ଆଧୁନିକ ଅମଲାତନ୍ତ୍ରର ଜନକ ରୂପେ ବିବେଚିତ ଜର୍ମାନ୍ ଦାର୍ଶନିକ ମାକ୍ସ ୱେବର୍‌ଙ୍କର ଏକ ପ୍ରସିଦ୍ଧ ଉକ୍ତି ଅନୁସାରେ ଯେ‌େତବେଳେ ଜଣେ ବ୍ୟକ୍ତି ରାଜନୀତିରେ ପ୍ରବେଶ କରେ ‌େସତେବେଳେ ସେ ସଇତାନ ସହିତ ଏକ ଚୁକ୍ତିରେ ମଧ୍ୟ ପ୍ରବେଶ କରିଥାଏ। ସଂସଦୀୟ କାର୍ଯ୍ୟ ପାଇଁ ଉତ୍କୋଚ ଗ୍ରହଣକୁ ଯଦି ଏହି ଚୁକ୍ତି ପ୍ରସୂତ ଅନେକ ଦୁଷ୍କର୍ମମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିଚାର କରାଯାଏ, ତା’ ହେଲେ ସୁପ୍ରିମ୍ କୋର୍ଟଙ୍କ ରାୟ ଦ୍ବାରା ସେଇ ସଇତାନୀ ଚୁକ୍ତିର ଗୋଟିଏ ଦୃଶ୍ୟମାନ କୁପରିଣାମ ଦୂରୀଭୂତ ହେବ‌ ବୋଲି କୁହାଯାଇପାରେ, ଯଦିବା ଅଦୃଶ୍ୟ ଉତ୍କୋଚ ପ୍ରଦାନ ଓ ଗ୍ରହଣ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

Advertisment

ଭାରତର ସଂସଦୀୟ ବ୍ୟବସ୍ଥା ୱେଷ୍ଟ୍‌ମିନ୍‌ଷ୍ଟର୍ ଢାଞ୍ଚା ଉପରେ ପ୍ରତିଷ୍ଠିତ। ବ୍ରିଟିଶ୍ ପାର୍ଲିଆମେଣ୍ଟକୁ ତେଣୁ ଆମର ଆଦର୍ଶ ରୂପେ ବିଚାର କରାଯାଇଥାଏ। ସଂସଦୀୟ ସ୍ବାଧିକାର ବା ‘ପାର୍ଲିଆମେଣ୍ଟାରୀ ପ୍ରିଭିଲେଜ୍’ ହେଉଛି ଏହି ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଏହି ସ୍ବାଧିକାର କବଚ ସମ୍ବନ୍ଧରେ ଏକ ଦ୍ରୁତ ଧାରଣା ସଂଗ୍ରହ ନିମିତ୍ତ ଦୂର ଅତୀତକୁ ନ ଯାଇ ମାତ୍ର ପ୍ରାୟ ନ’ ମାସ ତଳେ ସେଇ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଏ ସଂପର୍କରେ ପ୍ରଦତ୍ତ ଏକ ମନ୍ତବ୍ୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଆମ ଲୋକସଭା ସମତୁଲ୍ୟ ବ୍ରିଟିଶ୍ ପାର୍ଲିଆମେଣ୍ଟର ‘ହାଉସ୍ ଅଫ୍ କମନ୍‌ସ’ରେ ବ୍ରିଟେନ୍‌ର ବିବଦମାନ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ବିରୋଧରେ ସ୍ବାଧିକାର କମିଟି ପ୍ରଦାନ କରିଥିବା ରିପୋର୍ଟ ଉପସ୍ଥାପନ କରିବା ଅବସରରେ ଗୃହର ନେତ୍ରୀ ପେନି ମର୍ଡାଣ୍ଟ୍ ସଂସଦୀୟ ସ୍ବାଧିକାରର ସ୍ବରୂପ ସମ୍ବନ୍ଧରେ ଚୁମ୍ବକରେ ଯାହା କହିଥିଲେ, ତାହା ଏଇଭଳି ଥିଲା। ସେ କହିଥିଲେ, ‘‘ପାର୍ଲିଆମେଣ୍ଟର ପ୍ରତ୍ୟେକ ଗୃହ ଫଳପ୍ରଦ ଭାବରେ ନିଜର କାର୍ଯ୍ୟ ସଂପାଦନ କରିବା ପାଇଁ ଯେଉଁ ସମସ୍ତ ସ୍ବାଧୀନତା ଓ ସୁରକ୍ଷା ଆବଶ୍ୟକ କରିଥାଏ, ତାହା ହେଉଛି ସଂସଦୀୟ ସ୍ବାଧିକାର।’’
ଭାରତରେ ସଂବିଧାନର ଧାରା-୧୦୫(୨) ଓ ଧାରା-୧୯୪(୨) ଅନୁସାରେ ଏଠାରେ ସାଂସଦ ଓ ବିଧାୟକମାନେ ଏହି ଅଧିକାର ଉପଭୋଗ କରିଥାନ୍ତି। ଗତ ସୋମବାର ଦିନ ଭାରତରେ ଏହି ସ୍ବାଧିକାରର ପ୍ରୟୋଗ ସମ୍ବନ୍ଧରେ ସୁପ୍ରିମ୍ କୋର୍ଟ ଦେଇଥିବା ଯେଉଁ ରାୟ ବର୍ତ୍ତମାନ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି, ତାହା ଅତୀତରେ ସାମୟିକ ଭାବରେ ପଥଚ୍ୟୁତ ହୋଇଥିବା ଏହି ବ୍ୟବସ୍ଥାରେ ପେନି ମର୍ଡାଣ୍ଟ୍ ବର୍ଣ୍ଣିତ ଉପରୋକ୍ତ ମୌଳିକ ଚରିତ୍ରର ପୁନଃସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏ ସଂପର୍କରେ ଏକ ସ୍ପଷ୍ଟ ଧାରଣା କରିବା ପାଇଁ କ୍ଷଣକ ପାଇଁ ୧୯୯୦ ଦଶକକୁ ଫେରିଯିବା ଉପଯୋଗୀ ହେବ। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କର ସଂଖ୍ୟାଲଘୁ ସରକାର ବିରୋଧରେ ୧୯୯୩‌େର ବିରୋଧୀପକ୍ଷ ଲୋକସଭାରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ, ଯାହା ମାତ୍ର ୧୪ଟି ଭୋଟ୍‌ରେ ନାକଚ ହୋଇଯାଇଥିଲା ଓ ରାଓ ସରକାର ପୂରା ପାଞ୍ଚ ବର୍ଷ କାଳ କ୍ଷମତାସୀନ ରହିବାରେ ସଫଳ ହୋଇଥିଲା। ଲୋକସଭା ଇତିହାସରେ ଏହା ଥିଲା ଏକ ଅନାସ୍ଥା ପ୍ରସ୍ତାବ ନାକଚ ହେବାର ସର୍ବନିମ୍ନ ବ୍ୟବଧାନ। କେତେକ ସାଂସଦ ଉତ୍କୋଚ ଗ୍ରହଣ କରି ପ୍ରତିବଦଳରେ ସରକାରଙ୍କ ସପକ୍ଷରେ ଅର୍ଥାତ୍ ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ମତଦାନ କରି ରାଓ ସରକାରକୁ ବଞ୍ଚାଇ ଦେଇଥିଲେ ବୋଲି ସେ ସମୟରେ ବ୍ୟାପକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା।
୧୯୯୬ରେ ସିବିଆଇ ରାଓ ଓ ଅନ୍ୟ କେତେକ କଂଗ୍ରେସ ନେତାଙ୍କୁ ଲାଞ୍ଚଦାତା ଏବଂ ଅଜିତ ସିଂହ, ଶିବୁ ସୋରେନ୍‌ ଆଦି ଅଣକଂଗ୍ରେସ ନେତାମାନଙ୍କୁ ଲାଞ୍ଚଗ୍ରହୀତା ରୂପେ ଦର୍ଶାଇ ସେମାନଙ୍କ ବିରୁଦ୍ଧରେ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ କଲା। ଅଦାଲତ ଏହାକୁ ଗ୍ରହଣ କରି ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିବା ପରେ ଅଭିଯୁକ୍ତମାନେ ଏହା ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କଲେ। ସେମାନଙ୍କର ଆବେଦନର ଭିତ୍ତି ଥିଲା ସଂବିଧାନର ଉପରୋକ୍ତ ଧାରା-୧୦୫(୨), ଯାହା ଅନୁସାରେ ପାର୍ଲିଆମେଣ୍ଟରେ କିମ୍ବା ପାର୍ଲିଆମେଣ୍ଟର କୌଣସି କମିଟି ସମ୍ମୁଖରେ କୌଣସି ବକ୍ତବ୍ୟ ଉପସ୍ଥାପନ କରିବା କିମ୍ବା କୌଣସି ମତଦାନ କରିବା ଅଭିଯୋଗରେ କୌଣସି ସାଂସଦଙ୍କ ବିରୁଦ୍ଧରେ କୌଣସି ଅଦାଲତରେ କିଛି ହେଲେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ ନାହିଁ। ଦିଲ୍ଲୀ ହାଇକୋର୍ଟ କିନ୍ତୁ ଆବେଦନକାରୀମାନଙ୍କର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ କୌଣସି ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେବା ପରେ ଆବେଦନକାରୀମାନେ ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେଲେ। ଆବେଦନର ଶୁଣାଣି କରିଥିବା ସୁପ୍ରିମ୍ କୋର୍ଟଙ୍କର ପାଞ୍ଚଜଣିଆ ବେଞ୍ଚ୍ ୩-୨ ସଂଖ୍ୟାଗରିଷ୍ଠତା ଭିତ୍ତିରେ ଆବେଦନକାରୀମାନଙ୍କ ଯୁକ୍ତିକୁ ଗ୍ରହଣ କରି ସଂବିଧାନର ସେଇ ଧାରା-୧୦୫(୨) ଅନୁସାରେ ୧୯୯୮ରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କଲେ। ଅଦାଲତ କିନ୍ତୁ ଅବିଶ୍ବାସ୍ୟ ଭାବରେ କେବଳ ସେଇ ସାଂସଦମାନଙ୍କୁ ସ୍ବାଧିକାର ସୁରକ୍ଷା ପାଇବା ନିମିତ୍ତ ଯୋଗ୍ୟ ବୋଲି ରାୟରେ ସ୍ପଷ୍ଟ କରିଦେଇଥିଲେ ଯେଉଁମାନେ ଉତ୍କୋଚ ଗ୍ରହଣ କରିବା ପରେ ଅବିଶ୍ବାସ ପ୍ରସ୍ତାବ ଉପରେ ମତଦାନ କରିଥିଲେ। ଯେଉଁମାନେ ଉତ୍କୋଚ ନେଇ ମତଦାନ‌େର ଅଂଶଗ୍ରହଣ କରି ନ ଥି‌େଲ ସେମାନେ ଏ ସୁରକ୍ଷା ଉପଭୋଗ କରିବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଦେଇଥିଲେ। ସଂସଦୀୟ ବିତର୍କରେ ନିର୍ଭୟରେ ଅଂଶଗ୍ରହଣ କରିବା ନିମିତ୍ତ ସା‌ଂସଦମାନେ ଏହି ସୁରକ୍ଷା ଆବଶ୍ୟକ କରନ୍ତି ବୋଲି ସଂଖ୍ୟାଗରିଷ୍ଠ ରାୟରେ ସଂପୃକ୍ତ ବେଞ୍ଚ୍ ମତବ୍ୟକ୍ତ କରିଥିଲେ।
ଏହି ସାଂବିଧାନିକ ବ୍ୟବସ୍ଥା ଆଉ ଏକ ମୋଡ଼ର ସମ୍ମୁଖୀନ ହୋଇଥିଲା ୨୦୧୨ରେ, ଯେତେବେଳେ ଝାଡ଼ଖଣ୍ଡ ବିଧାୟିକା ତଥା ଶିବୁ ସୋରେନ୍‌ଙ୍କ ବଡ଼ବୋହୂ ସୀତା ସୋରେନ୍ ରାଜ୍ୟସଭା ନିର୍ବାଚନରେ ଅନ୍ୟ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବା ପାଇଁ ତାଙ୍କଠାରୁ ଲାଞ୍ଚ ନେବା ପରେ କିନ୍ତୁ ତାଙ୍କୁ ଶେଷରେ ଦଗା ଦେଇ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କଲେ। ଯେତେବେଳେ ଏଥିପାଇଁ ସୀତା ସୋରେନ୍ ଏକ ଆପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଲେ, ସେତେବେଳେ ସେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଲେ ଯେ ଯେହେତୁ ସେ ଲାଞ୍ଚ ନେବା ଅନୁଯାୟୀ ମତଦାନ କରି ନାହାନ୍ତି, ତାଙ୍କର ଆଚରଣ ଆପରାଧିକ ନୁହେଁ। ଝାଡ଼ଖଣ୍ଡ ହାଇକୋର୍ଟ କିନ୍ତୁ ତାଙ୍କର ଏହି ଯୁକ୍ତିକୁ ଗ୍ରହଣ ନ କରିବାରୁ ସେ ନ୍ୟାୟ ପାଇବା ପାଇଁ ସୁପ୍ରିମ୍ କୋର୍ଟଙ୍କର ଦ୍ବାରସ୍ଥ ହୋଇଥିଲେ। ଏବେ ସୁପ୍ରିମ୍ କୋର୍ଟଙ୍କର ଏକ ସାତଜଣିଆ ବେଞ୍ଚ୍ ସର୍ବସମ୍ମତ ରାୟ ପ୍ରଦାନ କରି ନିଜର ଉପରୋକ୍ତ ୧୯୯୮ର ରାୟକୁ ଭ୍ରମାତ୍ମକ ଥିଲା ବୋଲି ସ୍ବୀକାର କରି ସୀତା ସୋରେନ୍‌ଙ୍କୁ ହତାଶ କରି ଘୋଷଣା କରିଛନ୍ତି ସେ ସଂବିଧାନର ଉପରୋକ୍ତ ବ୍ୟବସ୍ଥା କୌଣସି ଉତ୍କୋଚ ଗ୍ରହଣକାରୀ ସାଂସଦ ବା ବିଧାୟକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଉଦ୍ଦିଷ୍ଟ ନୁହେଁ ଏବଂ ଉତ୍କୋଚ ଗ୍ରହଣ କରିବା ମାତ୍ରେ ସେଇ ଅାପରାଧିକ ଆଚରଣ ସଂପୂର୍ଣ୍ଣ ହୋଇଥାଏ, ଯାହା ଉତ୍କୋଚ ଗ୍ରହଣକାରୀଙ୍କର ପରବର୍ତ୍ତୀ କାର୍ଯ୍ୟ ଉପରେ ଅର୍ଥାତ୍ ସେ କିଭଳି ମତଦାନ କଲେ ବା ନ କଲେ, ତାହା ଉପରେ ନିର୍ଭର କରି ନ ଥାଏ।
ଉତ୍କୋଚ ଗ୍ରହଣ ଓ ପ୍ରଦାନ ହେଉଛି ଦୁର୍ନୀତି ନିବାରଣ ପାଇଁ ଉଦ୍ଦିଷ୍ଟ ‘ପ୍ରିଭେନ୍‌ସନ୍ ଅଫ୍ କରପ୍‌ସନ୍ ଆକ୍ଟ, ୧୯୮୮’ ଅନ୍ତର୍ଗତ ଏକ ଅପରାଧ। ପାର୍ଲିଆମେଣ୍ଟ ଫଳପ୍ରଦ ଭାବରେ କାର୍ଯ୍ୟ ସଂପାଦନ କରିବା ନିମିତ୍ତ ଯେଉଁ ସମସ୍ତ ସ୍ବାଧୀନତା ଓ ସୁରକ୍ଷା ଆବଶ୍ୟକ କରିଥାଏ ବୋଲି ପେନି ମର୍ଡାଣ୍ଟ୍ କହିଥିଲେ, ନିଶ୍ଚିତ ଭାବରେ ଉତ୍କୋଚ ଗ୍ରହଣ ଭଳି ଦୁର୍ନୀତିମୂଳକ ଅପରାଧରୁ ସୁରକ୍ଷା ସେଥିରେ ଅନ୍ତର୍ଭୁକ୍ତ ବୋଲି କୌଣସି ସୁସ୍ଥ ମସ୍ତିଷ୍କଧାରୀ ସ୍ବପ୍ନରେ ସୁଦ୍ଧା କଳ୍ପନା କରିବ ନାହିଁ। ସୁପ୍ରିମ୍ କୋର୍ଟଙ୍କର ୧୯୯୮ର ରାୟ ଆଉ ଯେଉଁ ଏକ ଉଦ୍ଭଟ ସମ୍ଭାବନା ସୃଷ୍ଟି କରିଥିଲା, ତାହା ହେଲା, ଉପରେ ସୂଚାଇ ଦିଆଯାଇଥିବା ଭଳି ଯଦି ଜଣେ ସାଂସଦ ଉତ୍କୋଚ ଗ୍ରହଣ କରି ସେଇ ଅନୁସାରେ କାର୍ଯ୍ୟ କରନ୍ତି, ତେବେ ତାହା ଏକ ଅପରାଧ ରୂପେ ବିବେଚିତ ହେବ ନାହିଁ; ଯଦି ଉତ୍କୋଚ ଗ୍ରହଣ କରିବା ପରେ ପାର୍ଲିଆମେଣ୍ଟ କାର୍ଯ୍ୟରେ ଅଂଶଗ୍ରହଣ ନ କରନ୍ତି, ତେବେ ତାହା ଅପରାଧ ରୂପେ ପରିଗଣିତ ହେବ। ସୁପ୍ରିମ୍ କୋର୍ଟଙ୍କର ରାୟ ଏବେ ଏହି ହାସ୍ୟାସ୍ପଦ ବିଡ଼ମ୍ବନାରେ ଅନ୍ତ ଘଟାଇଛି।
ଆଧୁନିକ ଅମଲାତନ୍ତ୍ରର ଜନକ ରୂପେ ବିବେଚିତ ଜର୍ମାନ୍ ଦାର୍ଶନିକ ମାକ୍ସ ୱେବର୍‌ଙ୍କର ଏକ ପ୍ରସିଦ୍ଧ ଉକ୍ତି ଅନୁସାରେ ଯେ‌େତବେଳେ ଜଣେ ବ୍ୟକ୍ତି ରାଜନୀତିରେ ପ୍ରବେଶ କରେ ‌େସତେବେଳେ ସେ ସଇତାନ ସହିତ ଏକ ଚୁକ୍ତିରେ ମଧ୍ୟ ପ୍ରବେଶ କରିଥାଏ। ସଂସଦୀୟ କାର୍ଯ୍ୟ ପାଇଁ ଉତ୍କୋଚ ଗ୍ରହଣକୁ ଯଦି ଏହି ଚୁକ୍ତି ପ୍ରସୂତ ଅନେକ ଦୁଷ୍କର୍ମମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିଚାର କରାଯାଏ, ତା’ ହେଲେ ସୁପ୍ରିମ୍ କୋର୍ଟଙ୍କ ରାୟ ଦ୍ବାରା ସେଇ ସଇତାନୀ ଚୁକ୍ତିର ଗୋଟିଏ ଦୃଶ୍ୟମାନ କୁପରିଣାମ ଦୂରୀଭୂତ ହେବ‌ ବୋଲି କୁହାଯାଇପାରେ, ଯଦିବା ଅଦୃଶ୍ୟ ଉତ୍କୋଚ ପ୍ରଦାନ ଓ ଗ୍ରହଣ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।