ମହାବାତ୍ୟା ପରେ ଏହି ଶତାବ୍ଦୀରେ ହୁଡ୍ହୁଡ୍, ଫାଇଲିନ୍ ଓ ତିତିଲି ଭଳି ବାତ୍ୟାମାନ ଅକ୍ଟୋବର ମାସରେ ସଂଘଟିତ ହୋଇ ଏହି ମାସଟିକୁ ଭୟ ଓ ଦୁଃଖର ଏକ ମାସରେ ପରିଣତ କରିଛି। ଆସନ୍ତା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟାର ପଚିଶତମ ବର୍ଷ ପୂର୍ତ୍ତି ଅବସରରେ ସେହି ବିଭୀଷିକାକୁ ସାରା ଓଡ଼ିଶା ସଜଳ ଚକ୍ଷୁରେ ସ୍ମରଣ କରିବ। କିନ୍ତୁ, ୧୯୭୧ ମସିହାର ଏହି ତାରିଖରେ ଓଡ଼ିଶା ଭୋଗିଥିବା ଆଉ ଏକ ଭୟାବହ ବାତ୍ୟା ଟ୍ରାଜେଡି ଏବେ ପ୍ରାୟ ବିସ୍ମୃତ! ଏହି ବାତ୍ୟାରେ ତତ୍କାଳୀନ କଟକ (ଅବିଭକ୍ତ) ଜିଲ୍ଲାର ଜମ୍ବୁ ଦ୍ବୀପ ସମୁଦ୍ର ଗର୍ଭସାତ୍ ହୋଇ ଯାଇଥିଲା, ଯହିଁରେ ପ୍ରାୟ ୧୧ ହଜାର ଲୋକ ପ୍ରାଣ ହରାଇଥିଲେ।
ଗତ କାଲି ସକାଳେ ‘ଦାନା’ ନାମଧାରୀ ବଙ୍ଗୋପସାଗରୀୟ ସାମୁଦ୍ରିକ ଝଡ଼ଟି ଧାମରା ନିକଟରେ ସ୍ଥଳଭାଗ ଅତିକ୍ରମ କରିଯାଇଛି। ଏହା ହେଉଛି ଭାରତର ପୂର୍ବ ଉପକୂଳରେ ସୃଷ୍ଟ ଚଳିତ ବର୍ଷର ପ୍ରଥମ ବାତ୍ୟା, ପୁନର୍ବାର ଏକ ଅକ୍ଟୋବରୀୟ ଦୁର୍ବିପାକ! କହିବା ବାହୁଲ୍ୟ, ଏହି ବାତ୍ୟାର ବୀଜ ପଡ଼ିବା ପୂର୍ବରୁ ହିଁ ଏ ସଂପର୍କିତ ଭବିଷ୍ୟବାଣୀ ପାଣିପାଗ ବିଭାଗ ପକ୍ଷରୁ କରାଯାଇ ସାରିଥିଲା, ଯାହା ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକର ତୀବ୍ର ଉଚ୍ଚାଟ କ୍ରମେ ସଚେତନତା ଓ ସତର୍କତା ସହିତ ସଂତ୍ରାସର ଏଭଳି ବାତାବରଣ ସୃଷ୍ଟି କରିଥିଲା ଯେ ଏ ନେଇ ଅପ୍ରସ୍ତୁତି, ଅସାବଧାନତା ଓ ହେୟଜ୍ଞାନ ସକାଶେ ଆଦୌ କୌଣସି ସୁଯୋଗ ନ ଥିଲା। ସଂପ୍ରତି ଉପକୂଳ ଓଡ଼ିଶା ବାତ୍ୟାର ଭୟରୁ ଉତ୍ତୀର୍ଣ୍ଣ ଏବଂ ‘ଦାନା’ର ପ୍ରଭାବ ସଂପର୍କିତ ଖବରରେ ଗଣମାଧ୍ୟମ ଭରପୂର! ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ ବିହଙ୍ଗାବଲୋକନ ଆବଶ୍ୟକ ଭଳି ମନେ ହୋଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ, ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ମହାବାତ୍ୟା ହେଉଛି ବାତ୍ୟା ନେଇ ରାଜ୍ୟର ଦୃଷ୍ଟିଭଙ୍ଗୀ ବଦଳିବା ସଂଦର୍ଭରେ ଏକ କାଳ-ବିଭାଜିକା ସଦୃଶ। ସରକାରଙ୍କ ଦ୍ବାରା ପ୍ରଦତ୍ତ ହିସାବ ଅନୁସାରେ ଏହି ଦାରୁଣ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୯, ୮୦୦ (ଅନଧିକୃତ ଆକଳନ ଅନୁସାରେ ୨୦,୦୦୦) ଲୋକଙ୍କ ପ୍ରାଣହାନି ଘଟିଥିଲା। କହିବା ବାହୁଲ୍ୟ, ଏ ଯାବତ୍ ତାହା ସ୍ଥାନୀୟ ଜନସ୍ମୃତିରେ ସର୍ବାଧିକ ଭୟାନକ ଅନୁଭୂତି ହୋଇ ରହି ଆସିଛି। ପ୍ରକାଶ ଥାଉ କି ଏହି ଅକଳ୍ପନୀୟ କ୍ଷୟକ୍ଷତି ଲାଗି ତତ୍କାଳୀନ ସରକାରଙ୍କ ଅବହେଳାକୁ ଦାୟୀ କରାଯାଇଥିଲା! ସୁତରାଂ, ଏହା ପରେ ବାତ୍ୟା ମୁକାବିଲା ନେଇ ଏଭଳି ସରକାରୀ ପ୍ରସ୍ତୁତି ଦୃଷ୍ଟିଗୋଚର ହୋଇଥିଲା, ଯଦ୍ଦ୍ବାରା ପରବର୍ତ୍ତୀ ଅନେକ କ୍ଷୁଦ୍ର, ନାତିକ୍ଷୁଦ୍ର ଓ ବୃହତ୍ ବାତ୍ୟାରେ ମାନବ ଜୀବନ କ୍ଷୟକୁ ଅତ୍ୟନ୍ତ ନଗଣ୍ୟ ଏପରିକି ‘ଶୂନ’ ସ୍ତରରେ ରଖାଯାଇପାରିଥିଲା। ବାତ୍ୟା ଆଶ୍ରୟ ସ୍ଥଳ (ମହାବାତ୍ୟା ପରେ ନିର୍ମିତ), ବିପନ୍ନଙ୍କ ଉଦ୍ଧାର ଓ ସହାୟତାକାରୀ ସୁଦକ୍ଷ ‘ଓଡ୍ରାଫ୍’ ବାହିନୀ ଏବଂ ତତ୍କାଳ ସକ୍ରିୟ ହୋଇ ଉଠୁଥିବା ସ୍ଥାନୀୟ ପ୍ରଶାସନର ଅବଦାନ ମିଶିଯାଇ ଏଭଳି ଛିଦ୍ରହୀନ ମଡେଲ୍ର ଆବିର୍ଭାବ ଘଟାଇଲା, ଯାହା ଜାତିସଂଘେର ଉଚ୍ଚ ପ୍ରଶଂସିତ ହେବା ସହିତ ଏକ ଆଦର୍ଶ ରୂପେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଅନୁସୃତ ହେଲାଣି। ସେହି ଦୃଷ୍ଟିରୁ ଅପେକ୍ଷାକୃତ କମ୍ ଶକ୍ତି ସଂପନ୍ନ ବାତ୍ୟା ‘ଦାନା’ର ମୁକାବିଲା ପ୍ରଶାସନ ସକାଶେ ଏକ ‘ମକ୍ ଡ୍ରିଲ’ ସଦୃଶ ଥିଲା ବୋଲି ଅନେକ କହନ୍ତି। ତେଣୁ ମାତ୍ର ଚାରି ମାସ ତଳେ ଶାସନ ଭାର ଗ୍ରହଣ କରିଥିବା ନୂତନ ସରକାରଙ୍କ ଲାଗି ଏହା ବିଶେଷ କଷ୍ଟସାଧ୍ୟ ମନେ ହୋଇ ନ ଥିବ। କିନ୍ତୁ ଏଥର ଯେଉଁ ସୂକ୍ଷ୍ମ ବ୍ୟତିକ୍ରମଟି ଦୃଷ୍ଟିଗୋଚର ହୋଇଛି, ତାହା ହେଲା ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ନିର୍ବାଚିତ ଜନପ୍ରତିନିଧିମାନେ ଏହି ମୁକାବିଲା ପ୍ରକରଣରେ ଉପସ୍ଥିତ ରହି ଦୃଶ୍ୟମାନ ହେବା; କାରଣ ପୂର୍ବରୁ ଏହା କେବଳ ‘ଏସ୍.ଆର୍.ସି.’ ଓ ଜିଲ୍ଲାପାଳମାନଙ୍କ ବ୍ୟାପାର ଭଳି ହୋଇ ରହିଯାଉଥିଲା। ସୁତରାଂ, ଉପସ୍ଥିତ ସୁଯୋଗର ସଦ୍ବ୍ୟବହାର କରି ପ୍ରମାଣ କରିବାର ଉଦ୍ୟମ କରାଯାଇଛି କିଭଳି ଏହି ସରକାର ପୂର୍ବ ସରକାର ଠାରୁ ଭିନ୍ନ!
ପ୍ରାକୃତିକ ଭାବେ ଅତ୍ୟନ୍ତ ବାତ୍ୟା ବିକ୍ଷୁବ୍ଧ ବଙ୍ଗୋପସାଗରର ତଟୀୟ ବାସିନ୍ଦାଙ୍କ ଠାରେ ଏହାକୁ ପ୍ରତ୍ୟକ୍ଷ କରିବାର ସାହସ ସେମାନଙ୍କ ଡି.ଏନ୍.ଏ.ରେ ବିଦ୍ୟମାନ; କିନ୍ତୁ ଅଷ୍ଟମ ଦଶକ ପୂର୍ବବର୍ତ୍ତୀ କାଳ ପର୍ଯ୍ୟନ୍ତ ଏହି ଦୈବୀ ଦୁର୍ବିପାକରୁ ନିଷ୍କୃତି ପାଇବାର ବିଶେଷ କୌଣସି ଉଦ୍ୟମ ବାତ୍ୟା ସମ୍ମୁଖୀନ ହେବାକୁ ଯାଉଥିବା ଜନସାଧାରଣଙ୍କ ପକ୍ଷରୁ କରାଯାଉ ନ ଥିଲା; ଦୈବୀ ପ୍ରକୋପ ଆଗରେ ଆତ୍ମସମର୍ପଣ କରିଦେବା ସମ୍ଭବତଃ ନିୟତି ବୋଲି ବିବେଚିତ ହେଉଥିବ ଅବା! କାରଣ ତାହା ହୋଇ ନ ଥିଲେ ୧୯୭୦ ମସିହା, ନଭେମ୍ବର ମାସରେ ‘ଭୋଲା’ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ନେଇ ପୂର୍ବାନୁମାନ କରାଯାଇଥିଲେ ହେଁ ଏହା ବାଂଲାଦେଶର ପ୍ରାୟ ୩ରୁ ୫ ଲକ୍ଷ ଲୋକଙ୍କ ପ୍ରାଣ ନାଶ ଘଟାଇ ନଥାନ୍ତା। ତେବେ ସଂପ୍ରତି ଏଭଳି ଆଭିମୁଖ୍ୟରେ ସଂପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆଧୁନିକ ପ୍ରଯୁକ୍ତି ବଳରେ ପ୍ରାୟ ସପ୍ତାହକ ପୁର୍ବରୁ କରାଯାଇ ପାରୁଥିବା ସୁନିର୍ଦ୍ଦିଷ୍ଟ ପୂର୍ବାନୁମାନ, ବାତ୍ୟାର ବେଗ, ଗତିପଥ ଓ ଲ୍ୟାଣ୍ଡ୍ଫଲ୍ର ସ୍ଥାନ ନେଇ ସଠିକ୍ ନିର୍ଣ୍ଣୟ ଏବଂ ମାନବ ଓ ଗୃହପାଳିତ ପଶୁମାନଙ୍କୁ ଉପଯୁକ୍ତ ସମୟରେ ନିରାପଦ ସ୍ଥାନକୁ ଅପସାରଣ ଇତ୍ୟାଦି ହେତୁ ବାତ୍ୟାର କ୍ଷୟକ୍ଷତିକୁ ଖୁବ୍ ସଂକୁଚିତ କରାଯାଇପାରିଛି! କହିବା ବାହୁଲ୍ୟ, ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗ ହିଁ ଏହି ପ୍ରକରଣକୁ ଫଳପ୍ରସୂ କରିଛି। ପ୍ରକାଶ ଥାଉ କି ଯୁକ୍ତରାଷ୍ଟ୍ର ଆମେରିକାର ଉଚ୍ଚତମ ପ୍ରଯୁକ୍ତିଗତ ଦକ୍ଷତା ସତ୍ତ୍ବେ ଫ୍ଲୋରିଡା ଉପକୂଳକୁ ଆଘାତ ଦେଉଥିବା ‘ହରିକେନ୍’ଗୁଡ଼ିକ ଏ ଯାବତ୍ ମନୁଷ୍ୟ ଜୀବନର କ୍ଷୟ ଘଟାଉଛନ୍ତି; କାରଣ ଅତ୍ୟନ୍ତ ସ୍ବାଧୀନଚେତା ଅନେକ ଆମେରିକୀୟ ସରକାରୀ ସତର୍କବାଣୀକୁ ଅବଜ୍ଞା କରି ନିରାପଦ ସ୍ଥାନକୁ ଯାଆନ୍ତି ନାହିଁ ଏବଂ ବ୍ୟକ୍ତି ସ୍ବାଧୀନତା ସେହି ଦେଶରେ ସର୍ବାଧିକ ଗୁରୁତ୍ବ ପାଉ ଥିବାରୁ ସରକାର ବଳ ପ୍ରୟୋଗ କରି ନ ପାରି ବସ୍ତୁତଃ ନିରୁପାୟ ରହନ୍ତି।
କହିବାରେ ଦ୍ବିଧା ନାହିଁ ଯେ ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍ରେ ବାତ୍ୟାର ଗତିବିଧିକୁ ନେଇ ଆରମ୍ଭ ହୋଇଯାଉଥିବା ପ୍ରାୟ ସପ୍ତାହବ୍ୟାପୀ ଚବିଶଘଣ୍ଟିଆ ନିରବଚ୍ଛିନ୍ନ ପ୍ରସାରଣ, ଉଚ୍ଚାଟ ଓ ଅନେକ ସମୟରେ ଅନାହୂତ ଚିତ୍କାର ହେତୁ ବାତ୍ୟା-ବିଜ୍ଞାନର ଅନେକ ଗୂଢ଼ କଥା ସାଧାରଣ ଜ୍ଞାନର ପରିସରଭୁକ୍ତ ହୋଇ ଗୁଲିଖଟି ଆସରରୁ ଆରମ୍ଭ କରି ପାରିବାରିକ ଗପସପର ଅଂଶ ପାଲଟିଲାଣି। କେବଳ ସେତିକି ନୁହେଁ, ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକର ପ୍ରସାରରୁ ପୂର୍ବରୁ ନେପଥ୍ୟରେ ରହି ଆସିଥିବା ପାଣିପାଗ ବୈଜ୍ଞାନିକମାନେ ଏବେ ଜଣେ ଜଣେ କ୍ଷୁଦ୍ର ସେଲିବ୍ରିଟି ଏବଂ ଜନସାଧାରଣଙ୍କ ତୀବ୍ର ଦୃଷ୍ଟି ତଳେ ସଠିକ୍ ସୂଚନା ପ୍ରଦାନ ନେଇ ସେମାନେ ମାତ୍ରାତିରିକ୍ତ ଚାପର ଶିକାର ମଧ୍ୟ! ଏବଂ ଏହି କ୍ରମରେ ଜାତ ଗୁରୁତର ବିଡ଼ମ୍ବନାଟି ହେଲା ଏହି ଚ୍ୟାନେଲ୍ଗୁଡ଼ିକରୁ ଅବାରିତ ଭାବେ ନିସୃତ ଭୟ ଉଦ୍ରେକକାରୀ କୋଳାହଳ ହେତୁ ସତର୍କତା ସ୍ଥାନରେ ସଂତ୍ରାସ ସୃଷ୍ଟି ହେଉଛି, ଯଦ୍ଦ୍ବାରା ବାତ୍ୟାର ଯଥେଷ୍ଟ ପୂର୍ବରୁ ସାଧାରଣ ଜୀବନଯାତ୍ରା ପ୍ରାୟ ଅଚଳ ହୋଇ ପଡୁଛି ଏବଂ ବଜାରରେ କୃତ୍ରିମ ଦୁର୍ଭିକ୍ଷ ସୃଷ୍ଟି ହେଉଛି। ‘ଦାନା’ ୨୪ ତାରିଖ ବିଳମ୍ବିତ ରାତ୍ରି ଅର୍ଥାତ୍ ନିଶାର୍ଦ୍ଧ ପରେ (୨୫ ତାରିଖ) ସ୍ଥଳଭାଗ ସ୍ପର୍ଶ କରିଥିବା ବେଳେ ୨୪ ତାରିଖ ସକାଳୁ ପୁରୀ ଠାରୁ ବାଲେଶ୍ବର ପର୍ଯ୍ୟନ୍ତ ପ୍ରାୟ ୨୦୦ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରେ ମାନବ ଚଳପ୍ରଚଳ ଓ ଦୋକାନବଜାର ପ୍ରାୟତଃ ବନ୍ଦ ରହିଥିଲା। ଏ କଥା ସମସ୍ତେ ସ୍ବୀକାର କରିବେ ଯେ ବାତ୍ୟାର ଉଚ୍ଚାଟରେ କେଜାଣି କାହିଁକି ଆଳୁ ସହସା ତା’ର ଚିରାଚରିତ ପାର୍ଶ୍ବ ଅଭିନେତା ଭୂମିକାରୁ ଉତ୍ତୀର୍ଣ୍ଣ ହୋଇ ବ୍ୟଂଜନର ନାୟକରେ ପରିଣତ ହୋଇଥାଏ! ଏଥର ମଧ୍ୟ ଆଳୁ ଏକ ଏକ ସୁପର୍ଷ୍ଟାର୍ରେ ପରିଣତ ହୋଇଥିଲା ଏବଂ ଖାଉଟିମାନେ ବଜାରକୁ ଶୂନ୍ୟ କରି ବସ୍ତା ବସ୍ତା ଆଳୁ ବୋହି ନେଇଥିଲେ!
ମହାବାତ୍ୟା ପରେ ଏହି ଶତାବ୍ଦୀରେ ହୁଡ୍ହୁଡ୍, ଫାଇଲିନ୍ ଓ ତିତିଲି ଭଳି ବାତ୍ୟାମାନ ଅକ୍ଟୋବର ମାସରେ ସଂଘଟିତ ହୋଇ ଏହି ମାସଟିକୁ ଭୟ ଓ ଦୁଃଖର ଏକ ମାସରେ ପରିଣତ କରିଛି। ଆସନ୍ତା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟାର ପଚିଶତମ ବର୍ଷ ପୂର୍ତ୍ତି ଅବସରରେ ସେହି ବିଭୀଷିକାକୁ ସାରା ଓଡ଼ିଶା ସଜଳ ଚକ୍ଷୁରେ ସ୍ମରଣ କରିବ। କିନ୍ତୁ, ୧୯୭୧ ମସିହାର ଏହି ତାରିଖରେ ଓଡ଼ିଶା ଭୋଗିଥିବା ଆଉ ଏକ ଭୟାବହ ବାତ୍ୟା ଟ୍ରାଜେଡି ଏବେ ପ୍ରାୟ ବିସ୍ମୃତ! ଏହି ବାତ୍ୟାରେ ତତ୍କାଳୀନ କଟକ (ଅବିଭକ୍ତ) ଜିଲ୍ଲାର ଜମ୍ବୁ ଦ୍ବୀପ ସମୁଦ୍ର ଗର୍ଭସାତ୍ ହୋଇ ଯାଇଥିଲା, ଯହିଁରେ ପ୍ରାୟ ୧୧ ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ବାତ୍ୟା ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତିଙ୍କ କଣ୍ଠ ନିସୃତ ଯେଉଁ ଅଭିମାନଭରା ଜଣାଣଟି ରେଡିଓରୁ ବାରମ୍ବାର ଭାସି ଆସି ସମସ୍ତ ଓଡ଼ିଆଙ୍କ ଚକ୍ଷୁକୁ ଲୋତକାର୍ଦ୍ର କରି ରଖିଥିଲା, ତାହା ଆକାଶବାଣୀ କଟକର ସଂଗୀତ ଅଭିଲେଖାଗାରରେ କେଉଁଠି ଆତ୍ମଗୋପନ କରି ରହିଥିବ ନିଶ୍ଚୟ! ସେହି ଅତ୍ୟନ୍ତ କରୁଣ ଜଣାଣର ପ୍ରଥମ ଧାଡ଼ିଟି ଥିଲା ଏକ ପ୍ରଶ୍ନ: ‘କହ ଚୋକାଡୋଳା କହ, କହ ଚକାଡୋଳା କହ; ତୋ ପୂଜାରେ କେବେ ଊଣା କରିଥିଲା କହ କେଉଁ ଓଡ଼ିଆ ପୁଅ?’ ଈଶ୍ବରଙ୍କ ନିକଟରୁ ଅକ୍ଷୟ ମହାନ୍ତିଙ୍କ ପ୍ରଶ୍ନର କୌଣସି ଉତ୍ତର ଆସିନାହିଁ କି ଆସିବ ନାହିଁ ମଧ୍ୟ; କିନ୍ତୁ ‘ସେ’ କାଳ ଓ ‘ଏ’ କାଳ ମଧ୍ୟରେ ଯେଉଁ ପ୍ରଭେଦଟି ସୃଷ୍ଟି ହୋଇ ସାରିଛି, ତାହା ହେଲା ବାତ୍ୟାଗୁଡ଼ିକର ମୁହୁର୍ମୁହୁଃ ଆବିର୍ଭାବ ସତ୍ତ୍ବେ ତହିଁରୁ ବର୍ତ୍ତି ରହି ପାରିବାର ମାର୍ଗ ଇତିମଧ୍ୟରେ ଓଡ଼ିଆ ପୁଅ ପାଇଯାଇଛି!