ଏକଛତ୍ରବାଦୀ ଶାସକମାନେ ଶାସିତମାନଙ୍କୁ କିଭଳି ଦୃଷ୍ଟିରେ ଦେଖନ୍ତି ତା’ର ଏକ ଧାରଣା ମିଳିଥାଏ ଇରାନର ଶାହ ବଂଶର ପ୍ରଥମ ଶାସକ ରେଜା ଶାହଙ୍କ ଜୀବନର ଏକ ଘଟଣାରୁ। ପ୍ରସିଦ୍ଧ ଓଡ଼ିଆ କଥାକାର ସ୍ବର୍ଗତ ମନୋଜ ଦାସ ତାଙ୍କ ଅନବଦ୍ୟ ଭ୍ରମଣ କାହାଣୀ ‘ଦୂର ଦୂରାନ୍ତ’ରେ ଏହାର ଅବତାରଣା କରିଛନ୍ତି। କୁହାଯାଏ ଯେ ପ୍ୟାରିସ୍ ଭ୍ରମଣରେ ଯାଇଥିବା ରେଜା ଶାହଙ୍କୁ ଫରାସୀ ବିପ୍ଳବ ସମୟର ‘ଗିଲୋଟିନ୍’କୁ ଦେଖାଇ ତା’ ବିଷୟରେ ବୁଝାଇ ଦିଆଯାଉଥିବା ବେଳେ ସେ କୁଆଡ଼େ ତା’ର ଧାର ପରୀକ୍ଷା କରିବାକୁ ଚାହିଁ ନିଜର ପରିଚାରକମାନଙ୍କ ଭିତରୁ ଜଣକୁ ଭିଡ଼ି ଆଣି କହିଥିଲେ: ‘ଏଇଟିକୁ କାଟ, ଦେଖିବା।’
ଗଲା ଗୁରୁବାର ଦିନ ବିଭିନ୍ନ ସମ୍ବାଦପତ୍ର, ନିଉଜ୍ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ ଯେଉଁ ଏକ ଅବିଶ୍ବସନୀୟ ଖବର ପ୍ରକାଶିତ ଓ ପ୍ରସାରିତ ହୋଇ ଏକାଧାରରେ ବିସ୍ମୟ, ଆଲୋଡ଼ନ ଏପରିକି କୌତୂହଳ ଜାତ କରିଛି, ତାହା ହେଲା ଉତ୍ତର କୋରିଆରେ ଦେଖା ଦେଇଥିବା ଅତ୍ୟନ୍ତ ପ୍ରଳୟଙ୍କରୀ ବନ୍ୟା ଲାଗି ଦୋଷୀ ସାବ୍ୟସ୍ତ କରି ୩୦ ଜଣ ସରକାରୀ କର୍ମଚାରୀଙ୍କୁ ସେଠାକାର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନଙ୍କ ଆଦେଶରେ ମୃତ୍ୟୁ ଦଣ୍ଡ ପ୍ରଦାନ। ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ପ୍ରାୟ ସର୍ବତ୍ର ଅତିବୃଷ୍ଟିଜନିତ ବନ୍ୟା ବିଭୀଷିକାମାନ ଦେଖିବାକୁ ମିଳୁଥିଲେ ହେଁ କିମ୍ଙ୍କ ଧାରଣା ଯେ ବନ୍ୟା ପରିଚାଳନାରେ ମନୁଷ୍ୟକୃତ ତ୍ରୁଟି ହେତୁ ଏଭଳି ଘଟିଲା; ସୁତରାଂ ଏଭଳି ଦଣ୍ଡ ସ୍ବାଭାବିକ ଓ ସଂପୂର୍ଣ୍ଣ ଯଥାର୍ଥ। ଏହା କହିବା ଅନାବଶ୍ୟକ ଯେ ପୃଥିବୀର ସର୍ବାଧିକ ନିବୁଜ ରାଷ୍ଟ୍ର ଭାବେ ଖ୍ୟାତ ଉତ୍ତର କୋରିଆରୁ ସମୟ ଅସମୟରେ ଖବରର ଯେଉଁ ସବୁ କ୍ଷୁଦ୍ର ବୁନ୍ଦାମାନ ଝରିଥାଏ, ତହିଁରୁ ସେଠାରେ ହେଉଥିବା ଅଣୁ ଅସ୍ତ୍ରର ସଘନ ପ୍ରସାର ବା ଏଭଳି ଉଦ୍ଭଟ ପ୍ରାଣଦଣ୍ଡଗୁଡ଼ିକ ସମ୍ବନ୍ଧରେ ଜଣାପଡ଼ିଥାଏ। ଯଦିଓ, ସାମାଜିକ ଗଣମାଧ୍ୟମ ଜରିଆରେ ଏହା ଜଣାପଡ଼ିଲାଣି ଯେ ପାଶ୍ଚାତ୍ୟ ମିଡିଆ ଦ୍ବାରା ଉତ୍ତର କୋରିଆର ଚିତ୍ରଣ କେତେକାଂଶରେ ବିଭ୍ରାନ୍ତିକର ଓ ପୂର୍ବାଗ୍ରହପ୍ରସୂତ, କିନ୍ତୁ ଏଥିରେ ମଧ୍ୟ ଦ୍ବିରୁକ୍ତି ନାହିଁ ଯେ ୧୯୪୭ ମସିହାରୁ ଏ ଯାବତ୍, ଅଢ଼େଇ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ରକୁ ସଂପୂର୍ଣ୍ଣ କରାୟତ୍ତ କରି ରଖିଥିବା କିମ୍ ପରିବାରର ତିନି ପିଢ଼ିର ଉତ୍ତରାଧିକାରୀମାନେ ଯେଉଁ ଶାସନ ପଦ୍ଧତି ଅବଲମ୍ବନ କରିଛନ୍ତି, ତାହା ଯେ କୌଣସି ଏକଛତ୍ରବାଦୀ ଶାସକ ସକାଶେ ଏକ ‘ୟୁଜର୍ସ ମାନୁଆଲ୍’ତୁଲ୍ୟ ହେବ, ଯେଉଁ ଶାସନ ପଦ୍ଧତିର ଦୁଇ ମୁଖ୍ୟ ଉପାଦାନ ହେଲା ରାଷ୍ଟ୍ରକୁ ବାହ୍ୟ ପ୍ରଭାବରୁ ସଂପୂର୍ଣ୍ଣ ଅବରୁଦ୍ଧ କରି ରଖିବା ଏବଂ ତୁଚ୍ଛ କାରଣରୁ ହୋଇଥିଲେ ହେଁ ପ୍ରାଣଦଣ୍ଡ ନେଇ ଜନସମାଜରେ ଗଭୀର ଭୟର ବାତାବରଣ ସୃଷ୍ଟି କରିବା। ଏଥି ସହିତ ଏହା ମଧ୍ୟ ପ୍ରତିପାଦନ କରିବାର ଉଦ୍ୟମ ହୋଇଥାଏ ଯେ ରାଷ୍ଟ୍ର ଓ ଜନସମୁଦାୟଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ପଦକ୍ଷେପ ବାଞ୍ଛନୀୟ!
ଉଲ୍ଲେଖଯୋଗ୍ୟ ଯେ ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ ପ୍ରକାଶ୍ୟରେ ଓ ସର୍ବ ସମକ୍ଷେର ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି, ଯାହା ସଂପ୍ରତି କେବଳ ଇରାନ, ସୋମାଲିଆ ଓ ଆଫଗାନିସ୍ତାନ ଭଳି ଆଉ ମାତ୍ର ତିନିଟି ରାଷ୍ଟ୍ରରେ ବଳବତ୍ତର ଅଛି। ଏ ସମ୍ବନ୍ଧରେ ‘କୋରିଆ ଟାଇମ୍ସ’ରେ ପ୍ରକାଶିତ ଏକ ଖବର କହିଥାଏ ଯେ କୋଭିଡ୍ ପାନ୍ଡେମିକ୍ ପୂର୍ବବର୍ତ୍ତୀ ସମୟରେ ଏ ଧରଣର ମୃତ୍ୟୁ ଦଣ୍ଡ ସଂଖ୍ୟା ବାର୍ଷିକ ହାରାହାରି ୧୦ରେ ସୀମିତ ଥିବାବେଳେ ବର୍ତ୍ତମାନ ତହିଁରେ ପ୍ରାୟ ଦଶ ଗୁଣ ବୃଦ୍ଧି ଦେଖିବାକୁ ମିଳୁଛି। ‘ଦ ଗାର୍ଡିଆନ୍’ରେ ପ୍ରକାଶିତ ଏକ ଆଲେଖ୍ୟରୁ ଜଣାପଡ଼େ ଯେ ଉତ୍ତର କୋରିଆରେ ଏଭଳି ପ୍ରାଣଦଣ୍ଡକୁ ଉପଭୋଗ କରିବା ସକାଶେ ସ୍ଥାନୀୟ ଜନସାଧାରଣଙ୍କୁ ବାଧ୍ୟ କରାଯାଏ ଏବଂ ସେହି ଦିନ ସେ ଅଞ୍ଚଳର ବ୍ୟବସାୟ ପ୍ରତିଷ୍ଠାନ ଓ ଦପ୍ତର ଆଦିକୁ ବନ୍ଦ ମଧ୍ୟ ରଖାଯାଏ। ସେହି ରିପୋର୍ଟ କହିଥାଏ ଯେ ଗଲା ବର୍ଷ ନଅ ଜଣ ଗୋମାଂସ ଚୋରା ଚାଲାଣକାରୀଙ୍କ ପ୍ରକାଶ୍ୟ ପ୍ରାଣଦଣ୍ଡକୁ ଦେଖିବା ଲାଗି ପଚିଶ ହଜାର ଦେଖଣାହାରିଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଥିଲା। ପ୍ରାଣଦଣ୍ଡ ବାବଦରେ ବର୍ତ୍ତମାନର ଶାସକ କିମ୍ ଜଙ୍ଗ ଉନ କିଭଳି ନିର୍ଦ୍ଦୟ ହୋଇପାରନ୍ତି, ତାହାର ଧାରଣା ମିଳିଥିଲା ୨୦୧୩ ମସିହାରେ, ଯେତେବେଳେ ତାଙ୍କ ବିରୋଧରେ ଚକ୍ରାନ୍ତ କରୁଥିବା ସନ୍ଦେହରେ ସେ ତାଙ୍କର ମାମୁଁ ଶ୍ବଶୁରଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇ ତାହାକୁ ନିଜ ଉପସ୍ଥିତିରେ କାର୍ଯ୍ୟକାରୀ କରାଇଥିଲେ। ଏହି କାର୍ଯ୍ୟକୁ ଫାୟାରିଂ ସ୍କ୍ବାଡ୍ ସଂପନ୍ନ କରିଥିଲେ ବୋଲି ଯଦିଓ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ପ୍ରକାଶ କରିଥିଲା, ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଥିଲା ଯେ ପଲେ ହିଂସ୍ର ଡାହାଳ କୁକୁର ସେହି ହତଭାଗ୍ୟ ପ୍ରୌଢ଼ଙ୍କୁ ଝୁଣି ଝୁଣି ମାରିଥିଲେ। ସେମିତି ଅତ୍ୟନ୍ତ ମାମୁଲି କାରଣ ମଧ୍ୟ କିଭଳି ସେଠାରେ ମୃତ୍ୟୁଦଣ୍ଡକୁ ଆମନ୍ତ୍ରଣ କରିପାରେ, ତାହାର ଦୃଷ୍ଟାନ୍ତ ମିଳେ ‘ଦ ଗାର୍ଡିଆନ୍’ରେ ପ୍ରକାଶିତ ଏହି ସମ୍ବାଦରୁ ଯେ ୨୦୨୨ ମସିହାରେ ଜଣେ ୨୨ ବର୍ଷ ତରୁଣ ଏଥି ଲାଗି ଫାଶୀ ପାଇଥିଲେ ଯେ ସେ ପୃଥିବୀରେ ସର୍ବତ୍ର ଲୋକପ୍ରିୟ ହୋଇଥିବା ଦକ୍ଷିଣ କୋରିଆର ପପ୍ ଗୀତ (କେ-ପପ୍) ଶୁଣୁଥିଲେ ଏବଂ ଅନ୍ୟମାନଙ୍କୁ ଶୁଣାଉଥିଲେ। ଏହି ମୃତ୍ୟୁଦଣ୍ଡର କାରଣ ରାଷ୍ଟ୍ର ଦ୍ରୋହ ବୋଲି ଦର୍ଶାଯାଇଥିଲା!
ପ୍ରକାଶ ଥାଉ କି ଯେ ଜାପାନୀ ଔପନିବେଶିକ ଶାସନର ଅବସାନ ପରେ ଦ୍ବିଧା ବିଭାଜିତ କୋରିଆ ରାଷ୍ଟ୍ର ଉତ୍ତର ଓ ଦକ୍ଷିଣ କୋରିଆ ରୂପେ ଆବିର୍ଭୂତ ହୋଇ ପ୍ରାୟ ତିନି ବର୍ଷ କାଳ ପ୍ରବଳ ଯୁଦ୍ଧରେ ବ୍ୟାପୃତ ରହିଥିଲେ ଏବଂ ଏକ କାମଚଳା ସନ୍ଧି ପରେ ପୃଥକ୍ ରାଜନୈତିକ ମତାଦର୍ଶକୁ ଅନୁସରଣ କରିଥିବାରୁ ପରସ୍ପରର ଚରମ ଶତ୍ରୁରେ ପରିଣତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗଣତାନ୍ତ୍ରିକ ଦକ୍ଷିଣ କୋରିଆର ମୁକ୍ତ ଶାସନ ବ୍ୟବସ୍ଥାର ସାମାନ୍ୟତମ ପ୍ରଭାବ ଉତ୍ତର କୋରିଆର ଶାସକଙ୍କ ସକାଶେ ଅସହନୀୟ ହୋଇଥାଏ, ଯେଉଁ କାରଣରୁ ଦକ୍ଷିଣ କୋରିଆରେ ଆଦୃତ ସୌଖୀନ ‘ସନ୍ ଗ୍ଲାସ୍’, ବିବାହ ବେଳେ କନ୍ୟାମାନେ ପରିଧାନ କରୁଥିବା ଧଳା ରଙ୍ଗର ଗାଉନ୍, ଚିପା ଜିନ୍ସ ଓ ଟି ସାର୍ଟ୍, ଲମ୍ବା ନଖ ରଖିବା ଓ ଚୂଳ ରଙ୍ଗ କରିବାର ସଉକ ଇତ୍ୟାଦିକୁ ‘ସାଂସ୍କୃତିକ ବିକୃତି’ ଭାବେ ଦେଖାଯାଏ, ଯାହା ପ୍ରାଣଦଣ୍ଡ ପାଇବା ଲାଗି ଯଥେଷ୍ଟ ହୋଇପାରେ। ଏଭଳି କାର୍ଯ୍ୟକୁ ଉତ୍ତର କୋରିଆରେ ‘ଜ୍ୟୁଚେ’ ଆଦର୍ଶର ଅପମାନ ବୋଲି ବିଚାର କରାଯାଏ, ଯେଉଁ ମତାଦର୍ଶକୁ କିମ୍ ଜଙ୍ଗ ଉନଙ୍କ ପିତାମହ ତଥା ଉତ୍ତର କୋରିଆର ପ୍ରତିଷ୍ଠାତା ଓ ପ୍ରଥମ ଶାସକ କିମ୍ ସୁଙ୍ଗ କମ୍ୟୁନିଷ୍ଟ ଆଦର୍ଶ ଅନୁସରଣରେ ପ୍ରବର୍ତ୍ତନ କରିଥିଲେ। ପ୍ରକାଶ ଥାଉ କି ‘ଜ୍ୟୁେଚ’ ହେଉଛି ଉତ୍ତର କୋରିଆର ଏକମାତ୍ର ଧର୍ମ, ଧ୍ୟେୟ ଓ ଆଦର୍ଶ।
ଊନବିଂଶ ଶତାବ୍ଦୀରୁ ଉତ୍ତର କୋରିଆକୁ ‘ହରମିଟ୍ସ କିଂଡମ୍’ ବୋଲି କୁହାଯାଇ ଆସୁଛି, ଯାହାର ଅର୍ଥ ‘ଏକାନ୍ତବାସୀଙ୍କ ରାଜ୍ୟ’; କାରଣ ସେ ସମୟରେ ଏହି ରାଜ୍ୟର ଶାସକଗଣ ବିଦେଶାଗତ ବଣିକ ଓ ଆବିଷ୍କାରକମାନଙ୍କ ଠାରୁ ନିଜକୁ ଏବଂ ନିଜ ଦେଶକୁ ଅବରୁଦ୍ଧ କରି ରଖିବାର ସମସ୍ତ ଉଦ୍ୟମ କରିଥିଲେ। କହିବା ବାହୁଲ୍ୟ, ୧୯୪୮ ମସିହାରେ ଉତ୍ତର କୋରିଆ ଗଠନ ପରଠାରୁ କିମ୍ ପରିବାର ସେହି ନୀତିକୁ ଆଗ୍ରହାତିଶଯ୍ୟ ସହିତ ବଳବତ୍ତର କରି ରଖିଛନ୍ତି; କାରଣ ସେମାନେ ନିଶ୍ଚିତ ଯେ ଉନ୍ମୁକ୍ତ ବାତାୟନ ନୂତନ ଚିନ୍ତନ ଓ ବିଚାରମାନଙ୍କ ପ୍ରବେଶ ଘଟାଇ ଜନସାଧାରଣଙ୍କୁ ଅବଲୀଳା କ୍ରମେ ଜାଗ୍ରତ କରିଦେବ। ଏକଛତ୍ରବାଦକୁ ପ୍ରଶ୍ନାତୀତ କରିବା ଲାଗି ଏହା ହେଉଛି ପ୍ରଥମ ଉପାୟ। ଦ୍ବିତୀୟ ଉପାୟଟି ହେଉଛି ଭୟର ସଂଚାର, ଯାହା ସାମାନ୍ୟ ଦୋଷ ସକାଶେ ମୃତ୍ୟୁଦଣ୍ଡ ମାଧ୍ୟମରେ କିମ୍ ପରିବାର ପ୍ରଥମରୁ କରି ଆସୁଛି। ଏକଛତ୍ରବାଦୀ ଶାସକମାନେ ଶାସିତମାନଙ୍କୁ କିଭଳି ଦୃଷ୍ଟିରେ ଦେଖନ୍ତି ତା’ର ଏକ ଧାରଣା ମିଳିଥାଏ ଇରାନର ଶାହ ବଂଶର ପ୍ରଥମ ଶାସକ ରେଜା ଶାହଙ୍କ ଜୀବନର ଏକ ଘଟଣାରୁ। ପ୍ରସିଦ୍ଧ ଓଡ଼ିଆ କଥାକାର ସ୍ବର୍ଗତ ମନୋଜ ଦାସ ତାଙ୍କ ଅନବଦ୍ୟ ଭ୍ରମଣ କାହାଣୀ ‘ଦୂର ଦୂରାନ୍ତ’ରେ ଏହାର ଅବତାରଣା କରିଛନ୍ତି। କୁହାଯାଏ ଯେ ପ୍ୟାରିସ୍ ଭ୍ରମଣରେ ଯାଇଥିବା ରେଜା ଶାହଙ୍କୁ ଫରାସୀ ବିପ୍ଳବ ସମୟର ‘ଗିଲୋଟିନ୍’କୁ ଦେଖାଇ ତା’ ବିଷୟରେ ବୁଝାଇ ଦିଆଯାଉଥିବା ବେଳେ ସେ କୁଆଡ଼େ ତା’ର ଧାର ପରୀକ୍ଷା କରିବାକୁ ଚାହିଁ ନିଜର ପରିଚାରକମାନଙ୍କ ଭିତରୁ ଜଣକୁ ଭିଡ଼ି ଆଣି କହିଥିଲେ: ‘ଏଇଟିକୁ କାଟ, ଦେଖିବା।’ ସ୍ବାଭାବିକ ଭାବେ ତାଙ୍କ ଆଦେଶକୁ ପାଳନ କରାଯାଇ ନ ଥିଲା; କିନ୍ତୁ କାହିଁକି ତାଙ୍କୁ ଅମାନ୍ୟ କରାଗଲା ତାହା ଶାହଙ୍କୁ କୁଆଡ଼େ ଆଚମ୍ବିତ କରି ଦେଇଥିଲା! କିମ୍ ଜଙ୍ଗ ଉନଙ୍କ ଭଳି ଏକଛତ୍ରବାଦୀମାନେ ବୁଝନ୍ତି ଯେ ସେମାନଙ୍କ ଏଭଳି ଆଦେଶମାନ କେବଳ ସେମାନଙ୍କ ରାଷ୍ଟ୍ର ଛଡ଼ା ପୃଥିବୀର ଅନ୍ୟ କେଉଁଠି ହେଲେ ସ୍ବୀକାର୍ଯ୍ୟ ହେବନାହିଁ। କିନ୍ତୁ ଏ କଥା ସେମାନଙ୍କ ଦେଶବାସୀ ଯେତେ କମ୍ ଜାଣିବେ ସେତେ ଭଲ! ତେଣୁ ସେମାନଙ୍କ ରାଷ୍ଟ୍ରମାନ ଯଥାସମ୍ଭବ ନିବୁଜ ରହୁ, ନିଃସଙ୍ଗ ରହୁ, ଏକାନ୍ତବାସୀଙ୍କ ରାଜ୍ୟ ହୋଇ ରହିଥାଉ।