ମୁନି ଜୈମିନୀଙ୍କର ବୟସ ସେତେବେଳେ ଥାଏ ଏକ ଶତ କୋଡ଼ିଏ ବର୍ଷ; ଶୁଭ ସ୍ବନକ୍ଷତ୍ର ଦିବସରେ, ସେ ତାଙ୍କ ପୂଜ୍ୟ ଗୁରୁଦେବ ମହାତପା ମହର୍ଷି ଦ୍ବୈପାୟନ- କୃଷ୍ଣ ବ୍ୟାସଦେବଙ୍କ କଲ୍ୟାଣ ପାଇବା ପାଇଁ ତାଙ୍କ ଆଶ୍ରମରେ ପହଞ୍ଚି ଥାଆନ୍ତି। ‘ମହାଭାରତ’ ମହାକାବ୍ୟର କୌଣସି ଏକ ପ୍ରସଙ୍ଗ ଉପରେ ଉଭୟ ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଆଲୋଚନା ହେଲା। ଜୈମିନୀ, ମେଲାଣି ମାଗିବା ବେଳେ ମହାମୁନି ବ୍ୟାସଦେବ ତାଙ୍କ ପ୍ରିୟ ଶିଷ୍ୟଙ୍କୁ ପାଖକୁ ଡାକି, ଏକାନ୍ତରେ କହିଥିଲେ,
‘ଜୈମିନୀ, ମାତା ଶ୍ବସା, ଦୁହିତାଚଃ, ନବୀନକ୍ତା ମନୋଭବେତ୍, ବଳବାନ ଇନ୍ଦ୍ରିୟୋଗାମ୍, ମନସା ଚାପି କର୍ଷତ।’ ଯାହାର ମର୍ମାର୍ଥ ହେଉଛି: ହେ ଜୈମିନୀ, ଇନ୍ଦ୍ରିୟମାନେ ଅତ୍ୟନ୍ତ ବଳବାନ, ତେଣୁ ଏପରିକି ମାତା, ଭଗିନୀ ଓ କନ୍ୟାଙ୍କ ସହିତ ଏକାନ୍ତ ସ୍ଥାନରେ ଥିଲାବେଳେ ଏ କଥାକୁ ହେଜିବ।
ମହାତ୍ମା ଜୈମିନୀ ଥିଲେ ବ୍ୟାସଦେବଙ୍କର ଅନ୍ୟତମ ପ୍ରିୟ ଶିଷ୍ୟ ଓ ଅତ୍ୟନ୍ତ ପ୍ରତିଭାବାନ। ସେ ମଧ୍ୟ ‘ମହାଭାରତ’ ପରି ମହାକାବ୍ୟର ରୂପାନ୍ତର-ପ୍ରଣେତା ଭାବରେ ସର୍ବାଧିକ ଶ୍ରେୟାଧିକାରୀ ହୋଇ ସାରିଥିଲେ। ତାଙ୍କୁ, ଗୁରୁଦେବଙ୍କର ଏପରି ପରାମର୍ଶ ଅତ୍ୟନ୍ତ ଅସ୍ବାଦ୍ୟ ଓ ବିମର୍ଷକର ବୋଧ ହେଲା। ତାଙ୍କର ମୁଖମଣ୍ଡଳର ଦୀପ୍ତି ହଠାତ୍ ଝାଉଁଳି ପଡ଼ିଲା। ଏହାକୁ ବୁଝି ପାରିଲେ ଗୁରୁଦେବ। ହେଲେ, ସେ ତାଙ୍କର ପୁତ୍ରତୁଲ୍ୟ ଶିଷ୍ୟଙ୍କୁ ଯାହା ଉଚିତ ମନେ କରିଥିଲେ, ସେହି ପରାମର୍ଶ ରଖିଥିଲେ। ଫେରିବା ପଥରେ ଜୈମିନୀଙ୍କୁ ଆଚ୍ଛନ୍ନ କରି ରଖିଥିଲା ଗୁରୁଦେବଙ୍କ ଉପଦେଶ ବାଣୀ। ସେ କେବଳ ସେହି କଥା ଚିନ୍ତା କରି କରି ନିଜ ଆଶ୍ରମରେ ପହଞ୍ଚିଥିଲେ। ‘ଏକଶତ ଏକବି˚ଶ’ ବର୍ଷର ସାଧନା ଓ ସ˚ଯମର ଆରମ୍ଭ ଦିନରେ ଗୁରୁଙ୍କ ଆଶୀର୍ବାଦ ପାଇଁ ଦର୍ଶନ କରି ଫେରିବା ସମୟରେ ଏପରି ଉପଦେଶର ମହତ୍ତ୍ବ କ’ଣ? ଭାବନା ଭିତରେ ନିମଜ୍ଜ ରହିଲେ ମହାତ୍ମା ଜୈମିନୀ। ଗୁରୁଙ୍କ ମନରେ କ’ଣ ତାଙ୍କ ଚରିତ୍ର ଉପରେ ବା ତାଙ୍କ ସଂଯମ ସାମର୍ଥ୍ୟ ଉପରେ ସନ୍ଦେହ ରହିଛି?
ତେବେ, କିଛି କାଳ ପରେ ତାଙ୍କ ମନରେ ଉପୁଜିଥିବା ଏପରି ଦୋଳନ ଅପସାରିତ ହୋଇଗଲା। ଏକ ବର୍ଷା-ମୁଖର ସନ୍ଧ୍ୟା। ଅବିରାମ ବାରି ପାତ ଓ ଘଡ଼ଘଡ଼ିର ଗର୍ଜନ ପରିବେଶକୁ ଯେତିକି ଭୀତପ୍ରଦ କରନ୍ତା, ତାହା ଠାରୁ ଅଧିକ ଭୟ ସଂଚାର କରୁଥିଲା ଶ୍ବାପଦମାନଙ୍କର ଚିତ୍କାର। ଆଶ୍ରମ କୁଟୀର ବାହାରେ କାହାର ଏକ କରୁଣ କ୍ଷୀଣ ସ୍ବର। ଶୁଣିବାକୁ ଚେଷ୍ଟା କଲେ ଋଷି ଜୈମିନୀ। ଦ୍ବାରଟିକୁ ଅଧା ମୁକୁଳା କରି ଦେଖିଲେ ଝଡ଼ ବର୍ଷାରେ ତିନ୍ତି ଥିବା ତରୁଣୀଟିଏ। ଚପଳାର ଚମକରେ ତାହାର ସିକ୍ତ ବସନ ତଳୁ ଫୁଟି ଉଠିଥାଏ ଯୌବନର ଅଙ୍ଗ ରେଖା। ବଡ଼ କରୁଣ ଭାବରେ ଆଶ୍ରା ମାଗିଲା ତରୁଣୀଟି। ରାତ୍ରିର ଶେଷଯାମ ପର୍ଯ୍ୟନ୍ତ ଅନ୍ତତଃ ସେ ସେଠାରେ ରହିଯାଇ ପାରନ୍ତା କି?
ଅଣନାତୁଣୀ ବୟସର ଝିଅଟିକୁ ଏହି ପରିସ୍ଥିତିରେ ଆଶ୍ରା ନ ଦେଇ ଆଉ କ’ଣ ବା କରନ୍ତେ ଋଷି? ପିନ୍ଧିବାକୁ ତାକୁ ଖଣ୍ତେ ଶୁଖିଲା କଷାୟବାସ ଓ ଶୋଇବାକୁ ଖଣ୍ତିଏ ଚଟ ମସିଣା ଯୋଗାଇ ଦେଲେ ସେ। ତରୁଣୀଟି କିନ୍ତୁ ଶୋଇ ନ ପାରି ଅସ୍ଥିର ହେଉଥାଏ। ହୃଦୟବାନ ଋଷି ଜୈମିନୀ କାରଣ ପଚାରନ୍ତେ, ସେ କହିଲା, ବର୍ଷା ମାଡ଼ରେ ତା’ର ଶରୀର ଅତ୍ୟନ୍ତ ହେମାଳ ହୋଇ ପଡ଼ିଥିବାରୁ ସେ ଚାହୁଁଥିଲା ଉଷ୍ମତା, ଅଗତ୍ୟା ସେଠାରେ ଜୈମିନୀଙ୍କ ଉପସ୍ଥିତି ହେତୁ ସେ ଚାହୁଁଥିଲା ତାଙ୍କର ଉଷ୍ମ ଆଶ୍ଳେଷ। ଦୟା ବିଗଳିତ ଋଷି ଅତିଥି ସତ୍କାର ପୂର୍ବକ ଧର୍ମ ରକ୍ଷା ପାଇଁ ସେହି ଅନୁସାରେ ଆଗଭର ହୁଅେନ୍ତ, ତରୁଣୀଟି ହଠାତ୍ ଋଷିଙ୍କ ବେକରେ ବାହୁର ବନ୍ଧନୀ ଦ୍ବାରା ତାଙ୍କୁ ବନ୍ଦୀ କରିଦେଲା। ସହସା ଋଷିଙ୍କର ପାଦ ଠାରୁ ଶିର ପର୍ଯ୍ୟନ୍ତ ଏକ ବୈଦ୍ୟୁତିକ ତରଙ୍ଗ ସତେ ଅବା ବହିଗଲା! ବୟସ, ମର୍ଯ୍ୟାଦା, ସ˚ଯମ, ତପସ୍ୟାର ବିଭୂତି, ସାଧନାରୁ ପ୍ରାପ୍ତ ସ୍ଥୈର୍ଯ୍ୟ, ଏକ ଦୁର୍ବାର କାମ-ବାସନାରେ ମଗ୍ନ ହୋଇ ଯିବାକୁ ବସିଥିଲା ବେଳେ ଏକ ବିଜୁଳିର ଝଲକ ସାରା କୁଟୀରକୁ ଉଦ୍ଭାସିତ କରିଦେଲା। ଜୈମିନୀ ଦେଖିଲେ ଯେ ତାଙ୍କ ପାଖରେ ଶୋଇଛନ୍ତି ତାଙ୍କ ଗୁରୁଦେବ ସ୍ବୟ˚ ଦ୍ବୈପାୟନ କୃଷ୍ଣ। ଘଟଣା ସହିତ ଏକ ଅସମ୍ପର୍କିତ ଓ ଦୁର୍ଜ୍ଞେୟ ଚିତ୍ର ପରି କୁଟୀରର ଚଟାଣରେ ପଡ଼ି ରହିଥିଲା କାହାର କେତୋଟି ଓଦା ପାଦର ଚିହ୍ନ।
ଆଶା କରିବି ଯେ ଆମ ଏହି କାହାଣୀରେ ରହିଥିବା ଉପଦେଶର ମର୍ମକୁ ଆମ ସମାଜର କ୍ଷମତାଶାଳୀ ଓ ପ୍ରତିପତ୍ତିଶାଳୀମାନେ ବୁଝିବାକୁ ଉଦ୍ୟମ କରିବେ। ସେମାନଙ୍କୁ ଆବୋରି ବସିଥିବା ନିନ୍ଦା ଓ କଳଙ୍କକୁ ସେମାନେ ମୁହଁ ତୋଡ଼ ଓ ଫୁଟାଣି ଦ୍ବାରା ମୋଚନ କରିପାରିବେ ନାହିଁ। ଗୁରୁଙ୍କ ଉପଦେଶର ମର୍ମ ବୁଝିପାରି ନ ଥିବାରୁ ସେହି ରାତ୍ରିରେ ବ୍ୟାସଦେବଙ୍କ ପାଦକୁ ଲୁହରେ ଧୋଇଥିଲେ ଜୈମିନୀ। ଘଟଣାଟି ପରେ ଅନେକ ବାର ଜୈମିନୀ ଚିନ୍ତା କରିଥିଲେ ଆତ୍ମହତ୍ୟା କରିବାକୁ। ମହାତ୍ମା ବ୍ୟାସଦେବ ତାଙ୍କୁ ବୁଝାଇ ଦେଇଥିଲେ ଯେ, ତାଙ୍କ ବିବେକର ଅନୁଶୋଚନାରେ ତାଙ୍କର ବହୁବାର ମରଣ ଓ ପୁନର୍ଜନ୍ମ ହୋଇ ସାରିଲାଣି। ସେ ଜିତେନ୍ଦ୍ରିୟ ବୋଲି ତାଙ୍କ ମନରେ ସୃଷ୍ଟି ହୋଇଥିବା ଅହମିକାର ବିନାଶ ଲାଗି ସେ ଏହା ରଚନା କରିଥିଲେ। ମହାତପା ଜୈମିନୀଙ୍କ ଅହଂକାର ମୋଚନ କେବଳ ଏକ କାହାଣୀ ମାତ୍ର ନୁହେଁ, ଏହା ମନୁଷ୍ୟ ଚରିତ୍ରର ସଂସ୍କାର ବା ପରିମାର୍ଜନ ସକାଶେ ଏକ ଅର୍ଥପୂର୍ଣ୍ଣ ବ୍ୟାଖ୍ୟାନ।
ମୋ: ୯୭୭୭୨୦୫୬୮୪