ଆଦାନୀ ସେଆର୍ ସର୍ଟ ସେଲିଙ୍ଗ୍‌ରୁ ‘କିଙ୍ଗ୍‌ଡନ୍’ ଯେଉଁ ଅନ୍ୟୂନ ୨୫ ନିୟୁତ ଡଲାର୍ ଲାଭ ଅର୍ଜନ କରିଥିବା ଜଣାପଡ଼ିଛି ସେଥିରେ ‘ହିଣ୍ଡେନ୍‌ବର୍ଗ’ର ଅଂଶ କେତେ ତାହା ଅନୁସନ୍ଧାନସାପେକ୍ଷ। ଭାରତରେ ବିରୋଧୀ ଦଳମାନେ ଏଥିରୁ ଶିକ୍ଷାଲାଭ କରିବା ଉଚିତ ଯେ କେବଳ ନିଜର ରାଜନୈତିକ ସ୍ବାର୍ଥସିଦ୍ଧି ଉଦ୍ଦେଶ୍ୟରେ ନ ବୁଝି ନ ବିଚାରି ‘ହିଣ୍ଡେନ୍‌ବର୍ଗ’କୁ ସମର୍ଥନ କଲାଭଳି କୌଣସି ପଦ‌େକ୍ଷପ ନେବା ଉଚିତ ନୁହେଁ, ଯାହାଦ୍ବାରା ଜାତୀୟ ନିରାପତ୍ତା ବିପନ୍ନ ହେବ।

Advertisment

ଯେତେବେଳେ ୨୪ ଜାନୁଆରି ୨୦୨୩ ଦିନ ବର୍ତ୍ତମାନ ଏକ ସୁପରିଚିତ ନାମରେ ପରିଣତ ହୋଇ ସାରିଥିବା ‘ହିଣ୍ଡେନ୍‌ବର୍ଗ ‌ରିପୋର୍ଟ’ ପ୍ରକାଶ ପାଇଲା, ସେତେବେଳେ ଆସନ୍ନ ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ କରୁଥିବା ମୋଦୀ-ବିରୋଧୀ ଭାରତୀୟ ରାଜନୈତିକ ଦଳମାନେ ତାହାକୁ ସେମାନଙ୍କ ହାତରେ ଅପ୍ରତ୍ୟାଶିତ ଭାବରେ ପଡ଼ିଯାଇଥିବା ଏକ ବ୍ରହ୍ମାସ୍ତ୍ର ରୂପେ ସ୍ବାଗତ କରି ଉଲ୍ଲସିତ ହୋଇଥିଲେ। କାରଣ, ଏହି ଆମେରିକୀୟ ତଥାକଥିତ ନିବେଶ ଗବେଷଣା ସଂସ୍ଥାର ରିପୋର୍ଟରେ ଭାରତୀୟ ଅଗ୍ରଣୀ ଶିଳ୍ପୋଦ୍ୟୋଗ ଆଦାନୀ ଗ୍ରୁପ୍ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ଅଣାଯାଇଥିଲା। ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ସମସ୍ତ ବିରୋଧୀ ଦଳମାନେ ‘ଆଦାନୀ, ଅମ୍ବାନୀ’କୁ ଏକ ଘୋଷାରେ ପରିଣତ କରି ଏହି ଶିଳ୍ପପତିମାନେ ମୋଦୀ ସରକାରଙ୍କ ଅନୁଗ୍ରହ ଦ୍ବାରା ପରିପୁଷ୍ଟ ହୋଇ ଚାଲିଥିବା ଅଭିଯୋଗ କରି ଅାସୁଥିବାରୁ ଉପରୋକ୍ତ ହିଣ୍ଡେନ୍‌ବର୍ଗ ରିପୋର୍ଟଟି ସେମାନଙ୍କ ଠାରେ ସ୍ବାଭାବିକ ଭାବରେ ଏପରି ଉଚ୍ଚାଟ ସୃଷ୍ଟି କରିଥିଲା।
ସେମାନେ କାଳ ବିଳମ୍ବ ନ କରି ଏଥିରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ସୁପ୍ରିମ୍ କୋର୍ଟ ଏହାର ପୁଙ୍ଖାନୁପୁୁଙ୍ଖ ଅନୁସନ୍ଧାନ କରିବା ପାଇଁ ବିତ୍ତୀୟ ବଜାରର ସର୍ବୋଚ୍ଚ ନିୟନ୍ତ୍ରକ ସଂସ୍ଥା ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ’ (‘ସେବି’)କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ‘ସେବି’ ତା’ର ଅନୁସନ୍ଧାନର ଫଳାଫଳ ଭିତ୍ତିରେ ଆଦାନୀ ଗ୍ରୁପ୍‌କୁ ସମସ୍ତ ଅନିୟମିତତା ଅଭିଯୋଗରୁ ମୁକ୍ତ କରି ପ୍ରଦାନ କରିଥିବା ରିପୋର୍ଟ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଗୃହୀତ ହୋଇଛି। ତେବେ ସେଇ ଘଟଣାର ଏଇଠି ସମାପ୍ତି ଘଟିନାହିଁ। ‘ସେବି’ ଏବେ ହିଣ୍ଡେନ୍‌ବର୍ଗକୁ ଏକ କାରଣ ଦର୍ଶାଅ ନୋଟିସ୍ ପଠାଇବା ପରେ ଘଟଣାଟି ଏକ ଭିନ୍ନ ମୋଡ଼ ନେଇଛି। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ପରେ ଆଦାନୀ ଗ୍ରୁପ୍ କଂପାନିମାନଙ୍କର ସେଆର୍ ମୂଲ୍ୟରେ ଯେଉଁ ତୀକ୍ଷ୍‌ଣ ହ୍ରାସ ଘଟିଥିଲା, ‘ସର୍ଟ ସେଲର୍’ ହିଣ୍ଡେନ୍‌ବର୍ଗ ସେଥିରୁ ମୋଟା ଅଙ୍କର ଲାଭ ଅର୍ଜନ କରିଥିଲା। ‘ସେବି’ ବର୍ତ୍ତମାନ ତା’ର କାରଣ-ଦର୍ଶାଅ ନୋଟିସ୍‌ରେ ଅଭିଯୋଗ କରିଛି ଯେ ଆଦାନୀ ଗ୍ରୁପ୍ ବିରୁଦ୍ଧରେ ଜାଣିଶୁଣି ଏକ ଉତ୍ତେଜନା ସୃଷ୍ଟିକାରୀ ମିଥ୍ୟା ଅଭିଯୋଗ ଆଣିବା ପଛରେ ଏହି ଲାଭ ଅର୍ଜନ କରିବା ଥିଲା ହିଣ୍ଡେନ୍‌ବର୍ଗର ଅସଲ ଉଦ୍ଦେଶ୍ୟ।
ଏହି ପ୍ରସଙ୍ଗରେ ‘ସେବି’ ତା’ର ନୋଟିସ୍‌ରେ ‘କିଙ୍ଗ୍‌ଡନ୍’ ନାମକ ଏକ ଆମେରିକାସ୍ଥିତ ‘ହେଜ୍‌ ଫଣ୍ଡ୍’ର ନାମ ଉଲ୍ଲେଖ କରିଛି, ଯାହା ‘ହିଣ୍ଡେନ୍‌ବର୍ଗ’ର ଅସାଧୁ ଉଦ୍ଦେଶ୍ୟ ସମ୍ବନ୍ଧରେ ସନ୍ଦେହକୁ ଆହୁରି ଘନୀଭୂତ କରିଛି। ସନ୍ଦେହର କାରଣ ହେଲା, ହିଣ୍ଡେନ୍‌ବର୍ଗର ଉପରୋକ୍ତ ରିପୋର୍ଟ ପ୍ରକାଶ ପାଇବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ‘କିଙ୍ଗ୍‌ଡନ୍’ ଆଦାନୀ ସେଆର୍ ବିରୁଦ୍ଧରେ ବାଜି ଲଗାଇବା (ବେଟିଙ୍ଗ୍) ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ‘ସେବି’ର ନୋଟିସ୍‌ର ଉତ୍ତରରେ ହିଣ୍ଡେନ୍‌ବର୍ଗ ଏବେ ସ୍ବୀକାର କରିଛି ‘କିଙ୍ଗ୍‌ଡନ୍’ ହେଉଛି ତାହାର ଏକ ‘‘ନିବେଶ ଅଂଶୀଦାର’’ (‘‘ଇନ୍‌ଭେଷ୍ଟମେଣ୍ଟ ପାର୍ଟନର୍’’), କିନ୍ତୁ ତା’ ସହିତ ଏହା ମଧ୍ୟ ପ୍ରକାଶ କରିଛି ଯେ ଭାରତୀୟ ସଂସ୍ଥା ‘କୋଟାକ୍ ମହୀନ୍ଦ୍ର ବ୍ୟାଙ୍କ୍’ ମାଧ୍ୟମରେ ‘କିଙ୍ଗ୍‌ଡନ୍’ ତା’ର ସେଆର୍ ସର୍ଟ ସେଲିଙ୍ଗ୍ ଚଳାଇଥିଲା। ‘କୋଟାକ୍ ମହୀନ୍ଦ୍ର ବ୍ୟାଙ୍କ୍’ ଏହି କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏକ ‘ଅଫ୍‌ ସୋର୍ ଫଣ୍ଡ୍’ ପ୍ରତିଷ୍ଠା କରିଥିଲା, ଯାହାକୁ ‘କିଙ୍ଗ୍‌ଡନ୍’ ତା’ର ସର୍ଟ ସେଲିଙ୍ଗ୍ କାରବାର ପାଇଁ ବ୍ୟବହାର କରୁଥିଲା। ହିଣ୍ଡେନ୍‌ବର୍ଗ ନାଟକରେ ହଠାତ୍ ଏହି ନୂଆ ଚରିତ୍ରମାନଙ୍କର ପ୍ରବେଶ ଏବେ ବିତ୍ତୀୟ ବଜାରରୁ ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତରେ ଏକ ନୂତନ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏଭଳି ପଦାରେ ପଡ଼ିଯିବା ପରେ ‘କୋଟାକ୍ ମହୀନ୍ଦ୍ର’ ବର୍ତ୍ତମାନ ସଫେଇ ଦେଇଛି ଯେ ‘କିଙ୍ଗ୍‌ଡନ୍’ର ‘ହିଣ୍ଡେନ୍‌ବର୍ଗ’ ସହିତ ସଂପର୍କ ଥିବା କଥା ଓ ‘ହିଣ୍ଡେନ୍‌ବର୍ଗ’ର ରିପୋର୍ଟ ସମ୍ବନ୍ଧରେ ତାକୁ ପୂର୍ବରୁ କିଛି ହେଲେ ଜଣା ନ ଥିଲା। ‘କୋଟାକ୍’ ଆହୁରି କହିଛି ଯେ ‘କିଙ୍ଗ୍‌ଡନ୍’ ତାକୁ ପ୍ରତିଶ୍ରୁତି ଦେଇଥିଲା ଯେ ସେ କେବଳ ସର୍ବସାଧାରଣଙ୍କ ପାଇଁ ଉପଲବ୍‌ଧ ସୂଚନା ଓ ତଥ୍ୟ ଆଧାରରେ ସେଆର୍ ବଜାରରେ କାରବାର କରିବ; ‘ହିଣ୍ଡେନ୍‌ବର୍ଗ’ ଠାରୁ କୌଣସି ଭିତିରି ପୂର୍ବସୂଚନା ପାଇ ‘କିଙ୍ଗ୍‌ଡନ୍’ ଏହି କାରବାର କରିବା ସମ୍ବନ୍ଧରେ ତେଣୁ ସେ (‘କୋଟାକ୍’) ସଂପୂର୍ଣ୍ଣ ଅଜ୍ଞ ଥିଲା। ‘କୋଟାକ୍’ର ସଫେଇ କେତେ ଦୂର ବିଶ୍ବାସଯୋଗ୍ୟ, ତାହା ଅନୁସନ୍ଧାନ ପରେ ସାବ୍ୟସ୍ତ ହେବ। ତେବେ ଏହି ଅନୁସନ୍ଧାନର ଫଳାଫଳ ଯାହା ହେଲେ ବି, ‘କୋଟାକ୍’ କେବଳ କାରବାରକୁ ସୁଗମ କରିବା ନିମିତ୍ତ ଏକ ମଧ୍ୟସ୍ଥି ରୂପେ କାର୍ଯ୍ୟ କରିଥିବା ବେଳେ ଏଥିରୁ ଲାଭ ଅର୍ଜନ କରିଥିବା ମୁଖ୍ୟ ଚରିତ୍ରମାନେ ହେଉଛନ୍ତି ‘କିଙ୍ଗ୍‌ଡନ୍’ ଓ ‘ହିଣ୍ଡେନ୍‌ବର୍ଗ’।
ଆଦାନୀ ବିରୁଦ୍ଧରେ ଏହି ଚକ୍ରାନ୍ତ ଯେତେବେଳେ ଉନ୍ମୋଚିତ ହୋଇ ଶିଳ୍ପବାଣିଜ୍ୟ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି, ସେତିକିବେଳେ ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନି ଏ ସଂପର୍କରେ ଯେଉଁ ନୂତନ ସୂଚନା ପ୍ରକାଶ କରିଛନ୍ତି, ତାହା ରାଜନୈତିକ ଦୃଷ୍ଟିରୁ ଯେତିକି ଚାଞ୍ଚଲ୍ୟକର, ଦେଶର ନିରାପତ୍ତା ଦୃଷ୍ଟିରୁ ସେତିକି ଚିନ୍ତାଜନକ। ତାଙ୍କ ସୂଚନା ଅନୁସାରେ ‘କିଙ୍ଗ୍‌ଡନ୍’ ହେଉଛି ମାର୍କ ଇ କିଙ୍ଗ୍‌ଡନ୍ ଓ ତାଙ୍କର ଚୀନା ପତ୍ନୀ ଆନ୍‌ଲା ଚେଙ୍ଗ୍‌ଙ୍କ ମାଲିକାନାରେ ଥିବା ଏକ ନିବେଶ କଂପାନି। ଅାନ୍‌ଲା ଚେଙ୍ଗ୍ ଆମେରିକାରେ ମଧ୍ୟ ଜଣେ ଅତ୍ୟନ୍ତ ବିବଦମାନ ବ୍ୟକ୍ତି ରୂପେ ପରିଚିତ। ସେଠାରେ ସେ ‘ସପ୍ ଚାଇନା’ ନାମକ ଏକ ଅନୁଷ୍ଠାନ ମାଧ୍ୟମରେ ଆମେରିକାରେ ଚୀନ୍‌ର ସ୍ବାର୍ଥରକ୍ଷା ପାଇଁ ବିଭିନ୍ନ ଉଦ୍ୟମରେ ଜଡ଼ିତ ଥିଲେ। ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଏକ ସତ୍ୟପାଠ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଆନ୍‌ଲା ଚେଙ୍ଗ୍ ସେଠାରେ ଆମେରିକାର ସ୍ବାର୍ଥହାନି ଓ ଚୀନ୍‌ର ସାମରିକ ସ୍ବାର୍ଥରକ୍ଷା ପାଇଁ ସର୍ବଦା ସକ୍ରିୟ ଥାନ୍ତି। ଏହି କର୍ମଚାରୀଙ୍କର ବିଶ୍ବାସ ଯେ ‘ସପ୍ ଚାଇନା’ ହେଉଛି ଚୀନା ଗୁପ୍ତଚରମାନଙ୍କର ଏକ ଆଡ୍‌ଡାସ୍ଥଳୀ। ଆମେରିକା କଂଗ୍ରେସ ଏହା ବିରୁଦ୍ଧରେ ଅନୁସନ୍ଧାନ ଆରମ୍ଭ କରିବାରୁ ‘ସପ୍ ଚାଇନା’ ନିଜର ନାମ ପରିବର୍ତ୍ତନ କରି ‘ଦି ଚାଇନା ପ୍ରୋଜେକ୍ଟ’ କରିବା ପରେ ବର୍ତ୍ତମାନ ସଂପୂର୍ଣ୍ଣ ବନ୍ଦ ହେବାକୁ ବାଧ୍ୟ ହୋଇଛି।
ଜେଠମଲାନି କହିଛନ୍ତି ଯେ ଚୀନ୍ ଆଦାନୀ ଗ୍ରୁପ୍ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଆନ୍‌ଲା ଚେଙ୍ଗ୍‌ଙ୍କୁ ନିୟୋଜିତ କରିଛି। ଚୀନ୍ ଆଦାନୀ ଉପରେ କ୍ଷୁବ୍‌ଧ ହେବାର କାରଣ ହେଲା ଆଦାନୀ ବିଦେଶରେ ହାସଲ କରିଥିବା ଏପରି ତିନିଟି ପ୍ରୋଜେକ୍ଟ, ଯେଉଁଗୁଡ଼ିକୁ ନିଜର ବାହ୍ୟ ସାମରିକ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ଚୀନ୍ ହାସଲ କରିବାକୁ ଚାହୁଁଥିଲା। ଏଥିମଧ୍ୟରୁ ଗୋଟିଏ ହେଉଛି ଅଷ୍ଟ୍ରେଲିଆରେ ଏକ ରେଳପଥ ନିର୍ମାଣ, ଆଉ ଗୋଟିଏ ହେଉଛି ଶ୍ରୀଲଙ୍କାର ଜାଫ୍‌ନା ବନ୍ଦର ଓ ତୃତୀୟଟି ‌ତଥା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଇସ୍ରାଏଲ୍‌ର ହାଇଫା ବନ୍ଦର। ‘ହିଣ୍ଡେନ୍‌ବର୍ଗ’ ଏବେ ସଫେଇ ଦେଇଛି ଯେ ସେ ହେଉଛି କେବଳ ମାତ୍ର ଏକ ଗବେଷଣା ଅନୁଷ୍ଠାନ। କିନ୍ତୁ ଆଦାନୀ ସେଆର୍ ସର୍ଟ ସେଲିଙ୍ଗ୍‌ରୁ ‘କିଙ୍ଗ୍‌ଡନ୍’ ଯେଉଁ ଅନ୍ୟୂନ ୨୫ ନିୟୁତ ଡଲାର୍ ଲାଭ ଅର୍ଜନ କରିଥିବା ଜଣାପଡ଼ିଛି ସେଥିରେ ‘ହିଣ୍ଡେନ୍‌ବର୍ଗ’ର ଅଂଶ କେତେ ତାହା ଅନୁସନ୍ଧାନସାପେକ୍ଷ। ଭାରତରେ ବିରୋଧୀ ଦଳମାନେ ଏଥିରୁ ଶିକ୍ଷାଲାଭ କରିବା ଉଚିତ ଯେ କେବଳ ନିଜର ରାଜନୈତିକ ସ୍ବାର୍ଥସିଦ୍ଧି ଉଦ୍ଦେଶ୍ୟରେ ନ ବୁଝି ନ ବିଚାରି ‘ହିଣ୍ଡେନ୍‌ବର୍ଗ’କୁ ସମର୍ଥନ କଲାଭଳି କୌଣସି ପଦ‌େକ୍ଷପ ନେବା ଉଚିତ ନୁହେଁ, ଯାହାଦ୍ବାରା ଜାତୀୟ ନିରାପତ୍ତା ବିପନ୍ନ ହେବ।