ସୁନା ପ୍ରତି ମନୁଷ୍ୟର ଆକର୍ଷଣ କିଭଳି ଦୁର୍ବାର ହୋଇପାରେ ତାହାର ଦୃଷ୍ଟାନ୍ତ ମିଳିଥାଏ ପୃଥିବୀର ପ୍ରାଚୀନତମ ସୁନା ଖଣିମାନଙ୍କରୁ; ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଗୁପ୍ତ ସମ୍ରାଟମାନଙ୍କ ଦ୍ବାରା କର୍ଣ୍ଣାଟକରେ ଖନନ କରାଯାଇଥିବା ଏଭଳି ଏକ ସୁନା ଖଣିର ଗଭୀରତା ହେଉଛି ଶ୍ବାସରୁଦ୍ଧକାରୀ ୧୮୦ ଫୁଟ! କହିବାର ତାତ୍ପର୍ଯ୍ୟ ହେଲା, ଯେତେ ଦୁର୍ଲଭ ହେଲେ ସୁଦ୍ଧା ଏଭଳି ଦୁର୍ବାର ମୋହ କାରଣରୁ ସୁନାର ଆକର୍ଷଣ ବା ବ୍ୟବସାୟ ନିଷ୍ପ୍ରଭ ହେବାର ସମ୍ଭାବନା ନାହିଁ।
ଦୀପାବଳିର ଆଗମନକୁ ଆଉ ମାତ୍ର ଅଳ୍ପ କେଇ ଦିନ ବାକି ଥିବାବେଳେ ଅଗଣିତ ଭାରତୀୟଙ୍କ ଉତ୍ସାହରେ ଭଟ୍ଟା ପକାଇ ସୁନା ଦର ଏକ ରେକର୍ଡ ଉଚ୍ଚତାରେ ପହଞ୍ଚିଛି। ଅବଶ୍ୟ, ପୃଥିବୀ ସାରା ସୁନା ଦରରେ ତୀବ୍ର ବୃଦ୍ଧି ଘଟିଛି। ଗଲା ବୁଧବାର ଦିନ ଅନ୍ତର୍ଜାତୀୟ ବଜାରରେ ଚବିଶ କ୍ୟାରାଟ୍ ଖାଣ୍ଟି ସୁନା ଦର ଥିଲା ଆଉନ୍ସ (ପ୍ରାୟ ୨୮ ଗ୍ରାମ) ପିଛା ୨୭୮୦ ଡଲାର ଏବଂ ଭାରତରେ ତାହା ଥିଲା ଦଶ ଗ୍ରାମ ପିଛା ପ୍ରାୟ ୮୦,୦୦୦ ଟଙ୍କା; ଯାହା ହେଉଛି ସର୍ବକାଳୀନ ଉଚ୍ଚା। ଏ ସଂଦର୍ଭରେ ପର୍ଯ୍ୟେବକ୍ଷକମାନେ କହନ୍ତି ଯେ ଦର ବୃଦ୍ଧି ପଛରେ ନିହିତ ଅଛି ଏକ ଅନିଶ୍ଚିତ ଭବିଷ୍ୟତ୍ର ଭୟ ଓ ସଂଶୟ; ଯାହାର କାରଣ ରୁଷିଆ-ୟୁକ୍ରେନ୍ ଓ ମଧ୍ୟ ପ୍ରାଚ୍ୟରେ ଚାଲି ରହିଥିବା ସଂଘର୍ଷ ଓ ବୃହତ୍ ଅର୍ଥନୀତିଗୁଡ଼ିକରେ ପରିଦୃଷ୍ଟ ହେଉଥିବା ତାରଲ୍ୟ। ଏଭଳି ଅନିଶ୍ଚିତତା ହେତୁ ସୁନା କ୍ରୟରେ ଅର୍ଥ ବିନିଯୋଗ କରି ଆପଣା ଭବିଷ୍ୟତ୍କୁ ସୁରକ୍ଷିତ କରିବାକୁ ଅଧିକରୁ ଅଧିକ ବ୍ୟକ୍ତି ଓ ଅନୁଷ୍ଠାନ ବ୍ୟଗ୍ର; କାରଣ ଧାରାବାହିକ ଦରବୃଦ୍ଧି ହେତୁ ସୁନା ସଂପ୍ରତି ଏକ ବିପଦଶୂନ୍ୟ ବିନିବେଶର ମାଧ୍ୟମରେ ପରିଣତ ହୋଇଛି। ସୁତରାଂ, ସ୍ବାଭାବିକ ଭାବେ ସୁନାର ଚାହିଦାରେ ଅତ୍ୟଧିକ ବୃଦ୍ଧି ଘଟି ଦରକୁ ଊର୍ଦ୍ଧ୍ବମୁଖୀ କରି ରଖିଛି। ଏବଂ ଭାରତରେ ଏହି ଚାହିଦା ଆହୁରି ଅଧିକ; କାରଣ ଦୀପାବଳି ଓ ପରବର୍ତ୍ତୀ ବିବାହ ଋତୁ ଅବସରରେ ଭାରତୀୟମାନଙ୍କ ଲାଗି ସୁନା କ୍ରୟ ଉଭୟ ଆଗ୍ରହ ଓ ବାଧ୍ୟବାଧକତାର ବିଷୟବସ୍ତୁ। ଅବଶ୍ୟ ଏଥିରେ ଦ୍ବିରୁକ୍ତି ନାହିଁ ଯେ ସାଧାରଣ ଭାରତୀୟମାନଙ୍କ ପହଞ୍ଚରୁ କ୍ରମେ ଏହି ମୂଲ୍ୟବାନ ପୀତ ଧାତୁଟି ଦୂରେଇ ଯିବାରେ ଲାଗିଛି; କିନ୍ତୁ ପ୍ରଶ୍ନ ହେଲା ଏହା ସତ୍ତ୍ବେ ତାହାକୁ ଭାରତୀୟମାନେ ଲୋଡ଼ିବାରେ ଊଣା ଘଟିଛି କି?
ଯଦିଓ ଖଣିଜ ଭାବେ ସୁବର୍ଣ୍ଣ ଉତ୍ତୋଳନ ଓ ତା’ର ବ୍ୟବହାର ଏହି ଭୂଖଣ୍ଡରେ ଅତ୍ୟନ୍ତ ପ୍ରାଚୀନ (ହରପ୍ପା ସଭ୍ୟତାରେ ସୁନାର ପ୍ରଚଳନ ଥିଲା ଏବଂ ଋଗ୍ ବେଦରେ ସୁନାର ଉଲ୍ଲେଖ ଅଛି), ଚାହିଦା ତୁଳନାରେ ଏଠାରେ ତାହାର ଉପଲବ୍ଧତା ଅତ୍ୟନ୍ତ ସ୍ବଳ୍ପ। ସୁନାର ବ୍ୟବହାରରେ ଭାରତ ପୃଥିବୀର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ର, ଅଥଚ ଏହାର ପ୍ରମୁଖ ଅଂଶ ଆମଦାନି କରାଯାଇଥାଏ। ‘ୱର୍ଲଡ ଗୋଲ୍ଡ କାଉନ୍ସିଲ୍’ ବା ‘ଡବ୍ଲୁ.ଜି.ସି.’ର ଆକଳନ ଅନୁସାରେ ଚଳିତ ବର୍ଷ ଭାରତୀୟମାନେ ୮୫୦ ମେଟ୍ରିକ୍ ଟନ୍ ଓଜନର ସୁନା କ୍ରୟ କରିବେ (ଗଲା ବର୍ଷ ଯାହା ଥିଲା ୭୫୦ ମେଟ୍ରିକ୍ ଟନ୍); ଅଥଚ ଏହି ବର୍ଷ ଭାରତର ସୁନା ଖଣିରୁ ଉପଲବ୍ଧ ହେବ ମାତ୍ର ୧.୩୮ ଟନ୍ ସୁନା। ଏଥିରୁ ହୃଦ୍ବୋଧ କରି ହୋଇଥାଏ ଯେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ସହିତ ଭାରତରେ ଚାହିଦା ବୃଦ୍ଧି ସଂଯୁକ୍ତ ହୋଇଗଲେ ଭାରତରେ ସୁନା ଦରରେ ତୁଳନାତ୍ମକ ଭାବେ ଅଧିକ ବୃଦ୍ଧି ଘଟିବ। ପ୍ରକାଶ ଥାଉ କି ଭାରତୀୟମାନଙ୍କ ସକାଶେ ଏକ ବିଡ଼ମ୍ବନା ହେଲା ସୁନା ଦୁର୍ମୂଲ୍ୟ ହୋଇ ଚାଲିଥିବା ସତ୍ତ୍ବେ କେତେକ ପାରଂପରିକ ବିଶ୍ବାସ, ସାମାଜିକ-ସାଂସ୍କୃତିକ ଆବଶ୍ୟକତା ବା ଅନିବାର୍ଯ୍ୟତା କାରଣରୁ ମଧ୍ୟମ ଓ ନିମ୍ନ ବିତ୍ତୀୟ ଭାରତୀୟମାନେ ମଧ୍ୟ ସୁନା କ୍ରୟରେ ପ୍ରବୃତ୍ତ ରହନ୍ତି। ତେବେ ଚଳିତ ବର୍ଷ ମାତ୍ରାଧିକ ମୂଲ୍ୟବୃଦ୍ଧି ହେତୁ ସୁନା ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକର୍ଷଣ କରିବା ସକାଶେ କେତେକ ରିହାତି ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ କଥା ହେଲା, ଗଲା ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ସୁନାର ଦରରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ଘଟିଛି ସିନା, ସୁନା ଖର୍ଦ୍ଦି-ବିକ୍ରିର ପରିମାଣରେ ତାହା ହ୍ରାସ ଘଟାଇ ପାରିନାହିଁ, ବରଂ ତାହା ବୃଦ୍ଧି ପାଇବାରେ ଲାଗିଛି। ଏହା ହିଁ ଭାରତର ସୁବର୍ଣ୍ଣ ବୈଚିତ୍ର୍ୟ!
ପାରିବାରିକ ସୁନା କ୍ରୟକୁ ନେଇ ହୋଇଥିବା ଏକ ସର୍ବେକ୍ଷଣରୁ ଜଣା ଯାଇଥାଏ ଯେ ବିତ୍ତଶାଳୀ ଭାରତୀୟମାନେ ଯଦିଓ ମୁଣ୍ଡ ପିଛା ଅଧିକ ସୁବର୍ଣ୍ଣ କ୍ରୟ କରନ୍ତି, ସାମଗ୍ରିକ ସୁନା ଖର୍ଦ୍ଦିରେ ନିମ୍ନ ବିତ୍ତ ବର୍ଗ ସ୍ବଚ୍ଛଳ ବର୍ଗଙ୍କୁ ପଛରେ ପକାଇ ଦିଅନ୍ତି। ଏହି ସର୍ବେକ୍ଷଣ ଅନୁସାରେ ୨୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ବର୍ଗ ବାର୍ଷିକ ହାରାହାରି ୨୭ ଗ୍ରାମ ସୁନା କିଣୁଥିବା ବେଳେ ନିମ୍ନ ଆୟକାରୀ ବର୍ଗଙ୍କ କ୍ଷେତ୍ରରେ ଏହା ହାରାହାରି ୫୧.୬୬ ଗ୍ରାମ। ପାଞ୍ଚ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଆୟ କରୁଥିବା ବର୍ଗ ହାରାହାରି କ୍ରୟ କରୁଥିବା ସୁନାର ପରିମାଣ ହେଉଛି ୨୫.୧୩ ଗ୍ରାମ। ଏହି ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ମଧ୍ୟବିତ୍ତ ବର୍ଗ ବିବାହ ବା ବ୍ରତଘର ଭଳି ପାରିବାରିକ-ସାଂସ୍କୃତିକ ଉତ୍ସବାନୁଷ୍ଠାନରେ ସୁବର୍ଣ୍ଣ ଅଳଙ୍କାରମାନର ଅନିବାର୍ଯ୍ୟତାର ଦାୟରେ ତାହା କ୍ରୟ କରିବାକୁ ବାଧ୍ୟ ହୋଇଥାଆନ୍ତି। ବିତ୍ତଶାଳୀ ବର୍ଗଙ୍କ ନିକଟରେ ସୁନା ବଦଳରେ ହୀରା ବା ଅନ୍ୟାନ୍ୟ ଅଧିକ ମୂଳ୍ୟବାନ ଆଭୂଷଣର ବିକଳ୍ପ ଥାଏ। ଏହି କାରଣରୁ ଭାରତରେ ସୁନା କାରବାରର ପ୍ରମୁଖ ଅଂଶୀଦାର ରୂପେ ମଧ୍ୟମ ଓ ନିମ୍ନ ବିତ୍ତୀୟ ବର୍ଗକୁ ଦେଖିବାକୁ ମିଳିଥାଏ। ତେବେ ଏହା ମଧ୍ୟ ଆଉ ଏକ ବାସ୍ତବତା ଯେ ମଧ୍ୟମ ଓ ନିମ୍ନ ବିତ୍ତୀୟ ବର୍ଗଙ୍କ ଲାଗି ସେମାନଙ୍କ ଆର୍ଥିକ ଅସହାୟତା କାଳରେ ସୁନା ଏକ ଅବଲମ୍ବନ ରୂପେ ଆବିର୍ଭୂତ ହୋଇଥାଏ, ଯେଉଁ କାରଣରୁ ଭାରତର ସର୍ବତ୍ର ବନ୍ଧକ ସକାଶେ ସର୍ବାଧିକ ସୁଲଭ ମାଧ୍ୟମ ହେଉଛି ସୁନା। କିନ୍ତୁ ବିଡ଼ମ୍ବନାଟି ହେଲା ସାଧାରଣ ଭାରତୀୟଙ୍କ ଜୀବନ ସହିତ ଘନିଷ୍ଠ ଭାବେ ଛନ୍ଦା ଏହି ମୂଲ୍ୟବାନ ଧାତୁର ମାତ୍ରାଧିକ ଦରବୃଦ୍ଧି ହେତୁ ଏହାକୁ କ୍ରୟ କରିବା ବେଳେ ବା କୌଣସି ବାଧ୍ୟବାଧକତାରେ ପଡ଼ି ତାହାକୁ ବନ୍ଧକ ପକାଇବା ବେଳେ ଦୀର୍ଘଶ୍ବାସର ଅଣଚାଶ ମଧ୍ୟ ପ୍ରବାହିତ ହୋଇଥାଏ!
ଏହି ଉଜ୍ଜ୍ବଳ ପୀତ ଧାତୁଟି ପ୍ରତି ଭାରତୀୟଙ୍କ ଦୁର୍ବାର ଆକର୍ଷଣ ବିଷୟରେ କାହାକୁ ବୁଝାଇ କହିବାର ଆବଶ୍ୟକତା ନାହିଁ। ସୁବର୍ଣ୍ଣ ମୃଗ ଲାଭ କରିବା ଲାଗି ଦେବୀ ସୀତାଙ୍କ ମାତ୍ରାତିରିକ୍ତ ଅଭିଳାଷ ହେଉ ବା ରାବଣର ସ୍ବର୍ଣ୍ଣ ଲଙ୍କାର ଦହନ ହେଉ; ବିଭିନ୍ନ ଉପାଖ୍ୟାନରେ ସୁବର୍ଣ୍ଣ ପ୍ରତି ରହିଥିବା ଅତୁଲ୍ୟ ଆକର୍ଷଣ ବା ସୁନା ଦ୍ବାରା ଅହମିକା ପ୍ରଦର୍ଶନର ଦୃଷ୍ଟାନ୍ତ ପୌରାଣିକ ଆଖ୍ୟାନମାନଙ୍କରେ ରହି ଆସିଛି। ସମୃଦ୍ଧ ସମ୍ରାଟମାନେ ସୁବର୍ଣ୍ଣ ମୁଦ୍ରା, ସୁବର୍ଣ୍ଣ ସିଂହାସନ, ସୁନାର ଆସବାବପତ୍ର ଓ ବାସନକୁସନ ଇତ୍ୟାଦି ବ୍ୟବହାର କରୁଥିବା ବିଷୟ ଇତିହାସରେ ଉଲ୍ଲିଖିତ। ଖ୍ରୀଷ୍ଟୀୟ ଦ୍ବିତୀୟ ଓ ତୃତୀୟ ଶତାବ୍ଦୀରେ ସୁଦୂର ରୋମ୍ରୁ ଆସୁଥିବା ବ୍ୟବସାୟୀମାନେ ଭାରତରୁ ବିଭିନ୍ନ ଦ୍ରବ୍ୟ କ୍ରୟ କଲା ବେଳେ ଯେଉଁ ସୁନା ମୋହରମାନ ଦେଉଥିଲେ, ତାକୁ ତରଳାଇ କୁଶାଣ ସାମ୍ରାଜ୍ୟରେ ସୁବର୍ଣ୍ଣ ମୁଦ୍ରାର ପ୍ରଚଳନ କରାଯାଉଥିଲା। ଗୁପ୍ତ ଯୁଗରେ କର୍ଣ୍ଣାଟକର କୋଲାର ଅଞ୍ଚଳର ଖଣିରୁ ସୁନା ଉତ୍ତୋଳନ କରାଯାଉଥିଲା। ପୃଥିବୀର ପ୍ରାଚୀନତମ ସୁନା ଖଣି ମଧ୍ୟରୁ ଅଦ୍ୟତମ କର୍ଣ୍ଣାଟକର ହୁଟି ଠାରେ ଅବସ୍ଥିତ, ଯାହା କାର୍ବନ୍ ଡେଟିଂ ଅନୁସାରେ ୧୯୦୦ ବର୍ଷ ପ୍ରାଚୀନ ବୋଲି ଜଣାଯାଇଥାଏ। ତେବେ, କେବଳ ଭାରତ ନୁହେଁ, ତମାମ ପୃଥିବୀରେ ସୁନା ପ୍ରତି ଆକର୍ଷଣ ଅଲଂଘ୍ୟ, ଯେଉଁ କାରଣରୁ ତାହା ଅନେକ ଦିଗ୍ବିଜୟ ଯାତ୍ରା, ଯୁଦ୍ଧ, ଲୁଣ୍ଠନ ଆଦିରୁ ଆରମ୍ଭ କରି ଦୁଃସାହସିକ ସମୁଦ୍ର ଅଭିଯାତ୍ରାମାନଙ୍କୁ ଜନ୍ମ ଦେଇଥିଲା। ଷୋଡ଼ଶ ଶତାବ୍ଦୀରେ ଦକ୍ଷିଣ ଆମେରିକାର ଜଙ୍ଗଲରେ ଓରିନୋକୋ ନଦୀର ତୀରରେ ଏକ ସୁବର୍ଣ୍ଣ ସହର ଓ ତାହାକୁ ରାଜୁତି କରୁଥିବା ଜଣେ ସୁବର୍ଣ୍ଣ ମନୁଷ୍ୟର ଗୁଜବ ପୃଥିବୀ ସାରା ଏଭଳି ରଟି ଯାଇଥିଲା ଯେ ସେହି ସୁବର୍ଣ୍ଣ ସହରର ବା ‘ଏଲ୍ ଡରାଡୋ’ର ସନ୍ଧାନରେ ଅନେକ ସ୍ପେନୀୟ ନାବିକ ଅଥଳ ସାଗରରେ ପୋତ ମେଲି ଦେଇଥିଲେ। କହିବା ବାହୁଲ୍ୟ, ଏଭଳି ସ୍ବପ୍ନ ସଂଚାରୀ ଅଥଚ ଚରମ ନିଷ୍ଫଳ ଅଭିଯାତ୍ରାଗୁଡ଼ିକର କରୁଣ କାହାଣୀରେ ୟୁରୋପୀୟ ଇତିହାସ ଭରପୂର। ସେମିତି ୧୮୪୮ ମସିହାରେ ଆରମ୍ଭ ହୋଇଥିବା ଆମେରିକାର ‘ଗୋଲ୍ଡ ରସ୍’ ବା ‘ସୁନା ଲାଗି ଦୌଡ଼’ରେ ଲକ୍ଷ ଲକ୍ଷ ସୁନାଭିଳାଷୀ କାଲିଫର୍ନିଆ ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଥିଲେ। ସୁନା ପ୍ରତି ମନୁଷ୍ୟର ଆକର୍ଷଣ କିଭଳି ଦୁର୍ବାର ହୋଇପାରେ ତାହାର ଦୃଷ୍ଟାନ୍ତ ମିଳିଥାଏ ପୃଥିବୀର ପ୍ରାଚୀନତମ ସୁନା ଖଣିମାନଙ୍କରୁ; ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଗୁପ୍ତ ସମ୍ରାଟମାନଙ୍କ ଦ୍ବାରା କର୍ଣ୍ଣାଟକରେ ଖନନ କରାଯାଇଥିବା ଏଭଳି ଏକ ସୁନା ଖଣିର ଗଭୀରତା ହେଉଛି ଶ୍ବାସରୁଦ୍ଧକାରୀ ୧୮୦ ଫୁଟ! କହିବାର ତାତ୍ପର୍ଯ୍ୟ ହେଲା, ଯେତେ ଦୁର୍ଲଭ ହେଲେ ସୁଦ୍ଧା ଏଭଳି ଦୁର୍ବାର ମୋହ କାରଣରୁ ସୁନାର ଆକର୍ଷଣ ବା ବ୍ୟବସାୟ ନିଷ୍ପ୍ରଭ ହେବାର ସମ୍ଭାବନା ନାହିଁ।