ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯଦି ତାଙ୍କର ଜନ୍ମ ନିୟନ୍ତ୍ରଣ ମନ୍ତ୍ରଟି ବଡ଼ଭାଇ ସଦୃଶ ପରମ ବନ୍ଧୁ ଲାଲୁ ପ୍ରସାଦଙ୍କୁ ଦେଇଥାନ୍ତେ ତେବେ ଆଜି ବିହାରର ଜନସଂଖ୍ୟା ଅନ୍ତତଃ ଆହୁରି ସାତ ଆଠ କମ୍‌ ହୋଇଥାନ୍ତା। ଏହି ମନ୍ତ୍ରଟି ଅତ୍ୟନ୍ତ ଗୋପନୀୟ ହୋଇଥିବାରୁ ଏହା କେବଳ ପରମ ବନ୍ଧୁମାନଙ୍କୁ ହିଁ ଦେଇ ହେବ। ଯଦି ଯୌବନରେ ନୀତୀଶ କୁମାର ଏହି ମନ୍ତ୍ରଟିକୁ ଲାଲୁଙ୍କ କାନରେ ଶୁଣେଇ ଦେଇଥାନ୍ତେ, ତେବେ ଉଭୟ ହୁଏତ ଠୋ ଠୋ ହୋଇ ହସିଥାନ୍ତେ, ଆଉ ଏଥିରେ ଆମର ମଧ୍ୟ କିଛି ଆପତ୍ତି ରହି ନ ଥାନ୍ତା।

Advertisment

ଆମର ଆପତ୍ତି ହେଉଛି ଯେତେବେଳେ ନୀତୀଶ କୁମାର ଏହି ମନ୍ତ୍ରଟିକୁ କାହା କାନରେ ନ କହି ସିଧାସଳଖ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି। ବିହାର ବିଧାନସଭା ଯେଉଁଠାରେ ଅନେକ ମାନ୍ୟବର ସଭ୍ୟ ଓ ସଭ୍ୟା ଉପସ୍ଥିତ ଅଛନ୍ତି ଓ ଯାହାର ଧାରା ବିବରଣୀ ସମଗ୍ର ଭାରତବର୍ଷ ଦେଖୁଛି, ସେଠାରେ ଏହି ଭଳି ଏକ ଅଶ୍ଳୀଳ ମନ୍ତ୍ରର ଉଚ୍ଚାରଣ ଆଦୌ ଗ୍ରହଣୀୟ ହେଉ ନାହିଁ। ତେବେ ଏହି ମନ୍ତ୍ରଟି କ’ଣ? ଏହା ଏପରି ଏକ ମନ୍ତ୍ର ଯାହାକୁ କୌଣସି ଖବରକାଗଜ ଖୋଲାଖୋଲି ଭାବେ ଛାପି ପାରିବ ନାହିଁ କି କୌଣସି ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ଭଲ କରି ଦେଖେଇ କିମ୍ବା କହି ପାରିବ ନାହିଁ। ଅତ୍ୟନ୍ତ ଜଗିରଖି ଏତିକି ମାତ୍ର କୁହାଯାଇ ପାରିବ ଯେ ଗର୍ଭବତୀ ହେବାକୁ ଚାହୁଁ ନଥିବା ଜଣେ ଯୁବତୀ ଯୌନ କ୍ରିିୟାର ଚରମ ମୁହୂର୍ତ୍ତରେ ସ୍ୱାମୀଙ୍କଠାରୁ ନିଜକୁ ପ୍ରତ୍ୟାହୃତ କରିନେବା ଉଚିତ। ଏହି ପ୍ରତ୍ୟାହାର ପ୍ରଣାଳୀ ଆଧୁନିକ ଯୁବକ ଯୁବତୀ ଶିଖିଲେ କି ନାହିଁ ଜଣା ପଡ଼ିଲା ନାହିଁ; କିନ୍ତୁ ମୁଖ୍ୟମନ୍ତ୍ରୀ ଏହିପରି ଏକ ଅଶ୍ଳୀଳ ବକ୍ତବ୍ୟ ଠାରୁ ନିଜକୁ ପ୍ରତ୍ୟାହର କରିନେବା ପାଇଁ ବାଧ୍ୟ ହୋଇଛନ୍ତି। ଏଥି ନିମନ୍ତେ ସେ କ୍ଷମା ମାଗିଛନ୍ତି, କିନ୍ତୁ ଏହା ଅକ୍ଷମଣୀୟ ଅଟେ।

ରାଜନେତାମାନଙ୍କର ଏଭଳି ଅଶ୍ଳୀଳ ବକ୍ତବ୍ୟ କିଛି ନୂଆ କଥା ନୁହେଁ। ଥରେ ମୁଲାୟମ ସିଂହ ଯାଦବ କହିଥିଲେ ଯେ ଟୋକାମାନେ ହେଉଛନ୍ତି ଟୋକା; ଆଉ ଯଦି ସେମାନେ କେଉଁଠି କ’ଣ ଟିକେ ଧର୍ଷଣ କରି ପକେଇଲେ ତାଙ୍କୁ କ’ଣ ଆମେ ଫାଶୀ ଦେଇଦେବା? ଆଉ ଥରେ ତୃଣମୂଳ କଂଗ୍ରେସର ଜଣେ ସାଂସଦ ତାପସ ପାଲ କହିଥିଲେ ଯେ ସେ ତାଙ୍କର ଟୋକାମାନଙ୍କୁ ଲଗେଇ ବିପକ୍ଷ ଦଳର ନାରୀନେତ୍ରୀମାନଙ୍କୁ ଧର୍ଷଣ କରେଇ ଦେବେ। ଏହା ଉପରେ ଅଭିଯୋଗ ହେବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ‘ମୁଁ କ’ଣ କରିବି? ତାଙ୍କୁ କ’ଣ ଫାଶୀ ଦେଇଦେବି?’ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଥିଲେ ଯେ ବିହାରର ରୋଡ୍‌କୁ ସେ ସ୍ୱପ୍ନସୁନ୍ଦରୀ ହେମା ମାଳିନୀଙ୍କ ଗାଲ ସଦୃଶ ଚିକ୍କଣ କରିଦେବେ। ରାଜନେତା କମଲନାଥ ବିପକ୍ଷ ଦଳର ଜଣେ ନେତ୍ରୀଙ୍କୁ ବଢ଼ିଆ ‘ଆଇଟମ୍‌’ ବୋଲି ସର୍ବସାଧାରଣରେ କହିଥିଲେ ଏବଂ ପରେ ସଫେଇ ଦେଇ କହିଥିଲେ ଯେ ‘ଆଇଟମ୍‌’ ଅର୍ଥାତ ତାଲିକାର ଗୋଟିଏ ଗୋଟିଏ ବିଷୟ, ଯେମିତି ଆଇଟମ୍‌ ଏକ ଓ ଆଇଟମ୍‌ ଦୁଇ ଓ ଆମ୍ଭମାନଙ୍କୁ ଏ ଭଳି ସଫେଇ ମଧ୍ୟ ହଜମ କରିବାକୁ ପଡ଼ିଥିଲା। ଭାରତୀୟ ଦଣ୍ଡ ସଂହିତାର ଏକ ଧାରାରେ ଏଥି ନିମନ୍ତେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି କିନ୍ତୁ ଆମ୍ଭର ନ୍ୟାୟିକ ବ୍ୟବସ୍ଥାର ଗତି ଏତେ ଶିଥିଳ ଯେ ଜନୈକ ହଲିଉଡ୍‌ ତାରକା ଆମ୍ଭର ଜଣେ ଅଭିନେତ୍ରୀଙ୍କୁ ୨୦୦୭ ମସିହାରେ ସର୍ବସାଧାରଣରେ ଦେଇଥିବା ଚୁମ୍ବନର ରାୟ ନିମନ୍ତେ ଆମକୁ ଦୀର୍ଘ ଷୋହଳ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ଓ ଶେଷକୁ ଅଭିନେତ୍ରୀଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ମଧ୍ୟ ଏହିପରି ଏକ ମାମଲା କୋର୍ଟରେ ରୁଜୁ କରାଯାଇଛି। କିନ୍ତୁ ଆଜି ଯାଏଁ କୌଣସି ରାଜନେତା ତାଙ୍କ ଅଶ୍ଳୀଳ ବୟାନବାଜି ଯୋଗୁଁ ଦଣ୍ଡିତ ହୋଇନାହାନ୍ତି। ଦଣ୍ଡିତ ହେବା ତ ଦୂରର କଥା, ଅଶ୍ଳୀଳ କ’ଣ ଓ କାହାକୁ କୁହାଯାଏ, ତାହା ମଧ୍ୟ ଆଜି ଯାଏଁ ସ୍ଥିର କରାଯାଇ ପାରି ନାହିଁ। ତେଣୁ କୋର୍ଟରେ କ’ଣ ହେବ ତାହା ମା’ ଗଙ୍ଗେଈ ଜାଣନ୍ତି।

ପ୍ରଶ୍ନ ଉଠେ କିଛି ରାଜନେତା କାହିଁକି ଏହିପରି ଅଶ୍ଳୀଳ ବୟାନବାଜି କରୁଛନ୍ତି ଓ ସମଗ୍ର ରାଜନୈତିକ ସମାଜକୁ କଳୁଷିତ କରୁଛନ୍ତି? ଏହାର କାରଣ ହେଉଛି ଯେ ଏହି ହାତଗଣତି ନେତାଙ୍କ ସଂସ୍କାରରେ ହିଁ ଆଚରଣର ଶୁଦ୍ଧତା ନାହିଁ। ସେମାନେ କେବଳ ଲୋକ ଦେଖାଣିଆ କିଛି ବଡ଼ ବଡ଼ ସାଧୁ ଓ ଗମ୍ଭୀର୍ଯ୍ୟପୂର୍ଣ୍ଣ ଶବ୍ଦ ବ୍ୟବହାର କରି ନିଜର ପାଣ୍ଡିତ୍ୟପୂର୍ଣ୍ଣ ଶାଳୀନତା ପ୍ରଦର୍ଶନ କରୁଛନ୍ତି ଓ କଥାରେ କଥାରେ ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାର୍ବଭୌମତ୍ୱ, ସାମ୍ୟବାଦ, ଏକଛତ୍ରବାଦ ଭଳି ଓଜନିଆ ସାଧୁ ଶବ୍ଦଗୁଡ଼ିଏ ବ୍ୟବହାର କରୁଛନ୍ତି; କିନ୍ତୁ କୌଣସି ଦୁର୍ବଳ ମୁହୂର୍ତ୍ତରେ ତାଙ୍କ ମନ ଭିତରେ ଲୁଚି଼ ରହିଥିବା ଅସଲି ଅଶ୍ଳୀଳ ଶବ୍ଦଗୁଡ଼ିକ ମନକୁ ମନ ବାହାରକୁ ବାହାରି ପଡୁଛନ୍ତି। ପଣ୍ଡିତଙ୍କର ମୂର୍ଖ ଜୋଇଁଟିଏ ଥିଲା। ତା’ କଥାବାର୍ତ୍ତାରେ ଆଦୌ ଶାଳୀନତା ନଥିଲା ଓ ସଦାବେଳେ ସମସ୍ତଙ୍କୁ ଗାଳିଗୁଲଜ କରୁଥିଲା। ପଣ୍ଡିତଙ୍କ ମନ ଦୁଃଖ ଥିଲା ଓ ସେଥିପାଇଁ ସେ ଜୋଇଁଙ୍କୁ କେବେ ଘରକୁ ଡାକି ଜୋଇଁ ଚର୍ଚ୍ଚା କରି ନଥିଲେ। ଥରେ ଜୋଇଁଟିର ଜଣେ ବନ୍ଧୁ ତାକୁ କେତୋଟି ନିତ୍ୟ ବ୍ୟବହୃତ ସାଧୁ ଶବ୍ଦ ଘୋଷେଇ ଦେଲା ଓ ଶ୍ୱଶୁର ଘରକୁ ଯାଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରିବାକୁ କହିଲା। ଜୋଇଁ ପଣ୍ଡିତଙ୍କ ଘରେ ପହଞ୍ଚି କହିଲା, ‘ପଣ୍ଡିତ ମହାଶୟ, ଏକ ପାତ୍ରରେ ଜଳ ଆଣିବା ହେଉ, ଅଧୀନ ହସ୍ତପଦ ପ୍ରକ୍ଷାଳନ କରିବ।’

ଏ ଭଳି ସାଧୁ ଶବ୍ଦ ଶୁଣି ପଣ୍ଡିତ ବହୁତ ଖୁସି ହୋଇଗଲେ ଓ ଜୋଇଁ ଚର୍ଚ୍ଚାରେ ଲାଗିପଡ଼ିଲେ। ଜୋଇଁଟି ପୁଣି ପଣ୍ଡିତଙ୍କୁ କହିଲା, ‘ଅଧୀନ କ୍ଳାନ୍ତ, ତେଣୁ ଶୀଘ୍ର ଭୋଜନ ଓ ବିଶ୍ରାମର ଉତ୍ତମ ବ୍ୟବସ୍ଥା କରନ୍ତୁ।’ ପଣ୍ଡିତେ ଏ କଥା ଶୁଣି ଆହୁରି ଖୁସି ହୋଇ ପଡ଼ିଲେ ଆଉ ସମସ୍ତଙ୍କୁ ଡାକି କହିଲେ, ‘ଆହା ମୋ ଜୋଇଁଟି କେତେ ସାଧୁଭାଷାରେ କଥାବାର୍ତ୍ତା କରୁଛି, ଆଉ କିଏ ସେ କହୁଥିଲା ମୂର୍ଖଟେ ବୋଲି?’

ଏ କଥା ଶୁଣି ଜୋଇଁଟି ଆହୁରି ଖୁସି ହୋଇପଡ଼ି କହିଲା, ‘ଏଇଲେ ଭାଷା ଶୁଣେଇଲିଣି କ’ଣ? ଦେଖ ଆଗକୁ ଆଗ କ’ଣ କହୁଛି? ଚାଉଳକୁ ତଣ୍ଡୁଳ କହିବି, ଫୁଲକୁ ପୁଷ୍ପ କହିବି, ଗଛକୁ ବୃକ୍ଷ କହିବି, ଦିଆସିଲିକୁ ଅଗ୍ନିପେଟିକା ଓ ଝର୍କାକୁ ବାତାୟନ କହି ତୋ’ ଧୋତି ଯଦି ନ ଖୋଲି ଦେଇଛି, ମତେ କହିବୁ।’
ଏ କଥା ଶୁଣି ପଣ୍ଡିତେ ତାଙ୍କ ଧୋତିଟିକୁ ଭିଡ଼ି ଧରିଲେ ଓ କେଉଁଠି ମୁହଁ ଲୁଚେଇବେ ଜାଣି ପାରୁନଥିଲେ।
ମୋ: ୯୪୩୭୦୬୭୫୬୭