‘ଗ୍ରେଟ୍ ପାସିଫିକ୍ ଗାର୍ବେଜ୍ ପ୍ୟାଚ୍’ ଭାବେ ପରିଚିତ କାଲିଫର୍ନିଆରୁ ହାୱାଇ ମଧ୍ୟରେ ପ୍ରଶାନ୍ତ ମହାସାଗରରେ ଭାସମାନ ୮୦୦୦ ମେଟ୍ରିକ୍ ଟନ୍ ଓଜନ ବିଶିଷ୍ଟ ପ୍ଲାଷ୍ଟିକ୍ ଆବର୍ଜନାର ପାହାଡ଼ ହେଉ କି ‘ଗ୍ରେଟ୍ ବ୍ୟାରିଅର୍ ରିଫ୍’ ବା ‘ବୃହତ୍ ପ୍ରବାଳ ପ୍ରଚୀର’ର ୮୦ ପ୍ରତିଶତ ଅଂଶରେ ପ୍ରବାଳ ଉପରୁ ସହଜାତ ଶୈବାଳ ନଷ୍ଟ ହୋଇ ତା’ର ଧବଳ ଅଂଶ ପଦାକୁ ଦୃଶ୍ୟମାନ ହେବା ଭଳି ଘଟଣା ହେଉ (ସମୁଦ୍ର ଜଳର ଉଷ୍ମତା ବୃଦ୍ଧି ଏହାର କାରଣ); ଏ ସବୁ ମଧ୍ୟ ‘ଇକୋସାଇଡ୍’ର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। କିନ୍ତୁ ଦୁଃଖର ବିଷୟ, ଏହି ସବୁ କାରଣରୁ ବିପୁଳ ପାରିବେଶିକ କ୍ଷତି ହେଉଥିଲେ ହେଁ କାହାକୁ ଏଥି ଲାଗି ଉତ୍ତରଦାୟୀ କରାଯାଇ ପାରି ନ ଥାଏ।
ପୃଥିବୀର ମାନଚିତ୍ରରେ କ୍ଷୁଦ୍ର ବୁନ୍ଦା ପ୍ରାୟ ପ୍ରତୀତ ହେଉଥିବା ତିନି ଦ୍ବୀପ-ରାଷ୍ଟ୍ର ଅଗତ୍ୟା ସେମାନଙ୍କ ଅସ୍ତିତ୍ବ ନିଶ୍ଚିହ୍ନ ହୋଇଯିବା ଆଶଙ୍କାରେ ଉଦ୍ବିଗ୍ନ ହୋଇ ‘ଇଣ୍ଟର୍ନେସ୍ନାଲ୍ କ୍ରିମିନାଲ୍ କୋର୍ଟ’ (ଅନ୍ତର୍ଜାତୀୟ ଆପରାଧିକ ଅଦାଲତ) ବା ଆଇ.ସି.ସି.ର ଆଶ୍ରୟ ନେଇଛନ୍ତି, ଯହିଁରେ ସେମାନେ ‘ଇକୋସାଇଡ୍’କୁ ଏକ ଦଣ୍ଡନୀୟ ଅନ୍ତର୍ଜାତୀୟ ଅପରାଧ ରୂପେ ସ୍ବୀକୃତି ସକାଶେ ଏକ ଅନୁରୋଧମୂଳକ ପ୍ରସ୍ତାବ ଦେଇଛନ୍ତି। ‘ଇକୋସାଇଡ୍’ର ମର୍ମାର୍ଥ ହେଲା ଇଚ୍ଛାକୃତ ଭାବେ କୌଣସି ‘ଇକୋସିଷ୍ଟମ୍’ ବା ‘ପରିବେଶ ପରିସଂସ୍ଥା’କୁ ନଷ୍ଟ କରିଦେବା ଏବଂ ଏହି ଘଟଣାରେ ବୁନୌତି, ଫିଜି ଓ ସାମୋଆ ରାଷ୍ଟ୍ର ତ୍ରୟଙ୍କ ମତ ହେଲା ‘ଆଇ.ସି.ସି.’ରେ ଅନ୍ତର୍ଜାତୀୟ ଅପରାଧ ରୂପେ ସ୍ବୀକୃତ ଗଣହତ୍ୟା, ଯୁଦ୍ଧ ଅପରାଧ, ସାର୍ବଭୌମ ରାଷ୍ଟ୍ରର ସୀମା ଅତିକ୍ରମଣ ସହିତ ‘ଇକୋସାଇଡ୍’କୁ ମଧ୍ୟ ସଂଲଗ୍ନ କରାଯାଉ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଉତ୍ତପ୍ତୀକରଣ ହେତୁ ସମଗ୍ର ପ୍ରାଣୀ ଜଗତ ଅବର୍ଣ୍ଣନୀୟ ପ୍ରାକୃତିକ ଦୁର୍ବିପାକର ବିଭୀଷିକା ମଧ୍ୟକୁ ଠେଲି ହୋଇ ଯାଇଥିବାରୁ ଏଭଳି ଏକ ପ୍ରସ୍ତାବ ଅତ୍ୟନ୍ତ ସ୍ବାଗତଯୋଗ୍ୟ ମନେ ହୋଇଥାଏ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କିଭଳି ଏକ ଅତ୍ୟନ୍ତ ଦୁର୍ଲଂଘ୍ୟ ବ୍ୟାପାର ହୋଇପାରେ, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ ଏବଂ ଏକ କ୍ଷୁଦ୍ର ଆଲୋଚନା ଲୋଡ଼ିଥାଏ।
ବିଶ୍ବ ଉତ୍ତପ୍ତୀକରଣ ହେତୁ ମେରୁ ଅଞ୍ଚଳର ବରଫ ତରଳି ସମୁଦ୍ର ପତ୍ତନରେ ଘଟାଉଥିବା ବୃଦ୍ଧି କାରଣରୁ ଅନେକ ମନୋରମ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ-ରାଷ୍ଟ୍ର ଏ ଶତାବ୍ଦୀର ଅନ୍ତ ସୁଦ୍ଧା ସମୁଦ୍ର ଗର୍ଭସାତ୍ ହୋଇଯିବେ ବୋଲି ଶୁଭୁଥିବା କରୁଣ ଭବିଷ୍ୟବାଣୀ ପରିପ୍ରେକ୍ଷୀରେ ଏହି ରାଷ୍ଟ୍ର-କଣିକା ତ୍ରୟଙ୍କ ପକ୍ଷରୁ ସର୍ବାଧିକ ପ୍ରଦୂଷଣକାରୀ ଭାବେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକା ବା ଚୀନ ବା ରୁଷିଆ କିମ୍ବା ଭାରତ ଅଥବା ଶିଳ୍ପୋନ୍ନତ ୟୁରୋପୀୟ ସଂଘ ଭଳି ବିଶାଳ ପର୍ବତମାନଙ୍କ ବିରୋଧରେ ପରୋକ୍ଷ ସ୍ବର ଉତ୍ତୋଳନ ସେମାନଙ୍କ ସକାଶେ ‘କର ବା ମର’ ଭଳି ଏକ ସ୍ଥିତି ଉପସ୍ଥିତ ହୋଇଥିବାର ସୂଚନା ଦେଇଥାଏ। କିନ୍ତୁ ବିଡ଼ମ୍ବନା ହେଲା, ପ୍ରଦୂଷଣକାରୀ ବିଶାଳ ରାଷ୍ଟ୍ରଗଣ ଏଭଳି କ୍ଷୁଦ୍ର ରାଷ୍ଟ୍ରଙ୍କ ଚିନ୍ତାକୁ ବିଶେଷ ମହତ୍ତ୍ବ ପ୍ରଦାନ କରି ନ ଥାଆନ୍ତି। ‘ଦ ଗାର୍ଡିଆନ୍’ ସମ୍ବାଦପତ୍ରରେ କୁହାଯାଇଛି କିଭଳି ବାୟୁମଣ୍ଡଳରେ ‘ମିଥେନ୍’ ନିର୍ଗମନ ସ୍ତରରେ ଦଶ ବର୍ଷରେ ୩୦ ପ୍ରତିଶତ ହ୍ରାସ ଘଟାଇବା ଲାଗି ୨୦୧୧ ମସିହାରେ ନିଆଯାଇଥିବା ବଜ୍ର ଶପଥ ବିଫଳ ହୋଇଛି ଏବଂ ପ୍ରତ୍ୟେକ ବର୍ଷ ତାହା ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇବାରେ ଲାଗିଛି; ଜୀବାଶ୍ମ ଇନ୍ଧନର ଦହନ ବା ଗୋପାଳନ ଭଳି ମାତ୍ରାଧିକ ମିଥେନ୍ ଉତ୍ସର୍ଜନକାରୀ କାର୍ଯ୍ୟକଳାପରେ ହ୍ରାସ ଘଟିବା ପରିବର୍ତ୍ତେ ବୃଦ୍ଧି ଘଟି ଚାଲିଛି। ଅର୍ଥାତ୍ ପରିବେଶ ପ୍ରଦୂଷଣ ନେଇ ଶୁଣିବାକୁ ମିଳୁଥିବା ଭାବଗମ୍ଭୀର ଘୋଷଣାମାନ କୌଣସି ନାଟକରେ ଅଭିନେତାଙ୍କ ସଂଳାପତୁଲ୍ୟ ହୋଇଥାଏ, ଯହିଁରେ ଅଭିନେତାମାନେ ମଞ୍ଚରୁ ଓହ୍ଲାଇଯିବା ପରେ ମୁଖ ପ୍ରଲେପ ଧୋଇ ଯେଉଁ ଜୀବନକୁ ବାହୁଡ଼ି ଯାଆନ୍ତି, ତାହାର କୌଣସି ସଂପର୍କ ନାଟକ ବା ତା’ର ସଂଳାପ ସହିତ ନ ଥାଏ! ସୁତରାଂ, ପ୍ରଦୂଷଣ ସୃଷ୍ଟିକାରୀ ରାଷ୍ଟ୍ରଗଣ କିଛି ପ୍ରତୀକାତ୍ମକ ପଦକ୍ଷେପମାନ ନେଇ ପ୍ରାୟତଃ ପୂର୍ବବତ୍ ପ୍ରଦୂଷଣ ସୃଷ୍ଟିରେ ବ୍ୟାପୃତ ରହନ୍ତି। କେବଳ ସେତିକି ନୁହେଁ, ୨୦୦୨ ମସିହାରେ ଗଠିତ ୧୨୪ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ‘ଆଇ.ସି.ସି.’ ଏକ ସମ୍ମାନାସ୍ପଦ ଅନ୍ତର୍ଜାତୀୟ ସ୍ବାୟତ୍ତ ସଂସ୍ଥା ହୋଇଥିଲେ ହେଁ ଜାତିସଂଘର ଏକ ଅଂଶ ହୋଇ ନ ଥିବାରୁ ଏହାର ପ୍ରଭାବ କେବଳ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସୀମିତ, ତେଣୁ ଅନେକାଂଶରେ ଦନ୍ତହୀନ। ଏହାର ଉଦାହରଣ ମିଳିଥାଏ ‘ଆଇ.ସି.ସି.’ ଦ୍ବାରା ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଉପରେ ଜାରି ହୋଇଥିବା ଗିରଫ ପରୁଆନା ବସ୍ତୁତଃ ନିରର୍ଥକ ସାବ୍ୟସ୍ତ ହେବାରେ; କାରଣ ‘ଆଇ.ସି.ସି’ର କୌଣସି ସଦସ୍ୟ ରାଷ୍ଟ୍ରରେ ପ୍ରବେଶ ନ କରିବା ପର୍ଯ୍ୟନ୍ତ ପରୁଆନାଟି ଅଚଳ ହୋଇ ରହିବ! ଏବଂ ‘ଆଇ.ସି.ସି.’ର ଆଉ ଏକ ସମସ୍ୟା ହେଲା ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଇସ୍ରାଏଲ୍, ଭାରତ ଓ ରୁଷିଆ ଭଳି ଦେଶଗୁଡ଼ିକ ‘ଆଇ.ସି.ସି.’ର ସଦସ୍ୟ ନୁହନ୍ତି। ତେଣୁ ‘ଇକୋସାଇଡ୍’ ଏକ ଦଣ୍ଡନୀୟ ଅନ୍ତର୍ଜାତୀୟ ଅପରାଧ ରୂପେ ସ୍ବୀକୃତି ପାଇବା ଏକ ସହଜସାଧ୍ୟ ବ୍ୟାପାର ହୋଇ ନ ପାରେ! ତେବେ ସୁଖର ବିଷୟ ବ୍ରାଜିଲ, ରୁଷିଆ, ୟୁକ୍ରେନ, ଫ୍ରାନ୍ସ, ଇଟାଲୀ ଭଳି କେତେକ ରାଷ୍ଟ୍ର ‘ଇକୋସାଇଡ୍’କୁ ନିଜ ଦେଶରେ ଦଣ୍ଡନୀୟ ଅପରାଧର ମାନ୍ୟତା ପ୍ରଦାନ କରିଛନ୍ତି। ସଦ୍ୟ ବେଲ୍ଜିଅମ ମଧ୍ୟ ଏଥିରେ ଯୋଡ଼ି ହୋଇଛି, ଯେଉଁଠି ‘ଇକୋସାଇଡ୍’ ଲାଗି ୨୦ ବର୍ଷର କାରାଦଣ୍ଡ ବା ୧.୬ ନିୟୁତ ୟୁରୋ ଜରିମାନାର ବ୍ୟବସ୍ଥା କରାଯାଇଛି; ଯାହା ପରିବେଶକୁ କ୍ଷତି ପହଞ୍ଚାଉଥିବା ଉଦ୍ୟୋଗ ବା ଯୋଜନା ପ୍ରସ୍ତୁତକାରୀ ନୀତି ନିର୍ଦ୍ଧାରକମାନଙ୍କୁ ପରିବେଶ ସମ୍ବନ୍ଧରେ ଉତ୍ତରଦାୟିତ୍ବସଂପନ୍ନ କରିବ। ସୁତରାଂ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଅଧିକରୁ ଅଧିକ ଦେଶରେ ‘ଇକୋସାଇଡ୍’ ଦଣ୍ଡନୀୟ ଅପରାଧର ମାନ୍ୟତା ପାଇଲେ, ତାହା ମଧ୍ୟ ଆଶ୍ବାସନାପ୍ରଦାୟକ ହେବ!
ପ୍ରକାଶ ଥାଉ କି ୟୁକ୍ରେନର ଜାପୋରିଜିଆ ଆଣବିକ ପ୍ରକଳ୍ପ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ ହେତୁ ସୃଷ୍ଟ ଆଣବିକ ବିକିରଣର ବିପଦ ‘ଇକୋସାଇଡ୍’ ପରିସରଭୁକ୍ତ। ସେମିତି ‘ଗ୍ରେଟ୍ ପାସିଫିକ୍ ଗାର୍ବେଜ୍ ପ୍ୟାଚ୍’ ଭାବେ ପରିଚିତ କାଲିଫର୍ନିଆରୁ ହାୱାଇ ମଧ୍ୟରେ ପ୍ରଶାନ୍ତ ମହାସାଗରରେ ଭାସମାନ ୮୦୦୦ ମେଟ୍ରିକ୍ ଟନ୍ ଓଜନ ବିଶିଷ୍ଟ ପ୍ଲାଷ୍ଟିକ୍ ଆବର୍ଜନାର ପାହାଡ଼ ହେଉ କି ‘ଗ୍ରେଟ୍ ବ୍ୟାରିଅର୍ ରିଫ୍’ ବା ‘ବୃହତ୍ ପ୍ରବାଳ ପ୍ରଚୀର’ର ୮୦ ପ୍ରତିଶତ ଅଂଶରେ ପ୍ରବାଳ ଉପରୁ ସହଜାତ ଶୈବାଳ ନଷ୍ଟ ହୋଇ ତା’ର ଧବଳ ଅଂଶ ପଦାକୁ ଦୃଶ୍ୟମାନ ହେବା ଭଳି ଘଟଣା ହେଉ (ସମୁଦ୍ର ଜଳର ଉଷ୍ମତା ବୃଦ୍ଧି ଏହାର କାରଣ); ଏ ସବୁ ମଧ୍ୟ ‘ଇକୋସାଇଡ୍’ର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। କିନ୍ତୁ ଦୁଃଖର ବିଷୟ, ଏହି ସବୁ କାରଣରୁ ବିପୁଳ ପାରିବେଶିକ କ୍ଷତି ହେଉଥିଲେ ହେଁ କାହାକୁ ଏଥି ଲାଗି ଉତ୍ତରଦାୟୀ କରାଯାଇ ପାରି ନ ଥାଏ।
ଏ ସବୁକୁ ପ୍ରତିହତ କରିବାର ଆବଶ୍ୟକତା ନେଇ ସମସ୍ତେ ଏକମତ ହୁଅନ୍ତି ସତ, କିନ୍ତୁ ଯେଉଁ ଉପଭୋଗକୈନ୍ଦ୍ରିକ ଜୀବନଯାପନରୁ ଏଭଳି ପରିସ୍ଥିତିର ସୃଷ୍ଟି, ତାହାର ମୋହରୁ ମୁକ୍ତ ହୋଇପାରନ୍ତି ନାହିଁ। ଏହା ହିଁ ବିଡ଼ମ୍ବନା!
ପ୍ରକାଶ ଥାଉ କି ୧୯୬୧ରୁ ୧୯୭୧ ମସିହା ମଧ୍ୟରେ, ଭିଏତନାମ ଯୁଦ୍ଧ କାଳରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆକାଶ ମାର୍ଗରୁ ୨୦ ନିୟୁତ ଗ୍ୟାଲନ୍ ‘ଅରେଞ୍ଜ ଏଜେଣ୍ଟ’ ସିଞ୍ଚନ କରି ଦିଆଯାଇଥିଲା, ଯାହା ପଛରେ ଏହି ନିର୍ବୋଧ ଯୁକ୍ତି ଥିଲା ଯେ ‘ଡାୟୋକ୍ସିନ୍’ ନାମକ କମଳା ରଙ୍ଗର ଏହି ଅତ୍ୟନ୍ତ ବିଷାକ୍ତ ବାଳୁଙ୍ଗା ନାଶକ ଦ୍ବାରା ଗଛଲଟା, ଜଙ୍ଗଲ ଓ ଫସଲ ଧ୍ବଂସ କରି ଦିଆଗଲେ ଭିଏତନାମୀ ସୈନିକମାନେ ଆତ୍ମଗୋପନ କରିବା ଲାଗି ଅଗତ୍ୟା କୌଣସି ଆଢୁଆଳ ପାଇବେ ନାହିଁ। କହିବା ଅନାବଶ୍ୟକ ଯେ ଏହା ଦ୍ବାରା ଏକ ସୁବିସ୍ତୃତ ଅଞ୍ଚଳର ସବୁଜିମା ସଂପୂର୍ଣ୍ଣ ଦଗ୍ଧୀଭୂତ ହୋଇଯାଇଥିଲା, ଯାହାର ପ୍ରଭାବ ଆଗାମୀ କେଇ ଦଶକ ଯାଏ ଅନୁଭୂତ ହୋଇଥିଲା। ଏଥିରେ ବ୍ୟଥିତ ପ୍ରସିଦ୍ଧ ଜୀବ ବିଜ୍ଞାନୀ ଆର୍ଥର୍ ଗାଲ୍ଷ୍ଟନ୍ଙ୍କ ଦ୍ବାରା ‘ଇକୋସାଇଡ୍’ ଭଳି ଅଭିବ୍ୟକ୍ତିର ଆବିର୍ଭାବ ଘଟିଥିଲା। ସଂପ୍ରତି ଜଳବାୟୁ ପରିବର୍ତ୍ତନର ଭୟାବହତା ଆମ ସମସ୍ତଙ୍କ ଚର୍ମ ଭେଦ କରି ସାରିଥିଲେ ସୁଦ୍ଧା ସତେ ଯେମିତି ଆମ ଚୈତନ୍ୟ ଉଦୟ ହୋଇନାହିଁ; କାରଣ ବିଭିନ୍ନ ରୂପରେ ‘ଇକୋସାଇଡ୍’ ବଳବତ୍ତର ରହିଛି। ଏହି କାରଣରୁ ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଏବଂ କ୍ଷୁଦ୍ର ଦ୍ବୀପଗୁଡ଼ିକ ଅତଳ ସମୁଦ୍ରରେ ଲୀନ ହେବାର ଦ୍ବାରଦେଶରେ ଉପନୀତ ହୋଇଥିବା ବେଳେ ଉପଭୋଗ-କୈନ୍ଦ୍ରିକ ଓ ପରିବେଶ-ପ୍ରତିକୂଳ ଜୀବନଯାପନରେ ନିମଜ୍ଜିତ ବିକଶିତ ଓ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକର ସେଥି ପ୍ରତି ନିଘା ନାହିଁ; ଯେମିତି ପୁଷ୍କରିଣୀ ହୁଡ଼ାରେ ଘର କରିଥିବା ମାଛରଙ୍କାର ବିଳରେ ଉଛୁଳା ଜଳ ପ୍ରବେଶ କରି ତା’ର ସର୍ବନାଶ ଘଟାଉଥିବା ବେଳେ ଜଳକ୍ରୀଡ଼ାରେ ପ୍ରମତ୍ତ ହସ୍ତୀମାନଙ୍କର ସେଥି ପ୍ରତି ଧ୍ୟାନ ନ ଥାଏ!