ସୁସମ୍ବାଦଟିଏ ହେଲା ଇତିମଧ୍ୟରେ ‘ମୁଖ୍ୟସ୍ରୋତୀୟ’ ବୋଲି ଉଚ୍ଚାଟିତ ହେଉଥିବା କେତେକ ଖାଦ୍ୟ, ଯେମିତି କି ଗହମ ତହିଁରେ ଥିବା ହାନିକାରକ ଗ୍ଲ୍ୟୁଟନ୍‌ କାରଣରୁ କେତେକଙ୍କ ଖାଦ୍ୟ ଥାଳିରୁ ଅପସାରିତ ହେବାରେ ଲାଗିଲେଣି ଏବଂ ବହୁ କାଳରୁ ଅଖାଦ୍ୟ ଭାବେ ସଂଭ୍ରାନ୍ତଙ୍କ ନାସିକା କୁଂଚନର ଶିକାର ହୋଇ ସୀମାନ୍ତରିତ ଭାବେ ପଡ଼ିରହିଥିବା ମାଣ୍ଡିଆ ଏବେ ସେମାନଙ୍କ ପ୍ରିୟ ଖାଦ୍ୟରେ ପରିଣତ ହୋଇଛି। ତେଣୁ, ଖାଦ୍ୟ-ଅଖାଦ୍ୟ ସଂଦର୍ଭରେ ଚର୍ଚ୍ଚା କାଳରେ ଦୃଷ୍ଟି ଓ ବିଚାର ପ୍ରଶସ୍ତ ହେଉ!

Advertisment

ଦିନେ ସଂଜ ବେଳେ କୌଣସି ଏକ ଛକର ଚା’ ଦୋକାନରେ ଗିଲାସରୁ ଶେଷ ଚା’ ବିନ୍ଦୁ ନିଃଶେଷ କରୁଥିବା ଦଳେ ରାଜଧାନୀ ବାସିନ୍ଦା ଯେଉଁ ଅନୌପଚାରିକ ଅଥଚ ଉଚ୍ଚାଟିତ ଆଲୋଚନାରେ ମଗ୍ନ ଥିଲେ, ତାହାର ସାରାଂଶ ଥିଲା ଏହା ଯେ ଆମ ରାଜ୍ୟର ନିଭୃତ ମାଳ ଅଞ୍ଚଳରେ ବାସ କରୁଥିବା କେତେକ ଜନଜାତି ବର୍ଗ ଯାହା ଆହାର କରନ୍ତି, ତାହା ଅଖାଦ୍ୟ, କାରଣ ତାହା ‘ମୁଖ୍ୟସ୍ରୋତୀୟ’ ଖାଦ୍ୟ ନୁହେଁ ଏବଂ ସେହି କାରଣରୁ ରୋଗ ଓ ପ୍ରାଣହାନି ଘଟିଥାଏ। କହିବା ଅନାବଶ୍ୟକ ଯେ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇବା କାରଣରୁ ଘଟିଥିବା ମୃତ୍ୟୁ ଥିଲା ଉପରୋକ୍ତ ଆଲୋଚନାର ପୃଷ୍ଠଭୂମି। ସେମାନଙ୍କ ମତ ଥିଲା ଯେ ଦାରିଦ୍ର୍ୟ ଓ ଅନାହାର-କ୍ଳିଷ୍ଟ ଆଦିବାସୀମାନେ ‘ମୁଖ୍ୟସ୍ରୋତୀୟ’ ଖାଦ୍ୟ ଯେମିତି କି ଚାଉଳ ବା ଗହମ ଇତ୍ୟାଦି ନ ପାଇ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୁଅନ୍ତି, ଯାହା ଏଭଳି ଅଘଟଣର କାରଣ। ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆମ ରାଜ୍ୟର ଆଦିବାସୀମାନେ ଦାରିଦ୍ର୍ୟ, ବୁଭୁକ୍ଷା ଓ କୁପୋଷଣର ଶିକାର; କିନ୍ତୁ ଉପରୋକ୍ତ ଚା’ ଆସର ଚର୍ଚ୍ଚା ପରିପ୍ରେକ୍ଷୀରେ ଯେଉଁ ପ୍ରଶ୍ନ ଏକ ଯଥାର୍ଥ ଉତ୍ତର ଲୋଡ଼ି ଥାଏ, ତାହା ହେଲା ‘ମୁଖ୍ୟସ୍ରୋତୀୟ ଖାଦ୍ୟ’ ବୋଲି ଏମିତି କିଛି ଅଛି କି? ଦ୍ବିତୀୟରେ ‘ଅଖାଦ୍ୟ’ ବୋଇଲେ କ’ଣ?
ଏହା ସୁବିଦିତ ଯେ ଚୀନ, ଫିଲିପାଇନ୍‌ସ, ମାଲେସିଆ ଓ ଭିଏତ୍‌ନାମ ଭଳି ଦେଶରେ ବସବାସ କରୁଥିବା ପୃଥିବୀ ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ଲୋକେ ଯାହା ଅତି ସାଧାରଣ ଭାବେ ଦୈନନ୍ଦିନ ଆହାର ରୂପେ ଭକ୍ଷଣ କରନ୍ତି, ତାହା ଆମ ଭଳି ଅସଂଖ୍ୟଙ୍କ ସକାଶେ ଲୋମ ଟାଙ୍କୁରି ଉଠିଲା ଭଳି ଘୃଣ୍ୟ ଅଖାଦ୍ୟ; କାରଣ ତହିଁରେ ଯାବତୀୟ କୀଟପତଙ୍ଗ, ସରୀସୃପ, ଭ୍ରୂଣଯୁକ୍ତ ଅଣ୍ଡା, ପକ୍ଷୀବସା ଇତ୍ୟାଦି ଅନ୍ତର୍ଭୁକ୍ତ! ସେମାନଙ୍କ କେତେକ ଆହାରର ପ୍ରସ୍ତୁତି ଓ ଖାଇବାର ପଦ୍ଧତି ମଧ୍ୟ ନିହାତି ଅପରିଚ୍ଛନ୍ନ, ନିଷ୍ଠୁର ଓ ବିକାର ସୃଷ୍ଟିକାରୀ। ନୃତତ୍ତ୍ବବିତ୍‌ମାନେ କହିଥାଆନ୍ତି ଯେ ଚୀନାମାନେ ସର୍ବାହାରୀ ହେବା ପଛରେ ଥିବା କାରଣଟି ହେଉଛି ସେହି ଦେଶକୁ ଆକ୍ରାନ୍ତ କରୁଥିବା ଅନେକ ଭୟାବହ ଦୁର୍ଭିକ୍ଷ, ଯହିଁରେ ସବୁ କିଛି ସେମାନଙ୍କ ଲାଗି ଆହାରଯୋଗ୍ୟ ହୋଇ ଯାଇଥିଲା। ପ୍ରକାଶ ଥାଉ କି କୌଣସି ଅଞ୍ଚଳର ଭୌଗୋଳିକ ଅବସ୍ଥିତି, ଜଳବାୟୁ, ପ୍ରାଣୀ ଓ ଉଦ୍ଭିଦ ଜଗତ, ଉତ୍ପନ୍ନ ହେଉଥିବା ଫସଲ, ଜୀବନଯାପନର ଧାରା ଇତ୍ୟାଦି ସେଠାକାର ଖାଦ୍ୟ ଓ ଖାଦ୍ୟାଭ୍ୟାସକୁ ନିର୍ଦ୍ଧାରଣ କରିଥାଏ ଏବଂ ସେହି କାରଣରୁ ପ୍ରତ୍ୟେକ ଅଞ୍ଚଳର ଖାଦ୍ୟ ଓ ଖାଦ୍ୟାଭ୍ୟାସ ସେହି ଅଞ୍ଚଳ ବା ସେଠାକାର ଜନସମାଜ ଲାଗି ଏକ ପରିଚୟରେ ମଧ୍ୟ ପରିଣତ ହୋଇଥାଏ। ତେଣୁ ଏକ ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟ ଓ ଖାଦ୍ୟ-ସଂସ୍କୃତିକୁ ‘ମୁଖ୍ୟସ୍ରୋତୀୟ’ ବୋଲି ବିଚାର କରିବା ମୂଳରୁ ବିଭ୍ରାନ୍ତିକର; ଯଦିଓ ପାଶ୍ଚାତ୍ୟ ଶ୍ବେତାଙ୍ଗ ରାଷ୍ଟ୍ରଗୁଡ଼ିକ ଅର୍ଧାଧିକ ବିଶ୍ବକୁ ଉପନିବେଶ କବଳିତ କରି ସେମାନଙ୍କ ପସନ୍ଦଯୋଗ୍ୟ ଖାଦ୍ୟକୁ ‘ମୁଖ୍ୟସ୍ରୋତୀୟ’ ବୋଲି ଧାରଣା ଓ ବ୍ୟାଖ୍ୟାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି, ଯହିଁରେ ଅନେକ ପାରଂପରିକ ସ୍ଥାନୀୟ ଖାଦ୍ୟ ଓ ଖାଦ୍ୟାଭ୍ୟାସ ସୀମାନ୍ତରିତ ବା ଅବଦମିତ ବା ନିଶ୍ଚିହ୍ନ ହୋଇଯାଇଛନ୍ତି।
ଏହି ପରିପ୍ରେକ୍ଷୀରେ ୨୦୧୩ ମସିହାରେ ଜାତିସଂଘର ‘ଖାଦ୍ୟ ଓ କୃଷି ସଂଗଠନ’ ବା ‘ଏଫ.ଏ.ଓ.’ (ଫୁଡ୍‌ ଏଣ୍ଡ ଏଗ୍ରିକଲ୍‌ଚର୍‌ ଅର୍ଗାନାଇଜେସନ୍‌) ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ସ୍ମରଣକୁ ଆସିଥାଏ, ଯାହା ସେତେବେଳେ ବ୍ୟାପକ ଚର୍ଚ୍ଚା ତଥା ଭ୍ରୂ ଓ ନାସିକା କୁଂଚନର କାରଣ ହୋଇଥିଲା। କାରଣ ପୃଥିବୀକୁ ବୁଭୁକ୍ଷା ଓ ଅପପୁଷ୍ଟି କବଳରୁ ମୁକ୍ତ କରିବା ସକାଶେ ତହିଁରେ କୀଟପତଙ୍ଗ ଆହାରକୁ ପ୍ରାଧାନ୍ୟ ଦେବା ସକାଶେ ପରାମର୍ଶ ଦିଆଯାଇଥିଲା। ପ୍ରସିଦ୍ଧ ପତ୍ରିକା ‘ନେଚର୍‌’ ଦ୍ବାରା ହୋଇଥିବା ଏକ ଅନୁଧ୍ୟାନ ଅନୁସାରେ ପୃଥିବୀର ୨୮ଟି ଦେଶର ଲୋକେ ଦୈନନ୍ଦିନ ୨୨୦୫ ପ୍ରକାର କୀଟ ଆହାର ରୂ‌େପ ଗ୍ରହଣ କରିଥାଆନ୍ତି। ଏହା ଅନୁସାରେ ସର୍ବାଧିକ ପ୍ରକାରର ଆହାରଯୋଗ୍ୟ କୀଟ (୯୩୨ ପ୍ରକାର) ଏସିଆରେ ଉପଲବ୍‌ଧ ଏବଂ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ଆଫ୍ରିକା ଓ ଉତ୍ତର ଆମେରିକା। ଖାଦ୍ୟ ବିଶେଷଜ୍ଞମାନେ କହିଥାଆନ୍ତି ଯେ କୀଟପତଙ୍ଗଗୁଡ଼ିକ ପୁଷ୍ଟିସାର, ସ୍ନେହସାର, ଖଣିଜ ତତ୍ତ୍ବ ଓ ଜୀବନିକା ଦ୍ବାରା ଏଭଳି ଭରପୂର ଯେ ତାହା କୁପୋଷଣ ଦୂର କରିବାରେ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହେବ। କେବଳ ସେତିକି ନୁହେଁ, କୀଟପତଙ୍ଗଗୁଡ଼ିକ ବିପୁଳ ଭାବେ ଉପଲବ୍‌ଧ ଏବଂ ଏଥିରୁ ପ୍ରସ୍ତୁତ ବ୍ୟଂଜନ ମଧ୍ୟ ଖୁବ୍‌ ସ୍ବାଦିଷ୍ଠ ହୋଇପାରେ। କହିବା ବାହୁଲ୍ୟ ଏହି ରିପୋର୍ଟ ଦ୍ବାରା ଅନୁପ୍ରାଣିତ ହୋଇ କେତେକ ଆମେରିକୀୟ ଯୁବକ ଯୁକ୍ତରାଷ୍ଟ୍ର ଆମେରିକାର ‘ଟା‌ଇମ୍‌ସ ସ୍କୋୟା‌ର୍‌’ରେ କୀଟପତଙ୍ଗରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଂଜନ ପରୀକ୍ଷାମୂଳକ ଭାବେ ଆଗ୍ରହୀ ଆମେରିକୀୟମାନଙ୍କୁ ଚଖାଇବାରେ ଲାଗିଲେଣି, ଯେଉଁଠି ଭୋଜନ ଥାଳିରେ ପୋକଟିଏ ପଡ଼ିଗଲେ, ତାହାକୁ ଘୃଣାର ସହିତ ତୁରନ୍ତ ତ୍ୟାଜ୍ୟ କରି ଦିଆଯାଇଥାଏ! ଆମେରିକା ସମେତ ପୃଥିବୀର କେତେକ ସହରରେ ପରୀକ୍ଷାମୂଳକ ଭାବେ ଝିଣ୍ଟିକା ଚାଷ ମଧ୍ୟ ପ୍ରାରମ୍ଭ କରାଗଲାଣି, ଯାହାକୁ ଭବିଷ୍ୟତ୍‌ର ‘ସୁପର୍‌ଫୁଡ୍‌’ ବୋଲି ଆଖ୍ୟା ଦିଆଯାଉଛି। ଆମ ରାଜ୍ୟରେ କେତେକ ଅଞ୍ଚଳରେ ଝଡ଼ି ପୋକ ଓ କାଇକୁ ଆହାର ରୂପେ ଆଗ୍ରହର ସହିତ ଗ୍ରହଣ କରାଯାଇଥାଏ ଏବଂ କାଇ ଚଟଣି ଲାଗି ମୟୂରଭଂଜକୁ ଜି.ଆଇ. ଟ୍ୟାଗ୍‌ ମଧ୍ୟ ମିଳିଛି। ତେଣୁ ପ୍ରକୃତରେ ‘ଅଖାଦ୍ୟ’ ବୋଇଲେ କ’ଣ? ଆମ୍ବ ଟାକୁଆ ପରିପ୍ରେକ୍ଷୀରେ ଖାଦ୍ୟସାର ବିଶାରଦମାନେ କହନ୍ତି ଯେ ଏଥିରେ ଥିବା ପୌଷ୍ଟିକ ତତ୍ତ୍ବ ଆମ୍ବ ଶସରେ ଥିବା ସାର ଠାରୁ ଦେଢ଼ ଗୁଣ ଅଧିକ! 
ବାସ୍ତବତାଟି ହେଲା ଆମ୍ବ ଟାକୁଆ ଜାଉ ସେତେବେଳେ ଅଖାଦ୍ୟ ହୁଏ, ଯେତେବେଳେ ବିଭିନ୍ନ କାରଣରୁ ଶଢ଼ିଯାଇ ତାହା ଖାଦ୍ୟ-ଅଯୋଗ୍ୟ ହୋଇପଡ଼େ, ସମୟେ ସମୟେ ପ୍ରାଣ-ଘାତକ ମଧ୍ୟ ହୋଇଥାଏ। କିନ୍ତୁ ଏ କଥା ସମସ୍ତ ଖାଦ୍ୟ ଓ ପାନୀୟ ସକାଶେ ପ୍ରଯୁଜ୍ୟ, କାରଣ ବିଘଟନ ଦ୍ବାରା ଯେ କୌଣସି ଖାଦ୍ୟ ବିଷାକ୍ତ ‌ହୋଇଯାଇପାରେ। ତେଣୁ ଏଥିରୁ ମୁକ୍ତି ପାଇବା ଲାଗି ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା କୌଣସି ଖାଦ୍ୟକୁ ଦୀର୍ଘ କାଳ ଲାଗି ସାଇତି ରଖିବାର ପଦ୍ଧତି ସମ୍ବନ୍ଧରେ ଉପଯୁକ୍ତ ଜ୍ଞାନ! କହିବାରେ ଦ୍ବିଧା ନାହିଁ ଯେ ରେଫ୍ରିଜରେଟର୍‌ ଭଳି ଯନ୍ତ୍ରର ଅଭାବରେ ଲୋକେ ପାରଂପରିକ ଜ୍ଞାନ ଆଧାରରେ ଯେଉଁଭଳି ଖାଦ୍ୟ ସଂରକ୍ଷଣ କରିଥାଆନ୍ତି, ତାହା ଅନେକ ସମୟରେ ଉପଯୁକ୍ତ ହୋଇ ନ ଥାଏ। ତେଣୁ କୌଣସି ଖାଦ୍ୟକୁ ଅଖାଦ୍ୟରେ ପରିଣତ ହେବାରୁ ରକ୍ଷା କରିବା ଲାଗି ଲୋକଙ୍କୁ ପାରଂପରିକ ଖାଦ୍ୟ ସଂରକ୍ଷଣ ବାବଦରେ ସଚେତନ ଏପରିକି ବିଜ୍ଞ କରାଇବା ଆବଶ୍ୟକ। ଏଥିରେ ମଧ୍ୟ ସନ୍ଦେହ ନାହିଁ ଯେ ସହରର ବଜାରରେ ଉପଲବ୍‌ଧ ବିଭିନ୍ନ ଫାଷ୍ଟ ଫୁଡ୍‌ ଓ ମୃଦୁ ପାନୀୟ ମଧ୍ୟ ଊଣାଅଧିକେ ‘ଅଖାଦ୍ୟ’, କାରଣ ତାହାକୁ ଭକ୍ଷଣ କରି ଆମେ ସ୍ଥିର ଓ ମନ୍ଥର ଭାବେ ରୁଗ୍‌ଣ ହେବାରେ ଲାଗିଛୁ ଏବଂ ଅକାଳ ମୃତ୍ୟୁର ଶିକାର ମଧ୍ୟ ହେଉଛୁ! କିନ୍ତୁ, ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତିର ଉତ୍ତରାଧିକାରୀ ଭାବେ ଆମେ ଏ ସବୁକୁ ‘ଅଖାଦ୍ୟ’ ରୂପେ ତ୍ୟାଜ୍ୟ କରି ପାରିନାହୁଁ! ତେବେ, ସୁସମ୍ବାଦଟିଏ ହେଲା ଇତିମଧ୍ୟରେ ‘ମୁଖ୍ୟସ୍ରୋତୀୟ’ ବୋଲି ଉଚ୍ଚାଟିତ ହେଉଥିବା କେତେକ ଖାଦ୍ୟ, ଯେମିତି କି ଗହମ ତହିଁରେ ଥିବା ହାନିକାରକ ଗ୍ଲ୍ୟୁଟନ୍‌ କାରଣରୁ କେତେକଙ୍କ ଖାଦ୍ୟ ଥାଳିରୁ ଅପସାରିତ ହେବାରେ ଲାଗିଲେଣି ଏବଂ ବହୁ କାଳରୁ ଅଖାଦ୍ୟ ଭାବେ ସଂଭ୍ରାନ୍ତଙ୍କ ନାସିକା କୁଂଚନର ଶିକାର ହୋଇ ସୀମାନ୍ତରିତ ଭାବେ ପଡ଼ିରହିଥିବା ମାଣ୍ଡିଆ ଏବେ ସେମାନଙ୍କ ପ୍ରିୟ ଖାଦ୍ୟରେ ପରିଣତ ହୋଇଛି। ତେଣୁ, ଖାଦ୍ୟ-ଅଖାଦ୍ୟ ସଂଦର୍ଭରେ ଚର୍ଚ୍ଚା କାଳରେ ଦୃଷ୍ଟି ଓ ବିଚାର ପ୍ରଶସ୍ତ ହେଉ!
ଏହି ଆଲୋଚନାର ଶେଷରେ ଏକ ଚଟୁଳ କଥାଟିଏ ମନେ ପଡ଼େ। ତାହା ଏହିଭଳି: ଜଣେ ବିଦେଶୀ ଚୀନ ଗସ୍ତ କାଳରେ ଜନୈକ ଚୀନା ବନ୍ଧୁଙ୍କ ସହିତ ପଦବ୍ରଜରେ ବୁଲୁବୁଲୁ ଚୀନା ଆହାର ସମ୍ବନ୍ଧୀୟ ଧାରଣାରୁ ସୃଷ୍ଟ ଉତ୍କଣ୍ଠାକୁ ଚାପି ନ ପାରି ଯେତେବେଳେ ପଚାରି ଦିଅନ୍ତି- ‘ତୁମେମାନେ ସତରେ କ’ଣ ସବୁ ଖାଅ? ବନ୍ଧୁଙ୍କ ଉତ୍ତର ଆସେ, ‘ଯାହା କିଛି ପୃଥିବୀ ପୃଷ୍ଠରେ ଚଲାବୁଲା କରନ୍ତି, ସବୁ!’ କହିବା ବାହୁଲ୍ୟ, ଏହା ଶୁଣି ବିଦେଶୀ ଜଣକ ତତ୍‌କ୍ଷଣାତ୍‌ ଛିଡ଼ା ହୋଇଯାଇଥିଲେ। କାରଣ ତାହା କରି ହିଁ ସେ ଚୀନାଙ୍କ ଲାଗି ‘ଅଖାଦ୍ୟ’ ହୋଇଗଲେ ବୋଲି ଭାବି ନେଇ ସ୍ବସ୍ତିରେ ନିଃଶ୍ବାସ ମାରିଥିବେ!