ଭାରତ ଏକ ଦ୍ରୁତ ସଂକ୍ରମଣ ଅନୁରୂପ ପରିବର୍ତ୍ତନ ଦେଇ ଗତି କରୁଛି- ଏକ ଅପପୁଷ୍ଟ ଓ କମ୍ ଓଜନର ଜନସଂଖ୍ୟା ବିଶିଷ୍ଟ ଦେଶରୁ ଏକ ଅତ୍ୟଧିକ ପୁଷ୍ଟିକର ଓ ମେଦବହୁଳ ଦେଶକୁ ରୂପାନ୍ତରିତ ହେଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ (୨୦୧୯-୨୧)ର ପ୍ରାପ୍ତ ବୟସ୍କଙ୍କ ପୋଷଣ ତଥ୍ୟ ଦର୍ଶାଉଛି ଯେ ଦେଶରେ ମେଦବହୁଳ ବ୍ୟକ୍ତିଙ୍କ ସଂଖ୍ୟା କମ୍ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଅଧିକ ରହିଛି। ଲିଙ୍ଗ ଦୃଷ୍ଟିରୁ ଦେଶରେ ୧୫-୪୯ ବର୍ଷ ବୟସର ୨୪ ପ୍ରତିଶତ ମହିଳା ଓ ୨୩ ପ୍ରତିଶତ ପୁରୁଷ ମୋଟାପଣର ଶିକାର ହୋଇଛନ୍ତି। ସେହିପରି ୧୯ ପ୍ରତିଶତ ମହିଳା ଓ ୧୬ ପ୍ରତିଶତ ପୁରୁଷ କମ୍ ଓଜନ ବର୍ଗରେ ରହିଛନ୍ତି। ଏହା ବ୍ୟତୀତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ (୨୦୧୫-୧୬) ଓ ସର୍ବେକ୍ଷଣ-୫ (୨୦୧୯-୨୧) ମଧ୍ୟରେ ମେଦବହୁଳତାରେ ୪ ପ୍ରତିଶତ ବୃଦ୍ଧି ଦେଖାଯାଇଛି (ପୁରୁଷଙ୍କ କ୍ଷେତ୍ରରେ ୪.୩ ପଏଣ୍ଟ୍ ଓ ମହିଳାଙ୍କ କ୍ଷେତ୍ରରେ ୩.୪ ପଏଣ୍ଟ୍)।
ସାଧାରଣତଃ ଅଧିକ ଓଜନ ବା ମେଦବହୁଳତା ହେଉଛି ଏକ ଅବସ୍ଥା ଯାହା ଶରୀରରେ ଚର୍ବି କୋଷର ଆକାର ଓ ପରିମାଣ ବୃଦ୍ଧି ଦ୍ବାରା ଚିହ୍ନିତ ହୋଇଥାଏ। ଜଣେ ବ୍ୟକ୍ତି ନିଜ ଉଚ୍ଚତା ତୁଳନାରେ ଅଧିକ ଭାରୀ ହୋଇଗଲେ ମେଦବହୁଳତା ଦେଖାଦିଏ। ଶକ୍ତି ଆହରଣ ଓ ଶକ୍ତି ଖର୍ଚ୍ଚ ମଧ୍ୟରେ ଅସନ୍ତୁଳନ ଘଟିଲେ ମୋଟାପଣ ସୃଷ୍ଟି ହୋଇଥାଏ। ଏହାକୁ ସାଧାରଣତଃ ଶରୀର ଓଜନ ସୂଚକାଙ୍କ ବା ବଡି ମାସ୍ ଇଣ୍ଡେକ୍ସ (ବିଏମ୍ଆଇ) ଆଧାରରେ ମୂଲ୍ୟାଙ୍କନ କରାଯାଏ। କିଲୋଗ୍ରାମ୍ରେ ଓଜନ ଓ ବର୍ଗ ମିଟରରେ ଉଚ୍ଚତାର ବର୍ଗଫଳର ଅନୁପାତକୁ ବିଏମ୍ଆଇ କୁହାଯାଏ ଏବଂ ତାହା କିଲୋଗ୍ରାମ୍/ବର୍ଗ ମିଟର ଭାବରେ ପ୍ରକାଶ କରାଯାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁସାରେ ଜଣେ ସୁସ୍ଥ ବ୍ୟକ୍ତିର ସ୍ବାଭାବିକ ବିଏମ୍ଆଇ ୧୮.୫ କିଲୋଗ୍ରାମ୍/ବର୍ଗ ମିଟରରୁ ୨୪.୯ କିଲୋଗ୍ରାମ୍/ବର୍ଗ ମିଟର ମଧ୍ୟରେ ରହିଥାଏ। ତାହା ୨୫ କିଲୋଗ୍ରାମ/ବର୍ଗ ମିଟର ବା ତହିଁରୁ ଅଧିକ ରହିଲେ ତାଙ୍କୁ ଅଧିକ ଓଜନର କୁହାଯିବ।
ବିଏମ୍ଆଇ ୩୦ କିଲୋଗ୍ରାମ୍/ବର୍ଗ ମିଟର ବା ତଦ୍ଦୂର୍ଦ୍ଧ ରହିଲେ ତାଙ୍କୁ ମୋଟା ବା ମେଦବହୁଳ ଏବଂ ୪୦ କିଲୋଗ୍ରାମ୍/ବର୍ଗ ମିଟର ବା ତା’ଠାରୁ ଅଧିକ ରହିଲେ ଅତ୍ୟନ୍ତ ମେଦବହୁଳ ବୋଲି ବିବେଚନା କରାଯାଏ। ଅପରପକ୍ଷେ, ବିଏମ୍ଆଇ ୧୮.୪ କିଲୋଗ୍ରାମ୍/ବର୍ଗ ମିଟରରୁ କମ୍ ରହିଲେ ଓଜନ ସ୍ବାଭାବିକ ଠାରୁ କମ୍ ବୋଲି ବିଚାର କରାଯାଏ। ମେଦବହୁଳତା ହେଉଛି ଏକ ଦୀର୍ଘସ୍ଥାୟୀ ଅବିଗୁଣ ଯାହା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ଘାତ ଓ କର୍କଟ ପରି କେତେକ ଅଣସଂକ୍ରାମକ ରୋଗର ଆଶଙ୍କା ବଢ଼ାଇଥାଏ। ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଅଣସଂକ୍ରାମକ ରୋଗର ବୋଝ ସଂକ୍ରାମକ ରୋଗକୁ ଟପିଗଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୨୦୧୭ରେ କରାଯାଇଥିବା ଅଣସଂକ୍ରାମକ ରୋଗର ବୃଦ୍ଧି ସଂକ୍ରାନ୍ତ ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ବର୍ଷକୁ ୫୮ ଲକ୍ଷ ଲୋକଙ୍କର ଅଣସଂକ୍ରାମକ ରୋଗରେ ମୃତ୍ୟୁ ଘଟୁଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ୧୯୯୦ରୁ ୨୦୧୬ ମଧ୍ୟରେ ଅଣସଂକ୍ରାମକ ରୋଗରେ ମୃତ୍ୟୁ ସଂଖ୍ୟା ୩୭ ପ୍ରତିଶତରୁ ୬୧ ପ୍ରତିଶତକୁ ବଢ଼ିଥିଲା ବେଳେ ଶାରୀରିକ ଅକ୍ଷମତା ୩୦ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି।
ଭାରତ ପାଇଁ ମେଦବହୁଳତା ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ୨୦୦୬ରୁ ୨୦୧୬ ମଧ୍ୟରେ ଭାରତରେ ଶିଶୁ ଏବଂ ବୟସ୍କଙ୍କ ପୁଷ୍ଟିହୀନତା ଦ୍ରୁତ ଗତିରେ ହ୍ରାସ ପାଇଥିବା ବେଳେ ଏହି ସମୟ ଭିତରେ ବୟସ୍କମାନଙ୍କ ମେଦବହୁଳତା ଦ୍ବିଗୁଣିତ ହୋଇଛି। ମେଦବହୁଳତା ଭାରତର ସହରୀ ସ୍ବଚ୍ଛଳ ବର୍ଗର ସମସ୍ୟା ହୋଇ ରହି ନାହିଁ। ବିଗତ କିଛି ବର୍ଷ ଭିତରେ ଏହା ଅଧିକରୁ ଅଧିକ ଗ୍ରାମ୍ୟ ଓ ମଧ୍ୟବିତ୍ତ ପରିବାରରେ ପ୍ରବେଶ କରିଛି। ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଗ୍ରାମାଞ୍ଚଳରେ ମେଦବହୁଳତା ବୃଦ୍ଧି ସହରାଞ୍ଚଳ ତୁଳନାରେ ଅଧିକ ହୋଇଥିବାର ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳର ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ମେଦବହୁଳତା ଯଥାକ୍ରମେ ୫ ଓ ୪.୬ ପ୍ରତିଶତ ବଢ଼ିଥିବା ବେଳେ ସହରାଞ୍ଚଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ତାହା ଯଥାକ୍ରମେ ୩.୨ ଓ ୦.୮ ପ୍ରତିଶତ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ମେଦବହୁଳତାର ଦ୍ରୁତ ବୃଦ୍ଧି ପାଇଁ ମୁଖ୍ୟତଃ ଗ୍ରାମାଞ୍ଚଳ କାର୍ଯ୍ୟର ପ୍ରକୃତିରେ ପରିବର୍ତ୍ତନ ଦାୟୀ। କିଛି ବର୍ଷ ହେଲା ଶାରୀରିକ ଭାବେ କଷ୍ଟକର କୃଷିଭିତ୍ତିକ ନିଯୁକ୍ତିରୁ ଶ୍ରମ ଶକ୍ତି ବହୁମାତ୍ରାରେ ଦୂରେଇ ଯାଇଛି।
ମେଦବହୁଳତା ବ୍ୟକ୍ତିଗତ, ପାରିବାରିକ ଓ ସରକାରୀ ସ୍ତରରେ ଗୁରୁତର ଆର୍ଥିକ ପରିଣାମ ଆଣୁଛି। ଏହା କେବଳ ଚିକିତ୍ସା ଖର୍ଚ୍ଚକୁ ପ୍ରଭାବିତ କରେ ନାହିଁ, ବରଂ କାର୍ଯ୍ୟରେ ଅନୁପସ୍ଥିତି, ଅକାଳ ମୃତ୍ୟୁ ଓ ଭିନ୍ନକ୍ଷମତା ଆକାରରେ ପରିବାର ଓ ସରକାର ଉପରେ ଉତ୍ପାଦନଶୀଳତା ହାନିର ବୋଝ ସୃଷ୍ଟି କରିଥାଏ। ୨୦୨୨ରେ ମେଦବହୁଳତା ଜନିତ ହାରାହାରି ହାନି ଉପରେ ସର୍ବଭାରତୀୟ ସ୍ତରରେ ସଂଗଠିତ ଏକ ଅଧ୍ୟୟନ ଅନୁସାରେ ତାହା ୨.୮ ଲକ୍ଷ କୋଟି ଟଙ୍କା ବୋଲି ଜଣାଯାଇଛି। ଏହାକୁ ଭିତ୍ତି କରି ଆକଳନ କରାଯାଇଛି କି, ଯଦି ମେଦବହୁଳତାର ପ୍ରସାରକୁ ନିୟନ୍ତ୍ରଣ କରାନଯାଏ, ତେବେ ୨୦୬୦ ବେଳକୁ ଭାରତ ବାର୍ଷିକ ୬୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ଯାହା ଦେଶର ଜିଡିପିର ୨.୫ ପ୍ରତିଶତ ସହିତ ସମାନ ହେବ। ହ୍ରାସମାନ ଜନ୍ମ-ମୃତ୍ୟୁ ହାର ଓ ବର୍ଦ୍ଧିତ ବୟସ୍କ ଜନସଂଖ୍ୟାରୁ ସ୍ପଷ୍ଟ ଯେ ଦେଶ ଏକ ଜନସଂଖ୍ୟା ସଂରଚନାଗତ ପରିବର୍ତ୍ତନ ଦେଇ ଗତି କରୁଛି, ତେଣୁ ମୋଟାପଣ ବୃଦ୍ଧି ପାଇବା ସୁନିଶ୍ଚିତ। ଏଥି ସହିତ ଯଥେଷ୍ଟ ଆର୍ଥିକ ଅଭିବୃଦ୍ଧି ଯୋଗୁଁ ଆୟ ବୃଦ୍ଧି ପାଇବା ସହିତ ମଧ୍ୟମ ଓ ଉଚ୍ଚ ଆୟ ପରିବାରରେ ପ୍ରତ୍ୟେକ ବ୍ୟକ୍ତି ପିଛା ହାରାହାରି କ୍ୟାଲୋରି ଗ୍ରହଣ ବୃଦ୍ଧି ପାଇବ ଏବଂ ମୋଟାପଣ ଚିନ୍ତା ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଲୋକଙ୍କର ଘରୁ ଖାଦ୍ୟ ନେଇ ବାହାରକୁ ଯିବାର ଅଭ୍ୟାସ ବୃଦ୍ଧି ପାଇଛି ଏବଂ ଦେଶରେ ମୁଣ୍ଡ ପିଛା କ୍ୟାଲୋରି ଗ୍ରହଣର ହ୍ରାସମାନ ଧାରା କିଛି ବର୍ଷ ହେଲା ବିପରୀତମୁହାଁ ହେବାରେ ଲାଗିଛି।
ତେବେ ବର୍ତ୍ତମାନର ସରକାରୀ ନୀତି ଏବଂ ହସ୍ତକ୍ଷେପ ମୁଖ୍ୟତଃ ଦାରିଦ୍ର୍ୟ, କ୍ଷୁଧା ଓ ଅପପୁଷ୍ଟି ଦୂରୀକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରୁଛି। କିଛି ବର୍ଷ ପୂର୍ବରୁ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟର ଦରବୃଦ୍ଧି କରି ସେଗୁଡ଼ିକର ବ୍ୟବହାରକୁ ନିରୁତ୍ସାହିତ କରିବା ଲାଗି ଏକ ପ୍ରକାର ‘ସିନ୍ ଟାକ୍ସ’ ବା ‘ପାପ କର’ ବସାଇବା ବାବଦରେ ଆଲୋଚନା ହୋଇଥିଲା, ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଅସ୍ବାସ୍ଥ୍ୟକର ଖାଦ୍ୟକୁ ନିରୁତ୍ସାହିତ କରିବାର ରଣନୀତି ଆପଣେଇବାର ସମୟ ଏବେ ଆସିଯାଇଛି। ସିଗାରେଟ୍ ଖୋଳ ଉପରେ ଥିବା ବାଧ୍ୟତାମୂଳକ ଚେତାବନୀ ପରି ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟର ପ୍ୟାକେଟ୍ ଉପରେ ମଧ୍ୟ ସଚିତ୍ର ଚେତାବନୀ ରହିବା ଆବଶ୍ୟକ। ଏହା ଦ୍ବାରା ଲୋକେ ସେଭଳି ସାମଗ୍ରୀ ସେବନରୁ ନିବୃତ୍ତ ରହିପାରିବେ। ପୁଷ୍ଟିହୀନତା ଉଚ୍ଚ ସ୍ତରରେ ରହିଥିବା ବେଳେ ପ୍ରାପ୍ତ ବୟସ୍କଙ୍କ ମେଦବହୁଳତା ବୃଦ୍ଧି ଭାରତକୁ ଏକ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ପକାଇଛି। ସ୍ବାସ୍ଥ୍ୟସେବା ସରକାରଙ୍କ ଏକ ନୀତି ନିର୍ଦ୍ଧାରଣ କ୍ଷେତ୍ର ହୋଇଥିବାରୁ ସମ୍ବଳର ଅଭାବ ଯୋଗୁଁ ରାଜ୍ୟ ସ୍ତରରେ ଅପପୁଷ୍ଟିର ଦୁଇଗୁଣା ବୋଝ (ଅଳ୍ପ ପୁଷ୍ଟି ଓ ମେଦବହୁଳତା)କୁ ପରିଚାଳନା କରିବା କଷ୍ଟକର। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ସେମାନେ ଯେତେ ଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ, ସେତେ ଭଲ।
ମୋ: ୯୪୩୭୩୮୭୧୭୨