ସାମ୍ପ୍ରତିକ ପୃଥିବୀ ପାଇଁ ତେଣୁ ‘ଏଜେଆର୍’ଙ୍କ ଗବେଷଣାରୁ ଯେଉଁ ସନ୍ଦେଶ ଉପଲବ୍ଧ ହୋଇଥାଏ, ତାହା ହେଲା, ଯେଉଁ ଦେଶ ସମ୍ପତ୍ତି ଅଧିକାର ଅକ୍ଷୁଣ୍ଣ ରଖେ, ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକରେ ହ୍ରାସ ଘଟାଏ, ସ୍ବାଧୀନ ନିୟନ୍ତ୍ରକ ଅନୁଷ୍ଠାନମାନ ସ୍ଥାପନ କରେ, ତ୍ବରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା କରେ- ଏହି ସମସ୍ତ ‘ଇନ୍କ୍ଲୁସିଭ୍’ ଅନୁଷ୍ଠାନମାନ ମାଧ୍ୟମରେ ଅବିଳମ୍ବେ ଏକ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହୋଇପାରେ।
ପୃଥିବୀରେ କେତେକ ଦେଶ ଧନୀ ହୋଇଥିବାବେଳେ ଆଉ କେତେକ ଦେଶ କାହିଁକି ଦରିଦ୍ର ହୋଇଥାନ୍ତି? ଏହି ପ୍ରଶ୍ନକୁ ଅର୍ଥଶାସ୍ତ୍ରର କେନ୍ଦ୍ରୀୟ ପ୍ରଶ୍ନ କହିଲେ ଭୁଲ୍ ହେବ ନାହିଁ, ଯାହା ଏହି ଶାସ୍ତ୍ରର ବିଧିବଦ୍ଧ ଉନ୍ମେଷ ଦିନଠାରୁ ଆଜି ଯାଏ ପୃଥିବୀର ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କୁ ଆବିଷ୍ଟ କରି ରଖିଛି। ବାସ୍ତବରେ ଅର୍ଥଶାସ୍ତ୍ରର ଜନକ ରୂପେ ପରିଚିତ ସ୍କଟିସ୍ ଦାର୍ଶନିକ ଆଡାମ୍ ସ୍ମିଥ୍ଙ୍କ ଦ୍ବାରା ରଚିତ ୧୭୭୬ରେ ପ୍ରକାଶିତ ଏହି ନୂତନ ଶାସ୍ତ୍ରର ସର୍ବପ୍ରଥମ ପୁସ୍ତକର ଶୀର୍ଷକ ଥିଲା, ‘‘ଆନ୍ ଏନ୍କ୍ବାଇରି ଇନ୍ଟୁ ଦି ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦି ୱେଲ୍ଥ ଅଫ୍ ନେସନ୍ସ’’ (‘‘ରାଷ୍ଟ୍ରମାନଙ୍କର ସମ୍ପଦର ପ୍ରକୃତି ଓ କାରଣମାନଙ୍କର ଏକ ଅନୁସନ୍ଧାନ’’) ବା ସଂକ୍ଷେପରେ ସୁପରିଚିତ, ‘‘ୱେଲ୍ଥ ଅଫ୍ ନେସନ୍ସ’’। ସ୍ମିଥ୍ଙ୍କ ସମୟରୁ ରାଷ୍ଟ୍ରମାନଙ୍କର ସମ୍ପଦର ସେଇ ରହସ୍ୟ ଉନ୍ମୋଚନ ପାଇଁ ଅନୁସନ୍ଧାନ ଜାରି ରହିଆସିଥିଲେ ହେଁ ତାହାର ଅନ୍ତିମ ଉତ୍ତର ଯେ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇପାରି ନାହିଁ, ତାହାର ପ୍ରମାଣ ସ୍ବରୂପ ୨୦୨୪ ପାଇଁ ଅର୍ଥନୀତିରେ ଯେଉଁ ତିନି ଜଣ ଅର୍ଥନୀତିଜ୍ଞଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ ଘୋଷଣା କରାଯାଇଛି, ତାହା ସ୍ମିଥ୍ଙ୍କର ସେଇ ପୁରୁଣା ପ୍ରଶ୍ନର ଆଉ ଏକ ସମ୍ଭାବ୍ୟ ଉତ୍ତର ଆବିଷ୍କାର କରିବା ପାଇଁ ସେମାନେ ଚଳାଇଥିବା ଅନୁସନ୍ଧାନକୁ ହିଁ ସ୍ବୀକୃତି ପ୍ରଦାନ କରାଯାଇଛି।
ଏହି ଅବସରରେ ଏଠାରେ ସୂଚାଇବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଏହି ପୁରସ୍କାରର ମିଳିତ ବିଜେତା ତୁର୍କୀ ମୂଳର ଡାରନ୍ ଆସିମୋଗ୍ଲୁ ଏବଂ ବ୍ରିଟିଶ୍ ମୂଳର ସାଇମନ୍ ଜନ୍ସନ୍ ଓ ଜେମ୍ସ ରବିନ୍ସନ୍ (ସଂକ୍ଷେପରେ- ‘ଏଜେଆର୍’) ଯେଉଁ ଶକ୍ତିକୁ ଏକ ରାଷ୍ଟ୍ରର ସମୃଦ୍ଧିର ମୂଳ କାରଣ ରୂପେ ଚିହ୍ନଟ କରିଛନ୍ତି, ତାହା ହେଉଛି ସ୍ମିଥ୍ ପ୍ରଦର୍ଶିତ କରିଥିବା କାରଣ ଠାରୁ ସଂପୂର୍ଣ୍ଣ ଭିନ୍ନ। ସ୍ମିଥ୍ଙ୍କ ବିଚାରରେ ଏକ ଅବାଧ ପ୍ରତିଯୋଗିତାଭିତ୍ତିକ ମୁକ୍ତ ବଜାର, ସେଥିରେ ସକ୍ରିୟ ଥିବା ବ୍ୟକ୍ତିସ୍ବାର୍ଥଭିତ୍ତିକ ତଥାକଥିତ ‘‘ଅଦୃଶ୍ୟ ହାତ’’ ଓ ଶ୍ରମ ବିଭାଜନ ହେଉଛନ୍ତି ଏକ ରାଷ୍ଟ୍ରର ସମ୍ପଦ ଅଭିବୃଦ୍ଧିର ଚାବି। ପରବର୍ତ୍ତୀ ସମୟରେ ଅର୍ଥନୀତିଜ୍ଞମାନେ ଅର୍ଥନୈତିକ ଅଭିବୃଦ୍ଧିର ଯେଉଁସବୁ ମଡେଲ୍ମାନ ନିର୍ମାଣ କରିଆସିଛନ୍ତି, ସେଥିରେ ଯାହାକୁ ପ୍ରାଧାନ୍ୟ ଦିଆହୋଇ ଆସିଛି, ତାହା ହେଲା ପୁଞ୍ଜି, ଶ୍ରମ ଆଦି ସମ୍ବଳ ଠୁଳ କରିବା ଏବଂ ସମ୍ପ୍ରତି ଅଧିକ ଗୁରୁତ୍ବ ପ୍ରଦାନ କରାଯାଉଥିବା ଜ୍ଞାନକୌଶଳ ଓ ନୂତନ ଚିନ୍ତାଧାରା। ଏଇ ସମସ୍ତ ମଡେଲ୍ ଅନୁସାରେ ଏକ ଦେଶରେ ଶ୍ରମିକମାନଙ୍କ ପାଇଁ ମୁଣ୍ଡପିଛା ପୁଞ୍ଜିର ପରିମାଣରେ ଯେତେ ବୃଦ୍ଧି ଘଟିବ ଓ ତାହାକୁ ବ୍ୟବହାର କରିବା ଜ୍ଞାନକୌଶଳରେ ଯେତେ ଉନ୍ନତି ଘଟିବ, ସେ ଦେଶ ସେତେ ଅଧିକ ସମୃଦ୍ଧି ହାସଲ କରିବ। କିନ୍ତୁ ଏହା ବି ଯଦି ସତ ହୋଇଥାଏ, ଏହି ମଡେଲ୍ମାନଙ୍କରୁ ଯେଉଁ ଅସଲ ପ୍ରଶ୍ନର ଉତ୍ତର ମିଳି ନ ଥାଏ, ତାହା ହେଲା: କେତେକ ଦେଶରେ ଏଭଳି ପୁଞ୍ଜି ଓ ଜ୍ଞାନକୌଶଳର ଉପଲବ୍ଧତାରେ ବୃଦ୍ଧି ଘଟିଥିବା ବେଳେ ଅନ୍ୟ କେତେକ ଦେଶରେ କାହିଁକି ସେଭଳି ଘଟି ନ ଥାଏ?
ସ୍ମିଥ୍ ଓ ପରବର୍ତ୍ତୀ ଅର୍ଥନୀତିଜ୍ଞମାନଙ୍କର ଚିନ୍ତାଧାରାଠାରୁ ସ୍ପଷ୍ଟ ରୂପେ ଦୂରେଇ ଯାଇ ‘ଏଜେଆର୍’ ଯାହାକୁ ସମୃଦ୍ଧିର ମୂଳ କାରଣ ରୂେପ ଦର୍ଶାଇଛନ୍ତି, ତାହା ହେଲା ସମ୍ପୃକ୍ତ ଦେଶରେ ଆବିର୍ଭୂତ ହୋଇଥିବା ସରକାର ସମେତ ଅନ୍ୟ ଅନୁଷ୍ଠାନମାନଙ୍କର ଚରିତ୍ର। ନୋବେଲ୍ କମିଟି ସେମାନଙ୍କର ଏହି ଚିନ୍ତାଧାରାକୁ ବର୍ତ୍ତମାନ ପୁରସ୍କୃତ କରିଥିଲେ ହେଁ ଏହି ତ୍ରିମୂର୍ତ୍ତିଙ୍କର ଉକ୍ତ ଚିନ୍ତାଧାରା ପ୍ରଥମେ ଆବିର୍ଭୂତ ହୋଇଥିଲା ଦୁଇ ଦଶନ୍ଧିରୁ ଅଧିକ କାଳ ତଳେ ୨୦୦୧ରେ ପ୍ରକାଶିତ ସେମାନଙ୍କର ଏକ ମିଳିତ ଗବେଷଣା ପତ୍ରରେ, ଯାହାର ଶୀର୍ଷକ ଥିଲା- ‘‘ଦି କଲୋନିଆଲ୍ ଅରିଜିନ୍ସ ଅଫ୍ କମ୍ପାରେଟିଭ୍ ଡେଭେଲପ୍ମେଣ୍ଟ: ଆନ୍ ଏମ୍ପିରିକାଲ୍ ଇନ୍ଭେଷ୍ଟିଗେସନ୍’’ (‘‘ଆପେକ୍ଷିକ ଅଭିବୃଦ୍ଧିର ଔପନିବେଶିକ ମୂଳ: ଏକ ତଥ୍ୟଭିତ୍ତିକ ଅନୁସନ୍ଧାନ’’), ଯାହା ଆଡାମ୍ ସ୍ମିଥ୍ଙ୍କ ପୁସ୍ତକର ଶୀର୍ଷକର ଏକ ପ୍ରତିଧ୍ବନି ଭଳି ମନେ ହୋଇଥାଏ।
ଏହି ଗବେଷଣା ପତ୍ରରେ ‘ଏଜେଆର୍’ ଏହି ଅନୁଷ୍ଠାନମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥିଲେ: ‘ଇନ୍କ୍ଲୁସିଭ୍’ ଓ ‘ଏକ୍ସଟ୍ରାକ୍ଟିଭ୍’। ‘ଇନ୍କ୍ଲୁସିଭ୍’ ବା ‘ଅନ୍ତର୍ଭୁକ୍ତକାରୀ’ ଅନୁଷ୍ଠାନମାନ ସମୃଦ୍ଧିର ସୁଷମ ବଣ୍ଟନରେ ସହାୟକ ହୋଇଥିବା ବେଳେ ‘ଏକ୍ସଟ୍ରାକ୍ଟିଭ୍’ ବା ‘ଶୋଷଣକାରୀ’ ଅନୁଷ୍ଠାନମାନ କ୍ଷୁଦ୍ର ଗୋଷ୍ଠୀମାନଙ୍କୁ ବୃହତ୍ତର ଜନସଂଖ୍ୟାଠାରୁ ସମୃଦ୍ଧି ଛଡ଼ାଇ ନେବାରେ ସହାୟକ ହୋଇଥାନ୍ତି। ‘ଇନ୍କ୍ଲୁସିଭ୍’ ଅନୁଷ୍ଠାନମାନ ମାନବ ସମ୍ବଳ ଓ ପାର୍ଥିବ ସମ୍ବଳର ବିକାଶରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିଥାନ୍ତି। ‘ଏକ୍ସଟ୍ରାକ୍ଟିଭ୍’ ଅନୁଷ୍ଠାନମାନ ଏହାକୁ ନିରୁତ୍ସାହିତ କରିଥାନ୍ତି।
କେଉଁ ଇଉରୋପୀୟ ଉପନିବେଶମାନଙ୍କରେ ‘ଇନ୍କ୍ଲୁସିଭ୍’ ଓ କେଉଁଠାରେ ‘ଏକ୍ସଟ୍ରାକ୍ଟିଭ୍’ ଅନୁଷ୍ଠାନମାନଙ୍କର ଆବିର୍ଭାବ ଘଟିଥିଲା, ତାହା ଜାଣିବା ପାଇଁ ଗବେଷକମାନେ ଏକ କୌଶଳ ପ୍ରୟୋଗ କରିଥିଲେ। ଯେଉଁ ଉପନିବେଶମାନଙ୍କରେ ସେଠାକାର ପ୍ରତିକୂଳ ପରିବେଶ ସହିତ ଖାପ ଖାଇ ନ ପାରି ଇଉରୋପୀୟମାନଙ୍କ ମଧ୍ୟରେ ମୃତ୍ୟୁ ହାର ଉଚ୍ଚ ହେଉଥିଲା, ସେଠାରେ ସେମାନେ ସ୍ଥାନୀୟ ଶ୍ରମିକମାନଙ୍କୁ ଅଧିକ ଶୋଷଣ କରୁଥିଲେ, ଯେମିତି ଦକ୍ଷିଣ ଆମେରିକାରୁ ଆରମ୍ଭ କରି ଆଫ୍ରିକାର କଙ୍ଗୋର ରବର ବଗିଚାମାନଙ୍କରେ ଦେଖାଯାଇଥିଲା। ଏଭଳି ଉପନିବେଶମାନଙ୍କରେ ଇଉରୋପୀୟମାନଙ୍କ ତୁଳନାରେ ସ୍ଥାନୀୟ ବାସିନ୍ଦା ବା ‘ନେଟିଭ୍’ମାନଙ୍କ ସଂଖ୍ୟା ବହୁଗୁଣ ଅଧିକ ଥିଲା ଏବଂ କ୍ରୀତଦାସ ପ୍ରଥା ଭଳି ‘ଏକ୍ସଟ୍ରାକ୍ଟିଭ୍’ ଅନୁଷ୍ଠାନମାନ ମାଧ୍ୟମରେ ସଂଖ୍ୟାଲଘୁ ଇଉରୋପୀୟମାନେ ସଂଖ୍ୟାଗରିଷ୍ଠ ‘ନେଟିଭ୍’ମାନଙ୍କୁ ଶୋଷଣ କରି ନିଜର ସମ୍ପଦରେ ବୃଦ୍ଧି ଘଟାଉଥିଲେ।
କିନ୍ତୁ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଭଳି ଯେଉଁ ଉପନିବେଶମାନଙ୍କରେ ଇଉରୋପୀୟମାନଙ୍କର ମୃତ୍ୟୁ ହାର ନୀଚା ରହୁଥିଲା, ସେଠାରେ ବ୍ୟକ୍ତିଗତ ସମ୍ପତ୍ତି ଓ ଅବାଧ ବଜାର ଆଦି ଭଳି ଅନୁଷ୍ଠାନ ସୃଷ୍ଟି ମାଧ୍ୟମରେ ସେମାନଙ୍କୁ ଉତ୍ପାଦିତ ସମ୍ପଦରେ ଭାଗୀଦାର ହେବାର ସମ୍ଭାବନା ସୃଷ୍ଟି କରି ସେଠାକୁ ବହୁସଂଖ୍ୟକ ଇଉରୋପୀୟମାନଙ୍କୁ ଆକର୍ଷିତ କରାଯାଇ ପାରିଥିଲା। ଏଭଳି ଇଉରୋପୀୟ ସଂଖ୍ୟାବହୁଳ ଉପନିବେଶମାନଙ୍କରେ ଯେଉଁ ଅନୁଷ୍ଠାନମାନଙ୍କର ଆବିର୍ଭାବ ଘଟିଲା, ସେଗୁଡ଼ିକ ‘ଏକ୍ସଟ୍ରାକ୍ଟିଭ୍’ ନ ହୋଇ ‘ଇନ୍କ୍ଲୁସିଭ୍’ ଶ୍ରେଣୀର ହେଲା। ‘ଏଜେଆର୍’ ସେମାନଙ୍କର ଅନୁଶୀଳନ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ଯେ ୧୫୦୦ ସାଲରେ ଯେଉଁ ଉପନିବେଶମାନ ‘ଏକ୍ସଟ୍ରାକ୍ଟିଭ୍’ ଅନୁଷ୍ଠାନମାନଙ୍କ ସହାୟତାରେ ସଂଖ୍ୟାଗରିଷ୍ଠ ଜନସଂଖ୍ୟାକୁ ଶୋଷଣ କରି ସମୃଦ୍ଧି ହାସଲ କରିଥିଲେ, ଆଧୁନିକ ସମୟରେ ସେମାନେ ଦରିଦ୍ର ହୋଇଯାଇଥିବା ବେଳେ ‘ଇନ୍କ୍ଲୁସିଭ୍’ ଅନୁଷ୍ଠାନମାନ ପ୍ରତିଷ୍ଠିତ ହୋଇଥିବା ପ୍ରାକ୍ତନ ଉପନିବେଶମାନ ସମୃଦ୍ଧ ଦେଶରେ ପରିଣତ ହୋଇଛନ୍ତି।
ପରବର୍ତ୍ତୀ ସମୟରେ ‘ଏଜେଆର୍’ ପ୍ରକାଶ କରିଥିବା ଏକ ଗବେଷଣା ପତ୍ରରେ ଅନୁଷ୍ଠାନ ଓ ସମୃଦ୍ଧି ମଧ୍ୟରେ ଥିବା ଏହି କାର୍ଯ୍ୟ-କାରଣ ସମ୍ପର୍କର ଅଧିକ ପ୍ରମାଣ ସ୍ବରୂପ ଉତ୍ତର ଓ ଦକ୍ଷିଣ କୋରିଆରେ ଦେଖାଯାଉଥିବା ଅର୍ଥନୈତିକ ତାରତମ୍ୟର ଅବତାରଣା କରାଯାଇଛି। କୋରିଆ ଉପଦ୍ବୀପର ବାସିନ୍ଦାମାନେ ଗୋଟିଏ ମୂଳର ହୋଇଥିଲେ ହେଁ ୧୯୪୫ରେ ତାହା ଦୁଇ ଭାଗରେ ବିଭକ୍ତ ହୋଇଯିବା ପରେ ‘ଇନ୍କ୍ଲୁସିଭ୍’ ଅନୁଷ୍ଠାନମାନ ପ୍ରତିଷ୍ଠା କରି ଦକ୍ଷିଣ କୋରିଆ ଏକ ସମୃଦ୍ଧ ଉଦାର ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇପାରିଥିଲେ ହେଁ, ‘ଏକ୍ସଟ୍ରାକ୍ଟିଭ୍’ ଅନୁଷ୍ଠାନମାନ ଉପରେ ନିର୍ଭରଶୀଳ ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନାଧୀନ ଉତ୍ତର କୋରିଆ ଏକ ଦରିଦ୍ର, ନିଷ୍ପେଷିତ ଦେଶରେ ପରିଣତ ହୋଇଛି।
ସାମ୍ପ୍ରତିକ ପୃଥିବୀ ପାଇଁ ତେଣୁ ‘ଏଜେଆର୍’ଙ୍କ ଗବେଷଣାରୁ ଯେଉଁ ସନ୍ଦେଶ ଉପଲବ୍ଧ ହୋଇଥାଏ, ତାହା ହେଲା, ଯେଉଁ ଦେଶ ସମ୍ପତ୍ତି ଅଧିକାର ଅକ୍ଷୁଣ୍ଣ ରଖେ, ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକରେ ହ୍ରାସ ଘଟାଏ, ସ୍ବାଧୀନ ନିୟନ୍ତ୍ରକ ଅନୁଷ୍ଠାନମାନ ସ୍ଥାପନ କରେ, ତ୍ବରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା କରେ- ଏହି ସମସ୍ତ ‘ଇନ୍କ୍ଲୁସିଭ୍’ ଅନୁଷ୍ଠାନମାନ ମାଧ୍ୟମରେ ଅବିଳମ୍ବେ ଏକ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହୋଇପାରେ।