‘ସିଏଏ’ ରୂପେ ସୁପରିଚିତ ଏହି ସଂଶୋଧିତ ଆଇନରେ ବହିରାଗତ ମୁସଲମାନମାେନ ଅନ୍ତର୍ଭୁକ୍ତ ନ ଥିବାରୁ ରାଜନୈତିକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀମାନଙ୍କ ଦ୍ବାରା ଏହା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ଆୟୋଜିତ ହୋଇଥିଲା ଏବଂ ସେମାନେ ଏହାକୁ ଅସିଦ୍ଧ ଘୋଷଣା କରିବାକୁ ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଆବେଦନ ଏ ପର୍ଯ୍ୟନ୍ତ ଫଇସଲା ହୋଇନାହିଁ। ଏହି ବିରୋଧ ଯୋଗୁଁ ସରକାର କିନ୍ତୁ ଏ ପର୍ଯ୍ୟନ୍ତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ନିୟମାବଳୀ ବା ‘ରୁଲ୍ସ’ ପ୍ରଣୟନ କରି ନ ଥିବାରୁ ବିଗତ ଚାରି ବର୍ଷ ଧରି ତାହା ନିଷ୍କ୍ରିୟ ଅବସ୍ଥାରେ ପଡ଼ିରହିଥିଲା। ଏବେ ସୋମବାର ଦିନ ମୋଦୀ ସରକାର ‘ସିଏଏ ରୁଲ୍ସ’ ପ୍ରଣୟନ ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରି ଶେଷରେ ସେଥିରେ ପ୍ରାଣ ସଞ୍ଚାର କରି ଏହି ନିର୍ଯାତିତ ଶରଣାର୍ଥୀମାନଙ୍କ ପ୍ରତି ଭାରତର ଶରଣ ରକ୍ଷଣ ଦାୟିତ୍ବ ନିର୍ବାହ କରିଛନ୍ତି, ଯାହାର ନୈତିକତା ହେଉଛି ସଂପୂର୍ଣ୍ଣ ରୂପେ ପ୍ରଶ୍ନାତୀତ।
ଲୋକପ୍ରିୟ ହଲିଉଡ୍ ଆକ୍ସନ୍ ଥ୍ରିଲର୍ ଫିଲ୍ମ ‘ଡାଏ ହାର୍ଡ’ର ଏକ ଦୃଶ୍ୟରେ ନାୟକ ବ୍ରୁସ୍ ୱିଲିସ୍ଙ୍କୁ ତାଙ୍କର ଶତ୍ରୁପକ୍ଷ ନ୍ୟୁୟର୍କର ଅପରାଧପ୍ରବଣ କୃଷ୍ଣକାୟ ବସତି ହାର୍ଲେମ୍ ଅଞ୍ଚଳରେ ଛାତିରେ ଏକ ପୋଷ୍ଟର ଝୁଲାଇ ମୁଖ୍ୟ ସଡ଼କରେ ଚାଲିବାକୁ ବାଧ୍ୟ କରିଥିଲେ, ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିଲା: ‘‘ଆଇ ହେଟ୍ ନିଗର୍ସ’’। ଏହା ସୁବିଦିତ ହୋଇଥିଲେ ହେଁ, ଏଠାରେ ସୂଚାଇ ଦିଆଯାଇପାରେ ଯେ ‘ନିଗର୍’ ହେଉଛି କୃଷ୍ଣକାୟ ନିଗ୍ରୋମାନଙ୍କ ଉଦ୍ଦେଶ୍ୟରେ ଶ୍ବେତକାୟମାନେ ବ୍ୟବହାର କରୁଥିବା ଏକ ଅତ୍ୟନ୍ତ ଅପମାନଜନକ ସଂବୋଧନ। ସ୍ବାଧୀନତା ସମୟରେ ଦେଶ ବିଭାଜନ ପରେ ଉଭୟ ପଶ୍ଚିମ ଓ ପୂର୍ବ ପାକିସ୍ତାନରେ େଯଉଁ ହିନ୍ଦୁ, ଶିଖ୍, ବୌଦ୍ଧ, ପାର୍ସି, ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଅଣମୁସଲମାନ ବାସିନ୍ଦାମାନେ ସେ ଦେଶ ପରିତ୍ୟାଗ ନ କରି ସେ ଦେଶର ନାଗରିକ ହୋଇ ରହିଯିବା ପାଇଁ ପରିସ୍ଥିତିର ଚାପରେ ନିଷ୍ପତ୍ତି ନେଇଥିଲେ, ସେମାନଙ୍କ ମଧ୍ୟରେ ସେ ଦେଶର ସଂଖ୍ୟାଗରିଷ୍ଠ ଜନସମୁଦାୟ ମୁସଲମାନମାନଙ୍କ ପ୍ରତି କୌଣସି ବିଦ୍ବେଷ ନ ଥିଲା, ଠିକ୍ ଯେମିତି ଉପରୋକ୍ତ ଫିଲ୍ମରେ ବ୍ରୁସ୍ ୱିଲିସ୍ ଚରିତ୍ରର କୃଷ୍ଣକାୟମାନଙ୍କ ପ୍ରତି ପ୍ରକୃତରେ କୌଣସି ଘୃଣାଭାବ ନ ଥିଲା। କିନ୍ତୁ ଘଟଣାଚକ୍ରରେ ହାର୍ଲେମ୍ରେ ଏକାକୀ ଛିଡ଼ା ହୋଇଥିବା ବ୍ରୁସ୍ ୱିଲିସ୍ଙ୍କର ଯେଉଁଭଳି ଅବସ୍ଥା ହୋଇଥିଲା, ସ୍ବାଧୀନତା ପରବର୍ତ୍ତୀ ସମୟରେ ପାକିସ୍ତାନ (ପରେ ପୂର୍ବ ପାକିସ୍ତାନ ହୋଇଗଲା ବାଂଲାଦେଶ)ରେ ଏହି ସଂଖ୍ୟାଲଘୁମାନଙ୍କର ସେଇଭଳି ଅବସ୍ଥା ହୋଇଛି। ସେଠାରେ ସେମାନେ ନିୟମିତ ଭାବରେ ସମ୍ମୁଖୀନ ହେଉଥିବା ବିଦ୍ବେଷ ଓ ନିର୍ଯାତନା ଏପରି ଅକଥନୀୟ ଓ ସୁବିଦିତ, ଯାହା ଏଠାରେ ବର୍ଣ୍ଣନା କରିବା ଅନାବଶ୍ୟକ।
ତେବେ ଏହାର ଏକ ପରିଣାମ ଆମ ପାଇଁ ଏପରି ପ୍ରାସଙ୍ଗିକତା ବହନ କରିଥାଏ, ଯାହାର ଏଠାରେ ଉଲ୍ଲେଖ ନିତାନ୍ତ ପ୍ରୟୋଜନ ବୋଧ ହୋଇଥାଏ। ୧୯୪୭ରେ ଦେଶ ବିଭାଜନ ସମୟରେ ପାକିସ୍ତାନର ଜନସଂଖ୍ୟାରେ ହିନ୍ଦୁ ଓ ଶିଖ୍ମାନଙ୍କର ଅଂଶ ଥିଲା ୨୪ ଶତାଂଶ; ବର୍ତ୍ତମାନ ତାହା ହ୍ରାସ ପାଇ ପହଞ୍ଚି ସାରିଲାଣି ୧ ଶତାଂଶରେ। ପୂର୍ବ ପଟେ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କର ଅବସ୍ଥା ମଧ୍ୟ ତଦ୍ରୂପ। ଉଦାହରଣ ସ୍ବରୂପ ଢାକା ବିଶ୍ବବିଦ୍ୟାଳୟର ପ୍ରଫେସର ଆବୁଲ୍ ବର୍କତ୍ କରିଥିବା ଏକ ଦୀର୍ଘକାଳୀନ ଅନୁଶୀଳନ ଅନୁସାରେ ୧୯୭୧ରେ ବାଂଲାଦେଶର ଜନ୍ମ ପର୍ଯ୍ୟନ୍ତ ଦୈନିକ ହାରାହାରି ୭୦୫ ଜଣ ହିନ୍ଦୁ ତତ୍କାଳୀନ ପୂର୍ବ ପାକିସ୍ତାନ ଛାଡ଼ି ପଳାୟନ କରୁଥିଲେ। ଏହାର ପରବର୍ତ୍ତୀ ଦଶକ (୧୯୭୧-୮୧)ରେ ଏହି ଦୈନିକ ହିନ୍ଦୁ ବହିର୍ଗମନ ହାର ୫୧୨କୁ ଓ ତା’ ପରବର୍ତ୍ତୀ ଦଶକ (୧୯୮୧-୯୧)ରେ ୪୩୮କୁ ହ୍ରାସ ପାଇଥିଲା। କିନ୍ତୁ ୧୯୯୧ ପରଠାରୁ ଏଥିରେ ପୁନରାୟ ବୃଦ୍ଧି ଦେଖାଦେଇ ୧୯୭୧ ଅବସ୍ଥାକୁ ଅତିକ୍ରମ କରିଯାଇଛି: ୧୯୯୧-୨୦୦୧ ଦଶକରେ ଏହା ୭୬୭ ହୋଇଥିବା ବେଳେ ୨୦୦୧-୧୨ ମଧ୍ୟରେ ଏହା ହୋଇଥିଲା ୭୭୪। ଫଳସ୍ବରୂପ ୧୯୫୧ରେ ସେ ଦେଶର ଜନସଂଖ୍ୟାରେ ହିନ୍ଦୁମାନଙ୍କର ଅନୁପାତ ପ୍ରାୟ ୨୨ ଶତାଂଶ ଥିବାବେଳେ ବର୍ତ୍ତମାନ ତାହା ୮ ଶତାଂଶ ତଳକୁ ଖସି ଆସିଛି। ଯଦି ଏହି ଧାରା ଅପରିବର୍ତ୍ତିତ ରହେ, ୨୦୫୦ ସୁଦ୍ଧା ବାଂଲାଦେଶ ହୋଇଯାଇଥିବ ସଂପୂର୍ଣ୍ଣ ରୂପେ ହିନ୍ଦୁମୁକ୍ତ, ଏଥିରେ ସନ୍ଦେହ ନାହିଁ।
ଯେଉଁ ଅଣମୁସଲମାନ ଜନସମୁଦାୟ ଘଟଣାଚକ୍ରରେ ପଶ୍ଚିମ ଓ ପୂର୍ବ ପାକିସ୍ତାନରେ ଥିବା ସେମାନଙ୍କର ଭିଟାମାଟି ନ ଛାଡ଼ି ସେଠାରେ ରହିଯାଇଥିଲେ, ସେମାନେ ସେ ଦେଶ ଛାଡ଼ି ପଳାୟନ କରିବାର କାରଣ ଯେ ସେଠାରେ ସେମାନେ ସମ୍ମୁଖୀନ ହେଉଥିବା ଧର୍ମଭିତ୍ତିକ ନିର୍ଯାତନା, ଏହା କେହିହେଲେ ଅସ୍ବୀକାର କରିପାରିବ ନାହିଁ। ଦେଶ ବିଭାଜନର ଏହା ହେଉଛି ସର୍ବାଧିକ ଗୁରୁତର କୁପରିଣାମ। ଧର୍ମ ଭିତ୍ତିରେ ଏକ ଇସ୍ଲାମୀୟ ରାଷ୍ଟ୍ର ରୂପେ ପାକିସ୍ତାନର ସୃଷ୍ଟି ହେବା ପରେ ସ୍ବାଭାବିକ ଭାବରେ ଅଣମୁସଲମାନମାନେ ସେଠାରେ ଏକ ପ୍ରକାର ଅଣ-ନାଗରିକ ରୂପେ ବିବେଚିତ ହୋଇ ବାଛବିଚାର ଓ ଅତ୍ୟାଚାରର ସମ୍ମୁଖୀନ ହେଲେ, ଯଦିବା ପାକିସ୍ତାନର ପ୍ରତିଷ୍ଠାତା ପିତା ଜିନ୍ନା ସେମାନେ ସମାନ ଅଧିକାର ଉପଭୋଗ କରିବେ ବୋଲି ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ସ୍ବାଭାବିକ ଭାବେ ଏହି ନିର୍ଯାତିତ ପଳାୟନକାରୀମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ଶରଣ ପଶିଛନ୍ତି। ସେମାନେ ଭାରତରେ ପ୍ରବେଶ କରି ନାଗରିକତ୍ବହୀନ ଶରଣାର୍ଥୀ ରୂପେ ଏଠାରେ ଜୀବନ ବିତାଉଛନ୍ତି। ଭାରତରେ ବଳବତ୍ତର ଥିବା ନାଗରିକତ୍ବ ଆଇନ୍ ‘ସିଟିଜେନ୍ସିପ୍ ଆକ୍ଟ, ୧୯୫୫’ ଅନୁସାରେ ଯେ କୌଣସି ବହିରାଗତ ବ୍ୟକ୍ତି ଭାରତର ନାଗରିକତ୍ବ ହାସଲ ପାଇଁ ଅବେଦନ କରିପାରିବ। କିନ୍ତୁ ଏହା ଏକ ଅତ୍ୟନ୍ତ ଜଟିଳ କାଳକ୍ଷେପଣକାରୀ ଅମଲାତାନ୍ତ୍ରିକ ପ୍ରକ୍ରିୟା ହୋଇଥିବାରୁ ଏଥିରେ ସଫଳତା ହାସଲର କୌଣସି ନିଶ୍ଚିତତା ନ ଥାଏ ଓ ଅନେକ ସମୟରେ ଆବେଦନକାରୀଙ୍କର ଜୀବନକାଳରେ ଆବେଦନର ଫଳାଫଳ ଜଣାପଡ଼ି ନ ଥାଏ। ଏହି ନିର୍ଯାତିତ ଶରଣାର୍ଥୀମାନେ ତେଣୁ ଭାରତରେ ନାଗରିକତ୍ବହୀନ ଜୀବନ ବିତାଇବା ସହିତ ତଜ୍ଜନିତ ସମସ୍ତ ପ୍ରକାର ଗୁରୁତର ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥାନ୍ତି। ସେମାନଙ୍କର ଏହି ଦୁର୍ଦ୍ଦଶା ମୋଚନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ୨୦୧୯ରେ ‘ସିଟିଜେନ୍ସିପ୍ ଆକ୍ଟ’ରେ ଏକ ସଂଶୋଧନ ଘଟାଇଥିଲେ, ଯାହାଦ୍ବାରା ୩୧ ଡିସେମ୍ବର, ୨୦୧୪ ପୂର୍ବରୁ ପାକିସ୍ତାନ, ଅାଫଗାନିସ୍ତାନ ଓ ବାଂଲାଦେଶରୁ ଭାରତକୁ ଆଗମନ କରିଥିବା ଶିଖ୍, ଖ୍ରୀଷ୍ଟିଆନ୍, ବୌଦ୍ଧ, ହିନ୍ଦୁ ଓ ପାର୍ସିମାନଙ୍କୁ ଭାରତର ନାଗରିକତ୍ବ ପ୍ରଦାନ ତ୍ବରାନ୍ବିତ କରାଯାଇ ପାରିବ।
‘ସିଏଏ’ ରୂପେ ସୁପରିଚିତ ଏହି ସଂଶୋଧିତ ଆଇନରେ ବହିରାଗତ ମୁସଲମାନମାେନ ଅନ୍ତର୍ଭୁକ୍ତ ନ ଥିବାରୁ ରାଜନୈତିକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀମାନଙ୍କ ଦ୍ବାରା ଏହା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ଆୟୋଜିତ ହୋଇଥିଲା ଏବଂ ସେମାନେ ଏହାକୁ ଅସିଦ୍ଧ ଘୋଷଣା କରିବାକୁ ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଆବେଦନ ଏ ପର୍ଯ୍ୟନ୍ତ ଫଇସଲା ହୋଇନାହିଁ। ଏହି ବିରୋଧ ଯୋଗୁଁ ସରକାର କିନ୍ତୁ ଏ ପର୍ଯ୍ୟନ୍ତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ନିୟମାବଳୀ ବା ‘ରୁଲ୍ସ’ ପ୍ରଣୟନ କରି ନ ଥିବାରୁ ବିଗତ ଚାରି ବର୍ଷ ଧରି ତାହା ନିଷ୍କ୍ରିୟ ଅବସ୍ଥାରେ ପଡ଼ିରହିଥିଲା। ଏବେ ସୋମବାର ଦିନ ମୋଦୀ ସରକାର ‘ସିଏଏ ରୁଲ୍ସ’ ପ୍ରଣୟନ ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରି ଶେଷରେ ସେଥିରେ ପ୍ରାଣ ସଞ୍ଚାର କରି ଏହି ନିର୍ଯାତିତ ଶରଣାର୍ଥୀମାନଙ୍କ ପ୍ରତି ଭାରତର ଶରଣ ରକ୍ଷଣ ଦାୟିତ୍ବ ନିର୍ବାହ କରିଛନ୍ତି, ଯାହାର ନୈତିକତା ହେଉଛି ସଂପୂର୍ଣ୍ଣ ରୂପେ ପ୍ରଶ୍ନାତୀତ।
ବର୍ତ୍ତମାନ ମଧ୍ୟ ‘ସିଏଏ ରୁଲ୍ସ’ ବିଜ୍ଞପ୍ତି ପ୍ରକାଶିତ ହେବା ପରେ ବି ମୁସଲମାନ ଭୋଟ୍ ବ୍ୟାଙ୍କ୍ ଉପରେ ନିର୍ଭର କରୁଥିବା ରାଜନୈତିକ ଦଳ ଓ ନେତାମାନେ ‘ସିଏଏ’କୁ ଏକ ମୁସଲମାନ-ବିଦ୍ବେଷୀ ଆଇନ ରୂପେ ଚିତ୍ରିତ କରିବାରେ ଲାଗିଛନ୍ତି ଏବଂ କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ସେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଧମକ ଦେଇଛନ୍ତି। ଏମାନେ କିନ୍ତୁ ଭଲ ଭାବରେ ଜାଣନ୍ତି ଯେ ଉପରୋକ୍ତ ଦେଶମାନଙ୍କରୁ ଯେଉଁ ମୁସଲମାନମାନେ ଭାରତରେ ପ୍ରବେଶ କରିଛନ୍ତି, ସେମାନେ ସେଠାରେ କୌଣସି ଧର୍ମଭିତ୍ତିକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ନୁହେଁ, ଭାରତରେ ଅଧିକ ଅର୍ଥନୈତିକ ସୁଯୋଗର ସନ୍ଧାନରେ ଏଠାକୁ ଆସିଛନ୍ତି। ତଥାପି ସେମାନେ ମଧ୍ୟ ‘ସିଟିଜେନ୍ସିପ୍ ଆକ୍ଟ, ୧୯୫୫’ ଅନୁସାରେ ଏଠାରେ ନାଗରିକତ୍ବ ଲାଭ ପାଇଁ ଆବେଦନ କରିପାରିବେ; ସେମାନେ କିନ୍ତୁ ସେମାନଙ୍କ ଦେଶରେ ନିର୍ଯାତନାର ସମ୍ମୁଖୀନ ହୋଇଥିବା ସଂଖ୍ୟାଲଘୁଙ୍କ ପାଇଁ ସୃଷ୍ଟ ‘ସିଏଏ’ ମାଧ୍ୟମରେ ଭାରତରେ ତ୍ବରାନ୍ବିତ ନାଗରିକତ୍ବ ଲାଭ ପାଇଁ ଯେ ଆଦୌ ହକ୍ଦାର ନୁହନ୍ତି, ଏହା ହେଉଛି ଏକ ସାଧାରଣଜ୍ଞାନ। ଏହା ବାଦ୍, ଏହି ଆଇନ କେବଳ ବହିରାଗତଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ, ପ୍ରଚାର କରାଯାଉଥିବା ଭଳି ଭାରତର ମୁସଲମାନଙ୍କ ପ୍ରତି ଏହା ଦ୍ବାରା କିପରି ଅନ୍ୟାୟ କରାଗଲା, ତାହା ବୁଝା ପଡୁନାହିଁ। କୌଣସି ରାଜ୍ୟ ଯଦି ଏହାକୁ ଆଳ କରି ଏହି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ ନ କରେ, ସେଭଳି ରାଜ୍ୟ ଭୁଲିଯିବା ଉଚିତ ନୁହେଁ ଯେ ଏଭଳି ପରିସ୍ଥିତିର ମୁକାବିଲା ନିମିତ୍ତ ସଂବିଧାନରେ ଧାରା-୩୬୫ର ବ୍ୟବସ୍ଥା କରାଯାଇଛି।