ଗଲା ୭ ତାରିଖର ଖବରକାଗଜଗୁଡ଼ିକରେ ପ୍ରକାଶିତ ଯେଉଁ ସମ୍ବାଦଟି ଅନେକଙ୍କ ସକାଶେ ଅତ୍ୟନ୍ତ ହୃଦୟ-ବିଦାରକ ଥିଲା, ତାହା ଏକ ଚାରି ବର୍ଷ ବୟସ୍କା ଶିଶୁ କନ୍ୟାକୁ ନେଇ, ଯାହା ସହିତ ଦୁଷ୍କର୍ମ କରାଯିବା ପରେ ତା’ର ଗଳା ଚିପି ତାକୁ ହତ୍ୟା କରାଯାଇଥିଲା। କହିବା ବାହୁଲ୍ୟ ଯେ ଏଭଳି ଏକ ସମ୍ବାଦ ପଢ଼ିବା ପରେ ଦୀର୍ଘଶ୍ବାସ ସହିତ ଅଧିକାଂଶ ପାଠକପାଠିକାଙ୍କ ଠାରୁ ଯେଉଁ ମର୍ମଭେଦୀ ସ୍ବଗତୋକ୍ତିଟିଏ ନିର୍ଗତ ହୋଇଥିବ, ତାହା ହୋଇଥିବ ଏହିପରି: ଓଃ, ପଶୁ ଠାରୁ ମଧ୍ୟ ହୀନ! ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ‘ଦୁଷ୍କର୍ମ’ ଭଳି ଏକ ଅତ୍ୟନ୍ତ ଜଘନ୍ୟ ତଥା ଅକ୍ଷମଣୀୟ କାର୍ଯ୍ୟକୁ ଅତି ସହଜରେ ‘ପାଶବିକ ଅତ୍ୟାଚାର’ ରୂପେ ବର୍ଣ୍ଣନା କରାଯାଇଥାଏ; ଅର୍ଥାତ୍ ଏଭଳି ଅତ୍ୟାଚାର କେବଳ ପଶୁମାନଙ୍କ ଦ୍ବାରା ଏବଂ ପଶୁ କୁଳରେ ସମ୍ଭବ! କିନ୍ତୁ, ବିଂଶ ଶତାବ୍ଦୀର ବିଶ୍ବବିଖ୍ୟାତ ବ୍ରିଟିସ ଦାର୍ଶନିକ ବର୍ଟ୍ରାଣ୍ଡ ରସେଲ ତାଙ୍କ ଦ୍ବାରା ରଚିତ ‘େସ୍କପ୍ଟିକାଲ ଏସେଜ୍’ (ସଂଶୟଧର୍ମୀ ପ୍ରବନ୍ଧ ମାଳା)ରେ ଠାଏ କହିଥିଲେ ଯେ ଏଭଳି କାର୍ଯ୍ୟମାନ କଦାଚିତ୍ କୌଣସି ପଶୁ ଦ୍ବାରା ହେଉ ନ ଥିବା କାରଣରୁ ସେ ସବୁକୁ ‘ପାଶବିକ’ (ଇଂରେଜୀରେ ‘ବିଷ୍ଟିଆଲ୍’) ବୋଲି ଅଭିହିତ କରିବା କେବଳ ଭ୍ରମାତ୍ମକ ନୁହେଁ, ସଂପୂର୍ଣ୍ଣ ଅଯୌକ୍ତିକ ମଧ୍ୟ। ସୁତରାଂ, ସେ ବୁଝାଇ ଦେବାକୁ ଚାହିଁଥିଲେ ଯେ ଏଭଳି ଅପକର୍ମମାନ କେବଳ ମନୁଷ୍ୟକୃତ ହୋଇଥିବା ବେଳେ ଦୋଷକୁ ‘ପଶୁ’ଙ୍କ ମୁଣ୍ଡ ଉପରେ ଲଦି ଦିଆଯାଏ। ଏହା ନିତାନ୍ତ ସତ୍ୟ ଯେ ଏ ଯାବତ୍ ହୋଇଥିବା ପ୍ରକୃତିର ସମସ୍ତ ସର୍ଜନା ମଧ୍ୟରେ ସର୍ବାଧିକ ଚମତ୍କାରୀ ସୃଷ୍ଟିଟି ହେଉଛି ମନୁଷ୍ୟର ମସ୍ତିିଷ୍କ; ଯାହା ସାହାଯ୍ୟରେ ଗୋଟିଏ ଲମ୍ଫରେ ମନୁଷ୍ୟ ନିଜର ‘ଜାନ୍ତବ ଅତୀତ’କୁ ପଛରେ ପକାଇ ସୃଷ୍ଟିର ଉଚ୍ଚତମ ସୋପାନରେ ନିଜକୁ ଅଧିଷ୍ଠିତ କରିବା ସହିତ ସମଗ୍ର ପୃଥିବୀକୁ ଆୟତ୍ତାଧୀନ କରି ପାରିଛି। ସେହି କାରଣରୁ ସମ୍ଭବତଃ ମନୁଷ୍ୟ କୌଣସି ଜଘନ୍ୟ ବା ନୈତିକତା ଦୃଷ୍ଟିରୁ ନୀଚ କାର୍ଯ୍ୟକୁ ‘ହୀନ ପଶୁତୁଲ୍ୟ’ ବୋଲି ବିବେଚନା କରି ନିଜ ଉଚ୍ଚତାକୁ ଅକ୍ଷୁଣ୍ଣ ରଖିବାକୁ ପ୍ରଚେଷ୍ଟା କରିଥାଏ। ସେହି ୭ ତାରିଖର ସମ୍ବାଦପତ୍ରମାନଙ୍କରେ ଅନ୍ୟ ଯେଉଁ ଖବରଟି ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା, ତାହା ଥିଲା ଗାଜା ଉପରେ ଇସ୍ରାଏଲୀ ଆକ୍ରମଣର ଗୋଟିଏ ମାସ ପୂର୍ତ୍ତି ସମ୍ବନ୍ଧରେ; ଯେଉଁ ଆକ୍ରମଣର ନିର୍ଦ୍ଦେଶ ଦେଇ ଠିକ୍ ମାସକ ତଳେ ଇସ୍ରାଏଲ୍ର ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ‘ହମାସର ପଶୁ’ (ଆନିମଲ୍)ମାନଙ୍କ ସମୂଳ ନିପାତ ଲାଗି ନିର୍ଣ୍ଣାୟକ ଶପଥ ନେଇଥିଲେ। ସେହି ଦିନ ନେତାନ୍ୟାହୁ କହିଥିଲେ ଯେ ହମାସ ଆତଙ୍କବାଦୀମାନେ ମନୁଷ୍ୟ ନୁହନ୍ତି, ସେମାନେ ପଶୁ! କିନ୍ତୁ ସତ କହିଲେ, ହମାସ ଆତଙ୍କବାଦୀଙ୍କ ଅସହନୀୟ ବର୍ବରତାକୁ ‘ପଶୁ ସୁଲଭ’ ଆଚରଣ ବୋଲି କହିବା ପଶୁମାନଙ୍କ ମର୍ଯ୍ୟାଦା ହନନ ନୁହେଁ କି?
ଗଲା ୭ ତାରିଖର ସମ୍ବାଦରେ ପ୍ରକାଶିତ ହୋଇଛି କିଭଳି ଇସ୍ରାଏଲ୍ ଦ୍ବାରା ଜାରି ରହିଥିବା ମାସ ବ୍ୟାପୀ ଅବିଶ୍ରାନ୍ତ ପ୍ରତିଶୋଧମୂଳକ ଆକ୍ରମଣରେ ଗାଜା ଅଞ୍ଚଳର ୧୦ ହଜାରରୁ ଅଧିକ ପାଲେଷ୍ଟିନୀୟ ଜନସାଧାରଣ ପ୍ରାଣ ହରାଇ ସାରିଲେଣି; ଏମାନଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ୪୦୦୦, ମହିଳାଙ୍କ ସଂଖ୍ୟା ୨୫୫୦; ଯୁଦ୍ଧ ବିସ୍ଥାପିତମାନଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ହସପିଟାଲ ଏବଂ ଶରଣାର୍ଥୀ ଶିବିର ମଧ୍ୟ ଏ ଆକ୍ରମଣରୁ ବର୍ତ୍ତି ପାରିନାହାନ୍ତି; ଯୁଦ୍ଧ ଦୁର୍ଗତଙ୍କ ସହାୟତା ସକାଶେ ନିୟୋଜିତ ୮୯ ଜଣ ଜାତିସଂଘର କର୍ମଚାରୀ ପ୍ରାଣ ହରାଇ ସାରିଲେଣି, ଯାହା ଜାତିସଂଘର ଇତିହାସରେ ସର୍ବାଧିକ। ଗାଜା ଅଞ୍ଚଳ ସଂପୂର୍ଣ୍ଣ ରୂପେ ଚୂର୍ଣ୍ଣୀଭୂତ ହେବା ଉପରେ! ପ୍ରଖ୍ୟାତ ନୃତତ୍ତ୍ବବିତ୍ ଏବଂ ଲେଖକ ଡେସମଣ୍ଡ ମୋରିସ୍ ତାଙ୍କର ପ୍ରଚୁର ଲୋକପ୍ରିୟ ପୁସ୍ତକ ‘ଦ ନେକେଡ୍ ଏପ୍’ରେ ଯାହା କହିଥିଲେ, ତା’ର ସାରାଂଶ ହେଲା ପୃଥିବୀରେ ଦେଖାଯାଉଥିବା ପ୍ରାୟ ଚାରି ଶହ ଜାତିର ମର୍କଟଙ୍କ ମଧ୍ୟରୁ ଏକମାତ୍ର ଲୋମହୀନ ଜାତିଟି ନିଜକୁ ମନୁଷ୍ୟ ରୂପେ ଅଭିହିତ କରିଥାଏ। କିନ୍ତୁ ସତ କହିଲେ ବୋଧହୁଏ ଅନ୍ୟ କୌଣସି ମର୍କଟ ଜାତି ମନୁଷ୍ୟ ଭଳି ସ୍ବଜାତି ନିପାତରେ ମଧ୍ୟ ବ୍ୟାପୃତ ନ ଥାଏ। ସୁତରାଂ, ବର୍ତ୍ତମାନ ପଞ୍ଚାନବେ ବର୍ଷ ବୟସରେ ଉପନୀତ ମୋରିସ ଇସ୍ରାଏଲ୍ର ନିଦାରୁଣ ବର୍ବରତା ପରିପ୍ରେକ୍ଷୀରେ ତାଙ୍କ ଉପରୋକ୍ତ ବକ୍ତବ୍ୟ ସହିତ ଏହା ଯୋଡୁଥିବେ ଯେ ସ୍ବଜାତି ଉପରେ ବର୍ଣ୍ଣନାତୀତ ବର୍ବରତା ପ୍ରଦର୍ଶନ କରୁଥିବା ଓ ପ୍ରତିଶୋଧମୂଳକ ଆକ୍ରୋଶ ବହନ କରୁଥିବା ମର୍କଟ ଜାତିଟି ମଧ୍ୟ ନିଜକୁ ମନୁଷ୍ୟ ରୂପେ ଚିହ୍ନାଇ ଥାଏ।
ଏହି ପରିପ୍ରେକ୍ଷୀରେ ମନୁଷ୍ୟ ଦ୍ବାରା ପ୍ରସ୍ତୁତ ପୃଥିବୀର ସର୍ବାଧିକ ବିପଜ୍ଜନକ ପ୍ରାଣୀମାନଙ୍କ ତାଲିକା (ପଶୁମାନେ ଏଭଳି ତାଲିକା ପ୍ରସ୍ତୁତ କରନ୍ତି ନାହିଁ) ପ୍ରଣିଧାନଯୋଗ୍ୟ, ଯହିଁରେ ସାଧାରଣତଃ ମଶା ଠାରୁ ଆରମ୍ଭ କରି ନୀଳ ନଦୀର କୁମ୍ଭୀର, ସୁନ୍ଦରବନର ବାଘ, ବା କଙ୍ଗୋର ଜଳହସ୍ତୀ ପର୍ଯ୍ୟନ୍ତ ପ୍ରାଣୀମାନେ ସ୍ଥାନ ପାଇଥାଆନ୍ତି। ତେବେ, ୨୦୨୨ ମସିହାରେ ପ୍ରସ୍ତୁତ ଏଭଳି ଏକ ତାଲିକା ମନୁଷ୍ୟକୁ ଶୀର୍ଷତମ ସ୍ଥାନ ପ୍ରଦାନ କରିଛି; ଯହିଁରେ କେବଳ ମନୁଷ୍ୟଙ୍କ ମୃତ୍ୟୁର କାରଣ ହେଉଥିବା ପ୍ରାଣୀଙ୍କ ତାଲିକାରେ ମଶା (୭ ଲକ୍ଷ ୫୦ ହଜାର ମୃତ୍ୟୁ) ସହିତ ଏକ ନମ୍ବର ସ୍ଥାନରେ ଥିବା ବେଳେ ମନୁଷ୍ୟ (ପ୍ରାୟ ୪ ଲକ୍ଷ ମୃତ୍ୟୁ) ସହିତ ଦ୍ବିତୀୟ ସ୍ଥାନରେ ରହିଛି; ଯହିଁରୁ ସାବ୍ୟସ୍ତ ହୋଇଛି ଯେ ସ୍ବଜାତି ସଦସ୍ୟଙ୍କୁ ନିଧନ କରିବାରେ ମନୁଷ୍ୟ ସହିତ ଅନ୍ୟ କୌଣସି ପ୍ରାଣୀ ଜାତି ତୁଳନୀୟ ହିଁ ନୁହେଁ। ଚିରନ୍ତନ ଯୁଦ୍ଧ ଏବଂ ସନ୍ତ୍ରାସ ମାଧ୍ୟମରେ ମନୁଷ୍ୟ ଏହି ଧାରାକୁ ବଳବତ୍ତର କରି ଚାଲିଛି। ତେବେ, ଏହା ସହିତ ଅନ୍ୟ ପ୍ରାଣୀ ଜାତିର ବିଲୁପ୍ତି ସାଧନ, ବୃକ୍ଷ-ସଂପଦର ବିନାଶ ଏବଂ ପରିବେଶର ଅସହନୀୟ କ୍ଷତିସାଧନ କରି ମନୁଷ୍ୟ ହିଁ ସର୍ବାଧିକ ବିପଜ୍ଜନକ ପ୍ରାଣୀ ରୂପେ ଆବିର୍ଭୂତ ହୋଇଥାଏ। ଏହି ମର୍ମରେ ଜାତିସଂଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯାହା କହିଛି ଯେ ଷୋଡ଼ଶ ଶତାବ୍ଦୀରୁ ଏ ଯାବତ୍ ମନୁଷ୍ୟର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରାଦୁର୍ଭାବ କାରଣରୁ ୬୮୦ଟି ମେରୁଦଣ୍ଡୀ ପ୍ରାଣୀ ଜାତି ବିଲୁପ୍ତ ହୋଇ ସାରିଛନ୍ତି ଏବଂ ଏକ ନିୟୁତ ପ୍ରାଣୀ ଜାତି ସେମାନଙ୍କ ଅସ୍ତିତ୍ବ ବିଲୋପନର ଦ୍ବାର ଦେଶରେ! ସୁତରାଂ, ମନେ ହୁଏ, ସତେ ଯେମିତି ନିଜ ଜାତିର ସଦସ୍ୟଙ୍କ ହନନରେ ମଗ୍ନ ମନୁଷ୍ୟ ପରିବେଶର ଅପୂରଣୀୟ କ୍ଷତି ଘଟାଇ ପୃଥିବୀରେ ଜୀବନର ଅସ୍ତିତ୍ବକୁ ମଧ୍ୟ ନିର୍ମୂଳ କରିବା ଲାଗି ବ୍ୟଗ୍ର।
‘ପଶୁଙ୍କ ପକ୍ଷ’ରୁ ଏହି ଆଲୋଚନାର ଅନ୍ତିମ ପାଦରେ ଡୋଡୋ ପକ୍ଷୀଙ୍କ ଦୁର୍ଭାଗ୍ୟଜନକ ବିଲୁପ୍ତିକୁ ସ୍ମରଣ କରିବା! ଭାରତ ମହାସାଗରୀୟ ଦ୍ବୀପ ମରିସସ୍ରେ ବିଶାଳ ଡୋଡୋ ପକ୍ଷୀଗୁଡ଼ିକ ନିର୍ଭୟରେ ବିଚରଣ କରୁଥିଲେ। ୧୬୦୦ ମସିହା ବେଳକୁ ସେଠାରେ ଡଚ୍ ନାବିକମାନଙ୍କ ପାଦ ପଡ଼ିଲା। ପୂର୍ବରୁ ମନୁଷ୍ୟ ନାମକ ପ୍ରାଣୀକୁ ଦେଖି ନ ଥିବା ଏହି ବନ୍ଧୁବତ୍ସଳ ପକ୍ଷୀଗୁଡ଼ିକ ପରମ ଆତ୍ମୀୟତାର ସହିତ ନାବିକମାନଙ୍କ ନିକଟବର୍ତ୍ତୀ ହେଲା ବେଳେ ଧରା ପଡ଼ି ଆହରରେ ପରିଣତ ହେଲେ। ଉଲ୍ଲେଖଯୋଗ୍ୟ ଯେ ମାତ୍ର ୮୦ ବର୍ଷର ଅବଧିରେ ସେହି ଦ୍ବୀପ ‘ଡୋଡୋ’ ଶୂନ୍ୟ ହୋଇଗଲା। ୧୬୮୧ ମସିହାରେ ଡଚ୍ ଅତିକ୍ରମଣକାରୀଙ୍କ ପ୍ଲେଟ୍ରେ ଡୋଡୋ ପକ୍ଷୀର ବ୍ୟଂଜନ ପରଷା ହେବା ସହିତ ପୃଥିବୀ ବକ୍ଷରୁ ଅନ୍ତିମ ଡୋଡୋ ପକ୍ଷୀ ଅନ୍ତର୍ହିତ ହୋଇଗଲା! ପୋଲାଣ୍ଡର ପ୍ରଖ୍ୟାତ ସାହିତ୍ୟିକ ଆଇଜାକ ବାସେଭିସ ସିଙ୍ଗରଙ୍କ ଭଳି ଆମେ ଯଦି ବିଶ୍ବାସ କରିବା ଯେ ଈଶ୍ବରଙ୍କ ଅପରିସୀମ ଲାଇବ୍ରେରିରେ ପୃଥିବୀର ସମସ୍ତ ପ୍ରାଣୀଙ୍କ ସ୍ମୃତି-ଚରିତ ସାଇତା ହୋଇ ରହିଥିବ, ତେବେ ଅନାୟାସରେ କହି ପାରିବା ଯେ ‘ଡୋଡୋ’ ପକ୍ଷୀଙ୍କ ସ୍ମୃତି ଚରିତରେ ମନୁଷ୍ୟ ଆଦୌ ସମ୍ମାନଜନକ ଉଚ୍ଚାସନ ପାଇ ନ ଥିବ! କେବଳ ଡୋଡୋ ନୁହେଁ, ପ୍ରାୟ ସମସ୍ତ ପଶୁପକ୍ଷୀଙ୍କ ଦୃଷ୍ଟିରୁ ମନୁଷ୍ୟକୁ ପରଖିବାକୁ ଚେଷ୍ଟା କଲେ ହୃଦୟଙ୍ଗମ କରି ହେବ ଯେ ପଶୁ ଭାବେ ବିବେଚିତ ନ ହୋଇ ‘ମନୁଷ୍ୟ’ ରୂପେ ପରିଚିତ ହୋଇଥିବା ସତ୍ତ୍ବେ ମନୁଷ୍ୟ ସକାଶେ ଗର୍ବ ବୋଧ କରିବାର ବିଶେଷ କୌଣସି କାରଣ ନାହିଁ।
ପଶୁଙ୍କ ପକ୍ଷରୁ
/sambad/media/post_attachments/wp-content/uploads/2023/05/sampadakiya.jpg)