ଦାରିଦ୍ର୍ୟ ଦୂରୀକରଣରେ ଚମକପ୍ରଦ ସଫଳତା ହାସଲ କରିଛି ବୋଲି ଭାରତ କରୁଥିବା ଦାବି ଶେଷରେ ସେଇ ଯମୁନା ମାଟିରେ ପୋତି ହୋଇ ସମାଧି ଲାଭ କରିବ; କାରଣ ଦାରିଦ୍ର୍ୟ ସୀମା ଉପରକୁ ମୁଣ୍ଡ ଟେକିଥିବା ଅନେକ ପରିବାର ବ୍ୟାଧିଜନିତ ବ୍ୟୟ ବୋଝ ସମ୍ଭାଳି ନ ପାରି ପୁଣି ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ପଡ଼ିବେ। ସର୍ବୋପରି କୌଣସି ସଭ୍ୟ ସମାଜରେ ମନୁଷ୍ୟର ଜୀବନ ସହିତ ଖେଳି ବ୍ୟବସାୟ କରୁଥିବା ନକଲି ଔଷଧର ଉପସ୍ଥିତି ଆଦୌ ଗ୍ରହଣୀୟ ନୁହେଁ।
ଗତ ସପ୍ତାହରେ ଦେଶର ବିଭିନ୍ନ ଗଣମାଧ୍ୟମମାନଙ୍କରେ ବ୍ୟାପକ ଭାବରେ ପ୍ରସାରିତ ସୂଚନା ଅନୁସାରେ ଆମ ଦେଶରେ ବିଭିନ୍ନ ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବା ଆଶାରେ ଅଧିକାଂଶ ଲୋକମାନେ ଯେଉଁ ଔଷଧପତ୍ର ସେବନ କରିଥାନ୍ତି, ତାହା ହେଉଛି ପ୍ରକୃତରେ ଯମୁନାର ମାଟି। ମନୋଜ ଦାସଙ୍କର ସୁପରିଚିତ କାହାଣୀ ‘ଯମୁନାର ମାଟି’ରେ ବିଶିଷ୍ଟ ହେତୁବାଦୀ ଓକିଲ ଜଗଦୀଶ ବର୍ମା ତାଙ୍କର ବ୍ୟାବସାୟିକ କାର୍ଯ୍ୟରେ ମଥୁରା ଯାଇଥିବା ବେଳେ ଧର୍ମପରାୟଣା ବିଧବା ବୃଦ୍ଧା ଚମ୍ପାବତୀ ଦେବୀଙ୍କ ଅନୁରୋଧ ରକ୍ଷା କରି ତାଙ୍କ ପାଇଁ ଯମୁନା ନଦୀର ମାଟିର ଏକ ପୁଡ଼ିଆ ଆଣିଦେଇଥିଲେ। କିନ୍ତୁ ସତକଥା ହେଲା କର୍ମବ୍ୟସ୍ତତାରେ ବର୍ମା ସାହେବ ଚମ୍ପାବତୀ ଦେବୀଙ୍କ ଅନୁରୋଧ ବିଷୟରେ ଭୁଲିଯାଇ ଯମୁନା ମାଟି ବଦଳରେ ଯେଉଁ ମାଟି ଆଣି ତାଙ୍କୁ ଦେଇଥିଲେ, ତାହା ଥିଲା ମଥୁରା ଷ୍ଟେସନ୍ରେ ପହଞ୍ଚିବା ପରେ ଚମ୍ପାବତୀ ଦେବୀଙ୍କ ଅନୁରୋଧ ମନେ ପଡ଼ିବା ପରେ ବର୍ମା ସାହେବ ଷ୍ଟେସନ୍ ପୋଲ ତଳୁ ସଂଗ୍ରହ କରିଥିବା ପୁଳାଏ ମାଟି ମାତ୍ର। ଚମ୍ପାବତୀ ଦେବୀ କିନ୍ତୁ ନିଜର ଗଭୀର ବିଶ୍ବାସରେ ତାହାକୁ ଯମୁନାର ପବିତ୍ର ମାଟି ମନେ କରି ଏକ ହାତୀଦାନ୍ତ ବାକ୍ସରେ ସାଇତି ରଖିଲେ।
ଘଟଣାକ୍ରମରେ ଚମ୍ପାବତୀଙ୍କର ଡାକ୍ତର ନାତି ଜଗଦୀଶ ବର୍ମାଙ୍କ କନ୍ୟାକୁ ବିବାହ କରିଛନ୍ତି ଓ ଚମ୍ପାବତୀ ଦେବୀଙ୍କର ପରଲୋକ ଗମନ ଘଟିଛି। ମୃତ୍ୟୁ ପୂର୍ବରୁ ଚମ୍ପାବତୀ ଦେବୀ ସେ ହାତୀଦାନ୍ତ ବାକ୍ସଟିକୁ ନାତିକୁ ଦେଇ ଯାଇଥାନ୍ତି ଓ ସେ ପବିତ୍ର ମାଟିର ଅଲୌକିକ ଆରୋଗ୍ୟକାରୀ ଗୁଣ ବିଷୟରେ ଡାକ୍ତର ନାତିକୁ ଅବଗତ କରାଇଥାନ୍ତି। ଏକ ସମୟରେ ବର୍ମା ଯେତେବେଳେ ଦୁରାରୋଗ୍ୟ ବ୍ୟାଧିରେ ପଡ଼ନ୍ତି ଓ ତାଙ୍କର ଶେଷ ସମୟ ଉପସ୍ଥିତ ବୋଲି ସମସ୍ତ ପ୍ରକାର ଔଷଧପତ୍ର ପ୍ରୟୋଗ କରି ବିଫଳ ହୋଇସାରିଥିବା ଡାକ୍ତର ଜ୍ବାଇଁ ଅନୁଭବ କରନ୍ତି, ସେତିକିବେଳେ ତାଙ୍କର ମନେ ପଡ଼ିଯାଏ ତାଙ୍କୁ ଜେଜେମା’ ଦେଇଥିବା ସେଇ ରହସ୍ୟମୟ ମହୌଷଧୀ ଥିବା ହାତୀଦାନ୍ତ ବାକ୍ସ କଥା। ଡାକ୍ତର ସେଇ ମାଟି ଗୋଳା ହୋଇଥିବା ପାଣି ଶ୍ବଶୁରଙ୍କୁ ପିଆଇଦେବା ପରେ ବର୍ମା ସାହେବ ମୃତ୍ୟୁମୁଖରୁ ମୁକୁଳି ଆସି ସୁସ୍ଥ ହୋଇଗଲେ। ବର୍ମା କିମ୍ବା ତାଙ୍କ ଡାକ୍ତର ଜ୍ବାଇଁ, କାହାକୁ ହେଲେ ସେ ବୋତଲରେ ଥିବା ମହୌଷଧୀର ଅସଲ ଚରିତ୍ର ବିଷୟରେ ଜଣା ନ ଥିଲା ଏବଂ ବର୍ମା ସାହେବଙ୍କୁ ସେ ମାଟି ବିଷୟରେ କେବେହେଲେ କିଛି ନ କହିବା ପାଇଁ ଏ ସମସ୍ତ ଘଟଣା ସମ୍ବନ୍ଧରେ ପ୍ରତ୍ୟକ୍ଷ ଭାବରେ ଅବଗତ ଥିବା ବର୍ମାଙ୍କ ସହକର୍ମୀ ଶେଖରବାବୁ ବର୍ମାଙ୍କ ଜ୍ବାଇଁଙ୍କୁ ପ୍ରତିଶ୍ରୁତିବଦ୍ଧ କରାଇଥିଲେ।
ଉପରେ ଯେଉଁ ଖବର ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି, ତାହା ଅନୁସାରେ ଦେଶର କେତେକ ରାଜ୍ୟରେ ସରକାରୀ ଡାକ୍ତରଖାନାମାନଙ୍କରେ ରୋଗୀମାନଙ୍କୁ ଦିଆଯାଉଥିବା ଆଣ୍ଟିବାୟୋଟିକ୍ ସମେତ ଅନ୍ୟାନ୍ୟ ଅନେକ ଔଷଧମାନଙ୍କରେ ଯେଉଁ ଉପାଦାନ ଉପସ୍ଥିତ ଥିବା ଜଣାପଡ଼ିଛି, ତାହା ହେଉଛି କେବଳ ଟାଲ୍କମ୍ ପାଉଡର୍ ଓ ଷ୍ଟାର୍ଚ, ଯାହାର ମଥୁରା ଷ୍ଟେସନ୍ର ପୋଲ ତଳର ମାଟି ଭଳି କୌଣସି ବିଜ୍ଞାନସମ୍ମତ ଔଷଧୀୟ ଗୁଣ ନାହିଁ। ସେ ନକଲି ଔଷଧ ବ୍ୟବହାର କରି ଯେଉଁ ରୋଗୀମାନେ ଆରୋଗ୍ୟଲାଭ କରୁଥିବେ, ତାହା କେବଳ ସେମାନଙ୍କର ସେ ଔଷଧ ଉପରେ ବିଶ୍ବାସ ଯୋଗୁଁ ନିଜ ଶରୀରରେ ସୃଷ୍ଟି ହେଉଥିବା ଆରୋଗ୍ୟକାରୀ ପ୍ରକ୍ରିୟା ଯୋଗୁଁ ଘଟିଥାଏ, ଚିକିତ୍ସା ବିଜ୍ଞାନରେ ଯାହା ପ୍ଲାସେବୋ ପ୍ରଭାବ ରୂପେ ଜଣାଶୁଣା। ଗୁଣିଗାରେଡ଼ିରୁ ଆରମ୍ଭ କରି ଅନେକ ବିକଳ୍ପ ଚିକିତ୍ସା ପ୍ରଣାଳୀ ଏହି ପ୍ଲାସେବୋ ପ୍ରଭାବ ଉପରେ ପ୍ରତିଷ୍ଠିତ ହୋଇଥାନ୍ତି।
ଏହି ଖବର ଜାଣିବା ପରେ ହୁଏତ ଅନେକ ଲୋକ ଆଶ୍ବସ୍ତ ବୋଧ କରିଥିବେ ଯେ ସେମାନେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ଯାଆନ୍ତି ନାହିଁ କିମ୍ବା ସେଠାରେ ଦିଆଯାଉଥିବା ଔଷଧ ବ୍ୟବହାର କରନ୍ତି ନାହିଁ। ଏମାନେ ସାଧାରଣତଃ ସମାଜର ସ୍ବଚ୍ଛଳ ବର୍ଗର ସଦସ୍ୟ ହୋଇଥାନ୍ତି, ଯେଉଁମାନେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥାନ୍ତି ଏବଂ ଶସ୍ତା ଜେନେରିକ୍ ଔଷଧ ପରିବର୍ତ୍ତେ ବ୍ୟୟବହୁଳ ବ୍ରାଣ୍ଡେଡ୍ ଔଷଧ କ୍ରୟ କରି ବ୍ୟବହାର କରିଥାନ୍ତି। କିନ୍ତୁ ଏଇ ସମୟରେ ପ୍ରକାଶିତ ଅନ୍ୟ ଏକ ଖବର ସେମାନଙ୍କର ଏହି ସୁରକ୍ଷିତ ଭାବକୁ ଧ୍ବଂସ କରି ସେମାନଙ୍କ ଠାରେ ମଧ୍ୟ ଘୋର ଆତଙ୍କ ସୃଷ୍ଟି କରିଥିବ। ଏହି ଖବର ଅନୁସାରେ ଔଷଧପତ୍ରର ମାନ ନିୟନ୍ତ୍ରଣକାରୀ ସଂସ୍ଥା ‘ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (‘ସିଡିଏସ୍ସିଓ’) ଦ୍ବାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ବଜାରରେ ମିଳୁଥିବା ୫୦ଟି ବହୁଳ ବ୍ୟବହୃତ ପ୍ରମୁଖ ବ୍ରାଣ୍ଡେଡ୍ ଔଷଧମାନ ହେଉଛନ୍ତି ନିମ୍ନମାନର।
ଏହି ନିମ୍ନମାନର ଔଷଧମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ଛାମୁଆ ଆଣ୍ଟିବାୟୋଟିକ୍ସ, ଆଣ୍ଟାସିଡ୍ସ, ଜ୍ବର ଉପଶମକାରୀ ଆଣ୍ଟିପାଇରେଟିକ୍ସ ଓ ଉଚ୍ଚ ରକ୍ତଚାପ ହ୍ରାସକାରୀ ଆଣ୍ଟିହାଇପର୍ଟେନ୍ସିଭ୍ସ ଆଦି। ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଥିବା ଏହି ନିମ୍ନମାନର କେତେକ ଔଷଧର ନିର୍ମାତା ପୁଣି ହେଉଛନ୍ତି କେତେକ ସୁପ୍ରତିଷ୍ଠିତ ଔଷଧ କଂପାନି, ଯେଉଁମାନେ ଉପଭୋକ୍ତାମାନଙ୍କର ଅଖଣ୍ଡ ବିଶ୍ବାସ ଉପଭୋଗ କରିଆସିଛନ୍ତି- ଆଲ୍କେମ୍, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ, ଟରେଣ୍ଟ୍ ଆଦି। ଘୋର ଚିନ୍ତାର ବିଷୟ ହେଲା ଏହା ଯେ, ସର୍ବେକ୍ଷଣରେ ନିମ୍ନମାନର ବୋଲି ଚିହ୍ନଟ ହୋଇଥିବା ଔଷଧମାନଙ୍କ ମଧ୍ୟରୁ କେତେକ ହେଉଛନ୍ତି ବଜାରରେ ସର୍ବାଧିକ ବିକ୍ରୟ ହେଉଥିବା ସେଇ ଶ୍ରେଣୀର ଔଷଧ। ଊଣାଅଧିକେ ଏ ସମସ୍ତ ଔଷଧ ହେଉଛନ୍ତି ମନୋଜ ଦାସଙ୍କ କାହାଣୀର ସେଇ ଯମୁନା ମାଟି ଭଳି। ଅର୍ଥାତ୍ ଏ ଔଷଧମାନଙ୍କର ଫଳପ୍ରଦତା ନିର୍ଭର କରିଥାଏ ପ୍ଲାସେବୋ ପ୍ରଭାବ ଉପରେ। ପ୍ଲାସେବୋ ପ୍ରଭାବର ସମସ୍ୟା କିନ୍ତୁ ହେଲା ଏହାର ଫଳପ୍ରଦତା ଅତ୍ୟନ୍ତ ସୀମିତ ହୋଇଥିବାବେଳେ ଅଧିକାଂଶ ଉପଭୋକ୍ତାଙ୍କ ପାଇଁ ଏହା ପ୍ରଭାବହୀନ ହୋଇଥାଏ।
ଭାରତର ଚିକିତ୍ସା କ୍ଷେତ୍ରରେ ଯମୁନା ମାଟିର ଏଭଳି ପ୍ରସାରର ବିପଜ୍ଜନକ ପରିଣତି ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ନିମ୍ନମାନର ଔଷଧ ସେବନ ଯୋଗୁଁ ରୋଗୀ ପାଇଁ ଆରୋଗ୍ୟ ଲାଭ ସମୟସାପେକ୍ଷ ହୋଇପାରେ ଏବଂ କେତେକଙ୍କ ପାଇଁ ମୃତ୍ୟୁ ଏହାର ଅନ୍ତିମ ପରିଣତି ହୋଇପାରେ। ବ୍ୟକ୍ତିଗତ ସ୍ତରରେ ଏହା ଯେ ଏକ ବିପର୍ଯ୍ୟୟ, ଏଥିରେ କୌଣସି ସନ୍ଦେହ ନାହିଁ; ଦେଶର ସାମଗ୍ରିକ ଅର୍ଥନୀତି ଏଥିଯୋଗୁଁ ସମ୍ମୁଖୀନ ହେଉଥିବା ବିପଦ ମଧ୍ୟ ଘୋର ଚିନ୍ତଜନକ ହୋଇଥାଏ। ଭାରତର ବିଶାଳ ଯୁବ ଜନସଂଖ୍ୟାକୁ ଆମର ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ରୂପେ ବିଚାର କରା ହେଉଥିବା ବେଳେ, ଯମୁନା ମାଟିର ପ୍ରସାର ଯୋଗୁଁ ଏହା ଯଦି ଏକ ବ୍ୟାଧିଗ୍ରସ୍ତ ରୁଗ୍ଣ ଜନସଂଖ୍ୟାରେ ପରିଣତ ହୁଏ, ସେଇ ବହୁ ପ୍ରଚାରିତ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ତାହାର ବାସ୍ତବ ଶକ୍ତି ହରାଇ କେବଳ ଏକ ସଂଖ୍ୟାରେ ସୀମିତ ହୋଇ ରହିଯିବ।
ସେଇଭଳି ଦାରିଦ୍ର୍ୟ ଦୂରୀକରଣରେ ଚମକପ୍ରଦ ସଫଳତା ହାସଲ କରିଛି ବୋଲି ଭାରତ କରୁଥିବା ଦାବି ଶେଷରେ ସେଇ ଯମୁନା ମାଟିରେ ପୋତି ହୋଇ ସମାଧି ଲାଭ କରିବ; କାରଣ ଦାରିଦ୍ର୍ୟ ସୀମା ଉପରକୁ ମୁଣ୍ଡ ଟେକିଥିବା ଅନେକ ପରିବାର ବ୍ୟାଧିଜନିତ ବ୍ୟୟ ବୋଝ ସମ୍ଭାଳି ନ ପାରି ପୁଣି ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ପଡ଼ିବେ। ସର୍ବୋପରି କୌଣସି ସଭ୍ୟ ସମାଜରେ ମନୁଷ୍ୟର ଜୀବନ ସହିତ ଖେଳି ବ୍ୟବସାୟ କରୁଥିବା ନକଲି ଔଷଧର ଉପସ୍ଥିତି ଆଦୌ ଗ୍ରହଣୀୟ ନୁହେଁ।
ଏହି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇବା ପେର ସରକାର ଚୁପ୍ ହୋଇ ନ ବସି ଏ ସମସ୍ୟାର ମୂଳୋତ୍ପାଟନ କରିବାକୁ କଠୋରତମ ପଦକ୍ଷେପ ନେବାରେ ସାମାନ୍ୟତମ ବିଳମ୍ବ କରିବା ଗ୍ରହଣୀୟ ନୁହେଁ।