ଦୁଃଖ ଜଣାଇବା କାହାକୁ?

ନିରଞ୍ଜନ ପଟ୍ଟନାୟକ

ଏବେ ଆମ ସାମ୍ନାରେ ବଡ଼ ବିପଦ କରୋନା ମହାମାରୀ। ଏହି ମହାମାରୀର ପ୍ରାଥମିକ ଅବସ୍ଥାରେ ଆମ ସାମ୍ନାରେ ପ୍ରଶ୍ନ ଥିଲା ଜୀବନ ବଡ଼ ନା ଜୀବିକା ବଡ଼। ସମୟ ବିତିବା ସହ ଯେତେବେଳେ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଅସହାୟ ହୋଇଗଲେ ସେତେବେଳେ କୁହାଗଲା– ଉଭୟ ଜୀବନ ଓ ଜୀବିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ମହାମାରୀର ସଂକ୍ରମଣ କାୟା ବିସ୍ତାର କରିବା ସହ ଯେତେବେଳେ ଏହା ମଣିଷ ଜୀବନର ଏକ ଅଂଶବିଶେଷ ହେବାକୁ ଆରମ୍ଭ କଲା, ସେତେବେଳେ ଜୀବନ ଓ ଜୀବିକା ସଂପର୍କ‌େର ମଣିଷ ଅସହାୟ ଭାବେ ଉଦାସୀନ ହୋଇପଡ଼ିଲା। ଜୀବିକା କଥାକୁ ପଛକୁ ପକାଇ ପ୍ରବାସୀମାନେ ଯେପରି ଜୀବନକୁ ବାଜି ଲଗେଇ ନିଜ ଭିଟାମାଟିକୁ ଫେରିଥିଲେ, ମାସ କେତେଟା ପରେ ପୁଣି ସେମିତି ଜୀବିକା ସନ୍ଧାନରେ ବାହାରି ଗଲେଣି। କାରଣ ସେମାନେ ନିରୁପାୟ। ଯେଉଁ ଆଶା ନେଇ ସେମାନେ ନିଜ ପ୍ରଦେଶକୁ ଓ ନିଜ ଗାଁକୁ ଫେରି ଆସିଥିଲେ, ସେ ଆଶା ଆଶାରେ ରହିଗଲା। ଗାଁରେ କାମ ନାହିଁ। ବିଲବାଡ଼ିରେ ଚାଷ କରିବାକୁ ଅନୁକୂଳ ପରିବେଶ ନାହିଁ। କଳକାରଖାନାର ସେମିତି ସୁଯୋଗ ନାହିଁ, ଯେଉଁଠି କାମ କରି ପେଟ ପାଇଁ ସେମାନେ ଦାନା ଯୋଗାଡ଼ କରିପାରିଥାଆନ୍ତେ। ତେଣୁ ପ୍ରବାସ ଜୀବନ ଯେତେ କଷ୍ଟଦାୟକ ହେଲେ ବି ସେମାନେ ପୁଣି ଫେରିଗଲେଣି। ଏହି ସମୟ ବାସ୍ତବିକ କାଳଖଣ୍ଡରେ ଏକ ସଂକଟଜନକ ସମୟ ହୋଇ ରହିବ। କରୋନା ମହାମାରୀ ସମଗ୍ର ମଣିଷ ଜାତିକୁ ଯେପରି ଅସହାୟ ଓ କିଂକର୍ତ୍ତବ୍ୟବିମୂଢ଼ କରିଦେଇଛି, ଏହା ପୂର୍ବରୁ କେବେ ଏପରି ହୋଇନଥିଲା। ଏହି ମହାମାରୀ ମଣିଷକୁ ଏପରି ଆତଙ୍କିତ କରିଛି ଯେ, ବାପା ପୁଅର ହେଉନି, ସ୍ବାମୀ ସ୍ତ୍ରୀର ହେଉନି, ଭାଇ-ଭାଇର ହେଉନି। ଲାଗୁଛି ଯେମିତି ଏ ମହାମାରୀର ଆଗମନ ସହ ମଣିଷ ଭିତରୁ ମାନବିକତା ଓ ସହୃଦୟତା କୁଆଡ଼େ ବିଦାୟ ନେଇଯାଇଛି।

ମଣିଷର ଏହି ଅସହାୟତା ବେଳେ ସେମାନଙ୍କ ଭିତରେ ସାହସ ଓ ଆତ୍ମବଳ ବଢ଼ାଇ ସେମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ବ ସରକାରଙ୍କର। କାରଣ ପରିବାର ଭିତରେ ଭୟ, ସମାଜ ଭିତରେ ସାମାଜିକ ଦୂରତା ରକ୍ଷାର ଲକ୍ଷ୍ମଣରେଖା, ସେବା ପ୍ରଦାନକାରୀ ଗୋଷ୍ଠୀର ମଧ୍ୟ ଜୀବନ ପ୍ରତି ଭୟ। ଏପରି ସ୍ଥିତିରେ ଏକ ମାତ୍ର ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ହିଁ ମଣିଷକୁ ବହୁ ବିଭ୍ରାନ୍ତିରୁ ରକ୍ଷା କରିବା ସହ ମଣିଷ ଭିତରେ ସାହସ ସୃଷ୍ଟି କରି ପାରନ୍ତା। କିନ୍ତୁ ବିମୁଦ୍ରୀକରଣ ନାଁରେ ସାଧାରଣ ଲୋକଙ୍କୁ ହୀନସ୍ତା କରିଥିବା, ଜି.ଏସ.ଟି ନାଁରେ ଜିଜିଆ କର ଆଦାୟ କରୁଥିବା କେନ୍ଦ୍ର ସରକାର ଠାରୁ ସମବେଦନା ଆଶା କରିବା ଯେପରି ବୃଥା, ଲୋକ ଦୁଃଖରେ ଥିବା ବେଳେ ତାଙ୍କ ଟିକସ ପଇସାକୁ ହରିଲୁଟ୍‌ କରୁଥିବା ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ସହଯୋଗ ଆଶା କରିବା ବୃଥା।

ବିଡ଼ମ୍ବନାର କଥା, ଏବେ କେନ୍ଦ୍ରରେ ଓ ଆମ ରାଜ୍ୟରେ ଥିବା ସରକାର ଏହି ମହାମାରୀକୁ ଦଳୀୟ ସ୍ବାର୍ଥର ଏକ ସୁଯୋଗ ବୋଲି ଗ୍ରହଣ କରିନେଇଛନ୍ତି। ମହାମାରୀ ଭୟାବହତାକୁ ଦେଖି ଲୋକେ ସରକାରଙ୍କ ସବୁ ନୀତି ନିୟମକୁ ମାନି ନେବାର ମାନସିକତା ବେଳେ ଘଣ୍ଟ ବଜାଇବାକୁ, ଦୀପ ଜାଳିବାକୁ କେନ୍ଦ୍ର ସରକାର କହିବା ବେଳେ, ରାଜ୍ୟ ସରକାର ମଧ୍ୟ ପ୍ରତିଯୋଗିତା କଲା ଭଳି ‘ବନ୍ଦେ ଉତ୍କଳ ଜନନୀ’ ବୋଲିବାକୁ ନିର୍ଦ୍ଦେଶ ଦେଲେ। କେବଳ ସେତିକି ନୁହେଁ, ଲୋକେ ଭୋକରେ ଆଉଟୁ ପାଉଟୁ ହେଉଥିବାବେଳେ, ସେମାନଙ୍କ ଟିକସ ପଇସାକୁ ମନଇଚ୍ଛା ଖର୍ଚ୍ଚ କରାଗଲା। ଆଜି ଯେଉଁ ମାସ୍କ୍‌କୁ ୯ ଟଙ୍କାରେ କିଣିଲେ ଦୁଇଦିନ ପରେ ସେହି ମାସ୍କ୍‌ ୧୬ ଟଙ୍କା ବିଲ୍‌ କରି କିଣାଗଲା। ଖୋଲା ବଜାରରେ ୪ରୁ ୫ ଲକ୍ଷ ଟଙ୍କାରେ ମିଳୁଥିବା ଆର୍.ଟି.ପି.ସି.ଆର ମେସିନକୁ ୧୨ ଲକ୍ଷ ୯୦ ହଜାର ଟଙ୍କାରେ କିଣାଗଲା। ସେହିପରି ଟେଷ୍ଟିଂ କିଟ୍‌ର ଦାମ୍‌ ୭୦୦ରୁ ୮୦୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ଔଷଧ ନିଗମ କିଟ୍ ପିଛା ୧୩୧୪ ଟଙ୍କାରେ କିଣିଛି। ସେହିପରି ନେବୁଲାଇଜର ପିଛା ୩୧୦୦ ଟଙ୍କାରେ କିଣିବାକୁ କୋଟେସନ୍ ଦେଇଥିବା କଂପାନିଠାରୁ ପରେ ନେବୁଲାଇଜର ପିଛା ୫୯୦୦ରେ କିଣା ହେଲା।

ଏହା ଗଲା କରୋନାରୁ ମିଳିଥିବା ପ୍ରତ୍ୟକ୍ଷ ଫାଇଦାର କଥା। ଏହା ବାଦ୍ କରୋନା ମୁକାବିଲା ପାଇଁ ପଂଚାୟତ ସ୍ତରରେ କୋଭିଡ ସେଣ୍ଟର ଠାରୁ ରାଜ୍ୟ ସ୍ତରରେ ହୋଇଥିବା କୋଭିଡ ଡାକ୍ତରଖାନା ମାଧ୍ୟମରେ ପରୋକ୍ଷ ଫାଇଦାର ବିଫଳ ଚିତ୍ର ଯେ କୌଣସି ସଚେତନ ବ୍ୟକ୍ତିଙ୍କୁ ଗଭୀର ଭାବେ ଆନ୍ଦୋଳିତ କରିବ। କୋଭିଡ ପରିଚାଳନାର ସବୁଠାରୁ ଦୁର୍ବଳ ଦିଗ ହେଉଛି କର୍ପୋରେଟ୍‌ ହସ୍‌ପିଟାଲମାନଙ୍କର କାର୍ଯ୍ୟଧାରା। ସାଧାରଣ ଭାବେ ଆସୁଥିବା ରୋଗୀଙ୍କ କଥା ଅଲଗା, ଗୁରୁତର ହୋଇ ଜୀବନ ମରଣ ସନ୍ଧିକ୍ଷଣରେ ଥିବା ରୋଗୀଙ୍କୁ ମଧ୍ୟ ଡାକ୍ତରଖାନାରେ ପୂରେଇ ଦିଆଯାଉ ନାହିଁ। ଆମ୍ବୁଲାନ୍‌ସରେ ଥିବା ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବ, ମୁହଁରେ ଅକ୍‌ସିଜେନ ମାସ୍କ୍‌ ଲାଗିଥିବ, ତାଙ୍କୁ ଧରି ଏ ହସ୍‌ପିଟାଲରୁ ସେ ହସ୍‌ପିଟାଲ ତା’ ପ୍ରିୟଜନ ଧାଉଁଥିବେ। ଶେଷରେ ସେ ରୋଗୀ ଅଧା ବାଟରେ ମରିଯିବ। ଏପରି ଦୁର୍ଦ୍ଦିନ କେବେ ଆସିବ ବୋଲି କିଏ ଭାବିପାରେ? ଏଥିପାଇଁ କିଏ ଚିନ୍ତା କରିବ? ନିଜ ଘରେ ସଙ୍ଗରୋଧରେ ରହୁଥିବା ରୋଗୀ ସୁସ୍ଥ ହେଲା, ନା ନିଜେ ନିଜର ଚିକିତ୍ସା ପରେ ସୁପରସ୍ପ୍ରେଡର ହେଲା, ସେ କଥା କିଏ ଚିନ୍ତା କରିବେ?

କରୋନା ମହାମାରୀ ଯୋଗୁଁ ପ୍ରତିଦିନ କାହାର ନା କାହାର ପରିବାରରୁ ଅମୂଲ୍ୟ ଜୀବନଟିଏ ଚାଲିଯାଉଛି। ଲୋକେ ଭାଗ୍ୟକୁ ଆଦରି ରହୁଛନ୍ତି। ଯାହା ଫଳରେ ଏ ମହାମାରୀକୁ ପ୍ରତିହତ କରିବା ପାଇଁ ଉଦାସୀନତା ଚରମ ଅବସ୍ଥାରେ ପହଞ୍ଚିଗଲାଣି। ମୁଁ ଏଥିପାଇଁ ସରକାର ବା କୌଣସି ନିର୍ଦ୍ଦିଷ୍ଟ ଦଳକୁ ଦୋଷ ଦେଉନାହିଁ। ମୋ ଦଳ କଂଗ୍ରେସ ସମେତ ମୁଁ ସମସ୍ତ ରାଜନେତାଙ୍କୁ ଆଜି ପଚାରିବାକୁ ଚାହେଁ, ମଣିଷ ଜାତିର ଏ ଘୋର ଦୁର୍ଦ୍ଦିନ ସମୟରେ ଆମେ ନିଃସ୍ୱାର୍ଥପର ଭାବେ ଆମ କର୍ତ୍ତବ୍ୟ ସଂପାଦନ କରୁଛେ ତ?

ଆଜି ସମସ୍ତେ ଦୁର୍ଦ୍ଦିନରେ ଥିବାବେଳେ, ଅଧିକାଂଶ ଲୋକ ବେରୋଜଗାର ହୋଇଯାଇଥିବା ବେଳେ ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକର ଅହେତୁକ ଦର ବୃଦ୍ଧି ହୋଇଛି। ଆଳୁ କିଲୋ ଚାଳିଶ ଟଙ୍କା, ପିଆଜ କିଲୋ ଷାଠିଏ ଟଙ୍କା ହେଲେ ଲୋକେ ଖାଇବେ କ’ଣ, ବଂଚିବେ କେମିତି? ତା’ ସାଙ୍ଗକୁ ଡାଲି, ତେଲ, ଅଟା ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମଧ୍ୟ ଅହେତୁକ ଦର କିଛି ମାସ ମଧ୍ୟରେ ବଢ଼ିଛି। ଆମ କାନକୁ ଭଲ ଶୁଭିବା ଭଳି ନାରା ଦେଉଛୁ “ଆତ୍ମ ନିର୍ଭର ଭାରତ”। କିନ୍ତୁ ଯେଉଁ କ୍ଷେତ୍ରଟି ଆମର ଆତ୍ମ ନିର୍ଭର ଥିଲା, ତାକୁ ପର ନିର୍ଭର କରିବାକୁ ବାଟ ଖୋଲି ଦେଲୁ। ସେହି କ୍ଷେତ୍ରଟି ହେଲା କୃଷି କ୍ଷେତ୍ର। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ମୂଲ୍ୟ ଦେବା ପାଇଁ ଲାଲ ବାହାଦୁର ଶାସ୍ତ୍ରୀ ଆରମ୍ଭ କରିଥିଲେ ଏମ୍.ଏସ୍ .ପି। ଅର୍ଥାତ୍‌ ବଜାର ଦର ଯାହା ହେଉନା କାହିଁକି ସରକାର ଚାଷୀଙ୍କୁ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ସହାୟତା ମୂଲ୍ୟ ଦେବେ। ଏବେ କେନ୍ଦ୍ର ସରକାର ସେତକ ସୁବିଧା ମଧ୍ୟ ଚାଷୀଠାରୁ ନେଇଗଲେ। ମଣ୍ଡି ବ୍ୟବସ୍ଥା ମଧ୍ୟ ସନ୍ଦେହଜନକ। କଣ୍ଟ୍ରାକ୍ଟ ଫାର୍ମିଂ ନାଁରେ ବଡ଼ ବଡ଼ ପୁଞ୍ଜିପତିଙ୍କୁ କୃଷିକ୍ଷେତ୍ରକୁ ପ୍ରବେଶ କରିବାକୁ ବାଟ ଖୋଲି ଦିଆଗଲା। ସେମାନେ ଚାଷୀଙ୍କୁ ଶୋଷଣ କଲେ ମଧ୍ୟ ଶୁଣିବାକୁ କେହି ନଥିବେ। ଏଣେ ଆମ ରାଜ୍ୟ ସରକାର ଚାଷୀଙ୍କୁ ଉପଯୁକ୍ତ ପରିମାଣର ବିହନ ଯୋଗାଇ ପାରୁ ନାହାନ୍ତି। ରୋଗପୋକ ହେଲେ କୀଟନାଶକ ଭେଜାଲ କରି ବାହାର ରାଜ୍ୟର ବ୍ୟବସାୟୀମାନେ ବିକୁଛନ୍ତି। ସାର କଳାବଜାରୀ ହେଉଛି। ଅଧିକାଂଶ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ନାହିଁ। ଲିଫ୍‌ଟ ଇରିଗେସନ ବିଭାଗର ସତ୍ତା ବୁଡ଼ିଗଲାଣି। ବଡ଼ ବଡ଼ ଶୀତଳଭଣ୍ଡାର କଥା ଛାଡ଼ନ୍ତୁ; ପିଆଜ ସାଇତି ରଖିବା ପାଇଁ ପର୍ଯ୍ୟାପ୍ତ ପ୍ୟାକ୍‌ ହାଉସ୍‌ ବି ନାହିଁ। କାଳିଆ ଯୋଜନା ନାଁରେ ଗରିବ ଚାଷୀଙ୍କୁ ନିର୍ବାଚନ ପୂର୍ବରୁ ଯେଉଁ ଟଙ୍କା ଦିଆଯାଇଥିଲା, ତାକୁ ପୁଣି ଫେରେଇ ନେବା ପାଇଁ ତାଗିଦା କରାଗଲାଣି। ଦୁଗ୍‌ଧ ଚାଷୀଙ୍କ ଦୁର୍ଦଶା କହିଲେ ନ ସରେ। ଆମର ଏଠି କ୍ଷୀର ନଷ୍ଟ ହେଉଛି; ସେପଟେ ପ୍ରତିବର୍ଷ ପାଖାପାଖି ୨୦୦ କୋଟି ଟଙ୍କାର ଦୁଗ୍‌ଧ ପାଉଡର ବାହାର ରାଜ୍ୟରୁ ଓମ୍‌ଫେଡ୍‌ କିଣି ପାଉଚ କ୍ଷୀରରେ ମିଶୁଚି। ଚିନିକଳ ନାହିଁ, ସୂତାକଳ ନାହିଁ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନାହିଁ। ଚାଷୀମାନେ ଆତ୍ମ ନିର୍ଭର ହେବେ କେମିତି?

ନିଯୁକ୍ତି ପ୍ରସଙ୍ଗକୁ ଆସିଲେ ବିବ୍ରତ ଲାଗୁଛି। ରାଜ୍ୟରେ ପ୍ରତିବର୍ଷ ବେକାର ଡିଗ୍ରିଧାରୀଙ୍କର ସଂଖ୍ୟା ଦ୍ରୁତଗତିରେ ବଢୁଛି। ଆମ ପିଲାମାନେ ବାଙ୍ଗାଲୋର, ପୁନେ, ଦିଲ୍ଲୀ, କଲିକତା ଯାଉ ଖଟୁଛନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ଅଭାବ। ବିଭିନ୍ନ ଦପ୍ତରରେ କର୍ମଚାରୀ ଅଭାବ। ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ନିଯୁକ୍ତିର ବାଟ ପୂରାପୂରି ବନ୍ଦ। ଏବେ କରୋନା ମହାମାରୀରେ ସାହାଯ୍ୟ କରିବା ପାଇଁ ଯେଉଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଉଥିଲା, ତାକୁ ଛଟେଇ କରିଦିଆଗଲାଣି। ପ୍ରୋସାହନ ଅଭାବରୁ ତଥା ନିର୍ଦ୍ଦିଷ୍ଟ ଯୋଜନା ଅଭାବରୁ ଲଘୁ ଉଦ୍ୟୋଗ, କୁଟୀର ଶିଳ୍ପ ପ୍ରତିଷ୍ଠା ହୋଇ ପାରୁନି। ଶିକ୍ଷା ବ୍ୟବସ୍ଥା କଥା ନ କହିଲେ ଭଲ।

ବେଡ଼ି ଉପରେ କରୋଡ଼ା ମାଡ଼ ପରି ଏହି ଦୁର୍ଦ୍ଦିନରେ ସରକାର ବିଦ୍ୟୁତ୍‌ ଦର ମଧ୍ୟ ବୃଦ୍ଧି କରିଛନ୍ତି। ଯାହା ଫଳରେ ସାଧାରଣ ଖାଉଟିଠାରୁ କୃଷିକ୍ଷେତ୍ର ଓ ବିଭିନ୍ନ ଉତ୍ପାଦକ ଗୋଷ୍ଠୀ ପ୍ରଭାବିତ ହେଉଛନ୍ତି। ଏହିପରି ଭାବରେ କୃଷିଠାରୁ, ଶିଳ୍ପ, ସ୍ବାସ୍ଥ୍ୟ ଠାରୁ ଶିକ୍ଷା, ଗମନାଗମନ ଠାରୁ ନିଯୁକ୍ତି ଯାଏ ସବୁ କ୍ଷେତ୍ରରେ ଚରମ ବିଫଳତା। ଏହି ବିଫଳତାର ମୁଖ୍ୟ କାରଣ ହେଲା ଦୁର୍ନୀତି। ଦୁର୍ନୀତି ବିରୋଧରେ ସଂଗ୍ରାମର ସ୍ଲୋଗାନ୍ ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ସରକାର କିପରି ଆଖିବୁଜା ଦୁର୍ନୀତି କରିପାରନ୍ତି, ତାହାର କେତୋଟି ଉଦାହରଣ ଦେଖାଯାଉ। ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ଆଳରେ ଏହି ସରକାର ଆରମ୍ଭ କଲେ “ମୋ ସାଇକେଲ’’ ଯୋଜନା। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କୁହାଗଲା ତିନିଟି ଘରୋଇ ସଂସ୍ଥା ଏହାକୁ ପରିଚାଳନା କରୁଛନ୍ତି। ଏହାର ଲାଭ କ୍ଷତି ସେମାନେ ବୁଝିବେ। କିନ୍ତୁ ପ୍ରକୃତରେ ସାଇକେଲ ଗୋଟାକୁ ୨୫ ହଜାର ଟଙ୍କା ଦେଇ ୨୦୦୦ ସାଇକେଲକୁ ୫ କୋଟି ଦେଇ ସରକାର କିଣିଛନ୍ତି। ଏହି ସାଇକେଲ ପାଇଁ ପୁଣି ବର୍ଷକୁ ୫ ହଜାର ଦେବେ ମରାମତି ଖର୍ଚ୍ଚ। ଓଡ଼ିଆ ଲୋକ କ’ଣ ଏତେ ବୋକା ଯେ ଜାଣିପାରିବେ ନାହିଁ ଏଥିରେ କେତେ ଦୁର୍ନୀତି ହୋଇଛି। ସେହିପରି ପଞ୍ଚାୟତିରାଜ ସଂସ୍ଥାର ଅଡିଟ୍‌ କରି ସରକାରଙ୍କ ଲୋକାଲ ଫଣ୍ଡ୍‌ ଦର୍ଶାଇଛି ଯେ ବାର୍ଦ୍ଧକ୍ୟ ଭତ୍ତା ହଡ଼ପ ଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯୋଜନା, ଆବାସଗୃହ ସବୁଥିରେ ଆଖିବୁଜା ଦୁର୍ନୀତି ହୋଇଛି। ଲୋକଙ୍କ ପାଇଁ ଆସୁଥିବା ଅନୁଦାନ ଟଙ୍କାକୁ ଖର୍ଚ୍ଚ ନକରି ଜାଣିଶୁଣି ବିଭିନ୍ନ ଆକାଉଣ୍ଟରେ ରଖାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ସରକାରୀ ଅଡିଟ୍‌ ରିପୋର୍ଟ ଅନୁସାରେ ପଞ୍ଚାୟତ ସମିତିମାନେ ପ୍ରାୟ ୧୦୦ କୋଟି ଟଙ୍କା ଟିକସ ଲୋକଙ୍କ ଠାରୁ ବିଭିନ୍ନ ବାଟରେ ଆଦାୟ କରିଛନ୍ତି। କିନ୍ତୁ ଟଙ୍କାକୁ ସରକାରୀ ତହବିଲରେ ଜମା କରିନାହାନ୍ତି। ଯେତିକି ବାର୍ଦ୍ଧକ୍ୟ ଭତ୍ତା ଦେଇଛନ୍ତି, ତା’ ଠାରୁ ଅଧିକ ଦେଖାଇ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି। ୮୫ଟି ବ୍ଲକ୍‌ ୫୮୨ଟି ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲି ୧୦୮ କୋଟି ୬୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଭାବରେ ରଖିଛନ୍ତି। ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍‌ ପର୍ଯ୍ୟନ୍ତ ଯାହାର ଇଛା ଯାହା ହେଲା କରୁଛନ୍ତି। ଏହା ପଛରେ ଉପର ମହଲର ଆଶୀର୍ବାଦ ନଥିଲେ ଏମିତି ସମ୍ଭବ ହୁଅନ୍ତା କି?

ସେହିପରି ରାଜ୍ୟର ଏନ.ଏ.ସି. ଓ ପୌରସଂସ୍ଥା ଗୁଡ଼ିକରେ ଅଡିଟ୍‌ କରି ଲୋକାଲ ଫଣ୍ଡ୍‌ ଅଡିଟ୍‌ ଦର୍ଶାଇଛି ଯେ ୨୦୧୮, ମାର୍ଚ୍ଚ ସୁଦ୍ଧା ଏହି ସବୁ ସଂସ୍ଥା ୧୬୩୬ କୋଟି ୫୭ ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ ନକରି ପକାଇ ରଖିଥିଲେ। ଆଶ୍ଚର୍ଯ୍ୟର କଥା ଏହି ସଂସ୍ଥାମାନେ ୩୩୭୫ କୋଟିରୁ ଅଧିକ ଟଙ୍କାର ୟୁ.ସି ନଦେଲେ ମଧ୍ୟ କେହି କହିବାକୁ ନାହାନ୍ତି। ତା’ହେଲେ ରାଜ୍ୟରେ କ’ଣ ଶାସନ ବୋଲି କିଛି ନାହିଁ। ସବୁ ନୀତି ନିୟମ ନିଜ ଇଚ୍ଛାମତେ ଚାଲିଛି। ଏ କଥା କହିବା କାହାକୁ ? କୋଭିଡ ମୁକାବିଲା ପାଇଁ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୁଲିସ, ସରକାରୀ କର୍ମଚାରୀ, ଶିକ୍ଷା କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀଙ୍କୁ ଆଗକୁ ପେଲିଦେଇ ଯଦି ଶାସନର ସର୍ବୋଚ୍ଚ ସ୍ତର ମୁହଁରେ ମୁଖା ପିନ୍ଧି ଘରେ ବସିବେ ତେବେ ଆମେ ଦୁଃଖ ଜଣାଇବା କାହାକୁ?

ଏଥିପାଇଁ ସାଧାରଣ ଭାବେ ମୁଁ କୌଣସି ଦଳ ବା ସରକାରଙ୍କୁ ଦାୟୀ କରିବି ନାହିଁ। ଏଥିପାଇଁ ଦାୟୀ କରିବି ଆମର ଚରମ ଉଦାସୀନତା ଓ ଅସଂପୃକ୍ତିକୁ। ଆମେ ହୁଏତ ବ୍ୟକ୍ତିଗତ ଭାବେ ଭଲରେ ଥାଇପାରୁ, କିନ୍ତୁ ଆମ ଚାରିପାଖରେ ପରିବେଶ କ୍ରମଶଃ କଳୁଷିତ ହେଇଯାଉଛି ବୋଲି ଆମକୁ ସଚେତନ ହେବାକୁ ପଡ଼ିବ। ଏହି ଦୂଷିତ ପରିବେଶର ପ୍ରଭାବ ଆଜି ନହେଲେ କାଲି ଆମକୁ ଭୋଗିବାକୁ ପଡ଼ିବ।
ସଭାପତି, ପ୍ରଦେଶ କଂଗ୍ରେସ କମିଟି, ଓଡ଼ିଶା

ସମ୍ବନ୍ଧିତ ଖବର