ଏକ ଅସ୍ଥିର ପରିବେଶରେ ମୁଦ୍ରାସ୍ଫୀତି ଉପରୁ ନଜର ହଟାଇଲେ, ତାହା ଯେ ଅଣାୟତ୍ତ ହୋଇ ଯାଇପାରେ, ରିଜର୍ଭ ବ୍ୟାଙ୍କ୍ ସେ ସମ୍ବନ୍ଧରେ ସଚେତନ ଥାଇ ନିକଟରେ ପ୍ରକାଶ କରିଥିବା ମାସିକ ‘ଷ୍ଟେଟ୍ ଅଫ୍ ଦି ଇ‌କନୋମି’ ରିପୋର୍ଟରେ ସତର୍କ କରାଇ ଦେଇଥିଲା ଯେ ‘‘ଆମେ ଏ ଯାଏଁ ବନସ୍ତରୁ ବାହାରି ନାହୁଁ ଓ ଆହୁରି ମାଇଲ୍ ମାଇଲ୍ ବାଟ ଯିବାକୁ ଅଛି।’’

Advertisment

ପ୍ରଥମ ଶତାବ୍ଦୀର ରୋମ୍‌ର ପ୍ରସିଦ୍ଧ ସଂ‌ଯତେନ୍ଦ୍ରିୟ (ଷ୍ଟୋଇକ୍) ଦାର୍ଶନିକ ସେନେକା ତାଙ୍କର ଜୀବନସାରା ଯେଉଁସବୁ ବିଭିନ୍ନ ପ୍ରକାର ବିପର୍ଯ୍ୟୟମାନ ଘଟିବା ଦେଖିଥିଲେ, ତାହା ତାଙ୍କୁ ଜଣେ ଅସାଧାରଣ ସ୍ଥିତପ୍ରଜ୍ଞ ହେବାରେ ସାହାଯ୍ୟ କରିଥିଲା। ଉଦାହରଣ ସ୍ବରୂପ ସେଇ ସମୟରେ ଭୂମିକମ୍ପ ଦ୍ବାରା ଐତିହାସିକ ପମ୍ପେ ନଗରୀ ଧୂଳିସାତ୍ ହୋଇଥିଲା; ଅଗ୍ନିକାଣ୍ଡରେ ରୋମ୍ ଓ ଲଗ୍‌ଡୁନମ୍ ନଗରୀମାନ ଭସ୍ମୀଭୂତ ହୋଇ ଯାଇଥିଲେ; ରୋମ୍ ସାମ୍ରାଜ୍ୟ ପ୍ରଥମେ କାଲିଗୁଲା ଓ ପରେ ନିରୋ ଭଳି କ୍ରୂର ଅତ୍ୟାଚାରୀ ଶାସକମାନଙ୍କ ଦ୍ବାରା କବଳିତ ହୋଇଥିଲା। ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର୍ ଶକ୍ତିକାନ୍ତ ଦାସ ଗତ ଶୁକ୍ରବାର ଦିନ ମୁଦ୍ରା ନୀତି ନିର୍ଦ୍ଧାରଣକାରୀ ‘ମନିଟାରୀ ପଲିସି କମିଟି’ର ଦ୍ବିମାସିକ ବୈଠକରେ ଗୃହୀତ ନିଷ୍ପତ୍ତି ସମ୍ବନ୍ଧରେ ଘୋଷଣା କରିବା ଅବସରରେ ୨୦୨୦-୨୩ କାଳଖଣ୍ଡକୁ ଯେଉଁଭଳି ଇତିହାସ ଦୃଷ୍ଟିରେ ଏକ ଅସାଧାରଣ ଅସ୍ଥିରତା ବା ବିପର୍ଯ୍ୟୟମାନଙ୍କର ସମୟ ରୂପେ ବର୍ଣ୍ଣନା କରିଛନ୍ତି, ତାହା ସେଇ ସେନେକାଙ୍କ ସମୟର ଏକ ପ୍ରତିଛବି ଭଳି ମନେ ହୋଇଥାଏ।
ଏହି ସମୟକୁ ବର୍ତ୍ତମାନ କେତେକ ଅର୍ଥନୀତିଜ୍ଞ ଏକ ସଂକ୍ଷିପ୍ତ ନାମ ପ୍ରଦାନ କରିଛନ୍ତି: ‘ଭୁକା’ (ଭୋଲାଟାଇଲ୍, ଅନ୍‌ସର୍ଟନ୍, କମ୍ପ୍ଲେକ୍ସ, ଆମ୍ବିଗ୍ୟୁଅସ୍- ଅସ୍ଥିର, ଅନିଶ୍ଚିତ, ଜଟିଳ, ଅନେକାର୍ଥକ), କାରଣ ଏହି ସମୟରେ ପୃଥିବୀରେ ଏଇଭଳି ଚରିତ୍ର ବହନ କରୁଥିବା ଅନେକ ବିରଳ ବିପର୍ଯ୍ୟୟମାନ ଘଟିବା ଦେଖାଯାଇଛି। ଚୀନ୍‌ରୁ ଉଦ୍ଭବ କୋଭିଡ୍-୧୯ ପାଣ୍ଡେମିକ୍ ପ୍ରତ୍ୟେକ ଦେଶର ଅର୍ଥନୀତିର ଉଭୟ ପାର୍ଶ୍ବରେ ଅର୍ଥାତ୍ ଯୋଗାଣ ପାର୍ଶ୍ବରେ ଓ ଚାହିଦା ପାର୍ଶ୍ବରେ ପହଞ୍ଚାଇଥିବା ଧକ୍‌କାରୁ ଏ ପର୍ଯ୍ୟନ୍ତ ସେମାନେ ସଂପୂର୍ଣ୍ଣ ମୁକ୍ତ ହୋଇ ନାହାନ୍ତି। ଏହା ପରେ ପରେ ଯୋଗାଣ ପାର୍ଶ୍ବକୁ ଆହୁରି ବିପର୍ଯ୍ୟସ୍ତ କରି ଦେଇ ସଂପୂର୍ଣ୍ଣ ଅପ୍ରତ୍ୟ‌ାଶିତ ଭାବରେ ‌ଆଉ ଯେଉଁ ଏକ ଘଟଣା ଘଟିଲା, ତାହା ହେଲା ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ, ଯେଉଁ ଯୁଦ୍ଧର ଏ ପର୍ଯ୍ୟନ୍ତ ଅବସାନ ଘଟି ନାହିଁ। ଏହି ଘଟଣାମାନଙ୍କ ଯୋଗୁଁ ପୃଥିବୀର ବିଭିନ୍ନ ଦେଶରେ ଦରଦାମ୍‌ରେ ଯେଉଁଭଳି ବୃଦ୍ଧି ବା ମୁଦ୍ରାସ୍ଫୀତି ଦେଖାଦେଲା, ସେଭଳି ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ପ୍ରାୟ ଦେଖାଯାଇ ନ ଥିଲା। ମୁଦ୍ରାସ୍ଫୀତି ସହିତ ଲଢ଼ିବା ପାଇଁ ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ସେମାନଙ୍କର ସୁଧ ହାରରେ ବୃଦ୍ଧି ଘଟାଇବାରେ ଲାଗିଲେ। ଏହାର ଏକ ଗୁରୁତ୍ବପୂର୍ଣ୍ଣ ଉଦାହରଣ ସ୍ବରୂପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ ୨୦୨୨ ମାର୍ଚ୍ଚରୁ ୨୦୨୩ ମଇ ମଧ୍ୟରେ ସୁଧ ହାରରେ ନ’ଥର ବୃଦ୍ଧି ଘଟାଇଥିଲା, ଯାହା ଦ୍ବାରା ସୁଧ ହାରରେ ମୋଟ ୫ ଶତାଂଶ ବୃଦ୍ଧି ଘଟିଥିଲା। ଏଥିଯୋଗୁଁ ବ୍ୟାଙ୍କ୍‌ମାନଙ୍କ ପାଖରେ ଥିବା ଦୀର୍ଘକାଳୀନ ସରକାରୀ ସିକ୍ୟୁରିଟି ସବୁର ମୂଲ୍ୟରେ ହ୍ରାସ ଘଟିବାରୁ ଆମେରିକାରେ ଏକ ବ୍ୟାଙ୍କ୍ ସଂକଟ ସୃଷ୍ଟି ହୋଇ ତିନିଟି ବ୍ୟାଙ୍କ୍ ବୁଡ଼ିଗଲେ ଓ ପରେ ଏହା ଦ୍ବାରା ସଂକ୍ରମିତ ହୋଇ ସ୍ବିଜର୍‌ଲ୍ୟାଣ୍ଡ୍‌ର ଏକ ୧୬୬ ବର୍ଷର ଐତିହ୍ୟସଂପନ୍ନ ବ୍ୟାଙ୍କ୍ ମଧ୍ୟ ବୁଡ଼ିଗଲା। ପୃଥିବୀବ୍ୟାପୀ ବ୍ୟାଙ୍କିଙ୍ଗ୍ ପରିସରରେ ଏହି ଘଟଣାମାନ ଏକ କୋକୁଆ ଭୟ ସୃଷ୍ଟି କରିଥିଲା। ସେନେକାଙ୍କ ସମୟର ପ୍ରତ୍ୟାବର୍ତ୍ତନ ପାଇଁ ଏତିକି ‌େଯମିତି ଯଥେଷ୍ଟ ନ ଥିଲା, ଦୁଇ ମାସ ତଳେ ଆଉ ଏକ ‘ଭୁକା’ ବିପର୍ଯ୍ୟୟର ଆବିର୍ଭାବ ଘଟିଛି- ଇସ୍ରାଏଲ୍‌ରେ ହମାସ୍ ଆତଙ୍କବାଦୀମାନଙ୍କର ବର୍ବର ଆକ୍ରମଣ ଓ ଗାଜାରେ ଇସ୍ରାଏଲ୍‌ର ପ୍ରତି ଆକ୍ରମଣ ଯାହା ତୈଳ ଦର ଉପରେ ଚାପ ସୃଷ୍ଟି କରିବା ସହ ଏକ ନୂତନ ଆନ୍ତର୍ଜାତିକ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି।
ଏ ସମସ୍ତ ଘଟଣାମାନ ସଂପୂର୍ଣ୍ଣ ରୂପେ ଅପ୍ରତ୍ୟାଶିତ ଥିବାରୁ ବିଶେଷଜ୍ଞମାନେ କରୁଥିବା ଅର୍ଥନୈତିକ ପୂର୍ବାନୁମାନ ମଧ୍ୟ ତାହା ଦ୍ବାରା ପ୍ରଭାବିତ ହୋଇଛି। ଏହି କାରଣରୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (‘ଆଇଏମ୍‌ଏଫ’) ପୃଥିବୀର ଅର୍ଥନୈତିକ ଭବିଷ୍ୟତ ସମ୍ବନ୍ଧରେ ପ୍ରତି ବର୍ଷ ଯେଉଁ ଚାରି ଥର ପୂର୍ବାନୁମାନ ପ୍ରକାଶ କରିଥାଏ, ପ୍ରତି ଥର ସେଥିରେ ପରିବର୍ତ୍ତନ ଘଟାଇବାକୁ ବାଧ୍ୟ ହୋଇଛି। ରିଜର୍ଭ ବ୍ୟାଙ୍କ୍ ଯେତେବେଳେ ଏପ୍ରିଲ୍‌ରେ ମୁଦ୍ରା ନୀତି ଘୋଷଣା କରିଥିଲା, ‌େସତେବେଳେ ସମଗ୍ର ୨୦୨୩-୨୪ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫ ଶତାଂଶ ହେବ ବୋଲି ପୂର୍ବାନୁମାନ ପ୍ରକାଶ କରିଥିଲା। ଏହି ବିତ୍ତ ବର୍ଷର ପ୍ରଥମ ଚଉଠରେ ହାସଲ ହୋଇଥିବା ଅଭିବୃଦ୍ଧି ସେଇ ଚଉଠ ପାଇଁ ଆଶା କରାଯାଉଥିବା ଅଭିବୃଦ୍ଧି ହାର ଭଳି ହୋଇଥିବା ବେଳେ ଦ୍ବିତୀୟ ଚଉଠରେ ହାସଲ ହୋଇଥିବା ଅଭିବୃଦ୍ଧି ହାର ଆଶା କରାଯାଉଥିବା ଅଭିବୃଦ୍ଧି ହାରକୁ ବେଶ୍ ପଛରେ ପକାଇ ଦେଇଛି। ଏହି କାରଣରୁ ରିଜର୍ଭ ବ୍ୟାଙ୍କ୍ ଏବେ ତା’ର ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ଚଳିତ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ୭ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି ବୋଲି ଆଶା ପ୍ରକାଶ କରିଛି। ‘ଆଇଏମ୍‌ଏଫ୍’ ମଧ୍ୟ ଏଥର ୨୦୨୩ ପାଇଁ ତା’ର ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇବା ପ୍ରାୟ ନିଶ୍ଚିତ।
ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନଙ୍କ ଭଳି ମୁଦ୍ରାସ୍ଫୀତିକୁ ସହନୀୟ ସ୍ତରରେ ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ମୁଖ୍ୟ ଚିନ୍ତା। ଏହା ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ବ ଅନୁସାରେ ବାର୍ଷିକ ମୁଦ୍ରାସ୍ଫୀତି ହାରକୁ ୪ ଶତାଂଶରେ ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଲକ୍ଷ୍ୟ, ଯଦିବା ଏହା ଠାରୁ ୨ ଶତାଂଶ ଅଧିକ କିମ୍ବା କମ୍ ସୀମା ମଧ୍ୟରେ ଏହି ହାର ଉପର ତଳ ହୋଇପାରେ। ରିଜର୍ଭ ବ୍ୟାଙ୍କ୍ କିନ୍ତୁ ବେଶ୍ କିଛି କାଳ ଧରି ଏହି ଲକ୍ଷ୍ୟ ଭେଦ କରିବାରେ ବିଫଳ ହୋଇଛି, ଯାହାର ଅନ୍ୟତମ କାରଣ ହେଉଛି ‘ଭୁକା’ ଅସ୍ଥିରତା। ରିଜର୍ଭ ବ୍ୟାଙ୍କ୍ ଚଳିତ ବର୍ଷ ପାଇଁ ପ୍ରଥମେ ମୁଦ୍ରାସ୍ଫୀତି ହାର ୫.୨ ଶତାଂଶ ହେବ ବୋଲି ପୂର୍ବାନୁମାନ ପ୍ରକାଶ କରିଥିଲା। ବିତ୍ତ ବର୍ଷର ଜୁଲାଇ-ସେପ୍‌ଟେମ୍ବର ଦ୍ବିତୀୟ ଚଉଠରେ ଯେତେବେଳେ ମୁଦ୍ରାସ୍ଫୀତି ହାର ଅନୁମାନ କରାଯାଇଥିବା ହାର ଠାରୁ ଅଧିକ ହେବା ଦେଖାଗଲା, ‌େସତେବେଳେ ରିଜର୍ଭ ବ୍ୟାଙ୍କ୍ ତା’ର ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ଏହା ୫.୪ ଶତାଂଶ ହୋଇପାରେ ବୋଲି ପ୍ରକାଶ କଲା। ଶୁକ୍ରବାର କରାଯାଇଥିବା ମୁଦ୍ରା ନୀତି ଘୋଷଣ‌ାରେ ଏହାକୁ ସେହି ସ୍ତରରେ ଅପରିବର୍ତ୍ତିତ ରଖାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଊର୍ଦ୍ଧ୍ବରେ।
ଏକ ଅସ୍ଥିର ପରିବେଶରେ ମୁଦ୍ରାସ୍ଫୀତି ଉପରୁ ନଜର ହଟାଇଲେ, ତାହା ଯେ ଅଣାୟତ୍ତ ହୋଇ ଯାଇପାରେ, ରିଜର୍ଭ ବ୍ୟାଙ୍କ୍ ସେ ସମ୍ବନ୍ଧରେ ସଚେତନ ଥାଇ ନିକଟରେ ପ୍ରକାଶ କରିଥିବା ମାସିକ ‘ଷ୍ଟେଟ୍ ଅଫ୍ ଦି ଇ‌କନୋମି’ ରିପୋର୍ଟରେ ସତର୍କ କରାଇ ଦେଇଥିଲା ଯେ ‘‘ଆମେ ଏ ଯାଏଁ ବନସ୍ତରୁ ବାହାରି ନାହୁଁ ଓ ଆହୁରି ମାଇଲ୍ ମାଇଲ୍ ବାଟ ଯିବାକୁ ଅଛି।’’ ଏହି ଚିନ୍ତାଧାରାକୁ ଅନୁସରଣ କରି ସ୍ଥିତପ୍ରଜ୍ଞ ସେନେକାଙ୍କ ପରି ଶକ୍ତିକାନ୍ତ ଓ ତାଙ୍କର ସାଥୀମାନେ ‘ରେପୋ ରେଟ୍‌’ରେ ହ୍ରାସ ଘଟାଇବାର ପ୍ରଲୋଭନକୁ ସମ୍ବରଣ କରି ଓ ଏଥିପାଇଁ ପଡୁଥିବା ବାହ୍ୟ ଚାପ ଦ୍ବାରା ପ୍ରଭାବିତ ନ ହୋଇ ତାହାକୁ ୬.୫ ଶତାଂଶରେ ଅପରିବର୍ତ୍ତିତ ରଖିଛନ୍ତି। ଶିଳ୍ପ ବ୍ୟବସାୟ ପାଇଁ ସୁଧ ଏକ ବିଶେଷ ବ୍ୟୟ ହୋଇଥିବାରୁ ‘ରେପୋ ରେଟ୍’ରେ ହ୍ରାସ ମାଧ୍ୟମରେ ଏହି କ୍ଷେତ୍ରକୁ ସାହାଯ୍ୟ କରିବା ପାଇଁ ଯୁକ୍ତି କରାଯାଇଥାଏ‌; କିନ୍ତୁ ଦ୍ବିତୀୟ ଚଉଠରେ ଅର୍ଥନୀତିର ଅଭିବୃଦ୍ଧି ହାର ଯେହେତୁ ବେଶ୍ ସନ୍ତୋଷଜନକ ହୋଇଛି ‘ରେପୋ ରେଟ୍’ରେ ହ୍ରାସ ନ ଘଟାଇବା ଶକ୍ତିକାନ୍ତଙ୍କ ପାଇଁ ସହଜ ହୋଇଛି। ଅପରପକ୍ଷେ ମୁଦ୍ରାସ୍ଫୀତି ମୁଣ୍ଡ ଟେକିବା ପୂର୍ବରୁ ତାକୁ ଚପାଇ ଦେଇ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ସେ ବିଶ୍ବାସ କରନ୍ତି। ଅନ୍ୟ ଏକ ପ୍ରସଙ୍ଗରେ ସେ କହିଥିବା ଭଳି: ‘‘ଆମେ ଘରେ ନିଆଁ ଲାଗିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ନୁହେଁ।’’