ଆମେ ସମସ୍ତେ ଜାଣୁ ଯେ ମସ୍ତିଷ୍କ ଆମ ବ୍ୟବହାରର ମୁଖ୍ୟ ନିୟନ୍ତ୍ରକ। ପୁଣି ମସ୍ତିଷ୍କର ଭିନ୍ନ ଭିନ୍ନ କେନ୍ଦ୍ର ପୃଥକ୍ ପୃଥକ୍ ବ୍ୟବହାରକୁ ନିୟନ୍ତ୍ରଣ କରେ; ଯେମିତି କି କାର୍ ଚଲାଉଥିବା ବେଳେ ମସ୍ତିଷ୍କର ଯେଉଁ କେନ୍ଦ୍ର କ୍ରିୟାଶୀଳ ହୋଇଥାଏ ଖାଇବା ସମୟରେ ଭିନ୍ନ ଏକ କେନ୍ଦ୍ର ସକ୍ରିୟ ରହେ। ଏହି ବିଷୟରେ ଊଣା ଅଧିକେ ପ୍ରାୟ ସମସ୍ତେ ଜାଣନ୍ତି।
ତେବେ, କିଛି ବର୍ଷ ତଳେ ଆବିଷ୍କୃତ ହୋଇଛି ଯେ କୌଣସି ମନୁଷ୍ୟ ନିର୍ଦ୍ଦିଷ୍ଟ ଏକ କାର୍ଯ୍ୟ କରିବା ସମୟରେ ତା’ର ଯେଉଁ କେନ୍ଦ୍ରଟି ସକ୍ରିୟ ହେଉଛି, ତାକୁ ସେପରି କାର୍ଯ୍ୟ କରିବାର ଦେଖୁଥିବା ମନୁଷ୍ୟର ମସ୍ତିଷ୍କର ମଧ୍ୟ ସେହି କେନ୍ଦ୍ରଟି କ୍ରିୟାଶୀଳ ହେଉଛି। ଏଭଳି ଘଟିବାର କାରଣ ମଣିଷର ଅଗ୍ର-ମସ୍ତିଷ୍କରେ ଥିବା କେତେକ ସ୍ନାୟୁ; ସେହିଗୁଡ଼ିକ ଦର୍ପଣ ଭଳି କାର୍ଯ୍ୟ କରୁଥିବାରୁ ବିଶେଷଜ୍ଞମାନେ ସେସବୁକୁ ଦର୍ପଣ ସ୍ନାୟୁ ରୂପେ ପରିଭାଷିତ କରିଛନ୍ତି।
ଏହାର ଅର୍ଥ ନିଜେ କାର୍ ଚାଳନା କରୁନଥିବା ଲୋକ ଗାଡ଼ିଚାଳନା ଦେଖିଲେ ତାଙ୍କ ମସ୍ତିଷ୍କର ସେହି କେନ୍ଦ୍ର କ୍ରିୟାଶୀଳ ହେଉଛି। ସେହି କାରଣରୁ ଅନ୍ୟକୁ ଦୁଃଖୀ ଦେଖିଲେ ଦର୍ପଣ ସ୍ନାୟୁ ପ୍ରଭାବରେ ମନୁଷ୍ୟ ଦୁଃଖାନୁଭୂତି ଲାଭ କରିଥାଏ ବା ଅନ୍ୟକୁ ଆନନ୍ଦିତ ଅବସ୍ଥାରେ ଦେଖିେଲ ଆନନ୍ଦ ଅନୁଭବ କରିଥାଏ। ସୁତରାଂ, ଆମେ କହିପାରିବା ଯେ ଜଣେ ଡାକ୍ତର ଗୋଟିଏ ରୋଗୀର ଦୁରବସ୍ଥାର ବର୍ଣ୍ଣନା ଶୁଣି ସମ୍ବେଦନଶୀଳତା ଅନୁଭବ କରିବାର କାରଣ ହେଲା ତାଙ୍କର ଦର୍ପଣ ସ୍ନାୟୁର ସୁପ୍ରଭାବ ଏବଂ ଆମେ ଏହିଭଳି ବିଭିନ୍ନ ଉଦାହରଣକୁ ନେଇ ପାରିବା। ସେମିତି ଦର୍ପଣ ସ୍ନାୟୁର ପ୍ରଭାବକୁ ବିସ୍ତୃତ ରୂପ ଦେଲେ ଆଉ ଗୋଟିଏ ବିଷୟ ହୃଦ୍ବୋଧ କରି ହୁଏ ଯେ ଜଣେ ଉପନ୍ୟାସକାର ବା ଗାଳ୍ପିକ ଯେଉଁ ମାନସିକ ସ୍ଥିତିେର ଏକ ଘଟଣାର ବର୍ଣ୍ଣନା କରିଥାଆନ୍ତି, ତା’ର ଅଗଣିତ ପାଠକପାଠିକା ମଧ୍ୟ ସେହି ବିଷୟ ପଢ଼ିଲା ବେଳେ ସମାନ ଅନୁଭୂତି ମଧ୍ୟ ଦେଇ ଗତି କରନ୍ତି। ଜଣେ ଗାୟକର କଣ୍ଠର କାରୁଣ୍ୟ ଶ୍ରୋତାଙ୍କୁ ମଧ୍ୟ କରୁଣ ରସରେ ଡୁବାଇ ଦେଇପାରେ ଅଥବା ଜଣେ ଅଭିନେତାଙ୍କ ଅଭିନୟ ବେଳର ଆଖିର ଲୁହ ଦର୍ଶକମାନଙ୍କୁ ମଧ୍ୟ କନ୍ଦାଇ ଦେଇପାରେ।
ସ୍ନାୟୁବିଜ୍ଞାନୀମାନେ ଦେଖିଛନ୍ତି ଯେ ଜଣେ ଗଳ୍ପ ଉପନ୍ୟାସର ଲେଖକ ଗପଟି ଲେଖୁଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଭୋଜନର ବର୍ଣ୍ଣନା କଲା ବେଳେ ତାଙ୍କର ଘ୍ରାଣେନ୍ଦ୍ରିୟ ସଜାଗ ହୋଇ ସେହି ଖାଦ୍ୟର ବାସନା ପାଇପାରେ ଏବଂ କଥା ହେଲା ସେହି କଥାକୁ ପଢୁଥିବା ପାଠକପାଠିକାମାନେ ମଧ୍ୟ ପଢ଼ିଲା ବେଳେ ଅନୁରୂପ ବାସନା ଲାଭ କରି ପାରନ୍ତି।
ଅଗ୍ର-ମସ୍ତିଷ୍କରେ ଥିବା ଦର୍ପଣ ସ୍ନାୟୁ ମନୁଷ୍ୟକୁ ସମ୍ବେଦନଶୀଳ ଓ ସମାନୁଭବୀ କରି ଗଢ଼ିଥାଏ। କିନ୍ତୁ, ଏ କଥା ମଧ୍ୟ ସତ ଯେ ଦର୍ପଣ ସ୍ନାୟୁ କ୍ରିୟାଶୀଳ ହେବାର ସୁଯୋଗ ନ ପାଇଲେ ମନୁଷ୍ୟ ସହାନୁଭୂତିହୀନ ହୋଇପଡ଼େ। ଏକ ନିର୍ଦ୍ଦୟ ମନୁଷ୍ୟ ଠାରେ ଦର୍ପଣ ସ୍ନାୟୁ ଦୁର୍ବଳ ବୋଲି କୁହାଯାଇପାରେ। ସୁତରାଂ, ଏପରି କହିଲେ ଚଳିବ ଯେ ଦର୍ପଣ ସ୍ନାୟୁ ଅଧିକ ବିକଶିତ ହେବାର ଅର୍ଥ ହେଲା ଏକ ସୁନ୍ଦର ପୃଥିବୀ ସମ୍ଭବ ହେବା!
ମୋ: ୯୪୩୭୧୨୧୨୭୯
ମନ ପରିଭାଷା/ ଦର୍ପଣ ସ୍ନାୟୁ ଓ ସମାନୁଭୂତି
ଫକୀର ମୋହନ ସାହୁ
/sambad/media/post_attachments/wp-content/uploads/2023/03/4654d654gdgjgjdgjgjddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)