ଅପପୁଷ୍ଟ ଡଉଲଡାଉଲ

ଏକ ନାମକରା ‘ପ୍ରୋଟିନ୍‌’ (ପୁଷ୍ଟିସାର) ଗୁଣ୍ତ ବ୍ରାଣ୍ତ୍‌ର ବିଜ୍ଞାପନରେ ଯାହା ଶୁଣିବାକୁ ମିଳିଥାଏ, ତାହା ହେଲା -‘ଆମ ଦେଶରେ ପ୍ରୋଟିନ୍‌ ବଦଳରେ ଆମକୁ ଯାହା ଖାଇବାକୁ ମିଳିଥାଏ, ତାହା ହେଲା ମା’ଙ୍କ ସ୍ନେହ।’ ଏହି ଧାଡ଼ିକରେ ଆମ ସମାଜରେ ପ୍ରଚଳିତ ଖାଦ୍ୟାଭ୍ୟାସ ଏବ˚ ଖାଦ୍ୟ ନେଇ ପରିବାରର ଆଭିମୁଖ୍ୟ ବାବଦରେ ଆଭାସ ନିହିତ ରହିଛି, ଯହିଁରୁ ଆମେମାନେ ହୁଏ’ତ ସଦ୍ୟ ପ୍ରକାଶିତ ‘ନାସନାଲ ଫାମିଲି ହେଲ୍‌ଥ ସର୍ଭେ-୫’(ଏନ୍‌.ଏଫ୍‌.ଏଚ୍‌.ଏସ୍‌.-୫)ରେ ଉପଲବ୍‌ଧ କିଛି ବିସ୍ମୟ ସୃଷ୍ଟିକାରୀ ତଥ୍ୟର ମର୍ମ ଭେଦ କରି ପାରିବା। ଏହି ସର୍ଭେ ରିପୋର୍ଟରେ ପ୍ରକାଶିତ ହୋଇଥିବା ଦାରିଦ୍ର୍ୟ ସହିତ ସ˚ଶ୍ଳିଷ୍ଟ ପୁଷ୍ଟିହୀନତା ସମ୍ବନ୍ଧୀୟ ତଥ୍ୟ ଯଦିଓ ଉଦ୍‌ବେଗଜନକ, କିନ୍ତୁ ତାହା ବର୍ଷ ପରେ ବର୍ଷ ଅନୁରୂପ ଚିତ୍ର ପ୍ରଦାନ କରି ଆସୁଥିବାରୁ ଭ୍ରୂକୁଂଚନ ଲାଗି ବିଶେଷ ଅବକାଶ ସୃଷ୍ଟି କରି ନ ଥାଏ। କିନ୍ତୁ, ଯାହା ଏହି ସ୍ତମ୍ଭର ଅନେକ ପାଠକପାଠିକାଙ୍କୁ ବିସ୍ମିତ କରିପାରେ ତାହା ହେଲା ସହରରେ ରହୁଥିବା ଏବ˚ ଖାଦ୍ୟପଦାର୍ଥ ଉପରେ ଏକ ମୋଟା ଅଙ୍କର ଅର୍ଥ ବ୍ୟୟ କରୁଥିବା ସ୍ବଚ୍ଛଳ ବା ଏପରିକି ଧନୀକ ପରିବାରର ପିଲାମାନେ ପୁଷ୍ଟିହୀନତାର ଶିକାର ହେଉଥିବା ଭଳି ଘଟଣା। ସ˚ପ୍ରତି ପ୍ରକାଶ ପାଇଥିବା ଏନ୍‌.ଏଫ୍‌.ଏଚ୍‌.ଏସ୍‌.-୫ର ତଥ୍ୟ ଯେ କେବଳ ଏହାର ଆଭାସ ଦେଇଛି ତାହା ନୁହେଁ, ଗଲା ଜୁନ୍‌ ମାସରେ ପ୍ରକାଶ ପାଇଥିବା ଆହୁରି କିଛି ତଥ୍ୟ ଦର୍ଶାଇଥିଲା ଯେ ଭାରତୀୟ ପରିବାରରେ ଅଧିକରୁ ଅଧିକ ସ˚ଖ୍ୟାରେ ଦୃଶ୍ୟମାନ ହେଉଥିବା ଡଉଲଡାଉଲ ଶିଶୁ ବା କିଶୋରମାନଙ୍କ ମଧ୍ୟରୁ ବହୁଳାଂଶ ପୁଷ୍ଟିହୀନତା ଏପରିକି ରକ୍ତହୀନତା ଭୋଗ କରୁଛନ୍ତି।

ଦେଖାଯାଇଛି ଯେ ଭାରତରେ ଅନୁସୃତ ଖାଦ୍ୟ ପର˚ପରାରେ ମୁଖ୍ୟ ଖାଦ୍ୟ ଭାବେ ଯାହାକୁ ଭୋଜନ କରାଯାଇଥାଏ, ସେ ସବୁ ବିଭିନ୍ନ ଶସ୍ୟ(ଧାନ ବା ଗହମ ବା ବାଜରା)ରୁ ପ୍ରସ୍ତୁତ; ଏବ˚ ସେ ସବୁ ପ୍ରମୁଖ ଭାବେ ଶ୍ବେତସାରଯୁକ୍ତ। ସୁତରା˚, ସ୍ବାଭାବିକ ଭାବେ ଭାରତୀୟ ଖାଦ୍ୟ ଥାଳିରେ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯେତିକି ଗୁରୁତ୍ବ ଲାଭ କରିବା କଥା, ତାହା କରି ନ ଥାଏ। ଏ ସମ୍ବନ୍ଧରେ ‘ଇଣ୍ଟରନାସନାଲ ଫୁଡ୍‌ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌(ଆଇ.ଏଫ୍‌.ପି.ଆର. ଆଇ.), ‘କନ୍‌ସଲ୍‌ଟେଟିଭ୍‌ ଗ୍ରୁୁପ୍‌ ଅନ୍‌ ଇଣ୍ଟରନାସନାଲ ଆଗ୍ରିକଲ୍‌ଚରାଲ ରିସର୍ଚ୍ଚ‌୍‌’ (ସି.ଜି.ଏ.ଆର୍‌) ଏବ˚ ‘ଆଗ୍ରିକଲ୍‌ଚର ଫର୍‌ ନ୍ୟୁଟ୍ରିସନ୍‌ ଏଣ୍ତ ହେଲ୍‌ଥ’ ଭଳି ତିନିଟି ପ୍ରଭାବଶାଳୀ ଆନ୍ତର୍ଜାତିକ ଅନୁଷ୍ଠାନ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ଭାରତର ୧୦ ପ୍ରତିଶତ ସର୍ବାଧିକ ଧନୀ ବର୍ଗ ମୁଣ୍ତ ପିଛା ହାରାହାରି ୩୦୦୦ କ୍ୟାଲୋରିର ଖାଦ୍ୟ ଗ୍ରହଣ କରୁଥିବା ବେଳେ ସର୍ବାଧିକ ଦରିଦ୍ର ବର୍ଗରେ ରହିଥିବା ୧୦ ପ୍ରତିଶତ ଦୈନିକ ମୁଣ୍ତପିଛା ୧୬୪୫ କ୍ୟାଲୋରିର ଖାଦ୍ୟ ଗ୍ରହଣ କରିଥାନ୍ତି। ଫଳରେ ଭାରତୀୟମାନେ ହାରାହାରି ଦୈନିକ ମୁଣ୍ତ ପିଛା ପ୍ରାୟ ୨୩୦୦ କ୍ୟାଲୋରିର ଖାଦ୍ୟ ଗ୍ରହଣ କରିଥାଆନ୍ତି, ଯାହା ଅତ୍ୟନ୍ତ ସ୍ବଳ୍ପ ଏବଂ ଯାହା ଭାରତକୁ ସର୍ବନିମ୍ନ କ୍ୟାଲୋରି ଆହରଣ କରୁଥିବା ନାଗରିକଙ୍କ ଦେଶ ମଧୢରେ ସ୍ଥାନିତ କରିଛି। କିନ୍ତୁ ବିସ୍ମୟର କଥା ଏହା ସତ୍ତ୍ବେ ଭାରତରେ ମେଦବହୁଳ ଶିଶୁମାନଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିିଛି। ‘ପେଡିଆଟ୍ରିକ୍‌’ ପତ୍ରିକା ଦ୍ବାରା ପ୍ରକାଶିତ ଏକ ନିବନ୍ଧ କହିଥାଏ ଯେ ସ˚ପ୍ରତି ଭାରତରେ ମେଦବହୁଳ ଶିଶୁମାନଙ୍କ ସ˚ଖ୍ୟା ହେଉଛି ପ୍ରାୟ ୧୪.୪ ନିୟୁତ ଯାହା ଚୀନ ପରେ ଭାରତକୁ ପୃୃଥିବୀର ଦ୍ବିତୀୟ ସର୍ବାଧିକ ପୃଥୁଳକାୟ ଶିଶୁଙ୍କ ଦେଶରେ ପରିଣତ କରିଛି। ଏହା ଆହୁରି କହିଛି ଯେ ସ୍ବଚ୍ଛଳ ପରିବାରରେ ମେଦବହୁଳ ଶିଶୁମାନଙ୍କ ହାରରେ ୩୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବା ଦେଖାଯାଇଛି। ତେବେ ଏହା ମଧ୍ୟ ସତ ଯେ ଗ୍ରାମାଞ୍ଚଳର ନିମ୍ନ ମଧୢବିତ୍ତ ପରିବାରରେ ମଧୢ ଏହି ଲକ୍ଷଣଯୁକ୍ତ ଶିଶୁମାନେ କ୍ରମେ ଅଧିକରୁ ଅଧିକ ସ˚ଖ୍ୟାରେ ଦୃଶ୍ୟମାନ ହେବାରେ ଲାଗିଛନ୍ତି।

ଏହି ସ˚ଦର୍ଭରେ ୧୬ଟି ଦେଶର ୧୩୭ ଜଣ ବିଶ୍ବ ପ୍ରସିଦ୍ଧ ବିଶାରଦଙ୍କ ଦ୍ବାରା ଗଠିତ ‘ଇଏଟି-ଲାନ୍‌ସେଟ୍‌ କମିସନ’ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ମାର୍ଗଦର୍ଶିକା ବିଶେଷ ପ୍ରଣିଧାନଯୋଗ୍ୟ। ଏହି ମାର୍ଗଦର୍ଶିକା ଆଧାରରେ ଅନୁଶୀଳନ କରି ‘ଆଇ.ଏଫ୍‌.ପି.ଆର.’ ଓ ‘ସି.ଜି.ଏ.ଆର.’ ଦ୍ବାରା ପ୍ରସ୍ତୁତ ଉପରେ ବର୍ଣ୍ଣିତ ରିପୋର୍ଟଟି ଭାରତୀୟ ଖାଦ୍ୟରେ ଶ୍ବେତସାରଯୁକ୍ତ ଉପାଦାନର ପ୍ରାଧାନ୍ୟ ଏବ˚ ପୁଷ୍ଟିସାରର ଗୌଣତା ବା ଅଭାବ ଉପରେ ଆଲୋକପାତ କରିଥାଏ। ‘ଇଏଟି-ଲାନ୍‌ସେଟ୍‌ କମିସନ’ ଦ୍ବାରା ପ୍ରଦାନ କରାଯାଇଥିବା ସୁଷମ ଖାଦ୍ୟର ପରିଭାଷା ଅନୁସାରେ ଦୈନିକ ଖାଦ୍ୟରେ ଏକ ତୃତୀୟା˚ଶ ଅର୍ଥାତ୍‌ ପ୍ରାୟ ୩୦ ପ୍ରତିଶତ ଶ୍ବେତସାର-ପ୍ରଧାନ ଶସ୍ୟ ଜାତୀୟ ଖାଦ୍ୟ ହେବା ଉଚିତ। କିନ୍ତୁ ଭାରତୀୟ ଖାଦ୍ୟରେ ଏହାର ପରିମାଣ ହାରାହାରି ୪୭ ପ୍ରତିଶତ ଅର୍ଥାତ୍‌ ପ୍ରାୟ ଅଧା ଏବ˚ ନିମ୍ନ ଆର୍ଥିକ ବର୍ଗରେ ଏହାର ପରିମାଣ ଆହୁରି ଅଧିକ ହୋଇ ୭୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ସେହିଭଳି ଭାରତୀୟ ଖାଦ୍ୟରେ ବିଭିନ୍ନ ପ୍ରକାର ପନିପରିବା ବା ଫଳ ଓ ଦୁଗ୍‌ଧ ଜାତ ଦ୍ରବ୍ୟ ବିଶେଷ ପ୍ରମୁଖତା ଲାଭ କରି ନ ଥାଏ। ଅନୁଶୀଳନରୁ ଜଣାପଡ଼ିଛି ଯେ ‘ଲାନ୍‌ସେଟ୍‌’ର ମାର୍ଗଦର୍ଶିକାରେ ଜଣେ ଦୈନିକ ଯେତିକି ଫଳ ଆହାର କରିବା ଉଚିତ ବୋଲି କୁହାଯାଇଛି, ତାର ହାରାହାରି ମାତ୍ର ୪୦ ପ୍ରତିଶତ ଫଳ ଜଣେ ଭାରତୀୟ ଖାଇଥାଏ। ସେହିପରି ‘ଇଣ୍ତିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ’ ଅନୁସାରେ ଜଣେ ବ୍ୟକ୍ତି ତାଙ୍କ ଶରୀର ଓଜନ ଆଧାରରେ ପ୍ରତି କିଲୋଗ୍ରାମ ପିଛା ଏକ ଗ୍ରାମ୍‌ ପ୍ରୋଟିନ ବା ପୁଷ୍ଟିସାର ଖାଇବା ଆବଶ୍ୟକ (ଉଦାହରଣ ସ୍ବରୂପ ୮୦ କିଲୋଗ୍ରାମ ଓଜନର ବ୍ୟକ୍ତି ଲାଗି ଦୈନିକ ୮୦ ଗ୍ରାମ୍‌ ପ୍ରୋଟିନ)। କିନ୍ତୁ ଜଣେ ଭାରତୀୟ ହାରାହାରି ତାଙ୍କ ଓଜନ ଅନୁସାରେ କିଲୋଗ୍ରାମ୍‌ ପିଛା ମାତ୍ର .୫ ଗ୍ରାମ୍‌ ପ୍ରୋଟିନ ଖାଇଥାଆନ୍ତି। ଉଲ୍ଲେଖନୀୟ ଯେ ସୁଷମ ଖାଦ୍ୟର ସ˚ଜ୍ଞା ଅନୁସାରେ ଶରୀର ଗଠନ ଲାଗି ପ୍ରୋଟିନ ନିତାନ୍ତ ଆବଶ୍ୟକ ହେଉଥିବାରୁ ଏହା‌ ଖାଦ୍ୟରେ ସର୍ବାଧିକ ମହତ୍ତ୍ବ ଲାଭ କରିବା କଥା।

କେବଳ ସେତିକି ନୁହେଁ, ଶିଶୁ ଓ କିଶୋରମାନଙ୍କ ମଧୢରେ ବିଭିନ୍ନ ପ୍ରକାର ପ୍ରକ୍ରିୟାକୃତ ଖାଦ୍ୟ ପ୍ରତି ବୃଦ୍ଧି ପାଇଥିବା ମାତ୍ରାତିରିକ୍ତ ଅନୁରକ୍ତି କାରଣରୁ ଗ୍ରାମ ଓ ସହର ନିର୍ବିଶେଷରେ ସେମାନେ ପୁଷ୍ଟିଶୂନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଭକ୍ଷଣ କରି ଦୈନିକ ଲାଭ କରୁଥିବା କ୍ୟାଲୋରିର ୧୦ ପ୍ରତିଶତ ତହିଁରୁ ଆହରଣ କରୁଛନ୍ତି। ଏଣେ ଶିଶୁମାନଙ୍କ ଲାଗି ଖେଳକୁଦର ସମୟ ଓ ସୁଯୋଗ ଅତ୍ୟନ୍ତ ସ˚କୁଚିତ ହୋଇପଡ଼ିଥିବା କାରଣରୁ ପ୍ରକ୍ରିୟାକୃତ ଖାଦ୍ୟ ଦ୍ବାରା ସେମାନଙ୍କ ଶରୀର ଲାଭ କରୁଥିବା କ୍ୟାଲୋରିର ଦହନ ସମ୍ଭବ ହୋଇ ନ ଥାଏ, ଯାହା ଚର୍ବି ରୂପେ ଜମି ରହି ମେଦବହୁଳତା ସୃଷ୍ଟି କରିଛି ସିନା, ସେମାନଙ୍କ ଶରୀରର ପୁଷ୍ଟି ସାଧନ କରିବାରେ ଆଦୌ ସହାୟକ ହୋଇନାହିଁ। ତେବେ, ଅନେକ ଭାରତୀୟ ପରିବାର ଡଉଲଡାଉଲ ଚେହେରା ସ˚ପନ୍ନ ଶିଶୁମାନଙ୍କୁ ପସନ୍ଦ କରୁଥିବାରୁ ଏହି ବିଡ଼ମ୍ବିତ ସତ୍ୟ ପ୍ରତି ଆଖି ବନ୍ଦ କରି ଦେଇଥାଆନ୍ତି ଯେ ପ୍ରକୃତରେ ସେହି ଶିଶୁ ଓ କିଶୋରମାନେ ପୁଷ୍ଟିହୀନଙ୍କ ଏକ ବିଶାଳ ବାହିନୀ ସୃଷ୍ଟି କରିବାରେ ଲାଗିଲେଣି।

ଉଲ୍ଲେଖଯୋଗ୍ୟ ଯେ ଦେଶର ଦରିଦ୍ର ପରିବାରର ଶିଶୁମାନଙ୍କୁ ପୁଷ୍ଟିହୀନତା କବଳରୁ ରକ୍ଷା କରିବା ଲାଗି କେନ୍ଦ୍ର ସରକାର ‘ଖାଦ୍ୟ ସୁରକ୍ଷା ଆଇନ’ ପ୍ରବର୍ତ୍ତନ କରିଛନ୍ତି ଓ ‘ଜାତୀୟ ପୁଷ୍ଟିସାଧନ ଯୋଜନା’ (ନାସନାଲ ନ୍ୟୁଟ୍ରିସନ ପ୍ରୋଗ୍ରାମ) ଭଳି ପଦକ୍ଷେପ ନେଇଛନ୍ତି; ଯାହାର ସକାରାତ୍ମକ ପ୍ରଭାବ ମଧୢ ଦୃଷ୍ଟିଗୋଚର ହୋଇଛି। କିନ୍ତୁ ଅପର ପକ୍ଷରେ ଖାଦ୍ୟ ଉପରେ ଅଧିକରୁ ଅଧିକ ଅର୍ଥ ବ୍ୟୟ କରି ଚାଲିଥିବା ସ୍ବଚ୍ଛଳ ପରିବାରର ଶିଶୁ ବା କିଶୋରମାନେ ଅପପୁଷ୍ଟିର ଶିକାର ହୋଇ ଏକ ଅନାକା˚କ୍ଷିତ ବିରୋଧାଭାସ ସୃଷ୍ଟି କରିଛନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେଲେ ଭାରତୀୟମାନଙ୍କ ଖାଦ୍ୟ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଅଣାଯିବା ଜରୁରୀ। ଖାଦ୍ୟରେ ପୁଷ୍ଟିସାର, ଶ୍ବେତସାର ଓ ସ୍ନେହସାରର ସମନ୍ବିତ ଉପସ୍ଥିତି ସହିତ ପ୍ରକ୍ରିୟାକୃତ ଖାଦ୍ୟର ବର୍ଜନ ଏହାର ସମାଧାନ। ଏକ ଉତ୍ସବ ଭରା ଏବ˚ ଖାଦ୍ୟ ପ୍ରିୟ ଭାରତୀୟ ସମାଜ, ଯେଉଁଠି ମା’ମାନଙ୍କ ସ୍ନେହର ସନ୍ତକ ରୂପେ ପରିବାରର ଖାଦ୍ୟ ଥାଳି ଖିରି, ପୁରୀ, ମିଷ୍ଟାନ୍ନ ଆଦିରେ ଉଛୁଳି ପଡ଼େ, ସେଠାରେ ସୁଷମ ଖାଦ୍ୟର ଗୁରୁତ୍ବକୁ ପାଶୋରି ଦିଆଯିବା ଆଦୌ ଉଚିତ ନୁହେଁ। ତାହା ନ ହେଲେ ଡଉଲଡାଉଲ ପୁଷ୍ଟିହୀନମାନଙ୍କ ଦ୍ବାରା ସୃଷ୍ଟି ହେବାକୁ ଯାଉଥିବା ସ୍ବାସ୍ଥ୍ୟଗତ ସମସ୍ୟା, ଏକ ବଡ଼ ସ˚କଟ ରୂପେ ଉଭା ହୋଇପାରେ।

ସମ୍ବନ୍ଧିତ ଖବର