ଇନ୍ଦିରାଙ୍କ ଇଙ୍ଗିତ

ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ୨୦୩୦ ସୁଦ୍ଧା ପୃଥିବୀରେ ନିର୍ଗମନରେ ୪୫ ଶତାଂଶ ହ୍ରାସ ନ ଘଟେ, ତେବେ ପ୍ରଳୟ ଅନିବାର୍ଯ୍ୟ। ଏହି ହ୍ରାସ ସମ୍ଭବ ହେବ ନାହିଁ ଯଦି ଧନୀ ଦେଶମାନେ ସେମାନଙ୍କ ବିଳାସୀ ଜୀବନଶୈଳୀରେ ପରିବର୍ତ୍ତନ ନ ଘଟାନ୍ତି। ତାହା ହିଁ ପ୍ରକୃତରେ ଥିଲା ଅର୍ଦ୍ଧ ଶତାବ୍ଦୀ ତଳେ ଇନ୍ଦିରା ସେମାନଙ୍କୁ ଦେଇଥିବା ଆହ୍ବାନ ପଛରେ ନିହିତ ଥିବା ପ୍ରଚ୍ଛନ୍ନ ଇଙ୍ଗିତ, ଯାହା ଆଜି ମଧ୍ୟ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ହୋଇଥାଏ।

ଜୁନ୍ ୫ରେ ‘ବିଶ୍ବ ପରିବେଶ ଦିବସ’ (‘ୱର୍ଲ‌୍ଡ ଏନ୍‌ଭିରନ୍‌ମେଣ୍ଟ ଡେ’) ପାଳନର ଅର୍ଦ୍ଧ ଶତାବ୍ଦୀ ପୂରଣ ହୋଇଯାଇଛି। ପଚାଶ ବର୍ଷ ତଳେ ଯେତେବେଳେ ସର୍ବପ୍ରଥମ ପରିବେଶ ଦିବସ ପାଳନ ହୋଇଥିଲା, ସେତେବେଳେ ମନୁଷ୍ୟର କାର୍ଯ୍ୟକଳାପ ଯୋଗୁଁ ପୃଥିବୀର ଜଳବାୟୁରେ ପରିବର୍ତ୍ତନ ଘଟିବା ଧାରଣା ମୁଖ୍ୟତଃ ବିଶ୍ବବିଦ୍ୟାଳୟ ଓ ଗବେଷଣା ସଂସ୍ଥା ପରିସରରେ ସୀମିତ ଥିଲା। ସ୍ବିଡେନ୍‌ର ଆହ୍ବାନ କ୍ରମେ ୧୯୭୨ ଜୁନ୍‌ରେ ଜାତିସଂଘ ଆନୁକୂଲ୍ୟରେ ଷ୍ଟକ୍‌ହୋମ୍‌ ଠାରେ ଯେଉଁ ସର୍ବପ୍ରଥମ ବିଶ୍ବ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସେଠାରେ ହିଁ ପ୍ରଥମ କରି ସମବେତ ରାଜନେତାମାନେ ଏହି ପ୍ରସଙ୍ଗରେ ନିଜ ନିଜର ମତାମତ ପ୍ରକାଶ କରିବା ଦେଖା ଯାଇଥିଲା।
ଏହି ନେତାମାନଙ୍କ ମଧ୍ୟରୁ ଯାହାଙ୍କର ମନ୍ତବ୍ୟ ସେ ସମୟରେ ବୋଧହୁଏ ସର୍ବାଧିକ ଆଲୋଡ଼ନ ସୃଷ୍ଟି କରିଥିଲା, ସେ ହେଉଛନ୍ତି ଭାରତର ତତ୍‌କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ସେତେବେଳେ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଏକ ଧାରଣା ପ୍ରସାର ଲାଭ କରିଥିଲା ଯେ ପରିବେଶ ସମ୍ବନ୍ଧରେ ଚିନ୍ତା ହେଉଛି ଧନୀ ଦେଶମାନଙ୍କର ସମସ୍ୟା, ଏବଂ ବିକାଶଶୀଳ ଦେଶମାନେ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟା ଦାରିଦ୍ର୍ୟ ଉପରୁ ଧ୍ୟାନ ହଟାଇବା ନିମିତ୍ତ ଏହା ହେଉଛି ସେମାନଙ୍କର ଏକ କୌଶଳ। ବାସ୍ତବରେ ଏଭଳି ଧାରଣାର ବଶବର୍ତ୍ତୀ ହୋଇ ବିକାଶଶୀଳ ଦେଶମାନେ ଏକ ସମୟରେ ଏହି ସମ୍ମିଳନୀଠାରୁ ଦୂରେଇ ରହିବାକୁ ମଧ୍ୟ ଚିନ୍ତା କରିଥିଲେ। ଏହି ପୃଷ୍ଠଭୂମିରେ ଇନ୍ଦିରା ଗାନ୍ଧୀଙ୍କର ଭାଷଣ ସେତେବେଳେ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ତାହା ପରିବେଶ ଆନ୍ଦୋଳନ ପରିସରରେ ଏବେ ମଧ୍ୟ ପ୍ରତିଧ୍ବନି ସୃଷ୍ଟି କରିଥାଏ ଓ ଏକ କିଂବଦନ୍ତି ହୋଇ ରହିଛି।
ତାଙ୍କ ଭାଷଣରେ ଇନ୍ଦିରା ବିକାଶଶୀଳ ଦେଶମାନଙ୍କର ଉପରୋକ୍ତ ଆଶଙ୍କା ସମ୍ବନ୍ଧରେ ଉଲ୍ଲେଖ କରି ସମ୍ମିଳନୀକୁ ଆହ୍ବାନ ଦେଇଥିଲେ: ‘‘ଆମକୁ ପୃଥିବୀର ବଞ୍ଚିତ ସଂଖ୍ୟାଗରିଷ୍ଠଙ୍କ ପାଇଁ ପ୍ରମାଣ କରିବାକୁ ହେବ ଯେ ପରିବେଶ ସଂରକ୍ଷଣ ସେମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିବ ନାହିଁ, ବରଂ ସେମାନଙ୍କର ଜୀବନରେ ଉନ୍ନତି ସାଧନ କରିବ।’’ ଏହା ପରେ ସେ ସେଠାରେ ଉପସ୍ଥିତ ଧନୀ ଦେଶମାନଙ୍କୁ ସାମାନ୍ୟ ଆଶ୍ବସ୍ତ କରିବା ଉଦ୍ଦେଶ୍ୟରେ କହିଥିଲେ: ‘‘ଆ‌େମ ପରିବେଶର ଆଉ ଅଧିକ ହାନି ଘଟାଇବାକୁ ଚାହୁଁନା, କିନ୍ତୁ ଆମେ କ୍ଷଣକ ପାଇଁ ମଧ୍ୟ ଅସଂଖ୍ୟ ଲୋକ ଭୋଗୁଥିବା ଭୟଙ୍କର ଦାରିଦ୍ର୍ୟକୁ ଭୁଲିଯାଇ ପାରିବୁ ନାହିଁ।’’ ଏହାର ଠିକ୍‌ ପର ମୁହୂର୍ତ୍ତରେ ସେ ତାଙ୍କର ଉପରୋକ୍ତ ଚାଞ୍ଚଲ୍ୟ ସୃଷ୍ଟିକାରୀ ମନ୍ତବ୍ୟ ପ୍ରଦାନ କରିଥିଲେ: ‘‘ଦାରିଦ୍ର୍ୟ ଓ ଅଭାବ ସବୁଠାରୁ ବଡ଼ ପ୍ରଦୂଷକ ନୁହନ୍ତି କି?’’
ପ୍ରଖର ବୁଦ୍ଧିମତୀ ରୂପେ ପ୍ରସିଦ୍ଧ ଇନ୍ଦିରାଙ୍କର ଏହି ଶେଷୋକ୍ତ ମନ୍ତବ୍ୟ ସୁଚିନ୍ତିତ ଥିଲା କି ସେ କହୁ କହୁ ଏଭଳି କହି ପକାଇଥିଲେ, ତାହା ଏପର୍ଯ୍ୟନ୍ତ ଏକ ଅସମାହିତ ପ୍ରଶ୍ନ ହୋଇରହିଛି। ସେ ବୋଧହୁଏ କହିବାକୁ ଚାହୁଁଥିଲେ ଯେ ଅନ୍ନ ଚିନ୍ତାରେ ଜର୍ଜରିତ ଦରିଦ୍ର ଲୋକମାନଙ୍କ ପାଇଁ ପରିବେଶ ସୁରକ୍ଷା ଚିନ୍ତା ହେଉଛି ଏକ ବିଳାସ ଭଳି। କିନ୍ତୁ କେତେକ ପାଶ୍ଚାତ୍ୟ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀମାନଙ୍କର ତର୍ଜମା ଅନୁସାରେ ଇନ୍ଦିରାଙ୍କ ଏହି ଉକ୍ତିର ଅର୍ଥ ହେଲା, ଦରିଦ୍ର ଲୋକମାନେ ନିଜର ଆବଶ୍ୟକତାମାନ ପୂରଣ ପାଇଁ ଚଳାଇଥିବା ଉଦ୍ୟମ ଯୋଗୁଁ ପରିବେଶର କ୍ଷତି ସାଧନ ଘଟିଥାଏ। ତେଣୁ ତା’ପରେ ଯାହାକୁ କେନ୍ଦ୍ର କରି ପରିବେଶ ସୁରକ୍ଷା ଅଭିଯାନ ଅଗ୍ରସର ହେବାକୁ ଚେଷ୍ଟା କଲା, ତାହା ହେଲା, ପୃଥିବୀର ପରିବେଶକୁ କିପରି ବିଶ୍ବ ତାପନ ଭଳି ପ୍ରଳୟଙ୍କରୀ ବିପଦ ମୁହଁକୁ ଠେଲି ନ ‌େଦଇ ବିକାଶଶୀଳ ଦେଶମାନେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ଦାରିଦ୍ର୍ୟରୁ ମୁକ୍ତି ଲାଭ କରିପାରିବେ। ସତେ ଯେମିତି ବିକାଶଶୀଳ ଦେଶମାନଙ୍କ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ଦୋଷ ସ୍ବୀକାର କରିଥିଲେ ଯେ ପୃଥିବୀର ପରିବେଶର କ୍ଷୟସାଧନ ପାଇଁ ଦାୟୀ ହେଉଛନ୍ତି ବିକାଶଶୀଳ ଦେଶମାନେ, ପୃଥିବୀର ଦରିଦ୍ର ଅଧିବାସୀମାନେ।
ପରବର୍ତ୍ତୀ ସମୟରେ କିନ୍ତୁ ଏ କାହାଣୀର ମୋଡ଼ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ବିଶ୍ବ ସମୁଦାୟ ସହମତ ଯେ ଧନୀ ଦେଶମାନେ ଅତୀତରେ ପ୍ରଦର୍ଶନ କରିଥିବା ଓ ବର୍ତ୍ତମାନ ମଧ୍ୟ ପ୍ରଦର୍ଶନ କରି ଚାଲିଥିବା ଉତ୍ପାଦନ ଓ ଉପଭୋଗ ଶୈଳୀ ହିଁ ପରି‌େବଶର ସର୍ବାଧିକ କ୍ଷତି ସାଧନ କରିଥାଏ। ସେମାନଙ୍କ ଏହି ଉଭୟ ପ୍ରକାର ଆଚରଣ ମାଧ୍ୟମରେ ସଂଖ୍ୟାଲଘୁ ଧନୀକମାନେ ଯେଉଁ ଉତ୍ତାପ ଧାରଣକାରୀ ବାଷ୍ପ (ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌) ମାନ ନିର୍ଗମନ କରିଥାନ୍ତି, ତାହା ହିଁ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ଘଟାଇଥାଏ, ଯାହାର ପରାଭବ ଭୋଗିଥାନ୍ତି ମୁଖ୍ୟତଃ ପୃଥିବୀର ଦରିଦ୍ରମାନେ।
ଏହି ସମସ୍ୟାର ଅନୁଶୀଳନ କରି ‘ଅକ୍ସଫାମ୍‌’ ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଅନୁସାରେ ପୃଥିବୀର ଲୋକସଂଖ୍ୟାର ଦରିଦ୍ରତମ ଅର୍ଦ୍ଧେକ ସେମାନଙ୍କର ବ୍ୟକ୍ତିଗତ ଉପଭୋଗ ମାଧ୍ୟମରେ ପୃଥିବୀରେ ଘଟୁଥିବା ମୋଟ ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନର ମାତ୍ର ୧୦ ଶତାଂଶ ପାଇଁ ଦାୟୀ ହୋଇଥାନ୍ତି। ପୃଥିବୀରେ ଘଟୁଥିବା ମୋଟ ନିର୍ଗମନର ୫୦ ଶତାଂଶ ଘଟାଇଥାନ୍ତି ପୃଥିବୀର ଜନସଂଖ୍ୟାର ସର୍ବାଧିନ ଧନୀ ୧୦ ଶତାଂଶ ଲୋକ। ଏହି ୧୦ ଶତାଂଶ ଧନୀକ ସେମାନଙ୍କ ଆଚରଣ ମାଧ୍ୟମରେ ପରିବେଶ ଉପରେ ଯେଉଁ ‘ଅଙ୍ଗାର ପଦଚିହ୍ନ’ ଛାଡ଼ିଥାନ୍ତି, ତାହା ହେଉଛି ଜନସଂଖ୍ୟାର ଦରିଦ୍ରତମ ଅର୍ଦ୍ଧେକ ଛାଡ଼ିଥିବା ‘ଅଙ୍ଗାର ପଦଚିହ୍ନ’ର ୧୧ ଗୁଣ ଏବଂ ଦରିଦ୍ରତମ ୧୦ ଶତାଂଶ ଛାଡ଼ିଥିବା ‘ଅଙ୍ଗାର ପଦଚିହ୍ନ’ର ୬୦ ଗୁଣ। ଯଦି ସର୍ବାଧିକ ଧନୀ ଏକ ଶତାଂଶ ଲୋକମାନଙ୍କର ‘ଅଙ୍ଗାର ପଦଚିହ୍ନ’ ଉପରେ ଦୃଷ୍ଟି ନିବଦ୍ଧ ‌କରାଯାଏ, ତେବେ ଦେଖାଯାଇଥାଏ ଯେ ତାହା ହେଉଛି ଦରିଦ୍ରତମ ୧୦ ଶତାଂଶ ଲୋକମାନେ ଛାଡ଼ିଥିବା ଅଙ୍ଗାର ପଦଚିହ୍ନର ୧୭୫ ଗୁଣ!
ଯଦି ଏହି ସର୍ବାଧିକ ଧନୀ ଏକ ଶତାଂଶ ‌େଲାକମାନଙ୍କର ବର୍ତ୍ତମାନର ଉପଭୋଗ ଶୈଳୀ ଅବ୍ୟାହତ ରହେ, ତେବେ ୨୦୩୦ ବେଳକୁ ସେମାନଙ୍କ ଦ୍ବାରା ଘଟୁଥିବା ମୁଣ୍ଡପିଛା ବାର୍ଷିକ ଅଙ୍ଗାର ନିର୍ଗମନ ପରିମାଣ ୭୦ ଟନ୍‌ ଛୁଇଁବ ବୋଲି ‘ଅକ୍ସଫାମ୍‌’ର ଅନ୍ୟ ଏକ ‌ରିପୋର୍ଟରେ ଦର୍ଶାଯାଇଛି। ଏହି ଏକ ଶତାଂଶ ଧନୀକମାନେ ଘଟାଉଥିବା ନିର୍ଗମନ ୧୯୯୦ରେ ମୋଟ ନିର୍ଗମନର ୧୩ ଶତାଂଶ ଥିବାବେଳେ ୨୦୩୦ ବେଳକୁ ତାହା ୧୬ ଶତାଂଶ ହେବାକୁ ଯାଉଛି ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେଇ ସମୟରେ ପୃଥିବୀର ଜନସଂଖ୍ୟାର ଦରିଦ୍ରତମ ଅର୍ଦ୍ଧେକ ଘଟାଇବାକୁ ଯାଉଥିବା ମୁଣ୍ଡପିଛା ବାର୍ଷିକ ନିର୍ଗମନ ପରିମାଣ ହେବ ହାରାହାରି ମାତ୍ର ଏକ ଟନ୍‌।
ପଚାଶ ବର୍ଷ ତଳେ ଯାହା ଏକ ସ୍ଥାନୀୟ ପରିବେଶ ସମସ୍ୟା ରୂପେ ବିବେଚିତ ହେଉଥିଲା, ତାହା ବର୍ତ୍ତମାନ ଏକ ଗୁରୁତର ବିଶ୍ବ ଜଳବାୟୁ ସଙ୍କଟ ରୂପେ ଆମ ସମ୍ମୁଖରେ ଉଭା ହୋଇଛି। କେବଳ ଅଙ୍ଗାର ନିର୍ଗମନ ଯୋଗୁଁ ଯେ ଏହି ସଂକଟର ଆବିର୍ଭାବ ଘଟିଛି, ତାହା ନୁହେ‌ଁ। ମନୁଷ୍ୟର ଅନ୍ୟାନ୍ୟ କାର୍ଯ୍ୟକଳାପମାନ ମଧ୍ୟ ଏହି ସଂକଟକୁ ବିସ୍ଫାରିତ କରିବାରେ ଲାଗିଛନ୍ତି: ଖଣି ଖନନରୁ ଜଙ୍ଗଲ ଧ୍ବଂସ ପର୍ଯ୍ୟନ୍ତ; ସମୁଦ୍ରରେ ଅତିରିକ୍ତ ମାଛ ଧରାରୁ ଭୂମି ପୃଷ୍ଠରେ ପାଗଳପ୍ରାୟ ଗୃହନିର୍ମାଣ ପର୍ଯ୍ୟନ୍ତ; ଭୂମି, ବାୟୁ ଓ ଜଳର ପ୍ରଦୂଷଣଠାରୁ ଅବିରାମ ଉପଭୋଗଭିତ୍ତିକ ଖାଉଟି ସଂସ୍କୃତିର ବି‌ସ୍ଫୋରକ ପ୍ରସାର ପର୍ଯ୍ୟନ୍ତ। ଏକ ଚରମ ପ୍ରାକୃତିକ ଅନ୍ୟାୟ ସଦୃଶ ଏଥିଯୋଗୁଁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ସୃ‌ଷ୍ଟି କରୁଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନେ, ଯେଉଁମାନଙ୍କର ଏଥିରେ ଅବଦାନ ହେଉଛି ସର୍ବନିମ୍ନ।
ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ୨୦୩୦ ସୁଦ୍ଧା ପୃଥିବୀରେ ନିର୍ଗମନରେ ୪୫ ଶତାଂଶ ହ୍ରାସ ନ ଘଟେ, ତେବେ ପ୍ରଳୟ ଅନିବାର୍ଯ୍ୟ। ଏହି ହ୍ରାସ ସମ୍ଭବ ହେବ ନାହିଁ ଯଦି ଧନୀ ଦେଶମାନେ ସେମାନଙ୍କ ବିଳାସୀ ଜୀବନଶୈଳୀରେ ପରିବର୍ତ୍ତନ ନ ଘଟାନ୍ତି। ତାହା ହିଁ ପ୍ରକୃତରେ ଥିଲା ଅର୍ଦ୍ଧ ଶତାବ୍ଦୀ ତଳେ ଇନ୍ଦିରା ସେମାନଙ୍କୁ ଦେଇଥିବା ଆହ୍ବାନ ପଛରେ ନିହିତ ଥିବା ପ୍ରଚ୍ଛନ୍ନ ଇଙ୍ଗିତ, ଯାହା ଆଜି ମଧ୍ୟ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ହୋଇଥାଏ।

ସମ୍ବନ୍ଧିତ ଖବର