ସାମ୍ବାଦିକତାର ସଫଳତା କ’ଣ କେବଳ ସିଧାସଳଖ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବାରେ ନିହିତ ଥାଏ? ନା ବାଟ ହୁଡ଼ି, ବାଟ ଖୋଜି ଠଉରାଇ ଠଉରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅନୁଭୂତି ଦ୍ବାରା ସିକ୍ତ ହୋଇଯିବାରେ ଯଥାର୍ଥତା ପାଏ? ‘ନେଲି ଗଣହତ୍ୟା’ ନେଇ ରିପୋର୍ଟିଂ ଓ ପରବର୍ତ୍ତୀ ଅନୁସନ୍ଧାନ େହଉଛି ସେହି ରୋମାଞ୍ଚର ଦୃଷ୍ଟାନ୍ତ, ଯାହା ସାମ୍ବାଦିକତାକୁ ମାେର୍କ୍ବଜ୍ କହିଥିବା ଭଳି ପୃଥିବୀର ସର୍ବୋତ୍ତମ ବୃତ୍ତିରେ ପରିଣତ କରିଥାଏ। ସେଥି ଲାଗି ଧ୍ରୁବ ତାରାକୁ ନିଘା କରି ମାର୍ଗ ଅନ୍ବେଷଣ କରିବାର ସାମର୍ଥ୍ୟ ମଧ୍ୟ ଲୋଡ଼ା ପଡ଼ିଥାଏ, ଯାହାର ଉଦାହରଣ ଅନେକ ବିଚକ୍ଷଣ ଓ ପ୍ରବୀଣ ସାମ୍ବାଦିକମାନେ ଆମ ଲାଗି ରଖି ଦେଇ ଯାଇଛନ୍ତି।
୧୯୯୭ ମସିହା, ମାର୍ଚ୍ଚ ମାସରେ ଏକ ସମ୍ମାନାସ୍ପଦ ତ୍ରୈମାସିକ ପତ୍ରିକା ‘ଇନ୍ଡେକ୍ସ ଅନ୍ ସେନ୍ସର୍ସିପ୍’ରେ ସାହିତ୍ୟ ସକାଶେ ନୋବେଲ ପୁରସ୍କାର ପାଇଥିବା କଲମ୍ବୀୟ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କ୍ବେଜ୍ଙ୍କ ଦ୍ବାରା ରଚିତ ଯେଉଁ ଏକ କ୍ଷୁଦ୍ର ଅଥଚ ମନୋଜ୍ଞ ପ୍ରବନ୍ଧ ପ୍ରକାଶିତ ହୋଇଥିଲା, ତାହାର ଶୀର୍ଷକ ଥିଲା ‘ଦ ବେଷ୍ଟ ଜବ୍ ଇନ୍ ଦ ୱର୍ଲଡ୍’ ଅର୍ଥାତ୍ ‘ପୃଥିବୀର ସର୍ବୋତ୍ତମ ବୃତ୍ତି’, ଯହିଁରେ ତାଙ୍କ ଆଦ୍ୟ ତାରୁଣ୍ୟରେ ସେ ଗ୍ରହଣ କରିଥିବା ସାମ୍ବାଦିକ ବୃତ୍ତି ଓ ତାଙ୍କ ଜୀବଦ୍ଦଶା ମଧ୍ୟରେ ସାମ୍ବାଦିକତା କ୍ଷେତ୍ରରେ ଘଟିଥିବା ବିବର୍ତ୍ତନ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ। ସେହି ଆଲେଖ୍ୟରେ ସେ ଯାହା କହିଥିଲେ, ତା’ର ସାରାଂଶ ହେଲା, ସାମ୍ବାଦିକତା ଲାଗି ସ୍କୁଲ, ପାଠ୍ୟକ୍ରମ, ପ୍ରଶିକ୍ଷଣ ଓ ପ୍ରଯୁକ୍ତି ଇତ୍ୟାଦିର ଆବିର୍ଭାବ ଘଟି ଏହି କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ଘଟାଇଛି ସତ, କିନ୍ତୁ ଏକ ଅନୁସନ୍ଧିତ୍ସୁ ମନ ନେଇ କାଫେଟାରିଆରୁ ଆରମ୍ଭ କରି ଗୁଲିଖଟି ପର୍ଯ୍ୟନ୍ତ ସର୍ବତ୍ର ଖବର ଖୋଜି, ବିକ୍ଷିପ୍ତ ଭାବେ ପଡ଼ିଥିବା ତଥ୍ୟାଂଶ ଗୋଟାଇ ଓ ସେ ସବୁକୁ ଖଂଜି ଏକ ପ୍ରାଗୈତିହାସିକ ଡାଇନୋସର୍ର କଂକାଳ ଗଢ଼ିବାର ବ୍ୟଗ୍ରତା, ରୋମାଞ୍ଚ, ଶିହରଣ ଓ ଉଲ୍ଲାସ ଅନେକାଂଶରେ ନିଷ୍ପ୍ରଭ ହୋଇଯାଇଛି। କହିବା ବାହୁଲ୍ୟ, ସାମ୍ବାଦିକତାର କୌଣସି ତାଲିମ ନ ନେଇ ଓ ଆଘ୍ରାଣ କରି ଖବର ବାରି ପାରୁଥିବା ନାସିକାଟିକୁ ପୁଂଜି କରି ଯେଉଁମାନେ ଆଜିକୁ ପାଞ୍ଚ ବା ଛଅ ଦଶନ୍ଧି ପୂର୍ବେ ଏହି ବୃତ୍ତିକୁ ଲମ୍ଫ ପ୍ରଦାନ କରିଥିଲେ, ସେମାନେ ଉଣାଅଧିକେ ମାର୍କ୍ବେଜ୍ଙ୍କ ସହିତ ଏକମତ ହେବେ। କିନ୍ତୁ, ଆଉ ଏକ ବାସ୍ତବତା ହେଲା ଅନେକ ଯୁବ ସାମ୍ବାଦିକ ଏଭଳି ମତକୁ ଅହେତୁକ ଭାବେ ଅତୀତାଶ୍ରୟୀ ଭାବପ୍ରବଣତା ବୋଲି ମଧ୍ୟ ଆଖ୍ୟା ଦେଇପାରନ୍ତି! ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ ଆଲୋଚନା କରାଯାଇପାରେ।
ଏହି ପରିପ୍ରେକ୍ଷୀରେ ଆମକୁ ଏକଚାଳିଶ ବର୍ଷ ତଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ, କାରଣ ସେଇଠି ଗୋଟିଏ ଦୃଷ୍ଟାନ୍ତ ଆଖିରେ ପଡୁଛି। ୧୯୮୩ ମସିହା ଫେବ୍ରୁଆରି ମାସ। ସେହି ମାସରେ ଆସାମରେ ଘଟିଥିଲା ଅବର୍ଣ୍ଣନୀୟ ଭାବେ ବୀଭତ୍ସ ‘ନେଲି ଗଣହତ୍ୟା’, ସ୍ବାଧୀନତୋତ୍ତର ଭାରତରେ ଏଭଳି ପୈଶାଚିକତାର ଦ୍ବିତୀୟ ଦୃଷ୍ଟାନ୍ତ ଏ ଯାବତ୍ ନାହିଁ, ଯହିଁରେ ପ୍ରାୟ ପନ୍ଦର ଦିନର ସୁନିୟୋଜିତ ଗଣହତ୍ୟାରେ ଲାଲୁଙ୍ଗ ଜନଜାତିର ଉତ୍କ୍ଷିପ୍ତ ଭିଡ଼ ହାତରେ ପ୍ରାଣ ହରାଇଥିଲେ ୩୦୦୦ରୁ ଅଧିକ ବାଂଲାଦେଶୀ, ପ୍ରମୁଖ ଭାବେ ବାଂଲାଦେଶୀ ମୁସଲମାନ। ସେତେବେଳକୁ ଆସାମ ଏକ ନିଘଞ୍ଚ ନିର୍ବାଚନର ଦ୍ବାରଦେଶରେ ଏବଂ ‘ଗୋଷ୍ଠୀ ନିରପେକ୍ଷ ଦେଶର ଶିଖର ସମ୍ମିଳନୀ’ର ଆୟୋଜକ ଥାଏ ଭାରତ। ସୁତରାଂ, ଦେଶର ଭାବମୂର୍ତ୍ତିକୁ ମଳିନ କଲା ଭଳି ଏଭଳି ଏକ ଘଟଣାକୁ ଚପାଇଦେବା ଲାଗି ସରକାରଙ୍କ ପକ୍ଷରୁ ସଘନ ପ୍ରୟାସ ଚାଲିଥାଏ। କିନ୍ତୁ, ସେ ସମୟରେ ‘ଏକ୍ସପ୍ରେସ୍ ଗ୍ରୁପ୍’ ପକ୍ଷରୁ ଶିଲଂରେ ଅବସ୍ଥାପିତ ପ୍ରଖ୍ୟାତ ସାମ୍ବାଦିକ ତଥା ସଂପାଦକ ଶେଖର ଗୁପ୍ତାଙ୍କ ଦ୍ବାରା ପ୍ରେରିତ ପ୍ରତ୍ୟକ୍ଷଦର୍ଶୀ ଅନୁଭୂତି ସଂବଳିତ ଲୋମହର୍ଷଣକାରୀ ସମ୍ବାଦ ଓ ଆଲେଖ୍ୟମାନ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ପ୍ରକାଶିତ ହୋଇ ସରକାରଙ୍କ ଲାଗି ଅସ୍ବସ୍ତିର କାରଣ ମଧ୍ୟ ହେଉଥାଏ। ସେହି ଅନୁଭୂତିକୁ ସ୍ମରଣ କରି କରି ୨୦୨୩ ମସିହା, ଫେବ୍ରୁଆରି ମାସରେ (ନେଲି ଗଣହତ୍ୟାର ଚାଳିଶ ବର୍ଷ ପୂରଣ ପରିପ୍ରେକ୍ଷୀରେ) ‘ଦ ପ୍ରିଣ୍ଟ୍’ରେ ଶେଖର ଗୁପ୍ତାଙ୍କ ଦ୍ବାରା ପ୍ରସାରିତ ହୋଇଥିଲା ତିନିଟି ଅତ୍ୟନ୍ତ ହୃଦୟଗ୍ରାହୀ ଅଧ୍ୟାୟ, ଯହିଁରୁ ସାମ୍ବାଦିକତାର ଶିକ୍ଷାନବୀଶମାନଙ୍କ ଲାଗି ଏଭଳି ଶିକ୍ଷାର ସୁଯୋଗ ରହିଛି, ଯାହା କୌଣସି ପାଠ୍ୟକ୍ରମରୁ ହୁଏତ ଉପଲବ୍ଧ ହୋଇ ନ ପାରେ!
‘ନେଲି ଗଣହତ୍ୟା’ ଘଟଣାର ତିିନି ମାସ ପରେ ଶେଖର ଗୁପ୍ତାଙ୍କ ପାଖକୁ ବରିଷ୍ଠ ସାମ୍ବାଦିକ ଓ ସଂପାଦକ ଅରୁଣ ସୌରୀଙ୍କ ଠାରୁ ଏକ ଫୋନ୍ ଆସେ; ସୌରୀଙ୍କ ଉଦ୍ଦେଶ୍ୟ ହେଲା ଗଣହତ୍ୟା ସଂଘଟିତ ହେବାର ଅନ୍ତତଃ ତିନି ଦିନ ପୂର୍ବରୁ କୌଣସି ଜଣେ ପୁଲିସ କର୍ମଚାରୀଙ୍କ ଦ୍ବାରା ପ୍ରେରଣ କରାଯାଇଥିବା ସତର୍କତାମୂଳକ ବାର୍ତ୍ତାକୁ କିଭଳି ଉଚ୍ଚ ସରକାରୀ ସ୍ତରରେ ନଜରଅନ୍ଦାଜ କରାଯାଇଥିଲା, ତାକୁ ସପ୍ରମାଣ ସାବ୍ୟସ୍ତ କରିବା। ଘଟଣାଟି ଉପରେ କମ୍ବଳ ଘୋଡ଼ାଇଦେବାର ସମସ୍ତ ସରକାରୀ ପ୍ରୟାସ ସତ୍ତ୍ବେ ଏ ନେଇ ଏକ ଅସ୍ପଷ୍ଟ ସୂଚନା ଫୁଟି ବାହାରୁଥିଲା, କିନ୍ତୁ ତାହାକୁ ସାବ୍ୟସ୍ତ କରିବାକୁ କେଉଁଠି ହେଲେ ଲେଶ ମାତ୍ର ଚିହ୍ନ ବା ଇଙ୍ଗିତ ନ ଥିଲା। ସୁତରାଂ, ଗଭୀର ଅନୁସନ୍ଧାନ ଲାଗି ସୌରୀ ଶେଖର ଗୁପ୍ତାଙ୍କ ସହାୟତା ଲୋଡୁଥିଲେ। ସରକାରୀ ପ୍ରକ୍ରିୟା ସହିତ ସୁପରିଚିତ ଅରୁଣ ସୌରୀ ସୁନିଶ୍ଚିତ ଥିଲେ ଯେ ଏଭଳି କୌଣସି ଘଟଣା ଘଟିବା ପୂର୍ବରୁ ତଳ ପାହ୍ୟାର କୌଣସି ନା କୌଣସି କର୍ମଚାରୀ ଏ ବାବଦରେ ସତର୍କ କରାଇ ଦେଇଥିବେ, କାରଣ ପରବର୍ତ୍ତୀ କାଳରେ ଦୈବାତ୍ କୌଣସି ବିବାଦ ସୃଷ୍ଟି ହେଲେ ବା କାର୍ଯ୍ୟାନୁଷ୍ଠାନ ହେଲେ ଏହି ପଦକ୍ଷେପ ଦ୍ବାରା େସହି ସରକାରୀ କର୍ମଚାରୀ ଜଣକ ଅନ୍ତତଃ ବର୍ତ୍ତି ଯାଇପାରିବେ! ତେଣୁ ଏ କ୍ଷେତ୍ରରେ ଯଦିବା ବାର୍ତ୍ତାଟିଏ ଆସିଥିବ, ତାକୁ ଯେ ସରକାରୀ ଫାଇଲର ସ୍ତୂପ ତଳେ ପୋତି ଦିଆଯାଇଥିବ, ଏଥିରେ ସନ୍ଦେହ ନ ଥିଲା। ସମସ୍ତ ଉପଲବ୍ଧ ସୂତ୍ର ଓ ସୂଚନା ମାଧ୍ୟମରେ ତନ୍ନ ତନ୍ନ ଖୋଜାଯିବା ପରେ ସୁଦ୍ଧା କୌଣସି ଚିହ୍ନ ନ ଥିଲା! ଏବେ ସର୍ବଶେଷ ଆଶ୍ରୟ ଥିଲେ ଆସାମ ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ସମର ଦାସ, ୧୯୫୫ ମସିହାର ଆଇ.ପି.ଏସ୍., ସରକାରଙ୍କ ଏକାନ୍ତ ଅନୁଗତ ଏବଂ ଜଣେ ପୋଖତ ପେସାଦାର ପୁଲିସ ଅଫିସର। ତାଙ୍କ ଠାରୁ କୌଣସି ସୂଚନା ମିଳିବା ଅଗତ୍ୟା ଅସମ୍ଭବ ହିଁ ଥିଲା। ତଥାପି ଅରୁଣ ସୌରୀ ଓ ଶେଖର ଗୁପ୍ତା ତାଙ୍କୁ ଭେଟିଲେ, ସୌରୀଙ୍କ ଅନେକ ପ୍ରଶ୍ନ, ପ୍ରବର୍ତ୍ତନା ଓ ବିବେକ ଦହନକାରୀ ବାଣୀ ଶେଷକୁ କାମ ଦେଲା। ସୌରୀ କହିଲେ: କେବେ ନା କେବେ ଏହି ଘଟଣା କବର ତଳୁ ଶିରୋତ୍ତୋଳନ କରିବ ଏବଂ ସେତିକିବେଳେ ଗୁଇନ୍ଦା ବିଭାଗର ମୁଖ୍ୟ ଭାବେ ଆପଣ ହିଁ ଉତ୍ତରଦାୟୀ ହେବେ! ସମର ଦାସ ଭାଙ୍ଗି ପଡ଼ିଥିଲେ ଏବଂ ତାଙ୍କ ପାଟିରୁ ବାହାରି ଆସିଥିଲା ସେହି ଗୋପନ ତଥ୍ୟ; କେଉଁ ଥାନାର ଏସ୍.ଏଚ୍.ଓ. ୧୯୮୩ ମସିହା, ଫେବ୍ରୁଆରି ୧୫ ତାରିଖରେ ୱେୟାର୍ଲେସ୍ ଜରିଆରେ ଏଭଳି ବାର୍ତ୍ତା ପ୍ରେରଣ କରିଥିଲେ!
ସେ ଥିଲେ ନେଲି ଥାନାର ଅଫିସର ଇନ୍ ଚାର୍ଜ ଜହିରୁଦ୍ଦିନ ମହମ୍ମଦ। ଏହି ଗଣହତ୍ୟା ରୋକିବାକୁ ତାଙ୍କ ସନ୍ଦେଶ ଯଥେଷ୍ଟ ଥିଲା, କିନ୍ତୁ ସରକାରୀ ଉଦାସୀନତା ହେତୁ ତାହା ନିରର୍ଥକ ହୋଇଯାଇଥିଲା। ନେଲି ଘଟଣା ପରେ ଜହିରୁଦ୍ଦିନ ଗଭୀର ବିଷଣ୍ଣତା ମଧ୍ୟକୁ ନିକ୍ଷେପିତ ହୋଇଯାଇଥିଲେ, ପ୍ରାୟତଃ ପ୍ରାର୍ଥନାରେ ତାଙ୍କ ସମୟ କଟୁଥିଲା ଏବଂ ସେ ନିରବ ହୋଇ ଉଠିଥିଲେ। ସମର ଦାସଙ୍କ ସ୍ପଷ୍ଟୋକ୍ତି ପରେ ତତ୍କ୍ଷଣାତ୍ ଶେଖର ଗୁପ୍ତା ବାହାରିଥିଲେ ନେଲି। ସେଠାରେ ପହଞ୍ଚିବା ବେଳକୁ ସଂଧ୍ୟା ଉପନୀତ। ଜହୀରୁଦ୍ଦିନ ଯାଇଥାଆନ୍ତି ଥାନା ନିକଟସ୍ଥ ମସଜିଦକୁ। ସେଠାରେ ପହଞ୍ଚି ଶେଖର ଗୁପ୍ତା ତାଙ୍କ ଆସିବାର ଅଭିପ୍ରାୟ ଜଣାନ୍ତି। ମସଜିଦର ନିଭୃତ ଅଭ୍ୟନ୍ତରରେ ଜହୀରୁଦ୍ଦିନ କହନ୍ତି: ପୁଲିସ କର୍ମଚାରୀ ଭାବେ ଦାପ୍ତରିକ ଗୋପନୀୟତା ରକ୍ଷା କରିବା ତାଙ୍କ କର୍ତ୍ତବ୍ୟ, କିନ୍ତୁ ଈଶ୍ବରଙ୍କ ଉପସାନା ସ୍ଥଳରେ ଆପଣ ଯେତେବେଳେ ଚାହୁଛନ୍ତି ସତ୍ୟର ପ୍ରକାଶ ହେଉ, ତାହା ହିଁ ହେବ! ଥାନାର ଏକ ଆଲମିରା ଭିତରୁ ମୋଟା ଫାଇଲ ଭିତରେ ଆତ୍ମଗୋପନ କରିଥିବା ବାର୍ତ୍ତା ଲିଖିତ କାଗଜଟି ମୁହଁ ଦେଖାଏ। କଂପିତ ହାତରେ ଗୋଟିଏ ତାର ଲଗା ବଲ୍ବ ଟେକି ଧରନ୍ତି ଜହୀରୁଦ୍ଦିନ ଏବଂ ସେହି ସଂଧ୍ୟାରେ ସ୍ତୀମିତ ଆଲୋକରେ କାଗଜଟିର ଫଟୋ ଉଠାନ୍ତି ଶେଖର ଗୁପ୍ତା ତାଙ୍କ ମିନୋଲଟା କ୍ୟାମେରାରେ। ୧୯୮୩ ମସିହା ମେ ୧୫ ତାରିଖର ‘ଇଣ୍ଡିଆ ଟୁଡେ’ର କଭର୍ ଷ୍ଟୋରିରେ ଅରୁଣ ସୌରୀ ଜଣାନ୍ତି କିଭଳି ଏକ ବୀଭତ୍ସ ଗଣହତ୍ୟା ରୋକାଯାଇ ପାରିବାର ସମସ୍ତ ସୁଯୋଗ ସତ୍ତ୍ବେ ସରକାରୀ ଉଦାସୀନତା କାରଣରୁ ଘଟିଯାଇଥିଲା। ଏବଂ ସେହି ପ୍ରଚ୍ଛଦରେ ସ୍ଥାନ ପାଇଥିଲା ଶେଖର ଗୁପ୍ତାଙ୍କ ଦ୍ବାରା ଉତ୍ତୋଳିତ ସେହି ଫଟୋ!
ନେଲି ଘଟଣା ଏକ ଦୃଷ୍ଟାନ୍ତ ମାତ୍ର! ଏ ସ୍ତମ୍ଭର ପ୍ରକୃତ ଉଦ୍ଦେଶ୍ୟ ସାନ୍ଦ୍ର ସାମ୍ବାଦିକତାର ଧ୍ବଜା ଉଡ଼ାଇବା! ନେଲି ଘଟଣାର ପ୍ରାୟ ଦେଢ଼ ବର୍ଷ ପରେ ଅର୍ଥାତ୍ ୧୯୮୪ ମସିହାର ଆଜିର ଦିନରେ ‘ସମ୍ବାଦ’ ରାଜ୍ୟର ପ୍ରଥମ ପ୍ରଭାତକାଳୀନ ଦୈନିକ ଖବରକାଗଜ ରୂପେ ଜନ୍ମ ଲାଭ କରିଥିଲା ଏବଂ ବୃତ୍ତିଗତ ପେସାଦାରୀ, ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ତଥା ରୁଚିସଂପନ୍ନ ସମ୍ବାଦ ପରିବେଷଣର ପର୍ବ ପ୍ରାରମ୍ଭ କରିଥିଲା। ଅବଲୀଳା କ୍ରମେ ଏହାର ପ୍ରଭାବରେ ଆମ ରାଜ୍ୟରେ ଖବରକାଗଜ ଶିଳ୍ପରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି, ତା’ ପରଠାରୁ ସମୟ ସହିତ ତାଳ ଦେଇ, ମାର୍କ୍ବେଜ୍ଙ୍କ ଭାଷାରେ, ପ୍ରଶିକ୍ଷିତ ଓ ପ୍ରଯୁକ୍ତି-ପ୍ରବୀଣ ଯୁବକଯୁବତୀମାନେ ସାମ୍ବାଦିକତାକୁ ନୂଆ ରୂପ ଦେବାରେ ଲାଗିଛନ୍ତି। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଲାଗି ସେମାନଙ୍କ ଠାରେ ଗୁଗଲ୍ ମ୍ୟାପ୍ ଓ ଜି.ପି.ଏସ୍. ଉପଲବ୍ଧ; ସେମାନେ ଧ୍ରୁବ ତାରାକୁ ଖୋଜିବାକୁ ଆକାଶକୁ ଚାହୁଁ ନାହାନ୍ତି! କିନ୍ତୁ ସାମ୍ବାଦିକତାର ସଫଳତା କ’ଣ କେବଳ ସିଧାସଳଖ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବାରେ ନିହିତ ଥାଏ? ନା ବାଟ ହୁଡ଼ି, ବାଟ ଖୋଜି ଠଉରାଇ ଠଉରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅନୁଭୂତି ଦ୍ବାରା ସିକ୍ତ ହୋଇଯିବାରେ ଯଥାର୍ଥତା ପାଏ? ‘ନେଲି ଗଣହତ୍ୟା’ ନେଇ ରିପୋର୍ଟିଂ ଓ ପରବର୍ତ୍ତୀ ଅନୁସନ୍ଧାନ େହଉଛି ସେହି ରୋମାଞ୍ଚର ଦୃଷ୍ଟାନ୍ତ, ଯାହା ସାମ୍ବାଦିକତାକୁ ମାେର୍କ୍ବଜ୍ କହିଥିବା ଭଳି ପୃଥିବୀର ସର୍ବୋତ୍ତମ ବୃତ୍ତିରେ ପରିଣତ କରିଥାଏ। ସେଥି ଲାଗି ଧ୍ରୁବ ତାରାକୁ ନିଘା କରି ମାର୍ଗ ଅନ୍ବେଷଣ କରିବାର ସାମର୍ଥ୍ୟ ମଧ୍ୟ ଲୋଡ଼ା ପଡ଼ିଥାଏ, ଯାହାର ଉଦାହରଣ ଅନେକ ବିଚକ୍ଷଣ ଓ ପ୍ରବୀଣ ସାମ୍ବାଦିକମାନେ ଆମ ଲାଗି ରଖି ଦେଇ ଯାଇଛନ୍ତି।