ବିଶ୍ବବିଦ୍ୟାଳୟରେ ପଢ଼ିଲା ବେଳେ ମନେ ଅଛି େଯ ଆମ ପ୍ରଫେସର କହୁଥିଲେ ରାଜନୀତି ହେଉଛି ବୁଦ୍ଧିମାନ ଲୋକମାନଙ୍କର ଏକ ଖେଳ। ଏହି କ୍ଷେତ୍ରକୁ ବୁଦ୍ଧିମାନ, ଦୂରଦ୍ରଷ୍ଟା ଏବଂ ସଚ୍ଚା ଡେମୋକ୍ରାଟ୍ମାନେ ଆସିବା ଦରକାର। କାରଣ ରାଜନୀତି ମାଧ୍ୟମରେ ବିଧାୟିକାକୁ ଆସୁଥିବା ଲୋକେ ଦେଶକୁ ଶାସନ କରିବେ। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଚଳାଇବାକୁ ହେଲେ କେବଳ ସଂଖ୍ୟା ବଳ ନୁହେଁ, ବରଂ ପ୍ରଚଣ୍ଡ ଜ୍ଞାନ ବଳର ଆବଶ୍ୟକତା ରହିଛି। କୌଣସି ଗଣତନ୍ତ୍ରରେ ଭୋଟ ଦ୍ବାରା ସର୍ବଦା ଉତ୍କୃଷ୍ଟତମ ଲୋକ ବଛାଯିବା ସମ୍ଭବ ହୁଏ ନାହିଁ; ସୁତରାଂ, ବୁଦ୍ଧିମାନ, ଯୋଗ୍ୟ ଓ ପ୍ରତ୍ୟୁତ୍ପନ୍ନମତି ବ୍ୟକ୍ତିବିଶେଷ ଅନେକ ସମୟରେ ବିଧାୟିକାକୁ ଆସି ପାରନ୍ତି ନାହିଁ। ଆମ ପ୍ରଫେସରଙ୍କ କହିବା କଥା ଥିଲା ଦୁଇଟି କାରଣରୁ ବିଧାୟିକା ଦୁର୍ବଳ ହୋଇଥାଏ; ପ୍ରଥମଟି ହେଉଛି ଦୁର୍ବଳ ଲୋକ ପ୍ରତିନିଧି ଏବଂ ଦ୍ବିତୀୟ କାରଣଟି ହେଉଛି ଗଣତନ୍ତ୍ରରେ ଗୋଟିଏ ଦଳ ଦ୍ବାରା ନିରଙ୍କୁଶ ନେତୃତ୍ବ। ଏବେ ପ୍ରଥମ କାରଣଟିର ତର୍ଜମା କରିବା। ଆମ ଦେଶରେ ବ୍ୟବସ୍ଥାପିକା ବା କାର୍ଯ୍ୟପାଳିକା ହେଉଛି ସର୍ବଶ୍ରେଷ୍ଠ ମେଧାବୀମାନଙ୍କ ବିଚରଣ ଭୂମି। ସେମାନେ ନିଜର ପ୍ରଚଣ୍ଡ ମେଧା ବଳରେ ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷା ଜରିଆରେ କାର୍ଯ୍ୟପାଳିକାରେ ପ୍ରବେଶ କରନ୍ତି। ତେଣୁ ସେମାନଙ୍କ ବୁଦ୍ଧିମତ୍ତାର ଶକ୍ତିକୁ ‘ଅଶ୍ବ ଶକ୍ତି’ ରୂପେ ପରିଭାଷିତ କରାଯାଇପାରେ। ଏହି ଶକ୍ତିକୁ ନିୟନ୍ତ୍ରଣରେ ରଖି ଦେଶ ଗଠନରେ ଲଗାଇବା ହେଉଛି ଲୋକପ୍ରତିନିଧିଙ୍କ କାର୍ଯ୍ୟ। ଅନ୍ୟ ପ୍ରକାରେ କହିଲେ ଏକ ଗଣତନ୍ତ୍ରରେ ଏଭଳି ଘୋଡ଼ାମାନଙ୍କର ସଇସ ହେଉଛନ୍ତି ଲୋକ ପ୍ରତିନିଧି। କିନ୍ତୁ କଥା ହେଲା, ସଇସ ହେବାକୁ ହେଲେ ଲୋକ ପ୍ରତିନିଧିମାନଙ୍କୁ ମଧ୍ୟ ସେଥି ଲାଗି ଯୋଗ୍ୟ ହେବାକୁ ପଡ଼ିବ। ତାହା ନ ହେଲେ ଘୋଡ଼ା ଅମଣିଆ ହୋଇ ସଇସକୁ କିଂକର୍ତ୍ତବ୍ୟବିମୂଢ଼ କରି ପକାଇବ।
ନବୀନ ପଟ୍ଟନାୟକ ନିରବଚ୍ଛିନ୍ନ ଭାବେ ୨୩ ବର୍ଷ କ୍ଷମତାରେ ଥିବା ବେଳେ ଲାଗୁଛି ସତେ ଯେମିତି ଏହି ଦୀର୍ଘ ଯାତ୍ରା ଫଳରେ ବିଜୁ ଜନତା ଦଳ ଥକି ଗଲାଣି। କର୍ମୀ ଓ ନେତା ସମସ୍ତେ ଯେମିତି ଟିକେ ବିଶ୍ରାମ ଲୋଡୁଛନ୍ତି। ମନ୍ତ୍ରୀମାନେ ସତେ ଯେମିତି ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ଉତ୍ତରଦାୟିତ୍ବ ବହନ କରିବାକୁ କୁଣ୍ଠା ପ୍ରକାଶ କରି ଅମଲାତନ୍ତ୍ର ଉପରେ ସବୁ କିଛି ଛାଡ଼ି ନିରାପଦ ଦୂରତ୍ବରେ ଛିଡ଼ା ହୋଇଛନ୍ତି।
ସେମିତି ନିରବଚ୍ଛିନ୍ନ କ୍ଷମତା ଅଧିକାରର ଧାରା ଗଣତନ୍ତ୍ରକୁ ଦୁର୍ବଳ କରି ପକାଏ। ଏହା ବିଜୟୀ ରାଜନୈତିକ ଦଳର ଶୀର୍ଷ ନେତୃତ୍ବକୁ ଅହଂକାରୀ କରାଏ। ଦଳର ଶୀର୍ଷତମ ନେତୃତ୍ବ କ୍ରମେ ଦଳଗତ ବା ସର୍ବସମ୍ମତ ନିଷ୍ପତ୍ତି ନ ନେଇ ବିଭିନ୍ନ ଶାସକୀୟ କାର୍ଯ୍ୟରେ ବ୍ୟକ୍ତିଗତ ନିଷ୍ପତ୍ତି ନିଅନ୍ତି; ଯେପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିନା କୌଣସି ବିଚାର ଆଲୋଚନାରେ ବିମୁଦ୍ରୀକରଣ ନିଷ୍ପତ୍ତି ନେଇଥିଲେ। ଶୀର୍ଷତମ ନେତୃତ୍ବର ଏକାଧିପତ୍ୟ ସମ୍ମୁଖରେ ଦଳୀୟ ମତ ବା ଦଳର ଅନ୍ୟାନ୍ୟ ନେତା ନିଷ୍ପ୍ରଭ ପଡ଼ନ୍ତି। ତେବେ, ଏହା ସହିତ ଆଉ ଯେଉଁ ଏକ ଧାରା ସୃଷ୍ଟି ହୁଏ, ତାହା ହେଲା ରାଜନୈତିକ ସହଯୋଗୀମାନଙ୍କ ଠାରୁ ନେତୃତ୍ବ ବା କ୍ଷମତା ପ୍ରତି ବିପଦ ବା ଆହ୍ବାନ ସୃଷ୍ଟିର ଆଶଙ୍କା; ଯାହା ସେହି ନେତୃତ୍ବକୁ କାର୍ଯ୍ୟପାଳିକା ବା ଅମଲାତନ୍ତ୍ର ଉପରେ ଅଧିକ ନିର୍ଭରଶୀଳ କରାଏ। ଦଳର ଯୋଗ୍ୟ ଏବଂ ବୁଦ୍ଧିମାନ ସହଯୋଗୀମାନେ ବିଭିନ୍ନ ଉପାୟରେ ଅପସାରିତ ହୁଅନ୍ତି ଏବଂ ଅପଦାର୍ଥ ଓ ବୋଲକରାମାନଙ୍କ ‘କୋଟେରି’ ସୃଷ୍ଟି ହୁଏ; ଏପରି କି କ୍ରମେ ବ୍ୟବସ୍ଥିତ ଭାବେ ଅଯୋଗ୍ୟ ଲୋକମାନଙ୍କୁ ବିଧାୟିକାକୁ ନିର୍ବାଚିତ କରାଇ ଅଣାଯାଏ, ଯେଉଁମାନେ ମନ୍ତ୍ରୀ ପଦ ଠାରୁ ଆରମ୍ଭ କରି ଉଚ୍ଚ ସାମ୍ବିଧାନିକ ପଦମାନ ଅଧିକାର କରନ୍ତି। ଏଣେ, ଏକଛତ୍ରବାଦୀ ନେତୃତ୍ବ ଅମଲାତନ୍ତ୍ର ଜରିଆରେ ଶାସନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରେ। ଫଳରେ ଅମଲାତନ୍ତ୍ର ଅମିତ କ୍ଷମତାଶାଳୀ ହୁଏ। ପ୍ରଶାସନିକ ଅଧିକାରୀମାନେ ମନ୍ତ୍ରୀମାନଙ୍କ ଭଳି କ୍ଷମତାର ଉପଯୋଗ କରନ୍ତି ସିନା, ତାହା ବିନା ଉତ୍ତରଦାୟିତ୍ବରେ। କାରଣ ଜନପ୍ରତିନିଧିମାନଙ୍କୁ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼େ; କିନ୍ତୁ ଅମଲାମାନେ ଅବସର ନେବା ଯାଏ ପଦରେ ଅବସ୍ଥାପିତ ରହି କାର୍ଯ୍ୟ କରି ଚାଲନ୍ତି। ସୁତରାଂ, ପ୍ରଫେସର ମହୋଦୟ କହିଥିଲେ ଯେ ବିଶ୍ବସ୍ତ ଓ ପ୍ରଭାବଶାଳୀ ଅମଲାମାନେ କ୍ରମେ ଶାସନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ନିଜ ଅକ୍ତିଆରକୁ ନେଇ ଆସନ୍ତି। ଏଣେ ଳୋକପ୍ରତିନିଧିମାନେ ସଂପୂର୍ଣ୍ଣ ଅସହାୟ ଓ ନିବୀର୍ଯ୍ୟ ହୋଇ ପଡ଼ିଥିଲା ଭଳି ମନେ କରନ୍ତି। ସୁତରାଂ, ଘୋଡ଼ା ଓ ସଇସ ମଧ୍ୟରେ ରହିଥିବା ପାରଂପରିକ ସଂପର୍କ ଓଲଟି ଯାଇ ସଇସ ପିଠିରେ ଘୋଡ଼ା ସବାର ହୋଇଥିବା ଭଳି ସ୍ଥିତି ଉପୁେଜ।
ଓଡ଼ିଶାର ଶାସନ ବ୍ୟବସ୍ଥାରେ ମଧ୍ୟ ଗତ କିଛି ବର୍ଷ ହେଲାଣି ଉପରୋକ୍ତ ଲକ୍ଷଣମାନ ଦୃଷ୍ଟିଗୋଚର ହେଉଛି। ନବୀନ ପଟ୍ଟନାୟକ ନିରବଚ୍ଛିନ୍ନ ଭାବେ ୨୩ ବର୍ଷ କ୍ଷମତାରେ ଥିବା ବେଳେ ଲାଗୁଛି ସତେ ଯେମିତି ଏହି ଦୀର୍ଘ ଯାତ୍ରା ଫଳରେ ବିଜୁ ଜନତା ଦଳ ଥକି ଗଲାଣି। କର୍ମୀ ଓ ନେତା ସମସ୍ତେ ଯେମିତି ଟିକେ ବିଶ୍ରାମ ଲୋଡୁଛନ୍ତି। ମନ୍ତ୍ରୀମାନେ ସତେ ଯେମିତି ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ଉତ୍ତରଦାୟିତ୍ବ ବହନ କରିବାକୁ କୁଣ୍ଠା ପ୍ରକାଶ କରି ଅମଲାତନ୍ତ୍ର ଉପରେ ସବୁ କିଛି ଛାଡ଼ି ନିରାପଦ ଦୂରତ୍ବରେ ଛିଡ଼ା ହୋଇଛନ୍ତି। ଏବଂ ଅଧିକାଂଶ ଲୋକପ୍ରତିନିଧି ଏକ ପ୍ରକାର ନିର୍ବାକ ଅବସ୍ଥାରେ ଅଛନ୍ତି।
ଏ ସଂପର୍କରେ ଗୋଟିଏ ଦୁଇଟି ଉଦାହରଣ ଦେଲେ ଆମ କଥା ବୁଝିବାରେ ଅସୁବିଧା ହେବ ନାହିଁ। ସମସ୍ତେ ଏକମତ ହେବେ ଯେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ପରେ ଯଦି ସରକାରରେ ଆଉ ଜଣେ କେହି ଅମିତ ପ୍ରଭାବଶାଳୀ ଥାନ୍ତି, ତେବେ ସେ ହେଉଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ। ସରକାରୀ ସ୍ତରରେ ଓଡ଼ିଶାବାସୀଙ୍କୁ ଏକ ସ୍ପଷ୍ଟ ଧାରଣା ଦିଆଯାଉଛି ଯେ ରାଜ୍ୟରେ ଯାହା ହେଉଛି ବା ହେବ; ତାହା ପଛରେ ପାଣ୍ଡିଆନଙ୍କ ଭୂମିକା ରହିଛି। ଜଗନ୍ନାଥ ମନ୍ଦିର ରୂପାନ୍ତରଣ ଠାରୁ ଆରମ୍ଭ କରି ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ ପର୍ଯ୍ୟନ୍ତ, ବଜେଟ୍ରୁ ଆରମ୍ଭ କରି ଯାବତୀୟ ସରକାରୀ ଯୋଜନାର ପ୍ରାରମ୍ଭ ଓ ରୂପାୟନ ପର୍ଯ୍ୟନ୍ତ ସବୁଠି ତାଙ୍କର ପ୍ରଭାବ ରହିଛି। ଆଜିକାଲି ଯେଉଁମାନେ ନିଜର ଦାବି ବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆବେଦନ ପତ୍ରଟିଏ ଲେଖୁଛନ୍ତି, ସେଥିରେ ପାଣ୍ଡିଆନ ମହୋଦୟ (‘ଫାଇଭ୍ ଟି ସଚିବ’)ଙ୍କ ଲାଗି କପିଟିଏ ବି ରହୁଛି। ତା’ପରେ ରହୁଛି ବିଭାଗୀୟ ସଚିବଙ୍କ ନାମ। ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କ ନାମ ନ ରହିଲେ ବି ଚଳି ଯାଉଛି। ସବୁଠାରୁ କୌତୂହଳର କଥା ହେଲା ବିଜୁ ଜନତା ଦଳର ସାଧାରଣ କର୍ମୀମାନଙ୍କ ଭିତରେ ମଧ୍ୟ ପାଣ୍ଡିଆନଙ୍କ ପ୍ରତି ଭୟ ଥିବା ଅନୁଭୂତ ହେଉଛି। ଦଳୀୟ ଟିକେଟ୍ ପାଣ୍ଡିଆନଙ୍କ ନିଷ୍ପତ୍ତି ଅନୁସାରେ ମିଳିବ ବୋଲି ଧରି ନିଆଯାଉଛି। ପ୍ରଚାର କରାଯାଉଛି ଯେ ନିର୍ବାଚନୀ ସଫଳତା ମଧ୍ୟ କୁଆଡ଼େ ପାଣ୍ଡିଆନଙ୍କ ରଣନୀତି ଯୋଗୁଁ ସମ୍ଭବ ହେଉଛି!
ଏହାକୁ ପୂର୍ବାଗ୍ରହପ୍ରସୂତ ଏକ ଭ୍ରାନ୍ତ ଧାରଣା ବୋଲି କହି ଏଡ଼ାଇ ଦିଆ ଯାଇ ପାରିବା ନାହିଁ। ଗତ ଏପ୍ରିଲ ମାସ ଶେଷ ସପ୍ତାହରେ ଫାଇଭ୍ ଟି ସଚିବ ପାଣ୍ଡିଆନ କେନ୍ଦ୍ରାପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ। ତାଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲାର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ପ୍ରତାପ ଦେବ ଏବଂ ଅତନୁ ସବ୍ୟସାଚୀ ନାୟକ ଜିଲ୍ଲାର ବରିଷ୍ଠ ପ୍ରଶାସକ ଓ ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ସହିତ ସମୀକ୍ଷା ବୈଠକ କଲେ। ବିଜେଡିର ସଂଗଠନ ସଂପାଦକ ବବି ଦାସ ମଧ୍ୟ କେନ୍ଦ୍ରାପଡ଼ା ଆସି ସାଂଗଠନିକ ସ୍ତରରେ ପାଣ୍ଡିଆନଙ୍କ ଗସ୍ତକୁ ସଫଳ କରିବାକୁ ତତ୍ପରତା ଦେଖାଇଲେ। ପାଣ୍ଡିଆନ ମଧ୍ୟ ଜଣେ ରାଜନୈତିକ ନେତାଙ୍କ ପରି ବିଭିନ୍ନ ମଞ୍ଚରେ ଭାଷଣ ଦେଲେ, ଜିଲ୍ଲାର କଲେଜମାନଙ୍କ ବିକାଶ ପାଇଁ ଅନୁଦାନର ପ୍ରତିଶ୍ରୁତି ଦେଲେ। ଗସ୍ତ ସାରି ଫେରିବାର ପର ଦିନ ଜିଲ୍ଲାର ୨୫ଟି କଲେଜକୁ ୧୮ କୋଟି ୭୫ ଲକ୍ଷ ଟଙ୍କାର ପ୍ୟାକେଜ୍ ତୁରନ୍ତ ମଞ୍ଜୁର କରିଦିଆଗଲା। ଅଥଚ, ଏଇ କଥା ଜିଲ୍ଲାର ଦୁଇ ଦୁଇ ଜଣ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ, ଦୁଇ ଜଣ ବିଧାୟକ, ଜଣେ ସାଂସଦ ତଥା ଜନସାଧାରଣଙ୍କ ଦୀର୍ଘକାଳୀନ ଦାବି ସତ୍ତ୍ବେ ହୋଇ ପାରି ନ ଥିଲେ!
ଦ୍ବିତୀୟ ଘଟଣାଟି ହେଲା, ଗତ କିଛି ଦିନ ଧରି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ହାଇସ୍କୁଲମାନଙ୍କର ରୂପାନ୍ତରଣ କାର୍ଯ୍ୟ କରାଯାଇ ତାହାର ଶୁଭ ଉଦ୍ଘାଟନ କରାଯାଉଛି। ଏହା ସରକାରଙ୍କ ଅତ୍ୟନ୍ତ ଯୁଗପୋଯୋଗୀ ପଦକ୍ଷେପ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲା ପକ୍ଷରୁ ବିଦ୍ୟାଳୟମାନଙ୍କର ପୂର୍ବାପର ପରିସ୍ଥିତିକୁ ନେଇ ଏକ ବୃତ୍ତଚିତ୍ର ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଉଛି; ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଛାତ୍ର ଓ ଅଭିଭାବକମାନଙ୍କ ସାକ୍ଷାତକାର ଦେଉଛନ୍ତି ଯହିଁରେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ସଚିବଙ୍କୁ ପ୍ରଚୁର ପ୍ରଶଂସା କରିବା ସହିତ କୃତଜ୍ଞତା ଓ ଧନ୍ୟବାଦ ଦେଉଛନ୍ତି। କିନ୍ତୁ ଏଥିରେ ବେଦନାଦାୟକ ବିଷୟଟି ହେଉଛି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀଙ୍କୁ ସଂପୂର୍ଣ୍ଣ ବହିର୍ଭୂତ କରି ରଖାଯାଉଛି। କହିବା ବାହୁଲ୍ୟ ଯେ ବିଭାଗର ଏହି ସଫଳ କାର୍ଯ୍ୟକ୍ରମ ପାଇଁ ବିଭାଗୀୟ ମୁଖ୍ୟ ଭାବେ ମନ୍ତ୍ରୀ ଶ୍ରେୟ ପାଇବାକୁ ହକଦାର। କିନ୍ତୁ, ଏଭଳି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ତ ଦୂରର କଥା, କେହି ଜଣେ ତାଙ୍କୁ କୃତଜ୍ଞତା ବି ଜଣାଉ ନାହାନ୍ତି। ଏହା କେବଳ ଦୁଇଟି ଉଦାହରଣ। ଏଭଳି ମାଳ ମାଳ ରହିଛି।
କୁହାଯାଏ ଯେ ଅମଲାତନ୍ତ୍ର ପରଦା ପଛରେ ରହି ମନ୍ତ୍ରିମଣ୍ଡଳକୁ କାର୍ଯ୍ୟରେ ସହଯୋଗ କରେ। ମନ୍ତ୍ରିମଣ୍ଡଳ ଜନତାଙ୍କ ପାଖରେ ଉତ୍ତରଦାୟୀ ରହେ। ଏଠି କିନ୍ତୁ ଏହା ସଂପୂର୍ଣ୍ଣ ଓଲଟା। ଏହି ଲେଖାରେ ପାଣ୍ଡିଆନଙ୍କ ପ୍ରତି କୌଣସି ବ୍ୟକ୍ତିଗତ ଅସୂୟା ଭାବ ନାହିଁ। ପାଣ୍ଡିଆନଙ୍କ ଦକ୍ଷତା, ବୁଦ୍ଧିମତ୍ତା ଓ ପରିଶ୍ରମ ସଂପର୍କରେ ଆମର କୌଣସି ସନ୍ଦେହ ନାହିଁ। କିନ୍ତୁ ତାଙ୍କ ଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥାର ବିନ୍ୟାସ ବିଗିଡ଼ିଯିବା ଗ୍ରହଣୀୟ ହେଉ ନାହିଁ। ଯଦି ସେ ରାଜନୈତିକ କ୍ଷମତା ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସକ୍ରିୟ ରାଜନୀତିକୁ ଆସନ୍ତୁ। ଦଳ ଲାଗି କାର୍ଯ୍ୟ କରନ୍ତୁ, ଦଳ ପରିଚାଳନା କରନ୍ତୁ। କିନ୍ତୁ ଶାସନ ଓ ପ୍ରଶାସନ ମଧ୍ୟରେ ରହି ଆସିଥିବା ପରସ୍ପରାଶ୍ରୟୀ ସଂପର୍କରେ ବ୍ୟାଘାତ ଘଟାନ୍ତୁ ନାହିଁ। ଘୋଡ଼ାକୁ ସଇସରେ ପରିଣତ କରିବାର ଉଦ୍ୟମ ଗଣତନ୍ତ୍ର ଲାଗି ଆଦୌ ଶୁଭଙ୍କର ହେବ ନାହିଁ।
ମୋ: ୯୪୩୭୫୭୩୩୭୧