ପିଲାଟି ଦିନୁ ଆଜି ଯାଏ କଥା କହୁଛି। କି ଦୁର୍ଭାଗ୍ୟ ଆମର? ଯେଉଁ ଡାଳକୁ ଧରି ଓହଳିବାକୁ ଚେଷ୍ଟା କରୁଛୁ ସେହି ଡାଳ ଛିଣ୍ଡି ପଡୁଛି। ଆମେ ଯେତେବେଳେ ଛୋଟ ଛୋଟ ପିଲା ଥିଲୁ ସେତେବେଳେ ଗାଁ ଗହଳରେ ହାତରେ ଗୋଟେ ଗୋଟେ କଂଗ୍ରେସ ପତାକା ଧରି ସ୍ଲୋଗାନ ଦେଇ କହୁଥିଲୁ “ଯୋଡ଼ି ବଳଦରେ ଭୋଟ ଦିଅ, ପଖାଳ ଭାତରେ ଖାଇବ ଘିଅ।” ପଖାଳ ଭାତରେ ଘିଅ କ’ଣ ଆମେ ଜାଣି ନଥିଲୁ। ବୋଧହୁଏ, ପଖାଳ ଭାତରେ ଘିଅ ଖାଇବା ଗୋଟେ ବଢ଼ିଆ କଥା ହୋଇଥିବ ଭାବି ଆମେ ସମସ୍ତେ ସେତେବେଳେ କଂଗ୍ରେସର ନିର୍ବାଚନ ଚିହ୍ନ ଯୋଡ଼ି ବଳଦରେ ଭୋଟ ଦେବାକୁ କହୁଥିଲୁ। ପଣ୍ଡିତ ଜବାହରଲାଲ ନେହରୁ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କଠୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଗରିବି ହଟାଓ କଥାରେ ବିଶ୍ୱାସ କରି ଆମେ ସମସ୍ତେ କଂଗ୍ରେସ ଗଛର ଏହି ଡାଳକୁ ଧରିକି ରହିଥିଲୁ। ଗରିବି ତ ହଟିଲା ନାହିଁ; ଆଉ ପଖାଳ ଭାତରେ ଘିଅ ଖାଇବା ତ ଦୂରର କଥା, ଦହି ଟିକେ ବି ଖାଇବାକୁ ମିଳିଲା ନାହିଁ। ଦିନକୁ ଦିନ ଏହି ଗଛ ଦୁର୍ବଳ ହେବାରେ ଲାଗିଲା ଓ ଶେଷକୁ ଯେତେବେଳେ ଊଣେଇଶହ ସତୁରି ଦଶକରେ ଇନ୍ଦିରା ଗାନ୍ଧୀଙ୍କ ରାଜୁତି ସମୟରେ ସମଗ୍ର ଭାରତବର୍ଷରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଗଲା, ସେତିକିବେଳେ ଆମର ସବୁ ଆଶା ଓ ବିଶ୍ୱାସର ଏହି ଡାଳଟି କଡ଼ କଡ଼ ହୋଇ ଭାଙ୍ଗିବାକୁ ଲାଗିଲା।
ତେଣିକି ଆମେ କରିବୁ କ’ଣ? ଯେତେବେଳେ ଏଇଟା କଡ଼ କଡ଼ ହୋଇ ଭାଙ୍ଗିବାକୁ ଆରମ୍ଭ କଲା, ଠିକ୍ ସେତିକି ବେଳକୁ ଆମକୁ ଆଉ ଗୋଟେ ଗଛର ମଜଭୁତ ଡାଳ ଦୂରରୁ ଦୃଶ୍ୟମାନ ହେଲା। ଏହି ଡାଳଟି ଥିଲା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ ଆନ୍ଦୋଳନର ‘ସଂପୂର୍ଣ୍ଣ କ୍ରାନ୍ତି ଜାଗରଣ’ ଯାହା ସମଗ୍ର ଭାରତବର୍ଷରୁ ଦୁର୍ନୀତିଗ୍ରସ୍ତ କଂଗ୍ରେସକୁ ମୂଳରୁ ଉପାଡ଼ି ଫୋପାଡ଼ି ଦେବା ପାଇଁ ସମର୍ଥ ହୋଇଥିଲା। ପାଟଣା ସହରର ଗାନ୍ଧୀ ମୈଦାନରେ ଜୟପ୍ରକାଶ ନାରାୟଣ ସମଗ୍ର ଭାରତବର୍ଷରେ ସଂପୂର୍ଣ୍ଣ କ୍ରାନ୍ତିର ଡାକରା ଦେଲେ। ସମଗ୍ର ଭାରତବର୍ଷର ଜନସାଧାରଣ ଜାତି, ଧର୍ମ, ବର୍ଣ୍ଣ ଓ ଭେଦଭାବ ଛାଡ଼ି ଏହି ସଂପୂର୍ଣ୍ଣ କ୍ରାନ୍ତି ଅଭିଯାନରେ ଯୋଗ ଦେଲେ। ସର୍ବଶ୍ରୀ ଲାଲୁ ପ୍ରସାଦ ଯାଦବ, ନୀତୀଶ କୁମାର ଓ ରାମବିଳାସ ପାସୱାନ ଓଗେର ବିଶିଷ୍ଟ ଯୁବନେତାବୃନ୍ଦ ଦେଶର ନେତୃତ୍ୱ ନେଲେ ଓ ଏହି ଅଭିଯାନରେ ସଫଳ ହୋଇ ପ୍ରଥମଥର ପାଇଁ କଂଗ୍ରେସର ପୁରୁଣା ଗଛକୁ ଡାଳ ସମେତ ଉପାଡ଼ି ଫୋପାଡ଼ି ଦେଲେ।
ସଂପୂର୍ଣ୍ଣ କ୍ରାନ୍ତିର ଏହି ନୂଆ ଗଛଟି ଏତେ ସୁଦୃଶ୍ୟ ହୋଇଥିଲା ଯେ ଆମ୍ଭେମାନେ ତୁରନ୍ତ ଏହାକୁ ଆଶ୍ରା କରି ଏହାର ଡାଳରେ ଝୁଲି ରହିଲୁ, କିନ୍ତୁ ଶେଷକୁ ଏହି ଡାଳଟି ବି ଆମକୁ ଧୋକା ଦେବାକୁ ଆରମ୍ଭ କଲା। ଯେଉଁମାନେ ଏହି ଡାଳଟିକୁ ଉପରୁ ଟାଣି ଧରିଥିଲେ ସେମାନେ ତାଙ୍କ ଭିତରେ ଏମିତି ବାଡ଼ିଆପିଟା ଲାଗିଲେ ଯେ ଡାଳଟି ପୁଣି କଡ଼ କଡ଼ ହେବା ଆରମ୍ଭ କରିଦେଲା। ଏହି ବାଡ଼ିଆପିଟା ଓ କଳିକଜିଆ ଭିତରେ ଡାଳଟି ଯେତେବେଳେ ଭାଙ୍ଗିବାକୁ ଲାଗିଲା, ସେତେବେଳକୁ ଆମର ଆର୍ତ୍ତନାଦ ଶୁଣି ଆଉ ଜଣେ ‘ମସିହା’ ଆବିର୍ଭାବ ହେଲେ ଓ ଏହି ଡାଳଟିକୁ ସେ ଏକା ଏକା ଭିଡ଼ି ରଖିବାର ପ୍ରତିଶ୍ରୁତି ଦେଲେ। ସେ ହେଉଛନ୍ତି ରାଜା ବିଶ୍ୱନାଥ ପ୍ରତାପ ସିଂହ, ଯିଏ କି ସମଗ୍ର ଭାରତବର୍ଷରେ ଜଣେ ‘ମସିହା’ ରୂପରେ ଆବିର୍ଭାବ ହୋଇ ଆମ ସମସ୍ତଙ୍କ ମନ ଓ ହୃଦୟକୁ କିଣି ନେଇଥିଲେ। ଦିନା କେଇଟା ପରେ କ’ଣ ହେଲା କେଜାଣି ଯେଉଁ ଜାତି ବର୍ଣ୍ଣ ପ୍ରଥାକୁ ବିରୋଧ କରି ସଂପୂର୍ଣ୍ଣ କ୍ରାନ୍ତିର ମୂଳଦୂଆ ପଡ଼ିଥିଲା, ଶେଷକୁ ତାହାରି ନିଆଁରେ ସମଗ୍ର ଭାରତବର୍ଷ ଜଳି ଉଠିଲା ଓ ଆମକୁ ଆଶ୍ରା ଦେଇଥିବା ଏହି ଗଛଟି ଡାଳ ସମେତ ପୋଡ଼ି ହୋଇ କଙ୍କାଳ ହୋଇଗଲା।
ଯେନତେନ ପ୍ରକାରେଣ ସେହି ପୋଡ଼ା ଡାଳଟିରେ ଆମେ ଓହଳିକି ଥାଉ। ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଆମକୁ ଆଉ ଗୋଟେ ମଜଭୁତ ଗଛ ଓ ଡାଳ ସବୁ ନଜରକୁ ଆସିଲା। ଏହି ଗଛ ଉପରେ ବସିଥାନ୍ତି ଆନ୍ନା ହଜାରେ ମହାଶୟ ଓ ଏହାର ଡାଳଗୁଡ଼ିକୁ ଭିଡ଼ି ରଖିଥାନ୍ତି ସ୍ୱାମୀ ରାମଦେବ, ଅରବିନ୍ଦ କେଜ୍ରିୱାଲ, ପ୍ରଶାନ୍ତ କିଶୋର ଓ କିରଣ ବେଦୀ ଆଦି ବ୍ୟକ୍ତିବୃନ୍ଦ, ଯାହାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ସେହି ଡାଳକୁ ଧରି ପୁଣି ଝୁଲି ପଡ଼ିଲୁ। ମୁଣ୍ଡରେ ଗୋଟେ ଗୋଟେ ଧଳା ଟୋପି ପିନ୍ଧି ପୂରା ସହର ପରିକ୍ରମା କଲୁ ଓ ପ୍ରତି ଛକମାନଙ୍କରେ ଲମ୍ବା ଲମ୍ବା ଧଳା ବୋର୍ଡ ମାରି ଦସ୍ତଖତ କରିବାରେ ଲାଗିଲୁ। ସମଗ୍ର ଭାରତବର୍ଷରେ ଏକ ବିଶାଳ ଜନ ଆନ୍ଦୋଳନ ମୁଣ୍ଡ ଟେକିଲା, କିନ୍ତୁ ପରେ ହେଲା କ’ଣ? ରାମଦେବ ବାବା କୋଟିପତି ହୋଇଗଲେ, ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇଗଲେ, କିରଣ ବେଦି ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ହୋଇଗଲେ, ଆଉ ଆମ ଅବସ୍ଥା ଯଥା ପୂର୍ବମ୍ ତଥା ପରମ୍। ଆନ୍ନା ହଜାରେ ଶେଷକୁ ହତାଶ ହୋଇ ତକିଆ ଉପରେ ମୁଣ୍ଡ ରଖି ଶୋଇ ପଡ଼ିଲେ, ଆଉ ଆମେ ଯେଉଁ ଡାଳକୁ ମଜଭୁତ ଭାବି ଜାବୁଡ଼ିକି ରଖିଥିଲୁ ସେଇଥିରୁ ପୁନଶ୍ଚ ତଳକୁ ଓହଳିକି ରହିଲୁ।
ଏଣିକି ଆଉ କୌଣସି ଗଛର ଡାଳ ଉପରେ ଆସ୍ଥା ତୁଟିଯିବା ପୂର୍ବରୁ ଆମକୁ ପଶ୍ଚିମ ଭାରତ ଗୁଜରାଟରୁ ଏକ ଅଭୂତପୂର୍ବ ଡାକରା ଶୁଣାଗଲା “ଡର ନାହିଁ, ମୁଁ ହେଉଛି ନରେନ୍ଦ୍ର ଦାମୋଦରଦାସ ମୋଦୀ। ଯେଉଁଠି ମୁଁ ଅଛି ସେଇଠି ସବୁ ସମ୍ଭବ। ମୁଁ ଖାଇବି ନାହିଁ କି ଖାଇବାକୁ ଦେବି ନାହିଁ। ମୁଁ ତୁମର ଚୌକିଦାର, ମୋତେ ବିଶ୍ୱାସ କର। ମୁଁ ସବୁ ଦୁର୍ନୀତିକୁ ଦୂର କରିଦେବି, ଆଉ ଯେତିକି ଦୁର୍ନୀତିର ଅର୍ଥ ସୁଇସ ବ୍ୟାଙ୍କରେ ଜମା ହୋଇକି ରହିଛି ତାହା ଫେରେଇ ଆଣି ଜଣକୁ ପନ୍ଦର ଲକ୍ଷ ଟଙ୍କା ଲେଖାଁଏ ତୁମ ସମସ୍ତଙ୍କୁ ବାଣ୍ଟିଦେବି। ତୁମର ହାତଟିକୁ ମୋ ଗଛର ଡାଳ ଉପରେ ରଖିବାକୁ ଦିଅ। ମୁଁ ଏହି ଡାଳଟିକୁ କସ୍ମିନ୍‌ କାଳେ ଭାଙ୍ଗିବାକୁ ଦେବି ନାହିଁ।”
ବନ୍ଧୁଗଣ, ଆଜିକୁ ନଅବର୍ଷ ହେଲା ଆମେ ଏହି ଡାଳରେ ଝୁଲିକି ରହିଛୁ। ପନ୍ଦର ଲକ୍ଷ ତ ଦୂରର କଥା ପନ୍ଦରଟା ଟଙ୍କା ମଧ୍ୟ ମିଳିଲା ନାହିଁ, କିନ୍ତୁ କରିବୁ କ’ଣ? ଆମକୁ ଆଖପାଖରେ ଆଉ କିଛି ମଜଭୁତ ଗଛ କି ଡାଳ ଦିଶୁନାହିଁ। ଅବଶ୍ୟ ଏଇ କେତେ ଦିନ ହେଲାଣି ଗୋଟେ ବଡ଼ ନୂଆ ଗଛଟିଏ ଦିଶୁଛି। ଏହି ଗଛରେ ଅନେକ ଛୋଟ ମୋଟ ଡାଳ ସବୁ ଅଛି। ସେଗୁଡ଼ିକ କିନ୍ତୁ ଏମିତି ଛନ୍ଦା ଛନ୍ଦି ହୋଇ ରହିଛନ୍ତି ଯେ ଆମକୁ ସେଥିରେ ଓହଳିବାକୁ ଡର ମାଡୁଛି ଆଉ ଏତେ ଥର ଆମେ ଏହିପରି ଡାଳରୁ ପଡ଼ି ଖଣ୍ଡିଆ ଖାବରା ହୋଇସାରିଛୁ ଯେ ଆମକୁ ବର୍ତ୍ତମାନ ଦଉଡ଼ି ଦେଖିଲେ ମଧ୍ୟ ସାପ ଦେଖିଲା ଭଳି ଲାଗୁଛି। ଦେଖାଯାଉ ଆର ବର୍ଷକୁ କ’ଣ ହେଉଛି?
ମୋ: ୯୪୩୭୦୬୭୫୬୭