ ସେ ଅନେକ ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲେ। ଏହି ସମୟରେ ସେ ପାଇଥିଲେ ଏକ ଫୋନ୍‌ କଲ୍‌। ତହିଁରେ ଅପର ପଟରୁ ଜଣେ କହିବାର ଶୁଣାଗଲା- କେଭିନ, ଚମତ୍କାର ଫଟୋ ଉଠାଇଛ। କିନ୍ତୁ ମୋତେ ସେଠାରେ ଦୁଇଟି ଶାଗୁଣା ଦିଶିଲେ। ଗୋଟିଏ କ୍ୟାମେରା ଆଗରେ ରହି ଝିଅଟିର ମୃତ ଦେହକୁ ଭକ୍ଷଣ କରିବାକୁ ଟାକି ରହିଥିଲା। ଦ୍ବିତୀୟ ଶାଗୁଣାଟି କ୍ୟା‌ମେରା ଧରି ଫଟୋ ଉଠାଉଥିଲା। ଏହି କଥା କେଭିନଙ୍କୁ ଏଭଳି ଆଘାତ ଦେଇଥିଲା ଯେ ସେ ଗ୍ଳାନି ଜର୍ଜରିତ ହୋଇ ଆତ୍ମହତ୍ୟା କରିଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୩୪ ବର୍ଷ।

କିନ୍ତୁ ଆଜି କାଲି ଏଭଳି ସମ୍ବେଦନାଶୂନ୍ୟତା ସାଧାରଣ କଥାରେ ପରିଣତ ହେଲାଣି। କିଛି ବର୍ଷ ତଳେ ବିହାରରେ ସାମ୍ବାଦିକମାନଙ୍କ ସମ୍ମୁଖରେ ଚାରି ଜଣ ଯୁବକଙ୍କୁ ଗାଈ ଚୋର ସନ୍ଦେହରେ ଗାଁ ଲୋକେ ପିଟି ପିଟି ମାରିଦେବା ଏବଂ ତାହା ବିଭିନ୍ନ ଚ୍ୟାନେଲରେ ବ୍ରେକିଂ ନ୍ୟୁଜ୍‌ ଭାବେ ଚାଲିବା ଥିଲା ଏଭଳି ଏକ ଅତ୍ୟନ୍ତ ବିମର୍ଷକର ଦୃଷ୍ଟାନ୍ତ। କିନ୍ତୁ ହତାଶାର ବିଷୟ, କ୍ରମେ ଏଭଳି ଦୃଷ୍ଟାନ୍ତ ବୃଦ୍ଧି ପାଇବାରେ ଲାଗିଲାଣି। ତେଣୁ, ଭୟ ଆସେ ଯେ ଭବିଷ୍ୟତ୍‌ରେ ସମ୍ବେଦନାଶୂନ୍ୟ ସାମ୍ବାଦିକତା ସମ୍ବେଦନଶୀଳ ସାମ୍ବାଦିକତାକୁ କେନ୍ଦ୍ରରୁ ବିତାଡ଼ିତ କରି ସୀମାନ୍ତରିତ କରି ଦେବ ନାହିଁ ତ?
ମୋ- ୯୪୩୭୯୫୮୦୧୪