ଏଭଳି ଏକ ଆଲୋଚନା ବେଳେ ଏହି ସମ୍ବାଦପତ୍ରର ପ୍ରଥମ ସଂପାଦକ ତଥା ପ୍ରଥିତଯଶା ଲେଖକ ସୁରେନ୍ଦ୍ର ମହାନ୍ତି ସ୍ମରଣକୁ ଆସନ୍ତି, ଯିଏ ଠାଏ କହିଥିଲେ ଯେ କୌଣସି ଶବ୍ଦ ଅସ୍ପୃଶ୍ୟ ନୁହନ୍ତି। ତାଙ୍କ ଅନୁସାରେ ପ୍ରତ୍ୟେକ ଶବ୍ଦର ମୂଳ ଉଦ୍ଦେଶ୍ୟ, ଆଦର୍ଶ ଏବଂ ସ୍ବପ୍ନ ହେଲା ଅର୍ଥ ଏବଂ ଭାବ ସଂଚାର କରିବା। କିନ୍ତୁ, ଆମ ଦୃଷ୍ଟିଭଙ୍ଗୀ ଓ ବିଚାର ଅନୁସାରେ କୌଣସି କୌଣସି ଶବ୍ଦ ଅସ୍ପୃଶ୍ୟ ହୋଇ ଉଠନ୍ତି!
‘ଜି-୨୦’ର ରାଷ୍ଟ୍ର ମୁଖ୍ୟମାନଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କରିବା ସକାଶେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରେରିତ ନିମନ୍ତ୍ରଣ ପତ୍ରରେ ରିପବ୍ଲିକ୍ ଅଫ୍ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ବୋଲି ଲିପିବଦ୍ଧ ହୋଇଥିବା ଜଣାପଡ଼ିବା ପରେ ତାହା ଏକ ତୁମୂଳ ବିବାଦକୁ ଜନ୍ମ ଦେଇଛି; ଯଦିଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କୌଣସି ଇଙ୍ଗିତ ମଧ୍ୟ ପ୍ରଦାନ କରାଯାଇ ନାହିଁ ଯେ ଆମ ରାଷ୍ଟ୍ର ଏଣିକି ଆନୁଷ୍ଠାନିକ ଭାବେ ‘ଭାରତ’ ଏବଂ କେବଳ ‘ଭାରତ’ ଭାବେ ହିଁ ଅଭିହିତ ହେବ। ତେବେ, ଏହି ବିବାଦ ମଧ୍ୟକୁ ଲଂଫ ପ୍ରଦାନ କରିଥିବା ସମାଲୋଚକ ବର୍ଗ ଆଶଙ୍କା ପ୍ରକଟ କରିଥାନ୍ତି ଯେ ସମ୍ଭବତଃ ଦକ୍ଷିଣପନ୍ଥୀ ବିଜେପି ଦ୍ବାରା ‘ଇଣ୍ଡିଆ’ ଭଳି ଏକ ବିଦେଶୀ ପ୍ରଦତ୍ତ ଯାବନିକ ନାମର ବିସର୍ଜନ ଦିଗରେ ଏହା ଏକ ପ୍ରାରମ୍ଭିକ ପଦକ୍ଷେପ ମାତ୍ର; ଯାହା କ୍ରମେ ଭାରତ ବକ୍ଷରୁ ‘ଇଣ୍ଡିଆ’କୁ ନିଶ୍ଚିହ୍ନ କରି ପକାଇବ, ଏବଂ ଯାହା ପ୍ରକାରାନ୍ତରେ ଏକ ସାଂସ୍କୃତିକ ମହାଘାତ ହେବ। ତେବେ, ନୂତନ ଭାବେ ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଦ୍ବାରା ଏହି ବିବାଦରେ ଏକ ରାଜନୈତିକ ପକ୍ଷ ମଧ୍ୟ ଯୋଗ କରାଯାଇଛି, ଯାହା ହେଲା ସରକାରଙ୍କ ଏଭଳି ପଦକ୍ଷେପ ପଛରେ ବିଜେପିର ଏକ ପ୍ରଚ୍ଛନ୍ନ ଭୟ ନିହିତ; ଯାହା ହେଉଛି ବିରୋଧୀ ମେଣ୍ଟର ଏଭଳି ନାମକରଣ (‘ଇଣ୍ଡିଆ’) ଦ୍ବାରା ରାଷ୍ଟ୍ରୀୟତାବୋଧ ଉପରେ ବିଜେପି ଦାବି କରୁଥିବା ଏକକ ସ୍ବତ୍ବାଧିକାର ଅଗତ୍ୟା ତା’ ଠାରୁ ଅପହୃତ ହୋଇଯିବାର ସମ୍ଭାବନା ଉପସ୍ଥିତ ହେଲାଣି; ଯେଉଁ ସମସ୍ୟାର ସମାଧାନ ରହିଛି ‘ଇଣ୍ଡିଆ’ ଭଳି ଶବ୍ଦର ବିସ୍ଥାପନରେ! ଏଭଳି ସ୍ଥଳେ, ସହସା ଆବିର୍ଭୂତ ଏହି ବିବାଦ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ମୂଳ ପ୍ରଶ୍ନ ହେଲା ସରକାରଙ୍କ ଏହି ନିଷ୍ପତ୍ତି ‘ଅସାଧାରଣ’ ହୋଇଥିଲେ ସୁଦ୍ଧା ତୀବ୍ର ବିବାଦ ସୃଷ୍ଟି କରିବାର କାରଣ ଅଛି କି? ଏଭଳି ପ୍ରଶ୍ନ ପଛରେ ରହିଥିବା ଦୁଇଟି ପ୍ରମୁଖ ଯୁକ୍ତି ହେଲେ; ପ୍ରଥମତଃ, ଭାରତୀୟ ସଂବିଧାନର ପ୍ରଥମ ପରିଚ୍ଛଦରେ ଉଲ୍ଲିଖିତ ଅଭିବ୍ୟକ୍ତି ‘ଇଣ୍ଡିଆ, ଦ୍ୟାଟ୍ ଇଜ୍ ଭାରତ’ ଏହା ସୂଚାଇ ଥାଏ େଯ ‘ଭାରତ’ ମଧ୍ୟ ଆମ ରାଷ୍ଟ୍ରର ଏକ ମୂଳ ନାମ; ସୁତରାଂ, ଏହାକୁ ‘ଇଣ୍ଡିଆ’ ବଦଳରେ ବ୍ୟବହାର କରାଯିବାରେ ବିଶେଷ ଅଯୌକ୍ତିକତା ନାହିଁ। ଦ୍ବିତୀୟତଃ, ‘ଭାରତ’ ନାମର ବ୍ୟବହାର ‘ଇଣ୍ଡିଆ’ର ବିଲୁପ୍ତି ଘଟାଇବାର କୌଣସି କାରଣ ନାହିଁ, ଯେମିତି ବିଗତ ତିନି ଶହ ବର୍ଷ ଧରି ‘ଇଣ୍ଡିଆ’ ନାମର ବ୍ୟବହାର ‘ଭାରତ’କୁ ଅସ୍ତିତ୍ବହୀନ କରି ପକାଇନାହିଁ। ‘ୟୁନାଇଟେଡ୍ କିଙ୍ଗଡମ୍’ ବା ‘ନେଦରଲାଣ୍ଡ’ ଯେମିତି ‘ଗ୍ରେଟ୍ ବ୍ରିଟେନ୍’ ଓ ‘ହଲାଣ୍ଡ’ ଭାବେ ପରିଚିତ ହୋଇ ରହିଛନ୍ତି ସେହି ଭଳି ଭାରତ ମଧ୍ୟ ଦୁଇଟି ନାମରେ ପରିଚିତ ହୋଇ ରହିପାରିବ। ଅବଶ୍ୟ, ଏହା ଏକ ବାସ୍ତବତା ଯେ ଉପନିବେଶବାଦୀ ବ୍ରିଟିସ ଶାସକମାନେ ଭାରତକୁ ‘ଇଣ୍ଡିଆ’ ରୂପେ ବିଶ୍ବ ପରିଚିତି ପ୍ରଦାନ କରିଥିଲେ, ଏହି ଶବ୍ଦର ମୂଳ, ‘ଭାରତ’ ଶବ୍ଦ ଭଳି, ରହିଛି ସୁପ୍ରାଚୀନ ଭାରତୀୟ ସଭ୍ୟତାରେ; ଋଗ୍ବେଦରେ ‘ଭାରତ’ ଏବଂ ‘ଭାରତୀୟ’ର ବର୍ଣ୍ଣନା ରହିଥିବା ବେଳେ ‘ଇଣ୍ଡିଆ’ର ଉଦ୍ଭବ ଘଟିଛି ‘ସିନ୍ଧୁ’ ଶବ୍ଦରୁ, ଯେଉଁ ନାମଧାରୀ ନଦୀ ଭାରତୀୟ ସଭ୍ୟତାକୁ ପରିପୁଷ୍ଟ କରିଥିଲା। ‘ସିନ୍ଧୁ’ ନାମଟି ପ୍ରାଚୀନ ଆରବୀୟମାନଙ୍କ ତୁଣ୍ଡରୁ ‘ହିନ୍ଦୁ’ (ଆରବୀୟ ଭାଷାରେ ‘ସ’ର ଉଚ୍ଚାରଣ ‘ହ’ ହୋଇଥାଏ) ଏବଂ ଗ୍ରୀକ୍ମାନଙ୍କ ତୁଣ୍ଡରୁ ‘ଇନ୍ଦୁ’ (ଏହି ଭାଷାରେ ‘ହି’ର ଉଚ୍ଚାରଣ ‘ଇ’ ହୋଇଥାଏ) ଭାବେ ନିସୃତ ହୋଇ ପରବର୍ତ୍ତୀ କାଳରେ ‘ଇଣ୍ଡିଆ’ ଭଳି ଏକ ନାମର ଭିତ୍ତିି ସ୍ଥାପନ କରିଥିଲା। ଉଲ୍ଲେଖଯୋଗ୍ୟ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ଗ୍ରୀକ୍ ପରିବ୍ରାଜକ ମେଘାସ୍ଥିନସଙ୍କ ବିବରଣୀର ନାମ ଥିଲା ‘ଇଣ୍ଡିକା’। ତେବେ, ଆମ ଭୂଖଣ୍ଡରେ ଉଭୟ ‘ଭାରତ’ ଏବଂ ‘ଇଣ୍ଡିଆ’ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରି ଆସିଛନ୍ତି। ଆମ ଜାତୀୟ ସଂଗୀତରେ ‘ଭାରତ’ ନାମର ଗରିମାମୟ ଉପସ୍ଥିତି ରହିଛି। ଅନେକ ଦେଶରେ ଆମ ରାଷ୍ଟ୍ର ଭାରତ ଭାବେ ମଧ୍ୟ ସୁପରିଚିତ; ଏପରିକି ପାକିସ୍ତାନର ସ୍କୁଲ ପାଠ୍ୟ ପୁସ୍ତକରେ ଆମ ଦେଶକୁ ‘ଭାରତ’ ନାମରେ ଅଭିହିତ କରାଯାଇଥାଏ। ସୁତରାଂ, ‘ଭାରତ’ ନାମକୁ ଏକ ଗୌରବମୟ ତଥା ବୃହତ୍ତର ଆନ୍ତର୍ଜାତିକ ପରିଚିତି ପ୍ରଦାନ କରିବାର ପ୍ରୟାସ ଆପତ୍ତିର କାରଣ ହେବା ଉଚିତ ନୁହେଁ, ଯେଉଁ ସୁଯୋଗ ‘ଜି-୨୦’ ଶିଖର ସମ୍ମିଳନୀ ଅଗତ୍ୟା ପ୍ରଦାନ କରିଛି।
ସରକାରଙ୍କ ଏହି ପଦକ୍ଷେପ ବିରୋଧରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରକଟ କରାଯାଉଥିବା ବେଳେ ଏହା ମଧ୍ୟ ଯେ ମେଣ୍ଟ ଲାଗି ଆତ୍ମ-ସନ୍ତୋଷର କାରଣ ହୋଇଥିବ, ଏହା କହିବା ବାହୁଲ୍ୟ ମାତ୍ର। କାରଣ, ସେମାନଙ୍କ ଦ୍ବାରା ପ୍ରଦତ୍ତ ବୟାନମାନ ଏକ ଧାରଣା ସୃଷ୍ଟି କରିବାରେ ଲାଗିଛନ୍ତି ଯେ ବିରୋଧୀ ମେଣ୍ଟ ଦ୍ବାରା ବିଚଳିତ ବିଜେପି ‘ଇଣ୍ଡିଆ’ ଶବ୍ଦର ବିସ୍ଥାପନ ମାଧ୍ୟମରେ ତା’ର ଭୟର ପ୍ରମାଣ ଦେଇଛି। ତେବେ ଏହି ପରିପ୍ରେକ୍ଷୀରେ ଅନେକ ପର୍ଯ୍ୟବେକ୍ଷକ ମତ ପ୍ରଦାନ କରିଥାଆନ୍ତି ଯେ ନାମ ପରିବର୍ତ୍ତନର ଏହି ବିବାଦରେ ନିମଗ୍ନ ରହିଲେ ବିରୋଧୀ ମେଣ୍ଟର ଧ୍ୟାନ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରୁ ହଟିଯିବାର ସମ୍ଭାବନା ରହିଛି, ଯେଉଁଗୁଡ଼ିକ ନିର୍ବାଚନ ପୂର୍ବରୁ ବିଜେପି ସକାଶେ ପ୍ରକୃତ ଅର୍ଥରେ ଅସ୍ବସ୍ତି ସୃଷ୍ଟି କରନ୍ତା, ସୁତରାଂ, ଏଭଳି ବିବାଦରେ ମାତିବା ଶକ୍ତିର ଅପଚୟ ମାତ୍ର! କେବଳ ସେତିକି ନୁହେଁ, ଏ ସଂଦର୍ଭରେ ବିଚାର ପ୍ରକଟ କରି କେତେକ ରାଜନୀତି ସମୀକ୍ଷକ ଆଜିକୁ ପ୍ରାୟ ଦୁଇ ଦଶନ୍ଧି ତଳେ ସୃଷ୍ଟ ବ୍ୟାଖ୍ୟାନ ‘ଇଣ୍ଡିଆ’ ବନାମ ‘ଭାରତ’କୁ ସ୍ମରଣ କରାଇ ଦିଅନ୍ତି; ଯେଉଁ ବ୍ୟାଖ୍ୟାନ ଭାରତୀୟମାନଙ୍କୁ ସେମାନଙ୍କ ଆର୍ଥିକ ଓ ସାମାଜିକ ପରିସ୍ଥିତି ଅନୁସାରେ ବିଭାଜିତ କରି ସ୍ବଳ୍ପ ସଂଖ୍ୟକ ସଂଭ୍ରାନ୍ତ ବା ‘ଏଲିଟ୍’ ବିଶେଷାଧିକାରପ୍ରାପ୍ତ ବର୍ଗକୁ ‘ଇଣ୍ଡିଅା’ର ସନ୍ତାନ ବୋଲି ଦର୍ଶାଇଥିବା ବେଳେ ବହୁ ସଂଖ୍ୟକ ଦରିଦ୍ର ସୀମାନ୍ତରିତ ବର୍ଗକୁ ତଥାକଥିତ ‘ଭାରତ’ର ବାସିନ୍ଦା ଭାବେ ଉପସ୍ଥାପନ କରିଥିଲା। ଏହି ସମୀକ୍ଷକମାନେ କହିଥାଆନ୍ତି ଯେ ‘ଇଣ୍ଡିଆ’ ଏବଂ ‘ଭାରତ’କୁ ନେଇ ସଂପ୍ରତି ସୃଷ୍ଟ ବିବାଦ ଅଧିକ ଘନୀଭୂତ ହେଲେ ‘ଇଣ୍ଡିଆ’ ନାମର ସମର୍ଥନକାରୀମାନେ ସଂଭ୍ରାନ୍ତ ବା ‘ଏଲିଟ୍’ ବର୍ଗର ପ୍ରତିନିଧି ଭାବେ ଚିହ୍ନିତ ହେବେ ଏବଂ ସେହି ଆଧାରରେ ‘ଇଣ୍ଡିଆ’ ମେଣ୍ଟ ‘ଭାରତ’ର ବାସିନ୍ଦାମାନଙ୍କ ଭୋଟ ପାଇବାରୁ ବଞ୍ଚିତ ହୋଇପାରେ! ସୁତରାଂ, ସେମାନଙ୍କ ମତରେ ଏଭଳି ବିବାଦ ପ୍ରଲମ୍ବିତ ହେବା ବିରୋଧୀ ମେଣ୍ଟ ସକାଶେ ଅନୁକୂଳ ହୋଇ ନ ପାରେ!
ଏଭଳି ଏକ ଆଲୋଚନା ବେଳେ ଏହି ସମ୍ବାଦପତ୍ରର ପ୍ରଥମ ସଂପାଦକ ତଥା ପ୍ରଥିତଯଶା ଲେଖକ ସୁରେନ୍ଦ୍ର ମହାନ୍ତି ସ୍ମରଣକୁ ଆସନ୍ତି, ଯିଏ ଠାଏ କହିଥିଲେ ଯେ କୌଣସି ଶବ୍ଦ ଅସ୍ପୃଶ୍ୟ ନୁହନ୍ତି। ତାଙ୍କ ଅନୁସାରେ ପ୍ରତ୍ୟେକ ଶବ୍ଦର ମୂଳ ଉଦ୍ଦେଶ୍ୟ, ଆଦର୍ଶ ଏବଂ ସ୍ବପ୍ନ ହେଲା ଅର୍ଥ ଏବଂ ଭାବ ସଂଚାର କରିବା। କିନ୍ତୁ, ଆମ ଦୃଷ୍ଟିଭଙ୍ଗୀ ଓ ବିଚାର ଅନୁସାରେ କୌଣସି କୌଣସି ଶବ୍ଦ ଅସ୍ପୃଶ୍ୟ ହୋଇ ଉଠନ୍ତି! ଅନେକ ଭାରତୀୟଙ୍କ ଧାରଣା ଯେ ଉପନିବେଶବାଦୀ ଶାସକଙ୍କ ଦ୍ବାରା ପ୍ରଦତ୍ତ ନାମ ହୋଇଥିବାରୁ ବିଜେପିର ଦୃଷ୍ଟିରେ ‘ଇଣ୍ଡିଆ’ ଅସ୍ପୃଶ୍ୟ ହେବାକୁ ବସିଛି! କିନ୍ତୁ ‘ଇଣ୍ଡିଆ’ ବଦଳରେ ‘ଭାରତ’କୁ ଯେଉଁମାନେ ସ୍ବୀକାର କରି ନ ପାରି ଅଗତ୍ୟା ତାହାକୁ ଅସ୍ପୃଶ୍ୟ କରି ଦେବାକୁ ବସିଛନ୍ତି, ସେମାନେ ଯେ ସମତୁଲ ଦୃଷ୍ଟିଭଙ୍ଗୀର ବାହକ, ସେ କଥା ଭୁଲି ଯିବା ଉଚିତ ନୁହେଁ। ତେବେ, ସେ ଯାହା ହେଉ, ସାଂପ୍ରତିକ ବସ୍ତୁସ୍ଥିତି ଯାହା, ଦୁଇଟି ଯାକ ନାମ ଆମ ସରକାରୀ ନଥିରୁ ଆରମ୍ଭ କରି ଆମ କଣ୍ଠ, ହୃଦୟ ଏବଂ ମନ ପର୍ଯ୍ୟନ୍ତ ସର୍ବତ୍ର ସସମ୍ମାନ ସହାବସ୍ଥାନ କରି ରହିପାରିବେ; ସୁତରାଂ ବିବାଦର କୌଣସି ହେତୁ ହିଁ ନାହିଁ।