ଏହା ମଧ୍ୟ ସ୍ବାଗତଯୋଗ୍ୟ ଯେ କେନ୍ଦ୍ର କ୍ୟାବିନେଟ୍‌ ‘ଜେପିସି’ ସୁପାରିସ କରିଥିବା ଅନେକ ସଂଶୋଧନକୁ ଏବେ ଅନୁମୋଦନ ପ୍ରଦାନ କରିଛି ଏବଂ ଆସନ୍ତା ମୌସୁମୀ ଅଧିବେଶନରେ ଏହା ଗୃହୀତ ହେବା ନିମିତ୍ତ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେବାକୁ ଯାଉଛି। ବିଲ୍‌ଟି ପାର୍ଲିଆମେଣ୍ଟରେ ପାରିତ ହୋଇଯିବା ପରେ ଅନ୍ତତଃ ଭାରତରେ ରୁଷୋ କହିଥିବା ଭଳି ମନୁଷ୍ୟକୁ ବାନ୍ଧିଥିବା ଶୃଙ୍ଖଳମାନଙ୍କ ମଧ୍ୟରୁ କେତୋଟି ଛିଡ଼ିଗଲା ବୋଲି ଦାବି କରାଯାଇପାରିବ।

Advertisment

ଯଦି କୌଣସି ଏକ ଉକ୍ତିକୁ ପୃଥିବୀର ସର୍ବାଧିକ ଉଦ୍ଧୃତ ଉକ୍ତିର ମର୍ଯ୍ୟାଦା ପ୍ରଦାନ କରାଯାଏ, ତାହା ବୋଧହୁଏ ହେବ ସ୍ବିସ୍‌ ଦାର୍ଶନିକ ରୁଷୋଙ୍କର ଏହି ଉକ୍ତି, ଯାହା ଥିଲା ୧୭୬୨ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ସୋସିଆଲ୍‌ କଣ୍ଟ୍ରାକ୍ଟ’ର ପ୍ରଥମ ଅଧ୍ୟାୟର ପ୍ରଥମ ବାକ୍ୟ: ‘‘ମ୍ୟାନ୍‌ ଇଜ୍‌ ବର୍ନ ଫ୍ରି, ଆଣ୍ଡ୍‌ ଏଭ୍ରିହ୍ବେଆର ହି ଇଜ୍‌ ଇନ୍‌ ଚେନ୍‌ସ’’ (ମନୁଷ୍ୟ ସ୍ବାଧୀନ ଭାବରେ ଜନ୍ମ ହୋଇଛି, ଏବଂ ସର୍ବତ୍ର ସେ ଶିକୁଳିରେ ବନ୍ଧା ହୋଇଛି)। ରୁଷେ‌ାଙ୍କ ଅନୁସାରେ ଯେତେବେଳେ ସମାଜ ସୃଷ୍ଟି ହୋଇ ନଥିଲା ଓ ମନୁଷ୍ୟ ପ୍ରକୃତି କୋଳରେ ବିଚରଣ କରୁଥିଲା, ସେଇ ସମୟରେ ହିଁ ମନୁଷ୍ୟ ସମ୍ପୂର୍ଣ୍ଣ ସ୍ବାଧୀନ ଥିଲା। ତାଙ୍କର ଏହି ପ୍ରକୃତିର ସନ୍ତାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା କରିବାକୁ ହେଲେ ଏଥିପୂର୍ବରୁ ୧୭୫୪ରେ ପ୍ରକାଶିତ ତାଙ୍କର ପୁସ୍ତକ, ‘ଡିସ୍‌କୋର୍ସ ଅନ୍‌ ଇନ୍‌ଇକ୍ବାଲିଟି’ରେ ସେ ପ୍ରଦାନ କରିଥିବା ଏଇ ବର୍ଣ୍ଣନା ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ: ‘‘ଏଣେତେଣେ ଜଙ୍ଗଲରେ ବୁଲୁଥିବା ମନୁଷ୍ୟ ଥିଲା ପରିଶ୍ରମବିହୀନ, ବାର୍ତ୍ତାଳାପବିହୀନ, ବାସସ୍ଥାନବିହୀନ, ଅଭାବବିହୀନ ଓ ସମ୍ପର୍କବିହୀନ; ତା’ର ଅନ୍ୟ ମନୁଷ୍ୟର ସାହଚର୍ଯ୍ୟ ଆବଶ୍ୟକ ନ ଥିଲା, ସେହିପରି ଅନ୍ୟ କାହାର କ୍ଷତି କରିବା ପାଇଁ ତା’ର ପ୍ରବୃତ୍ତି ନ ଥିଲା।’’ ରୁଷୋଙ୍କର ଏହି ଆଦିମାନବର ତେଣୁ ଅତୀତ ପାଇଁ ଅନୁତାପ ନଥାଏ କିମ୍ବା ଭବିଷ୍ୟତ ପାଇଁ ଆଶଙ୍କା ନ ଥାଏ।
ସମାଜର ସୃଷ୍ଟି ସହିତ ମନୁଷ୍ୟର ଏହି ପ୍ରାକୃତିକ ସ୍ବାଧୀନତା ସଙ୍କୁଚିତ ହେବାକୁ ଆରମ୍ଭ କରେ। ରୁଷୋଙ୍କ ମତରେ ମନୁଷ୍ୟ ଚରିତ୍ରରେ ଯାହା ସବୁ ଅବିଗୁଣ ଦେଖା ଯାଇଥାଏ, ସେ ସମସ୍ତ ହେଉଛି ସମାଜ ସୃଷ୍ଟ। ଏହାର ପ୍ରଭାବରେ ସାମାଜିକ ମନୁଷ୍ୟ ବିଭିନ୍ନ ମନ୍ଦ ଆଚରଣମାନ ପ୍ରଦର୍ଶନ କରିଥାଏ, ଯାହାକୁ ନିୟନ୍ତ୍ରଣ କରିବାର ଦାୟିତ୍ବ ଓ କ୍ଷମତା ସମାଜ ଉପରେ ନ୍ୟସ୍ତ ହୁଏ ଓ ‌େସଥିପାଇଁ ସମାଜ ଅର୍ଥାତ୍‌ ରାଷ୍ଟ୍ର ଆଇନକାନୁନମାନ ପ୍ରଣୟନ କରିଥାଏ ଯାହା ଅତୀତର ସ୍ବାଧୀନ ମନୁଷ୍ୟ ପାଇଁ ବର୍ତ୍ତମାନ ଶିକୁଳି ରୂପେ କାର୍ଯ୍ୟ କରିଥାନ୍ତି।
ସ୍ବାଭାବିକ ଭାବରେ ସମୟ କ୍ରମେ ଏ ଆଇନ ସବୁର ପ୍ରକାର ଓ ସଂଖ୍ୟାରେ ବୃଦ୍ଧି ଘଟି ଚାଲି ଆଇନର ପାହାଡ଼ମାନ ସୃଷ୍ଟି ହୋଇଥାନ୍ତି। ସେଇଭଳି ସମୟ ବଦଳିବା ସହିତ ସେଥି ମଧ୍ୟରୁ ଅନେକ ଆଇନ ଅପ୍ରାସଙ୍ଗିକ ଓ ଗୁରୁତ୍ବହୀନ ହୋଇ ପଡ଼ିଥିଲେ ମଧ୍ୟ ତଥାପି ଶିକୁଳି ଭଳି ମନୁଷ୍ୟକୁ ବନ୍ଧନରେ ପକାଇ ତା’ର ସ୍ବାଧୀନତାକୁ ରୁଷୋ କହିଥିବା ଭଳି ସଙ୍କୁଚିତ କରି ଚାଲିଥାନ୍ତି। ପୃଥିବୀର ଯେଉଁ କେତେକ ଦେଶରେ ଏଇଭଳି ଆଇନର ପାହାଡ଼ମାନ ଦେଖିବାକୁ ମିଳିଥାଏ, ସେଥି ମଧ୍ୟରେ ଏକ ଅଗ୍ରଗଣ୍ୟ ଦେଶ ହେଉଛି ଭାରତ। ଆଉ ଭାରତରେ ଏଇ ଆଇନର ପାହାଡ଼ ମଧ୍ୟରେ ସମୟକ୍ରମେ କେତେକ ଆଇନ ଓ ତତ୍‌ ସଂଲଗ୍ନ ଦଣ୍ଡଦାନ ବ୍ୟବସ୍ଥା କିଭଳି ଅବାନ୍ତର ହୋଇପଡ଼ିଛନ୍ତି, ତାହା ଦେଖିଲେ ଯେତିକି ଅବିଶ୍ବାସ୍ୟ ବୋଧ ହୁଏ, ସେତିକି ଦୁର୍ଭାଗ୍ୟଜନକ ମନେ ହୋଇଥାଏ।
ଉଦାହରଣ ସ୍ବରୂପ ବର୍ଷର କେତେକ ମାସରେ କୌଣସି ବ୍ୟକ୍ତି ଯଦି ଜଙ୍ଗଲ ଭିତରେ ଏକ ଲଣ୍ଠନ ଧରି ଯାଉଥିବା ଅବସ୍ଥାରେ ଧରା ପଡ଼େ, ତାକୁ ଛ’ ମାସର ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇପାରିବ; ଯଦି ସେ ତା’ର ଗାଈଗୋରୁଙ୍କୁ ଜଙ୍ଗଲରେ ‘ଅନୁପ୍ରବେଶ’ କରିବାରୁ ନିବୃତ୍ତ ନ କରେ, ତା’ ପ୍ରତି ମଧ୍ୟ ଏହି ଅପରାଧ ପାଇଁ ଅନୁରୂପ ଜେଲ୍‌ଦଣ୍ଡ ଲାଗୁ ହେବ। ସେଇଭଳି ଜଣେ କେହି ଯଦି ଏକ ସାଇନ୍‌ ବୋର୍ଡ ଲଗାଏ, ଯେଉଁଥିରେ ଲେଖା ହୋଇଥିବ ‘ପେଟେଣ୍ଟ୍‌ ଅଫିସ୍‌’, ସେ ଅପରାଧ ଯୋଗୁଁ ତାକୁ ଜେଲ୍‌ ଯିବାକୁ ପଡ଼ିପା‌େ‌ର। ଯଦି ଜଣେ ପୋ‌ଷ୍ଟମ୍ୟାନ୍‌ ମାତାଲ ଅବସ୍ଥାରେ ପ୍ରାପକଙ୍କ ପାଖରେ ଚିଠି ପହଞ୍ଚାନ୍ତି, ସେ ଅପରାଧ ପାଇଁ ତାକୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇପାରିବ। ଏହା ଅବଶ୍ୟ ସତ ଯେ ଏ ସବୁ ‘ଅପରାଧ’ ପାଇଁ ଅଦାଲତ କ୍ବଚିତ୍‌ ଜେଲ ଦଣ୍ଡ ପ୍ରଦାନ କରିଥାନ୍ତ, କିନ୍ତୁ ଯେହେତୁ ଆଇନରେ ଜେଲ୍‌ଦଣ୍ଡ ପ୍ରଦାନର ବ୍ୟବସ୍ଥା ରହିଛି, ତାହାର ଦୁରୁପଯୋଗର ସମ୍ଭାବନା ସର୍ବଦା ଉପସ୍ଥିତ ଥାଏ। ଏଇ ଭଳି ତଥାକଥିତ ଅପରାଧମାନଙ୍କ ମଧ୍ୟରେ କେତେକ ଅତ୍ୟନ୍ତ ଗୌଣ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ଉପସ୍ଥିତି ଶିଳ୍ପ ବାଣିଜ୍ୟ କ୍ଷେତ୍ର ସାବଲୀଳ ଭାବରେ କାର୍ଯ୍ୟ କରିବା ପଥରେ ଅନାବଶ୍ୟକ ପ୍ରତିବନ୍ଧମାନ ସୃଷ୍ଟି ‌କରିଥାଏ।
ଉପର ଉଦାହରଣମାନଙ୍କ ପରି ନାଗରିକଙ୍କର ଆଚରଣରେ ସାମାନ୍ୟ ବ୍ୟତିକ୍ରମକୁ ଆଇନ ଅନୁସାରେ ‘ଅପରାଧ’ ରୂପେ ଦେଖିବା ବ୍ୟକ୍ତି ଉପରେ ରାଷ୍ଟ୍ରର ବିଶ୍ବାସର ଅଭାବ ରୂପେ ପ୍ରତୀୟମାନ ହୋଇଥାଏ। ଏଇଭଳି ଏକ ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର ସରକାର କେତେଗୁଡ଼ିଏ ଦୋଷ ଚିହ୍ନଟ କରି ସେଗୁଡ଼ିକର ଅଣଅପରାଧୀକରଣ ନିମିତ୍ତ ୨୦୨୨ ଡିସେମ୍ବରରେ ଯେଉଁ ଏକ ବିଲ୍‌ ପାର୍ଲିଆମେଣ୍ଟରେ ଉପସ୍ଥାପନ କରିଥିଲେ, ଯଥାର୍ଥ ଭାବରେ ତାହାର ନାମ ଥିଲା ‘ଜନବିଶ୍ବାସ (ଆମେଣ୍ଡମେଣ୍ଟ ଅଫ୍‌ ପ୍ରୋଭିଜନ୍‌ସ) ବିଲ୍‌, ୨୦୨୨’। ଏଥିରେ ୧୯ଟି ମନ୍ତ୍ରଣାଳୟର କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ୪୨ଟି ଆଇନରେ ଥିବା ୧୮୩ଟି ବିଭିନ୍ନ ବ୍ୟବସ୍ଥାରେ ସଂଶୋଧନ କରାଯିବା ପାଇଁ ପ୍ରସ୍ତାବ ରହିଥିଲା। ବିଲ୍‌ଟି ଉପସ୍ଥାପନ କରିବା ସମୟରେ ମନ୍ତ୍ରୀ ପୀୟୂଷ ଗୋୟଲ ଏହାର ଉଦ୍ଦେଶ୍ୟ ସମ୍ବନ୍ଧରେ କହିଥିଲେ ଯେ ଏହା ଦ୍ବାରା ଦେଶରେ ବ୍ୟବସାୟ କରିବା ଅଧିକ ସହଜ ହେବ; ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ଉପରେ ଅନୁପାଳନ ବୋଝ (କମ୍ପ୍ଲାଏନ୍‌ସ ବର୍ଡନ) ଲାଘବ ହେବ; ନ୍ୟାୟପାଳିକା ଉପରେ ଅନାବଶ୍ୟକ କାର୍ଯ୍ୟ ବୋଝ ଲାଘବ ହେବ; ଏବଂ ନାଗରିକମାନଙ୍କ ଜୀବନଯାତ୍ରା ଅପେକ୍ଷାକୃତ ସହଜ ହେବ।
ବିଲ୍‌ଟି ଅଧିକ ଅନୁଶୀଳନ ନିମିତ୍ତ ଏକ ୩୧ ସଦସ୍ୟ ବିଶିଷ୍ଟ ‘ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି’ (‘ଜେପିସି’) ନିକଟକୁ ପ୍ରେରିତ ହୋଇଥିଲା। ଗତ ମାର୍ଚ୍ଚରେ ‘ଜେପିସି’ ପ୍ରଦାନ କରିଥିବା ରିପୋର୍ଟ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହୋଇଥିଲା। ଏହି ରିପୋର୍ଟରେ ଯେଉଁ ସମସ୍ତ ସଂଶୋଧନ ଆବଶ୍ୟକ କରୁଥିବା ଆଇନମାନ ଅନ୍ତର୍ଭୁକ୍ତ ଅଛନ୍ତି, ସେଗୁଡ଼ିକ କୃଷି, ଖାଦ୍ୟ, ବିତ୍ତରୁ ଆରମ୍ଭ କରି ଆଇଟି, ଫାର୍ମାସି, ପରିବହନ, ଗୃହ ନିର୍ମାଣ ଓ ପରିବେଶ ବିଭାଗମାନ ସହ ସମ୍ପୃକ୍ତ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବର ଆଇନରେ ଘଟିବାକୁ ଯାଉଥିବା ସଂଶୋଧନମାନ ପିଛିଲା ତାରିଖରୁ ମଧ୍ୟ କାର୍ଯ୍ୟକାରୀ ହେବା ନିମିତ୍ତ ‘ଜେପିସି’ ରିପୋର୍ଟରେ ସୁପାରିସ କରାଯାଇଛି, ଯାହା ଫଳରେ ଅଦାଲତମାନଙ୍କରେ ବିଚାର ଅପେକ୍ଷାରେ ପଡ଼ି ରହିଥିବା ଏ ସମ୍ପର୍କିତ ମାମଲା ମାନଙ୍କର ସଂଖ୍ୟାରେ ସ୍ବାଗତଯୋଗ୍ୟ ସଂକୋଚନ ଘଟିବ।
ଏହା ମଧ୍ୟ ସ୍ବାଗତଯୋଗ୍ୟ ଯେ କେନ୍ଦ୍ର କ୍ୟାବିନେଟ୍‌ ‘ଜେପିସି’ ସୁପାରିସ କରିଥିବା ଅନେକ ସଂଶୋଧନକୁ ଏବେ ଅନୁମୋଦନ ପ୍ରଦାନ କରିଛି ଏବଂ ଆସନ୍ତା ମୌସୁମୀ ଅଧିବେଶନରେ ଏହା ଗୃହୀତ ହେବା ନିମିତ୍ତ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେବାକୁ ଯାଉଛି। ବିଲ୍‌ଟି ପାର୍ଲିଆମେଣ୍ଟରେ ପାରିତ ହୋଇଯିବା ପରେ ଅନ୍ତତଃ ଭାରତରେ ରୁଷୋ କହିଥିବା ଭଳି ମନୁଷ୍ୟକୁ ବାନ୍ଧିଥିବା ଶୃଙ୍ଖଳମାନଙ୍କ ମଧ୍ୟରୁ କେତୋଟି ଛିଡ଼ିଗଲା ବୋଲି ଦାବି କରାଯାଇପାରିବ।