ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପଥରେ ଯାହା ଏକ ପ୍ରଧାନ ପ୍ରତିବନ୍ଧକ ରୂପେ ପରିଦୃଷ୍ଟ ହୋଇଥାଏ, ତାହା ହେଲା ଏଥିରେ ସଂପୃକ୍ତ ବିଭିନ୍ନ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ସମନ୍ବୟର ଅଭାବ। ଉଦାହରଣ ସ୍ବରୂପ ଏ ପର୍ଯ୍ୟନ୍ତ ମାତ୍ର ଚାରିଟି ରାଜ୍ୟରେ ରାଜପଥରେ ଇଲେକ୍ଟ୍ରୋନିକ୍ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ସ୍ଥାପିତ ହୋଇଛି। ସେଇଭଳି ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଯେଉଁସବୁ ପଦକ୍ଷେପ ଚିନ୍ତା କରାଯାଉଛି ଓ ଗ୍ରହଣ କରାଯାଉଛି, ତାହା ମୁଖ୍ୟତଃ କାର୍ ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି କରାଯାଉଛି; ଯଦିବା ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ସେମାନଙ୍କର ଅଂଶ ହେଉଛି ମାତ୍ର ପ୍ରାୟ ୧୫ ଶତାଂଶ ଓ ଦୁଇଚକିଆ ବ୍ୟବହାରକାରୀ ଓ ପଦଯାତ୍ରୀମାନେ ବହୁସଂଖ୍ୟାରେ ଦୁର୍ଘଟଣାରେ ଶିକାର ହୋଇଥାନ୍ତି।
ଭାରତ ‘ବିକଶିତ ଭାରତ’ରେ ପରିଣତ ହେବା ଲକ୍ଷ୍ୟ ନିକଟତର ହେବାକୁ ଲାଗିବା ସହିତ ଆମ ଦେଶ ବିକାଶର ଦୁଇଟି ଭୟାନକ ପାର୍ଶ୍ବଫଳର ରାଜଧାନୀ ରୂପେ ଆବିର୍ଭୂତ ହେଲାଣି ବୋଲି କୁହାଯାଉଛି। ଗୋଟିଏ ହେଉଛି ମଧୁମେହ ଓ ଅନ୍ୟଟି ହେଉଛି ସଡ଼କ ଦୁର୍ଘଟଣା। ଏକ ମତବାଦ ଅନୁସାରେ ଦୀର୍ଘକାଳ ଧରି ଦାରିଦ୍ର୍ୟ ଓ ତଜ୍ଜନିତ ଅନାହାରର ସମ୍ମୁଖୀନ ହୋଇଆସିଥିବା ଭାରତୀୟମାନଙ୍କର ଜିନ୍ କାଳକ୍ରମେ ଅନାହାରର ମୁକାବିଲା କରିବା କ୍ଷମତା ଆହରଣ କରିଛି। କିନ୍ତୁ ଅର୍ଥନୈତିକ ପ୍ରଗତି ଯୋଗୁଁ ଅଧିକରୁ ଅଧିକ ସଂଖ୍ୟକ ଭାରତୀୟମାନଙ୍କ ନିକଟରେ ଯେତେବେଳେ ପ୍ରାଚୁର୍ଯ୍ୟ ଉପଲବ୍ଧ ହେବାରେ ଲାଗିଲା ଓ ତାହା ସେମାନଙ୍କ ଥାଳିରେ ଖାଦ୍ୟର ରୂପ ପରିଗ୍ରହଣ କରି ସେମାନଙ୍କ ଉଦରରେ ଅତିମାତ୍ରାରେ ପ୍ରବେଶ କଲା, ସେତେବେଳେ ଆମର ‘ଅନାହାର ଜିନ୍’ (ଷ୍ଟାର୍ଭେସନ୍ ଜିନ୍) ଏହି ‘ଅତି-ଆହାର’ର ମୁକାବିଲା କରିବାରେ ବିଫଳ ହେଉଛି। ଏହି ବିଫଳତାର ପରିପ୍ରକାଶ ଘଟୁଛି ମଧୁମେହ (ଡାଏବିଟିସ୍) ରୂପରେ।
ପୃଥିବୀର ଯେଉଁ ସର୍ବାଧିକ ସଂଖ୍ୟକ ସଡ଼କ ଦୁର୍ଘଟଣା ଘଟୁଛି ଭାରତରେ, ତା’ପଛରେ କ’ଣ ଏଇଭଳି କିଛି ଜେନେଟିକ୍ କାରଣ ନିହିତ ଅଛି କି? ଗତ ସପ୍ତାହରେ ଡେରାଡୁନ୍ ଠାରେ ଘଟିଥିବା ଯେଉଁ ଦୁର୍ଘଟଣା ସାରା ଦେଶର ଛାତି ଥରାଇ ଦେଇଛି, ତାହା କୌଣସି ଜେନେଟିକ୍ ବିଫଳତା ଯୋଗୁଁ ହୋଇଥାଉ କି ନ ଥାଉ, ତାହା ଯେ ବିକାଶର ଏକ ପାର୍ଶ୍ବ ପ୍ରଭାବ, ଏଥିରେ କୌଣସି ସନ୍ଦେହ ନାହିଁ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଯେଉଁ ଛ’ଜଣ ଯୁବକଯୁବତୀ ପ୍ରାଣ ହରାଇଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ସ୍ବଚ୍ଛଳ ବର୍ଗର, ଯେଉଁମାନେ ବିଳମ୍ବିତ ରାତ୍ରିରେ ଏକ ନମ୍ବରହୀନ ନୂଆ ଗାଡ଼ିରେ ଦ୍ରୁତ ଗତିରେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉଲ୍ଲେଖଯୋଗ୍ୟ, ସେମାନେ ଏକ ପାର୍ଟିରୁ ଫେରୁଥିଲେ ଏବଂ ପୁଲିସ ଯାଞ୍ଚ କରି ପ୍ରକାଶ କରିଛି ଯେ ଯାତ୍ରାପଥସାରା ଚାଳକ ଜଣକ ଟ୍ରାଫିକ୍ ନିୟମକୁ ବେଖାତିର କରି ବେପରୱା ଢଙ୍ଗରେ ଗାଡ଼ି ଚଳାଉଥିଲେ। ଏହିଭଳି ସଦ୍ୟତମ ପରିସଂଖ୍ୟାନର ସମଷ୍ଟି ହିଁ ଭାରତକୁ ପୃଥିବୀର ସଡ଼କ ଦୁର୍ଘଟଣା ରାଜଧାନୀରେ ପରିଣତ କରିଛି।
ଏହାର ଭୟାବହତା ହୃଦୟଙ୍ଗମ କରିବା ସହଜ ହେବା ପାଇଁ ନିମ୍ନୋକ୍ତ କେତେକ ପରିସଂଖ୍ୟାନ ସହାୟକ ହୋଇପାରେ। ୨୦୨୨ରେ ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କର ସଂଖ୍ୟା ଥିଲା ପ୍ରାୟ ୧,୭୦,୦୦୦। ଏହି ସଂଖ୍ୟା ଥିଲା ପୃଥିବୀରେ ସର୍ବୋଚ୍ଚ ଏବଂ ପୂର୍ବ ବର୍ଷ ତୁଳନାରେ ଏଥିରେ ୧୦ ଶତାଂଶ ବୃଦ୍ଧି ଘଟିଥିଲା। ଯଦି ଦୁର୍ଘଟଣା ସଂଖ୍ୟା ଦେଖାଯାଏ, ତେବେ ୨୦୨୧ରେ ଦେଶରେ ମୋଟ ୪,୦୩,୧୧୬ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୨ରେ ସେଥିରେ ୧୧ ଶତାଂଶ ବୃଦ୍ଧି ଘଟି ତାହା ହୋଇଥିଲା ୪,୪୬,୭୮୮। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଭାରତରେ ସର୍ବାଧିକ ହୋଇଥିବା ବେଳେ, ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଚୀନ୍। ଏହି ସୂଚନା କିନ୍ତୁ ଯେଉଁ ପରିସଂଖ୍ୟାନ ଉପରେ ଆଶ୍ରିତ, ଯଦି ତା’ ଉପରେ ନଜର ପକା ନ ଯାଏ, ତେବେ ଏହା ଆମ ମନରେ ଏକ ଭ୍ରମ ଧାରଣା ସୃଷ୍ଟି କରିପାରେ ଯେ ଚୀନ୍ ଆମ ପଛରେ ଥିଲେ ହେଁ ଆମ ପାଖାପାଖି ସ୍ଥାନରେ ଅଛି। ସତ କଥା କିନ୍ତୁ ହେଲା ଏହା ଯେ ୨୦୨୨ରେ ଚୀନ୍ରେ ଘଟିଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଥିଲା ୬୧,୦୦୦, ଯାହା ଭାରତୀୟ ସଂଖ୍ୟାର ଅଧାଠାରୁ ମଧ୍ୟ କମ୍। ପୃଥିବୀରେ ସଡ଼କ ଦୁର୍ଘଟଣା ଯୋଗୁଁ ଘଟୁଥିବା ମୃତ୍ୟୁର ପ୍ରାୟ ୧୪ ଶତାଂଶ ଘଟିଥାଏ ଭାରତରେ। ଅନୁମାନ କରାଯାଉଛି ଯେ ୨୦୨୩ରେ ଭାରତରେ ପୂର୍ବ ବର୍ଷ ତୁଳନାରେ ଏଥିରେ ପ୍ରାୟ ୭ ଶତାଂଶ ବୃଦ୍ଧି ଘଟି ଏହି ସଂଖ୍ୟା ୧.୮ ଲକ୍ଷ ଅତିକ୍ରମ କରିଥିଲା।
‘ନେସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ’ ସୂତ୍ରରୁ ଉପଲବ୍ଧ ତଥ୍ୟ ଅନୁସାରେ ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣାମାନଙ୍କର ପ୍ରଧାନ କାରଣ ହେଉଛି ଅତି ଦ୍ରୁତ ଗାଡ଼ି ଚାଳନା ଓ ବେପରୱା ଗାଡ଼ି ଚାଳନା- ଯେମିତି ଡେରାଡୁନ୍ ଘଟଣାରେ ଦେଖାଯାଇଛି। ଏହା ଅନୁସାରେ ୮୭ ଶତାଂଶରୁ ଅଧିକ ଦୁର୍ଘଟଣା ଏହି କାରଣରୁ ଘଟିଥାଏ। ଭାରତରେ ଯେତେ ମୋଟ ସଡ଼କ ପଥ ବ୍ୟବହୃତ ହୋଇଥାଏ, ସେଥିରେ ବେଗ-ଅନୁକୂଳ ନେସ୍ନାଲ୍ ହାଇୱେମାନଙ୍କର ଅନୁପାତ ମାତ୍ର ୨ ଶତାଂଶ ହୋଇଥିବାବେଳେ ୩୦.୫ ଶତାଂଶ ଦୁର୍ଘଟଣା ଓ ୩୫ ଶତାଂଶ ମୃତ୍ୟୁ ଘଟିଥାଏ ଏଇ ‘ଜାତୀୟ ରାଜପଥ’ମାନଙ୍କରେ।
ଭାରତର ଅର୍ଥନୈତିକ ଅଭିବୃଦ୍ଧି ସହିତ ତାଳ ଦେଇ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୂର୍ବର ସାଇକେଲ୍କୁ ପ୍ରାୟ ସଂପୂର୍ଣ୍ଣ ବିତାଡ଼ିତ କରିସାରିଲେଣି ଦୁଇଚକିଆ ମଟର ସାଇକେଲ୍ ଓ ସ୍କୁଟର୍। ଦୁର୍ଭାଗ୍ୟଜନକ ଭାବରେ ଏଇ ଦୁଇଚକିଆ ଯାନମାନ ଭାରତର ବର୍ଦ୍ଧିଷ୍ଣୁ ସଡ଼କ ଦୁର୍ଘଟଣାମାନଙ୍କର ମୁଖ୍ୟ ଶିକାରରେ ପରିଣତ ହେବା ଦେଖାଯାଇଛି। ୨୦୨୨ରେ ପ୍ରାୟ ୪୫,୦୦୦ ମୃତ୍ୟୁ ଘଟିଥିଲା ଦୁଇଚକିଆ ଦୁର୍ଘଟଣାରେ। ତେବେ କେବଳ ଗାଡ଼ି ବ୍ୟବହାରକାରୀମାନେ ଯେ ଭାରତର ସଡ଼କମାନଙ୍କରେ ମୃତ୍ୟୁମୁଖରେ ପଡ଼ନ୍ତି, ତାହା ନୁହେଁ; ମୋଟ ମୃତ୍ୟୁ ସଂଖ୍ୟାରେ ପଦଯାତ୍ରୀମାନଙ୍କର ଅଂଶ ହେଉଛି ପ୍ରାୟ ୨୦ ଶତାଂଶ। ୨୦୨୨ରେ ଭାରତର ସଡ଼କମାନଙ୍କରେ ଯେତିକି ପଦଯାତ୍ରୀ ଦୁର୍ଘଟଣା ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥିଲେ, ତାହା ସେ ବର୍ଷ ଇଉରୋପିଆନ୍ ୟୁନିଅନ୍ ଓ ଜାପାନ୍ରେ ମିଶି ସଡ଼କ ଦୁର୍ଘଟଣା ଯୋଗୁଁ ଘଟିଥିବା ମୋଟ ମୃତ୍ୟୁସଂଖ୍ୟା ଠାରୁ ମଧ୍ୟ ଅଧିକ ଥିଲା।
ଭାରତୀୟ ସଡ଼କମାନଙ୍କୁ ଦୁର୍ଘଟଣାମୁକ୍ତ କରିବା ନିମିତ୍ତ ଯେଉଁ ଉଦ୍ୟମ କରାଯାଉଛି, ସେଥିରେ ଦୁର୍ଘଟଣାପ୍ରବଣ ସ୍ଥଳୀମାନଙ୍କୁ ଚିହ୍ନଟ କରି ସଂଶୋଧନମୂଳକ ବ୍ୟବସ୍ଥା କରିବା ହେଉଛି ପ୍ରଧାନ, ଯେଉଁଥିରେ ସରକାର ଏ ପର୍ଯ୍ୟନ୍ତ ପ୍ରାୟ ୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଦୁର୍ଘଟଣା ଏଡ଼ାଇବା ଉଦ୍ଦେଶ୍ୟରେ ବାଇପାସ୍ ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ନିରୀକ୍ଷଣ ପାଇଁ ସିସି କ୍ୟାମେରା ସ୍ଥାପନ ପର୍ଯ୍ୟନ୍ତ ହେଉଛି ଏହି ଉଦ୍ୟମର ଅଂଶବିଶେଷ। ଡ୍ରାଇଭିଙ୍ଗ୍ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ଅଧିକ ସାବଧାନତା ଅବଲମ୍ବନ ମଧ୍ୟ ଦୁର୍ଘଟଣାରେ ହ୍ରାସ ଘଟାଇବା କ୍ଷମତା ବହନ କରିଥାଏ। ଏ ସମସ୍ତ ପଦକ୍ଷେପମାନଙ୍କ ଯୋଗୁଁ କିଛି ସୁଫଳ ମଧ୍ୟ ମିଳିବା ଦେଖାଯାଇଛି। ଉଦାହରଣ ସ୍ବରୂପ ୨୦୧୦ରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ପିଛା ଦୁର୍ଘଟଣା ସଂଖ୍ୟା ୪୨.୫ ଥିବାବେଳେ କ୍ରମେ ସେଇ ଅନୁପାତରେ ହ୍ରାସ ଘଟି ୨୦୨୨ରେ ତାହା ହୋଇଥିଲା ୩୩.୫।
ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପଥରେ ଯାହା ଏକ ପ୍ରଧାନ ପ୍ରତିବନ୍ଧକ ରୂପେ ପରିଦୃଷ୍ଟ ହୋଇଥାଏ, ତାହା ହେଲା ଏଥିରେ ସଂପୃକ୍ତ ବିଭିନ୍ନ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ସମନ୍ବୟର ଅଭାବ। ଉଦାହରଣ ସ୍ବରୂପ ଏ ପର୍ଯ୍ୟନ୍ତ ମାତ୍ର ଚାରିଟି ରାଜ୍ୟରେ ରାଜପଥରେ ଇଲେକ୍ଟ୍ରୋନିକ୍ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ସ୍ଥାପିତ ହୋଇଛି। ସେଇଭଳି ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଯେଉଁସବୁ ପଦକ୍ଷେପ ଚିନ୍ତା କରାଯାଉଛି ଓ ଗ୍ରହଣ କରାଯାଉଛି, ତାହା ମୁଖ୍ୟତଃ କାର୍ ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି କରାଯାଉଛି; ଯଦିବା ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ସେମାନଙ୍କର ଅଂଶ ହେଉଛି ମାତ୍ର ପ୍ରାୟ ୧୫ ଶତାଂଶ ଓ ଦୁଇଚକିଆ ବ୍ୟବହାରକାରୀ ଓ ପଦଯାତ୍ରୀମାନେ ବହୁସଂଖ୍ୟାରେ ଦୁର୍ଘଟଣାରେ ଶିକାର ହୋଇଥାନ୍ତି। ତେବେ ଭାରତୀୟ ସଡ଼କ ଏପରି ଦୁର୍ଘଟଣାପ୍ରିୟ କ୍ରୀଡ଼ାଭୂମି ହେବାର ମୁଖ୍ୟ କାରଣ ହେଉଛି ଏହାର ଦ୍ରୁତବର୍ଦ୍ଧିଷ୍ଣୁ ବିକାଶପୁଷ୍ଟ ବ୍ୟବହାରକାରୀମାନଙ୍କ ମଧ୍ୟରେ ସଚେତନତାର ଅଭାବ। ଡାଏବିଟିସ୍ ପାଇଁ ‘ଷ୍ଟାର୍ଭେସନ୍ ଜିନ୍’ ଦାୟୀ ହୋଇଥିବା ଭଳି ଏଥିପାଇଁ କେଉଁ ଜିନ୍ ଦାୟୀ, ତାହା ଅନୁସନ୍ଧାନସାପେକ୍ଷ। ଏହା ‘ବେପରୱା ଜିନ୍’ କି?