ଏକ ତଥ୍ୟାନୁସାରେ ଭାରତରେ ମୋଟର ଗାଡ଼ି ନିର୍ମାଣ ଓ ଚଳାଚଳ କାରଣରୁ ଯେତିକି ପରିମାଣର ବାୟୁ ପ୍ରଦୂଷଣ ସୃଷ୍ଟି ହୁଏ ଅର୍ଥାତ୍ ଯେତିକି ପରିମାଣର ‘ପି.ଏମ୍. ୨.୫’ କଣିକା ନିସୃତ ହୁଏ, ତାହା ସମୁଦାୟ ପୃଥିବୀରେ ନିର୍ଗତ ହେଉଥିବା ‘ପି.ଏମ୍.୨.୫’ର ୧୬ ପ୍ରତିଶତ, ଯାହା ଅତ୍ୟନ୍ତ ଉଦ୍ବେଗଜନକ। ଏଭଳି କଥାଟି ଯଦି ବାସ୍ତବରେ ଆମ ମର୍ମ ଭେଦ କରନ୍ତା, ତେବେ ହୁଏତ ଆମେମାନେ ଘରୋଇ ଯାନ ବ୍ୟବହାରରେ ହ୍ରାସ ଘଟାଇ ସାଧାରଣ ପରିବହନ ଉପରେ ନିର୍ଭର କରିବାକୁ ଆଗଭର ହୁଅନ୍ତେ!
ପଞ୍ଜିକା ବିଧାନ ଅନୁଯାୟୀ ଗଲା ଗୁରୁବାର ଓ ଗତ କାଲି ଦୀପାବଳି ଉତ୍ସବ ପାଳନ କରାଯିବା ପରେ ଅନେକଙ୍କ ମନ ଆକାଶରେ ଚିନ୍ତାର ସେହି ଘନ କୁହୁଡ଼ି ଘୋଟି ଆସିଛି, ଯାହା ଦୀପାବଳି ପରବର୍ତ୍ତୀ ଉତ୍କଟ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ପ୍ରସଙ୍ଗକୁ କେନ୍ଦ୍ର କରି ଗଲା କେଇ ବର୍ଷ ଧରି ଘଟି ଆସୁଛି ଏବଂ ଅବଲୀଳା କ୍ରମେ ଚର୍ବିତଚର୍ବଣରେ ପରିଣତ ହୋଇଗଲା ଭଳି ଅନୁଭୂତ ହେଉଛି। ଏହା କାହାକୁ ଅଗୋଚର ଯେ ଦୀପାବଳି ଉପଲକ୍ଷେ ଆତସବାଜି କାରଣରୁ ଭାରତର ପ୍ରାୟ ସମସ୍ତ ସହରରେ ବାୟୁ ପ୍ରଦୂଷଣରେ ତୀବ୍ର ବୃଦ୍ଧି ଘଟୁଥିବା ବେଳେ ରାଜଧାନୀ ସହର ଦିଲ୍ଲୀରେ ତାହା ଅସହନୀୟ ପର୍ଯ୍ୟାୟକୁ ଚାଲିଯାଇଥାଏ ଅଥବା ଦିଲ୍ଲୀର ବାୟୁମଣ୍ଡଳରେ ‘ପି.ଏମ୍. ୨.୫’ର ପରିମାଣ (ସାଧାରଣ ଚକ୍ଷୁକୁ ଅଦୃଶ୍ୟ ଅତି ସୂକ୍ଷ୍ମ ‘ପି.ଏମ୍. ୨.୫’ କଣିକା ପ୍ରଶ୍ବାସରେ ଶରୀର ମଧ୍ୟକୁ ପ୍ରବେଶ କରି ରକ୍ତ ପ୍ରବାହରେ ଘୂରି ବୁଲି ବିପଜ୍ଜନକ ସ୍ବାସ୍ଥ୍ୟ ସମସ୍ୟାମାନ ସୃଷ୍ଟି କରିଥାଏ) ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଦ୍ବାରା ଜାରି ନିରାପଦ ସ୍ତର ଠାରୁ ୩୦ ଗୁଣରୁ ଅଧିକ ପର୍ଯ୍ୟନ୍ତ ହୋଇଥାଏ! ବର୍ତ୍ତମାନ ଏହା ମଧ୍ୟ ସୁବିଦିତ ଯେ ଦିଲ୍ଲୀ ହେଉଛି ପୃଥିବୀର ସର୍ବାଧିକ ପ୍ରଦୂଷିତ ରାଜଧାନୀ ସହର। ସାଧାରଣ ଲୋକଙ୍କୁ ଏଭଳି ସ୍ଥିତିର ପ୍ରକୃତ ମର୍ମ ବୁଝାଇବା ସକାଶେ ଚିକିତ୍ସା ବିଜ୍ଞାନୀ ଓ ପରିବେଶବିତ୍ମାନେ ଏଭଳି ଚିତ୍ର ମଧ୍ୟ ଉପସ୍ଥାପନ କଲେଣି ଯେ ଦିଲ୍ଲୀର ନାଗରିକମାନେ ପ୍ରତ୍ୟହ ତାଙ୍କ ପ୍ରଶ୍ବାସରେ ଗ୍ରହଣ କରୁଥିବା ବାୟୁ ହାରାହାରି ଦୈନିକ ୧୨ରୁ ୧୫ଟି ସିଗାରେଟ୍ ସେବନ କରିବା ଭଳି କ୍ଷତିକାରକ କିମ୍ବା ଦିଲ୍ଲୀ ବାସିନ୍ଦାମାନେ ସେମାନଙ୍କ ଆୟୁଷରୁ ହାରାହାରି ପାଞ୍ଚ ବର୍ଷ ଏହି କାରଣରୁ ହରାଇବାରେ ଲାଗିଛନ୍ତି! କିନ୍ତୁ ବିଡ଼ମ୍ବନାଟି ହେଲା ଉପରୋକ୍ତ ଭୟ ଉଦ୍ରେକକାରୀ ସତର୍କବାଣୀଗୁଡ଼ିକର ମର୍ମ ପ୍ରାୟ ସମସ୍ତେ ବୁଝୁଥିଲେ ହେଁ ଏହା ଅଧିକାଂଶଙ୍କ ମର୍ମ ଭେଦ କରି ନ ଥାଏ, ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମଧ୍ୟ ମନେ ହୋଇଥାଏ।
ଏଥିରେ ମଧ୍ୟ ଦ୍ବିମତ ନାହିଁ ଯେ ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ସରକାର, ଅଦାଲତ, ପରିବେଶ କର୍ମୀ, ସ୍ବେଚ୍ଛାସେବୀ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଇତ୍ୟାଦି ସମସ୍ତେ ମୁଖର; ସରକାର ଓ ଅଦାଲତଙ୍କ ନିର୍ଦ୍ଦେଶରେ ଅନେକ କଠୋର ପଦକ୍ଷେପମାନ ମଧ୍ୟ ଦୃଶ୍ୟମାନ, କେତେକ ସ୍ଥଳେ ସଘନ ସରକାରୀ ଉଦ୍ୟମମାନ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ; କିନ୍ତୁ ବାୟୁ ପ୍ରଦୂଷଣ ସ୍ତରରେ ବିଶେଷ ଉନ୍ନତି ଘଟିନାହିଁ, ଯଦିଓ ତଦ୍ଦ୍ବାରା ବିଭିନ୍ନ ସମୟରେ ସାଧାରଣ ଜୀବନଯାତ୍ରାରେ ବ୍ୟାଘାତ ଘଟିଛି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ସଡ଼କରୁ ପୁରୁଣା ଗାଡ଼ିର ବହିଷ୍କରଣ, ଡିଜେଲ ଚାଳିତ ଯାନ ଉପରେ ପ୍ରତିବନ୍ଧକ, ଭାରି ଯାନ ଚଳପ୍ରଚଳକୁ ନେଇ କଟକଣା, ଯୁଗ୍ମ-ଅଯୁଗ୍ମ ସଂଖ୍ୟାର ନମ୍ବର ପ୍ଲେଟ୍ଧାରୀ ଯାନଗୁଡ଼ିକୁ ନିର୍ଦ୍ଦିଷ୍ଟ ପାଳି ଅନୁସାରେ ଚଳାଚଳ କରିବା ଲାଗି ଅନୁମତି, ଦିଲ୍ଲୀ ସହରର ମଧ୍ୟଭାଗରୁ କ୍ଷୁଦ୍ର ଶିଳ୍ପଗୁଡ଼ିକୁ ସହରର ବାହ୍ୟାଞ୍ଚଳକୁ ଅପସାରଣ, ଦୀପାବଳି ଉପଲକ୍ଷେ ଆତସବାଜି ଉପରେ କଟକଣା ଇତ୍ୟାଦି ଅନ୍ତର୍ଭୁକ୍ତ। କେବଳ ସେତିକି ନୁହେଁ, ଦିଲ୍ଲୀ ସରକାର ପ୍ରଭୂତ ଅର୍ଥ ବ୍ୟୟ କରି ବାୟୁମଣ୍ଡଳରୁ ‘ସ୍ମଗ୍’ (ଧୂମ, ଧୂଳି ଓ କୁହୁଡ଼ିର ମିଶ୍ରଣ) ଦୂରୀକରଣ ସକାଶେ ‘ସ୍ମଗ୍ ଟାୱାର୍’ମାନ ସ୍ଥାପନ କରିବାର ଉଦ୍ୟମ କରିଛନ୍ତି, ଯହିଁରେ ଏହିଭଳି ପ୍ରତ୍ୟେକ ଟାୱାର୍ ଲାଗି ବ୍ୟୟ ହୋଇଥାଏ ପ୍ରାୟ ୨.୫ ନିିୟୁତ ଆମେରିକୀୟ ଡଲାର। ଯଦିଓ ଦାବି କରାଯାଇଥାଏ ଯେ ଗୋଟିଏ ‘ସ୍ମଗ୍ ଟାୱାର୍’ ଦ୍ବାରା ୪.୨ ବର୍ଗ ମାଇଲ କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳରେ ବାୟୁରେ ଜମାଟ ବାନ୍ଧିଥିବା ଧୂଳି ଓ ଧୂଆଁକୁ ଦୂର କରାଯାଇପାରେ, ଏହାର ପ୍ରକୃତ ଫଳପ୍ରଦତା ଏ ଯାବତ୍ ନିର୍ଦ୍ଦିଷ୍ଟ ଭାବେ ପ୍ରମାଣିତ ହୋଇନାହିଁ। କହିବା ବାହୁଲ୍ୟ, ଉପରେ ବର୍ଣ୍ଣିତ କୌଣସିଟି ପଦକ୍ଷେପ ଦିଲ୍ଲୀର ବାୟୁମଣ୍ଡଳକୁ ନିର୍ମଳ କରି ପାରିନାହିଁ, ବରଂ ବାୟୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପରିବେଶ ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏମ୍. ସି. ମେହଟାଙ୍କ ଦ୍ବାରା ଆଗତ ଜନ ସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟର ବିଚାରପତି କୁଳଦୀପ ସିଂହଙ୍କ ଆଦେଶ କ୍ରମେ ଦିଲ୍ଲୀର ସାଧାରଣ ପରିବହନରେ ନିୟୋଜିତ ସମସ୍ତ ଗାଡ଼ି ‘ସି.ଏନ୍.ଜି.’ ଦ୍ବାରା ପରିଚାଳିତ ହେବାର ବ୍ୟବସ୍ଥା ବାୟୁମଣ୍ଡଳରୁ ପ୍ରଦୂଷଣ ହ୍ରାସ କରିବା କ୍ଷେତ୍ରରେ ଏକ ବିଶେଷ ସଫଳ ଉଦ୍ୟମ ଥିଲା, ଯାହା ୨୩ ବର୍ଷ ତଳେ ଅର୍ଥାତ୍ ୨୦୦୧ ମସିହାରେ ହୋଇଥିଲା। ଦୀର୍ଘ ୨୩ ବର୍ଷ ପରେ ସେହି ଲାଭ ମଧ୍ୟ କ୍ରମାଗତ ପ୍ରଦୂଷଣ ବୃଦ୍ଧି ପରିପ୍ରେକ୍ଷୀରେ ମୂଲ୍ୟହୀନ ହୋଇ ପଡ଼ୁଥିବା ଭଳି ବୋଧ ହୋଇଥାଏ।
ଏ ସଂଦର୍ଭରେ ଆଲୋଚନା କଲାବେଳେ ଦିଲ୍ଲୀର ବିଜେପି ସାଂସଦ ମନୋଜ ତିୱାରୀଙ୍କ ମନ୍ତବ୍ୟ ବିଶେଷ ପ୍ରଣିଧାନଯୋଗ୍ୟ ହୋଇଥାଏ, ଯିଏ କହିଛନ୍ତି ଯେ ଦିଲ୍ଲୀ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ଆତସବାଜି ହୋଇପାରେ, ତାହା କିନ୍ତୁ ଏକମାତ୍ର କାରଣ ନୁହେଁ। ସେ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ବିଜେପି ସରକାର କ୍ଷମତାସୀନ ହେଲେ ଦୀପାବଳିର ଆତସବାଜି କଟକଣାମୁକ୍ତ ହେବ, କାରଣ ଅନ୍ୟାନ୍ୟ ସଂପ୍ରଦାୟରେ ପ୍ରଚଳିତ ଏଭଳି ପ୍ରଥା ଉପରେ କୌଣସି କଟକଣା ନାହିଁ। ସେମିତି ଦୀପାବଳିର ଠିକ୍ ପୂର୍ବରୁ ଦିଲ୍ଲୀ ସମେତ ଉତ୍ତର ଭାରତର ବାୟୁମଣ୍ଡଳକୁ ବିଷାକ୍ତ ଧୂଆଁ ଦ୍ବାରା ଆଚ୍ଛାଦିତ କରୁଥିବା ଚାଷ ଜମିରେ ‘ରୁଢ଼’ ପୋଡ଼ି ସଂଦର୍ଭରେ ମଧ୍ୟ କୁହାଯାଇଥାଏ ଯେ ଏହା ଦିଲ୍ଲୀର ବାୟୁ ପ୍ରଦୂଷଣର ଏକମାତ୍ର କାରଣ ନୁହେଁ! ସମ୍ଭବତଃ ସେହି କାରଣରୁ ‘ରୁଢ଼’ ପୋଡ଼ିକୁ ନିରୁତ୍ସାହିତ କରିବା ଲାଗି ଅନେକ ବିକଳ୍ପ ଉପଲବ୍ଧ ଥିଲେ ହେଁ ଏ ଦିଗରେ ବିଶେଷ ଧ୍ୟାନ ଦିଆଯାଇ ନ ଥାଏ। ଫସଲ କଟାଯିବା ପରେ ରହି ଯାଉଥିବା ‘ରୁଢ଼’କୁ ପୋଡ଼ି ଜମିକୁ ଦଗ୍ଧ ଓ ଉଷର କରିବା ବଦଳରେ ତାକୁ କଂପୋଷ୍ଟରେ ପରିଣତ କରି ପରବର୍ତ୍ତୀ ଚାଷ ସକାଶେ ତାକୁ ଉର୍ବର ଓ ପ୍ରସ୍ତୁତ କରି ରଖିବା ସ୍ବାଭାବିକ ଭାବେ ଗ୍ରହଣୀୟ ହେବା ଉଚିତ ନୁହେଁ କି? ପୁଣି ଯେତେବେଳେ ମାତ୍ର ପଚିଶ ଦିନ ମଧ୍ୟରେ ‘ରୁଢ଼’ ବା ନଡ଼ାକୁ ଉତ୍କୃଷ୍ଟ ସାରରେ ପରିଣତ କରିବା ଲାଗି ଇଣ୍ଡିଆନ୍ ଏଗ୍ରିକଲ୍ଚରାଲ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ଏକ ଏଞ୍ଜାଇମ୍ ଆବିଷ୍କୃତ ହୋଇ ସାରିଛି! ସେହି ଭଳି ଗୋଟିଏ ଆଦେଶ ବଳରେ ସରକାର ଦିଲ୍ଲୀ ସହର ମଧ୍ୟରେ ଅବସ୍ଥିତ ଅନେକ କ୍ଷୁଦ୍ର ଶିଳ୍ପକୁ ସହର ବାହାରକୁ ସ୍ଥାନାନ୍ତର କରିଦେଲେ, ଯେଉଁଠି କୌଣସି ଭିତ୍ତିଭୂମିଗତ ସୁବିଧା ନ ଥିଲା। ସୁତରାଂ, ଏହା ଅନେକଙ୍କ ଲାଗି ଜୀବିକା କ୍ଷୟର କାରଣ ହେବା ସହିତ ସେହି ଅଞ୍ଚଳରେ ବିଶାଳ ବସ୍ତିମାନଙ୍କୁ ଜନ୍ମ ଦେଇଛି। ଏଥିରେ ସନ୍ଦେହ ନାହିଁ ଯେ ଏହି ଅଞ୍ଚଳ ମଧ୍ୟ ଅଚିରେ କ୍ରମବଦ୍ଧିଷ୍ଣୁ ଦିଲ୍ଲୀର ଅଂଶ ବିଶେଷ ହେବ! ଏଭଳି ଆଭିମୁଖ୍ୟ ଠିକ୍ ସେହିଭଳି ହୋଇଥାଏ, ଯହିଁରେ ଘରର ଅଳିଆକୁ ସଡ଼କକୁ ଠେଲି ଦେଇ ଆମେ ପରିଚ୍ଛନ୍ନତା ବୋଧ ଦ୍ବାରା ପରିତୃପ୍ତ ହୋଇଥାଉ! କହିବାର ତାତ୍ପର୍ଯ୍ୟ ହେଲା ଦିଲ୍ଲୀ ପ୍ରଦୂଷଣକୁ ନେଇ ସର୍ବତ୍ର ଉଚ୍ଚାଟ ମୁଖର ସିନା, ପ୍ରକୃତ ସମନ୍ବୟୀ, ବିବେଚନାପୂର୍ଣ୍ଣ ଓ ଫଳପ୍ରସୂ ପଦକ୍ଷେପ ବିଷୟରେ ଚିନ୍ତା କରାଯାଉନାହିଁ। କେବଳ ସରକାର ନୁହନ୍ତି, ନାଗରିକମାନେ ମଧ୍ୟ ଏ ନେଇ ଯେଉଁଭଳି ଦାୟିତ୍ବ ନିର୍ବାହ କରିବା କଥା, ସେଭଳି କରି ନ ଥାଆନ୍ତି।
ଏକ ତଥ୍ୟାନୁସାରେ ଭାରତରେ ମୋଟର ଗାଡ଼ି ନିର୍ମାଣ ଓ ଚଳାଚଳ କାରଣରୁ ଯେତିକି ପରିମାଣର ବାୟୁ ପ୍ରଦୂଷଣ ସୃଷ୍ଟି ହୁଏ ଅର୍ଥାତ୍ ଯେତିକି ପରିମାଣର ‘ପି.ଏମ୍. ୨.୫’ କଣିକା ନିସୃତ ହୁଏ, ତାହା ସମୁଦାୟ ପୃଥିବୀରେ ନିର୍ଗତ ହେଉଥିବା ‘ପି.ଏମ୍.୨.୫’ର ୧୬ ପ୍ରତିଶତ, ଯାହା ଅତ୍ୟନ୍ତ ଉଦ୍ବେଗଜନକ। ଏଭଳି କଥାଟି ଯଦି ବାସ୍ତବରେ ଆମ ମର୍ମ ଭେଦ କରନ୍ତା, ତେବେ ହୁଏତ ଆମେମାନେ ଘରୋଇ ଯାନ ବ୍ୟବହାରରେ ହ୍ରାସ ଘଟାଇ ସାଧାରଣ ପରିବହନ ଉପରେ ନିର୍ଭର କରିବାକୁ ଆଗଭର ହୁଅନ୍ତେ! ଏଭଳି ସ୍ଥିତିରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାକୁ ସରକାରଙ୍କ ଉପରେ ଚାପ ମଧ୍ୟ ପଡ଼ନ୍ତା। କିନ୍ତୁ, ସତ କଥା ହେଲା ଉପଭୋଗ-କୈନ୍ଦ୍ରିକ ଜୀବନ ପରିତ୍ୟାଗ କରିବାକୁ ଆମେମାନେ ମଧ୍ୟ ପ୍ରସ୍ତୁତ ନୁହେଁ! ଏହା ହେଉଛି ଶୁଖିଲା ହାଡ଼ ଚୋବାଉଥିବା କୁକୁର ଭଳି ସ୍ଥିତି! ହାଡ଼ର ଦାଢ଼ରେ କଟି ଯାଉଥିବା ଜିହ୍ବା, ମାଢ଼ି ଓ ମୁଖ ଗହ୍ବରରୁ କ୍ଷରିତ ଶୋଣିତର ସ୍ବାଦକୁ ହାଡ଼ର ସ୍ବାଦ ବୋଲି ବିଚାର କରି କୁକୁର ରସ ଆସ୍ବାଦନରେ ବିମୋହିତ ହୋଇ ଉଠେ ସିନା, ଏହା ତା’ ଶରୀରର ପୁଷ୍ଟି ସାଧନରେ କୌଣସି ପ୍ରକାରେ ସହାୟକ ହୋଇ ନ ଥାଏ। ଆମେମାନେ ସେହି ଭଳି ଶୁଖିଲା ହାଡ଼ରୁ ରସ ନେଇ ତାହାକୁ ହିଁ ପ୍ରକୃତ ଉପଭୋଗ୍ୟ ବୋଲି ଭାବିଲୁଣି କି, ପ୍ରକୃତ ସ୍ବାସ୍ଥ୍ୟ ଉପଭୋଗ କରିବାର ଆନନ୍ଦ ଲାଭ କରିବା ତେଣିକି ଥାଉ!