ଡାକ୍ତର ଶୈଳେଶ୍ବର ନନ୍ଦ

Advertisment

ସପ୍ତଦଶ ଶତାବ୍ଦୀର ଅପରାହ୍‌ଣରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଙ୍ଗୀତକୁ ଋଦ୍ଧିମନ୍ତ କରି ସୂର୍ଯ୍ୟସମ ପ୍ରତିଭାତ ହୋଇଥିଲେ ଉପେନ୍ଦ୍ର ଭଞ୍ଜ, ଯାହାଙ୍କୁ ଆଜି ଓଡ଼ିଆମାନେ କବିସମ୍ରାଟ, ସଙ୍ଗୀତସମ୍ରାଟ ଓ ଶବ୍ଦସମ୍ରାଟ ଆଖ୍ୟାରେ ଆଖ୍ୟାୟିତ କରିଛନ୍ତି। ଶବ୍ଦକୁ ଶବ୍ଦ ସହ ସଂଯୋଗ କରି ତାକୁ ଅଳଙ୍କାର ବିମଣ୍ଡିତ କରିବା ସହ ସଙ୍ଗୀତମୟ କରି ସେ ସୃଷ୍ଟି କରିପାରିଥିଲେ କାବ୍ୟ କୋଣାର୍କ। ପ୍ରତ୍ୟେକଟି କାବ୍ୟ ହୋଇଉଠିଥିଲା ଜୀବନ୍ତ। ଏଣୁ ଆଜି ପ୍ରାୟ ତିନିଶହ ବର୍ଷ ପରେ ମଧ୍ୟ କୋଟି କୋଟି ଓଡ଼ିଆ ପ୍ରାଣକୁ ସ୍ପନ୍ଦିତ ନନ୍ଦିତ କରିପାରୁଛି। ସେଥିପାଇଁ ଉତ୍କଳମଣି ଗୋପବନ୍ଧୁ ଭଞ୍ଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ-
‘‘ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟ ମନା
ବିଲେ ବୋଲେ ଚଷା, ଅନ୍ତପୁରେ ଯୋଷା, ନୃତ୍ୟରଙ୍ଗେ ବାରାଙ୍ଗନା।
କାଳ ବଳିଆର ଆଣଇ ସଂସ୍କାର, ନବ ରୁଚି ନବ ଜ୍ଞାନ
କିନ୍ତୁ ବୈଦେହୀଶ ବିଳାସ ପାଇବ କାଳେ କାଳେ ଉଚ୍ଚ ସ୍ଥାନ।’’
ମହାକାବ୍ୟ ବୈଦେହୀଶ ବିଳାସ ରାମ ସାହିତ୍ୟ ପରମ୍ପରାରେ ସବୁକାଳ ପାଇଁ ଯେ ଅଦ୍ବିତୀୟ ହୋଇ ରହିବ ଏ କଥା କେବଳ ଗୋପବନ୍ଧୁ କାହିଁକି ବହୁ ସମାଲୋଚକ କହିଆସିଛନ୍ତି। କେବେଳ ବୈଦେହୀଶ ବିଳାସ କାହିଁକି, ତାଙ୍କର ପ୍ରତ୍ୟେକଟି କାବ୍ୟ କବିଙ୍କର ଅଗାଧ ପାଣ୍ଡିତ୍ୟ, ଶବ୍ଦ ଜ୍ଞାନ, ରଚନାଶୈଳୀ, ଆଳଙ୍କାରିକତା ଓ ଛନ୍ଦବଦ୍ଧ ସଙ୍ଗୀତର ମନୋଜ୍ଞ ରୂପକାନ୍ତି ନେଇ ପ୍ରକାଶିତ। ‘ବ’ ଆଦ୍ୟ ନିୟମରେ ବୈଦେହୀଶ ବିଳାସ, ‘କ’ ଆଦ୍ୟ ପ୍ରାନ୍ତ ନିୟମରେ ‘କଳା କଉତୁକ’, ‘ସ’ ଆଦ୍ୟ ନିୟମରେ ‘ସୁଭଦ୍ରା ପରିଣୟ’, ‘ଅବନାରେ ରାମାୟଣ’, ‘ରସତରଙ୍ଗ’ ଆଦି କବି ସୃଷ୍ଟିର ମନୋରମ ପ୍ରକାଶ। ଓଡ଼ିଆ ଭାଷାରେ ପ୍ରଥମ ଅଭିଧାନ ‘ଗୀତାଭିଧାନ’ କବିଙ୍କ ଶବ୍ଦଜ୍ଞାନର ପରିଚାୟକ। ଏହାଛଡ଼ା ବହୁ ଚଉପଦୀ, ଛାନ୍ଦ, ଚଉତିଶା, ପୋଈ, ବୋଲି ଆଦି ପ୍ରଚଳିତ କାବ୍ୟଧାରା ତାଙ୍କ ସୃଷ୍ଟିରେ ହୋଇଛି ମୂର୍ତ୍ତିମନ୍ତ। ଓଡ଼ିଆ ଜନଜୀବନର ପ୍ରାଣବିନ୍ଦୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଯାନିଯାତ, ନୀତିନିୟମ ଓ ପର୍ବପର୍ବାଣିର ଚିତ୍ର ଆଙ୍କି ‘ନୀଳାଦ୍ରୀଶ ଚଉତିଶା’ ଜୀବନର ଶେଷ ପର୍ଯ୍ୟାୟରେ ପୁରୀର ଘୁମୁଷର ମଠରେ ଅବସ୍ଥାନ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରିବା ସଙ୍ଗେ ସଙ୍ଗେ ଜୀବନର ଅର୍ଜିତ ମର୍ଯ୍ୟାଦା, ସକଳ ପୁଣ୍ୟ ଓ କବି ଜୀବନର ସାର୍ଥକତାକୁ ପ୍ରଭୁପାଦତଳେ ଅର୍ପଣ କରି କବି ଗାଇଛନ୍ତି-
‘‘କ୍ଷୟ ତ ହେଲାଣି ଏ ପିଣ୍ଡ, କ୍ଷାଳ ତ ଏ ସଂସାର ଦଣ୍ଡ
ଖ୍ୟାତି ଏ ଉପେନ୍ଦ୍ରର, ତବ ପଦତଳେ ହେଇ ରୁଣ୍ଡ
ହେ ନୀଳାଦ୍ରୀଶ।’’
ଜୀବନରେ ପ୍ରଣୟ ଓ ପ୍ରୀତି ଯେ ଏକାନ୍ତ କାମ୍ୟ ଏହା ହୃଦୟଙ୍ଗମ କରି ସେ ସୃଷ୍ଟି କରିଛନ୍ତି- ‘ଲାବଣ୍ୟବତୀ’,“କୋଟିବ୍ରହ୍ମାଣ୍ଡସୁନ୍ଦରୀ’, ରସଲେଖା ‘ରସିକ ହାରାବଳୀ’, ‘ପ୍ରେମ ସୁଧାନିଧି’, ‘ଭାବବତୀ’ ଆଦି ବହୁ କାବ୍ୟ। ମଧୁର ପ୍ରୀତିର ପରିଣତି ହୁଏ ଦାମ୍ପତ୍ୟ ବନ୍ଧନରେ। କବି ନିଜ କାବ୍ୟରେ ‘ଏକପତି ଏକପତ୍ନୀ ବ୍ରତ’କୁ ବାରମ୍ବାର ଉଚ୍ଚାରିତ କରି କହନ୍ତି ଏ ସଂସାରରେ ଗୋଟିଏ ନାରୀ ଗୋଟିଏ ପୁରୁଷ ପାଇଁ ଉଦ୍ଦିଷ୍ଟ। ରାମସୀତାଙ୍କର ଏହି ଏକନିଷ୍ଠ ଦାମ୍ପତ୍ୟ ପ୍ରେମର ଉଦାହରଣ ଦେଇ କବି କହନ୍ତି-
‘‘ମିଥିଳା ନବ ସଙ୍ଗମ କାଳେ ଯେ କଲେ ନିୟମ
ଏକପତି ଏକପତ୍ନୀ ବ୍ରତ
ଜଗତେ ସେହୁ ଦମ୍ପତି ସାଧୁଙ୍କ ସୁଖ ସମ୍ପତ୍ତି ମଧୁର ଆକୃତି ଆଲୋକିତ ସେ।’’
ରାମସୀତାଙ୍କର ଏକପତି ଏକପତ୍ନୀ ବ୍ରତର ନିୟମ ପ୍ରତ୍ୟେକ ମଣିଷର ଜୀବନରେ ପ୍ରତିଭାତ ହେଉ ଏହା ତାଙ୍କର ଥିଲା ବାଣୀ। ନିଜସ୍ବ ସୃଷ୍ଟିରେ ଆର୍ଯ୍ୟ ଜୀବନର ଆଦର୍ଶ, ଶୃଙ୍ଖଳିତ ସମାଜ ଗଠନରେ ପ୍ରତ୍ୟେକ ଚରିତ୍ରର ଦାୟିତ୍ବର ସୂଚନା ସେ ଦେଇଛନ୍ତି। କାବ୍ୟ ନାଟକରେ ମନୋଜ୍ଞ ସଂଳାପ ଗୁନ୍ଥି ସେ ପାଠକ ପ୍ରାଣକୁ ଆପ୍ଳୁତ କରିପାରିଛନ୍ତି। ଜରତା ଋଷ୍ୟଶୃଙ୍ଗ ଉପାଖ୍ୟାନ ହେଉ, ଦଶରଥ ଓ ବିଶ୍ୱାମିତ୍ରଙ୍କ କଥୋପକଥନ ହେଉ କି ରାବଣ ସୀତାଙ୍କ ଭକ୍ତି ପ୍ରତ୍ୟୁକ୍ତି ହେଉ ସବୁଠାରେ କବି ନିଜର ଅମାପ ଶବ୍ଦକୌଶଳକୁ ପ୍ରୟୋଗ କରି ବିଭିନ୍ନ ଅର୍ଥବୋଧକ ଶବ୍ଦର ବ୍ୟବହାରରେ ନାଟକୀୟ ମଞ୍ଜୁଳତାକୁ ମନୋଜ୍ଞ କରିବାକୁ ସମର୍ଥ। ଏପରିକି ଆଜ୍ଞାନୀ କୈବର୍ତ୍ତକୁ ବିଜ୍ଞାନୀ କରି ବ୍ରହ୍ମା, ଶିବ ଯେଉଁ ପାଦକୁ ଧୋଇବାକୁ ଅସମର୍ଥ ହୋଇଥିଲେ ତାକୁ ଧୋଇବାକୁ ସମର୍ଥ ହୋଇଛନ୍ତି। ଗଙ୍ଗାନଦୀ ପାର ସମୟରେ ରାମଙ୍କ ପଦଧୌତ କରିଛି ଧୀବର:
‘‘ବଢ଼ାଇ ଦେଲେ ପୟର, ଭାବଗ୍ରାହୀ ରଘୁବୀର
ପୟର ଖ୍ୟାଳିତ କରି ବସନେ ପୋଛି
ବ୍ରହ୍ମାରେ ଧୌତ ଯେ ପଦ, ନୋହିଛି ଶିବେ ବିଷାଦ
ନ ପାଇ ଚରଣାମୃତ ପାନକୁ ଇଚ୍ଛି
ବିଜ୍ଞାନୀ କୈବର୍ତ୍ତ ଧୋଇଲା, ବିଶ୍ବେ ପତିତପାବନ ନାମ ରହିଲା।’’
ପ୍ରଭୁ ଯେ ପତିତପାବନ ଏହା ତାଙ୍କ ଜୀବନରେ ପ୍ରତ୍ୟେକଟି କାର୍ଯ୍ୟରେ ପ୍ରମାଣିତ। କୈବର୍ତ୍ତର ଆକୁଳ ପ୍ରାର୍ଥନାରେ ପାଦ ବଢ଼ାଇ ଦେବା ହେଉ ବା ଶବରୀର ଅଇଁଠା ଫଳ ଖାଇବାରେ ହେଉ, ଜଟାୟୁର ମୃତ୍ୟୁ ପରର କ୍ରିୟାକର୍ମ ହେଉ, ମାରୀଚର ମୃତ ଶରୀରକୁ ବୋହି ଆଣିବା ହେଉ- ସବୁଠି ସେ ପତିତ, ଦଳିତ ଜନର ଉଦ୍ଧାର ପାଇଁ ଆଗେଇ ଆସିଛନ୍ତି।
କାବ୍ୟ କବିତାକୁ ଜୀବନ୍ତ କରି ସେଥିରେ ମଧୁରିମା ଭରିବା ସହ ସଙ୍ଗୀତ ବାହନରେ ଅଧୁଷ୍ଠିତ କରାଇ କବି ନିଜସ୍ବ ସୃଷ୍ଟିକୁ ପାଠକ ପାଖରେ ଅତି ଆପଣାର କରି ବାଢ଼ିପାରିଛନ୍ତି। ଉପେନ୍ଦ୍ର ଭଞ୍ଜ ଯେପରି ଓଡ଼ିଆ ଭାଷା ଓ ଶବ୍ଦକୋଷକୁ ସହସ୍ରାଧିକ ନୂତନ ଶବ୍ଦରେ ପରିପୂର୍ଣ୍ଣ କରିଛନ୍ତି, ସେହିପରି ଅସଂଖ୍ୟ ନୂତନ ରାଗରାଗିଣୀ, ଛାନ୍ଦ, ଚଉପଦୀ, ଚଉପହରା, ପୋଈ ଆଦିରେ ବିମଣ୍ଡିତ କରି ଓଡ଼ିଶୀ ଛାନ୍ଦ ଓ ସଙ୍ଗୀତକୁ ପ୍ରସାରିତ ଓ ଶ୍ରୁତିମଧୁର କରିଛନ୍ତି।
ଶୃଙ୍ଖଳିତ ସମାଜ, ପାରିବାରିକ ବନ୍ଧନ, ଦାମ୍ପତ୍ୟ ଜୀବନରେ ମଧୁମୟ ପ୍ରେମ, ପ୍ରକୃତିରାଣୀର ଅପରୂପ ବର୍ଣ୍ଣନା ସହ ନିଜର ଅମାପ ଶବ୍ଦଜ୍ଞାନ, ଭାବ ଗାମ୍ଭୀର୍ଯ୍ୟ ଓ ପ୍ରକାଶଶୈଳୀ ସଂଯୋଗ କରି ସେ ହୋଇଛନ୍ତି କବିସମ୍ରାଟ। ୧୯୪୪ ମସିହା ମେ ୧୬ ତାରିଖରେ ସଂଗ୍ରାମୀ ସଂଗଠକ କବି ବିଚ୍ଛନ୍ଦଚରଣ, ଭଞ୍ଜ ଜୟନ୍ତୀ ଅବସରରେ ତାଙ୍କୁ ‘କବିସମ୍ରାଟ’ ଉପାଧିରେ ଭୂଷିତ କରିଛନ୍ତି। ପରେ କବିଚନ୍ଦ୍ର କାଳୀଚରଣ ତାଙ୍କୁ ‘ସଙ୍ଗୀତସମ୍ରାଟ’ ଉପାଧିରେ ଅଧିଷ୍ଠିତ କରିଛନ୍ତି। ବାସ୍ତବରେ କାବ୍ୟ କବିତା ଯେ ମାନସିକ ଆନନ୍ଦ ଓ ବିଳାସ ପାଇଁ ଉଦ୍ଦିଷ୍ଟ ଏହା ଉପେନ୍ଦ୍ର ଭଞ୍ଜ ସବୁ ସୃଷ୍ଟିରେ ପ୍ରତିପାଦନ କରିଛନ୍ତି। ତାଙ୍କ ସୃଷ୍ଟିରେ ନିଦାଘ ଗ୍ରୀଷ୍ମଠାରୁ ବର୍ଷା, ବସନ୍ତ, ଶରତ, ହେମନ୍ତ ସବୁ ଋତୁ ହୋଇଛି ମନୋଜ୍ଞ। ଏଠି ଜନ୍ମ ଯେମିତି ଆନନ୍ଦମୟ, ମୃତ୍ୟୁ ସେତିକି ପ୍ରଶାନ୍ତିମୟ। ଜଟାୟୁ, ମାରୀଚ, ବାଳି, ରାବଣ ଆଦିଙ୍କ ମୃତ୍ୟୁ କରୁଣ ନୁହେଁ, ବୈକୁଣ୍ଠ ଆରୋହଣର ସୋପାନ ସାଜିଛି। ଏଣୁ ଜୀବନ ଯେ ସତ୍, ଚିତ୍, ଆନନ୍ଦ ଉଦ୍‌ଗୀରଣ ଏକଥା ବାରମ୍ବାର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ନିଜ ସୃଷ୍ଟିରେ ଦର୍ଶାଇଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୧୮୬୮୬
[ବି.ଦ୍ର.- ‘ସରସ ରସ’ ସ୍ତମ୍ଭ ଶନିବାର ପ୍ରକାଶ ପାଇବ]