ଭାରତ ଭୂଖଣ୍ତରେ କୃଷିକାର୍ଯ୍ୟର ପ୍ରାଚୀନତମ ସ୍ବାକ୍ଷର ଯେଉଁ ସ୍ଥାନ ବହନ କରିଥାଏ, ତାହା ହେଉଛି ଆଜିର ପାକିସ୍ତାନ ଅନ୍ତର୍ଗତ ବେଲୁଚିସ୍ତାନରେ ଅବସ୍ଥିତ ମେହେରଗଡ଼ ନାମକ ଗ୍ରାମ। ଏକ ଫରାସୀ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନକାରୀ ଦଳ ୧୯୭୬ରେ ବର୍ତ୍ତମାନର ପଞ୍ଜାବର ଦକ୍ଷିଣ-ପଶ୍ଚିମରେ ପ୍ରାୟ ୭୫୦ କିମି ଦୂରତାରେ ଅବସ୍ଥିତ ଏହି ସ୍ଥାନର ପ୍ରତ୍ନତାତ୍ତ୍ବିକ ଇତିହାସ ଆବିଷ୍କାର କଲା ପରେ ଦକ୍ଷିଣ ଏସିଆରେ କୃଷିର ଆରମ୍ଭ ଓ ପ୍ରସାର ଉପରେ ନୂତନ ଆଲୋକପାତ ହୋଇଥିଲା। ସେହି ପ୍ରତ୍ନତତ୍ତ୍ବବିତ୍ମାନେ ସାବ୍ୟସ୍ତ କରିଛନ୍ତି ଯେ ଯେଉଁ ସ୍ଥାନ ଆଜି ମେହେରଗଡ଼ ନାମରେ ପରିଚିତ, ସେଠାରେ ଖ୍ରୀ.ପୂ ୭୦୦୦ରୁ ଖ୍ରୀ.ପୂ ୨୬୦୦ ପର୍ଯ୍ୟନ୍ତ ସୁଦୀର୍ଘ ୪୪୦୦ ବର୍ଷ ଧରି ଜନବସତି ରହିଥିଲା। ଖନନ ପରେ ଅନୁସନ୍ଧାନକାରୀମାନେ ସେ ପ୍ରାଚୀନ ବସତିର ଯେଉଁ ଭଗ୍ନାବଶେଷ ଆବିଷ୍କାର କରିଥିଲେ, ସେଥିରେ ମୁଖ୍ୟତଃ ଯେଉଁ ଖାଦ୍ୟଶସ୍ୟର ଅବଶେଷ ଦେଖିବାକୁ ପାଇଥିଲେ, ତାହା ଥିଲା ବାର୍ଲି। ସେମାନେ ନିଶ୍ଚିତ ହେବାକୁ ଚାହିଁଥିଲେ ଏହି ବାର୍ଲି ସେ ସମୟର ବାସିନ୍ଦାମାନେ ସ˚ଗ୍ରହ କରିଥିବା ‘ବଣୁଆ’ ବାର୍ଲି ଥିଲା କି ସେମାନେ ଚାଷ କରି ଅମଳ କରିଥିବା ‘କୃଷିଜାତ’ ବାର୍ଲି ଥିଲା (ଯାହାକୁ ଆମେ ‘ପୋଷା ବାର୍ଲି’ ବୋଲି କହିବା)। ଏ ପ୍ରଶ୍ନର ଉତ୍ତର ଉପରେ ନିର୍ଭର କରିଥାଏ ସେ ସମୟର ଅଧିବାସୀମାନେ ଶିକାରୀ-ସ˚ଗ୍ରହକାରୀ ଥିଲେ କି କୃଷିଜୀବୀ ଥିଲେ, ତାହା ନିର୍ଣ୍ଣୟ କରିବା। ଅବିଶ୍ବାସ୍ୟ ମନେ ହେଲେ ବି, ଏତେ କାଳ ପରେ ମଧୢ ଶସ୍ୟର ଅବଶେଷକୁ ନିରୀକ୍ଷଣ କରି ପ୍ରତ୍ନତତ୍ତ୍ବବିତ୍ମାନେ କହି ଦେଇପାରନ୍ତି ତାହା ବଣୁଆ କି ପୋଷା।
ଏ ଉଭୟ କିସମର ଶସ୍ୟମାନଙ୍କର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ, ଯାହାର କାରଣ ଏଇ ଭଳି। ମନୁଷ୍ୟ ଯେତେବେଳେ ଶସ୍ୟ ଅମଳ କରେ, ତାହା କେବଳ ଡେମ୍ଫରେ ଲାଗି ରହିଥିବା ଦାନାତକ ହୋଇଥାଏ; ଅମଳ ପୂର୍ବରୁ ଯେଉଁ ସବୁ ଦାନା ବା ମଞ୍ଜି ପ୍ରାକୃତିକ ବୀଜବିକ୍ଷେପ ଉଦ୍ଦେଶ୍ୟରେ ଆପେ ଆପେ ଡେମ୍ଫରୁ ଝଡ଼ି ଭୂଇଁରେ ବିଞ୍ଚି ହୋଇଯାଇଥାନ୍ତି, ସେଗୁଡ଼ିକ ଆଉ କୃଷକଙ୍କ ଅମାରକୁ ଆସିନଥାନ୍ତି। ଏହି ଅମଳ ହୋଇଥିବା ଶସ୍ୟର ଏକ ଅ˚ଶ ମନୁଷ୍ୟର ଖାଦ୍ୟରେ ପରିଣତ ହୋଇଥାଏ ଓ ଅନ୍ୟ ଅ˚ଶ ପରବର୍ତ୍ତୀ ଫସଲ ପାଇଁ ବିହନ ରୂପେ ବ୍ୟବହୃତ ହୋଇଥାଏ। ଡାର୍ଵିନ୍ଙ୍କ ‘ପ୍ରାକୃତିକ ଚୟନ’ ନିୟମ ଅନୁସରଣ କରି ଚାଷ ହେଉଥିବା ‘ପୋଷା ଶସ୍ୟ’ ଠାରେ ଏହି ଡେମ୍ଫ ନ ଛାଡ଼ିବା ଲକ୍ଷଣ ମଜଭୁତ ହୋଇଯାଏ ଓ ପାଚିଲା ପରେ ତାହା ତତ୍କ୍ଷଣାତ୍ ଡେମ୍ଫ ଛାଡ଼ି ବିଛାଡ଼ି ହୋଇଯାଏ ନାହିଁ।
ଶସ୍ୟର ନିଜ ଦୃଷ୍ଟିକୋଣରୁ ଦେଖିଲେ ଯାହା ଯୁକ୍ତିଯୁକ୍ତ ମନେ ହୋଇଥାଏ, ତାହା ହେଲା- ଶସ୍ୟ ପୋଷା ମାନିବାକୁ ପସନ୍ଦ କରିଥାଏ। ସମସ୍ତ ଜୀବନ୍ତ ପଦାର୍ଥମାନଙ୍କ ଭଳି ଶସ୍ୟର ମଧୢ ପ୍ରାକୃତିକ ଲକ୍ଷ୍ୟ ହେଉଛି ବ˚ଶ ବିସ୍ତାର। ସେ ବଣୁଆ ଅବସ୍ଥାରେ ଥିବାବେଳେ ଏହି ଉଦ୍ଦେଶ୍ୟ ସାଧନ ପାଇଁ ଆବଶ୍ୟକ ବୀଜବିକ୍ଷେପ ଶସ୍ୟର ନିଜ ଦାୟିତ୍ବ ହୋଇଥାଏ; ତେଣୁ ପାଚିବା ମାତ୍ରେ ତାକୁ ଡେମ୍ଫ ଛାଡ଼ି ଦୂରକୁ ଛିଟ୍କିବାକୁ ପଡ଼ିଥାଏ। ଚାଷ ଆରମ୍ଭ ହୋଇଗଲେ ଶସ୍ୟର ସେଇ ଚିନ୍ତା ଦୂର ହୋଇଯାଇଥାଏ; ଏଣିକି ଋତୁ ପରେ ଋତୁ ମନୁଷ୍ୟ ବିହନ ବୁଣି ବୀଜବିକ୍ଷେପ ସମ୍ପନ୍ନ କରିଥାଏ। କଥାରେ ଅଛି, ‘ଲୁଣ ଖାଏ ହାଣ୍ତି, ଚିନ୍ତା ଖାଏ ଗଣ୍ତି।’ ବଣୁଆ ଶସ୍ୟ ବ˚ଶ ବିସ୍ତାର ଚିନ୍ତାରେ ଚୟନ-ଚାପଗ୍ରସ୍ତ ହୋଇ ଶୀର୍ଣ୍ଣକାୟ ହୋଇଥିବା ବେଳେ, କୃଷକର ପୋଷା ମାନିଗଲା ପରେ ତା’ର ସେ ଚିନ୍ତା ଦୂର ହୋଇ ସେ ହୃଷ୍ଟପୁଷ୍ଟ ହୋଇଯାଏ ଏବ˚ ତା’ର ଅଙ୍କୁରୋଦ୍ଗମ ମଧୢ ଅଧିକ ସହଜ ହୋଇଯାଏ। ବୈଜ୍ଞାନିକମାନେ ଶସ୍ୟର ଆବିଷ୍କୃତ ଜୀବାଶ୍ମରେ ଏହି ସମସ୍ତ ପାର୍ଥକ୍ୟ ଅନୁଧୢାନ କରି ଜାଣିପାରନ୍ତି ସମ୍ପୃକ୍ତ ଶସ୍ୟ ବଣୁଆ ଥିଲା କି ପୋଷା ଥିଲା, ଅର୍ଥାତ୍ କୃଷିଜାତ ଥିଲା! ଏହି ଉପାୟରେ ଜଣାପଡ଼ିଥିଲା ଯେ ମେହେରଗଡ଼ର ବାର୍ଲି ଥିଲା ପୋଷା କିସମର। ମେହେରଗଡ଼ରେ ଆରମ୍ଭ ହୋଇଥିବା ଫସଲକୁ ପୋଷା ମନାଇବା ପରୀକ୍ଷା ସଫଳ ହେବା ପରେ ତାହା ସମୟ କ୍ରମେ ସାରା ଭାରତୀୟ ଉପମହାଦେଶକୁ ସମ୍ପ୍ରସାରିତ ହୋଇ ଭାରତକୁ ଏକ କୃଷିପ୍ରଧାନ ଅଞ୍ଚଳରେ ପରିଣତ କଲା। ଶସ୍ୟ ସ˚ଗ୍ରହ ତା’ର ବଣୁଆ ଚରିତ୍ର ପରିହାର କରି କୃଷିଭିତ୍ତିକ ଅମଳରେ ପରିଣତ ହେଲା। ଶସ୍ୟ ତା’ର ବଣୁଆ ପରିବେଶ ପରିତ୍ୟାଗ କରି ମନୁଷ୍ୟର ଆଶ୍ରୟ ଲାଭ କରିବା ପରେ ପୂର୍ବେ ଉଲ୍ଲେଖ କରାଯାଇଥିବା ଭଳି ତା’ର ଅମଳରେ ଉଲ୍ଲେଖନୀୟ ବୃଦ୍ଧି ଘଟିବାରେ ଲାଗିଲା। ମେହେରଗଡ଼ ଯଦି ଏହି ଉପମହାଦେଶରେ କୃଷିର ଅନ୍ତୁଡ଼ିଶାଳ ହୋଇଥାଏ, ସେଥିରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା- ଶସ୍ୟ ମନୁଷ୍ୟର ଆଶ୍ରୟ ଲାଭ କଲେ ହିଁ ତାହାର ଉତ୍ପାଦନ ବୃଦ୍ଧି ପାଏ। ଅନ୍ୟ ପ୍ରକାରେ କୁହାଯାଇପାରେ; କୃଷି ହେଉଛି ଏକ ଆଶ୍ରିତ ବୃତ୍ତି। ମେହେରଗଡ଼ ଜନବସତିର ଅନ୍ତ ଘଟିବାର ପ୍ରାୟ ୪,୫୦୦ ବର୍ଷ ଅତିବାହିତ ହୋଇ ଯାଇଥିଲେ ବି ବର୍ତ୍ତମାନ ମେହେରଗଡ଼ ନିକଟବର୍ତ୍ତୀ ଅଞ୍ଚଳ ପଞ୍ଜାବ ଓ ହରିଆନାରେ ଭାରତ ସରକାରଙ୍କ କୃଷି ସ˚ସ୍କାର ଉଦ୍ୟମକୁ ବିରୋଧ କରି ଯେଉଁଭଳି ଅସ୍ଥିରତା ଦେଖାଦେଇଛି, ତାହା ପୁଣି ଥରେ କୃଷିର ସେଇ ଆଦିମ ଚରିତ୍ର ଏବେବି ଅତୁଟ ରହିଥିବା ପ୍ରମାଣ କରିଥାଏ। ବର୍ତ୍ତମାନ କାଳରେ ସେ ଅଞ୍ଚଳରେ ଦୁଇଟି ମୁଖ୍ୟ ଶସ୍ୟ ଧାନ ଓ ଗହମର ଅମଳରେ ଯାହାର ଆଶ୍ରୟ ବିସ୍ଫୋରକ ବୃଦ୍ଧି ଘଟାଇଛି, ତାହା ହେଉଛି ବର୍ତ୍ତମାନ ଅଶାନ୍ତିର କେନ୍ଦ୍ରରେ ଥିବା ସରକାର ପ୍ରଦାନ କରୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ବା ‘ଏମ୍ଏସ୍ପି’।
ଏହି ‘ଏମ୍ଏସ୍ପି’ର ନିଶ୍ଚିତ ପ୍ରୋତ୍ସାହନ ଲାଭ କରି ଯେତେ ପରିମାଣର ଶସ୍ୟ ଅମଳ ହେଉଛି, ତାହା ଦେଶରେ ଏକ ଭିନ୍ନ କିସମର ସମସ୍ୟା ସୃଷ୍ଟି କରିଛି- ପ୍ରାଚୁର୍ଯ୍ୟର ସମସ୍ୟା। ଦେଶର ଖାଦ୍ୟ ନିରାପତ୍ତା ପାଇଁ ଯେତିକି ପରିମାଣର ଶସ୍ୟ ମହଜୁଦ ରହିବା ନିୟମ କରାଯାଇଛି, ତାହାର ପ୍ରାୟ ତିନିଗୁଣ ଶସ୍ୟ ସେଥିପାଇଁ ଉଦ୍ଦିଷ୍ଟ ବଫର୍ ଷ୍ଟକ୍ରେ ଜମା ହୋଇ ରହି ନଷ୍ଟ ହେଉଛି କିମ୍ବା ମୂଷାଙ୍କର ଖାଦ୍ୟରେ ପରିଣତ ହେଉଛି। ଯେହେତୁ ଏକଦା ଭାରତ ବିକଟ କ୍ଷୁଧା ସମସ୍ୟାର ସମ୍ମୁଖୀନ ହୋଇଥିଲା, ନଷ୍ଟ ହେଉଥିଲେ ମଧୢ ଏକ ପରିପୂର୍ଣ୍ଣ ଖାଦ୍ୟଶସ୍ୟ ଭଣ୍ତାର ଜାତୀୟ ନିରାପତ୍ତା ନିଶ୍ଚିତ କରିବାର ସନ୍ତୋଷ ସୃଷ୍ଟି କରିଥାଏ। ତେଣୁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଣୟନ କରିଥିବା କୃଷି ସ˚ସ୍କାର ଆଇନରେ ‘ଏମ୍ଏସ୍ପି’ରେ କୌଣସି ପରିବର୍ତ୍ତନ ଆଣିନାହାନ୍ତି।
ଏକ ଆଶଙ୍କା ଯୁକ୍ତିଯୁକ୍ତ ଯେ ଯଦି ‘ଏମ୍ଏସ୍ପି’କୁ ହଟାଇ ଦିଆଯାଏ, ଏକ ନିଶ୍ଚିତ ଚାହିଦାର ଅନ୍ତର୍ଦ୍ଧାନ ଘଟିବା ଯୋଗୁଁ କୃଷକମାନେ ନିରୁତ୍ସାହିତ ହୋଇ ଧାନ ଗହମ ଉତ୍ପାଦନରେ ସ˚କୋଚନ ଘଟାଇଲେ, ତାହା ଦେଶକୁ ଅବିଳମ୍ବେ ପୁଣି ଏକ ଖାଦ୍ୟ ସ˚କଟ ମଧୢକୁ ଠେଲି ଦେଇପାରେ। ଏବ˚ ଯେଉଁ ଦୁଇ ରାଜ୍ୟର କୃଷକମାନେ ‘ଏମ୍ଏସ୍ପି’ ଉଚ୍ଛେଦ ଘଟିବା ଆଶଙ୍କା କରୁଛନ୍ତି, ସେଇମାନେ ହିଁ ଏହି ବ୍ୟବସ୍ଥା ଦ୍ବାରା ସର୍ବାଧିକ ଲାଭବାନ ହୋଇଥାନ୍ତି। ପଞ୍ଜାବର ଧାନଚାଷୀମାନଙ୍କ ମଧୢରୁ ୯୫ ଶତା˚ଶରୁ ଅଧିକ ‘ଏମ୍ଏସ୍ପି’ ଦ୍ବାରା ଲାଭବାନ ହେଉଥିବା ବେଳେ ଏବ˚ ହରିଆନାର ୭୦ ଶତା˚ଶ ଧାନ ଚାଷୀ ଏହି ସୁବିଧା ଉପଭୋଗ କରୁଥିବା ବେଳେ ଅନ୍ୟ ଧାନ ଉତ୍ପାଦନକାରୀ ରାଜ୍ୟମାନଙ୍କ ପାଇଁ ଏହି ପରିସ˚ଖ୍ୟାନ ହେଉଛି ଏଇଭଳି: ଉତ୍ତରପ୍ରଦେଶ-୩.୬ ଶତା˚ଶ, ପଶ୍ଚିମବଙ୍ଗ-୭.୩ ଶତା˚ଶ, ଓଡ଼ିଶା-୨୦.୬ ଶତା˚ଶ, ବିହାର-୧.୬ ଶତା˚ଶ ଇତ୍ୟାଦି। ‘ଏମ୍ଏସ୍ପି’ ଲାଭ ବଣ୍ଟନର ଏଭଳି ଆଞ୍ଚଳିକ ଅସମତା ସତ୍ତ୍ବେ ବର୍ତ୍ତମାନର ‘ଏମ୍ଏସ୍ପି’ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ ବୋଲି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ସେଇ ପଞ୍ଜାବର କୃଷକ ଚାହିଁଲେ ‘ଏପିଏମ୍ସି’ ମଣ୍ତିରେ ‘ଏମ୍ଏସ୍ପି’ ଦରରେ ନିଜର ଶସ୍ୟ ବିକ୍ରୟ କରିପାରିବେ କିମ୍ବା ଚାହିଁଲେ ମଣ୍ତି ବାହାରେ ତାହା ବିକ୍ରୟ କରିପାରିବେ। ସେମାନେ ତଥାପି ଆନ୍ଦୋଳନ ଅବ୍ୟାହତ ରଖିବା ତେଣୁ ସମ୍ପୂର୍ଣ୍ଣ ଅଯୌକ୍ତିକ ମନେହୁଏ।